ତୃତୀୟ ସ୍କନ୍ଧ

ସପ୍ତମ ଅଧ୍ୟାୟ

ଶୁକ ଉବାଚ

ଏମନ୍ତେ ମଇତ୍ରେୟ ବାଣୀ । ବିଦୁର ଦୃଢ଼ଚିତ୍ତେ ଶୁଣି ॥

ଆନନ୍ଦମନେ ବ୍ୟାସସୁତ । କପୋଳେ ଦେଇ ବେନିହସ୍ତ ॥

ରୋମପୁଲକ ତା’ର ଦେହୀ । ପୁଚ୍ଛେ ମୈତ୍ରେୟ ମୁଖ ଚାହିଁ ॥

ବିଦୁର ଉବାଚ

ଭୋ ମୁନି ଏ ତ ବିପରୀତ । ଭ୍ରମେ ଭ୍ରମଇ ମୋ’ର ଚିତ୍ତ ॥

ସେ ହରି ସ୍ୱଭାବେ ନିର୍ଗୁଣ । ଚିନ୍ମାତ୍ର ପରମ-କାରଣ ॥

ଲୀଳା-ବିହାରେ-ଗୁଣ କ୍ରିୟା । କି ରୂପେ ସର୍ଜେ ତାରମାୟା ॥

ବାଳକ କ୍ରୀଡ଼ାଭାବ ଯେହ୍ନେ । ଏ ତ ନ ଘଟେ ଅନୁମାନେ ॥

ଇଚ୍ଛା-ସ୍ୱଭାବେ ଖେଳତା’ର । ଏ ନୋହେ ମୋହର ଗୋଚର ॥

ଯେ ନିଦ୍ରାଗତ ନିଜ ସୁଖେ । ସେ କିପାଁ ମିଶେ ଏତେ ଦୁଃଖେ ॥

ଯେ ଗୁଣମୟୀ ମାୟାବଳେ । ବିଶ୍ୱସର୍ଜଇ ଅବହେଳେ ॥ ୧୦

ପୁଣି ପାଳିଣ କରେ ଅନ୍ତ । ବ୍ୟାପାରୀ ପୁରୁଷ ଯେମନ୍ତ ॥ ୧୧

ଯେ ଜୀବଆତ୍ମା ବ୍ରହ୍ମମୟେ । କିପାଁ ଅବିଦ୍ୟା ସଙ୍ଗହୋଏ ॥ ୧୨

କର୍ମ କରଇ ନାନାମତେ । ଯେ ଦେଶକାଳପାତ୍ର ଅର୍ଥେ ॥ ୧୩

କେମନ୍ତେ ସୃଷ୍ଟି ସେ କରଇ । ସେ କର୍ମ ତା’କୁ ନ ଲାଗଇ ॥ ୧୪

ମାୟା ସଂଯୋଗେ ନିପାତଇ । ଅନ୍ୟ ପୁରୁଷ ପ୍ରାୟ ହୋଇ ॥ ୧୫

ସେ ଏକ ସର୍ବ ଆତ୍ମାଗତି । ସକଳ କ୍ଷେତ୍ରେ ତା’ର ସ୍ଥିତି ॥ ୧୬

କର୍ମରୁ ସୁଖ-କ୍ଳେଶ ସ୍ଫୁରେ । ସେ କିପାଁ ଏ କର୍ମେ ବିହରେ ॥ ୧୭

ଅଜ୍ଞାନ-ସଙ୍କଟେ ମୋ’ ମନ । ପଡ଼ି ଭାଳଇ ଛନ୍ନଛନ୍ନ ॥ ୧୮

ଏଣୁ ମୋ’ ମନେ ଯେତେ ଖେଦ । ଜ୍ଞାନ-ଖଡ଼ଗେ ମୁନି ଛେଦ ॥ ୧୯

ଶୁକ ଉବାଚ

କହନ୍ତି ଶୁକ ମୁନିବର । ଶୁଣ ପରୀକ୍ଷ ଦଣ୍ତŠଧର ॥ ୨୦

ଏମନ୍ତେ ବିଦୁରର ବାଣୀ । ସାନନ୍ଦେ ମଇତ୍ରେୟ ଶୁଣି ॥ ୨୧

