ତୃତୀୟ ସ୍କନ୍ଧ
ଷଷ୍ଠ ଅଧ୍ୟାୟ
ମୈତ୍ରେୟ ଉବାଚ
ଏମନ୍ତ ଦେବଙ୍କ ବଚନ । ଶୁଣି ସନ୍ତୋଷ ଭଗବାନ ॥ ୧
ନିଦ୍ରିତ ପ୍ରାୟ ଲୋକତନ୍ତ୍ର । ଈଶ୍ୱର ଇଚ୍ଛାର ଆୟତ୍ତ ॥ ୨
ସେ କାଳଶକ୍ତି ରୂପ ଧରି । ତ୍ରୟୋବିଂଶଶତିତତ୍ତ୍ବେ ପୂରି ॥ ୩
ଚେଷ୍ଟା-ସ୍ୱରୂପେ ତାଙ୍କ ମଧ୍ୟେ । ନିଦ୍ରିତ-କର୍ମକୁ ପ୍ରବୋଧେ ॥ ୪
ସଂଯୋଗ କରି ଭିନ୍ନଭିନ୍ନ । ଯାହାର ଯହିଁ ପ୍ରୟୋଜନ ॥ ୫
ସେ ତ୍ରୟୋବିଂଶତତ୍ତ୍ବଗଣେ । ଈଶ୍ୱର-ଆଜ୍ଞା ପରମାଣେ ॥ ୬
ଯେ ଯାହା ମାତ୍ରା ବଳ ଦେଇ । ଅଧିପୁରୁଷ ରୂପ ବହି ॥ ୭
ଏମନ୍ତେ ପରମପୁରୁଷ । ମାତ୍ରାଙ୍କ ମଧ୍ୟେ ପରକାଶ ॥ ୮
ଏକ ଆରକେ କ୍ଷୋଭ ପାଇ । ଚରଅଚର ଲୋକ ଯହିଁ ॥ ୯
ସୁବର୍ଣ୍ଣମୟ ସେ ପୁରୁଷ । ରହିଲା ସହସ୍ରବରଷ ॥ ୧୦
ଜଳେ ଶୟନ ନାରାୟଣ । ଅନାଦି-ପରମ-କାରଣ ॥ ୧୧
ସକଳ ଜୀବ ଆତ୍ମା ସେହି । ସର୍ବଶରୀରେ ସଞ୍ଚରଇ ॥ ୧୨
ସଂସାରେ ଯେତେ ପ୍ରଜାପତି । ବିଶ୍ୱସଂସାରକୁ ସର୍ଜନ୍ତି ॥ ୧୩
ତାହାଙ୍କ ରୂପହେତୁ ସେହି । ତୃତୀୟଶକ୍ତି କି ସେ ବହି ॥ ୧୪
ଦଇବ ଆତ୍ମା କର୍ମମୟ । ବିଭାଗ କରି ଆତ୍ମାଦେହ ॥ ୧୫
ସର୍ଜିଲା ଏକ ଦଶ ତିନି । ସୃଷ୍ଟିବ୍ୟାପାରେ କର୍ମ ଘେନି ॥ ୧୬
ଜ୍ଞାନେ ଚୈତନ୍ୟରୂପ ଧରି । କ୍ରିୟାଶକ୍ତିରେ ପ୍ରାଣଭରି ॥ ୧୭
ଯେ ପ୍ରାଣ ଅପାନ ସମାନ । ଉଦାନ ବ୍ୟାନଟି ପ୍ରମାଣ ॥ ୧୮
କୃକର କୂର୍ମ ନାଗ ଖ୍ୟାତ । ଯେ ଧନଞ୍ଜୟ ଦେବଦତ୍ତ ॥ ୧୯
ଏମନ୍ତେ ଦଶପ୍ରାଣ କରି । ଏହାଙ୍କ ବୃତ୍ତିଭେଦେ ହରି ॥ ୨୦
ଅଶେଷ ପ୍ରାଣୀ ଆତ୍ମା ଏହି । ଖେଳଇ ଅଂଶରୂପ ହୋଇ ॥ ୨୧
ଆଦି ଅବତାର ସର୍ଜନ । ଏ ଭୂତଗ୍ରାମ ଭିନ୍ନ ଭିନ୍ନ ॥ ୨୨
ଅଧ୍ୟାତ୍ମ ଅଧିଭୂତ ଭାବ । ପୁଣି କଳ୍ପିଲା ଅଧିଦେବ ॥ ୨୩
