ତୃତୀୟ ସ୍କନ୍ଧ
ଦଶମ ଅଧ୍ୟାୟ
ବିଦୁର ଉବାଚ
ମୈତ୍ରେୟ ପାଦେ ଦେଇ ଶିର । ଆନନ୍ଦେ ପଚାରେ ବିଦୁର ॥ ୧
ଭୋ ମୁନି କହ ଶୁଦ୍ଧମନେ । ବିଷ୍ଣୁ ଯେ ଗଲେ ଅନ୍ତର୍ଦ୍ଧାନେ ॥ ୨
ସେ ବେଦପତି ଜ୍ଞାନମତେ । ପ୍ରଜା ସର୍ଜିଲା ସେ କେମନ୍ତେ ॥ ୩
ତାର କି ଦେହେ ପ୍ରଜା ଥିଲା । କେତେ ପ୍ରକାରେ ଭିଆଇଲା ॥ ୪
ମନ କଳ୍ପିତ ଦେହଗତେ । କହ ସଂଶୟ ଯାଉ ଚିତ୍ତେ ॥ ୫
ସୂତ ଉବାଚ
ବିଦୁର ବାକ୍ୟ କର୍ଣ୍ଣେ ଶୁଣି । ଯେ ପୂର୍ବପ୍ରଶ୍ନ ମନେ ଗୁଣି ॥ ୬
ବିଦୁର ପ୍ରୀତିଭାବ ଘେନି । କହନ୍ତି ମଇତ୍ରେୟ ମୁନି ॥ ୭
ମୈତ୍ରେୟ ଉବାଚ
ଶୁଣ ବିଦୁର ଏକଚିତ୍ତେ । ଜଗତ ସର୍ଜିଲା ଯେମନ୍ତେ ॥ ୮
ଗୋବିନ୍ଦ ବାକ୍ୟେ ବେଦପତି । ତପ ସାଧନେ କଲା ମତି ॥ ୯
ଶତେବରଷ ବେଦମତେ । ତପ ସାଧିଲା ଦୃଢ଼ଚିତ୍ତେ ॥ ୧୦
ଆତ୍ମାରେ ଆତ୍ମା ଲୀନ କରି । ଗୋବିନ୍ଦ-ବଚନ ସୁମରି ॥ ୧୧
ଦେଖଇ ନୟନ ନିଶ୍ଚଳେ । ଉର୍ମ୍ମି-ସଙ୍କୁଳ ମହାଜଳେ ॥ ୧୨
ପବନ ଯୋଗେ ଅତି ଖର । ସ୍ୱଭାବେ ଦିଶେ ଭୟଙ୍କର ॥ ୧୩
ପଦ୍ମ ସହିତେ ଳଜ କମ୍ପେ । ଉର୍ମ୍ମି-ସଙ୍କୁଳ ଅତିରେକେ ॥ ୧୪
କାଳର ବଳେ କମ୍ପମାନ । ଦେଖି ଉଷତ ବ୍ରହ୍ମା ମନ ॥ ୧୫
ତକ୍ଷଣେ ତପ-ବିଦ୍ୟାବଳେ । ସୁସ୍ଥିର ବିଜ୍ଞାନ ନିଶ୍ଚଳେ ॥ ୧୬
ବାୟୁ ସହିତେ ଜଳରାଶି । ସେ ବ୍ରହ୍ମା ଯୋଗବଳେ ଗ୍ରାସି ॥ ୧୭
ପ୍ରଳୟ ଜଳ ଯହୁଁ ଗଲା । ନିଶ୍ଚଳେ ପଦ୍ମ ବିକାଶିଲା ॥ ୧୮
ସେ ପଦ୍ମେ ବସି ବେଦବର । ମନରେ କରଇ ବିଚାର ॥ ୧୯
ପୂର୍ବେ କମଳ-ଗର୍ଭଗତେ । ଜନ୍ତୁଏ ପଶିଛନ୍ତି ଯେତେ ॥ ୨୦
ତାହାଙ୍କୁ କରିବି ପ୍ରକାଶ । ସେ ଯେଣୁ ସ୍ୱକର୍ମେ ପ୍ରବେଶ ॥ ୨୧
