ତୃତୀୟ ସ୍କନ୍ଧ
ଏକାଦଶ ଅଧ୍ୟାୟ
ମୈତ୍ରେୟ ଉବାଚ
ଶୁଣ ବିଦୁର ଏକଚିତ୍ତେ । ସେ କାଳରୂପ ସଂଖ୍ୟା ଯେତେ ॥ ୧
ନିମିଷ ଆଦି ରୂପ ତାର । ଯେମନ୍ତେ ପୂରଇ ବତ୍ସର ॥ ୨
ନିମିଷ ଚକ୍ଷୁ ପକ୍ଷ୍ମ ଭ୍ରମ । ଅଣୁ ତହିଁରୁ ଅଟେ ସାନ ॥ ୩
ହେ କୁରୁବୀର ଶୁଣ ତୁହି । କହିବି ପରମାଣୁ ମୁହିଁ ॥ ୪
ଯାହା ବିଭାଗ ନ ଲଭଇ । ସଂଯୋଗେ ଭାବ ଯାର ନାହିଁ ॥ ୫
ଯାହା ସର୍ବଦା ବର୍ତ୍ତମାନ । ତାହାର ପରମାଣୁ ନାମ ॥ ୬
ଅଣୁର ଅର୍ଦ୍ଧ ପରମାଣୁ । ତ୍ରିଭାଗେ ହୋଏ ତ୍ରସରେଣୁ ॥ ୭
ତୃତୀୟ ତ୍ରସରେଣୁ ଯେହି । ତାହାକୁ ତ୍ରୁଟି ବୋଲି କହି ॥ ୮
ଶଏ ତ୍ରୁଟିରେ ବେଧ ହୋଏ । ତ୍ରିବେଧେ ଲବ ନାମ ବହେ ॥ ୯
ତ୍ରିଲବ କାଳ ଅଟେ ଯେହି । ନିମିଷ ବୋଲି ତାକୁ କହି ॥ ୧୦
ତିନି ନିମିଷେ ଏକ କ୍ଷଣ । ପଞ୍ଚ କ୍ଷଣରେ କାଷ୍ଠା ପୁଣ ॥ ୧୧
କାଷ୍ଠା ପନ୍ଦର ଯେବେ ହୋଇ । ତାହାକୁ ଲଘୁ ବୋଲି କହି ॥ ୧୨
ଏ ପଞ୍ଚଦଶ ଲଘୁ ଘେନ । ନାଡ଼ି ବୋଲିଣ ତାକୁ ଜାଣ ॥ ୧୩
ବେନି ନାଡ଼ିରେ ଯେ ମୁହୂର୍ତ୍ତ । ପ୍ରହର ଷଟ ଅବା ସପ୍ତ ॥ ୧୪
ତାହାକୁ ଯାମ ବୋଲି କହି । ଅଷ୍ଟମେ ଅହୋରାତ୍ର ହୋଇ ॥ ୧୫
ତାମ୍ର ଦ୍ୱାଦଶପଳ ଅର୍ଦ୍ଧେ । ପ୍ରସ୍ଥ ପ୍ରମାଣ ପାତ୍ର ମଧ୍ୟେ ॥ ୧୬
ଚାରି ଅଙ୍ଗୁଳି ଦୀର୍ଘ କରି । ଚତୁରମସେ ଚୂତୀ ଗଢ଼ି ॥ ୧୭
ସ୍ୱର୍ଣ୍ଣସୂଚୀରେ ଛିଦ୍ର କରି । କରିବ ଆୟାମ ବିସ୍ତାରି ॥ ୧୮
ଜଳେ ବୁଡ଼ନ୍ତେ ଦଣ୍ତେ ହୁଏ । ଏମନ୍ତେ କାଳର ନିର୍ଣ୍ଣୟେ ॥ ୧୯
ଅଷ୍ଟପ୍ରହରେ ଦିବା-ରାତ୍ରି । କାଳଜ୍ଞେ ଏମନ୍ତ ଗଣନ୍ତି ॥ ୨୦
ପନ୍ଦର ଅହୋରାତ୍ରେ ପକ୍ଷ । ସେ ଶୁକ୍ଳ କୃଷ୍ଣ ଯେ ପ୍ରତ୍ୟକ୍ଷ ॥ ୨୧
