ତୃତୀୟ ସ୍କନ୍ଧ
ସପ୍ତମ ଅଧ୍ୟାୟ
ଶୁକ ଉବାଚ
ଏମନ୍ତେ ମଇତ୍ରେୟ ବାଣୀ । ବିଦୁର ଦୃଢ଼ଚିତ୍ତେ ଶୁଣି ॥ ୧
ଆନନ୍ଦମନେ ବ୍ୟାସସୁତ । କପୋଳେ ଦେଇ ବେନିହସ୍ତ ॥ ୨
ରୋମପୁଲକ ତାର ଦେହୀ । ପୁଚ୍ଛେ ମୈତ୍ରେୟ ମୁଖ ଚାହିଁ ॥ ୩
ବିଦୁର ଉବାଚ
ଭୋ ମୁନି ଏ ତ ବିପରୀତ । ଭ୍ରମେ ଭ୍ରମଇ ମୋର ଚିତ୍ତ ॥ ୪
ସେ ହରି ସ୍ୱଭାବେ ନିର୍ଗୁଣ । ଚିନ୍ମାତ୍ର ପରମ-କାରଣ ॥ ୫
ଲୀଳା-ବିହାରେ-ଗୁଣ କ୍ରିୟା । କି ରୂପେ ସର୍ଜେ ତାରମାୟା ॥ ୬
ବାଳକ କ୍ରୀଡ଼ାଭାବ ଯେହ୍ନେ । ଏ ତ ନ ଘଟେ ଅନୁମାନେ ॥ ୭
ଇଚ୍ଛା-ସ୍ୱଭାବେ ଖେଳତାର । ଏ ନୋହେ ମୋହର ଗୋଚର ॥ ୮
ଯେ ନିଦ୍ରାଗତ ନିଜ ସୁଖେ । ସେ କିପାଁ ମିଶେ ଏତେ ଦୁଃଖେ ॥ ୯
ଯେ ଗୁଣମୟୀ ମାୟାବଳେ । ବିଶ୍ୱସର୍ଜଇ ଅବହେଳେ ॥ ୧୦
ପୁଣି ପାଳିଣ କରେ ଅନ୍ତ । ବ୍ୟାପାରୀ ପୁରୁଷ ଯେମନ୍ତ ॥ ୧୧
ଯେ ଜୀବଆତ୍ମା ବ୍ରହ୍ମମୟେ । କିପାଁ ଅବିଦ୍ୟା ସଙ୍ଗହୋଏ ॥ ୧୨
କର୍ମ କରଇ ନାନାମତେ । ଯେ ଦେଶକାଳପାତ୍ର ଅର୍ଥେ ॥ ୧୩
କେମନ୍ତେ ସୃଷ୍ଟି ସେ କରଇ । ସେ କର୍ମ ତାକୁ ନ ଲାଗଇ ॥ ୧୪
ମାୟା ସଂଯୋଗେ ନିପାତଇ । ଅନ୍ୟ ପୁରୁଷ ପ୍ରାୟ ହୋଇ ॥ ୧୫
ସେ ଏକ ସର୍ବ ଆତ୍ମାଗତି । ସକଳ କ୍ଷେତ୍ରେ ତାର ସ୍ଥିତି ॥ ୧୬
କର୍ମରୁ ସୁଖ-କ୍ଳେଶ ସ୍ଫୁରେ । ସେ କିପାଁ ଏ କର୍ମେ ବିହରେ ॥ ୧୭
ଅଜ୍ଞାନ-ସଙ୍କଟେ ମୋ ମନ । ପଡ଼ି ଭାଳଇ ଛନ୍ନଛନ୍ନ ॥ ୧୮
ଏଣୁ ମୋ ମନେ ଯେତେ ଖେଦ । ଜ୍ଞାନ-ଖଡ଼ଗେ ମୁନି ଛେଦ ॥ ୧୯
ଶୁକ ଉବାଚ
କହନ୍ତି ଶୁକ ମୁନିବର । ଶୁଣ ପରୀକ୍ଷ ଦଣ୍ତଧର ॥ ୨୦
ଏମନ୍ତେ ବିଦୁରର ବାଣୀ । ସାନନ୍ଦେ ମଇତ୍ରେୟ ଶୁଣି ॥ ୨୧
