ତୃତୀୟ ସ୍କନ୍ଧ

ପଞ୍ଚମ ଅଧ୍ୟାୟ

ଶୁକ ଉବାଚ

ଶୁଣ ହେ କୁରୁ ନୃପବର । ଗଙ୍ଗାରତୀରେ ସେ ବିଦୁର ॥

ସେ ଗଙ୍ଗାତୀରେ ଉପବନେ । ଦୃଢ଼ ନିଶ୍ଚଳେ ଯେଗାସନେ ॥

ଅଗାଧବୋଧ ବ୍ରହ୍ମଋଷି । ବୃକ୍ଷର ମୂଳେ ଛନ୍ତି ବସି ॥

ମୈତ୍ରେୟ ନାମ ତାହାଙ୍କର । ତେଜେ କି ବିରାଜେ ଭାସ୍କର ॥

ତା’ଙ୍କ ସମୀପେ ବେଗେ ଯାଇ । କପୋଳେ ବେନିକର ଦେଇ ॥

ଗୋବିନ୍ଦଭାବ ଘେନି ହୃଦେ । ବିଦୁର ପୁଚ୍ଛିଲା ଆନନ୍ଦେ ॥

ବିଦୁର ଉବାଚ

ଭୋ ବ୍ରହ୍ମମୁନି ମୋତେ କହ । ଏ ମୋର ମନରେ ସନ୍ଦେହ ॥

ଏ ଜୀବଲୋକ ସୁଖଅର୍ଥେ । କର୍ମ ସମ୍ପାଦୁଥାଇ ନିତ୍ୟେ ॥

କେବେହେଁ ଦୁଃଖ ନ ଚିନ୍ତଇ । ନିଷ୍କାମମାର୍ଗେ ନ ରହଇ ॥

ସୁଖ ଚିନ୍ତନ୍ତେ ଦୁଃଖଲଭେ । କହ ଏ କେବଣ ପ୍ରସ୍ତାବେ ॥ ୧୦

କୃଷ୍ଣ-ବିମୁଖ ଯେତେ ନର । କର୍ମ ଅଭାଗ୍ୟ ତାହାଙ୍କର ॥ ୧୧

ବଞ୍ଚିତ ଗୁରୁଧର୍ମଦୀକ୍ଷା । କାହୁଁ ପାଇବେ ସୁଖବା‚ଞ୍ଛା ॥ ୧୨

କୃଷ୍ଣର ଅନୁଗ୍ରହୀ ଜନେ । ଭୂତ-ଭବିଷ୍ୟ-ବର୍ତ୍ତମାନେ ॥ ୧୩

ତା’ଙ୍କ କୁଶଳ ଆଚରନ୍ତି । କ୍ଷେମେଣ ସଂସାରେ ଭ୍ରମନ୍ତି ॥ ୧୪

ହେ ସାଧୁଜନଙ୍କର ସାର । କହ ସାଧୁମାର୍ଗ ବିଚାର ॥ ୧୫

ଯେ ମାର୍ଗେ କୃଷ୍ଣଙ୍କୁ ଆରାଧି । ପ୍ରାଣୀ ଲଭନ୍ତି ସର୍ବସିଦ୍ଧି ॥ ୧୬

ସେ ହରି ଭକ୍ତି ଅନୁଗତେ । ବସନ୍ତି ଭକ୍ତ-ହୃଦଗତେ ॥ ୧୭

ନିର୍ମଳଚିତ୍ତେ ଜ୍ଞାନ କହେ । ଜନ୍ମମରଣ ତାପ ଦହେ ॥ ୧୮

ସେ ହରି ନାନା-ଅବତାରେ । ସଂସାରେ ଯେତେ କର୍ମକରେ ॥ ୧୯

