ତୃତୀୟ ସ୍କନ୍ଧ

ଦ୍ୱାଦଶ ଅଧ୍ୟାୟ

ମୈତ୍ରେୟ ଉବାଚ

ଏମନ୍ତେ କାଳସଂଖ୍ୟା ଯେତେ । ବ‰ର୍ଣ୍ଣିଲି ତୋହର ଅଗ୍ରତେ ॥

ଏବେ ବିଦୁର କହୁଁ ତୋତେ । ସେ ବ୍ରହ୍ମା-ସର୍ଜନା ଯେମନ୍ତେ ॥

ବେଦ ବିଚାରେ କଲା ସୃଷ୍ଟି । ଯେଣୁ ଅମୋଘ ତା’ର ଦୃଷ୍ଟି ॥

ଅନ୍ଧତାମିସ୍ର ମହାମୋହ । ତାମିସ୍ର ପୁଣି ତମ ମୋହ ॥

ଅବିଦ୍ୟା ପଞ୍ଚପର୍ବ ସୃଷ୍ଟି । ଆଗେ କଳ୍ପିଲା ପରମେଷ୍ଟି ॥

ପାପ-ବହୁଳ-ସୃଷ୍ଟି ସେହି । ତା’ ଦେଖି ବ୍ରହ୍ମା ବିଚାରଇ ॥

ଏ ସୃଷ୍ଟି ନୋହିଲା ଉଚିତ । ଦୃଢ଼େ ଗୋବିନ୍ଦେ ଦେଲା ଚିତ୍ତ ॥

ଗୋବିନ୍ଦପାଦ ଧ୍ୟାନ ବଳେ । ସଂଯୁକ୍ତ-ଭକତି ନିଶ୍ଚଳେ ॥

ବିଷ୍ଣୁର ଅଂଶେ ଚାରିଭ୍ରାତ । ବ୍ରହ୍ମାର ମନମଧ୍ୟୁ ଜାତ ॥

ସନକ ସନନ୍ଦ ଏ ବେନି । କୁମାର ସନାତନ ଘେନି ॥ ୧୦

ସ୍ୱଭାବେ ଉର୍ଦ୍ଧ୍ୱରେତା ହୋନ୍ତି । ବିଷ୍ଣୁହୁଁ ଆନ ନ ଜାଣନ୍ତି ॥ ୧୧

ତାହାଙ୍କୁ ଚାହିଁ ବେଦବର । ସ୍ୱଭାବେ କହଇ ମଧୁର ॥ ୧୨

ବ୍ରହ୍ମା ଉବାଚ

ତୁମ୍ଭେ ଚତୁରପୁତ୍ରେ ମୋର । ବେଦପ୍ରମାଣେ ସୃଷ୍ଟି କର ॥ ୧୩

ଏ ସୃଷ୍ଟି ହୋଇବ ତୁମ୍ଭର । ଯାଅ ଯା ମୋର ବୋଲ କର ॥ ୧୪

ମୈତ୍ରେୟ ଉବାଚ

ଏମନ୍ତେ ପିତା ବାକ୍ୟ ଶୁଣି । ପୁତ୍ରେ କହନ୍ତି ମନେ ଗୁଣି ॥ ୧୫

ଆମ୍ଭର ତେଣେ କାର୍ଯ୍ୟ ନାହିଁ । ଏମନ୍ତ ଆଜ୍ଞା ଦିଅ ତୁହି ॥ ୧୬

ଗୋବିନ୍ଦ-ଚରଣାରବିନ୍ଦେ । ଭକ୍ତି କରିବୁ ମୋକ୍ଷ-ସଧେ ॥ ୧୭

ଏମନ୍ତେ ଶୁଣି ତା’ଙ୍କ ବାଣୀ । କ୍ରୋଧେ କମ୍ପିଲା କୁଶପାଣି ॥ ୧୮

ପୁଣି ବୁଦ୍ଧିରେ ଚିତ୍ତ ଧରି । ଧ୍ୟାନେ ସୁମରି ନରହରି ॥ ୧୯

କୋପେ ଭ୍ରୂକୁଟୀ ତା କୁଟୀଳ । ବଦନ ଦିଶିଲା ପିଙ୍ଗଳ ॥ ୨୦

ଭ୍ରୂକୁଟୀ ମଧ୍ୟୁ ପୁତ୍ର ଜାତ । ଦିଶଇ ସୁନୀଳ-ଲୋହିତ ॥ ୨୧