ଏକୁ ଅନେକ ରୂପ ଚିନ୍ତେ । ସ୍ୱକର୍ମ ବଳେ ନାନା ମତେ ॥ ୨୨
ଦ୍ୱିସପ୍ତଲୋକ ସ୍ଥାନ ଯେହି । ତିନି ଭୁବନ କଲେ ତହିଁ ॥ ୨୩
ଯହିଁରେ ଯେବା ନିଜ କର୍ମ । ସର୍ଜିଲେ ପ୍ରଜା ଭିନ୍ନ ଭିନ୍ନ ॥ ୨୪
ଯେ ଯାହା ମତେ ଧର୍ମ ଚିନ୍ତି । ନିଶ୍ଚଳଯୋଗେ ପ୍ରଜାପତି ॥ ୨୫
ବିଦୁର ଉବାଚ
ଭୋ ମୁନି ହରିର ମହିମା । ଅଦ୍ଭୁତ କର୍ମ ଗୁଣସୀମା ॥ ୨୬
ସୃଷ୍ଟି ପାଳନ ସଂହାରଣ । କାଳ ସ୍ୱରୂପ ନାରାୟଣ ॥ ୨୭
ଖେଳଇ ନିଜ ମାୟାବଳେ । କେ ତା ଦେଖିବ ଚର୍ମଡୋଳେ ॥ ୨୮
ତାର ଲକ୍ଷଣ କହ ମୋତେ । ଅଣୁ ବା ପରମାଣୁ ଯେତେ ॥ ୨୯
ମୈତ୍ରେୟ ଉବାଚ
ସ୍ୱଭାବେ ନିର୍ଗୁଣ ଅଚ୍ୟୁତ । ନିର୍ଲେପ ନିର୍ବିକଳ୍ପେ ସ୍ଥିତ ॥ ୩୦
ତାର ଶରୀରୁ ଆତ୍ମା ଜାତ । ଲୀଳାରେ ସୃଜଇ ଜଗତ ॥ ୩୧
ଏ ବିଶ୍ୱ ବ୍ରହ୍ମମୟ-ରୂପୀ । ନିଜ ମାୟାର ବଳେ ବ୍ୟାପି ॥ ୩୨
କାଳ ପ୍ରଭାବେ ପରିଚ୍ଛିନ୍ନ । ଯେ କାଳ ସ୍ୱୟଂ ଭଗବାନ ॥ ୩୩
ଯେମନ୍ତ ସୃଷ୍ଟି ଥିଲା ପୂର୍ବେ । ତେମନ୍ତ ପୁଣି ହେବ ଏବେ ॥ ୩୪
ପ୍ରକୃତି ବିକୃତି ବିକାରେ । ଯେ ସର୍ଗ ନବ ପରକାରେ ॥ ୩୫
ଯେ କାଳ ଦ୍ରବ୍ୟ ଗୁଣମୟ । ଏହାର ତିନିଟି ପ୍ରଳୟ ॥ ୩୬
ଯେବା ପ୍ରଳୟ ହୁଏ କାଳେ । ତା ନିତ୍ୟ ବୋଲନ୍ତି ସକଳେ ॥ ୩୭
ଯେ ସଙ୍କର୍ଷଣ ମୁଖାଗ୍ନିରେ । ପ୍ରଳୟ ଘଟଇ ସଂସାରେ ॥ ୩୮
ସେ ଦ୍ରବ୍ୟ ହେତୁ ନୈମିତ୍ତିକ । ସ୍ୱକାର୍ଯ୍ୟ ଗ୍ରାସେ ପ୍ରାକୃତିକ ॥ ୩୯
ଗୁଣର ବଶେ ତା ଉତ୍ପତ୍ତି । ଏ ରୂପେ ତ୍ରିବିଧ ବୋଲନ୍ତି ॥ ୪୦
ଯେ କାଳେ ବ୍ରହ୍ମ ଉଦେ ହୋନ୍ତି । ମହତ ଆଦି ତତ୍ତ୍ବ ଚିନ୍ତି ॥ ୪୧