ସ୍ୱଭାବେ ତ୍ରୈଲୋକ୍ୟଈଶ୍ୱର । ବ୍ରହ୍ମା-ଶଙ୍କରେ ଅଗୋଚର ॥ ୨୦

ସ୍ୱଭାବେ ଚେଷ୍ଟା ଯା’ର ନାହିଁ । ସେ କିପାଁ ସଂସାର ସର୍ଜଇ ॥ ୨୧

ବ୍ରହ୍ମାଣ୍ତେŠ କରେ ନାନାମୂର୍ତ୍ତି । ଯେ ଜୀବ ଯେମନ୍ତେ ଜୀଅନ୍ତି ॥ ୨୨

ଜୀବଙ୍କୁ ହୃଦେ ଭରି ଶୋଏ । କେବଳ ଆତ୍ମମାୟା-ମୋହେ ॥ ୨୩

ଯୋଗେଶ୍ୱରଙ୍କ ଅଧୀଶ୍ୱର । ଯେମନ୍ତେ ବହୁତ ପ୍ରକାର ॥ ୨୪

ବହୁପ୍ରକାରେ ପ୍ରକାଶଇ । ରବି ଯେସନେ ଶୂନ୍ୟେଥାଇ ॥ ୨୫

କ୍ରୀଡ଼ାବିହାରେ ଏ ଜଗତେ । ଗୋ-ବିପ୍ର-ଦେବ-ରକ୍ଷାଅର୍ଥେ ॥ ୨୬

କର୍ମ କରଇ ସେ ଯେମନ୍ତେ । ରୂପ ପ୍ରଭେଦ ବହୁମତେ ॥ ୨୭

ସେ ହରି-ଚରିତ-ଅମୃତ । ଶୁଣି ସନ୍ତୋଷ ନୋହେ ଚିତ୍ତ ॥ ୨୮

ସେ ଆଦିଲୋକନାଥ ହରି । ଯେ ଅବା ତତ୍ତ୍ବ ଆଶ୍ରେକରି ॥ ୨୯

ଲୋକ-ଅଲୋକ-ଲୋକପାଳ । ଅନେକ ଭୁବନମଣ୍ତŠଳ ॥ ୩୦

ନାନାପ୍ରକାରେ ଭେଦକରି । ପ୍ରାଣୀଙ୍କ କର୍ମସୂତ୍ର ଧରି ॥ ୩୧

ସେ ନାରାୟଣ ଆତ୍ମଯୋନି । ବିଶ୍ୱସର୍ଜଇ ଯା’କୁ ଘେନି ॥ ୩୨

ଯେମନ୍ତେ ଜୀବମାନଙ୍କର । ସ୍ୱଭାବକର୍ମ ଯେ ଯାହାର ॥ ୩୩

ସେ କଥା କହ ମୁନି ମୋତେ । ସଂସାରୁ ତରିବି ଯେମନ୍ତେ ॥ ୩୪

ପରଅପର କଥା ଯେତେ । ଗୋବିନ୍ଦ-ଚରିତ ସମେତେ ॥ ୩୫

ବ୍ୟାସଙ୍କ ମୁଖୁ ଅନୁକ୍ଷଣେ । ଶୁଣିଛି ତୃଷିତ-ଶ୍ରବଣେ ॥ ୩୬

ଅଳପ ସୁଖ ଯା’ ଲକ୍ଷଣ । ସେ କାହିଁ ହରିବ ମୋ’ ମନ ॥ ୩୭

ଶ୍ରୀକୃଷ୍ଣ-କଥାମୃତରସ । ପାନରେ ସର୍ବଦା ମୋ’ ଆଶ ॥ ୩୮

କୃଷ୍ଣଚରିତ ତୀର୍ଥପଦ । ହରଇ ବିଷୟା-ବିଷାଦ ॥ ୩୯