ଦେବଙ୍କ ପୂର୍ବେ ଜାତ ସେହି । କାନ୍ଦଇ ବ୍ରହ୍ମା ମୁଖ ଚାହିଁ ॥ ୨୨

ବୋଲଇ ଶୁଣ ବେଦବର । ମୋହର ନାମ ଆଗେ କର ॥ ୨୩

ନିର୍ଭୟ ସ୍ଥାନେ ସ୍ଥାପ ମୋତେ । ଯେମନ୍ତେ ରହିବି ନିଶ୍ଚିନ୍ତେ ॥ ୨୪

ଶୁଣି ସାନନ୍ଦ ପ୍ରଜାପତି । ଚିନ୍ତିଲା ଯେବା ନାମ ସ୍ଥିତି ॥ ୨୫

ହେ ପୁତ୍ର ରୋଦନ ନ କର । କରିବି ବଚନ ତୋହର ॥ ୨୬

ରୋଦନ କଲୁ ଆଗେ ଯେଣୁ । ତୋ’ ନାମ ରୁଦ୍ର ହେଉ ତେଣୁ ॥ ୨୭

ଏମନ୍ତ କହି ତା’ର ଆଗେ । ସ୍ଥାନ କଳ୍ପିଲା ଯଥାଭାଗେ ॥ ୨୮

ମନ ଇନ୍ଦ୍ରିୟ ପ୍ରାଣ ବ୍ୟୋମ । ବାୟୁ ଅନଳ ଜଳସ୍ଥାନ ॥ ୨୯

ମହୀ ମିହିର ଚନ୍ଦ୍ର ତପ । ଏମନ୍ତେ ଏକାଦଶ ରୂପ ॥ ୩୦

ଯେ ସ୍ଥାନେ ଯେ ନାମ ତୋହର । ହୋଇବ ଶୁଣ ହେ କୁମର ॥ ୩୧

ମନ ଉପରେ ମନ୍ୟୁ ନାମ । ଇନ୍ଦ୍ରିୟ ପଦେ ମନୁ ଜାଣ ॥ ୩୨

ପ୍ରାଣରେ ବସେ ମହୀନସ । ଆକାଶେ ମହାନ ପ୍ରକାଶ ॥ ୩୩

ପବନେ ଶିବରୂପ ବସେ । ଅନଳେ ଋତଧ୍ୱଜ ମିଶେ ॥ ୩୪

ଉର୍ଦ୍ଧ୍ୱରେତସ ଜଳ ଯୋଗେ । ଭବ ବସିବ ଭୂମିଭାଗେ ॥ ୩୫

ରବିର ସ୍ଥାନେ କଳାଭାବ । ଚନ୍ଦ୍ରେ ବସିବ ବାମଦେବ ॥ ୩୬

ତପେ ବସିବ ଧୃତବ୍ରତ । ଏମନ୍ତେ ଏକାଦଶ ମତ ॥ ୩୭

ତୁମ୍ଭର ପତ୍ନୀ ନାମ ଯେତେ । ଶୁଣ କହିବା ତୋ’ ଅଗ୍ରତେ ॥ ୩୮

ଧୀ ବୃତ୍ତି ଉଶନା ଯେ ଉମା । ଅପରେ ଶୁଣ ଯେତେ ବାମା ॥ ୩୯

ନିୟ›ତ୍ସର୍ପୀ ଇଳା ଅମ୍ବିକା । ଇରାବତୀ ଯେ ସୁଧା ଦୀକ୍ଷା ॥ ୪୦

ଏ କନ୍ୟା ରୁଦ୍ରାଣୀ ବୋଲାନ୍ତି । ଏହାଙ୍କ ତୁମ୍ଭେ ହୁଅ ପତି ॥ ୪୧

ଏ ଯେତେ ନାମ ଆଦି ସ୍ଥାନ । ସ୍ତିରୀ ସହିତେ ତୁହି ଘେନ ॥ ୪୨

ଏହି ପ୍ରମାଣେ ସୃଷ୍ଟି କର । ହୁଅ ତୁ ପ୍ରଜାପତି-ବର ॥ ୪୩

ଏମନ୍ତେ ଗୁରୁ ଆଜ୍ଞା ପାଇ । ନୀଳ ଲୋହିତ ତୋଷ ହୋଇ ॥ ୪୪

