ତୃତୀୟ ସ୍କନ୍ଧ

ନବମ ଅଧ୍ୟାୟ

ବ୍ରହ୍ମା ଉବାଚ

ଭୋ ନାଥ ତୋ’ର ଗତି ମୁହିଁ । ଜାଣିଲି ତୋ’ର ଭାବ ବହି ॥

ଏ ଜୀବ ତୋ’ର ମାୟାବର୍ତ୍ତୀ । କାହୁଁ ଜାଣିବେ ତୋ’ର ଗତି ॥

ଦୃଶ୍ୟ ଅଦୃଶ୍ୟ ତୋ’ର ଭାବ । ଏ ଘେନି ତୋତେ କେ ଜାଣିବ ॥

ମାୟାର ପରେ ତୋ’ର ବାସ । ନିତ୍ୟ ନିରଞ୍ଜନ ପ୍ରକାଶ ॥

ସଦନୁଗ୍ରହେ ବନମାଳୀ । ତୁ ନାଥ ମାୟା ସଙ୍ଗେ ମିଳି ॥

ତୋ’ର ଏ ରୂପ ନାରାୟଣ । ଶତ-ଅବତାର କାରଣ ॥

ତୋ’ ନାଭିକମଳୁ ମୁଁ ଜାତ । ସ୍ୱଭାବେ ଅବିକାର-ତତ୍ତ୍ବ ॥

ତୋ’ ରୂପ ଦେଖିଲି ଲୋଚନେ । ଏ ଲାଭୁଁ ଲାଭ ନାହିଁ ଅନ୍ୟେ ॥

ଆନନ୍ଦରୂପ ତୋ’ ଶରୀର । ଅବିଦ୍ଧତେଜ ରୂପ ତୋ’ର ॥

ତୁ ବିଶ୍ୱସୃଷ୍ଟି-ମୂଳ ଏକ । ତୋ’ ତହୁଁ ପ୍ରକାଶ ଅନେକ ॥ ୧୦

ଭୂତ ଇନ୍ଦ୍ରିୟ ଆତ୍ମା ତୁହି । ତୋ’ ପାଦେ ଆଶ୍ରେ କଲି ମୁହିଁ ॥ ୧୧

ତୁ ସେ ସଂସାର ଆଦିମୂଳ । ତୋ’ ରୂପ ଭୁବନମଙ୍ଗଳ ॥ ୧୨

ଧାରଣା ଧ୍ୟାନେ ମନ ଦେଇ । ପ୍ରାଣୀ ତରନ୍ତି ଯାହା ଧ୍ୟାୟି ॥ ୧୩

ତୋ ଅନୁଭାବେ ଭବ-ତମ । ହରଇ ପୁରୁଷଉତ୍ତମ ॥ ୧୪

ଶ୍ରୀବାସୁଦେବ ନମୋସ୍ତୁତେ । ମନବଚନ ଜ୍ଞାନମତେ ॥ ୧୫

ଯେ ତୋତେ ଅନାଦର କରେ । ନରକମାର୍ଗେ ସେ ସଞ୍ଚରେ ॥ ୧୬

ଅନିତ୍ୟ ସଙ୍ଗେ ତା’ର ବାସ । ତୋ’ ଭାବେ ହୋନ୍ତି ସେ ନିରାଶ ॥ ୧୭

ତୋ’ ପାଦପଦ୍ମ-ଗନ୍ଧ ଯା’ର । ଆଘ୍ରାଣ କରେ ନାସାଦ୍ୱାର ॥ ୧୮

ଶ୍ରୁତିଯୁଗଳେ ନାମ ଶୁଣେ । ଯେ ଅବା ଜିହ୍ୱାଗ୍ରତେ ଗୁଣେ ॥ ୧୯

ପରମଭକ୍ତି ଯୋଗବଳେ । ଯେ ନମେ ତୋ’ ପାଦକମଳେ ॥ ୨୦

ତା ହୃଦପଦ୍ମ ମଧ୍ୟେ ଥାଉ । କେବେହେଁ କେଣିକି ନ ଯାଉ ॥ ୨୧

ଏ ଭବଭୟ-ଧନ-ମୋହ । ସୁହୃଦ-ଶୋକ-ବନ୍ଧୁସ୍ନେହ ॥ ୨୨