ସକଳତୀର୍ଥେ ମୁନିଗଣେ । ଯା’ର ଚରିତ ଅନୁକ୍ଷଣେ ॥ ୪୦

ସ୍ତୁତି କରନ୍ତି ଆତ୍ମାଲାଭେ । କେବଳ ଆତ୍ମଜ୍ଞାନଲୋଭେ ॥ ୪୧

ସେ କଥା ପଶି କ‰ର୍ଣ୍ଣଦ୍ବାରେ । ସୁତୀକ୍ଷ୍‌ଣ-ଚକ୍ର ଘେନି କରେ ॥ ୪୨

ଯେ କର୍ମ ଗୃହ-ଧନ୍ଦେ ଥାଇ । ତ୍ରିଗୁଣ-ରଜ୍ଜୁ ଗଳେ ଦେଇ ॥ ୪୩

ଜନ୍ମମରଣ-ମାର୍ଗେ ଟାଣେ । ସେ କର୍ମ ଛେଦେ ତତକ୍ଷଣେ ॥ ୪୪

ଏମନ୍ତ କୃଷ୍ଣଗୁଣ ଯେତେ । କେ ତୃପ୍ତ ଶୁଣି କ‰ର୍ଣ୍ଣପଥେ ॥ ୪୫

ତୁମ୍ଭର ସଖା ମୁନିବ୍ୟାସ । ଭାରତେ କୃଷ୍ଣ ଗୁଣ-ଯଶ ॥ ୪୬

ଅର୍ଥକାମାଦିଦ୍ୱାରେ କହି । ଯେଣେ ଶ୍ରୀକୃଷ୍ଣେ ମତିହୋଇ ॥ ୪୭

ଯାହା ଶୁଣନ୍ତେ କର୍ଣ୍ଣେ ସୁଖ । ମନେ ନ ରହେ କିଛି ଦୁଃଖ ॥ ୪୮

ଯାହା ଶୁଣନ୍ତେ ନିତିନିତି । ନିବିଡେ଼ ବଢ଼ଇ ବିରକ୍ତି ॥ ୪୯

ସେ ହରି କଥନ ଶ୍ରବଣେ । ଯେ ପ୍ରାଣୀ ବାଞ୍ଛେ ଅନୁକ୍ଷଣେ ॥ ୫୦

ସକଳଦୁଃଖ ହରେ ତା’ର । ରବି ଯେସନେ ଅନ୍ଧକାର ॥ ୫୧

ଯେ ହରି-କଥନେ ବିମୁଖୀ । ତା’ର ଜୀବନ ସଦା ଦୁଃଖୀ ॥ ୫୨

ତା’ର ଆୟୁଷ ଗତି-ସ୍ମୃତି । କାଳର ବଳେ ନାଶ ଯା’ନ୍ତି ॥ ୫୩

ତାହା ନ ଜାଣି ମୂଢ଼ପଣେ । ବିଅର୍ଥବାଦ ଅନୁକ୍ଷଣେ ॥ ୫୪

ଏଣୁ ଗୋବିନ୍ଦ କଥା ଯେତେ । ଆଗମ ନିଗମ ଭକତେ ॥ ୫୫

ସକଳ କଥା ମଧ୍ୟେ ସାର । ସର୍ବକଲ୍ୟାଣ ସୁଖଘର ॥ ୫୬

ଉଧରି କହ ବିପ୍ର ମୋତେ । ଏ ଜୀବଆତ୍ମା ମୋକ୍ଷଅର୍ଥେ ॥ ୫୭

ପୁଷ୍ପରୁ ସାର ମଧୁ ଯେହ୍ନେ । ଉଦ୍ଧରି ମଧୁକର ଆଣେ ॥ ୫୮

ଚିତ୍ତ-ସନ୍ତୋଷେ ପାନ କରେ । ନିର୍ମଳଭାବେ ଦିନ ହରେ ॥ ୫୯

