ତୃତୀୟ ସ୍କନ୍ଧ

ଅଷ୍ଟମ ଅଧ୍ୟାୟ

ଶୁକ ଉବାଚ

ବିଦୁର ବାକ୍ୟ ଶୁଣି କ‰ର୍ଣ୍ଣେ । ମୈତ୍ରେୟ ଆନନ୍ଦିତ ମନେ ॥

କୃଷ୍ଣ-ଚରଣ-ଯୁଗ ଧ୍ୟାୟି । କହନ୍ତି ବିଦୁରକୁ ଚାହିଁ ॥

ମୈତ୍ରେୟ ଉବାଚ

ଶୁଣ ବିଦୁର ଶୁଦ୍ଧଚେତା । ସୁପୁଣ୍ୟ ପରୀକ୍ଷିତ-ଗାଥା ॥

ତୋହର ଜନ୍ମ ପୁରୁବଂଶେ । ପରମ-ଭାଗବତ-ଅଂଶେ ॥

ଯାହା ମହିମା ଶୁଣି କ‰ର୍ଣ୍ଣେ । ସେବା କରନ୍ତି ସାଧୁଜନେ ॥

ଯହିଁ ତୁ ଲୋକପାଳ ଯମ । ସାକ୍ଷାତେ ହୋଇଲୁ ଜନମ ॥

ଭକ୍ତଜନଙ୍କ ଶିରୋମଣି । ତୋ’ର ସକାଶୁ ଜନ ଶୁଣି ॥

କହ ସଂସାରେ କୃଷ୍ଣଲୀଳା । ବିଶ୍ୱମଙ୍ଗଳ କୀର୍ତ୍ତିମାଳା ॥

ନିରତେ ନବ ନବ ମଣେ । ତୋଷ ନ ଲଭେ ପ୍ରତିକ୍ଷଣେ ॥

ତା’ର ମହିମା ତୋ’ ସମ୍ମୁଖେ । କହିବି ଭକ୍ତଜନ-ସୁଖେ ॥ ୧୦

ଦୁଃଖ-ସମୁଦ୍ରେ ସୁଖ ପ୍ରାୟେ । ନିରତେ ମନ ଯା’ର ଧାଏଁ ॥ ୧୧

ତାହାଙ୍କ ନିସ୍ତାରଣ ଅର୍ଥେ । ଶୁଣ କହିବା ତୋ’ ଅଗ୍ରତେ ॥ ୧୨

ଶ୍ରୀଭାଗବତ ରସସାର । ଋଷିଙ୍କି ଦେଲେ ଚକ୍ରଧର ॥ ୧୩

ଶୁଣ ବିଦୁର ସାବଧାନେ । ବ୍ରହ୍ମାର ପୁତ୍ରେ ଏକଦିନେ ॥ ୧୪

ସନକ ଆଦି ସପ୍ତଭ୍ରାତେ । ମିଳିଲେ ଅନନ୍ତ ଅଗ୍ରତେ ॥ ୧୫

ରତ୍ନଆସନେ ଭୂମିଗତେ । ବସି ଅଛନ୍ତି ଶୁଦ୍ଧ ଚିତ୍ତେ ॥ ୧୬

ଆଦି ଅନନ୍ତ ରୂପସାର । ଅକୁଣ୍ଠ-ମହିମା ଯାହାର ॥ ୧୭

ତା’ଙ୍କ ସମୀପେ ସପ୍ତଭ୍ରାତେ । ମିଳିଲେ ଜ୍ଞାନ-ପ୍ରଶ୍ନ ଅର୍ଥେ ॥ ୧୮

ପରମପଦେ କରି ଇଚ୍ଛା । ଏକୁ ଅନେକ କଲେ ପୁଚ୍ଛା ॥ ୧୯

ସ୍ୱଭାବେ ସ୍ଥିର ଯା’ ଶରୀର । ଦେବମାନବେ ଅଗୋଚର ॥ ୨୦

ସର୍ବେ କରନ୍ତି ବହୁ ମାନ୍ୟ । ଧ୍ୟାନେ ତରନ୍ତି ସଙ୍କର୍ଷଣ ॥ ୨୧

ମୃଣାଳ-କୋଷ ପ୍ରାୟ ଦେହୀ । ଉନ୍ମୀଳ ଚକ୍ଷୁଯୁଗ ବହି ॥ ୨୨

