ତୃତୀୟ ସ୍କନ୍ଧ

ତ୍ରୟୋଦଶ ଅଧ୍ୟାୟ

ଶୁକ ଉବାଚ

ଏମନ୍ତେ ମୈତ୍ରେୟ ବଚନ । ଶୁଣି ବିଦୁର ତୋଷମନ ॥

କୃଷ୍ଣଚରିତେ ଭାବ ଭରି । ପୁଣି ପୁଚ୍ଛଇ ପାଦଧରି ॥

ବିଦୁର ଉବାଚ

ସେ ସ୍ୱାୟମ୍ଭୁବ ବ୍ରହ୍ମାସୁତ । ସଂସାର-ପ୍ରିୟ ପ୍ରିୟବ୍ରତ ॥

ପ୍ରତ୍ୟକ୍ଷେ ବ୍ରହ୍ମାର ଶରୀର । ସେ ସ୍ୱାୟମ୍ଭୁବ ନୃପବର ॥

ଯେ ଶତରୂପା ପତ୍ନୀ ତା’ର । ସ୍ୱଭାବେ ବ୍ରହ୍ମାର ଶରୀର ॥

ନିର୍ମିତ ନରନାରୀ ରୂପେ । ବିଷ୍ଣୁ ଆଦେଶେ ମହାକଳ୍ପେ ॥

ମୈଥୁନଭାବେ ସେ ରହିଲେ । କେମନ୍ତେ ସୃଷ୍ଟି ଭିଆଇଲେ ॥

ସେ ରାଜଋଷିର ଚରିତ । କହି ସନ୍ତୋଷ କର ଚିତ୍ତ ॥

ଏ କୃଷ୍ଣକଥା ପୁଣ୍ୟଯଶ । ଶ୍ରବଣେ ଚିତ୍ତ କଲା ଆଶ ॥

ଏମନ୍ତେ ବିଦୁରର ବାଣୀ । ମୈତ୍ରେୟ ବୋଲେ ତାହା ଶୁଣି ॥ ୧୦

ମୈତ୍ରେୟ ଉବାଚ

ଶୁଣ ବିଦୁର ଏକଚିତ୍ତେ । ତୁ ଯାହା ପଚାରିଲୁ ମୋତେ ॥ ୧୧

ବ୍ରହ୍ମାର ଶରୀରୁ ସମ୍ଭବ । ପତ୍ନୀର ତୁଲେ ସ୍ୱାୟମ୍ଭୁବ ॥ ୧୨

କରଅଞ୍ଜଳି ଶିରେ ଦେଇ । ବୋଲଇ ବ୍ରହ୍ମାମୁଖ ଚାହିଁ ॥ ୧୩

ତୁ ସର୍ବଜନ୍ତୁଙ୍କର ପିତା । ଜନ୍ମସମ୍ପଦ ବୃତ୍ତିଦାତା ॥ ୧୪

ଆମ୍ଭେ ତୋହର ଭୃତ୍ୟପଣେ । ଯେମନ୍ତେ ଖଟୁ ତୋ’ ଚରଣେ ॥ ୧୫

ସେ ଆଜ୍ଞା ଦିଅ ବେଦବର । ତୋ’ର ଚରଣେ ନମସ୍କାର ॥ ୧୬

ଯେ କର୍ମ ସାଧି ଅତିରେକେ । ସୁ ଯଶ ଇହ ପରଲୋକେ ॥ ୧୭

ଲଭନ୍ତି ପ୍ରାଣୀ ଆତ୍ମସୁଖେ । ସେ ଆଜ୍ଞା କର ତାତ ମୁଖେ ॥ ୧୮

ଏମନ୍ତେ ପୁତ୍ରର ବଚନେ । ବ୍ରହ୍ମା କହିଲେ ତୋଷମନେ ॥ ୧୯

ବ୍ରହ୍ମା ଉବାଚ

ଶୁଣ କୁମର ସାଧୁଧୀର । ତୁ ଏ ସଂସାରେ ନୃପବର ॥ ୨୦

ନିର୍ମଳ ହୃଦେ ତୁ ପଚାରୁ । ଯେହ୍ନେ ସମ୍ବାଦ ଶିଷ୍ୟ ଗୁରୁ ॥ ୨୧

