ତୃତୀୟ ସ୍କନ୍ଧ
ଅଷ୍ଟମ ଅଧ୍ୟାୟ
ଶୁକ ଉବାଚ
ବିଦୁର ବାକ୍ୟ ଶୁଣି କର୍ଣ୍ଣେ । ମୈତ୍ରେୟ ଆନନ୍ଦିତ ମନେ ॥ ୧
କୃଷ୍ଣ-ଚରଣ-ଯୁଗ ଧ୍ୟାୟି । କହନ୍ତି ବିଦୁରକୁ ଚାହିଁ ॥ ୨
ମୈତ୍ରେୟ ଉବାଚ
ଶୁଣ ବିଦୁର ଶୁଦ୍ଧଚେତା । ସୁପୁଣ୍ୟ ପରୀକ୍ଷିତ-ଗାଥା ॥ ୩
ତୋହର ଜନ୍ମ ପୁରୁବଂଶେ । ପରମ-ଭାଗବତ-ଅଂଶେ ॥ ୪
ଯାହା ମହିମା ଶୁଣି କର୍ଣ୍ଣେ । ସେବା କରନ୍ତି ସାଧୁଜନେ ॥ ୫
ଯହିଁ ତୁ ଲୋକପାଳ ଯମ । ସାକ୍ଷାତେ ହୋଇଲୁ ଜନମ ॥ ୬
ଭକ୍ତଜନଙ୍କ ଶିରୋମଣି । ତୋର ସକାଶୁ ଜନ ଶୁଣି ॥ ୭
କହ ସଂସାରେ କୃଷ୍ଣଲୀଳା । ବିଶ୍ୱମଙ୍ଗଳ କୀର୍ତ୍ତିମାଳା ॥ ୮
ନିରତେ ନବ ନବ ମଣେ । ତୋଷ ନ ଲଭେ ପ୍ରତିକ୍ଷଣେ ॥ ୯
ତାର ମହିମା ତୋ ସମ୍ମୁଖେ । କହିବି ଭକ୍ତଜନ-ସୁଖେ ॥ ୧୦
ଦୁଃଖ-ସମୁଦ୍ରେ ସୁଖ ପ୍ରାୟେ । ନିରତେ ମନ ଯାର ଧାଏଁ ॥ ୧୧
ତାହାଙ୍କ ନିସ୍ତାରଣ ଅର୍ଥେ । ଶୁଣ କହିବା ତୋ ଅଗ୍ରତେ ॥ ୧୨
ଶ୍ରୀଭାଗବତ ରସସାର । ଋଷିଙ୍କି ଦେଲେ ଚକ୍ରଧର ॥ ୧୩
ଶୁଣ ବିଦୁର ସାବଧାନେ । ବ୍ରହ୍ମାର ପୁତ୍ରେ ଏକଦିନେ ॥ ୧୪
ସନକ ଆଦି ସପ୍ତଭ୍ରାତେ । ମିଳିଲେ ଅନନ୍ତ ଅଗ୍ରତେ ॥ ୧୫
ରତ୍ନଆସନେ ଭୂମିଗତେ । ବସି ଅଛନ୍ତି ଶୁଦ୍ଧ ଚିତ୍ତେ ॥ ୧୬
ଆଦି ଅନନ୍ତ ରୂପସାର । ଅକୁଣ୍ଠ-ମହିମା ଯାହାର ॥ ୧୭
ତାଙ୍କ ସମୀପେ ସପ୍ତଭ୍ରାତେ । ମିଳିଲେ ଜ୍ଞାନ-ପ୍ରଶ୍ନ ଅର୍ଥେ ॥ ୧୮
ପରମପଦେ କରି ଇଚ୍ଛା । ଏକୁ ଅନେକ କଲେ ପୁଚ୍ଛା ॥ ୧୯
ସ୍ୱଭାବେ ସ୍ଥିର ଯା ଶରୀର । ଦେବମାନବେ ଅଗୋଚର ॥ ୨୦
ସର୍ବେ କରନ୍ତି ବହୁ ମାନ୍ୟ । ଧ୍ୟାନେ ତରନ୍ତି ସଙ୍କର୍ଷଣ ॥ ୨୧
ମୃଣାଳ-କୋଷ ପ୍ରାୟ ଦେହୀ । ଉନ୍ମୀଳ ଚକ୍ଷୁଯୁଗ ବହି ॥ ୨୨