ସତ୍ତ୍ବ ଆକୃତି ଆତ୍ମସମ । ନିର୍ମାଣ କଲା ପ୍ରଜାଗଣ ॥ ୪୫

ସେ ବ୍ରହ୍ମା ରୁଦ୍ର ସୃଷ୍ଟି ଚାହିଁ । ସଂଶୟ ମନେ ବିଚାରଇ ॥ ୪୬

ଏ ସୃଷ୍ଟି ମହା ଭୟଙ୍କର । ଦେଖି କମ୍ପିଲା ଚିତ୍ତ ମୋର ॥ ୪୭

ବୋଲନ୍ତି ରୁଦ୍ର ମୁଖ ଚାହିଁ । ଭୋ ପୁତ୍ର ଏଣେ କାର୍ଯ୍ୟନାହିଁ ॥ ୪୮

ଏ ସୃଷ୍ଟି ଦଶଦିଗ ତୁଲେ । ମୋହର ମନେ ତାପ କଲେ ॥ ୪୯

ଏବେ ତୁ ତପ ସାଧ୍ୟକର । ସର୍ବଜୀବଙ୍କ ସୁଖଘର ॥ ୫୦

ତପର ବଳେ ଏ ଜଗତେ । ପ୍ରଜା ତୁ କର ପୂର୍ବମତେ ॥ ୫୧

ତପେ ତୁ ବିଷ୍ଣୁଙ୍କୁ ପାଇବୁ । ଯେ ଭାବେ ସର୍ବକାଳେ ଥିବୁ ॥ ୫୨

ମୈତ୍ରେୟ ଉବାଚ

ଏମନ୍ତ ବ୍ରହ୍ମା-ଆଜ୍ଞା ପାଇ । ନୀଳଲୋହିତ ତୋଷ ହୋଇ ॥ ୫୩

ବ୍ରହ୍ମାର ଚରଣେ ନମିଲା । ତପ ସାଧନେ ବନେ ଗଲା ॥ ୫୪

ରୁଦ୍ରଙ୍କୁ ତପେ ଆଜ୍ଞା ଦେଇ । ସେ ବ୍ରହ୍ମା ମନେ ବିଚାରଇ ॥ ୫୫

ଏ ତ ଅସଂଖ୍ୟ ରୁଦ୍ରଗଣ । ନୁହଁନ୍ତି ସୃଷ୍ଟିର କାରଣ ॥ ୫୬

ତାହାଙ୍କୁ ଶିବଲୋକେ ଥୋଇ । ପୁଣି ସଂଶୟେ ବିଚାରଇ ॥ ୫୭

ଏବେ କି କରିବି ଉପାୟ । ନ ପୁଣ କୋପେ ଦେବରାୟ ॥ ୫୮

ଏମନ୍ତେ ବିଷ୍ଣୁପାଦ ଚିନ୍ତି । ଧ୍ୟାନେ ବସିଲା ପ୍ରଜାପତି ॥ ୫୯

ତା’ର ଶରୀରୁ ଦଶସୁତ । ତକ୍ଷଣେ ହୋଇଲେ ସମ୍ଭୂତ ॥ ୬୦

ଲୋକବର୍ଦ୍ଧନ ହେତୁ ଅର୍ଥେ । ନମିଲେ ବ୍ରହ୍ମା-ପାଦଗତେ ॥ ୬୧

ମରୀଚି ଅତ୍ରି ଅଙ୍ଗିରସ । ପୌଲସ୍ତ୍ୟ ପୁଲହ ପ୍ରକାଶ ॥ ୬୨

କ୍ରତୁ ବଶିଷ୍ଠ ଭୃଗୁ ଦକ୍ଷ । ଦଶମେ ନାରଦ ପ୍ରତ୍ୟକ୍ଷ ॥ ୬୩

ଶୁଣ ବିଦୁର କହୁଁ ଭଲେ । ଯେ ଅଙ୍ଗୁ ଯେବା ଉପୁଜିଲେ ॥ ୬୪

ନାରଦ ଉପୁଜିଲେ କୋଳୁ । ଦକ୍ଷ ଦକ୍ଷିଣାଙ୍ଗୁଷ୍ଠ ମୂଳୁ ॥ ୬୫

ପ୍ରାଣୁ ବଶିଷ୍ଠମୁନି ଜାତ । ଭୃଗୁ ଯେ ତ୍ୱକରୁ ସମ୍ଭୂତ ॥ ୬୬

