ତୃତୀୟ ସ୍କନ୍ଧ
ଦ୍ୱାଦଶ ଅଧ୍ୟାୟ
ମୈତ୍ରେୟ ଉବାଚ
ଏମନ୍ତେ କାଳସଂଖ୍ୟା ଯେତେ । ବର୍ଣ୍ଣିଲି ତୋହର ଅଗ୍ରତେ ॥ ୧
ଏବେ ବିଦୁର କହୁଁ ତୋତେ । ସେ ବ୍ରହ୍ମା-ସର୍ଜନା ଯେମନ୍ତେ ॥ ୨
ବେଦ ବିଚାରେ କଲା ସୃଷ୍ଟି । ଯେଣୁ ଅମୋଘ ତାର ଦୃଷ୍ଟି ॥ ୩
ଅନ୍ଧତାମିସ୍ର ମହାମୋହ । ତାମିସ୍ର ପୁଣି ତମ ମୋହ ॥ ୪
ଅବିଦ୍ୟା ପଞ୍ଚପର୍ବ ସୃଷ୍ଟି । ଆଗେ କଳ୍ପିଲା ପରମେଷ୍ଟି ॥ ୫
ପାପ-ବହୁଳ-ସୃଷ୍ଟି ସେହି । ତା ଦେଖି ବ୍ରହ୍ମା ବିଚାରଇ ॥ ୬
ଏ ସୃଷ୍ଟି ନୋହିଲା ଉଚିତ । ଦୃଢ଼େ ଗୋବିନ୍ଦେ ଦେଲା ଚିତ୍ତ ॥ ୭
ଗୋବିନ୍ଦପାଦ ଧ୍ୟାନ ବଳେ । ସଂଯୁକ୍ତ-ଭକତି ନିଶ୍ଚଳେ ॥ ୮
ବିଷ୍ଣୁର ଅଂଶେ ଚାରିଭ୍ରାତ । ବ୍ରହ୍ମାର ମନମଧ୍ୟୁ ଜାତ ॥ ୯
ସନକ ସନନ୍ଦ ଏ ବେନି । କୁମାର ସନାତନ ଘେନି ॥ ୧୦
ସ୍ୱଭାବେ ଉର୍ଦ୍ଧ୍ୱରେତା ହୋନ୍ତି । ବିଷ୍ଣୁହୁଁ ଆନ ନ ଜାଣନ୍ତି ॥ ୧୧
ତାହାଙ୍କୁ ଚାହିଁ ବେଦବର । ସ୍ୱଭାବେ କହଇ ମଧୁର ॥ ୧୨
ବ୍ରହ୍ମା ଉବାଚ
ତୁମ୍ଭେ ଚତୁରପୁତ୍ରେ ମୋର । ବେଦପ୍ରମାଣେ ସୃଷ୍ଟି କର ॥ ୧୩
ଏ ସୃଷ୍ଟି ହୋଇବ ତୁମ୍ଭର । ଯାଅ ଯା ମୋର ବୋଲ କର ॥ ୧୪
ମୈତ୍ରେୟ ଉବାଚ
ଏମନ୍ତେ ପିତା ବାକ୍ୟ ଶୁଣି । ପୁତ୍ରେ କହନ୍ତି ମନେ ଗୁଣି ॥ ୧୫
ଆମ୍ଭର ତେଣେ କାର୍ଯ୍ୟ ନାହିଁ । ଏମନ୍ତ ଆଜ୍ଞା ଦିଅ ତୁହି ॥ ୧୬
ଗୋବିନ୍ଦ-ଚରଣାରବିନ୍ଦେ । ଭକ୍ତି କରିବୁ ମୋକ୍ଷ-ସଧେ ॥ ୧୭
ଏମନ୍ତେ ଶୁଣି ତାଙ୍କ ବାଣୀ । କ୍ରୋଧେ କମ୍ପିଲା କୁଶପାଣି ॥ ୧୮
ପୁଣି ବୁଦ୍ଧିରେ ଚିତ୍ତ ଧରି । ଧ୍ୟାନେ ସୁମରି ନରହରି ॥ ୧୯
କୋପେ ଭ୍ରୂକୁଟୀ ତା କୁଟୀଳ । ବଦନ ଦିଶିଲା ପିଙ୍ଗଳ ॥ ୨୦
ଭ୍ରୂକୁଟୀ ମଧ୍ୟୁ ପୁତ୍ର ଜାତ । ଦିଶଇ ସୁନୀଳ-ଲୋହିତ ॥ ୨୧