ବିବୁଧଜନଙ୍କ ଆନନ୍ଦେ । ସୁଖେ ନିଶ୍ଚଳ ଯୋଗାନନ୍ଦେ ॥ ୨୩
ନିର୍ମଳ ଭୋଗବତୀ ନୀରେ । ଧୌତ କବରୀଭାର ଶିରେ ॥ ୨୪
ସେ ଜଟାକଳାପେ ଚରଣ । ପଦ୍ମେ ନମନ୍ତି ମୁନିଗଣ ॥ ୨୫
ଯେ ପାଦେ ନାଗଙ୍କ କାମିନୀ । ବିବିଧ-ଉପାୟନ ଘେନି ॥ ୨୬
ସେବନ୍ତି ଯେଉଁ ପାଦଗତେ । ଉମ-ବର-ପ୍ରାପ୍ତି ଅର୍ଥେ ॥ ୨୭
ସୁସ୍ୱର-ରୀତନାଦ-ଧ୍ୱନି । ସ୍ୱଭାବେ ଅନୁରାଗ ଘେନି ॥ ୨୮
ଯାହାର କର୍ମ ଦୃଢ଼ଚିତ୍ତେ । ଗାୟନ କରନ୍ତି ନିରତେ ॥ ୨୯
ଜାଣନ୍ତି ଲୀଳା-ତତ୍ତ୍ବଜ୍ଞାନ । ନିର୍ମଳ ମନେ ନିତ୍ୟେ ଧ୍ୟାନ ॥ ୩୦
ସେ ଦେବ ସହସ୍ରଶୀରଷ । କିରୀଟ ମଣିମୟ ତ୍ରାସ ॥ ୩୧
ଫଣାସହସ୍ରେ ଶୋଭା କରେ । ଆଦିତ୍ୟ ଯେସନେ ଅମ୍ବରେ ॥ ୩୨
ତାର ଚରଣ-ରଜ ଶିରେ । ସନକ୍ରୁମାର ଧରି କରେ ॥ ୩୩
ପୁଚ୍ଛିଲେ ସାର-ତତ୍ତ୍ବଜ୍ଞାନ । ଯା ଶୁଣି ନିସ୍ତରିବେ ଜନ ॥ ୩୪
ନିବୃତ୍ତି-ଧର୍ମେ ଦେଖି ଚିତ୍ତ । ଏହାଙ୍କୁ କହିଲେ ଅନନ୍ତ ॥ ୩୫
ସେ ପୁଣି ପ୍ରଶ୍ନ ଅନୁରାଗେ । କହିଲେ ସାଂଖ୍ୟାୟନ ଆଗେ ॥ ୩୬
ସେ ସାଂଖ୍ୟାୟନ ଯୋଗ ଧ୍ୟାୟେ । ପରମହଂସ-ଦୀକ୍ଷା ବହେ ॥ ୩୭
ସେ ପୁଣି ଦୟା-ଶୁଦ୍ଧଚିତ୍ତେ । ସଂସାରେ ନିସ୍ତାରଣ ଅର୍ଥେ ॥ ୩୮
କୃଷ୍ଣ-ମହିମା ପରିମାଣି । ନିର୍ମଳ-ଭାଗବତ-ବାଣୀ ॥ ୩୯
କୃଷ୍ଣ-ଭକତି ଅନୁରାଗେ । କହିଲେ ମୋର ଗୁରୁ ଆଗେ ॥ ୪୦
ଆବର ବୃହସ୍ପତି ଆଗେ । ଦେବସମୂହ ପ୍ରିୟଭାବେ ॥ ୪୧
ସେ ପରାଶର ମହାମୁନି । ପୌଲସ୍ତ୍ୟ ମୁନି ଆଜ୍ଞା ଘେନି ॥ ୪୨
ଦୟାଳୁ ମୁନି ପରାଶର । କହିଲେ ମୋହର ଆଗର ॥ ୪୩
ବ୍ରହ୍ମ-ଗୁପତ-ବାଣୀ ଏବେ । ଶୁଣ କହିବା ତୋତେ ଭାବେ ॥ ୪୪