ବିରାଟରୂପେ ଦଶପ୍ରାଣ । ଏକା ସେ ହୃଦୟ କାରଣ ॥ ୨୪
ବିଶ୍ୱ-ସର୍ଜନ ଅର୍ଥେ ହରି । ତତ୍ତ୍ବଙ୍କ କଥାକୁ ସୁମରି ॥ ୨୫
ପ୍ରଜାପତିଙ୍କ ଜନ୍ମ ଜାଣି । ବିରାଜଦେହେ ଚକ୍ରପାଣି ॥ ୨୬
ତକ୍ଷଣେ ପଶି ନିଜ ତେଜେ । ଯେବା ଯେ ପ୍ରୟାଜନ କାର୍ଯ୍ୟୋ ॥ ୨୭
ସ୍ଥାନ ଭିଆଇ ଦଶମତେ । ଶୁଣ ତୁ ସ୍ଥାପିଲେ ଯେମନ୍ତେ ॥ ୨୮
ବିରାଜମୁଣ୍ତେ ତୁଣ୍ତ କରି । ବଚନ ଅର୍ଥେ ଅଧିକାରୀ ॥ ୨୯
ଅଗ୍ନି ସ୍ଥାପିଲେ ଶବ୍ଦ ଅର୍ଥେ । ଏତେ ତୁ ଶୁଣ ଏକଚିତ୍ତେ ॥ ୩୦
ସେ ମୁଖ ମଧ୍ୟେ ତାଳୁ ଭେଦି । ବରୁଣ ରସନା ସମ୍ପାଦି ॥ ୩୧
ଜିହ୍ୱା ଆବୋରି ଷଡ଼ରସେ । ଥାପିଲେ ଆସ୍ୱାଦନ ବଶେ ॥ ୩୨
ତୁଣ୍ତ ଉପରେ ନାସାଦ୍ୱାରେ । ବସିଲେ ଅଶ୍ୱିନୀକୁମାରେ ॥ ୩୩
ଘ୍ରାଣ ଆବୋରି ଗନ୍ଧ ଅର୍ଥେ । ସୁଗନ୍ଧ ଦୁର୍ଗନ୍ଧ ସହିତେ ॥ ୩୪
ସେ ନାସାମୂଳେ ଚକ୍ଷୁଦ୍ୱାର । ସମେ ବସଇ ଦିବାକର ॥ ୩୫
ଜ୍ୟୋତିସ୍ୱରୂପେ ସେ ଲୋଚନେ । ରହିଲେ ରୂପ-ସମ୍ପାଦନେ ॥ ୩୬
ପବନ ବହେ ଦେହେ ପଶି । କେବେହେଁ କାହିଁରେ ନ ମିଶି ॥ ୩୭
ଶୀତ-ତପତ ଜାଣିବାରେ । ଚର୍ମେ ବସିଲେ ଅଧିକାରେ ॥ ୩୮
ସେ ବେନିଚକ୍ଷୁର ଉପରେ । ବାମ-ଦକ୍ଷିଣ କର୍ଣ୍ଣଦ୍ବାରେ ॥ ୩୯
ଶବଦ ଅର୍ଥେ ଦିଗ ବସେ । ଯେବା ଶବଦ ଯେଣେ ଭାଷେ ॥ ୪୦
ତ୍ୱକ ଯେ ଚର୍ମୁ ଭିନ୍ନ ହେଲା । ଔଷଧି ଲୋମେ ଯେ ବସିଲା ॥ ୪୧
ସେହି ଲୋମରୁ କଣ୍ତୁ ଆଦି । ହୁଅଇ ସ୍ପରଶ ସୁଖାଦି ॥ ୪୨
ମେଢ୍ର ଆବୋରି ଲିଙ୍ଗବୃତ୍ତି । ତହିଁ ବସିଲେ ପ୍ରଜାପତି ॥ ୪୩
ଶୁକ୍ର ରେତସ ଅନୁବନ୍ଧେ । ମୈଥୁନ ସ୍ପରଶ ଆନନ୍ଦେ ॥ ୪୪
ସନ୍ତତି ଉପୁଜିବା ଅର୍ଥେ । ଲିଙ୍ଗେ ରହିଲେ ଦୃଢ଼ଚିତ୍ତେ ॥ ୪୫