କ୍ରତୁ ଉପୁଜେ ଭୁଜମୂଳୁ । ପୁଲହ ନାଭିର ମଣ୍ତŠଳୁ ॥ ୬୭

ପୌଲସ୍ତ୍ୟ କ‰ର୍ଣ୍ଣମୂଳୁ ଜାତ । ଅଙ୍ଗିରା ବଦନୁ ସମ୍ଭୂତ ॥ ୬୮

ଅତ୍ରି ଉପୁଜେ ଚକ୍ଷୁଯୁଗେ । ମରୀଚି ମନର ସଂଯୋଗେ ॥ ୬୯

ଦକ୍ଷିଣସ୍ତନୁ ଧର୍ମ ଜାତ । ଯେ ଧମ ଧରଇ ଜଗତ ॥ ୭୦

ଯେ ସ୍ଥାନେ ସ୍ୱୟଂ ନାରାୟଣ । ଅଛନ୍ତି ସଦା ବିଦ୍ୟମାନ ॥ ୭୧

ଅଧର୍ମ ପୃଷ୍ଠଦେଶୁ ହୋଇ । ମୃତ୍ୟୁ ଯହିଁରୁ ସଞ୍ଚରଇ ॥ ୭୨

କାମ ତା’ ହୃଦରୁ ସମ୍ଭୂତ । ଭୂରୁ ମŠଣ୍ତଳୁ କ୍ରୋଧ ଜାତ ॥ ୭୩

ଲୋଭ ହୋଇଲା ଓଷ୍ଠଦେଶେ । ବଚନ ବଦନୁ ପ୍ରକାଶେ ॥ ୭୪

ସପତସିନ୍ଧୁ ମେଢ୍ର ଦେଶୁ । ମୃତ୍ୟୁ ଦେବତା ଗୁହ୍ୟଦେଶୁ ॥ ୭୫

କŸର୍ଦ୍ଦମ ଛାୟାରୁ ସମ୍ଭୂତି । ଯାହାର ପତ୍ନୀ ଦେବହୂତି ॥ ୭୬

ଏମନ୍ତେ ଅଶେଷ ଜଗତ । ବ୍ରହ୍ମାର ମନ-ଦେହୁ ଜାତ ॥ ୭୭

ଯେ କନ୍ୟା ବଚନୁ ଜନ୍ମିଲା । ବ୍ରହ୍ମାର ମନ ସେ ମୋହିଲା ॥ ୭୮

ସକାମେ ବ୍ରହ୍ମା ତା’ର ହସ୍ତ । ଧଇଲେ ରତିରଙ୍ଗ ଅର୍ଥ ॥ ୭୯

ଅଧର୍ମ ଦେଖି ବ୍ରହ୍ମା ଚିତ୍ତେ । ପୁତ୍ରେ ମିଳିଲେ ତା’ ଅଗ୍ରତେ ॥ ୮୦

ମରୀଚି ଆଦି ଯେତେ ଭାଇ । ବୋଲନ୍ତି ପିତା ମୁଖ ଚାହିଁ ॥ ୮୧

ଭୋ ତାତ ସ୍ଥିରକର ଚିତ୍ତ । ଏ ତ ତୁମ୍ଭର ବିପରୀତ ॥ ୮୨

ଯେ କର୍ମ ପୂର୍ବାପରେ ନାହିଁ । ଏବେ ସେ ସମ୍ଭବିବ କାହିଁ ॥ ୮୩

କାହିଁ ଦୁହିତା ରମେ ପିତା । ଏଣୁ ଆମ୍ଭର ମନେ ଚିନ୍ତା ॥ ୮୪

ପୂର୍ବେ ତେଜସ୍ୱୀ ଯେତେ ଥିଲେ । ସତ୍ୟେ ସେ ଧର୍ମ ଆଚରିଲେ ॥ ୮୫

ସେ ନ କରନ୍ତି ଏଡ଼େ କର୍ମ । ସ୍ୱଭାବେ ନୁହଁଇ ଏ ଧର୍ମ ॥ ୮୬

ଯେ ଧର୍ମ ଲୋକକ୍ଷେମ କରେ । ଆନନ୍ଦେ ଆତ୍ମାକୁ ଉଦ୍ଧାରେ ॥ ୮୭

ଏଣୁ ସେ ବିଷ୍ଣୁସମ ନର । ଆମ୍ଭର ତା’ଙ୍କୁ ନମସ୍କାର ॥ ୮୮

ତୁ ଦେବ ଆତ୍ମାକୁ ସୁମର । ଅଧର୍ମୁ ମନ ସ୍ଥିରକର ॥ ୮୯