ବିଷ୍ଣୁ-ଚିନ୍ତନ ଅନୁରାଗେ । ହସି କହନ୍ତି ତାର ଆଗେ ॥ ୨୨
ମୈତ୍ରେୟ ଉବାଚ
ସେ ବିଷ୍ଣୁ ମାୟାମୟ ଦେହୀ । ଏମନ୍ତେ ମନକୁ ମୋହଇ ॥ ୨୩
ଈଶ୍ୱର ସ୍ୱଭାବେ ବିମୁକ୍ତ । ତାର ବନ୍ଧନ ମାୟା ମାତ୍ର ॥ ୨୪
ଯେସନେ ସ୍ୱପ୍ନେ ଅନୁମାନ । ହୁଅଇ ମସ୍ତକ ଛେଦନ ॥ ୨୫
ସେ ରୂପେ ଆତ୍ମାର ବନ୍ଧନ । ଅସତ୍ୟ ସତ୍ୟ ପ୍ରାୟେ ଜାଣ ॥ ୨୬
ଆତ୍ମାର ବିପରୀତ ଭାବେ । ଈଶ୍ୱର ଈଶ୍ୱର ସ୍ୱଭାବେ ॥ ୨୭
ଶରୀର ଭେଦେ ଇଚ୍ଛାକରେ । ଯେସନେ ଦର୍ପଣ ଭିତରେ ॥ ୨୮
ଦେଖନ୍ତା ପୁରୁଷକୁ ମୋହେ । ତାର ବିକାର ଦେହେ ବହେ ॥ ୨୯
କର୍ମ କରନ୍ତେ ସେ କରଇ । ସେ ଯେହ୍ନେ ତାକୁ ନ ଲାଗଇ ॥ ୩୦
ଏମନ୍ତେ କୃଷ୍ଣ-ମାୟାବଳେ । ଚନ୍ଦ୍ରର ଛାୟା ଯେହ୍ନେ ଜଳେ ॥ ୩୧
ଜଳ କମ୍ପନେ ସେ କମ୍ପଇ । ସେ ଯେହ୍ନେ ତାକୁ ନ ଲାଗଇ ॥ ୩୨
ତେମନ୍ତେ ଜୀବ ମାୟାବଳେ । ଆତ୍ମାରେ ନ ରହେ ନିଶ୍ଚଳେ ॥ ୩୩
ଯୋଗୀଏ ଯୋଗଧ୍ୟାନ ବଳେ । ଆତ୍ମାରେ ରହନ୍ତି ନିଶ୍ଚଳେ ॥ ୩୪
ଇନ୍ଦ୍ରିୟ ତାଙ୍କୁ ନ ଲାଗନ୍ତି । ଅନ୍ତରେ ନିଶ୍ଚଳେ ରହନ୍ତି ॥ ୩୫
ବିଷ୍ଣୁର ପାଦ ସେହି ମତେ । ଯେବା ଚିନ୍ତନ୍ତି ଅବିରତେ ॥ ୩୬
ତାହାଙ୍କ ଦେହେ କ୍ଳେଶ ଯେତେ । ଦହନ ହୁଅନ୍ତି ସମସ୍ତେ ॥ ୩୭
ଏଣୁ କୃଷ୍ଣର ଗୁଣଗାଥା । ଯେ ଶୁଣେ ଯେ ଅବା ବକତା ॥ ୩୮
ଅଶେଷ-କ୍ଳେଶ ତାଙ୍କ ଦେହେ । ଦହନ ହୋନ୍ତି ତୃଣପ୍ରାୟେ ॥ ୩୯
ସେ ହରି-ପାଦପଦ୍ମ-ଗନ୍ଧେ । ଚିତ୍ତ ଲୋଭିତ ମକରନ୍ଦେ ॥ ୪୦
ନିତ୍ୟେ ପିବନ୍ତି ଭୃଙ୍ଗ ପ୍ରାୟ । ତାଙ୍କୁ ନ ଲାଗେ ଯମଭୟ ॥ ୪୧
ବିଦୁର ଉବାଚ
ଭୋ ମୁନି ତୁମ୍ଭ ବାକ୍ୟ-ଅସି । ମୋ ମନ-ସଂଶୟ ବିନାଶି ॥ ୪୨