ତୋ’ଠାରେ ହୋଇଲି ପ୍ରସନ୍ନ । ତୋହର ହେଉ ଯେ କଲ୍ୟାଣ ॥ ୨୨

ପିତାର ଆଜ୍ଞା ଶିରେ ଧରି । ସାଦରେ ସର୍ବ ଦୂର କରି ॥ ୨୩

ଏହାର ସଙ୍ଗେ ତୁହି ରମ । ସନ୍ତତି କର ଆତ୍ମସମ ॥ ୨୪

ପୃଥିବୀ ପାଳନ ତୁ କର । ଯଜ୍ଞେ ସନ୍ତୋଷ ଚକ୍ରଧର ॥ ୨୫

ପ୍ରଜା ପାଳନେ କର ଆଶା । ତେଣେ ମୋ’ ହୋଇବ ଶୁଶ୍ରୂଷା ॥ ୨୬

ଯେ ଯଜ୍ଞରୂପ ଜନାŸର୍ଦ୍ଦନ । ତୋ’ ପ୍ରତି ହୋଇବେ ପ୍ରସନ୍ନ ॥ ୨୭

ସେ ଯଜ୍ଞ ଅନ୍ତେ ଜନାŸର୍ଦ୍ଦନ । ଯାହାକୁ ନୁହଁନ୍ତି ପ୍ରସନ୍ନ ॥ ୨୮

ବିଫଳ ଶ୍ରମ ହିଁ ତାହାର । ଯେଣୁ ଆତ୍ମାରେ ଅନାଦର ॥ ୨୯

ଏମନ୍ତେ ପିତାର ବଚନେ । ଶୁଣି ସ୍ୱାୟମ୍ଭୁବ ତୋଷମନେ ॥ ୩୦

ଆନନ୍ଦେ ଶିରେ କର ଦେଇ । ବୋଲଇ ବ୍ରହ୍ମାମୁଖ ଚାହିଁ ॥ ୩୧

ମନୁ ଉବାଚ

ଭୋ ନାଥ ତୋହର ଆଦେଶେ । ସୃଷ୍ଟି ମୁଁ କରିବି ବିଶ୍ୱାସେ ॥ ୩୨

ମୁଁ ସୃଷ୍ଟି ସରଜିବି କାହିଁ । ଏ ଜଳେ ଧରଣୀ ତ ନାହିଁ ॥ ୩୩

ତା’ର ଉଦ୍ଧାରେ ଯତ୍ନ କର । ଯେମନ୍ତେ ସୃଷ୍ଟିର ସଂଚାର ॥ ୩୪

ମୈତ୍ରେୟ ଉବାଚ

ଏମନ୍ତେ ପୁତ୍ରର ବଚନେ । ବ୍ରହ୍ମା ବିଚାରେ ନିଜମନେ ॥ ୩୫

ମାୟା ପ୍ରଳୟ ଜଳରାଶି । ପବନ ସଙ୍ଗେ ମୁଁ ଯେ ଗ୍ରାସି ॥ ୩୬

ପୃଥିବୀ ନିବେଶିଲି ଜଳେ । ପ୍ରଜା କଳ୍ପିଲି ଯୋଗବଳେ ॥ ୩୭

ଦେବ ଅସୁର ପିତୃ ନର । ପଶୁ ପତଙ୍ଗ ମହୀଧର ॥ ୩୮

ବୃକ୍ଷ ଔଷଧି ଉଚ୍ଚ-ନୀଚେ । ଧରଣୀ ସ୍ଥାପିଲି ଯେ ସଞ୍ଚେ ॥ ୩୯

ଏବେ ତ ଜଳେ ନାହିଁ ମହୀ । ଏମନ୍ତ ବ୍ରହ୍ମା ବିଚାରଇ ॥ ୪୦

ଜଳେ ନ ଦେଖି ବସୁନ୍ଧରୀ । ବିଧାତା ମନେ ଧ୍ୟାନକରି ॥ ୪୧

ମହୀ ବୁଡ଼ିଲା ମହାଜଳେ । କେମନ୍ତେ ଉଦ୍ଧରିବି ବଳେ ॥ ୪୨

ଯା’ର ଆଦେଶେ ଅବତରି । ମୁଁ ଏ ସଂସାରେ ଅଧିକାରୀ ॥ ୪୩