ତୁ ଶ୍ରଦ୍ଧାଯୁତ ଅନୁଗତ । ଶୁଣ କହିବି ଭାଗବତ ॥ ୪୫
ତୁ ଶୁଦ୍ଧଚିତ୍ତେ ବତ୍ସ ଶୁଣ । ଏ ଆଦି ପରମ-ପୁରାଣ ॥ ୪୬
ଯେ ବିଶ୍ୱସୃଷ୍ଟି ପୂର୍ବେ ଥିଲା । ପ୍ରଳୟ-ଜଳେ ନାଶ ଗଲା ॥ ୪୭
ପରମସୁଖେ ଭଗବାନ । ନିଦ୍ରାରେ ମୁଦ୍ରିତ ନୟନ ॥ ୪୮
ପ୍ରଳୟ-ଜଳନିଧି ମଧ୍ୟେ । ଅନନ୍ତ-ଶୟନେ ଆନନ୍ଦେ ॥ ୪୯
ଶୋଇଲେ ଏକରୂପ ହୋଇ । ସଙ୍ଗେ ସଙ୍ଗତି ନାହିଁ କେହି ॥ ୫୦
ନିଶ୍ଚେଷ୍ଟ-ଆତ୍ମସୁଖେ ରତ । ଭୂତେ ନିବେଶି ପଞ୍ଚଭୂତ ॥ ୫୧
ଆତ୍ମା ଆଶ୍ରିତ ସୂକ୍ଷ୍ମଭୂତେ । କାଳାତ୍ମା ଶକ୍ତିର ଆୟତ୍ତେ ॥ ୫୨
ଚେଷ୍ଟା ରହିତ ଭଗବାନ । ଦାରୁରେ ଯେହ୍ନେ ହୁତାଶନ ॥ ୫୩
ସେ ରୂପ ବାହ୍ୟବୃତ୍ତି ଶୂନ୍ୟ । ଜଳରେ କଲେ ସେ ଶୟନ ॥ ୫୪
ବିଷ୍ଣୁ-ରଜନୀ ପ୍ରକାଶିଲା । ଚାରିସହସ୍ର ଯୁଗ ଗଲା ॥ ୫୫
ଜଳେ ଶୟନ ଭଗବାନ । ଯେ ଆତ୍ମଶକ୍ତିର ନିଦାନ ॥ ୫୬
ତାର ଆୟତ୍ତ କାଳବଳେ । ସୃଷ୍ଟିସମୟ ସୁମରିଲେ ॥ ୫୭
ପୂର୍ବ-ଜୀବଙ୍କୁ ଦେହେ ଚାହିଁ । ସେ ପୁଣି କର୍ମତନ୍ତ୍ର ହୋଇ ॥ ୫୮
ତାହାଙ୍କ ଅବତାର ଅର୍ଥ । ସୂକ୍ଷ୍ମେ ନିବେଶି ଦୃଷ୍ଟିପଥ ॥ ୫୯
କ୍ଷୋଭିତ-ସୃଷ୍ଟିର କାରଣେ । ସ୍ୱୟଂ ପ୍ରବେଶି ରଜୋଗୁଣେ ॥ ୬୦
ସେ କାଳବଳର ବିଶ୍ୱାସେ । ମିଳିଲେ ବିଷ୍ଣୁ-ନାଭିଦେଶେ ॥ ୬୧
ସେ ନାଭିମଧ୍ୟୁ ପଦ୍ମକୋଷ । ତକ୍ଷଣେ ହୋଇଲା ପ୍ରକାଶ ॥ ୬୨
ସେ ପଦ୍ମ କାଳକର୍ମ ବଳେ । ରୂପ ବିରାଜେ ମହାଜଳେ ॥ ୬୩
ଉଦିତ-ରବି ପ୍ରାୟେ ମାନି । ଜଳେ ପ୍ରକାଶ ଆତ୍ମଯୋନି ॥ ୬୪
ସେ ଲୋକପଦ୍ମେ ନାରାୟଣ । ସ୍ୱୟଂପ୍ରବେଶ ରଜୋଗୁଣ ॥ ୬୫
ସକଳଗୁଣେ ସେ ପ୍ରକାଶ । ସହସ୍ରରବି ଜିଣି ତ୍ରାସ ॥ ୬୬
ସେ ପଦ୍ମକର୍ଣ୍ଣିକାର ମଧ୍ୟେ । ବ୍ରହ୍ମା ପ୍ରକାଶ ବେଦପଦେ ॥ ୬୭