ସୃଷ୍ଟି-ପାଳନ-ସଂହାରଣେ । ଯେ ହରି ଆତ୍ମାମାୟା-ଗୁଣେ ॥ ୬୦

ଅଶେଷ ଶରୀରେ ବିହରେ । ଅତିମାନୁଷ କର୍ମକରେ ॥ ୬୧

ନାନା ପ୍ରକାର ଶକ୍ତି ଧରେ । ଯେମନ୍ତେ ସଂସାରେ ବିହରେ ॥ ୬୨

ସେ ହରି ଗୁଣକର୍ମ ଯେତେ । ଭୋ ମୁନି କହ ମୋ’ ଅଗ୍ରତେ ॥ ୬୩

ଶୁକ ଉବାଚ

ଏମନ୍ତ ବିଦୁରର ବାଣୀ । ଆନନ୍ଦେ ମଇତ୍ରେୟ ଶୁଣି ॥ ୬୪

ଏ ଜୀବ ନିସ୍ତରେ ଯେମନ୍ତେ । କହନ୍ତି ବିଦୁର ଅଗ୍ରତେ ॥ ୬୫

ମୈତ୍ରେୟ ଉବାଚ

ବିଦୁର ସାଧୁ ତୋ ବଚନ । ଯେଣେ ତରିବେ ଦୁଃଖୀଜନ ॥ ୬୬

ଯେ କଥା ହରି-ପାରାୟଣ । ବିସ୍ତାରି ପୁଚ୍ଛୁ ତୁ କାରଣ ॥ ୬୭

ବ୍ୟାସଙ୍କ ବୀର୍ଯ୍ୟେ ତୁ ସ୍ୱଭାବେ । ଜନ୍ମ ଲଭିଲୁ ହରିଭାବେ ॥ ୬୮

ମାŠଣ୍ତବ୍ୟ ତହୁଁ ଶାପ ପାଇ । ତୁ ଯମ ଶୂଦ୍ରରୂପ ବହି ॥ ୬୯

ବ୍ୟାସ କନିଷ୍ଠଭ୍ରାତା କ୍ଷେତ୍ରେ । ଯୋଜନଗନ୍ଧା ଅନୁମତେ ॥ ୭୦

ଶୁଦ୍ରାର ଗର୍ଭେ ତୋ’ର ଜାତ । ତେଣୁ ତୁ ବ୍ୟାସଙ୍କର ସୁତ ॥ ୭୧

ସେ ବିପ୍ରଶାପ ମୋକ୍ଷଅର୍ଥେ । ହରି ଭଜିଲୁ ଅବିରତେ ॥ ୭୨

ସେ ହରି ପ୍ରାଣତ୍ୟାଗ କାଳେ । ବନେ ପିପ୍‌ପଳ ବୃକ୍ଷମୂଳେ ॥ ୭୩

ତୋହର ଅର୍ଥେ ମୋତେ ଜ୍ଞାନ । କହିଲେ ଦେବକୀନନ୍ଦନ ॥ ୭୪

ସେ ଜ୍ଞାନ ତୋତେ ମୁଁ କହିବି । ଶୁଣନ୍ତା-ପ୍ରାଣୀ ନିସ୍ତାରିବି ॥ ୭୫

ସେ ହରି ଯୋଗମାୟା ବଳେ । ଲୀଲାବିହାର ଏ ଶୟଳେ ॥ ୭୬

ବିଶ୍ୱ ସର୍ଜଇ ପାଳି ହରେ । ଯେ ଯୁଗେ ଯେବା କର୍ମକରେ ॥ ୭୭

ନାନାପ୍ରକାର ଲୀଳା କରେ । ଇଚ୍ଛା ଏ ସଂସାରେ ବିହରେ ॥ ୭୮