ବିବୁଧଜନଙ୍କ ଆନନ୍ଦେ । ସୁଖେ ନିଶ୍ଚଳ ଯୋଗାନନ୍ଦେ ॥ ୨୩

ନିର୍ମଳ ଭୋଗବତୀ ନୀରେ । ଧୌତ କବରୀଭାର ଶିରେ ॥ ୨୪

ସେ ଜଟାକଳାପେ ଚରଣ । ପଦ୍ମେ ନମନ୍ତି ମୁନିଗଣ ॥ ୨୫

ଯେ ପାଦେ ନାଗଙ୍କ କାମିନୀ । ବିବିଧ-ଉପାୟନ ଘେନି ॥ ୨୬

ସେବନ୍ତି ଯେଉଁ ପାଦଗତେ । ଉମ-ବର-ପ୍ରାପ୍ତି ଅର୍ଥେ ॥ ୨୭

ସୁସ୍ୱର-ରୀତନାଦ-ଧ୍ୱନି । ସ୍ୱଭାବେ ଅନୁରାଗ ଘେନି ॥ ୨୮

ଯାହାର କର୍ମ ଦୃଢ଼ଚିତ୍ତେ । ଗାୟନ କରନ୍ତି ନିରତେ ॥ ୨୯

ଜାଣନ୍ତି ଲୀଳା-ତତ୍ତ୍ବଜ୍ଞାନ । ନିର୍ମଳ ମନେ ନିତ୍ୟେ ଧ୍ୟାନ ॥ ୩୦

ସେ ଦେବ ସହସ୍ରଶୀରଷ । କିରୀଟ ମଣିମୟ ତ୍ରାସ ॥ ୩୧

ଫଣାସହସ୍ରେ ଶୋଭା କରେ । ଆଦିତ୍ୟ ଯେସନେ ଅମ୍ବରେ ॥ ୩୨

ତା’ର ଚରଣ-ରଜ ଶିରେ । ସନକ୍ରୁମାର ଧରି କରେ ॥ ୩୩

ପୁଚ୍ଛିଲେ ସାର-ତତ୍ତ୍ବଜ୍ଞାନ । ଯା’ ଶୁଣି ନିସ୍ତରିବେ ଜନ ॥ ୩୪

ନିବୃତ୍ତି-ଧର୍ମେ ଦେଖି ଚିତ୍ତ । ଏହାଙ୍କୁ କହିଲେ ଅନନ୍ତ ॥ ୩୫

ସେ ପୁଣି ପ୍ରଶ୍ନ ଅନୁରାଗେ । କହିଲେ ସାଂଖ୍ୟାୟନ ଆଗେ ॥ ୩୬

ସେ ସାଂଖ୍ୟାୟନ ଯୋଗ ଧ୍ୟାୟେ । ପରମହଂସ-ଦୀକ୍ଷା ବହେ ॥ ୩୭

ସେ ପୁଣି ଦୟା-ଶୁଦ୍ଧଚିତ୍ତେ । ସଂସାରେ ନିସ୍ତାରଣ ଅର୍ଥେ ॥ ୩୮

କୃଷ୍ଣ-ମହିମା ପରିମାଣି । ନିର୍ମଳ-ଭାଗବତ-ବାଣୀ ॥ ୩୯

କୃଷ୍ଣ-ଭକତି ଅନୁରାଗେ । କହିଲେ ମୋ’ର ଗୁରୁ ଆଗେ ॥ ୪୦

ଆବର ବୃହସ୍ପତି ଆଗେ । ଦେବସମୂହ ପ୍ରିୟଭାବେ ॥ ୪୧

ସେ ପରାଶର ମହାମୁନି । ପୌଲସ୍ତ୍ୟ ମୁନି ଆଜ୍ଞା ଘେନି ॥ ୪୨

ଦୟାଳୁ ମୁନି ପରାଶର । କହିଲେ ମୋହର ଆଗର ॥ ୪୩

ବ୍ରହ୍ମ-ଗୁପତ-ବାଣୀ ଏବେ । ଶୁଣ କହିବା ତୋତେ ଭାବେ ॥ ୪୪

ତୁ ଶ୍ରଦ୍ଧାଯୁତ ଅନୁଗତ । ଶୁଣ କହିବି ଭାଗବତ ॥ ୪୫