ଦେବଙ୍କ ପୂର୍ବେ ଜାତ ସେହି । କାନ୍ଦଇ ବ୍ରହ୍ମା ମୁଖ ଚାହିଁ ॥ ୨୨
ବୋଲଇ ଶୁଣ ବେଦବର । ମୋହର ନାମ ଆଗେ କର ॥ ୨୩
ନିର୍ଭୟ ସ୍ଥାନେ ସ୍ଥାପ ମୋତେ । ଯେମନ୍ତେ ରହିବି ନିଶ୍ଚିନ୍ତେ ॥ ୨୪
ଶୁଣି ସାନନ୍ଦ ପ୍ରଜାପତି । ଚିନ୍ତିଲା ଯେବା ନାମ ସ୍ଥିତି ॥ ୨୫
ହେ ପୁତ୍ର ରୋଦନ ନ କର । କରିବି ବଚନ ତୋହର ॥ ୨୬
ରୋଦନ କଲୁ ଆଗେ ଯେଣୁ । ତୋ ନାମ ରୁଦ୍ର ହେଉ ତେଣୁ ॥ ୨୭
ଏମନ୍ତ କହି ତାର ଆଗେ । ସ୍ଥାନ କଳ୍ପିଲା ଯଥାଭାଗେ ॥ ୨୮
ମନ ଇନ୍ଦ୍ରିୟ ପ୍ରାଣ ବ୍ୟୋମ । ବାୟୁ ଅନଳ ଜଳସ୍ଥାନ ॥ ୨୯
ମହୀ ମିହିର ଚନ୍ଦ୍ର ତପ । ଏମନ୍ତେ ଏକାଦଶ ରୂପ ॥ ୩୦
ଯେ ସ୍ଥାନେ ଯେ ନାମ ତୋହର । ହୋଇବ ଶୁଣ ହେ କୁମର ॥ ୩୧
ମନ ଉପରେ ମନ୍ୟୁ ନାମ । ଇନ୍ଦ୍ରିୟ ପଦେ ମନୁ ଜାଣ ॥ ୩୨
ପ୍ରାଣରେ ବସେ ମହୀନସ । ଆକାଶେ ମହାନ ପ୍ରକାଶ ॥ ୩୩
ପବନେ ଶିବରୂପ ବସେ । ଅନଳେ ଋତଧ୍ୱଜ ମିଶେ ॥ ୩୪
ଉର୍ଦ୍ଧ୍ୱରେତସ ଜଳ ଯୋଗେ । ଭବ ବସିବ ଭୂମିଭାଗେ ॥ ୩୫
ରବିର ସ୍ଥାନେ କଳାଭାବ । ଚନ୍ଦ୍ରେ ବସିବ ବାମଦେବ ॥ ୩୬
ତପେ ବସିବ ଧୃତବ୍ରତ । ଏମନ୍ତେ ଏକାଦଶ ମତ ॥ ୩୭
ତୁମ୍ଭର ପତ୍ନୀ ନାମ ଯେତେ । ଶୁଣ କହିବା ତୋ ଅଗ୍ରତେ ॥ ୩୮
ଧୀ ବୃତ୍ତି ଉଶନା ଯେ ଉମା । ଅପରେ ଶୁଣ ଯେତେ ବାମା ॥ ୩୯
ନିୟତ୍ସର୍ପୀ ଇଳା ଅମ୍ବିକା । ଇରାବତୀ ଯେ ସୁଧା ଦୀକ୍ଷା ॥ ୪୦
ଏ କନ୍ୟା ରୁଦ୍ରାଣୀ ବୋଲାନ୍ତି । ଏହାଙ୍କ ତୁମ୍ଭେ ହୁଅ ପତି ॥ ୪୧
ଏ ଯେତେ ନାମ ଆଦି ସ୍ଥାନ । ସ୍ତିରୀ ସହିତେ ତୁହି ଘେନ ॥ ୪୨
ଏହି ପ୍ରମାଣେ ସୃଷ୍ଟି କର । ହୁଅ ତୁ ପ୍ରଜାପତି-ବର ॥ ୪୩
ଏମନ୍ତେ ଗୁରୁ ଆଜ୍ଞା ପାଇ । ନୀଳ ଲୋହିତ ତୋଷ ହୋଇ ॥ ୪୪
