ତୃତୀୟ ସ୍କନ୍ଧ

ଷଷ୍ଠ ଅଧ୍ୟାୟ

ମୈତ୍ରେୟ ଉବାଚ

ଏମନ୍ତ ଦେବଙ୍କ ବଚନ । ଶୁଣି ସନ୍ତୋଷ ଭଗବାନ ॥

ନିଦ୍ରିତ ପ୍ରାୟ ଲୋକତନ୍ତ୍ର । ଈଶ୍ୱର ଇଚ୍ଛାର ଆୟତ୍ତ ॥

ସେ କାଳଶକ୍ତି ରୂପ ଧରି । ତ୍ରୟୋବିଂଶଶତିତତ୍ତ୍ବେ ପୂରି ॥

ଚେଷ୍ଟା-ସ୍ୱରୂପେ ତା’ଙ୍କ ମଧ୍ୟେ । ନିଦ୍ରିତ-କର୍ମକୁ ପ୍ରବୋଧେ ॥

ସଂଯୋଗ କରି ଭିନ୍ନଭିନ୍ନ । ଯାହାର ଯହିଁ ପ୍ରୟୋଜନ ॥

ସେ ତ୍ରୟୋବିଂଶତତ୍ତ୍ବଗଣେ । ଈଶ୍ୱର-ଆଜ୍ଞା ପରମାଣେ ॥

ଯେ ଯାହା ମାତ୍ରା ବଳ ଦେଇ । ଅଧିପୁରୁଷ ରୂପ ବହି ॥

ଏମନ୍ତେ ପରମପୁରୁଷ । ମାତ୍ରାଙ୍କ ମଧ୍ୟେ ପରକାଶ ॥

ଏକ ଆରକେ କ୍ଷୋଭ ପାଇ । ଚରଅଚର ଲୋକ ଯହିଁ ॥

ସୁବ‰ର୍ଣ୍ଣମୟ ସେ ପୁରୁଷ । ରହିଲା ସହସ୍ରବରଷ ॥ ୧୦

ଜଳେ ଶୟନ ନାରାୟଣ । ଅନାଦି-ପରମ-କାରଣ ॥ ୧୧

ସକଳ ଜୀବ ଆତ୍ମା ସେହି । ସର୍ବଶରୀରେ ସଞ୍ଚରଇ ॥ ୧୨

ସଂସାରେ ଯେତେ ପ୍ରଜାପତି । ବିଶ୍ୱସଂସାରକୁ ସର୍ଜନ୍ତି ॥ ୧୩

ତାହାଙ୍କ ରୂପହେତୁ ସେହି । ତୃତୀୟଶକ୍ତି କି ସେ ବହି ॥ ୧୪

ଦଇବ ଆତ୍ମା କର୍ମମୟ । ବିଭାଗ କରି ଆତ୍ମାଦେହ ॥ ୧୫

ସର୍ଜିଲା ଏକ ଦଶ ତିନି । ସୃଷ୍ଟିବ୍ୟାପାରେ କର୍ମ ଘେନି ॥ ୧୬

ଜ୍ଞାନେ ଚୈତନ୍ୟରୂପ ଧରି । କ୍ରିୟାଶକ୍ତିରେ ପ୍ରାଣଭରି ॥ ୧୭

ଯେ ପ୍ରାଣ ଅପାନ ସମାନ । ଉଦାନ ବ୍ୟାନଟି ପ୍ରମାଣ ॥ ୧୮

କୃକର କୂର୍ମ ନାଗ ଖ୍ୟାତ । ଯେ ଧନଞ୍ଜୟ ଦେବଦତ୍ତ ॥ ୧୯

ଏମନ୍ତେ ଦଶପ୍ରାଣ କରି । ଏହାଙ୍କ ବୃତ୍ତିଭେଦେ ହରି ॥ ୨୦

ଅଶେଷ ପ୍ରାଣୀ ଆତ୍ମା ଏହି । ଖେଳଇ ଅଂଶରୂପ ହୋଇ ॥ ୨୧

ଆଦି ଅବତାର ସର୍ଜନ । ଏ ଭୂତଗ୍ରାମ ଭିନ୍ନ ଭିନ୍ନ ॥ ୨୨

ଅଧ୍ୟାତ୍ମ ଅଧିଭୂତ ଭାବ । ପୁଣି କଳ୍ପିଲା ଅଧିଦେବ ॥ ୨୩