ଜୀବ-ପରମ ବେନିଭାବେ । ଚିତ୍ତ ମୋ ପ୍ରବେଶିଲା ଏବେ ॥ ୪୩
ଅବିଦ୍ୟାମୂଳ ଏ ସଂସାର । ସତ୍ୟ ଏ ବଚନ ତୋହର ॥ ୪୪
ବିଷ୍ଣୁ-ମାୟାରେ ଜୀବ ଭ୍ରମେ । ଅସତ୍ୟ ସତ୍ୟ ପ୍ରାୟ ମଣେ ॥ ୪୫
ସଂସାରେ ମୂଢ଼ ଯେଉଁ ଜନ । ଯେବା ଈଶ୍ୱରେ ଦୃଢ଼ମନ ॥ ୪୬
ଏ ବେନି ସଂସାରୁ ତରନ୍ତି । ମଝିମଝିକା ନାଶ ଯାନ୍ତି ॥ ୪୭
ଅନର୍ଥ ଅସତ୍ୟ ସଂସାର । ସତ୍ୟ ପ୍ରତୀତି ଯେ ମୋହର ॥ ୪୮
ତା ତୁମ୍ଭ ଚରଣ-ସେବାରେ । ନାଶିବି ତୁମ୍ଭର କୃପାରେ ॥ ୪୯
ସାଧୁଙ୍କ ସେବାଫଳ ଏହି । କୃଷ୍ଣ-ଚରଣେ ପ୍ରୀତି ହୋଇ ॥ ୫୦
ସେ ହରି ଚରଣ ପ୍ରସାଦେ । ସଂସାରୁ ତରେ ଅପ୍ରମାଦେ ॥ ୫୧
ବୈକୁଣ୍ଠ-ମାର୍ଗ ସାଧୁଜନେ । ତାହାଙ୍କ ସେବା ଅଳ୍ପପୁଣ୍ୟେ ॥ ୫୨
ଦୁର୍ଲ୍ଲଭ ଅଟଇ ଜଗତେ । ହରି କୀର୍ତ୍ତନ ଯହିଁ ନିତ୍ୟେ ॥ ୫୩
ଇନ୍ଦ୍ରିୟ ମହଦାଦିତତ୍ତ୍ବ । ବିରାଟ-ପୁରୁଷ ସହିତ ॥ ୫୪
ଏହାଙ୍କୁ ସର୍ଜି ନାରାୟଣ । ଅଂଶେ ପ୍ରବେଶ ତହିଁ ପୁଣ ॥ ୫୫
ସହସ୍ରପାଦ ଉରୁ ହସ୍ତ । ଯା ଦେହେ ବ୍ରହ୍ମାଣ୍ତ ସମସ୍ତ ॥ ୫୬
ବ୍ରାହ୍ମଣ ଆଦି ଚାରି ଜାତି । ବିଶେଷେ ତାହାର ବିଭୂତି ॥ ୫୭
ବିସ୍ତାରି କହ ତୁ କାରଣେ । କ୍ଷୀଣ-ସଂଶୟ ହୋଏ ଯେଣେ ॥ ୫୮
ଏ ସୃଷ୍ଟି ବିସ୍ତାର କାରଣେ । ଯେମନ୍ତେ ପ୍ରଜାପତିଗଣେ ॥ ୫୯
ସର୍ଗ ସମେତେ ପ୍ରତିସର୍ଗ । ମନୁ ମନୁଅନ୍ତର ଭୋଗ ॥ ୬୦
ଏହାଙ୍କ ତହୁଁ ବଂଶ ଯେତେ । ବଂଶାନୁଚରିତ ସହିତେ ॥ ୬୧
ବିରାଜ ରୂପ ଦେହ ମଧ୍ୟେ । ଯେବା ବସନ୍ତି ଅଧଊଦ୍ଧ୍ୱେର୍ ॥ ୬୨
ଚତୁରଦଶ ଲୋକ ସ୍ଥିତି । କେ କେତେ ଅନ୍ତରେ ବସନ୍ତି ॥ ୬୩