ସନ୍ତତି ଜାୟା ଜାତିକୁଳ । ଏ ସର୍ବ ଆପଦର ମୂଳ ॥ ୨୩

ଯାବତ ତୋ’ ପାଦକମଳେ । ଯେ ପ୍ରାଣୀ ନ ରହେ ନିଶ୍ଚଳେ ॥ ୨୪

ସେ କାହିଁ ଏ ଭୟ ତରିବ । ଯେବେ ନ ଜାଣେ ତୋ’ର ଭାବ ॥ ୨୫

ଏ ଭବଭୟ ତେବେ ନାଶେ । ତୋ’ ସଙ୍ଗୀସଙ୍ଗେ ଯେବେ ମିଶେ ॥ ୨୬

ତା’ ଛାଡ଼ି ଇନ୍ଦ୍ରିୟ-ଲାଳସେ । କ୍ଷଣିକ ସୁଖଲେଶ ଆଶେ ॥ ୨୭

ଯତ୍ନ କରନ୍ତି ଅବିରତେ । ତୋ’ ମାୟା ତରିବେ କେମନ୍ତେ ॥ ୨୮

କ୍ଷୁଧା ପିପାସା ମାର୍ଗେ ଭ୍ରମି । ଆଶା ବନ୍ଧନେ ପଥଶ୍ରମି ॥ ୨୯

ଶୀତ ନିଦାଘ ବାତ ବୃଷ୍ଟି । ଏଣେ ଭ୍ରମନ୍ତି ପ୍ରାଣୀ ଫୁଟି ॥ ୩୦

ଦୁର୍ଜୟ-କାମାନଳ ଦହେ । କେବେହେଁ ତୋ’ପାଦେ ନ ରହେ ॥ ୩୧

ଏ ଦୁଃଖ ଦେଖି ମୋର ମନ । ଭୟେ କମ୍ପଇ ଭଗବାନ ॥ ୩୨

ଯାବତ ଏ ମାୟା ଗହନେ । ମନ କଳ୍ପଇ ଭିନ୍ନେଭିନ୍ନେ ॥ ୩୩

ଇନ୍ଦ୍ରିୟ ଅର୍ଥେ ଚିତ୍ତ ଜଡେ଼ । ଘୋର ସଙ୍କଟ ଦୁଃଖେ ପଡେ଼ ॥ ୩୪

ତାବତ ସଂସାର ନ ତୁଟେ । ସଞ୍ଚରି ପୁଣି ପୁଣି ଫୁଟେ ॥ ୩୫

ଏ ବେନିଲୋକ ସୁଖ ଅର୍ଥେ । ପୁଣି ଭ୍ରମନ୍ତି ସୃଷ୍ଟି ପଥେ ॥ ୩୬

ଦୁଃଖ-ସମୁଦ୍ରେ ପୁଣି ଭାସେ । ଯତ୍ନ ନ କରେ ସୁଖଲେଶେ ॥ ୩୭

ଭୂତ ଭବିଷ୍ୟେ ଆଶା କରି । ସର୍ବବିଷୟ ଚିତ୍ତେ ଭରି ॥ ୩୮

ରାତ୍ରେ ନିଦ୍ରିତ ହୋଇ ଯେବେ । ସ୍ୱପ୍ନେ କଳ୍ପିତ ନାନାଭାବେ ॥ ୩୯

ତେଣୁ ପ୍ରାଣୀଙ୍କ ସୁଖଲେଶ । ନ ଥାଇ କ୍ଳେଶ ମାତ୍ରଶେଷ ॥ ୪୦

ଭ୍ରମଇଁ ମୁନିଙ୍କର ମନ । ତୋ’ ମାୟାବଳେ ଭଗବାନ ॥ ୪୧

ଏଣୁ ତୋ’ ପାଦେ ଯେ ବିମୁଖ । ଇହ ସଂସାରେ ଲଭେ ଦୁଃଖ ॥ ୪୨

ଶ୍ରବଣ ତୋ’ ନାମ ଯାହାର । ତୁ ପୁଣି ତାହାର ଗୋଚର ॥ ୪୩

ତୋ’ ଭକ୍ତିଭାବେ ଯେ ଭାବିତ । ତା’ ହୃଦପଦ୍ମେ ତୁ ଉଦିତ ॥ ୪୪