ସତ୍ତ୍ବ ଆକୃତି ଆତ୍ମସମ । ନିର୍ମାଣ କଲା ପ୍ରଜାଗଣ ॥ ୪୫
ସେ ବ୍ରହ୍ମା ରୁଦ୍ର ସୃଷ୍ଟି ଚାହିଁ । ସଂଶୟ ମନେ ବିଚାରଇ ॥ ୪୬
ଏ ସୃଷ୍ଟି ମହା ଭୟଙ୍କର । ଦେଖି କମ୍ପିଲା ଚିତ୍ତ ମୋର ॥ ୪୭
ବୋଲନ୍ତି ରୁଦ୍ର ମୁଖ ଚାହିଁ । ଭୋ ପୁତ୍ର ଏଣେ କାର୍ଯ୍ୟନାହିଁ ॥ ୪୮
ଏ ସୃଷ୍ଟି ଦଶଦିଗ ତୁଲେ । ମୋହର ମନେ ତାପ କଲେ ॥ ୪୯
ଏବେ ତୁ ତପ ସାଧ୍ୟକର । ସର୍ବଜୀବଙ୍କ ସୁଖଘର ॥ ୫୦
ତପର ବଳେ ଏ ଜଗତେ । ପ୍ରଜା ତୁ କର ପୂର୍ବମତେ ॥ ୫୧
ତପେ ତୁ ବିଷ୍ଣୁଙ୍କୁ ପାଇବୁ । ଯେ ଭାବେ ସର୍ବକାଳେ ଥିବୁ ॥ ୫୨
ମୈତ୍ରେୟ ଉବାଚ
ଏମନ୍ତ ବ୍ରହ୍ମା-ଆଜ୍ଞା ପାଇ । ନୀଳଲୋହିତ ତୋଷ ହୋଇ ॥ ୫୩
ବ୍ରହ୍ମାର ଚରଣେ ନମିଲା । ତପ ସାଧନେ ବନେ ଗଲା ॥ ୫୪
ରୁଦ୍ରଙ୍କୁ ତପେ ଆଜ୍ଞା ଦେଇ । ସେ ବ୍ରହ୍ମା ମନେ ବିଚାରଇ ॥ ୫୫
ଏ ତ ଅସଂଖ୍ୟ ରୁଦ୍ରଗଣ । ନୁହଁନ୍ତି ସୃଷ୍ଟିର କାରଣ ॥ ୫୬
ତାହାଙ୍କୁ ଶିବଲୋକେ ଥୋଇ । ପୁଣି ସଂଶୟେ ବିଚାରଇ ॥ ୫୭
ଏବେ କି କରିବି ଉପାୟ । ନ ପୁଣ କୋପେ ଦେବରାୟ ॥ ୫୮
ଏମନ୍ତେ ବିଷ୍ଣୁପାଦ ଚିନ୍ତି । ଧ୍ୟାନେ ବସିଲା ପ୍ରଜାପତି ॥ ୫୯
ତାର ଶରୀରୁ ଦଶସୁତ । ତକ୍ଷଣେ ହୋଇଲେ ସମ୍ଭୂତ ॥ ୬୦
ଲୋକବର୍ଦ୍ଧନ ହେତୁ ଅର୍ଥେ । ନମିଲେ ବ୍ରହ୍ମା-ପାଦଗତେ ॥ ୬୧
ମରୀଚି ଅତ୍ରି ଅଙ୍ଗିରସ । ପୌଲସ୍ତ୍ୟ ପୁଲହ ପ୍ରକାଶ ॥ ୬୨
କ୍ରତୁ ବଶିଷ୍ଠ ଭୃଗୁ ଦକ୍ଷ । ଦଶମେ ନାରଦ ପ୍ରତ୍ୟକ୍ଷ ॥ ୬୩
ଶୁଣ ବିଦୁର କହୁଁ ଭଲେ । ଯେ ଅଙ୍ଗୁ ଯେବା ଉପୁଜିଲେ ॥ ୬୪
ନାରଦ ଉପୁଜିଲେ କୋଳୁ । ଦକ୍ଷ ଦକ୍ଷିଣାଙ୍ଗୁଷ୍ଠ ମୂଳୁ ॥ ୬୫
ପ୍ରାଣୁ ବଶିଷ୍ଠମୁନି ଜାତ । ଭୃଗୁ ଯେ ତ୍ୱକରୁ ସମ୍ଭୂତ ॥ ୬୬