ବିଷ୍ଣୁ-ଚିନ୍ତନ ଅନୁରାଗେ । ହସି କହନ୍ତି ତା’ର ଆଗେ ॥ ୨୨

ମୈତ୍ରେୟ ଉବାଚ

ସେ ବିଷ୍ଣୁ ମାୟାମୟ ଦେହୀ । ଏମନ୍ତେ ମନକୁ ମୋହଇ ॥ ୨୩

ଈଶ୍ୱର ସ୍ୱଭାବେ ବିମୁକ୍ତ । ତା’ର ବନ୍ଧନ ମାୟା ମାତ୍ର ॥ ୨୪

ଯେସନେ ସ୍ୱପ୍ନେ ଅନୁମାନ । ହୁଅଇ ମସ୍ତକ ଛେଦନ ॥ ୨୫

ସେ ରୂପେ ଆତ୍ମାର ବନ୍ଧନ । ଅସତ୍ୟ ସତ୍ୟ ପ୍ରାୟେ ଜାଣ ॥ ୨୬

ଆତ୍ମାର ବିପରୀତ ଭାବେ । ଈଶ୍ୱର ଈଶ୍ୱର ସ୍ୱଭାବେ ॥ ୨୭

ଶରୀର ଭେଦେ ଇଚ୍ଛାକରେ । ଯେସନେ ଦର୍ପଣ ଭିତରେ ॥ ୨୮

ଦେଖନ୍ତା ପୁରୁଷକୁ ମୋହେ । ତା’ର ବିକାର ଦେହେ ବହେ ॥ ୨୯

କର୍ମ କରନ୍ତେ ସେ କରଇ । ସେ ଯେହ୍ନେ ତା’କୁ ନ ଲାଗଇ ॥ ୩୦

ଏମନ୍ତେ କୃଷ୍ଣ-ମାୟାବଳେ । ଚନ୍ଦ୍ରର ଛାୟା ଯେହ୍ନେ ଜଳେ ॥ ୩୧

ଜଳ କମ୍ପନେ ସେ କମ୍ପଇ । ସେ ଯେହ୍ନେ ତା’କୁ ନ ଲାଗଇ ॥ ୩୨

ତେମନ୍ତେ ଜୀବ ମାୟାବଳେ । ଆତ୍ମାରେ ନ ରହେ ନିଶ୍ଚଳେ ॥ ୩୩

ଯୋଗୀଏ ଯୋଗଧ୍ୟାନ ବଳେ । ଆତ୍ମାରେ ରହନ୍ତି ନିଶ୍ଚଳେ ॥ ୩୪

ଇନ୍ଦ୍ରିୟ ତା’ଙ୍କୁ ନ ଲାଗନ୍ତି । ଅନ୍ତରେ ନିଶ୍ଚଳେ ରହନ୍ତି ॥ ୩୫

ବିଷ୍ଣୁର ପାଦ ସେହି ମତେ । ଯେବା ଚିନ୍ତନ୍ତି ଅବିରତେ ॥ ୩୬

ତାହାଙ୍କ ଦେହେ କ୍ଳେଶ ଯେତେ । ଦହନ ହୁଅନ୍ତି ସମସ୍ତେ ॥ ୩୭

ଏଣୁ କୃଷ୍ଣର ଗୁଣଗାଥା । ଯେ ଶୁଣେ ଯେ ଅବା ବକତା ॥ ୩୮

ଅଶେଷ-କ୍ଳେଶ ତା’ଙ୍କ ଦେହେ । ଦହନ ହୋନ୍ତି ତୃଣପ୍ରାୟେ ॥ ୩୯

ସେ ହରି-ପାଦପଦ୍ମ-ଗନ୍ଧେ । ଚିତ୍ତ ଲୋଭିତ ମକରନ୍ଦେ ॥ ୪୦

ନିତ୍ୟେ ପିବନ୍ତି ଭୃଙ୍ଗ ପ୍ରାୟ । ତା’ଙ୍କୁ ନ ଲାଗେ ଯମଭୟ ॥ ୪୧

ବିଦୁର ଉବାଚ

ଭୋ ମୁନି ତୁମ୍ଭ ବାକ୍ୟ-ଅସି । ମୋ’ ମନ-ସଂଶୟ ବିନାଶି ॥ ୪୨