ଏ ବେନିପକ୍ଷେ ହୁଏ ମାସ । ପିତୃଙ୍କ ରାତ୍ରି ଯେ ଦିବସ ॥ ୨୨
ଦ୍ୱିମାସେ ଋତୁ ଏକ ହୋଇ । ବସନ୍ତ ଆଦି ଷଟ ସେହି ॥ ୨୩
ଏକ ଅୟନେ ଋତୁ ତିନି । ଉତ୍ତର ଦକ୍ଷିଣ ଯେ ବେନି ॥ ୨୪
ବେନି ଅୟନେ ସମ୍ବତ୍ସର । ଏମନ୍ତେ ଗଣନା କାଳର ॥ ୨୫
ଦେବଙ୍କୁ ଅହୋରାତ୍ର ହୁଏ । ମନୁଷ୍ୟ-ବରାଷ ବୋଲାଏ ॥ ୨୬
ଏମନ୍ତେ ଶତେକ ବରଷ । ମନୁଷ୍ୟ ପରମାୟୁ ଶେଷ ॥ ୨୭
ଗ୍ରହ ନକ୍ଷତ୍ର ତାରା ଚକ୍ରେ । ସେ କାଳରୂପୀ ବିଭୁ ଏକେ ॥ ୨୮
ଏମନ୍ତେ ସମ୍ବତ୍ସର ଅନ୍ତେ । ବିହରେ ଆତ୍ମାର ଆୟତେ ॥ ୨୯
ଅଣୁ ପ୍ରମାଣୁ ପରିମାଣେ । ପ୍ରାଣୀଙ୍କି ନାଶେ ଅନୁକ୍ଷଣେ ॥ ୩୦
ଏ ପଞ୍ଚବିଧ-ସମ୍ବତ୍ସର । ସୁମନେ ଶୁଣ ହେ ବିଦୁର ॥ ୩୧
ପ୍ରଥମେ ସମ୍ବତ୍ସର ହୋଏ । ପରିବତ୍ସର ଯେ ଦ୍ୱିତୀୟେ ॥ ୩୨
ଇଦାବତ୍ସର ତୃତୀୟର । ଚତୁର୍ଥେ ଅନୁ ଯେ ବତ୍ସର ॥ ୩୩
ପଞ୍ଚମେ ବତ୍ସର ବୋଲାଇ । କାଳ ସ୍ୱରୂପ ଗୁଣମୟୀ ॥ ୩୪
ସେ ସୂର୍ଯ୍ୟ କାଳ ରୂପ ଧରି । ସଂସାର-ବୀଜକୁ ବିସ୍ତାରି ॥ ୩୫
ସକାମ-ଫଳ ବିସ୍ତାରଣେ । ଯାହାର ଉଦୟ ଗଗନେ ॥ ୩୬
ସେ ତେଜୋମୟ କାଳାନ୍ତକ । ପଞ୍ଚବତ୍ସର ପ୍ରବର୍ତ୍ତକ ॥ ୩୭
ସେ ମହାଭୂତ ମହାତେଜ । ବହୁ ପ୍ରକାରେ କରି କାର୍ଯ୍ୟ ॥ ୩୮
ଧାଏଁ ଆକାଶେ ଅନୁକ୍ଷଣେ । ପୁରୁଷ ମୋହ ନିବାରଣେ ॥ ୩୯
ନିତ୍ୟେ ତାହାଙ୍କ ପୂଜା କର । ତରିବ ଏ ଭବ-ସଂସାର ॥ ୪୦
ଏମନ୍ତେ ମଇତ୍ରେୟ ବାଣୀ । ବିଦୁର ବୋଲେ ତାହା ଶୁଣି ॥ ୪୧
ବିଦୁର ଉବାଚ
ପିତୃ ଦେବତା ନର ଆଦି । ପରମାୟୁଷ ଯଥାବିଧି ॥ ୪୨
ଶୁଣିଲି ତୁମ୍ଭ ମୁଖୁ ଏବେ । ସନ୍ତୋଷ କହ ମୁନି ଭାବେ ॥ ୪୩
ଏପରେ କଳ୍ପ ବାହ୍ୟେ ଯେତେ । ନାନା ପ୍ରକାରେ ଏ ଜଗତେ ॥ ୪୪