ତା ଅଧେ ଅଷ୍ଟମଅଙ୍ଗୁଳେ । ଯେ ମଳଦ୍ୱାର ପାୟୁମୂଳେ ॥ ୪୬
ମିତ୍ର ବସିଲା ତା ଆବୋରି । ମୃତ୍ୟୁଦେବତା ସଙ୍ଗେ କରି ॥ ୪୭
ମଳ ଉର୍ତ୍ସଗ ଦୃଢ଼ବନ୍ଧେ । ବ୍ୟାପାର ଆବୋରି ଆନନ୍ଦେ ॥ ୪୮
ହୃଦ ଉପରେ ବେନିଭୁଜେ । ଇନ୍ଦ୍ର ବସିଲା ନିଜ ତେଜେ ॥ ୪୯
ବୃତ୍ତିବ୍ୟାପାର କର୍ମ ଅର୍ଥେ । ଜୀବର ଜୀବିକା ଯେମନ୍ତେ ॥ ୫୦
କଟୀ ସନ୍ଧାନ ପାଦ କରି । ତହିଁ ବସିଲେ ନରହରି ॥ ୫୧
ଏ ପିଣ୍ତ ଚଳିବ ଯେମନ୍ତେ । ଗମନ ପ୍ରାପ୍ୟସ୍ଥାନ ଅର୍ଥେ ॥ ୫୨
ବାଗୀଶ ବସେ ବୁଦ୍ଧି ମଧ୍ୟେ । ସୁବୁଦ୍ଧି ପ୍ରବୋଧ ଆନନ୍ଦେ ॥ ୫୩
ହୃଦୟଭେଦେ ନିଶାକର । ଯେ ମନବ୍ୟାପାର-ଗୋଚର ॥ ୫୪
ଚନ୍ଦ୍ରମା ତହିଁ ଦୃଢ଼ମତେ । ଆବୋରି ରହିଲା ନିଶ୍ଚିନ୍ତେ ॥ ୫୫
ଆତ୍ମାରେ ବସେ ଅଭିମାନ । ଯେଣୁ କର୍ତ୍ତବ୍ୟେ ବହେ ଜ୍ଞାନ ॥ ୫୬
ଚିତ୍ତକୁ ଭେଦି ସ୍ରଷ୍ଟା ବସେ । ଯେଣେ ସେ ବିଜ୍ଞାନ ପ୍ରକାଶେ ॥ ୫୭
ମୂର୍ଦ୍ଧନି ଦେଶେ ସ୍ୱର୍ଗରହେ । ପାଦଯୁଗଳେ ମହୀ ବହେ ॥ ୫୮
ନାଭିରୁ ପ୍ରକାଶେ ଗଗନ । ଗୁଣଙ୍କ ବୃତ୍ତି ଘେନି ଶୂନ୍ୟ ॥ ୫୯
ଏମନ୍ତେ ଆତ୍ମା ତାଙ୍କ ମତେ । ଦେହ ଆବୋରିଲେ ନିଶ୍ଚିନ୍ତେ ॥ ୬୦
ସୁର-ଈଶ୍ୱରଗଣ ଜନ । ଦେହେ କଳ୍ପିଲେ ଭଗବାନ ॥ ୬୧
ଅତ୍ୟନ୍ତ ସତ୍ତ୍ବଗୁଣ କରି । ଦେବେ ରହିଲେ ସ୍ୱର୍ଗପୁରୀ ॥ ୬୨
ରଜ-ସ୍ୱଭାବ ନରଗଣ । ଭୂମିରେ କଲେ ଅଧିଷ୍ଠାନ ॥ ୬୩
ରୁଦ୍ରପାର୍ଷଦ ଭୂତଗଣ । ତାଙ୍କ ସ୍ୱଭାବ ତମୋଗୁଣ ॥ ୬୪
ତାହାଙ୍କ ଅନ୍ତରୀକ୍ଷଲୋକ । ଯାହାକୁ ବୋଲି ଭୂବଲୋକ ॥ ୬୫
ବ୍ରାହ୍ମଣ ଜନ୍ମିଲା ମୁଖରୁ । ଯେ ଚାରିବର୍ଣ୍ଣଙ୍କର ଗୁରୁ ॥ ୬୬
ବିରାଜ ତେଜଗୁଣେ ହରି । ଭୁଜୁଁ କ୍ଷତ୍ରିୟ ଜନ୍ମ କରି ॥ ୬୭