ବିରାଟରୂପେ ଦଶପ୍ରାଣ । ଏକା ସେ ହୃଦୟ କାରଣ ॥ ୨୪

ବିଶ୍ୱ-ସର୍ଜନ ଅର୍ଥେ ହରି । ତତ୍ତ୍ବଙ୍କ କଥାକୁ ସୁମରି ॥ ୨୫

ପ୍ରଜାପତିଙ୍କ ଜନ୍ମ ଜାଣି । ବିରାଜଦେହେ ଚକ୍ରପାଣି ॥ ୨୬

ତକ୍ଷଣେ ପଶି ନିଜ ତେଜେ । ଯେବା ଯେ ପ୍ରୟାଜନ କାର୍ଯ୍ୟୋ ॥ ୨୭

ସ୍ଥାନ ଭିଆଇ ଦଶମତେ । ଶୁଣ ତୁ ସ୍ଥାପିଲେ ଯେମନ୍ତେ ॥ ୨୮

ବିରାଜମୁଣ୍ତେŠ ତୁଣ୍ତŠ କରି । ବଚନ ଅର୍ଥେ ଅଧିକାରୀ ॥ ୨୯

ଅଗ୍ନି ସ୍ଥାପିଲେ ଶବ୍ଦ ଅର୍ଥେ । ଏତେ ତୁ ଶୁଣ ଏକଚିତ୍ତେ ॥ ୩୦

ସେ ମୁଖ ମଧ୍ୟେ ତାଳୁ ଭେଦି । ବରୁଣ ରସନା ସମ୍ପାଦି ॥ ୩୧

ଜିହ୍ୱା ଆବୋରି ଷଡ଼ରସେ । ଥାପିଲେ ଆସ୍ୱାଦନ ବଶେ ॥ ୩୨

ତୁଣ୍ତŠ ଉପରେ ନାସାଦ୍ୱାରେ । ବସିଲେ ଅଶ୍ୱିନୀକୁମାରେ ॥ ୩୩

ଘ୍ରାଣ ଆବୋରି ଗନ୍ଧ ଅର୍ଥେ । ସୁଗନ୍ଧ ଦୁର୍ଗନ୍ଧ ସହିତେ ॥ ୩୪

ସେ ନାସାମୂଳେ ଚକ୍ଷୁଦ୍ୱାର । ସମେ ବସଇ ଦିବାକର ॥ ୩୫

ଜ୍ୟୋତିସ୍ୱରୂପେ ସେ ଲୋଚନେ । ରହିଲେ ରୂପ-ସମ୍ପାଦନେ ॥ ୩୬

ପବନ ବହେ ଦେହେ ପଶି । କେବେହେଁ କାହିଁରେ ନ ମିଶି ॥ ୩୭

ଶୀତ-ତପତ ଜାଣିବାରେ । ଚର୍ମେ ବସିଲେ ଅଧିକାରେ ॥ ୩୮

ସେ ବେନିଚକ୍ଷୁର ଉପରେ । ବାମ-ଦକ୍ଷିଣ କ‰ର୍ଣ୍ଣଦ୍ବାରେ ॥ ୩୯

ଶବଦ ଅର୍ଥେ ଦିଗ ବସେ । ଯେବା ଶବଦ ଯେଣେ ଭାଷେ ॥ ୪୦

ତ୍ୱକ ଯେ ଚର୍ମୁ ଭିନ୍ନ ହେଲା । ଔଷଧି ଲୋମେ ଯେ ବସିଲା ॥ ୪୧

ସେହି ଲୋମରୁ କŠଣ୍ତୁ ଆଦି । ହୁଅଇ ସ୍ପରଶ ସୁଖାଦି ॥ ୪୨

ମେଢ୍ର ଆବୋରି ଲିଙ୍ଗବୃତ୍ତି । ତହିଁ ବସିଲେ ପ୍ରଜାପତି ॥ ୪୩

ଶୁକ୍ର ରେତସ ଅନୁବନ୍ଧେ । ମୈଥୁନ ସ୍ପରଶ ଆନନ୍ଦେ ॥ ୪୪

ସନ୍ତତି ଉପୁଜିବା ଅର୍ଥେ । ଲିଙ୍ଗେ ରହିଲେ ଦୃଢ଼ଚିତ୍ତେ ॥ ୪୫

ତା’ ଅଧେ ଅଷ୍ଟମଅଙ୍ଗୁଳେ । ଯେ ମଳଦ୍ୱାର ପାୟୁମୂଳେ ॥ ୪୬