ସୃଷ୍ଟିର କାଳେ ଭଗବାନ । ଆତ୍ମାକୁ ଆତ୍ମାଜ୍ଞାନେ ଧ୍ୟାନ ॥ ୭୯

କରିଣ ଦେଖେ ଏତଜ୍ୟୋତି । ସେ ପୁଣି ଆତ୍ମଜ୍ଞାନେ ସ୍ଥିତି ॥ ୮୦

ଅଶେଷ ଶକ୍ତି ତା’ର ଦେହେ । ନିଦ୍ରିତ ପ୍ରାୟେ ସୁଖେ ରହେ ॥ ୮୧

ସେ ଶକ୍ତି ଜ୍ଞାନବଳେ ସ୍ମରି । ତକ୍ଷଣେ ମାୟାରୂପ ଧରି ॥ ୮୨

ସତ-ଅସତ-ଆତ୍ମା ତା’ର । ଯେ ଭାବେ ନିର୍ମିତ ସଂସାର ॥ ୮୩

ସେ ମାୟାମଧ୍ୟେ କାଳ ରୂପେ । ତ୍ରିଗୁଣ ଗୁଣମୟେ କଳ୍ପେ ॥ ୮୪

ପୁରୁଷରୂପେ ବୀର୍ଯ୍ୟ ଥୋଇ । ସେ ବୀର୍ଯ୍ୟେ ସ୍ୱୟଂ ପ୍ରକାଶଇ ॥ ୮୫

ଅବ୍ୟକ୍ତ ମଧ୍ୟୁ କାଳବଳେ । ମହତ ଉଦୟ ନିଶ୍ଚଳେ ॥ ୮୬

ବିଲୀନଆତ୍ମା ଦେହଗତ । ଯେ ବୀର୍ଯ୍ୟେ ଏ ବିଶ୍ୱ ବ୍ୟକତ ॥ ୮୭

ଯହୁଁ ସକଳ ପରକାଶେ । ଅନ୍ଧାର ଯେହ୍ନେ ରବି-ତ୍ରାସେ ॥ ୮୮

ସେ ଅଂଶ ଗୁଣ କାଳବଶେ । ଆତ୍ମାରୁ ସଂସାର ପ୍ରକାଶେ ॥ ୮୯

ଆତ୍ମାରୁ ଆତ୍ମାଗୁଣ ବଳେ । ଲହରୀ ଯେହ୍ନେ ସିନ୍ଧୁଜଳେ ॥ ୯୦

ସେ ପୁଣି ଈଶ୍ୱରର ଇଚ୍ଛା । ଯହୁଁ ଉପୁଜେ ସୃଷ୍ଟିଦୀକ୍ଷା ॥ ୯୧

ଯେସନେ ରୋପିତ ଅଙ୍କୁର । ଧରଇ ବୃକ୍ଷର ଆକାର ॥ ୯୨

ସେ ରୂପେ ବିଶ୍ୱର ପ୍ରକାଶ । ନିଜଦେହରୁ କରେ ଈଶ ॥ ୯୩

ସେ ଅଂଶ-ଗୁଣ-କାଳ-ଆତ୍ମା । ବିକୃତ କରି ନିଜ ଆତ୍ମା ॥ ୯୪

ତା’ର ବିକାରୁ ଅହଙ୍କାର । ତକ୍ଷଣେ ହୋଇଲା ବାହାର ॥ ୯୫

କାର୍ଯ୍ୟ କାରଣ କର୍ତ୍ତା ଦେହ । ଭୂତ ଇନ୍ଦ୍ରିୟ ମନୋମୟ ॥ ୯୬

ସାତ୍ତ୍ବିକ ରାଜସ ତାମସ । ଏ ତିନିରୂପେ ତା’ ପ୍ରକାଶ ॥ ୯୭

ସେ ପୁଣି ବିଷ୍ଣୁ-ମାୟାବଳେ । ଜଳବୁଦ୍‌ବୁଦ ଯେହ୍ନେ ଜଳେ ॥ ୯୮