ଭୋ ତାତ ଧର୍ମେ କର ଚିତ୍ତ । ଅଧର୍ମେ ନ ବୁଡୁ ଜଗତ ॥ ୯୦

ତୁ ଏବେ ପାପ ଆଚରିଲେ । ସଂସାରେ ଥିବ କେବା ଭଲେ ॥ ୯୧

ଅନ୍ୟେ ତୋ କର୍ମ ଅନୁସାରେ । କୁଶଳୀ ହୋଇବେ ସଂସାରେ ॥ ୯୨

ଏମନ୍ତେ ଶିରେ କର ଦେଇ । ପାଦେ ନମିଲେ ସର୍ବଭାଇ ॥ ୯୩

ଏମନ୍ତ ବ୍ରହ୍ମାଙ୍କୁ ଜଣାଇ । ପୁଣି ବୋଲନ୍ତି ବିଷ୍ଣୁ ଚାହିଁ ॥ ୯୪

ହେ ବିଷ୍ଣୁ ଜଗତ-ଈଶ୍ୱର । ଆମ୍ଭର ତୋତେ ନମସ୍କାର ॥ ୯୫

ତୁ ଦେବ ଧର୍ମ ରକ୍ଷା କର । ଅଧର୍ମେ ନ ବୁଡୁ ପିଅର ॥ ୯୬

ଏମନ୍ତେ ପୁତ୍ରଙ୍କୁ ଅନାଇ । ବ୍ରହ୍ମା ରହିଲେ ଲଜ୍ଜାପାଇ ॥ ୯୭

ତକ୍ଷଣେ ଛାଡ଼ି ତା’ର ହସ୍ତ । ବିଷ୍ଣୁ ସୁମରେ ଚଉମାଥ ॥ ୯୮

ଅତି ଲଜ୍ଜିତ ଯେଣୁ ହେଲେ । ଲୀଳାରେ ତନୁ ତ୍ୟାଗ କଲେ ॥ ୯୯

ସେ ବ୍ରହ୍ମା ଯେଣୁ ଲଜ୍ଜା କଲା । ତା’ ତନୁ ଅଷ୍ଟଦିଗେ ଗଲା ॥ ୧୦୦

ସେ ଘୋର-ଅନ୍ଧକାର ରେଖା । ନାମ ବହିଲା କୁଜ୍ଝଟିକା ॥ ୧୦୧

ଅଧର୍ମେ ଅନ୍ଧକାର ହୋଇ । ସୂର୍ଯ୍ୟ ସମ୍ମୁଖେ ପ୍ରକାଶଇ ॥ ୧୦୨

ପୁଣି ଚଳଇ ଅଷ୍ଟଦିଶେ । ସଞ୍ଚରେ ସମ୍ଭବି ଆକାଶେ ॥ ୧୦୩

ମେଘର ପ୍ରାୟେ ତା’ର ଦେହୀ । ଶୁଣ ବିଦୁର ଏବେ କହି ॥ ୧୦୪

ଚିନ୍ତା ଆକୁଳେ ପ୍ରଜାପତି । ସୃଷ୍ଟି-ବିଷୟେ କଲା ମତି ॥ ୧୦୫

ଧ୍ୟାନ କରନ୍ତେ ମନେ ଖେଦ । ମୁଖୁ ଜନ୍ମିଲେ ଚାରିବେଦ ॥ ୧୦୬

ଶବଦବ୍ରହ୍ମ ପରିମାଣେ । ଧର୍ମ ଅଧର୍ମ ଯେ ବଖାଣେ ॥ ୧୦୭

ମନେ ବିଚାରେ ପଦ୍ମଯୋନି । ମୁଁ ଏବେ ବେଦତତ୍ତ୍ବ ଘେନି ॥ ୧୦୮

କରିବି ବିଷୟ-ଗୋଚର । ଯେମନ୍ତେ ପୂର୍ବେ ଏ ସଂସାର ॥ ୧୦୯

ବେଦବିଚାରେ ନାନାମତେ । କର୍ମ ବିସ୍ତାରି ଏ ଜଗତେ ॥ ୧୧୦

ଏ ଚାରିହୋତ୍ର କର୍ମତନ୍ତ୍ର । ଯେ ଉପବେଦ ନ୍ୟାୟଶାସ୍ତ୍ର ॥ ୧୧୧