ବୈଶ୍ୟ ଜନ୍ମିଲେ ଜାନୁଯୁଗେ । ଜୀବର ଜୀବିକା ସ୍ୱଭାବେ ॥ ୬୮
ଏ ତିନିବର୍ଣ୍ଣ ସେବାଅର୍ଥେ । ଶୂଦ୍ର ଜନ୍ମିଲା ପାଦଗତେ ॥ ୬୯
ଯାହାର ସେବାବୃତ୍ତି ଫଳେ । ହରି ସନ୍ତୋଷ ଏ ଶୟଳେ ॥ ୭୦
ଏ ଚାରିବର୍ଣ୍ଣ ଏ ଜଗତେ । ସ୍ୱଭାବଧର୍ମ ଅନୁମତେ ॥ ୭୧
ଜଗତଗୁରୁ ହରିପାଦେ । ଭଜିବେ ଯୁଗ ଅନୁବାଦେ ॥ ୭୨
ଶୁଦ୍ଧ ସୁବୃତ୍ତି ଘେନି ସୁଖେ । ବିଷ୍ଣୁ ପୂଜିବେ ଯଜ୍ଞମୁଖେ ॥ ୭୩
ତାହାର ଗୁଣ ବର୍ଣ୍ଣିବାରେ । କେବା ସମର୍ଥ ଏ ସଂସାରେ ॥ ୭୪
ଏମନ୍ତେ ଶୁଣ ହେ ବିଦୂର । ଯାହା କହିଲେ ଗଦାଧର ॥ ୭୫
ମୁଁ ତୋତେ କହିଲଇଁ ଭାବେ । ଯାହା ପଚାରିଲୁ ପ୍ରସ୍ତାବେ ॥ ୭୬
ସେ ହରି ଗୁଣ-ମାୟା-ଅର୍ଥ । କେ ମୁଖେ କହି ସାମରଥ ॥ ୭୭
ତଥାପି ଜ୍ଞାନ ମୋର ଯେତେ । ସବୁ କହିବି ତୋ ଅଗ୍ରତେ ॥ ୭୮
ଯେଣୁ ସେ କୃଷ୍ଣର ଚରିତ । କରଇ ବଚନ ପବିତ୍ର ॥ ୭୯
ଯାର ମହିମା ଅବଧାନେ । ଜ୍ଞାନ-ଅମୃତ-ରସ-ପାନେ ॥ ୮୦
ଜନ୍ମ-ମରଣୁ ପ୍ରାଣୀତରେ । ନ ବୁଡେ଼ ସଂସାରସାଗରେ ॥ ୮୧
ତାର ମହିମା ଏ ସଂସାରେ । କେ କହୁ ଶତ ସମ୍ବତ୍ସରେ ॥ ୮୨
ଯାର ମହିମା ଯୋଗେ ଚିନ୍ତି । ବ୍ରହ୍ମାଶଙ୍କରେ ମୋହ ଯାନ୍ତି ॥ ୮୩
ସେ ହରି ଏ ମାୟା ସଂସାରେ । ମୋହିନୀ ରୂପରେ ପ୍ରଚରେ ॥ ୮୪
ସେ ହରି ସ୍ୱୟଂ ଆତ୍ମାଗତି । ସେହି ନ ଜାଣେ ମାୟାଗତି ॥ ୮୫
ଅପରେ କେବା ତାହା ଜାଣେ । ବ୍ରହ୍ମାଦି ଯେତେ ଦେବଗଣେ ॥ ୮୬
ଯାର ଚରଣ ଖୋଜିଗଲେ । ମନ-ବଚନ ନ ପାଇଲେ ॥ ୮୭
ଅପରେ କେ ତାହା ଜାଣିବ । କେ ମୁଖେ ରେଣୁକୁ ଗଣିବ ॥ ୮୮
ସେ ହରିପାଦେ କରି ଆଶ । କହଇ ଜଗନ୍ନାଥ ଦାସ ॥ ୮୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ଷଷ୍ଠୋଽଧ୍ୟାୟଃ ॥
* * *