ତୁ ଶୁଦ୍ଧଚିତ୍ତେ ବତ୍ସ› ଶୁଣ । ଏ ଆଦି ପରମ-ପୁରାଣ ॥ ୪୬

ଯେ ବିଶ୍ୱସୃଷ୍ଟି ପୂର୍ବେ ଥିଲା । ପ୍ରଳୟ-ଜଳେ ନାଶ ଗଲା ॥ ୪୭

ପରମସୁଖେ ଭଗବାନ । ନିଦ୍ରାରେ ମୁଦ୍ରିତ ନୟନ ॥ ୪୮

ପ୍ରଳୟ-ଜଳନିଧି ମଧ୍ୟେ । ଅନନ୍ତ-ଶୟନେ ଆନନ୍ଦେ ॥ ୪୯

ଶୋଇଲେ ଏକରୂପ ହୋଇ । ସଙ୍ଗେ ସଙ୍ଗତି ନାହିଁ କେହି ॥ ୫୦

ନିଶ୍ଚେଷ୍ଟ-ଆତ୍ମସୁଖେ ରତ । ଭୂତେ ନିବେଶି ପଞ୍ଚଭୂତ ॥ ୫୧

ଆତ୍ମା ଆଶ୍ରିତ ସୂକ୍ଷ୍ମଭୂତେ । କାଳାତ୍ମା ଶକ୍ତିର ଆୟତ୍ତେ ॥ ୫୨

ଚେଷ୍ଟା ରହିତ ଭଗବାନ । ଦାରୁରେ ଯେହ୍ନେ ହୁତାଶନ ॥ ୫୩

ସେ ରୂପ ବାହ୍ୟବୃତ୍ତି ଶୂନ୍ୟ । ଜଳରେ କଲେ ସେ ଶୟନ ॥ ୫୪

ବିଷ୍ଣୁ-ରଜନୀ ପ୍ରକାଶିଲା । ଚାରିସହସ୍ର ଯୁଗ ଗଲା ॥ ୫୫

ଜଳେ ଶୟନ ଭଗବାନ । ଯେ ଆତ୍ମଶକ୍ତିର ନିଦାନ ॥ ୫୬

ତା’ର ଆୟତ୍ତ କାଳବଳେ । ସୃଷ୍ଟିସମୟ ସୁମରିଲେ ॥ ୫୭

ପୂର୍ବ-ଜୀବଙ୍କୁ ଦେହେ ଚାହିଁ । ସେ ପୁଣି କର୍ମତନ୍ତ୍ର ହୋଇ ॥ ୫୮

ତାହାଙ୍କ ଅବତାର ଅର୍ଥ । ସୂକ୍ଷ୍ମେ ନିବେଶି ଦୃଷ୍ଟିପଥ ॥ ୫୯

କ୍ଷୋଭିତ-ସୃଷ୍ଟିର କାରଣେ । ସ୍ୱୟଂ ପ୍ରବେଶି ରଜୋଗୁଣେ ॥ ୬୦

ସେ କାଳବଳର ବିଶ୍ୱାସେ । ମିଳିଲେ ବିଷ୍ଣୁ-ନାଭିଦେଶେ ॥ ୬୧

ସେ ନାଭିମଧ୍ୟୁ ପଦ୍ମକୋଷ । ତକ୍ଷଣେ ହୋଇଲା ପ୍ରକାଶ ॥ ୬୨

ସେ ପଦ୍ମ କାଳକର୍ମ ବଳେ । ରୂପ ବିରାଜେ ମହାଜଳେ ॥ ୬୩

ଉଦିତ-ରବି ପ୍ରାୟେ ମାନି । ଜଳେ ପ୍ରକାଶ ଆତ୍ମଯୋନି ॥ ୬୪

ସେ ଲୋକପଦ୍ମେ ନାରାୟଣ । ସ୍ୱୟଂପ୍ରବେଶ ରଜୋଗୁଣ ॥ ୬୫

ସକଳଗୁଣେ ସେ ପ୍ରକାଶ । ସହସ୍ରରବି ଜିଣି ତ୍ରାସ ॥ ୬୬

ସେ ପଦ୍ମକ‰ର୍ଣ୍ଣିକାର ମଧ୍ୟେ । ବ୍ରହ୍ମା ପ୍ରକାଶ ବେଦପଦେ ॥ ୬୭