ସେ ହରି ଯେବେ ଦୟାକରେ । ଧରଣୀ ଆପଣେ ଉଦ୍ଧରେ ॥ ୪୪

ନୋହିଲେ ମୋର ଶକ୍ୟ କାହିଁ । ଏମନ୍ତେ ବିଷ୍ଣୁପାଦ ଧ୍ୟାୟି ॥ ୪୫

ବ୍ରହ୍ମା ରହିଲେ ସ୍ତମ୍ଭୀଭୂତେ । ଶୁଣ ବିଦୁର ଏକଚିତ୍ତେ ॥ ୪୬

ତକ୍ଷଣେ ପ୍ରଭୁ ନରହରି । ବାଳ ଶୂକର ରୂପଧରି ॥ ୪୭

ଅଙ୍ଗୁଷ୍ଠ ପ୍ରମାଣ ଶରୀରେ । ଜନ୍ମିଲେ ବ୍ରହ୍ମା ନାସାଦ୍ୱାରେ ॥ ୪୮

ପୁଣି କ୍ଷଣକେ ଗଜପ୍ରାୟେ । ଅଦ୍ଭୁତେ ବଢ଼େ ତାରକାୟେ ॥ ୪୯

ମରୀଚି ଆଦି ମୁନି ଯେତେ । ସନତକୁମାର ସହିତେ ॥ ୫୦

ଅଦ୍ଭୁତ ବରାହ ଶରୀର । କ୍ଷଣକ୍ଷଣକେ ଅଗୋଚର ॥ ୫୧

ଋଷିଙ୍କି ଚାହିଁ ବେଦବର । କହନ୍ତି ଦେଖି ତା’ ଶରୀର ॥ ୫୨

ଅଙ୍ଗୁଷ୍ଠ ମାତ୍ରେ ଜାତ ହୋଇ । ପର୍ବତ ସମାନେ ବଢ଼ଇ ॥ ୫୩

ଶୁଣ ସକଳ ମୁନିଜନେ । ଏ ରୂପେ ଖେଦ ମୋରମନେ ॥ ୫୪

ଏମନ୍ତେ ପୁତ୍ରଗଣ ଘେନି । ବିଚାର କରେ ପଦ୍ମଯୋନି ॥ ୫୫

ଏ ବା ଅନାଦି-ଭଗବାନ । ଏ ରୂପେ ବୋଧେ ମୋର ମନ ॥ ୫୬

ଏମନ୍ତ ଜାଣି ବାସୁଦେବ । ଗର୍ଜିଲେ ଗଜେନ୍ଦ୍ର ସ୍ୱଭାବ ॥ ୫୭

ବ୍ରହ୍ମାଦି ଋଷିଙ୍କ ସମେତେ । ହରଷ କଲେ ସର୍ବେ ଚିତ୍ତେ ॥ ୫୮

ଦିଗ ପୂରିଲା ଗରଜନ୍ତେ । ଅଦ୍ଭୁତ ଶବଦ ସହିତେ ॥ ୫୯

ସେ ମାୟାମୟ ରୂପ ହରି । ଛଳେ ଶୂକର ରୂପ ଧରି ॥ ୬୦

ଦେଖି ଚକିତ ମୁନିଜନେ । ଆନନ୍ଦେ ବିଚାରନ୍ତି ମନେ ॥ ୬୧

ଜନ ସତ୍ୟ ତପ ନିବାସୀ । ମିଳି ସକଳ ବ୍ରହ୍ମଋଷି ॥ ୬୨

ସ୍ତୁତି କରନ୍ତି ମନତୋଷେ । ଧରଣୀ ଉଦ୍ଧରିବା ଆଶେ ॥ ୬୩

ଯାହାର ଗୁଣ ଅନୁବାଦେ । କ୍ଷମ ନୁହଁନ୍ତି ଚାରିବେଦେ ॥ ୬୪

ଯା’ ରୂପ ମନଜ୍ଞାନେ ଚିନ୍ତି । ଅଶେଷ ଶାସ୍ତ୍ରେ ନ ଜାଣନ୍ତି ॥ ୬୫

ମୁନିଙ୍କ ସ୍ତୁତିବାକ୍ୟ ଶୁଣି । ତକ୍ଷଣେ ପ୍ରଭୁ ଚକ୍ରପାଣି ॥ ୬୬