ଜୀବ-ପରମ ବେନିଭାବେ । ଚିତ୍ତ ମୋ’ ପ୍ରବେଶିଲା ଏବେ ॥ ୪୩

ଅବିଦ୍ୟାମୂଳ ଏ ସଂସାର । ସତ୍ୟ ଏ ବଚନ ତୋହର ॥ ୪୪

ବିଷ୍ଣୁ-ମାୟାରେ ଜୀବ ଭ୍ରମେ । ଅସତ୍ୟ ସତ୍ୟ ପ୍ରାୟ ମଣେ ॥ ୪୫

ସଂସାରେ ମୂଢ଼ ଯେଉଁ ଜନ । ଯେବା ଈଶ୍ୱରେ ଦୃଢ଼ମନ ॥ ୪୬

ଏ ବେନି ସଂସାରୁ ତରନ୍ତି । ମଝିମଝିକା ନାଶ ଯା’ନ୍ତି ॥ ୪୭

ଅନର୍ଥ ଅସତ୍ୟ ସଂସାର । ସତ୍ୟ ପ୍ରତୀତି ଯେ ମୋହର ॥ ୪୮

ତା’ ତୁମ୍ଭ ଚରଣ-ସେବାରେ । ନାଶିବି ତୁମ୍ଭର କୃପାରେ ॥ ୪୯

ସାଧୁଙ୍କ ସେବାଫଳ ଏହି । କୃଷ୍ଣ-ଚରଣେ ପ୍ରୀତି ହୋଇ ॥ ୫୦

ସେ ହରି ଚରଣ ପ୍ରସାଦେ । ସଂସାରୁ ତରେ ଅପ୍ରମାଦେ ॥ ୫୧

ବୈକୁଣ୍ଠ-ମାର୍ଗ ସାଧୁଜନେ । ତାହାଙ୍କ ସେବା ଅଳ୍ପପୁଣ୍ୟେ ॥ ୫୨

ଦୁର୍ଲ୍ଲଭ ଅଟଇ ଜଗତେ । ହରି କୀର୍ତ୍ତନ ଯହିଁ ନିତ୍ୟେ ॥ ୫୩

ଇନ୍ଦ୍ରିୟ ମହଦାଦିତତ୍ତ୍ବ । ବିରାଟ-ପୁରୁଷ ସହିତ ॥ ୫୪

ଏହାଙ୍କୁ ସର୍ଜି ନାରାୟଣ । ଅଂଶେ ପ୍ରବେଶ ତହିଁ ପୁଣ ॥ ୫୫

ସହସ୍ରପାଦ ଉରୁ ହସ୍ତ । ଯା’ ଦେହେ ବ୍ରହ୍ମାଣ୍ତŠ ସମସ୍ତ ॥ ୫୬

ବ୍ରାହ୍ମଣ ଆଦି ଚାରି ଜାତି । ବିଶେଷେ ତାହାର ବିଭୂତି ॥ ୫୭

ବିସ୍ତାରି କହ ତୁ କାରଣେ । କ୍ଷୀଣ-ସଂଶୟ ହୋଏ ଯେଣେ ॥ ୫୮

ଏ ସୃଷ୍ଟି ବିସ୍ତାର କାରଣେ । ଯେମନ୍ତେ ପ୍ରଜାପତିଗଣେ ॥ ୫୯

ସର୍ଗ ସମେତେ ପ୍ରତିସର୍ଗ । ମନୁ ମନୁଅନ୍ତର ଭୋଗ ॥ ୬୦

ଏହାଙ୍କ ତହୁଁ ବଂଶ ଯେତେ । ବଂଶାନୁଚରିତ ସହିତେ ॥ ୬୧

ବିରାଜ ରୂପ ଦେହ ମଧ୍ୟେ । ଯେବା ବସନ୍ତି ଅଧଊଦ୍ଧ୍ୱେର୍ ॥ ୬୨

ଚତୁରଦଶ ଲୋକ ସ୍ଥିତି । କେ କେତେ ଅନ୍ତରେ ବସନ୍ତି ॥ ୬୩

ଦେବ ମନୁଷ୍ୟ ପଶୁଗଣ । ପକ୍ଷୀ ପତଙ୍ଗ ଭୂମି ତୃଣ ॥ ୬୪