ବିଧାତା ନାମ ସେ ବୋଲାଇ । ଯା’ର ଶରୀର କର୍ମମୟୀ ॥ ୬୮

ସ୍ୱୟମ୍ଭୁ ନାମ ସେ ସ୍ୱଭାବେ । ଉଦୟ ନିଜ କର୍ମଲାଭେ ॥ ୬୯

ସେ ପଦ୍ମମଧ୍ୟେ ବ୍ରହ୍ମା ରହେ । ବସି ସକଳଦିଗେ ଚାହେଁ ॥ ୭୦

ନ ଦେଖି ଲୋକଙ୍କ ଉଦ୍ଦେଶ୍ୟ । ତକ୍ଷଣେ ଚାହିଁଲା ଆକାଶ ॥ ୭୧

ହୋଇଲା ତା’ର ଚାରିମୁଖ । କେବେହେଁ ନ ଲଭଇ ସୁଖ ॥ ୭୨

ପ୍ରଳୟ-ପବନର ବଳେ । ଲହରୀ ଭ୍ରମ ମହାଜଳେ ॥ ୭୩

ଆତ୍ମାକୁ ନ ଜାଣଇ ଭଲେ । ଯେ ଲୋକତତ୍ତ୍ବ ପଦ୍ମତୁଲେ ॥ ୭୪

କାହୁଁ ଅଇଲି କେଉଁ ଦେଶ । ନ ଜାଣି ଆତ୍ମାର ବିଶେଷ ॥ ୭୫

ଏ ପଦ୍ମ କାହୁଁ ଉପୁଜିଲା । କିବା ଏ ଜଳମଧ୍ୟେ ଥିଲା ॥ ୭୬

ସ୍ଥଳ ନ ଥିଲେ ଜଳ କାହିଁ । ଏମନ୍ତ ମନେ ବିଚାରଇ ॥ ୭୭

କିବା ଏ ପଦ୍ମମୂଳେ ଅଛି । ଏମନ୍ତ ମନେମନେ ଲକ୍ଷି ॥ ୭୮

କେବେହେଁ ହେଜି ନ ପାରିଲା । ଏମନ୍ତେ କେତେକାଳ ଗଲା ॥ ୭୯

ପୁଣି ଚାହିଁଲା ମନଦୁଃଖେ । ନିଜ ଆସନେ ଅଧୋମୁଖେ ॥ ୮୦

ତଳେ ଦେଖିଲା ପଦ୍ମନାଳ । ତା’ ମଧ୍ୟେ ଅନ୍ଧକାର ବିଳ ॥ ୮୧

ବିଚାରେ ଏହିମାର୍ଗେ ଯିବି । କାହୁଁ ଅଇଲି ତା’ ଦେଖିବି ॥ ୮୨

ଏମନ୍ତେ ବିଚାରି ସଂଶୟେ । ବିଳେ ପଶିଲା ମହାଭୟେ ॥ ୮୩

ସେ ବିଳମାର୍ଗେ ନାଭିପଥେ । ପଶିଲା ବିଷ୍ଣୁ-ଗର୍ଭଗତେ ॥ ୮୪

ଅନେକ କାଳ ଗର୍ଭେ ଭ୍ରମି । ଫୁଟି ହୋଇଲା ପଥଶ୍ରମୀ ॥ ୮୫

ଯେ କାଳ ଜନ୍ତୁଙ୍କର ପ୍ରାଣ । ବଳେ ହରଇ ଅନୁକ୍ଷଣ ॥ ୮୬

ସେ କାଳବଳ-କରଷଣେ । ବାହାର ହୋଇଲା ତକ୍ଷଣେ ॥ ୮୭

ମନ-କଳ୍ପିତ ନ ପାଇଲା । ନିଜ ଆସନେ ବିଜେ କଲା ॥ ୮୮

ସ୍ଥିର-ନିଃଶ୍ୱାସ ଦୃଢେ଼ ଧରି । ମନ-ପବନ ହୃଦେ ଭରି ॥ ୮୯

ନିବୃତ୍ତଚିତ୍ତେ ପ୍ରଜାପତି । ଯୋଗ ଅଭ୍ୟାସେ କଲା ମତି ॥ ୯୦