କ୍ରତୁ ଉପୁଜେ ଭୁଜମୂଳୁ । ପୁଲହ ନାଭିର ମଣ୍ତଳୁ ॥ ୬୭
ପୌଲସ୍ତ୍ୟ କର୍ଣ୍ଣମୂଳୁ ଜାତ । ଅଙ୍ଗିରା ବଦନୁ ସମ୍ଭୂତ ॥ ୬୮
ଅତ୍ରି ଉପୁଜେ ଚକ୍ଷୁଯୁଗେ । ମରୀଚି ମନର ସଂଯୋଗେ ॥ ୬୯
ଦକ୍ଷିଣସ୍ତନୁ ଧର୍ମ ଜାତ । ଯେ ଧମ ଧରଇ ଜଗତ ॥ ୭୦
ଯେ ସ୍ଥାନେ ସ୍ୱୟଂ ନାରାୟଣ । ଅଛନ୍ତି ସଦା ବିଦ୍ୟମାନ ॥ ୭୧
ଅଧର୍ମ ପୃଷ୍ଠଦେଶୁ ହୋଇ । ମୃତ୍ୟୁ ଯହିଁରୁ ସଞ୍ଚରଇ ॥ ୭୨
କାମ ତା ହୃଦରୁ ସମ୍ଭୂତ । ଭୂରୁ ମଣ୍ତଳୁ କ୍ରୋଧ ଜାତ ॥ ୭୩
ଲୋଭ ହୋଇଲା ଓଷ୍ଠଦେଶେ । ବଚନ ବଦନୁ ପ୍ରକାଶେ ॥ ୭୪
ସପତସିନ୍ଧୁ ମେଢ୍ର ଦେଶୁ । ମୃତ୍ୟୁ ଦେବତା ଗୁହ୍ୟଦେଶୁ ॥ ୭୫
କର୍ଦ୍ଦମ ଛାୟାରୁ ସମ୍ଭୂତି । ଯାହାର ପତ୍ନୀ ଦେବହୂତି ॥ ୭୬
ଏମନ୍ତେ ଅଶେଷ ଜଗତ । ବ୍ରହ୍ମାର ମନ-ଦେହୁ ଜାତ ॥ ୭୭
ଯେ କନ୍ୟା ବଚନୁ ଜନ୍ମିଲା । ବ୍ରହ୍ମାର ମନ ସେ ମୋହିଲା ॥ ୭୮
ସକାମେ ବ୍ରହ୍ମା ତାର ହସ୍ତ । ଧଇଲେ ରତିରଙ୍ଗ ଅର୍ଥ ॥ ୭୯
ଅଧର୍ମ ଦେଖି ବ୍ରହ୍ମା ଚିତ୍ତେ । ପୁତ୍ରେ ମିଳିଲେ ତା ଅଗ୍ରତେ ॥ ୮୦
ମରୀଚି ଆଦି ଯେତେ ଭାଇ । ବୋଲନ୍ତି ପିତା ମୁଖ ଚାହିଁ ॥ ୮୧
ଭୋ ତାତ ସ୍ଥିରକର ଚିତ୍ତ । ଏ ତ ତୁମ୍ଭର ବିପରୀତ ॥ ୮୨
ଯେ କର୍ମ ପୂର୍ବାପରେ ନାହିଁ । ଏବେ ସେ ସମ୍ଭବିବ କାହିଁ ॥ ୮୩
କାହିଁ ଦୁହିତା ରମେ ପିତା । ଏଣୁ ଆମ୍ଭର ମନେ ଚିନ୍ତା ॥ ୮୪
ପୂର୍ବେ ତେଜସ୍ୱୀ ଯେତେ ଥିଲେ । ସତ୍ୟେ ସେ ଧର୍ମ ଆଚରିଲେ ॥ ୮୫
ସେ ନ କରନ୍ତି ଏଡ଼େ କର୍ମ । ସ୍ୱଭାବେ ନୁହଁଇ ଏ ଧର୍ମ ॥ ୮୬
ଯେ ଧର୍ମ ଲୋକକ୍ଷେମ କରେ । ଆନନ୍ଦେ ଆତ୍ମାକୁ ଉଦ୍ଧାରେ ॥ ୮୭
ଏଣୁ ସେ ବିଷ୍ଣୁସମ ନର । ଆମ୍ଭର ତାଙ୍କୁ ନମସ୍କାର ॥ ୮୮
ତୁ ଦେବ ଆତ୍ମାକୁ ସୁମର । ଅଧର୍ମୁ ମନ ସ୍ଥିରକର ॥ ୮୯