ଗୁଣ-ବୈଷମ୍ୟେ ଆତ୍ମା ବସେ । ସ୍ୱଗୁଣ ସ୍ୱଭାବେ ପ୍ରକାଶେ ॥ ୪୨
ମହତ ତତ୍ତ୍ବ ଆଦ୍ୟ ଚିନ୍ତି । ପ୍ରଥମ ସର୍ଗ ଉତପତ୍ତି ॥ ୪୩
ଦ୍ୱିତୀୟ ଅହଙ୍କାରୋଦୟ । ଯେ ଦ୍ରବ୍ୟଜ୍ଞାନ-କ୍ରିୟାଶ୍ରୟ ॥ ୪୪
ତୃତୀୟ ଭୂତସର୍ଗ ହୋଏ । ଯେ ମାତ୍ରା ଦିବ୍ୟଶକ୍ତି ବହେ ॥ ୪୫
ଚତୁର୍ଥେ ଇନ୍ଦ୍ରିୟଙ୍କ ଜନ୍ମ । ଯେ ଜ୍ଞାନ-କ୍ରିୟାତ୍ମକ ନାମ ॥ ୪୬
ଇନ୍ଦ୍ରି ରକ୍ଷକ ଦେବଗଣ । ଆବର ପଞ୍ଚମରେ ମନ ॥ ୪୭
ଷଷ୍ଠରେ ତାମସ ଯେ ହୋଏ । ଅବିଦ୍ୟା ମହାଶକ୍ତି ବହେ ॥ ୪୮
ଏ ଷଟ ପ୍ରକୃତି ଗୋଚର । ବିକୃତି ଶୁଣ ହେ ବିଦୁର ॥ ୪୯
ଏ ସୃଷ୍ଟି ଜାତ ରଜୋଗୁଣେ । ହରିର ଲୀଳା ଏ ପ୍ରମାଣେ ॥ ୫୦
ସ୍ଥାବର ସୃଜନ ସପ୍ତମ । ଅନ୍ୟାନ୍ୟ ସୃଷ୍ଟି ମୁଖ୍ୟତମ ॥ ୫୧
ଏବେ ହୋ ମୁଖ୍ୟସର୍ଗ କହି । ସ୍ଥାବର ଷଡ଼ବିଧ ହୋଇ ॥ ୫୨
ବନସ୍ପତି ଲତା ଔଷଧି । ବୀରୁଧ ଦ୍ରୁମ ବେଣୁ ଆଦି ॥ ୫୩
ଏହାଙ୍କ ନାମ ଉର୍ଦ୍ଧ୍ୱ-ସ୍ରୋତ । ଅନ୍ତରେ ସ୍ପର୍ଶଜ୍ଞାନ ମାତ୍ର ॥ ୫୪
ଅଷ୍ଟମସର୍ଗେ ପଶୁଗଣ । ସେ ଅଷ୍ଟବିଂଶ ପରମାଣ ॥ ୫୫
ଅଜ୍ଞାନ ତମଗୁଣେ ଥାନ୍ତି । କେବଳ ଘ୍ରାଣେ ସେ ଜାଣନ୍ତି ॥ ୫୬
ଗୋରୁ ମହିଷ ଛାଗ ତିନି । ଗବୟ ଶୂକର ହରିଣୀ ॥ ୫୭
ଏହାଙ୍କ ପାଦେ ବେନିଖୁର । ମେଷ ଶରଭ ଉଷ୍ଟ୍ରଖର ॥ ୫୮
ସମ୍ବର ମୃଗ ଆଦି ଯେତେ । ଯେ ଏକଖୁର କହୁଁ ତୋତେ ॥ ୫୯
ଏବେ କହିବା ବୀର ଶୁଣ । ଯେ ପଞ୍ଚନଖୀ ପଶୁଗଣ ॥ ୬୦
ଶ୍ୱା ବୃକ ବ୍ୟାଘ୍ର ଯେ ଶୃଗାଳ । ଶଶକ ଭଲ୍ଲୁକ ବିଡାଳ ॥ ୬୧
ସିଂହ ବାନର କୂର୍ମ ହସ୍ତୀ । ଏ ପଞ୍ଚନଖ ବୋଲି ଥାନ୍ତି ॥ ୬୨
ମକର ଆଦି ଜଳ ଜୀବେ । ଭାବେ କହିବା ଶୁଣ ଏବେ ॥ ୬୩