ଦେବଙ୍କ ହିତଅର୍ଥେ ହରି । ପୁଣି ଶୂକର ନାଦକରି ॥ ୬୭

ଗଜେନ୍ଦ୍ର ଲୀଳା କରି ହେଳେ । ବିଷ୍ଣୁ ପଶିଲେ ମହାଜଳେ ॥ ୬୮

ଖୁର-ଲାଙ୍ଗୁଡ଼ ମୁଖେ ତାଡ଼ି । ଶବଦ ଶୁଭେ ଘଡ଼ଘଡ଼ି ॥ ୬୯

ଜଳ ପ୍ରବେଶ ପୂର୍ବେ ହରି । ପୁଚ୍ଛ ଉତ୍ କ୍ଷେପ ଉର୍ଦ୍ଧ୍ୱେ କରି ॥ ୭୦

ଲମ୍ଫରେ ଆକାଶେ ଉଠିଲେ । କଠୋର ଶଟା କମ୍ପାଇଲେ ॥ ୭୧

ବରାହ ଦେହ ଜଳକଣେ । ଶୂନ୍ୟେ ତିନ୍ତିଲେ ଦେବଗଣେ ॥ ୭୨

ଲାଙ୍ଗୁଡ଼-ବୃଷ୍ଟି-ଜଳଲାଗି । ଦିଗେ ହୋଇଲେ ସଉଭାଗୀ ॥ ୭୩

ସୁତୀକ୍ଷ୍ଣ ଖୁର କ୍ଷିପ୍ତଜଳେ । ସମୁଦ୍ର ଉଛୁଳେ କଲ୍ଲୋଳେ ॥ ୭୪

ପର୍ବତ ପ୍ରାୟେ ଦେହକାନ୍ତି । ଜ୍ୟୋତି ସମୂହେ ଝଟକନ୍ତି ॥ ୭୫

ମହୀ ଖୋଜନ୍ତି ଘ୍ରାଣବାସେ । ଧରଣୀ ଉଦ୍ଧରିବା ଆଶେ ॥ ୭୬

କରାଳ ଦନ୍ତ ଓଷ୍ଠ ପାଟି । ଉର୍ଦ୍ଧ୍ୱେ ମୁନିଙ୍କି ଦେଇ ଦୃଷ୍ଟି ॥ ୭୭

ଅଙ୍ଗ ନିର୍ଘାତ ବଜ୍ର ପ୍ରାୟେ । ଦେଖି ଜଳଧି କଲା ଭୟେ ॥ ୭୮

ତରଙ୍ଗ-କର ଉଚ୍ଚେ କରି । ଡାକଇ ରଖ ଦଇତାରି ॥ ୭୯

ହେ ଯଜ୍ଞେଶ୍ୱର ତ୍ରାହିକର । ମୁଁ ତୁମ୍ଭ ଚରଣେ କିଙ୍କର ॥ ୮୦

ସମୁଦ୍ର ମୁଖରାବ ଗୋଳେ । ହରି ପଶିଲେ ରସାତଳେ ॥ ୮୧

ଜଳେ ନିମଗ୍ନା ବସୁନ୍ଧରୀ । ତକ୍ଷଣେ ଦନ୍ତାଗ୍ରେ ଉଦ୍ଧରି ॥ ୮୨

ଜଳୁ ଆସନ୍ତେ ଊଦ୍ଧ୍ୱର୍ମୁଖେ । ଅସୁର ମିଳିଲା ସମ୍ମୁଖେ ॥ ୮୩

ଆଦିଅସୁର ଯେ ପ୍ରତ୍ୟକ୍ଷ । ନାମ ତାହାର ହିରଣାକ୍ଷ ॥ ୮୪

ଗଦା ବୁଲାଇ ଅତିବେଗେ । ମିଳିଲା ଯଜ୍ଞନାଥ ଆଗେ ॥ ୮୫

ମତ୍ତମାତଙ୍ଗ ଯେହ୍ନେ ମହୀ । କର୍କଶ ଦନ୍ତେ ବିଦାରଇ ॥ ୮୬

ଲୀଳାଏ ଅସୁର ସଂହାରି । ଗଜକୁ ଯେସନେ କେଶରୀ ॥ ୮୭

ତା’ ଦେହ ଦଶନେ ବିଦାରି । ଧରଣୀ ଘେନି ବିଜେକରି ॥ ୮୮