ସକଳ ଜୀବେ ତୋ’ ବିହାର । ତୁ ପୁଣି ତୋତେ ଅଗୋଚର ॥ ୪୫

ଯେ ଯେତେଭାବେ ତୋତେ ଭାବେ । ତୋ’ ଅନୁଗ୍ରହେ ସୁଖଲଭେ ॥ ୪୬

ନାନା ପ୍ରକାରେ ଉପଚାରେ । ତୋ’ ଆରାଧନା ଯେବା କରେ ॥ ୪୭

ତୁ ପୁଣି ତେଣେ ବଶ ନୋହୁ । ସକଳ ହୃଦୟରେ ଥାଉ ॥ ୪୮

ନିଷ୍କାମ ଯୋଗେ ତୁ ସୁଲଭ । ସକାମ-ଭକ୍ତିରେ ଦୁର୍ଲଭ ॥ ୪୯

ଯେ ସର୍ବଭୂତେ ଦୟା ଚିନ୍ତି । ତା’ ସମ ତ୍ରିଦଶେ ନୁହଁନ୍ତି ॥ ୫୦

ଯେ ତୋତେ ଶୁଦ୍ଧଭାବେ ଚିନ୍ତି । ନିଶ୍ଚିନ୍ତେ ତୋ’ ପାଦେ ପଶନ୍ତି ॥ ୫୧

ତୁ ପୁଣି ସର୍ବଜନ୍ତୁ ଦେହେ । ପ୍ରକାଶୁ ଆଦିତ୍ୟର ପ୍ରାୟେ ॥ ୫୨

ଏକୁ ଅନେକ ତୋ’ ପ୍ରକାଶ । ପ୍ରସନ୍ନ ଯେସନେ ଆକାଶ ॥ ୫୩

ସର୍ବ ସୁହୃଦ ଅନ୍ତରାତ୍ମା । କେ ଲକ୍ଷିପାରେ ତୋ’ ମହିମା ॥ ୫୪

ପ୍ରାଣୀଙ୍କ ମନ-କର୍ମବଳେ । ଦଣ୍ତେŠହେଁ ନ ରହେ ନିଶ୍ଚଳେ ॥ ୫୫

ଆରାଧି ନାନା ତପ ବ୍ରତେ । ସୁକୃତ-ଫଳ ଦେଇ ତୋତେ ॥ ୫୬

ବେଗେ ହୁଅନ୍ତି ଭବୁ ପାର । ନୋହିଲେ ଭ୍ରମନ୍ତି ସଂସାର ॥ ୫୭

ତୋ’ର ସ୍ୱରୂପ ନିତ୍ୟେ ଚିନ୍ତି । ଘୋର ସଂସାରୁ ତରିଯା’ନ୍ତି ॥ ୫୮

ବିଶ୍ୱ ଉତ୍ପତ୍ତି-ସ୍ଥିତି-ନାଶ । ତୋ’ ମାୟା-ଲୀଳାରୁ ପ୍ରକାଶ ॥ ୫୯

ଏମନ୍ତ ମହିମା ତୋହର । ଭୋ ଦେବ ତୋତେ ନମସ୍କାର ॥ ୬୦

ତୋ’ ଅବତାର ଗୁଣ କର୍ମ । ସେ ଅନୁରୂପେ ଯେବା ନାମ ॥ ୬୧

ମରଣେ ଗୁଣନ୍ତି ଯେ ମୁଖେ । ବେଗେ ତରନ୍ତି ମହାସୁଖେ ॥ ୬୨

ଅନେକ ଜନ୍ମ ଜରା ଭ୍ରାନ୍ତି । ନିର୍ଭୟେ ବେଗେ ସେ ତରନ୍ତି ॥ ୬୩

ଅମୃତ ଲଭି ଅପ୍ରମାଦେ । ସୁଖେ ଲଭନ୍ତି ମୋକ୍ଷପଦେ ॥ ୬୪

ଏମନ୍ତ ପ୍ରଭୁ ପାଦତଳେ । ଶରଣ ପଶିଲି ନିଶ୍ଚଳେ ॥ ୬୫