ମିତ୍ର ବସିଲା ତା’ ଆବୋରି । ମୃତ୍ୟୁଦେବତା ସଙ୍ଗେ କରି ॥ ୪୭

ମଳ ଉ›ର୍ତ୍ସଗ ଦୃଢ଼ବନ୍ଧେ । ବ୍ୟାପାର ଆବୋରି ଆନନ୍ଦେ ॥ ୪୮

ହୃଦ ଉପରେ ବେନିଭୁଜେ । ଇନ୍ଦ୍ର ବସିଲା ନିଜ ତେଜେ ॥ ୪୯

ବୃତ୍ତିବ୍ୟାପାର କର୍ମ ଅର୍ଥେ । ଜୀବର ଜୀବିକା ଯେମନ୍ତେ ॥ ୫୦

କଟୀ ସନ୍ଧାନ ପାଦ କରି । ତହିଁ ବସିଲେ ନରହରି ॥ ୫୧

ଏ ପିଣ୍ତ ଚଳିବ ଯେମନ୍ତେ । ଗମନ ପ୍ରାପ୍ୟସ୍ଥାନ ଅର୍ଥେ ॥ ୫୨

ବାଗୀଶ ବସେ ବୁଦ୍ଧି ମଧ୍ୟେ । ସୁବୁଦ୍ଧି ପ୍ରବୋଧ ଆନନ୍ଦେ ॥ ୫୩

ହୃଦୟଭେଦେ ନିଶାକର । ଯେ ମନବ୍ୟାପାର-ଗୋଚର ॥ ୫୪

ଚନ୍ଦ୍ରମା ତହିଁ ଦୃଢ଼ମତେ । ଆବୋରି ରହିଲା ନିଶ୍ଚିନ୍ତେ ॥ ୫୫

ଆତ୍ମାରେ ବସେ ଅଭିମାନ । ଯେଣୁ କର୍ତ୍ତବ୍ୟେ ବହେ ଜ୍ଞାନ ॥ ୫୬

ଚିତ୍ତକୁ ଭେଦି ସ୍ରଷ୍ଟା ବସେ । ଯେଣେ ସେ ବିଜ୍ଞାନ ପ୍ରକାଶେ ॥ ୫୭

ମୂର୍ଦ୍ଧନି ଦେଶେ ସ୍ୱର୍ଗରହେ । ପାଦଯୁଗଳେ ମହୀ ବହେ ॥ ୫୮

ନାଭିରୁ ପ୍ରକାଶେ ଗଗନ । ଗୁଣଙ୍କ ବୃତ୍ତି ଘେନି ଶୂନ୍ୟ ॥ ୫୯

ଏମନ୍ତେ ଆତ୍ମା ତା’ଙ୍କ ମତେ । ଦେହ ଆବୋରିଲେ ନିଶ୍ଚିନ୍ତେ ॥ ୬୦

ସୁର-ଈଶ୍ୱରଗଣ ଜନ । ଦେହେ କଳ୍ପିଲେ ଭଗବାନ ॥ ୬୧

ଅତ୍ୟନ୍ତ ସତ୍ତ୍ବଗୁଣ କରି । ଦେବେ ରହିଲେ ସ୍ୱର୍ଗପୁରୀ ॥ ୬୨

ରଜ-ସ୍ୱଭାବ ନରଗଣ । ଭୂମିରେ କଲେ ଅଧିଷ୍ଠାନ ॥ ୬୩

ରୁଦ୍ରପାର୍ଷଦ ଭୂତଗଣ । ତା’ଙ୍କ ସ୍ୱଭାବ ତମୋଗୁଣ ॥ ୬୪

ତାହାଙ୍କ ଅନ୍ତରୀକ୍ଷଲୋକ । ଯାହାକୁ ବୋଲି ଭୂବଲୋକ ॥ ୬୫

ବ୍ରାହ୍ମଣ ଜନ୍ମିଲା ମୁଖରୁ । ଯେ ଚାରିବ‰ର୍ଣ୍ଣଙ୍କର ଗୁରୁ ॥ ୬୬

ବିରାଜ ତେଜଗୁଣେ ହରି । ଭୁଜୁଁ କ୍ଷତ୍ରିୟ ଜନ୍ମ କରି ॥ ୬୭

ବୈଶ୍ୟ ଜନ୍ମିଲେ ଜାନୁଯୁଗେ । ଜୀବର ଜୀବିକା ସ୍ୱଭାବେ ॥ ୬୮