ସେ ଶତେବର୍ଷ କାଳଭୋଗେ । ଲଭିଲା ବୋଧ ନିଷ୍ଠାଯୋଗେ ॥ ୯୧

ତା’ର ହୃଦୟେ ବିଷ୍ଣୁଭାବେ । ପ୍ରକାଶେ ସୃଷ୍ଟିଅର୍ଥ ଲାଭେ ॥ ୯୨

ପୂର୍ବେ ଯାହାକୁ ମହାଜଳେ । ଖୋଜି ନ ଦେଖିଲା ନିଶ୍ଚଳେ ॥ ୯୩

ତାହାକୁ ଆପଣା ହୃଦୟେ । ଦେଖେ ସମାଧିଯୋଗଧ୍ୟାୟେ ॥ ୯୪

ମୃଣାଣ-ଗୌର ଦେହକାନ୍ତି । ଅନନ୍ତ-ଶୟନେ ଶ୍ରୀପତି ॥ ୯୫

ଏକା ଅଛନ୍ତି ନାହିଁ କେହି । ଦେଖେ ନିଶ୍ଚଳ-ନେତ୍ରେ ଚାହିଁ ॥ ୯୬

ଫଣାସହସ୍ର ଊର୍ଦ୍ଧ୍ୱ ଜ୍ୟୋତି । ରତ୍ନସମୂହେ ଝଟକନ୍ତି ॥ ୯୭

ଯୁଗାନ୍ତ-ଜଳ-ଅନ୍ଧକାର । ସେ ରତ୍ନଜ୍ୟୋତି କରେ ଦୂର ॥ ୯୮

ମର୍କତଗିରି ନିନ୍ଦେ ରୂପ । ସନ୍ଧ୍ୟାଭ୍ର ଜିଣି ପୀତାଂଶୁକ ॥ ୯୯

ସୁବ‰ର୍ଣ୍ଣ-ଶୃଙ୍ଗ ତିରସ୍କାର । କରେ ମୁକୁଟ ଶିରପର ॥ ୧୦୦

ପର୍ବତ ବେଣୁବୃକ୍ଷ ଶୋଭା । ନିନ୍ଦଇ ଭୁଜପାଦ ପ୍ରଭା ॥ ୧୦୧

ରତ୍ନଔଷଧି ଜଳ ପୁଷ୍ପେ । ଗିରିଭୂଷଣ ମାଳ ରୂପେ ॥ ୧୦୨

ତାହାକୁ ବଳି ହରିଗଳେ । ରତ୍ନତୁଳସୀ ମୁକ୍ତାଫଳେ ॥ ୧୦୩

ମହାପୁରୁଷ ବିଷ୍ଣୁରୂପେ । ସ୍ୱୟଂ ପ୍ରକାଶ ମହାକଳ୍ପେ ॥ ୧୦୪

ପ୍ରକାଶ ଅଛଇ ବିସ୍ତାରେ । ତ୍ରିଲୋକ ପ୍ରକାଶ ଶରୀରେ ॥ ୧୦୫

ଦିବ୍ୟ ବିଚିତ୍ର ଆଭରଣେ । ପ୍ରକାଶେ ବସ୍ତ୍ର ଆଚ୍ଛାଦନେ ॥ ୧୦୬

ସର୍ବସୁନ୍ଦରର ସମୂହେ । ତେଜ ପ୍ରକାଶେ ବିଶ୍ୱଦେହେ ॥ ୧୦୭

ମିଳି ସକଳ ମହାଜନେ । ନିଜ ବା‚ଞ୍ଛିତ ଆତ୍ମାଧ୍ୟାନେ ॥ ୧୦୮

ଯେ କାମ ଯେ କରନ୍ତି ଧ୍ୟାୟେ । ତାହାଙ୍କୁ କାମଧେନୁ ପ୍ରାୟେ ॥ ୧୦୯

ଦୟାସାଗର ଭଗବାନ । ବ୍ରହ୍ମାଙ୍କୁ ଦେଲେ ଦରଶନ ॥ ୧୧୦

ଅଙ୍ଗୁଳି ଅଗ୍ରେ ନଖକାନ୍ତି । ଶଶାଙ୍କପ୍ରାୟ ଝଟକନ୍ତି ॥ ୧୧୧

ସ୍ଫୁରିତ ଦିଶେ ହାସ୍ୟମୁଖ । ଦେଖନ୍ତେ ହରେ ପ୍ରାଣୀଦୁଃଖ ॥ ୧୧୨