ଯେ କଙ୍କ ଶାଗୁଣା ସଞ୍ଚାଣ । ଭାସ ଶଲ୍ଲକ ବରହିଣ ॥ ୬୪
ହଂସ ସାରସ ଚକ୍ରବାକ । ଉଲ୍ଲୁକ ଆଦି ଚିଲ କାକ ॥ ୬୫
ଏବେ ନବମସର୍ଗ କହି । ବିଦୁର ଶୁଣ ମନଦେଇ ॥ ୬୬
ମନୁଷ୍ୟ ମଧ୍ୟେ ତାକୁ ଗଣି । ଦୁଃଖକୁ ସୁଖପ୍ରାୟ ମଣି ॥ ୬୭
ରଜ ଅଧିକ କର୍ମ ପର । ବିକୃତ ଏ ତିନି ପ୍ରକାର ॥ ୬୮
ଏବେ ଅପର କହୁଁ ତୋତେ । ଉଭୟ ମଧ୍ୟେ ସୃଷ୍ଟି ଯେତେ ॥ ୬୯
କୁମାରସର୍ଗ ଯେ ବୋଲାଇ । ଉଭୟ ମତେ ଦେହ ବହି ॥ ୭୦
ଦେବଙ୍କ ସୃଷ୍ଟି ଅଷ୍ଟବିଧ । ପିତର ଅସୁର ବିବୁଧ ॥ ୭୧
ଗନ୍ଧର୍ବ ଅପ୍ସରା ସିଦ୍ଧ । ଚାରଣ ଯକ୍ଷ ରକ୍ଷ ଭେଦ ॥ ୭୨
ଭୂତ ପିଶାଚ ପ୍ରେତଗଣ । କିନ୍ନର ବିଦ୍ୟାଧର ପୁଣ ॥ ୭୩
ଏ ଅଷ୍ଟବିଧ ଉତପତ୍ତି । ସ୍ୱଭାବେ ଦେବତା ବୋଲନ୍ତି ॥ ୭୪
ଏ ଦଶସର୍ଗ ହେ ବିଦୁର । କ୍ରମେ ସର୍ଜିଲା ବେଦବର ॥ ୭୫
ଏବେ କହିବା କୁରୁବୀର । ଯେ ବଂଶ ମନୁ ମନ୍ୱନ୍ତର ॥ ୭୬
ଏମନ୍ତେ ରଜଗୁଣେ ମିଶି । ସୃଷ୍ଟି ଆଗମେ ବ୍ରହ୍ମରାଶି ॥ ୭୭
ଅମୋଘ-ସଙ୍କଳ୍ପ ସ୍ୱଭାବ । ଆତ୍ମାରେ ଆତ୍ମା ପଦ୍ମନାଭ ॥ ୭୮
ତ୍ରିଗୁଣେ ନୋହେ ସେ ଗୃହୀତ । ଈଶ୍ୱର ମାୟା ମହୁମତ ॥ ୭୯
ନଦୀଙ୍କ ଜଳ ଯେହ୍ନେ ଭ୍ରମେ । ଜଳଧି ଯାନ୍ତି ଯଥାକ୍ରମେ ॥ ୮୦
ଏ ଯେତେ ଦେବାସୁର ଆଦି । ଯେତେ ମୁଁ କହିଲି ସମ୍ପାଦି ॥ ୮୧
ସେ ନାନାବିଧ ରୂପ ହୋନ୍ତି । କ୍ରମେ ତାହାର ଦେହେ ଯାନ୍ତି ॥ ୮୨
ଏମନ୍ତେ ବିଦୁର ସମୀପେ । ମୁନି କହିଲେ ପଦ୍ମକଳ୍ପେ ॥ ୮୩
ଏ ଭାଗବତ ଜ୍ଞାନରସ । କହିଲା ଜଗନ୍ନାଥ ଦାସ ॥ ୮୪
ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ଦଶମୋଽଧ୍ୟାୟଃ ॥
* * *