ବିଧାତା ନାମ ସେ ବୋଲାଇ । ଯାର ଶରୀର କର୍ମମୟୀ ॥ ୬୮
ସ୍ୱୟମ୍ଭୁ ନାମ ସେ ସ୍ୱଭାବେ । ଉଦୟ ନିଜ କର୍ମଲାଭେ ॥ ୬୯
ସେ ପଦ୍ମମଧ୍ୟେ ବ୍ରହ୍ମା ରହେ । ବସି ସକଳଦିଗେ ଚାହେଁ ॥ ୭୦
ନ ଦେଖି ଲୋକଙ୍କ ଉଦ୍ଦେଶ୍ୟ । ତକ୍ଷଣେ ଚାହିଁଲା ଆକାଶ ॥ ୭୧
ହୋଇଲା ତାର ଚାରିମୁଖ । କେବେହେଁ ନ ଲଭଇ ସୁଖ ॥ ୭୨
ପ୍ରଳୟ-ପବନର ବଳେ । ଲହରୀ ଭ୍ରମ ମହାଜଳେ ॥ ୭୩
ଆତ୍ମାକୁ ନ ଜାଣଇ ଭଲେ । ଯେ ଲୋକତତ୍ତ୍ବ ପଦ୍ମତୁଲେ ॥ ୭୪
କାହୁଁ ଅଇଲି କେଉଁ ଦେଶ । ନ ଜାଣି ଆତ୍ମାର ବିଶେଷ ॥ ୭୫
ଏ ପଦ୍ମ କାହୁଁ ଉପୁଜିଲା । କିବା ଏ ଜଳମଧ୍ୟେ ଥିଲା ॥ ୭୬
ସ୍ଥଳ ନ ଥିଲେ ଜଳ କାହିଁ । ଏମନ୍ତ ମନେ ବିଚାରଇ ॥ ୭୭
କିବା ଏ ପଦ୍ମମୂଳେ ଅଛି । ଏମନ୍ତ ମନେମନେ ଲକ୍ଷି ॥ ୭୮
କେବେହେଁ ହେଜି ନ ପାରିଲା । ଏମନ୍ତେ କେତେକାଳ ଗଲା ॥ ୭୯
ପୁଣି ଚାହିଁଲା ମନଦୁଃଖେ । ନିଜ ଆସନେ ଅଧୋମୁଖେ ॥ ୮୦
ତଳେ ଦେଖିଲା ପଦ୍ମନାଳ । ତା ମଧ୍ୟେ ଅନ୍ଧକାର ବିଳ ॥ ୮୧
ବିଚାରେ ଏହିମାର୍ଗେ ଯିବି । କାହୁଁ ଅଇଲି ତା ଦେଖିବି ॥ ୮୨
ଏମନ୍ତେ ବିଚାରି ସଂଶୟେ । ବିଳେ ପଶିଲା ମହାଭୟେ ॥ ୮୩
ସେ ବିଳମାର୍ଗେ ନାଭିପଥେ । ପଶିଲା ବିଷ୍ଣୁ-ଗର୍ଭଗତେ ॥ ୮୪
ଅନେକ କାଳ ଗର୍ଭେ ଭ୍ରମି । ଫୁଟି ହୋଇଲା ପଥଶ୍ରମୀ ॥ ୮୫
ଯେ କାଳ ଜନ୍ତୁଙ୍କର ପ୍ରାଣ । ବଳେ ହରଇ ଅନୁକ୍ଷଣ ॥ ୮୬
ସେ କାଳବଳ-କରଷଣେ । ବାହାର ହୋଇଲା ତକ୍ଷଣେ ॥ ୮୭
ମନ-କଳ୍ପିତ ନ ପାଇଲା । ନିଜ ଆସନେ ବିଜେ କଲା ॥ ୮୮
ସ୍ଥିର-ନିଃଶ୍ୱାସ ଦୃଢେ଼ ଧରି । ମନ-ପବନ ହୃଦେ ଭରି ॥ ୮୯
ନିବୃତ୍ତଚିତ୍ତେ ପ୍ରଜାପତି । ଯୋଗ ଅଭ୍ୟାସେ କଲା ମତି ॥ ୯୦