ଭୋ ତାତ ଧର୍ମେ କର ଚିତ୍ତ । ଅଧର୍ମେ ନ ବୁଡୁ ଜଗତ ॥ ୯୦
ତୁ ଏବେ ପାପ ଆଚରିଲେ । ସଂସାରେ ଥିବ କେବା ଭଲେ ॥ ୯୧
ଅନ୍ୟେ ତୋ କର୍ମ ଅନୁସାରେ । କୁଶଳୀ ହୋଇବେ ସଂସାରେ ॥ ୯୨
ଏମନ୍ତେ ଶିରେ କର ଦେଇ । ପାଦେ ନମିଲେ ସର୍ବଭାଇ ॥ ୯୩
ଏମନ୍ତ ବ୍ରହ୍ମାଙ୍କୁ ଜଣାଇ । ପୁଣି ବୋଲନ୍ତି ବିଷ୍ଣୁ ଚାହିଁ ॥ ୯୪
ହେ ବିଷ୍ଣୁ ଜଗତ-ଈଶ୍ୱର । ଆମ୍ଭର ତୋତେ ନମସ୍କାର ॥ ୯୫
ତୁ ଦେବ ଧର୍ମ ରକ୍ଷା କର । ଅଧର୍ମେ ନ ବୁଡୁ ପିଅର ॥ ୯୬
ଏମନ୍ତେ ପୁତ୍ରଙ୍କୁ ଅନାଇ । ବ୍ରହ୍ମା ରହିଲେ ଲଜ୍ଜାପାଇ ॥ ୯୭
ତକ୍ଷଣେ ଛାଡ଼ି ତାର ହସ୍ତ । ବିଷ୍ଣୁ ସୁମରେ ଚଉମାଥ ॥ ୯୮
ଅତି ଲଜ୍ଜିତ ଯେଣୁ ହେଲେ । ଲୀଳାରେ ତନୁ ତ୍ୟାଗ କଲେ ॥ ୯୯
ସେ ବ୍ରହ୍ମା ଯେଣୁ ଲଜ୍ଜା କଲା । ତା ତନୁ ଅଷ୍ଟଦିଗେ ଗଲା ॥ ୧୦୦
ସେ ଘୋର-ଅନ୍ଧକାର ରେଖା । ନାମ ବହିଲା କୁଜ୍ଝଟିକା ॥ ୧୦୧
ଅଧର୍ମେ ଅନ୍ଧକାର ହୋଇ । ସୂର୍ଯ୍ୟ ସମ୍ମୁଖେ ପ୍ରକାଶଇ ॥ ୧୦୨
ପୁଣି ଚଳଇ ଅଷ୍ଟଦିଶେ । ସଞ୍ଚରେ ସମ୍ଭବି ଆକାଶେ ॥ ୧୦୩
ମେଘର ପ୍ରାୟେ ତାର ଦେହୀ । ଶୁଣ ବିଦୁର ଏବେ କହି ॥ ୧୦୪
ଚିନ୍ତା ଆକୁଳେ ପ୍ରଜାପତି । ସୃଷ୍ଟି-ବିଷୟେ କଲା ମତି ॥ ୧୦୫
ଧ୍ୟାନ କରନ୍ତେ ମନେ ଖେଦ । ମୁଖୁ ଜନ୍ମିଲେ ଚାରିବେଦ ॥ ୧୦୬
ଶବଦବ୍ରହ୍ମ ପରିମାଣେ । ଧର୍ମ ଅଧର୍ମ ଯେ ବଖାଣେ ॥ ୧୦୭
ମନେ ବିଚାରେ ପଦ୍ମଯୋନି । ମୁଁ ଏବେ ବେଦତତ୍ତ୍ବ ଘେନି ॥ ୧୦୮
କରିବି ବିଷୟ-ଗୋଚର । ଯେମନ୍ତେ ପୂର୍ବେ ଏ ସଂସାର ॥ ୧୦୯
ବେଦବିଚାରେ ନାନାମତେ । କର୍ମ ବିସ୍ତାରି ଏ ଜଗତେ ॥ ୧୧୦
ଏ ଚାରିହୋତ୍ର କର୍ମତନ୍ତ୍ର । ଯେ ଉପବେଦ ନ୍ୟାୟଶାସ୍ତ୍ର ॥ ୧୧୧