ତୁ ନାଥ ପରମମଙ୍ଗଳ । ଉଦ୍ଭବ-ସ୍ଥିତି-ଅନ୍ତଃମୂଳ ॥ ୬୬

ଭୁବନଦ୍ରୁମ ତୋ’ ମହିମା । କେ ଜାଣିପାରେ ଅନ୍ତଃସୀମା ॥ ୬୭

ମୁଁ ଆଦିଭବ ବିଷ୍ଣୁ ତିନି । ତାଳ ସ୍ୱରୂପେ ଯହିଁ ମାନି ॥ ୬୮

ମରୀଚି ମନୁ ଆଦି ଯେତେ । ଏ ସର୍ବଶାଖା ଅପ୍ରମିତେ ॥ ୬୯

ଏମନ୍ତ ବୃକ୍ଷରୂପ ତୋ’ର । ତୋ’ ପାଦେ ମୋ’ର ନମସ୍କାର ॥ ୭୦

ଏ ଜୀବଲୋକ ଅବିରତ । ବିକାର-ମାର୍ଗେ ସୁଜଡ଼ିତ ॥ ୭୧

ଭାବଇ ଅକୁଶଳ କର୍ମ । ନିତ୍ୟେ କଳ୍ପଇ ନିଜଭ୍ରମ ॥ ୭୨

ପ୍ରମତ୍ତ ନାନା ଫଳ ଲାଭେ । ତୋହର ଭଜନ ପ୍ରସ୍ତାବେ ॥ ୭୩

ତା’ର ଜୀବନ ଆଶା ତୁହି । କ୍ଷଣକେ ଛେଦୁ ଭାବଗ୍ରାହୀ ॥ ୭୪

ଏମନ୍ତ ପ୍ରଭୁ ପାଦଗତେ । ମୋ’ ନମସ୍କାର ଅବିରତେ ॥ ୭୫

ଭୋ ନାଥ ଜୀବନ ମୋହର । ବେନିପରାର୍ଦ୍ଧ ଅଧିକାର ॥ ୭୬

ସକଳ ଲୋକ ନମସ୍କୃତ । ସପ୍ତମŠଣ୍ତଳ ପରେ ସ୍ଥିତ ॥ ୭୭

ଅନେକ ତପେ ଅଧିକାରୀ । ତୋ’ କାଳରୂପେ ତେବେ ଡରି ॥ ୭୮

ତୁ ଅଧିଯଜ୍ଞ ଦାମୋଦର । ତୋ’ ପାଦେ ମୋର ନମସ୍କାର ॥ ୭୯

ପଶୁ ମନୁଷ୍ୟ ଦେବଦେହେ । ସମ୍ଭବି ତୁ ଲୋକ ସଂଗ୍ରହେ ॥ ୮୦

ଇଚ୍ଛାୟେ କରୁ ନାନାକର୍ମ । ନମସ୍ତେ ପୁରୁଷଉତ୍ତମ ॥ ୮୧

ଯେ ନିଦ୍ରାଗତି ପଞ୍ଚବୃତ୍ତି । ତୁରୀୟ ସ୍ୱପ୍ନ ଯେ ସୁଷୁପ୍ତି ॥ ୮୨

ଅବିଦ୍ୟା-ନିଦ୍ରାର କାରଣ । ତୁ ନୋହୁ ତାହାର ଅଧୀନ ॥ ୮୩

ତଥାପି ନିଦ୍ରାଗଲା ପରି । ଲୋକ ସଂସାର ପେଟେ ଭରି ॥ ୮୪

ଜୀବଙ୍କୁ ଦେବାକୁ ବିଶ୍ରାମ । ପ୍ରଳୟ ଜଳେ ତୋ’ ଶୟନ ॥ ୮୫

ତ୍ରିଲୋକ-ଉପକାର ସଧେ । ମୋ’ ଜନ୍ମ ତୋ’ର ନାଭିପଦ୍ମେ ॥ ୮୬

ଏ ଯୋଗମାୟା ଅବସାନ । ନମସ୍ତେ ନଳିନ ନୟନ ॥ ୮୭

ଜୟତୁ ପ୍ରଭୁ ଭଗବାନ । ଅଶେଷ ଜନ୍ତୁଙ୍କ ଜୀବନ ॥ ୮୮