ଦେବ ମନୁଷ୍ୟ ପଶୁଗଣ । ପକ୍ଷୀ ପତଙ୍ଗ ଭୂମି ତୃଣ ॥ ୬୪
ସ୍ୱେଦଜ ଅଜ ଉଦ୍ଭିଜ । ଯେ ଅବା ପୁଣି ଜରାୟୁଜ ॥ ୬୫
ଏହାଙ୍କ ସର୍ଗର ବିଭାଗ । ଭୋ ମୁନି କହ ମୋର ଆଗ ॥ ୬୬
ଯେ ଗୁଣେ ଯେବା ଅବତାରେ । ସୃଷ୍ଟି ପାଳନ ଅନ୍ତକରେ ॥ ୬୭
ଯେମନ୍ତେ ସୃଜେ ଶ୍ରୀନିବାସ । ତାର ମହିମା ତୁ ପ୍ରକାଶ ॥ ୬୮
ଯେ ବର୍ଣ୍ଣାଶ୍ରମଙ୍କ ବିଭାଗ । ସୁଶୀଳ ସ୍ୱରୂପ ସ୍ୱଭାବ ॥ ୬୯
ଋଷିଙ୍କ ଜନ୍ମକର୍ମ ଯେତେ । ବେଦବୃକ୍ଷର ଶାଖା କେତେ ॥ ୭୦
ଯଜ୍ଞବିଧାନେ ବେଦବିଧି । ଯୋଗସାଧନେ ଯେତେ ସିଦ୍ଧି ॥ ୭୧
ନିଷ୍କାମ ସାଂଖ୍ୟ-ବିଦ୍ୟା ସାର । ଯେ ତନ୍ତ୍ର-ମନ୍ତ୍ରର ବିଚାର ॥ ୭୨
ପାଷ-ପଥର ବୈଷମ୍ୟ । ଯେ ଅନୁଲୋମ ପ୍ରତିଲୋମ ॥ ୭୩
ଜୀବର ଗତି ଯେତେ ମାର୍ଗେ । ଯେ ରୂପ ଗୁଣ କର୍ମ ଯୋଗେ ॥ ୭୪
ଧର୍ମାର୍ଥ-କାମ-ମୋକ୍ଷ ଆଦି । ଯେ ମାର୍ଗେ ଯେମନ୍ତ ସମ୍ପାଦି ॥ ୭୫
ଯେ ବାର୍ତ୍ତା ଦଣ୍ତନୀତି ବେନି । ଯେ ବେଦବିଧି ଅନୁମାନି ॥ ୭୬
ଶ୍ରାଦ୍ଧର ଯେବା ନୀତି ବିଧି । ପିତୃଗଣଙ୍କ ସ୍ଥାନ ସିଦ୍ଧି ॥ ୭୭
ଗ୍ରହ ନକ୍ଷତ୍ର ତାରାଗଣ । ଯେ କାଳଚକ୍ରର ପ୍ରମାଣ ॥ ୭୮
ଦାନ ତପସ୍ୟା ଫଳ ଯେତେ । ଯେ ଅବା ଲାଭ ଇଷ୍ଟାପୂର୍ତ୍ତେ ॥ ୭୯
ପ୍ରବାସ ସ୍ଥିତି ଯେବା ଧର୍ମ । ଆପଦ କାଳେ ଯେବା କର୍ମ ॥ ୮୦
ଯେଣେ ଗୋବିନ୍ଦ ତୋଷ ହୋଇ । ଯେ ଧର୍ମଜନକ ବୋଲାଇ ॥ ୮୧
ସେ ହରି ପ୍ରସନ୍ନ ଯେମନ୍ତେ । ଭୋ ମୁନି କହ ଦୟାଚିତ୍ତେ ॥ ୮୨
ସେବକ-ଶିଷ୍ୟେ ଋଷିଗଣେ । ଜ୍ଞାନ କହନ୍ତି ସାଧୁପଣେ ॥ ୮୩
ଯେ ପୁତ୍ରେ ପିତା ତୋଷ ହୋଇ । ସ୍ୱଧର୍ମ ମାର୍ଗେ ଶିକ୍ଷା ଦେଇ ॥ ୮୪
ଦୀନବଳ ଯେଣୁ ଗୁରୁ । ପଚାରୁ ଅବା ନ ପଚାରୁ ॥ ୮୫