ଏ ଭାବେ ଚାରିପାଦ-ଧର୍ମ । ଆଶ୍ରମ ବୃତ୍ତି ଯଥାକ୍ରମ ॥ ୧୧୨

ଯେ ଯୁଗେ ପ୍ରସରିବ ଯେତେ । ବ୍ରହ୍ମା ବିଚାରେ ଅନ୍ତର୍ଗତେ ॥ ୧୧୩

ମୈତ୍ରେୟ ମୁନି ପାଦେ ପଡ଼ି । ବିଦୁର ବୋଲେ କର ଯୋଡ଼ି ॥ ୧୧୪

ବିଦୁର ଉବାଚ

ଭୋ ମୁନି କହିବା ପ୍ରସନ୍ନେ । ସନ୍ଦେହ ଅଛି ମୋର ମନେ ॥ ୧୧୫

ସେ ବିଶ୍ୱ ସର୍ଜନ-ଈଶ୍ୱର । ଅଶେଷ ଶକ୍ତି ଶ୍ରୁତିଧର ॥ ୧୧୬

ଯେ ମୁଖେ ଯେ ବେଦ ସର୍ଜିଲେ । ଯହୁଁ ଯେ ଧର୍ମ ପ୍ରକାଶିଲେ ॥ ୧୧୭

ସେ କଥା କହ ମୁନି ମୋତେ । ସଂଶୟ ନ ରହୁ ମୋ ଚିତ୍ତେ ॥ ୧୧୮

ବିଦୁର-ବାକ୍ୟ ଶୁଣି କର୍ଣ୍ଣେ । ମୈତ୍ରେୟ କହନ୍ତି ପ୍ରସନ୍ନେ ॥ ୧୧୯

ମୈତ୍ରେୟ ଉବାଚ

ଶୁଣ ହୋ ବିଧାତାର ଲୀଳା । ଯେ ମୁଖୁ ଯେ ବେଦ ସର୍ଜିଲା ॥ ୧୨୦

ଋଗ୍ ବେଦ ପୂର୍ବମୁଖୁ କଲା । ଦକ୍ଷିଣେ ଯଜୁଃ ପ୍ରକାଶିଲା ॥ ୧୨୧

ସାମ ପଶ୍ଚିମମୁଖୁ ଜାତ । ଅଥର୍ବ ଉତ୍ତରୁ ସମ୍ଭୂତ ॥ ୧୨୨

ବେଦାଦିଶାସ୍ତ୍ର ସ୍ମୃତି ସ୍ତୋତ୍ର । ଯଜ୍ଞାଦିକୃତ ଅଗ୍ନିହୋତ୍ର ॥ ୧୨୩

ଦେବଙ୍କ ମନ୍ତ୍ର ସ୍ତୁତି ଯେତେ । ପୂର୍ବାଦି ଯଥାକ୍ରମ ମତେ ॥ ୧୨୪

ଆୟୁର୍ବେଦ ଯେ ଧନୁର୍ବେଦ । ଗାନ୍ଧର୍ବବେଦ ଶିଳ୍ପବେଦ ॥ ୧୨୫

ଏ ଆଦି ଉପବେଦ ଯେତେ । ପୂର୍ବାଦିମୁଖୁ କ୍ରମାଗତେ ॥ ୧୨୬

ପଞ୍ଚମ ବେଦ ଇତିହାସ । ସକଳ ବଦନୁ ପ୍ରକାଶ ॥ ୧୨୭

ଷୋଡ଼ଶୀ ଛନ୍ଦ ପୂର୍ବମୁଖେ । ପୁରିଷୀ ଅଗ୍ନିଷ୍ଫୁତ ଦକ୍ଷେ ॥ ୧୨୮

ଆପ୍ତ ଉର୍ଯ୍ୟାମ ଅତିରାତ୍ର । ଗୋସବ ବାଜପେୟ ଜାତ ॥ ୧୨୯

ଧର୍ମାଚରଣ ଚାରିବେଦେ । ବ୍ରହ୍ମା କଳ୍ପିଲା ଜ୍ଞାନଭେଦେ ॥ ୧୩୦

ଯେ ବିଦ୍ୟା ଦାନ ତପ ସତ୍ୟ । ଏ ଧର୍ମ ଚତୁଷ୍ପାଦ ମତ ॥ ୧୩୧

ଚତୁରାଶ୍ରମ ବୃତ୍ତିଭାବେ । ଯେ ଧର୍ମେ ଯେବା ନିସ୍ତରିବେ ॥ ୧୩୨