ସ୍ୱେଦଜ ଅŠଜ ଉଦ୍‌ଭିଜ । ଯେ ଅବା ପୁଣି ଜରାୟୁଜ ॥ ୬୫

ଏହାଙ୍କ ସର୍ଗର ବିଭାଗ । ଭୋ ମୁନି କହ ମୋର ଆଗ ॥ ୬୬

ଯେ ଗୁଣେ ଯେବା ଅବତାରେ । ସୃଷ୍ଟି ପାଳନ ଅନ୍ତକରେ ॥ ୬୭

ଯେମନ୍ତେ ସୃଜେ ଶ୍ରୀନିବାସ । ତା’ର ମହିମା ତୁ ପ୍ରକାଶ ॥ ୬୮

ଯେ ବ‰ର୍ଣ୍ଣାଶ୍ରମଙ୍କ ବିଭାଗ । ସୁଶୀଳ ସ୍ୱରୂପ ସ୍ୱଭାବ ॥ ୬୯

ଋଷିଙ୍କ ଜନ୍ମକର୍ମ ଯେତେ । ବେଦବୃକ୍ଷର ଶାଖା କେତେ ॥ ୭୦

ଯଜ୍ଞବିଧାନେ ବେଦବିଧି । ଯୋଗସାଧନେ ଯେତେ ସିଦ୍ଧି ॥ ୭୧

ନିଷ୍କାମ ସାଂଖ୍ୟ-ବିଦ୍ୟା ସାର । ଯେ ତନ୍ତ୍ର-ମନ୍ତ୍ରର ବିଚାର ॥ ୭୨

ପାଷŠ-ପଥର ବୈଷମ୍ୟ । ଯେ ଅନୁଲୋମ ପ୍ରତିଲୋମ ॥ ୭୩

ଜୀବର ଗତି ଯେତେ ମାର୍ଗେ । ଯେ ରୂପ ଗୁଣ କର୍ମ ଯୋଗେ ॥ ୭୪

ଧର୍ମାର୍ଥ-କାମ-ମୋକ୍ଷ ଆଦି । ଯେ ମାର୍ଗେ ଯେମନ୍ତ ସମ୍ପାଦି ॥ ୭୫

ଯେ ବାର୍ତ୍ତା ଦଣ୍ତŠନୀତି ବେନି । ଯେ ବେଦବିଧି ଅନୁମାନି ॥ ୭୬

ଶ୍ରାଦ୍ଧର ଯେବା ନୀତି ବିଧି । ପିତୃଗଣଙ୍କ ସ୍ଥାନ ସିଦ୍ଧି ॥ ୭୭

ଗ୍ରହ ନକ୍ଷତ୍ର ତାରାଗଣ । ଯେ କାଳଚକ୍ରର ପ୍ରମାଣ ॥ ୭୮

ଦାନ ତପସ୍ୟା ଫଳ ଯେତେ । ଯେ ଅବା ଲାଭ ଇଷ୍ଟାପୂର୍ତ୍ତେ ॥ ୭୯

ପ୍ରବାସ ସ୍ଥିତି ଯେବା ଧର୍ମ । ଆପଦ କାଳେ ଯେବା କର୍ମ ॥ ୮୦

ଯେଣେ ଗୋବିନ୍ଦ ତୋଷ ହୋଇ । ଯେ ଧର୍ମଜନକ ବୋଲାଇ ॥ ୮୧

ସେ ହରି ପ୍ରସନ୍ନ ଯେମନ୍ତେ । ଭୋ ମୁନି କହ ଦୟାଚିତ୍ତେ ॥ ୮୨

ସେବକ-ଶିଷ୍ୟେ ଋଷିଗଣେ । ଜ୍ଞାନ କହନ୍ତି ସାଧୁପଣେ ॥ ୮୩

ଯେ ପୁତ୍ରେ ପିତା ତୋଷ ହୋଇ । ସ୍ୱଧର୍ମ ମାର୍ଗେ ଶିକ୍ଷା ଦେଇ ॥ ୮୪

ଦୀନବ›ଳ ଯେଣୁ ଗୁରୁ । ପଚାରୁ ଅବା ନ ପଚାରୁ ॥ ୮୫