ମନ ଉପୁଜିଲା ତକ୍ଷଣ । ଇନ୍ଦ୍ରିୟ ଦେବତାଏ ପୁଣ ॥ ୯୯

ତୈଜସୁ ହେଲେ ଇନ୍ଦ୍ରିଗଣେ । ଯେ ଜ୍ଞାନ ପରମ କାରଣେ ॥ ୧୦୦

ତମୁ ଉପୁଜିଲା ଶବଦ । ସ୍ପରଶ ରୂପ-ରସ-ଗନ୍ଧ ॥ ୧୦୧

ଏ ପଞ୍ଚ ସୂକ୍ଷ୍ମଗୁଣେ ମିଶି । ଶବଦୁ ଗଗନ ପ୍ରକାଶି ॥ ୧୦୨

ସେ କାଳମାୟା ଅଂଶଯୋଗେ । ବିଷ୍ଣୁର ଦୃଷ୍ଟିର ସଂଯୋଗେ ॥ ୧୦୩

ତହୁଁ ସ୍ପରଶ-ଗୁଣ ହୋଇ । ସ୍ପର୍ଶୁ ପବନ ପ୍ରକାଶଇ ॥ ୧୦୪

ତାହାର ତହିଁ ବେନିଗୁଣ । ଶବଦ ସ୍ପରଶ ଲକ୍ଷଣ ॥ ୧୦୫

ସେ ପୁଣି କାଳେ ବିକାରିତ । ଜ୍ୟୋତି ତାହାର ତହୁଁ ଜାତ ॥ ୧୦୬

ସେ ଜ୍ୟୋତି ମଧ୍ୟେ ରୂପ ଥୋଇ । ଶବ୍ଦ-ସ୍ପରଶ-ରୂପମୟୀ ॥ ୧୦୭

ଜ୍ୟୋତିବିକାରେ ରସୁଁ ଆପ । ଶବ୍ଦ-ସ୍ପରଶ-ରସ-ରୂପ ॥ ୧୦୮

ଏ ଚାରିଗୁଣ ଜଳେ ଥୋଇ । ଭୂମି ଉପୁଜେ ଗନ୍ଧ ଲଇ ॥ ୧୦୯

ଏମନ୍ତେ ସୃଷ୍ଟିର ସଞ୍ଚାର । ମହତଆଦିତତ୍ତ୍ବଙ୍କର ॥ ୧୧୦

ଅଧିଦେବତା ଅଧିକାର । ଯେ ଅଂଶ ଅଟନ୍ତି ବିଷ୍ଣୁର ॥ ୧୧୧

ସେ ତତ୍ତ୍ବମାନଙ୍କ ଈଶ୍ୱର । ଚେତନା-ବିକ୍ଷେପ-ବିଚାର ॥ ୧୧୨

ଏ ତିନିଗୁଣଙ୍କୁ ସେ ଧରି । ବ୍ରହ୍ମାŠଣ୍ତ ସୃଜିଣ ନ ପାରି ॥ ୧୧୩

କରଅଞ୍ଜଳି ଶିରେ ଦେଇ । ଭାବେ ବୋଲନ୍ତି ବିଷ୍ଣୁ ଚାହିଁ ॥ ୧୧୪

ଦେବଗଣ ଉବାଚ

ଭୋ ଦେବ ନମୁଁ ତୋ’ ପୟର । ପ୍ରପନ୍ନଜନ ଦୁଃଖ ହର ॥ ୧୧୫

ଯେ ପାଦପଦ୍ମ ଆଶ୍ରେ କରି । ସଂସାରୁ ତରନ୍ତି ସଂସାରୀ ॥ ୧୧୬

ହେ ଧାତା ତୋ’ର ମାୟାବଳେ । ଅଶେଷଜନ୍ତୁ ଏ ଶୟଳେ ॥ ୧୧୭

କରନ୍ତି ତାପତ୍ରୟେ ଭ୍ରମ । ଏଣୁ ଲଭନ୍ତି ପ୍ରାଣୀ ଶ୍ରମ ॥ ୧୧୮