ତମାଳ ନୀଳବ‰ର୍ଣ୍ଣ ଦେହୀ । ଶୁଭ୍ର ତୀକ୍ଷ୍ଣ ଦନ୍ତଦୁଇ ॥ ୮୯

ଦଶନଅଗ୍ରେ ମହୀ ରହେ । ଚନ୍ଦ୍ରେ କଳଙ୍କ ଯେହ୍ନେ ଶୋହେ ॥ ୯୦

ଏମନ୍ତ ରୂପ ଦେଖି ବେଗେ । ବ୍ରହ୍ମା ମିଳିଲେ ବିଷ୍ଣୁ ଆଗେ ॥ ୯୧

ସଙ୍ଗତେ ମୁନିଗଣ ଘେନି । ସ୍ତୁତି କରଇ ପଦ୍ମଯୋନି ॥ ୯୨

ଋଷିଗଣ ଉବାଚ

ହେ ଯଜ୍ଞରୂପୀ ଜନାŸର୍ଦ୍ଦନ । ତୋ’ର ବିହାର ତ୍ରିଭୁବନ ॥ ୯୩

ଜୟ ତୁ ଜୟ ଭଗବାନ । ତୁ ବେଦମୟ ବିଦ୍ୟମାନ ॥ ୯୪

ଯଜ୍ଞମୂରତି ନିଜ ପିଣ୍ତେ । ଯେ ଯଜ୍ଞଧର୍ମ କର୍ମକାଣ୍ତେŠ ॥ ୯୫

ତୋ’ର ଶରୀର ରୋମକୂପେ । ସମୁଦ୍ର ଲୁଚିଲା ସ୍ୱରୂପେ ॥ ୯୬

ନମୋ ଗୋବିନ୍ଦ ମହୀଧର । ଅଶେଷ-ମହିମା-ସାଗର ॥ ୯୭

ହେ କାଳରୂପୀ ତୋ’ ଚରଣେ । ନିର୍ଭୟେ ପଶିଲୁ ଶରଣେ ॥ ୯୮

ଯଜ୍ଞାଦି ଆତ୍ମା ତୋ’ ଶରୀର । ଦୁଷ୍କୃତଜନେ ଅଗୋଚର ॥ ୯୯

ତୋ’ ଦେହ ଚର୍ମେ ବେଦ ବସେ । ଅନଳ ରୋମକୂପ ଦେଶେ ॥ ୧୦୦

ଘୃତ ଆହୁତି ନେତ୍ରଯୁଗେ । ଚତୁରହୋତ୍ର ପାଦଭାଗେ ॥ ୧୦୧

ଏ ଯଜ୍ଞ ଶ୍ରୁଚ ତୋର ତୁଣ୍ତେ । ଶ୍ରୁବ ନିର୍ମିତ ନାସାଖଣ୍ତେ ॥ ୧୦୨

ଇଡ଼ା ଉଦର ଅନୁବନ୍ଧେ । ଚମସ ରହେ କ‰ର୍ଣ୍ଣରନ୍ଧ୍ରେ ॥ ୧୦୩

ପ୍ରାଶିତ୍ର ବସେ ତୋ’ର ଆସ୍ୟେ । ଗ୍ରହେ ବସନ୍ତି ତୋ’ର ଗ୍ରାସେ ॥ ୧୦୪

ଚର୍ବଣେ ଅଗ୍ନିହୋତ୍ର ରହେ । ଦୀକ୍ଷା ତୋ’ ଅନୁଜନ୍ମ ବହେ ॥ ୧୦୫

ଯେ ଉପଷଦ ତିନିଈଷ୍ଟେ । ସେ ତୋ’ର ଗ୍ରୀବାଦେଶ ଅଟେ ॥ ୧୦୬

ଦନ୍ତେ ପ୍ରାୟଣୀ ଉଦୟିନୀ । ଜିହ୍ୱାରେ ପ୍ରବର୍ଗ୍ୟକୁ ଘେନି ॥ ୧୦୭

ଶିରେ ହୋମରହିତ ଅଗ୍ନି । ଆବର ଉପାସନା ବହ୍ନି ॥ ୧୦୮

ପ୍ରାଣେ ବସନ୍ତି ଚିତିଗଣ । ସୋମ ତୋ ରେତ ଆଚରଣ ॥ ୧୦୯