ସନକ ଆଦି ମହାମୁନି । ତୈଲୋକ୍ୟ ବାହ୍ୟେ ଯେତେ ଜ୍ଞାନୀ ॥ ୪୫
ଅଛନ୍ତି କାଳର ଆୟତ୍ତେ । ତାଙ୍କ ଆୟୁଷ କହ ମୋତେ ॥ ୪୬
ତୁମ୍ଭେ ସେ କାଳଗତି ଜାଣ । ଯେ ଯୁଗେ ଯେ ଅବା ପ୍ରମାଣ ॥ ୪୭
ଯେଣୁ ସେ ବିଚକ୍ଷଣ ଧୀର । ସୁବୁଦ୍ଧି ସୁଗୁଣ ଗମ୍ଭୀର ॥ ୪୮
ଯେତେ ବିଷୟ ଏ ଶୟଳେ । ଜାଣନ୍ତି ଜ୍ଞାନଚକ୍ଷୁ ବଳେ ॥ ୪୯
ମୈତ୍ରେୟ ଉବାଚ
ବୋଲନ୍ତି ଶୁଣ ହେ ବିଦୁର । ଯେ ବ୍ରହ୍ମା ସୃଷ୍ଟିର ବିଚାର ॥ ୫୦
ସତ୍ୟ ତ୍ରେତୟା ଦ୍ୱାପରାଦି । କଳି ଏ ଚତୁର୍ଯୁଗ ବିଧି ॥ ୫୧
ଦେବଙ୍କ ଦ୍ୱାଦଶ ସହସ୍ରେ । ଏ ଚାରିଯୁଗ କାଳ ଅଂଶେ ॥ ୫୨
ଚାରିସହସ୍ର ଯୁଗ ସତ୍ୟ । ତିନିସହସ୍ର ତ୍ରେତା ମତ ॥ ୫୩
ଦ୍ୱାପର ଦ୍ୱିସହସ୍ର ଜାଣ । କଳି ସହସ୍ରେ ପରିମାଣ ॥ ୫୪
ଏହି ପ୍ରମାଣେ ଶତ ଦେଇ । ଦ୍ୱିଗୁଣେ ଏହାକୁ ମିଶାଇ ॥ ୫୫
ଯୁଗଙ୍କ ସନ୍ଧ୍ୟା ସନ୍ଧ୍ୟାଅଂଶ । ଅୟୁତେ ଯେ କାଳ ପ୍ରକାଶ ॥ ୫୬
ଏମନ୍ତେ ଦେବବର୍ଷ ମତେ । ଦ୍ୱାଦଶସହସ୍ର ସମେତେ ॥ ୫୭
ଏ ରୂପ ଯୁଗସଂଖ୍ୟା ଜାଣି । ଜ୍ଞାନୀଙ୍କ ଗୋଚରେ ପ୍ରମାଣି ॥ ୫୮
ଯେ ଯୁଗେ ଯେବା ଧର୍ମବିଧି । ଆଗମ ନିଗମ ପ୍ରସିଦ୍ଧି ॥ ୫୯
ଧର୍ମ ସତ୍ୟରେ ଚତୁଷ୍ପଦ । ଅଧର୍ମ କ୍ରମେ ହୀନପଦ ॥ ୬୦
ତ୍ରେତାରେ ତିନିପଦ ଥିଲା । ଦ୍ୱାପରେ ଦ୍ୱିପାଦ ହୋଇଲା ॥ ୬୧
କଳିର ଏକପଦ ରହେ । ଯେଣୁ ଅଧର୍ମ ବୃଦ୍ଧି ବହେ ॥ ୬୨
ଦେବଙ୍କ ସହସ୍ର ଯୁଗରେ । ବ୍ରହ୍ମା ଦିବସ ବୋଲି ତାରେ ॥ ୬୩
ଏହି ପ୍ରମାଣେ ରାତ୍ର ହୁଏ । ନିଶି ଆଗମେ ବ୍ରହ୍ମା ଶୁଏ ॥ ୬୪
ରାତ୍ରର ଅନ୍ତେ ପୁଣି ଉଠି । ବେଦ ପ୍ରମାଣେ କରେ ସୃଷ୍ଟି ॥ ୬୫