ତତ୍ତ୍ବ-ପ୍ରଳୟ କେତେ ମତେ । ସୃଷ୍ଟିରେ ସଞ୍ଚରନ୍ତି ଯେତେ ॥ ୮୬
ବିରାଜ ରୂପେ ଦେହେ ଥାନ୍ତି । ପୁଣି କେମନ୍ତେ ଲୀନ ହୋନ୍ତି ॥ ୮୭
ଆତ୍ମାର ସ୍ଥିତି ଅବା କାହିଁ । କିବା ସ୍ୱରୂପେ ପ୍ରକାଶଇ ॥ ୮୮
ଯେ ଗୁରୁ-ଶିଷ୍ୟଙ୍କ ସମ୍ବାଦେ । ଜ୍ଞାନ ସାଧନ୍ତି ମୋକ୍ଷ ସଧେ ॥ ୮୯
ଏ ଆଦି ଯେତେ ପ୍ରଶ୍ନ ମୋର । ପଣ୍ତିତଜନେ ଯେ ଗୋଚର ॥ ୯୦
କେମନ୍ତେ ପୁରୁଷଙ୍କ ଦେହେ । ଜ୍ଞାନ-ବୈରାଗ୍ୟ-ଭକ୍ତି ହୋଏ ॥ ୯୧
ଏ ଯେତେ ପ୍ରଶନ ମୋହରି । ହରି ମହିମା ଇଚ୍ଛାକରି ॥ ୯୨
ପୁଚ୍ଛିଲି ତୁମ୍ଭର ଅଗ୍ରତେ । ଭୋ ମୁନି କହ ସର୍ବ ମୋତେ ॥ ୯୩
ଯେଣୁ ମାୟାରେ ପଡ଼ି ମୁହିଁ । ଜ୍ଞାନ-ବିହୀନେ ଅନ୍ଧ ହୋଇ ॥ ୯୪
ତୁମ୍ଭ କୃପାରେ ଚକ୍ଷୁ ପାଇ । ନିର୍ଭୟେ ବିହରିବି ମୁହିଁ ॥ ୯୫
ଜୀବର ଯେବା ଭୟ ଦହେ । ହରି ଦେଖାଏ ସର୍ବ ଦେହେ ॥ ୯୬
ଯେତେ ଏ ବେଦ-ଯଜ୍ଞ-ମନ୍ତ୍ର । ତପ ସମାଧି ଦାନ ତୀର୍ଥ ॥ ୯୭
ଏ ପୁଣ୍ୟ କଳାମାତ୍ରେ ସମ । ନୁହନ୍ତି ବେଦ ଆଦି କର୍ମ ॥ ୯୮
ଶୁକ ଉବାଚ
ଏମନ୍ତେ ପୁରାଣ-ସଙ୍କଳ୍ପେ । ବିଦୁର ମୈତ୍ରେୟ ସମୀପେ ॥ ୯୯
ଆନନ୍ଦେ ଯେତେ ପଚାରିଲା । ସୃଷ୍ଟି-ସମ୍ବନ୍ଧେ ବିଷ୍ଣୁଲୀଳା ॥ ୧୦୦
ଶୁଣି ହରଷ ମୁନିବର । ବୋଲନ୍ତି ଶୁଣ ହେ ବିଦୁର ॥ ୧୦୧
ଏ ଭାଗବତ ପ୍ରଶ୍ନ ବାଣୀ । କେର୍ ଶୁଣନ୍ତି ଯେତେ ପ୍ରାଣୀ ॥ ୧୦୨
ଯେ ଅବା ବଦନେ ଉଚ୍ଚାରି । ବିଷ୍ଣୁ ମାୟାରୁ ଯାନ୍ତି ତରି ॥ ୧୦୩
ତୃତୀୟସ୍କନ୍ଧେ ଭାଗବତ । କହଇ ଦାସ ଜଗନ୍ନାଥ ॥ ୧୦୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ସପ୍ତମୋଽଧ୍ୟାୟଃ ॥
* * *