କର୍ଣ୍ଣେ କୁŠଣ୍ତଳବେନି ଶୋହେ । ଚନ୍ଦ୍ର-ତପନ ସମ ନୋହେ ॥ ୧୧୩

ଶୋଣ-ଅରୁଣ ଓଷ୍ଠବେନି । ବିରାଜେ ଦନ୍ତପନ୍ତି ଘେନି ॥ ୧୧୪

ପଦମ୍ବପୁଷ୍ପ ତେଜ ପ୍ରାୟେ । ପୀତବସନ କଟୀ ଶୋହେ ॥ ୧୧୫

ରତ୍ନମେଖଳା ତେଜ ଦମ୍ଭେ । ସୁନ୍ଦର ବିରାଜେ ନିତମ୍ବେ ॥ ୧୧୬

ଅଷ୍ଟରତନ ବନମାଳ । ଲମ୍ବେ ଶ୍ରୀବତ୍ସ›-ବକ୍ଷସ୍ଥଳ ॥ ୧୧୭

ହାରକେୟୂର ରତ୍ନମାଳ । ସୁନ୍ଦର ଅଳକା କପୋଳ ॥ ୧୧୮

ଭୁଜସହସ୍ର ଜାନୁଯାଏ । ଲମ୍ବେ ଶ୍ରୀବଟ ରୁହ ପ୍ରାୟେ ॥ ୧୧୯

ସର୍ବ-ଭୁବନ ତା’ର ଦେହେ । ବିରାଜେ ପୁଷ୍ପକଣା ପ୍ରାୟେ ॥ ୧୨୦

ଅଦୃଶ୍ୟ ମୂଳ ତା’ ସ୍ୱଭାବ । କେ ଅବା ଲୋଚନେ ଦେଖିବ ॥ ୧୨୧

ମନ୍ଦରଗିରି ଯେହ୍ନେ ଜଳେ । କ୍ଷୀରୋଦ-ମନ୍ଥନର କାଳେ ॥ ୧୨୨

ସହସ୍ରଶୃଙ୍ଗ ପ୍ରାୟ ସାଜେ । ସୁରତ୍ନ କିରୀଟ ବିରାଜେ ॥ ୧୨୩

କଣ୍ଠେ କୌସ୍ତୁଭମଣି ଶୋହେ । ରତ୍ନପ୍ରଭାରେ ମନ ମୋହେ ॥ ୧୨୪

ସୁକୀର୍ତ୍ତିମୟି ବନମାଳ । ଲମ୍ବେ ସୁନ୍ଦର-ବକ୍ଷସ୍ଥଳ ॥ ୧୨୫

ଗନ୍ଧେ ଆବୃତ୍ତ ଭୃଙ୍ଗପନ୍ତି । ସୂର୍ଯ୍ୟ-ଶଶାଙ୍କ-ଅଗ୍ନିଜ୍ୟୋତି ॥ ୧୨୬

ସେ ପୁଣି ଚାହାଁନ୍ତେ ନିରୋଳେ । ଆତ୍ମାକୁ ତା’ ନାଭି କମଳେ ॥ ୧୨୭

ପବନ ଗଗନ ସଲିଳ । ବିଧାତା ଦେଖେ ଦେହେ ତା’ର ॥ ୧୨୮

ରଜୋଗୁଣରେ ଯୁକ୍ତ ହୋଇ । ପ୍ରଜା-ସୃଜନେ ମନଦେଇ ॥ ୧୨୯

ଲୋକ-ବିସୃଷ୍ଟି ଦେହେ ଦେଖି । ବିଧାତା ଆସନ ଉପେକ୍ଷି ॥ ୧୩୦

କରଯୁଗଳ ଦେଇ ମୁଣ୍ତେ । ସ୍ତୁତି କରଇ ଚାରିତୁଣ୍ତେŠ ॥ ୧୩୧

ସେ ହରି-ଚରଣେ ବିଶ୍ୱାସ । ନମଇଁ ଜଗନ୍ନାଥ ଦାସ ॥ ୧୩୨

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ତୃତୀୟସ୍କନ୍ଧେ ଅଷ୍ଟମୋଽଧ୍ୟାୟଃ ॥

* * *