ତୋ’ ପାଦପଦ୍ମ ଛାୟାତଳେ । ଯେ ପ୍ରାଣୀ ରହନ୍ତି ନିଶ୍ଚଳେ ॥ ୧୧୯

ସେ ପ୍ରାଣୀ ସଂସାରୁ ତରନ୍ତି । କେବେ ହେଁ ଭ୍ରମେ ନ ପଡ଼ନ୍ତି ॥ ୧୨୦

ଏଣୁ ତୋ ପାଦ ସେବାଅର୍ଥେ । ଆମ୍ଭେ ରହିବୁ ଏ ଜଗତେ ॥ ୧୨୧

ତୋ’ ମୁଖପଦ୍ମ ଛାୟା ପ୍ରାୟ । ଯେମନ୍ତେ ପକ୍ଷୀଙ୍କ ଆଶ୍ରୟ ॥ ୧୨୨

ନିଶ୍ଚିନ୍ତ ପ୍ରାୟେ ଘୋରବନେ । ଆଶ୍ରେ କରନ୍ତି ମୁନିଜନେ ॥ ୧୨୩

ସେ ପାଦ ଛୁଇଁ ତୀର୍ଥବର । ଗଙ୍ଗା ଯେ ସ୍ୱଭାବେ ନିର୍ମଳ ॥ ୧୨୪

ସମ୍ପୂ‰ର୍ଣ୍ଣ ଅଘମରଷଣ । ସେ ପାଦେ ପଶିଲୁ ଶରଣ ॥ ୧୨୫

ଏଣୁ ଯେ ତୋହର ଚରଣେ । ହୃଦେ ଭାବନ୍ତି ଅନୁକ୍ଷଣେ ॥ ୧୨୬

ଜ୍ଞାନ-ବୈରାଗ୍ୟବଳେ ଚିନ୍ତି । ଯେ ପାଦ ହୃଦେ ଆରୋପନ୍ତି ॥ ୧୨୭

ସେ ପାଦେ ପଶିଲୁ ଶରଣ । ପ୍ରସନ୍ନ ହୁଅ ନାରାୟଣ ॥ ୧୨୮

ସୃଷ୍ଟି-ସ୍ଥିତି-ସଂହାର ଅର୍ଥେ । ତୋ’ ଅବତାର ଏ ଜଗତେ ॥ ୧୨୯

ସେ ରୂପ ଗୁଣ ଯେ ଚିନ୍ତନ୍ତି । ଏ ଘୋରସଂସାରୁ ତରନ୍ତି ॥ ୧୩୦

ଭୋ ନାଥ ଗୃହ-ଅନ୍ଧକୂପେ । ପ୍ରାଣୀ ପଡ଼ନ୍ତି ମୋହକଳ୍ପେ ॥ ୧୩୧

ମୁହିଁ ମୋହର ବୋଲି ଭାଷି । ହୃଦେ ବାନ୍ଧନ୍ତି ମୋହଫାଶି ॥ ୧୩୨

ସେ ଦୃଢ଼-ବନ୍ଧନ ବିଷାଦ । ହେଳେ ଖŠଣ୍ତଇ ତୋ’ର ପାଦ ॥ ୧୩୩

ତୋ ପାଦପଦ୍ମେ ଜଗନ୍ନାଥ । ନିରତେ ରହୁ ଆମ୍ଭ ଚିତ୍ତ ॥ ୧୩୪

ଅଶାନ୍ତ ଇନ୍ଦ୍ରିଗଣ ମେଳେ । ହୃଦୟ ନ ରହେ ନିଶ୍ଚଳେ ॥ ୧୩୫

ଆତ୍ମାର ପଥ ନ ଦେଖନ୍ତି । ଯେ କଳ୍ପେ ସମ୍ପଦ-ବିଭୂତି ॥ ୧୩୬

ତୋ’ କଥା ସୁଧା ରସପାନ । ପ୍ରବୋଧ-ଭକ୍ତି-ଦିବ୍ୟଜ୍ଞାନ ॥ ୧୩୭