ତୋ’ର ଆଦେଶ ଶିରେ ଧରି । ମୁଁ ଏ ସଂସାରେ ଅଧିକାରୀ ॥ ୮୯

ଯେ ଜ୍ଞାନ-ଅଇଶ୍ୱର୍ଯ୍ୟ ବଳୁ । ତୁହି ସଂସାର ସୃଜି ପାଳୁ ॥ ୯୦

ଯେ ଜ୍ଞାନ ଦିଅ ଅନୁଗ୍ରହେ । ସୃଷ୍ଟି କରିବି ପୂର୍ବ ପ୍ରାୟେ ॥ ୯୧

ଭୋ ନାଥ ପରମପୁରୁଷ । ଏ ଆତ୍ମାଶକ୍ତି ତୋ’ ବିଶ୍ୱାସ ॥ ୯୨

ଗୁଣ-ଗୃହୀତ ଅବତାରେ । ଯେ ଅବା କରୁ ତୁ ସଂସାରେ ॥ ୯୩

ସେ ଗୁଣ ଘେନି ସୃଷ୍ଟିଅର୍ଥେ । ଯେ ଅବା ହୋଇବ ଯେମନ୍ତେ ॥ ୯୪

ସର୍ଜିବି ଆତ୍ମା ଯୋଗବଳେ । ମୋ’ ଚିତ୍ତ ଯେମନ୍ତେ ନିଶ୍ଚଳେ ॥ ୯୫

ତୋ’ର ଚରଣେ ଦୃଢ଼ ହୋଏ । ଭୋ ନାଥ କର ଏ ଉପାୟେ ॥ ୯୬

ଦୁର୍ଗମ ଏ ପ୍ରଳୟ ଜଳେ । ମୁଁ ଜାତ ତୋ’ ନାଭିକମଳେ ॥ ୯୭

ବିଜ୍ଞାନ ଶକ୍ତି ଯେଣୁ ବହୁ । ତେଣୁ ଅନନ୍ତ ତୁ ବୋଲାଉ ॥ ୯୮

ସଂଭ୍ରମେ ପଦ୍ମନାଳେ ମୁହିଁ । ଭ୍ରମନ୍ତେ ତୋ’ର ମାୟାବହି ॥ ୯୯

ଦେଖିଲି ତୋ’ ପରମରୂପ । ଯେ ରୂପ ନିଗମ-ସଙ୍କଳ୍ପ ॥ ୧୦୦

ସର୍ଜୁ ବିଚିତ୍ର ବିଶ୍ୱରୂପ । ମୋ’ ବ୍ରହ୍ମତେଜ ନୋହୁ ଲୋପ ॥ ୧୦୧

ଅଶେଷ କରୁଣାସାଗର । ଭୋ ନାଥ ମହିମା ତୋହର ॥ ୧୦୨

ରଙ୍ଗ ଅଧରେ ମନ୍ଦହାସ । ଦେଖାଇ ମୋର ମନ ତୋଷ ॥ ୧୦୩

ଏ ବିଶ୍ୱସଂସାର କୁଶଳେ । ମୁଁ ଯେଣୁ ଅଛି ମହାଜଳେ ॥ ୧୦୪

ସୃଷ୍ଟି କଳ୍ପନା ଚିନ୍ତା ଅର୍ଥେ । ମୁହିଁ ଭାଳଇ ଅବିରତେ ॥ ୧୦୫

ତୁ ନାଥ ମଧୁର-ବଚନେ । ଚିନ୍ତା ନିବାର ମୋର ମନେ ॥ ୧୦୬

ମୈତ୍ରେୟ ଉବାଚ

ଏମନ୍ତେ ସଂଭ୍ରମ-ବଚନେ । ତପ ସମାଧି ଯୋଗଧ୍ୟାନେ ॥ ୧୦୭

ନିର୍ମଳ ଦିବ୍ୟ-ଅନୁଭବେ । ନିଗମ ବଚନ ପ୍ରସ୍ତାବେ ॥ ୧୦୮

ନାନା ପ୍ରକାରେ କରି ସ୍ତୁତି । ମନ-ବଚନେ ଯେତେ ଶକ୍ତି ॥ ୧୦୯

ଅନ୍ତେ ଗୋବିନ୍ଦ-ଭାବ ଘେନି । ସେ ପଦ୍ମ ମଧ୍ୟେ ହେଲା ତୁନି ॥ ୧୧୦