ଏମନ୍ତ ବ୍ରହ୍ମାର ଦିବସେ । ଭୁଞ୍ଜନ୍ତି ମନୁ-ଚତୁର୍ଦ୍ଦଶେ ॥ ୬୬
ମନୁ ଅନ୍ତର କାଳ ଭୋଗ । ଏକସ୍ତରି ଯେ ଚତୁର୍ଯୁଗ ॥ ୬୭
କିଛି ଅଧିକେ ହୁଏ ଶେଷ । ଏମନ୍ତେ ବ୍ରହ୍ମାଙ୍କ ଦିବସ ॥ ୬୮
ମନୁଙ୍କ ବଂଶେ ମନୁସୂତେ । ଋଷି ଦେବତା ସୁରନାଥେ ॥ ୬୯
ତିନିଭୁବନେ ପ୍ରାଣୀ ଯେତେ । ଭୁଞ୍ଜନ୍ତି କଳ୍ପ ପରିଯନ୍ତେ ॥ ୭୦
ଏ ମୃଷ୍ଟି ଦୈନନ୍ଦିନ କାମ । ତୀର୍ଯ୍ୟକ ପିତୃ ଦେବ ଜନ ॥ ୭୧
ଏମନ୍ତେ କଳ୍ପ ପରିଯନ୍ତେ । କର୍ମ ଭୁଞ୍ଜନ୍ତି ପ୍ରାଣୀ ଏଥେ ॥ ୭୨
ମନ୍ୱନ୍ତରମାନଙ୍କେ ହରି । ବିଶୁଦ୍ଧ ସତ୍ତ୍ବମୂର୍ତ୍ତି ଧରି ॥ ୭୩
ମନୁ ଶରୀରେ ଏ ସଂସାରେ । ପାଳି କ୍ରୀଡ଼େ ପୁରୁଷକାରେ ॥ ୭୪
ମାୟାର ବଳେ ସେ ବିହରେ । ବ୍ରହ୍ମାଦିବସ ଅନ୍ତଃକାଳେ ॥ ୭୫
ନିଶା ଆଗମେ ବିଶ୍ୱଦେହୀ । ମଉନ ବ୍ରତେ ସେ ବସଇ ॥ ୭୬
ତ୍ରୈଲୋକ୍ୟ କମ୍ପେ ତାହା ଦେଖି । ସ୍ୱଜ୍ଞାନ ଜୀବନ ଉପେକ୍ଷି ॥ ୭୭
ରବି ଶଶାଙ୍କ ଶୂନ୍ୟେ ଗଲା । ପ୍ରଳୟ ଅଗ୍ନି ପ୍ରକାଶିଲା ॥ ୭୮
ସଙ୍କରଷଣ ମୁଖୁ ଆସି । ଅନଳ ତିନିଲୋକେ ଗ୍ରାସି ॥ ୭୯
ପ୍ରଚଣ୍ତ-ବହ୍ନି ତେଜ ତ୍ରାସେ । ଋଷିଏ ଥାନ୍ତି ଯେ ଆକାଶେ ॥ ୮୦
ସେ ମହର୍ଲୋକ ଛାଡ଼ି ବେଗେ । ପଶନ୍ତି ଜନଲୋକ-ମାର୍ଗେ ॥ ୮୧
ତକ୍ଷଣେ ସପ୍ତସିନ୍ଧୁ-ଜଳେ । ତ୍ରିଲୋକ ଆଚ୍ଛାଦନ୍ତି ହେଳେ ॥ ୮୨
ପବନ ଅଣଚାଶ ବଳେ । ବହନ୍ତେ ଗର୍ଜେ ଉର୍ମିମାଳେ ॥ ୮୩
ଜଳ ତରଙ୍ଗ ମଧ୍ୟେ ପୁଣି । ନାଗଆସନେ ଚକ୍ରପାଣି ॥ ୮୪
ନିଶ୍ଚିନ୍ତେ ନିଦ୍ରିତ-ନୟନେ । ଶୟନ ଅନନନ୍ତ-ଶୟନେ ॥ ୮୫
ସଙ୍ଗତେ ସଙ୍ଗ ନାହିଁ ଏକେ । ସ୍ତୁତି କରନ୍ତି ଜନଲୋକେ ॥ ୮୬
ଏମନ୍ତେ ଅହୋରାତ୍ର ଗଣି । ଆଗମ-ନିଗମେ ପ୍ରମାଣି ॥ ୮୭