ସବନ ତୋହର ଅବସ୍ଥା । ସପ୍ତଧାତୁଏ ତୋ’ର ସଂସ୍ଥା ॥ ୧୧୦

ତୋ ଦେହସନ୍ଧି ସର୍ବ ସତ୍ର । ତୁ ସର୍ବଯଜ୍ଞ କ୍ରତୁ ମାତ୍ର ॥ ୧୧୧

ମନ୍ତ୍ରଦେବତା ରୂପ ତୁହି । ତୁ ଦ୍ରବ୍ୟ କ୍ରତୁ କ୍ରିୟା ହୋଇ ॥ ୧୧୨

ବୈରାଗ୍ୟ ଭକ୍ତି ଆତ୍ମଜୟେ । କରାଉ ଜ୍ଞାନର ଉଦୟେ ॥ ୧୧୩

ତୁ ବିଦ୍ୟାଗୁରୁ ଜ୍ଞାନଦାତା । ସକଳ ଜୀବ ପିତାମାତା ॥ ୧୧୪

ଅଖିଳ ମୂର୍ତ୍ତି ଭଗବାନ । ତୋ’ର ଚରଣେ ନମୋନମ ॥ ୧୧୫

ତୋ’ ଦନ୍ତଅଗ୍ରେ ବସୁନ୍ଧରୀ । ବିରାଜେ ନିଜ ରୂପ ଧରି ॥ ୧୧୬

କି ଅବା ଦେବା ପଟାନ୍ତର । ଜଳେ ଯେସନେ କରୀବର ॥ ୧୧୭

ପଦ୍ମବନରୁ ସେ ନିର୍ଗତ । ଦନ୍ତାଗ୍ରେ ପଦ୍ମିନୀ ଶୋଭିତ ॥ ୧୧୮

ଏ ଯେ ଶୂକର ତୋ’ର ଦେହ । ଅଶେଷ ଯଜ୍ଞ ବେଦମୟ ॥ ୧୧୯

ଦନ୍ତେ ଧରଣୀ କରେ ଶୋଭା । କିବା ଉପମା ଆମ୍ଭେ ଦେବା ॥ ୧୨୦

ପର୍ବତଶୃେଙ୍ଗ ଜଳଧର । ଯେମନ୍ତେ ଦିଶଇ ସୁନ୍ଦର ॥ ୧୨୧

ତେମନ୍ତେ ଶୋଭିତ ଧରଣୀ । ତୋ’ ଦନ୍ତଅଗ୍ରେ ଚକ୍ରପାଣି ॥ ୧୨୨

ଏବେ ଧରଣୀ ସ୍ଥାପ ଜଳେ । ଭୋ ନାଥ ତୋ’ର ମାୟାବଳେ ॥ ୧୨୩

ଏ ଭୂମି ଜୀବଲୋକ-ମାତା । ତୁ ନାଥ ଜୀବଲୋକ-ପିତା ॥ ୧୨୪

ତୋ ବିନୁ କେବା ଅନ୍ୟ ବଳେ । ମହୀ ଉଦ୍ଧରେ ମହାଜଳେ ॥ ୧୨୫

ଏଣୁ ବିସ୍ମୟ ଆମ୍ଭ ନାହିଁ । ଅତି ବିସ୍ମୟ ବିଶ୍ୱେ ଯେହି ॥ ୧୨୬

ତାହାକୁ ତୁହି ମାୟାବଳେ । ସର୍ଜନା କଲୁ ଏ ଶୟଳେ ॥ ୧୨୭

ଏ ଯେ ଈଶ୍ୱର ତୋର ଦେହୀ । ସକଳ ବେଦମୟ ଏହି ॥ ୧୨୮

ଜଳେ ପଶନ୍ତେ ତୋ ଶରୀର । ଜଳଧି ଦିଶେ ଭୟଙ୍କର ॥ ୧୨୯

ତୋ ରୋମଅଗ୍ରେ ଜଳରାଶି । ଉଛୁଳି ଶୂନ୍ୟମାର୍ଗେ ଆସି ॥ ୧୩୦

ସେ ଜଳବିନ୍ଦୁ ସ୍ପର୍ଶ ମାତ୍ର । ସକଳେ ହୋଇଲୁ ପବିତ୍ର ॥ ୧୩୧

ଜନ ତପ ସତ୍ୟ ଭୁବନେ । ଆମ୍ଭେ ଯେ ରହୁ ତୋଷମନେ ॥ ୧୩୨