ସେ ଶତେବର୍ଷ କାଳଭୋଗେ । ଲଭିଲା ବୋଧ ନିଷ୍ଠାଯୋଗେ ॥ ୯୧
ତାର ହୃଦୟେ ବିଷ୍ଣୁଭାବେ । ପ୍ରକାଶେ ସୃଷ୍ଟିଅର୍ଥ ଲାଭେ ॥ ୯୨
ପୂର୍ବେ ଯାହାକୁ ମହାଜଳେ । ଖୋଜି ନ ଦେଖିଲା ନିଶ୍ଚଳେ ॥ ୯୩
ତାହାକୁ ଆପଣା ହୃଦୟେ । ଦେଖେ ସମାଧିଯୋଗଧ୍ୟାୟେ ॥ ୯୪
ମୃଣାଣ-ଗୌର ଦେହକାନ୍ତି । ଅନନ୍ତ-ଶୟନେ ଶ୍ରୀପତି ॥ ୯୫
ଏକା ଅଛନ୍ତି ନାହିଁ କେହି । ଦେଖେ ନିଶ୍ଚଳ-ନେତ୍ରେ ଚାହିଁ ॥ ୯୬
ଫଣାସହସ୍ର ଊର୍ଦ୍ଧ୍ୱ ଜ୍ୟୋତି । ରତ୍ନସମୂହେ ଝଟକନ୍ତି ॥ ୯୭
ଯୁଗାନ୍ତ-ଜଳ-ଅନ୍ଧକାର । ସେ ରତ୍ନଜ୍ୟୋତି କରେ ଦୂର ॥ ୯୮
ମର୍କତଗିରି ନିନ୍ଦେ ରୂପ । ସନ୍ଧ୍ୟାଭ୍ର ଜିଣି ପୀତାଂଶୁକ ॥ ୯୯
ସୁବର୍ଣ୍ଣ-ଶୃଙ୍ଗ ତିରସ୍କାର । କରେ ମୁକୁଟ ଶିରପର ॥ ୧୦୦
ପର୍ବତ ବେଣୁବୃକ୍ଷ ଶୋଭା । ନିନ୍ଦଇ ଭୁଜପାଦ ପ୍ରଭା ॥ ୧୦୧
ରତ୍ନଔଷଧି ଜଳ ପୁଷ୍ପେ । ଗିରିଭୂଷଣ ମାଳ ରୂପେ ॥ ୧୦୨
ତାହାକୁ ବଳି ହରିଗଳେ । ରତ୍ନତୁଳସୀ ମୁକ୍ତାଫଳେ ॥ ୧୦୩
ମହାପୁରୁଷ ବିଷ୍ଣୁରୂପେ । ସ୍ୱୟଂ ପ୍ରକାଶ ମହାକଳ୍ପେ ॥ ୧୦୪
ପ୍ରକାଶ ଅଛଇ ବିସ୍ତାରେ । ତ୍ରିଲୋକ ପ୍ରକାଶ ଶରୀରେ ॥ ୧୦୫
ଦିବ୍ୟ ବିଚିତ୍ର ଆଭରଣେ । ପ୍ରକାଶେ ବସ୍ତ୍ର ଆଚ୍ଛାଦନେ ॥ ୧୦୬
ସର୍ବସୁନ୍ଦରର ସମୂହେ । ତେଜ ପ୍ରକାଶେ ବିଶ୍ୱଦେହେ ॥ ୧୦୭
ମିଳି ସକଳ ମହାଜନେ । ନିଜ ବାଞ୍ଛିତ ଆତ୍ମାଧ୍ୟାନେ ॥ ୧୦୮
ଯେ କାମ ଯେ କରନ୍ତି ଧ୍ୟାୟେ । ତାହାଙ୍କୁ କାମଧେନୁ ପ୍ରାୟେ ॥ ୧୦୯
ଦୟାସାଗର ଭଗବାନ । ବ୍ରହ୍ମାଙ୍କୁ ଦେଲେ ଦରଶନ ॥ ୧୧୦
ଅଙ୍ଗୁଳି ଅଗ୍ରେ ନଖକାନ୍ତି । ଶଶାଙ୍କପ୍ରାୟ ଝଟକନ୍ତି ॥ ୧୧୧
ସ୍ଫୁରିତ ଦିଶେ ହାସ୍ୟମୁଖ । ଦେଖନ୍ତେ ହରେ ପ୍ରାଣୀଦୁଃଖ ॥ ୧୧୨