ବୈରାଗ୍ୟସାର ସେ ଲଭନ୍ତି । ନିର୍ଭୟେ ବିଷ୍ଣୁ ଲୋକେ ଯା’ନ୍ତି ॥ ୧୩୮

ଅପରେ ଯେତେ ମୁନିକୁଳେ । ଆତ୍ମା-ସମାଧି-ଯୋଗବଳେ ॥ ୧୩୯

ଘୋର ପ୍ରକୃତି-ମୁଖୁ ତରି । ତୋ’ ପଦ-କମଳ ଆବୋରି ॥ ୧୪୦

ତୋ’ର ସେବାରେ ଭ୍ରମ ତୁଟେ । ଅଶେଷ-ବାୟାବନ୍ଧ ଫିଟେ ॥ ୧୪୧

ଲୋକ ସର୍ଜିବା ଅର୍ଥେ ତୁହି । ଆମ୍ଭଙ୍କୁ ଆପଣେ ଭିଆଇ ॥ ୧୪୨

ତ୍ରିଗୁଣ-ଭେଦଭାବ ଦେଇ । ଆମ୍ଭଙ୍କୁ ସର୍ଜୁ ନାଥ ତୁହି ॥ ୧୪୩

ଆମ୍ଭେ ବିଯୁକ୍ତଭାବେ ଥା’ନ୍ତେ । ତୋ’ ସୃଷ୍ଟି କରିବୁ କେମନ୍ତେ ॥ ୧୪୪

ଯେମନ୍ତେ ଯଥାକାଳେ ବଳି । ତୋ’ ପାଦେ ଦେଇ ବନମାଳୀ ॥ ୧୪୫

ଥୋକାଏ ପାଇ ତୋଷଚିତ୍ତେ । ତୋ’ ପାଦେ ସେବୁଁ ଅବିରତେ ॥ ୧୪୬

ତୁ କୂଟସ୍ଥିତ ଆଦି ହରି । ମାୟା-ପୁରୁଷ ରୂପ ଧରି ॥ ୧୪୭

ଅବିଦ୍ୟା ଗୁଣ-କର୍ମ-ବଳେ । ତୋ’ ଶକ୍ତିଗର୍ଭେ ତୁ ନିଶ୍ଚଳେ ॥ ୧୪୮

ଅମୋଘ-ବୀର୍ଯ୍ୟ ନାଥ ଥୋଇ । ସୃଷ୍ଟି ସର୍ଜନା କରୁ ତୁହି ॥ ୧୪୯

ତୋହର ତହୁଁ ଆମ୍ଭେ ଜାତ । ସତ୍ୟ ପ୍ରମୁଖ ଜଗନ୍ନାଥ ॥ ୧୫୦

ତୋ’ ଆଜ୍ଞା ଶିରେ ଘେନି ଭାବେ । କହ କି କରିବଇଁ ଏବେ ॥ ୧୫୧

ଆମ୍ଭଙ୍କୁ ଦିବ୍ୟଚକ୍ଷୁ ଦେଇ । ତୋ’ର ବ୍ୟାପାରେ ରଖ ତୁହି ॥ ୧୫୨

ଏମନ୍ତ ଦେବଙ୍କ ବଚନ । ଶୁଣି ସନ୍ତୋଷ ଭଗବାନ ॥ ୧୫୩

ସେ ହରିଚରଣେ ବିଶ୍ୱାସ । ଭଣଇ ଜଗନ୍ନାଥ ଦାସ ॥ ୧୫୪

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ତୃତୀୟସ୍କନ୍ଧେ ପଞ୍ଚମୋଽଧ୍ୟାୟଃ ॥

* * *