ସାବିତ୍ରୀ ପ୍ରାଜାପତ୍ୟ ବ୍ରାହ୍ମ । ବୃହତ ଆଦି ଚାରିକର୍ମ ॥ ୧୩୩

କୃଷି ଯାଜନ ଯେ ଶାଳୀନ । ଶୀଳୋ‚ଞ୍ଛବୃତ୍ତି ଆଦି ଧର୍ମ ॥ ୧୩୪

ବୈଖାନ ବାଳଖିଲ୍ୟା ଦୀକ୍ଷା । ଉଡୁମ୍ବର ଫେନପା ଶିକ୍ଷା ॥ ୧୩୫

ସନ୍ନ୍ୟାସେ କୁଟୀଚକ୍ର ଆଦି । ଆଶ୍ରମ ଧର୍ମ ଯେଣେ ସାଧି ॥ ୧୩୬

ଅପର ଆନ୍ୱିକ୍ଷିକୀ ତ୍ରୟୀ । ବାର୍ତ୍ତା ଦŠଣ୍ତନୀତି ଯେ ହୋଇ ॥ ୧୩୭

ବ୍ୟାହୃତି ସୃଷ୍ଟି ଏହିମତେ । ପ୍ରଣବ ଜନ୍ମ ହୃଦଗତେ ॥ ୧୩୮

ଗାୟତ୍ରୀ ଆଦି ସପ୍ତଛନ୍ଦ । ମନ୍ତ୍ରଦେବତା ଅନୁବନ୍ଧ ॥ ୧୩୯

ଉଷ୍ଣକଛନ୍ଦ ଲୋମୁ ଜାତ । ଗାୟତ୍ରୀ ଚର୍ମୁ ଉଦଭୁତ ॥ ୧୪୦

ମାଂସୁ ଉପୁଜେ ତ୍ରିଷ୍ଟୁପ୍ ଛନ୍ଦ । ସ୍ନାୟୁରୁ ଅନୁଷ୍ଠୁପ ଛନ୍ଦ ॥ ୧୪୧

ଜଗତି ଅସ୍ଥିଦେଶୁ ହୁଏ । ମଜ୍ଜାରେ ପଙ୍ କ୍ତିଛନ୍ଦ ରହେ ॥ ୧୪୨

ବୃହତୀଛନ୍ଦ ଦଶପ୍ରାଣ । ଜୀବ ତାହାର ସ୍ପର୍ଶ ବ‰ର୍ଣ୍ଣ ॥ ୧୪୩

ସ୍ୱର ବ୍ରହ୍ମା-ଶରୀରୁ ଜାତ । ଉଷ୍ମାଣ ଇନ୍ଦ୍ରିୟ ସମ୍ଭୂତ ॥ ୧୪୪

ଅନ୍ତ୍ୟସ୍ଥବ‰ର୍ଣ୍ଣ ବଳେ ବସେ । ଯେ ବଳେ ଶରୀର ପ୍ରକାଶେ ॥ ୧୪୫

ବ୍ରହ୍ମ-ବିହାର ସପ୍ତସ୍ୱର । ସୁଚିତ୍ତେ ଶୁଣ ହେ ବିଦୁର ॥ ୧୪୬

ଶବଦବ୍ରହ୍ମ ତା’ ଶରୀର । ସ୍ୱଭାବେ ବ୍ୟକ୍ତାବ୍ୟକ୍ତ ପର ॥ ୧୪୭

ଏଣୁ ସଂସାର ବ୍ରହ୍ମମୟେ । ଯେ ବ୍ରହ୍ମ ନାନା-ଶକ୍ତିବହେ ॥ ୧୪୮

ଏମନ୍ତେ ଶବ୍ଦବ୍ରହ୍ମ କରି । ଅପର ସୃଷ୍ଟି ମନେ ସ୍ମରି ॥ ୧୪୯

ଯେ ଋଷି ସୃଷ୍ଟି ପୂର୍ବେ କଲା । ତା’ଙ୍କ ବିସ୍ତାର ନ ଦେଖିଲା ॥ ୧୫୦

ସ୍ୱଭାବେ ତେଜୋବନ୍ତ ହୋନ୍ତି । ପ୍ରଜା ସୃଜନ ନ କରନ୍ତି ॥ ୧୫୧

ଏମନ୍ତ ବିଚାରି ବିଧାତା । ମନେ ପାଇଲା ଗୁରୁଚିନ୍ତା ॥ ୧୫୨

ଦେଖ ମୋହର କର୍ମ ମନ୍ଦ । ମୁଁ ଯେ ସୃଜିଲି ଋଷିବୃନ୍ଦ ॥ ୧୫୩