ଏ ତିନିବ‰ର୍ଣ୍ଣ ସେବାଅର୍ଥେ । ଶୂଦ୍ର ଜନ୍ମିଲା ପାଦଗତେ ॥ ୬୯

ଯାହାର ସେବାବୃତ୍ତି ଫଳେ । ହରି ସନ୍ତୋଷ ଏ ଶୟଳେ ॥ ୭୦

ଏ ଚାରିବ‰ର୍ଣ୍ଣ ଏ ଜଗତେ । ସ୍ୱଭାବଧର୍ମ ଅନୁମତେ ॥ ୭୧

ଜଗତଗୁରୁ ହରିପାଦେ । ଭଜିବେ ଯୁଗ ଅନୁବାଦେ ॥ ୭୨

ଶୁଦ୍ଧ ସୁବୃତ୍ତି ଘେନି ସୁଖେ । ବିଷ୍ଣୁ ପୂଜିବେ ଯଜ୍ଞମୁଖେ ॥ ୭୩

ତାହାର ଗୁଣ ବ‰ର୍ଣ୍ଣିବାରେ । କେବା ସମର୍ଥ ଏ ସଂସାରେ ॥ ୭୪

ଏମନ୍ତେ ଶୁଣ ହେ ବିଦୂର । ଯାହା କହିଲେ ଗଦାଧର ॥ ୭୫

ମୁଁ ତୋତେ କହିଲଇଁ ଭାବେ । ଯାହା ପଚାରିଲୁ ପ୍ରସ୍ତାବେ ॥ ୭୬

ସେ ହରି ଗୁଣ-ମାୟା-ଅର୍ଥ । କେ ମୁଖେ କହି ସାମରଥ ॥ ୭୭

ତଥାପି ଜ୍ଞାନ ମୋର ଯେତେ । ସବୁ କହିବି ତୋ’ ଅଗ୍ରତେ ॥ ୭୮

ଯେଣୁ ସେ କୃଷ୍ଣର ଚରିତ । କରଇ ବଚନ ପବିତ୍ର ॥ ୭୯

ଯା’ର ମହିମା ଅବଧାନେ । ଜ୍ଞାନ-ଅମୃତ-ରସ-ପାନେ ॥ ୮୦

ଜନ୍ମ-ମରଣୁ ପ୍ରାଣୀତରେ । ନ ବୁଡେ଼ ସଂସାରସାଗରେ ॥ ୮୧

ତା’ର ମହିମା ଏ ସଂସାରେ । କେ କହୁ ଶତ ସମ୍ବ›ତ୍ସରେ ॥ ୮୨

ଯା’ର ମହିମା ଯୋଗେ ଚିନ୍ତି । ବ୍ରହ୍ମାଶଙ୍କରେ ମୋହ ଯା’ନ୍ତି ॥ ୮୩

ସେ ହରି ଏ ମାୟା ସଂସାରେ । ମୋହିନୀ ରୂପରେ ପ୍ରଚରେ ॥ ୮୪

ସେ ହରି ସ୍ୱୟଂ ଆତ୍ମାଗତି । ସେହି ନ ଜାଣେ ମାୟାଗତି ॥ ୮୫

ଅପରେ କେବା ତାହା ଜାଣେ । ବ୍ରହ୍ମାଦି ଯେତେ ଦେବଗଣେ ॥ ୮୬

ଯା’ର ଚରଣ ଖୋଜିଗଲେ । ମନ-ବଚନ ନ ପାଇଲେ ॥ ୮୭

ଅପରେ କେ ତାହା ଜାଣିବ । କେ ମୁଖେ ରେଣୁକୁ ଗଣିବ ॥ ୮୮

ସେ ହରିପାଦେ କରି ଆଶ । କହଇ ଜଗନ୍ନାଥ ଦାସ ॥ ୮୯

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ତୃତୀୟସ୍କନ୍ଧେ ଷ‌ଷ୍ଠୋଽଧ୍ୟାୟଃ ॥

* * *