ଏମନ୍ତେ ବ୍ରହ୍ମା ମନ ଜାଣି । ଦୟାସାଗର ଚକ୍ରପାଣି ॥ ୧୧୧

ବିଷାଦ ଚିତ୍ତେ ସେ ଭାଳଇ । ପ୍ରଳୟ ଜଳ ମଧ୍ୟେ ଥାଇ ॥ ୧୧୨

ଲୋକ ସଂସ୍ଥାନ ଚିନ୍ତାକରି । ଭାଳଇ ଖେଦ ମନେ ଧରି ॥ ୧୧୩

ସେ ଚିତ୍ତ ଜାଣି ଭଗବାନ । କୋମଳ ଗଭୀର ବଚନ ॥ ୧୧୪

ବ୍ରହ୍ମାର ମନ ଖେଦ ହରି । କହନ୍ତି ପ୍ରଭୁ ଦଇତାରି ॥ ୧୧୫

ଭଗବାନ ଉବାଚ

ହେ ବେଦଗର୍ଭ ସୃଷ୍ଟିମୁଖ । ବେଗେ ତୁ ଛାଡ଼ ମନଦୁଃଖ ॥ ୧୧୬

ତୁ ଯେ କଳ୍ପିତେ ମାଗୁ ଯାହା । ଆଗେ ମୁଁ କରିଅଛି ତାହା ॥ ୧୧୭

ତୁ ଏବେ ତପେ କର ଆଶା । ମୋ’ ବିଦ୍ୟାବଳ ତୋ’ ଭରସା ॥ ୧୧୮

ଏ ତପ-ଯୋଗବିଦ୍ୟା ବଳେ । ସୃଷ୍ଟି ତୁ କର ମହାଜଳେ ॥ ୧୧୯

ଆତ୍ମା ନିଯୋଗେ ଭକ୍ତି କର । ଯେ ରୂପେ ହୋଇବ ସଂସାର ॥ ୧୨୦

ସର୍ବ ଦେଖିବୁ ମୋର ଦେହେ । ମୋତେ ଦେଖିବୁ ସର୍ବମୟେ ॥ ୧୨୧

ମୁଁ ବସେ ସର୍ବପ୍ରାଣୀ ମନେ । ଇନ୍ଧନ ମଧ୍ୟେ ଅଗ୍ନି ଯେହ୍ନେ ॥ ୧୨୨

ମୋତେ ଯେ ଦେଖେ ବେଦବର । ତା’ର ସଂଶୟ ଯାଇ ଦୂର ॥ ୧୨୩

ଭୂତ-ଇନ୍ଦ୍ରିୟ-ଗୁଣ ମେଳେ । ଅନ୍ତଃକରଣ ସୁନିଶ୍ଚଳେ ॥ ୧୨୪

ଯେବେ ଦେଖଇ ଦେହେ ମୋତେ ।ସ୍ୱରାଜ୍ୟେ ରହଇ ନିଶ୍ଚିନ୍ତେ ॥ ୧୨୫

କର୍ମ ବିଭାଗେ ନାନାମତେ । ଏ ସୃଷ୍ଟି ସର୍ଜିବୁ ଯେମନ୍ତେ ॥ ୧୨୬

ମୋ’ ଅନୁଗ୍ରହେ ତୋ’ର ମନ । କେବେହେଁ ନୋହିବଟି ଛନ୍ନ ॥ ୧୨୭

ତୁ ଯେବେ ମୋ’ର ଦେହେ ମନ । ଦେଇ ସର୍ଜିବୁ ପ୍ରଜାଜନ ॥ ୧୨୮

ଏ ରଜଗୁଣେ ଯେତେ ଭାବ । କେବେହେଁ ତୋତେ ନ ଲାଗିବ ॥ ୧୨୯

ପ୍ରାଣୀଙ୍କ ଦୁର୍ଲ୍ଲଭ ଯୁଗତେ । ତୁ ଯେ ଜାଣିଲୁ ଏବେ ମୋତେ ॥ ୧୩୦

ଭୂତ-ଇନ୍ଦ୍ରିୟଗଣ ଗ୍ରସ୍ତେ । କେ ହେଜି ସମ୍ପାଦିବ ମୋତେ ॥ ୧୩୧