ଏ ଭାବେ ଶତେକ ବରଷ । ବ୍ରହ୍ମାର ପରମ ଆୟୁଷ ॥ ୮୮
ସେ ଆୟୁ କାଳବଣେ ପୁଣ । ହୁଅଇ ଦିନୁଦିନ କ୍ଷୀଣ ॥ ୮୯
ସେ ବ୍ରହ୍ମା କାଳଭୟେ ଭୀତ । ବିଷୟାଶକ୍ତି ବିରହିତ ॥ ୯୦
କରନ୍ତି ହରି-ଉପାସନ । କି ଏ ମାନବ ଅକିଞ୍ଚନ ॥ ୯୧
ବ୍ରହ୍ମାର ଆୟୁଷ ଯେ ହୋଇ । ଅର୍ଦ୍ଧକେ ପରାର୍ଦ୍ଧ ବୋଲାଇ ॥ ୯୨
ସେ ପୂର୍ବଅର୍ଦ୍ଧ ଭୋଗ ଯାଇ । ଅପରଅର୍ଦ୍ଧ ଏବେ ହୋଇ ॥ ୯୩
ପୂର୍ବପରାର୍ଦ୍ଧେ ବ୍ରହ୍ମା ନାମ । ଶବଦବ୍ରହ୍ମ ଯେ ମହାନ ॥ ୯୪
ପରାର୍ଦ୍ଧକଳ୍ପ ଯେବା ହୋଏ । ସେ ପଦ୍ମକଳ୍ପ ନାମ ବହେ ॥ ୯୫
ବିଷ୍ଣୁ ନାଭିରୁ ପଦ୍ମଜାତ । ଯହୁଁ ଉପୁଜେ ବେଦନାଥ ॥ ୯୬
ଦ୍ୱିତୀୟକଳ୍ପ ଏବେ କହି । ଶ୍ୱେତବରାହ ସେ ବୋଲାଇ ॥ ୯୭
ଯେବଣ କଳ୍ପେ ନରହରି । ଶ୍ୱେତବରାହ ରୂପ ଧରି ॥ ୯୮
ବେନି-ପରାର୍ଦ୍ଧ-ରୂପୀ କାଳ । ନିମିଷ ଆଦି-ଅନ୍ତ ଯାର ॥ ୯୯
ଅନାଦି ଅବ୍ୟକ୍ତର ସୀମା । ଅନନ୍ତ ଈଶ୍ୱର ମହିମା ॥ ୧୦୦
କେବଳ ପରିପୂର୍ଣ୍ଣ ବିଭୁ । ସେ ସର୍ବେଶ୍ୱର ସର୍ବ ପ୍ରଭୁ ॥ ୧୦୧
ତାହାଙ୍କ ପରେ ପ୍ରଭୁପଣ । ସମର୍ଥ ନୋହେ କାଳ ଜାଣ ॥ ୧୦୨
ଷୋଡ଼ଶ-ବିକାରେ ସଞ୍ଚରେ । ନାନା ବିଷୟେ ରୂପ ଧରେ ॥ ୧୦୩
ଏ ଅଣ୍ତକୋଷ ଆଦ୍ୟ ପ୍ରାନ୍ତେ । ପଞ୍ଚାଶକୋଟି ପରିମିତେ ॥ ୧୦୪
ବିସ୍ତୃତ ସପ୍ତଆବରଣେ । ଉତ୍ତରୋତ୍ତର ଦଶଗୁଣେ ॥ ୧୦୫
କୋଟି ବ୍ରହ୍ମାଣ୍ତ ଯାର ଦେହେ । ଦିଶନ୍ତି ପରମାଣୁ ପ୍ରାୟେ ॥ ୧୦୬
ଅକ୍ଷରବ୍ରହ୍ମ ତାର ନାମ । ସେ ସର୍ବକାରଣ-କାରଣ ॥ ୧୦୭
ତାର ଚରଣେ ଦେଇ ଚିତ୍ତ । କହଇ ଦାସ ଜଗନ୍ନାଥ ॥ ୧୦୮
ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ଏକାଦଶୋଽଧ୍ୟାୟଃ ॥
* * *