ଏ ଭାବେ ଚାରିପାଦ-ଧର୍ମ । ଆଶ୍ରମ ବୃତ୍ତି ଯଥାକ୍ରମ ॥ ୧୧୨
ଯେ ଯୁଗେ ପ୍ରସରିବ ଯେତେ । ବ୍ରହ୍ମା ବିଚାରେ ଅନ୍ତର୍ଗତେ ॥ ୧୧୩
ମୈତ୍ରେୟ ମୁନି ପାଦେ ପଡ଼ି । ବିଦୁର ବୋଲେ କର ଯୋଡ଼ି ॥ ୧୧୪
ବିଦୁର ଉବାଚ
ଭୋ ମୁନି କହିବା ପ୍ରସନ୍ନେ । ସନ୍ଦେହ ଅଛି ମୋର ମନେ ॥ ୧୧୫
ସେ ବିଶ୍ୱ ସର୍ଜନ-ଈଶ୍ୱର । ଅଶେଷ ଶକ୍ତି ଶ୍ରୁତିଧର ॥ ୧୧୬
ଯେ ମୁଖେ ଯେ ବେଦ ସର୍ଜିଲେ । ଯହୁଁ ଯେ ଧର୍ମ ପ୍ରକାଶିଲେ ॥ ୧୧୭
ସେ କଥା କହ ମୁନି ମୋତେ । ସଂଶୟ ନ ରହୁ ମୋ ଚିତ୍ତେ ॥ ୧୧୮
ବିଦୁର-ବାକ୍ୟ ଶୁଣି କର୍ଣ୍ଣେ । ମୈତ୍ରେୟ କହନ୍ତି ପ୍ରସନ୍ନେ ॥ ୧୧୯
ମୈତ୍ରେୟ ଉବାଚ
ଶୁଣ ହୋ ବିଧାତାର ଲୀଳା । ଯେ ମୁଖୁ ଯେ ବେଦ ସର୍ଜିଲା ॥ ୧୨୦
ଋଗ୍ ବେଦ ପୂର୍ବମୁଖୁ କଲା । ଦକ୍ଷିଣେ ଯଜୁଃ ପ୍ରକାଶିଲା ॥ ୧୨୧
ସାମ ପଶ୍ଚିମମୁଖୁ ଜାତ । ଅଥର୍ବ ଉତ୍ତରୁ ସମ୍ଭୂତ ॥ ୧୨୨
ବେଦାଦିଶାସ୍ତ୍ର ସ୍ମୃତି ସ୍ତୋତ୍ର । ଯଜ୍ଞାଦିକୃତ ଅଗ୍ନିହୋତ୍ର ॥ ୧୨୩
ଦେବଙ୍କ ମନ୍ତ୍ର ସ୍ତୁତି ଯେତେ । ପୂର୍ବାଦି ଯଥାକ୍ରମ ମତେ ॥ ୧୨୪
ଆୟୁର୍ବେଦ ଯେ ଧନୁର୍ବେଦ । ଗାନ୍ଧର୍ବବେଦ ଶିଳ୍ପବେଦ ॥ ୧୨୫
ଏ ଆଦି ଉପବେଦ ଯେତେ । ପୂର୍ବାଦିମୁଖୁ କ୍ରମାଗତେ ॥ ୧୨୬
ପଞ୍ଚମ ବେଦ ଇତିହାସ । ସକଳ ବଦନୁ ପ୍ରକାଶ ॥ ୧୨୭
ଷୋଡ଼ଶୀ ଛନ୍ଦ ପୂର୍ବମୁଖେ । ପୁରିଷୀ ଅଗ୍ନିଷ୍ଫୁତ ଦକ୍ଷେ ॥ ୧୨୮
ଆପ୍ତ ଉର୍ଯ୍ୟାମ ଅତିରାତ୍ର । ଗୋସବ ବାଜପେୟ ଜାତ ॥ ୧୨୯
ଧର୍ମାଚରଣ ଚାରିବେଦେ । ବ୍ରହ୍ମା କଳ୍ପିଲା ଜ୍ଞାନଭେଦେ ॥ ୧୩୦
ଯେ ବିଦ୍ୟା ଦାନ ତପ ସତ୍ୟ । ଏ ଧର୍ମ ଚତୁଷ୍ପାଦ ମତ ॥ ୧୩୧
ଚତୁରାଶ୍ରମ ବୃତ୍ତିଭାବେ । ଯେ ଧର୍ମେ ଯେବା ନିସ୍ତରିବେ ॥ ୧୩୨