ତ‌ତ୍ତ୍ବ-ପ୍ରଳୟ କେତେ ମତେ । ସୃଷ୍ଟିରେ ସଞ୍ଚରନ୍ତି ଯେତେ ॥ ୮୬

ବିରାଜ ରୂପେ ଦେହେ ଥା’ନ୍ତି । ପୁଣି କେମନ୍ତେ ଲୀନ ହୋନ୍ତି ॥ ୮୭

ଆତ୍ମାର ସ୍ଥିତି ଅବା କାହିଁ । କିବା ସ୍ୱରୂପେ ପ୍ରକାଶଇ ॥ ୮୮

ଯେ ଗୁରୁ-ଶିଷ୍ୟଙ୍କ ସମ୍ବାଦେ । ଜ୍ଞାନ ସାଧନ୍ତି ମୋକ୍ଷ ସଧେ ॥ ୮୯

ଏ ଆଦି ଯେତେ ପ୍ରଶ୍ନ ମୋର । ପŠଣ୍ତିତଜନେ ଯେ ଗୋଚର ॥ ୯୦

କେମନ୍ତେ ପୁରୁଷଙ୍କ ଦେହେ । ଜ୍ଞାନ-ବୈରାଗ୍ୟ-ଭକ୍ତି ହୋଏ ॥ ୯୧

ଏ ଯେତେ ପ୍ରଶନ ମୋହରି । ହରି ମହିମା ଇଚ୍ଛାକରି ॥ ୯୨

ପୁଚ୍ଛିଲି ତୁମ୍ଭର ଅଗ୍ରତେ । ଭୋ ମୁନି କହ ସର୍ବ ମୋତେ ॥ ୯୩

ଯେଣୁ ମାୟାରେ ପଡ଼ି ମୁହିଁ । ଜ୍ଞାନ-ବିହୀନେ ଅନ୍ଧ ହୋଇ ॥ ୯୪

ତୁମ୍ଭ କୃପାରେ ଚକ୍ଷୁ ପାଇ । ନିର୍ଭୟେ ବିହରିବି ମୁହିଁ ॥ ୯୫

ଜୀବର ଯେବା ଭୟ ଦହେ । ହରି ଦେଖାଏ ସର୍ବ ଦେହେ ॥ ୯୬

ଯେତେ ଏ ବେଦ-ଯଜ୍ଞ-ମନ୍ତ୍ର । ତପ ସମାଧି ଦାନ ତୀର୍ଥ ॥ ୯୭

ଏ ପୁଣ୍ୟ କଳାମାତ୍ରେ ସମ । ନୁହନ୍ତି ବେଦ ଆଦି କର୍ମ ॥ ୯୮

ଶୁକ ଉବାଚ

ଏମନ୍ତେ ପୁରାଣ-ସଙ୍କଳ୍ପେ । ବିଦୁର ମୈତ୍ରେୟ ସମୀପେ ॥ ୯୯

ଆନନ୍ଦେ ଯେତେ ପଚାରିଲା । ସୃଷ୍ଟି-ସମ୍ବନ୍ଧେ ବିଷ୍ଣୁଲୀଳା ॥ ୧୦୦

ଶୁଣି ହରଷ ମୁନିବର । ବୋଲନ୍ତି ଶୁଣ ହେ ବିଦୁର ॥ ୧୦୧

ଏ ଭାଗବତ ପ୍ରଶ୍ନ ବାଣୀ । କେ‰ର୍ ଶୁଣନ୍ତି ଯେତେ ପ୍ରାଣୀ ॥ ୧୦୨

ଯେ ଅବା ବଦନେ ଉଚ୍ଚାରି । ବିଷ୍ଣୁ ମାୟାରୁ ଯା’ନ୍ତି ତରି ॥ ୧୦୩

ତୃତୀୟସ୍କନ୍ଧେ ଭାଗବତ । କହଇ ଦାସ ଜଗନ୍ନାଥ ॥ ୧୦୪

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ତୃତୀୟସ୍କନ୍ଧେ ସପ୍ତମୋଽଧ୍ୟାୟଃ ॥

* * *