ତୋ ରୋମଜଳେ କରି ସ୍ନାନ । ଆନନ୍ଦେ ତୋଷ କଲୁ ମନ ॥ ୧୩୩

ପବିତ୍ର କଲୁ ପିŠଣ୍ତ ପ୍ରାଣ । ତୋର ଶରଣ ନାରାୟଣ ॥ ୧୩୪

ତୋ କର୍ମ-ପାର ଜାଣିବାରେ । ଯେ ଜନ ମନେ ବା‚ଞ୍ଛାକରେ ॥ ୧୩୫

ତାହାକୁ ବୋଲି ମନ୍ଦମତି । ଯେଣୁ ଅସାଧ୍ୟ ତୋ’ର ଗତି ॥ ୧୩୬

ତୋ’ ଯୋଗମାୟା ଗୁଣ ବଳେ । ଆମ୍ଭେ ମୋହିତ ଏ ଶୟଳେ ॥ ୧୩୭

ଏଣୁ ବିଶ୍ୱକୁ ସୁଖ ଦେଇ । ଆମ୍ଭଙ୍କୁ ନାଥ କର ତ୍ରାହି ॥ ୧୩୮

ମୈତ୍ରେୟ ଉବାଚ

ବ୍ରହ୍ମାଦି ମୁନିଙ୍କ ବଚନେ । ବରାହ ରୂପୀ ତୋଷମନେ ॥ ୧୩୯

ଜଳେ ବସାଇ ବସୁନ୍ଧରୀ । ଅଦୃଶ୍ୟ ହୋଇଲେ ମୁରାରି ॥ ୧୪୦

ସେ ହରି ଅଭୟ ଚରଣେ । ବିଦୁର ପଶ ତୁ ଶରଣେ ॥ ୧୪୧

ଏ ମନୋହର କୃଷ୍ଣକଥା । ଯେ ଅବା ହୋନ୍ତି ଶ୍ରୋତା ବକ୍ତା ॥ ୧୪୨

ତା’ର ହୃଦୟେ ଭଗବାନ । ତକ୍ଷଣେ ହୁଅନ୍ତି ପ୍ରସନ୍ନ ॥ ୧୪୩

ସେ ହରି ଅଦ୍ଭୁତ ଚରିତ । ଶୁଣି ବିଦୁର ତୋଷଚିତ୍ତ ॥ ୧୪୪

ଶୁଣ ସୁଜନେ ତୋଷଚିତ୍ତେ । ସଂସାରୁ ତରିବ ଯେମନ୍ତେ ॥ ୧୪୫

ଯା’ର ପ୍ରସନ୍ନେ ମାୟାଘୋର । ନଳିନୀଦଳେ ଯେହ୍ନେ ନୀର ॥ ୧୪୬

ନ ଲାଗେ ନିରତେ ସିଞ୍ଚନ୍ତେ । ବିଷ୍ଣୁ-ପ୍ରସଙ୍ଗ ଅନୁମତେ ॥ ୧୪୭

କ‰ର୍ଣ୍ଣେ ପଶନ୍ତେ ହରିବାଣୀ । ସୁଧା-ସମୁଦ୍ର ପରିମାଣି ॥ ୧୪୮

ଆନନ୍ଦେ କର ସୁଧାପାନ । ଯେଣେ ହୋଇବ ତତ୍ତ୍ବଜ୍ଞାନ ॥ ୧୪୯

ତୃତୀୟସ୍କନ୍ଧେ ଭାଗବତ । ଅଦ୍ଭୁତ ବରାହ ଚରିତ ॥ ୧୫୦

ଏଣେ ନିବେଶି ବୁଦ୍ଧି-ଚିତ୍ତ । କହଇ ଦାସ ଜଗନ୍ନାଥ ॥ ୧୫୧

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ତୃତୀୟସ୍କନ୍ଧେ ବରାହପ୍ରାଦୁର୍ଭାବ ବ‰ର୍ଣ୍ଣନେ ନାମ ତ୍ରୟୋଦଶୋଽଧ୍ୟାୟଃ ॥

* * *