ସାବିତ୍ରୀ ପ୍ରାଜାପତ୍ୟ ବ୍ରାହ୍ମ । ବୃହତ ଆଦି ଚାରିକର୍ମ ॥ ୧୩୩
କୃଷି ଯାଜନ ଯେ ଶାଳୀନ । ଶୀଳୋଞ୍ଛବୃତ୍ତି ଆଦି ଧର୍ମ ॥ ୧୩୪
ବୈଖାନ ବାଳଖିଲ୍ୟା ଦୀକ୍ଷା । ଉଡୁମ୍ବର ଫେନପା ଶିକ୍ଷା ॥ ୧୩୫
ସନ୍ନ୍ୟାସେ କୁଟୀଚକ୍ର ଆଦି । ଆଶ୍ରମ ଧର୍ମ ଯେଣେ ସାଧି ॥ ୧୩୬
ଅପର ଆନ୍ୱିକ୍ଷିକୀ ତ୍ରୟୀ । ବାର୍ତ୍ତା ଦଣ୍ତନୀତି ଯେ ହୋଇ ॥ ୧୩୭
ବ୍ୟାହୃତି ସୃଷ୍ଟି ଏହିମତେ । ପ୍ରଣବ ଜନ୍ମ ହୃଦଗତେ ॥ ୧୩୮
ଗାୟତ୍ରୀ ଆଦି ସପ୍ତଛନ୍ଦ । ମନ୍ତ୍ରଦେବତା ଅନୁବନ୍ଧ ॥ ୧୩୯
ଉଷ୍ଣକଛନ୍ଦ ଲୋମୁ ଜାତ । ଗାୟତ୍ରୀ ଚର୍ମୁ ଉଦଭୁତ ॥ ୧୪୦
ମାଂସୁ ଉପୁଜେ ତ୍ରିଷ୍ଟୁପ୍ ଛନ୍ଦ । ସ୍ନାୟୁରୁ ଅନୁଷ୍ଠୁପ ଛନ୍ଦ ॥ ୧୪୧
ଜଗତି ଅସ୍ଥିଦେଶୁ ହୁଏ । ମଜ୍ଜାରେ ପଙ୍ କ୍ତିଛନ୍ଦ ରହେ ॥ ୧୪୨
ବୃହତୀଛନ୍ଦ ଦଶପ୍ରାଣ । ଜୀବ ତାହାର ସ୍ପର୍ଶ ବର୍ଣ୍ଣ ॥ ୧୪୩
ସ୍ୱର ବ୍ରହ୍ମା-ଶରୀରୁ ଜାତ । ଉଷ୍ମାଣ ଇନ୍ଦ୍ରିୟ ସମ୍ଭୂତ ॥ ୧୪୪
ଅନ୍ତ୍ୟସ୍ଥବର୍ଣ୍ଣ ବଳେ ବସେ । ଯେ ବଳେ ଶରୀର ପ୍ରକାଶେ ॥ ୧୪୫
ବ୍ରହ୍ମ-ବିହାର ସପ୍ତସ୍ୱର । ସୁଚିତ୍ତେ ଶୁଣ ହେ ବିଦୁର ॥ ୧୪୬
ଶବଦବ୍ରହ୍ମ ତା ଶରୀର । ସ୍ୱଭାବେ ବ୍ୟକ୍ତାବ୍ୟକ୍ତ ପର ॥ ୧୪୭
ଏଣୁ ସଂସାର ବ୍ରହ୍ମମୟେ । ଯେ ବ୍ରହ୍ମ ନାନା-ଶକ୍ତିବହେ ॥ ୧୪୮
ଏମନ୍ତେ ଶବ୍ଦବ୍ରହ୍ମ କରି । ଅପର ସୃଷ୍ଟି ମନେ ସ୍ମରି ॥ ୧୪୯
ଯେ ଋଷି ସୃଷ୍ଟି ପୂର୍ବେ କଲା । ତାଙ୍କ ବିସ୍ତାର ନ ଦେଖିଲା ॥ ୧୫୦
ସ୍ୱଭାବେ ତେଜୋବନ୍ତ ହୋନ୍ତି । ପ୍ରଜା ସୃଜନ ନ କରନ୍ତି ॥ ୧୫୧
ଏମନ୍ତ ବିଚାରି ବିଧାତା । ମନେ ପାଇଲା ଗୁରୁଚିନ୍ତା ॥ ୧୫୨
ଦେଖ ମୋହର କର୍ମ ମନ୍ଦ । ମୁଁ ଯେ ସୃଜିଲି ଋଷିବୃନ୍ଦ ॥ ୧୫୩