କେହି ନୋହିଲେ ସୃଷ୍ଟିଯୋଗ୍ୟେ । ସର୍ବେ ପଶିଲେ ତପଯୋଗେ ॥ ୧୫୪

ଏଥିରେ ଦୈବ ପ୍ରତିକୂଳ । ଏଣୁ ମୋ ମାନସ ଆକୁଳ ॥ ୧୫୫

ଏମନ୍ତେ ମନେ କରି ଚିନ୍ତା । ମଉନେ ବସିଲା ବିଧାତା ॥ ୧୫୬

ତକ୍ଷଣେ ବ୍ରହ୍ମା ନିଜ ପିŠଣ୍ତ । ତାପେ ହୋଇଲା ବେନିଖŠଣ୍ତ ॥ ୧୫୭

ସେ ବେନିଖଣ୍ତŠ ବ୍ରହ୍ମା ଦେହେ । ନାରୀ ପୁରୁଷ ବେନି ହୁଏ ॥ ୧୫୮

ପୁରୁଷଖŠଣ୍ତ ତାହା ତନୁ । ସେ ହେଲା ସ୍ୱୟମ୍ଭୁବ ମନୁ ॥ ୧୫୯

ସଂସାରେ ରାଜା ସେ ବୋଲାଇ । ଶୁଣ ବିଦୁର ଏବେ କହି ॥ ୧୬୦

ଅପରଖŠଣ୍ତ ନାରୀ ଜନ୍ମ । ହୋଇଲା ଶତରୂପା ନାମ ॥ ୧୬୧

ମନୁର ପତ୍ନୀ ସେ ହୋଇଲା । ମୈଥୁନେ ସୃଷ୍ଟି ଉପୁଜିଲା ॥ ୧୬୨

ପଞ୍ଚସନ୍ତତି ତା’ର ତହୁଁ । ହୋଇଲେ ଶୁଣ ନାମ କହୁ ॥ ୧୬୩

ଉତ୍ତାନପାଦ ପ୍ରିୟବ୍ରତ । ଆଗେ ହୋଇଲେ ବେନିସୁତ ॥ ୧୬୪

ଅପରେ ଜାତ ବେନି କନ୍ୟା । ଜଗନ୍ମୋହିନୀ ଅନୁପମା ॥ ୧୬୫

ଆକୂତି ଦେବହୂତି ବେନି । ପ୍ରସୂତି ନାମେ କନ୍ୟା ତିନି ॥ ୧୬୬

ସେ ମନୁ କନ୍ୟାଦାନ କଲା । ଆକୂତି ଋଚିବିପ୍ରେ ଦେଲା ॥ ୧୬୭

ମଧ୍ୟମା ଦେବହୂତି ନାମ । ବିବାହ କଲେ ତା କŸର୍ଦ୍ଦମ ॥ ୧୬୮

ତୃତୀୟା ନାମ ଯେ ପ୍ରସୂତି । ତାହାକୁ ଦକ୍ଷ ପ୍ରଜାପତି ॥ ୧୬୯

ତାହାଙ୍କ ଗର୍ଭୁ ନାନାମତେ । ସନ୍ତତି ପୂରିଲେ ଜଗତେ ॥ ୧୭୦

ଏମନ୍ତ ଭାଗବତ ବାଣୀ । ମୈତ୍ରେୟ ବିଦୁରେ ବଖାଣି ॥ ୧୭୧

ଶୁଣ ସୁଜନେ ଶୁଦ୍ଧଚିତ୍ତେ । ତୃତୀୟସ୍କନ୍ଧ ଭାଗବତେ ॥ ୧୭୨

ମୈତ୍ରେୟ ବିଦୁର ସମ୍ବାଦ । ଶୁଣନ୍ତେ ନ ଲାଗେ ପ୍ରମାଦ ॥ ୧୭୩

ଏଣେ ହରିଙ୍କି କରି ଲୟେ । ବ୍ରାହ୍ମଣ ଜଗନ୍ନାଥ କହେ ॥ ୧୭୪

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ତୃତୀୟସ୍କନ୍ଧେ ଦ୍ୱାଦଶୋଽଧ୍ୟାୟଃ ॥

* * *