ତୁ ଯେ ସଂଶୟ ଚିତ୍ତେ ବହି । କମଳନାଳ ମଧ୍ୟେ ଯାଇ ॥ ୧୩୨

ତାହାର ମୂଳ ଇଚ୍ଛା କଲୁ । ଅନେକ କାଳ ତୁ ଭ୍ରମିଲୁ ॥ ୧୩୩

ଦୟା ବସିଲା ମୋର ଚିତ୍ତେ । ବାହାରେ ଦେଖାଇଲି ତୋତେ ॥ ୧୩୪

ତୁ ଯେତେ କଲୁ ମୋତେ ସ୍ତୁତି । କହଇ ଶୁଣ ବେଦପତି ॥ ୧୩୫

ଯେ ତପନିଷ୍ଠା ତୋ’ର ଦେହେ । ଲଭିଲୁ ମୋ’ର ଅନୁଗ୍ରହେ ॥ ୧୩୬

ସୁପ୍ରୀତ ହୋଇଲି ମୁଁ ତୋତେ । କଲ୍ୟାଣ ଲଭ ତୁ ଜଗତେ ॥ ୧୩୭

ଲୋକମଙ୍ଗଳ ଅର୍ଥେ ତୋ’ର । ମହିମା ବ‰ର୍ଣ୍ଣିଲୁ ମୋହର ॥ ୧୩୮

ଏ ସ୍ତୋତ୍ରେ ମୋତେ ଯେ ଭଜିବ । ସଂସାର ଭୟରୁ ତରିବ ॥ ୧୩୯

ମୁଁ ବରଦାତା ଭଗବାନ । ତାହାକୁ ହୁଅଇ ପ୍ରସନ୍ନ ॥ ୧୪୦

ସମାଧି ତପ ଯଜ୍ଞମତେ । ଜ୍ଞାନ ବୈରାଗ୍ୟ ଉପଗତେ ॥ ୧୪୧

ମୋରେ ନିଶ୍ଚଳ ପ୍ରୀତିଭାବ । ଏ ସର୍ବ କର୍ମଫଳ ଲାଭ ॥ ୧୪୨

ମୁଁ ଆତ୍ମା ଜଗତ ଜୀବର । ସଂଶୟଚିତ୍ତେ ଅଗୋଚର ॥ ୧୪୩

ଏଣୁ ଯେ ମୋ’ ବିଷୟ ଭଜେ । ସ୍ୱଭାବେ ସର୍ବମାୟା ତେଜେ ॥ ୧୪୪

ଆତ୍ମାରେ ଆତ୍ମମାୟା ତରେ । ନ ବୁଡେ଼ ସଂସାର-ସାଗରେ ॥ ୧୪୫

ମାୟାରେ ଆତ୍ମାବୁଦ୍ଧି ଧର । ପୂର୍ବର ପ୍ରାୟେ ସୃଷ୍ଟି କର ॥ ୧୪୬

ସକଳ ବେଦଭାବେ କରି । ମୋହର ଭାବ ହୃଦେ ଧରି ॥ ୧୪୭

ଯେ ପ୍ରାଣୀ ମୋ’ର ଦେହେ ଥିଲେ । ପ୍ରଳୟ ଜଳେ ନାଶ କାଳେ ॥ ୧୪୮

ତାହାଙ୍କୁ କର୍ମର ଆୟତ୍ତେ । ପୁଣି ପ୍ରକାଶ ଏ ଜଗତେ ॥ ୧୪୯

ମୈତ୍ରେୟ ଉବାଚ

ଏମନ୍ତ ବ୍ରହ୍ମା ଆଗେ କହି । ଅନ୍ତର ହେଲେ ଭାବଗ୍ରାହୀ ॥ ୧୫୦

ସେ ହରିଚରଣ-ପଙ୍କଜେ । ବ୍ରାହ୍ମଣ ଜଗନ୍ନାଥ ଭଜେ ॥ ୧୫୧

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ତୃତୀୟସ୍କନ୍ଧେ ନବମୋଽଧ୍ୟାୟଃ ॥

* * *