କେହି ନୋହିଲେ ସୃଷ୍ଟିଯୋଗ୍ୟେ । ସର୍ବେ ପଶିଲେ ତପଯୋଗେ ॥ ୧୫୪
ଏଥିରେ ଦୈବ ପ୍ରତିକୂଳ । ଏଣୁ ମୋ ମାନସ ଆକୁଳ ॥ ୧୫୫
ଏମନ୍ତେ ମନେ କରି ଚିନ୍ତା । ମଉନେ ବସିଲା ବିଧାତା ॥ ୧୫୬
ତକ୍ଷଣେ ବ୍ରହ୍ମା ନିଜ ପିଣ୍ତ । ତାପେ ହୋଇଲା ବେନିଖଣ୍ତ ॥ ୧୫୭
ସେ ବେନିଖଣ୍ତ ବ୍ରହ୍ମା ଦେହେ । ନାରୀ ପୁରୁଷ ବେନି ହୁଏ ॥ ୧୫୮
ପୁରୁଷଖଣ୍ତ ତାହା ତନୁ । ସେ ହେଲା ସ୍ୱୟମ୍ଭୁବ ମନୁ ॥ ୧୫୯
ସଂସାରେ ରାଜା ସେ ବୋଲାଇ । ଶୁଣ ବିଦୁର ଏବେ କହି ॥ ୧୬୦
ଅପରଖଣ୍ତ ନାରୀ ଜନ୍ମ । ହୋଇଲା ଶତରୂପା ନାମ ॥ ୧୬୧
ମନୁର ପତ୍ନୀ ସେ ହୋଇଲା । ମୈଥୁନେ ସୃଷ୍ଟି ଉପୁଜିଲା ॥ ୧୬୨
ପଞ୍ଚସନ୍ତତି ତାର ତହୁଁ । ହୋଇଲେ ଶୁଣ ନାମ କହୁ ॥ ୧୬୩
ଉତ୍ତାନପାଦ ପ୍ରିୟବ୍ରତ । ଆଗେ ହୋଇଲେ ବେନିସୁତ ॥ ୧୬୪
ଅପରେ ଜାତ ବେନି କନ୍ୟା । ଜଗନ୍ମୋହିନୀ ଅନୁପମା ॥ ୧୬୫
ଆକୂତି ଦେବହୂତି ବେନି । ପ୍ରସୂତି ନାମେ କନ୍ୟା ତିନି ॥ ୧୬୬
ସେ ମନୁ କନ୍ୟାଦାନ କଲା । ଆକୂତି ଋଚିବିପ୍ରେ ଦେଲା ॥ ୧୬୭
ମଧ୍ୟମା ଦେବହୂତି ନାମ । ବିବାହ କଲେ ତା କର୍ଦ୍ଦମ ॥ ୧୬୮
ତୃତୀୟା ନାମ ଯେ ପ୍ରସୂତି । ତାହାକୁ ଦକ୍ଷ ପ୍ରଜାପତି ॥ ୧୬୯
ତାହାଙ୍କ ଗର୍ଭୁ ନାନାମତେ । ସନ୍ତତି ପୂରିଲେ ଜଗତେ ॥ ୧୭୦
ଏମନ୍ତ ଭାଗବତ ବାଣୀ । ମୈତ୍ରେୟ ବିଦୁରେ ବଖାଣି ॥ ୧୭୧
ଶୁଣ ସୁଜନେ ଶୁଦ୍ଧଚିତ୍ତେ । ତୃତୀୟସ୍କନ୍ଧ ଭାଗବତେ ॥ ୧୭୨
ମୈତ୍ରେୟ ବିଦୁର ସମ୍ବାଦ । ଶୁଣନ୍ତେ ନ ଲାଗେ ପ୍ରମାଦ ॥ ୧୭୩
ଏଣେ ହରିଙ୍କି କରି ଲୟେ । ବ୍ରାହ୍ମଣ ଜଗନ୍ନାଥ କହେ ॥ ୧୭୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ଦ୍ୱାଦଶୋଽଧ୍ୟାୟଃ ॥
* * *