କର୍ଣ୍ଣେ କୁଣ୍ତଳବେନି ଶୋହେ । ଚନ୍ଦ୍ର-ତପନ ସମ ନୋହେ ॥ ୧୧୩
ଶୋଣ-ଅରୁଣ ଓଷ୍ଠବେନି । ବିରାଜେ ଦନ୍ତପନ୍ତି ଘେନି ॥ ୧୧୪
ପଦମ୍ବପୁଷ୍ପ ତେଜ ପ୍ରାୟେ । ପୀତବସନ କଟୀ ଶୋହେ ॥ ୧୧୫
ରତ୍ନମେଖଳା ତେଜ ଦମ୍ଭେ । ସୁନ୍ଦର ବିରାଜେ ନିତମ୍ବେ ॥ ୧୧୬
ଅଷ୍ଟରତନ ବନମାଳ । ଲମ୍ବେ ଶ୍ରୀବତ୍ସ-ବକ୍ଷସ୍ଥଳ ॥ ୧୧୭
ହାରକେୟୂର ରତ୍ନମାଳ । ସୁନ୍ଦର ଅଳକା କପୋଳ ॥ ୧୧୮
ଭୁଜସହସ୍ର ଜାନୁଯାଏ । ଲମ୍ବେ ଶ୍ରୀବଟ ରୁହ ପ୍ରାୟେ ॥ ୧୧୯
ସର୍ବ-ଭୁବନ ତାର ଦେହେ । ବିରାଜେ ପୁଷ୍ପକଣା ପ୍ରାୟେ ॥ ୧୨୦
ଅଦୃଶ୍ୟ ମୂଳ ତା ସ୍ୱଭାବ । କେ ଅବା ଲୋଚନେ ଦେଖିବ ॥ ୧୨୧
ମନ୍ଦରଗିରି ଯେହ୍ନେ ଜଳେ । କ୍ଷୀରୋଦ-ମନ୍ଥନର କାଳେ ॥ ୧୨୨
ସହସ୍ରଶୃଙ୍ଗ ପ୍ରାୟ ସାଜେ । ସୁରତ୍ନ କିରୀଟ ବିରାଜେ ॥ ୧୨୩
କଣ୍ଠେ କୌସ୍ତୁଭମଣି ଶୋହେ । ରତ୍ନପ୍ରଭାରେ ମନ ମୋହେ ॥ ୧୨୪
ସୁକୀର୍ତ୍ତିମୟି ବନମାଳ । ଲମ୍ବେ ସୁନ୍ଦର-ବକ୍ଷସ୍ଥଳ ॥ ୧୨୫
ଗନ୍ଧେ ଆବୃତ୍ତ ଭୃଙ୍ଗପନ୍ତି । ସୂର୍ଯ୍ୟ-ଶଶାଙ୍କ-ଅଗ୍ନିଜ୍ୟୋତି ॥ ୧୨୬
ସେ ପୁଣି ଚାହାଁନ୍ତେ ନିରୋଳେ । ଆତ୍ମାକୁ ତା ନାଭି କମଳେ ॥ ୧୨୭
ପବନ ଗଗନ ସଲିଳ । ବିଧାତା ଦେଖେ ଦେହେ ତାର ॥ ୧୨୮
ରଜୋଗୁଣରେ ଯୁକ୍ତ ହୋଇ । ପ୍ରଜା-ସୃଜନେ ମନଦେଇ ॥ ୧୨୯
ଲୋକ-ବିସୃଷ୍ଟି ଦେହେ ଦେଖି । ବିଧାତା ଆସନ ଉପେକ୍ଷି ॥ ୧୩୦
କରଯୁଗଳ ଦେଇ ମୁଣ୍ତେ । ସ୍ତୁତି କରଇ ଚାରିତୁଣ୍ତେ ॥ ୧୩୧
ସେ ହରି-ଚରଣେ ବିଶ୍ୱାସ । ନମଇଁ ଜଗନ୍ନାଥ ଦାସ ॥ ୧୩୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ଅଷ୍ଟମୋଽଧ୍ୟାୟଃ ॥
* * *