ତୃତୀୟ ସ୍କନ୍ଧ
ପଞ୍ଚମ ଅଧ୍ୟାୟ
ଶୁକ ଉବାଚ
ଶୁଣ ହେ କୁରୁ ନୃପବର । ଗଙ୍ଗାରତୀରେ ସେ ବିଦୁର ॥ ୧
ସେ ଗଙ୍ଗାତୀରେ ଉପବନେ । ଦୃଢ଼ ନିଶ୍ଚଳେ ଯେଗାସନେ ॥ ୨
ଅଗାଧବୋଧ ବ୍ରହ୍ମଋଷି । ବୃକ୍ଷର ମୂଳେ ଛନ୍ତି ବସି ॥ ୩
ମୈତ୍ରେୟ ନାମ ତାହାଙ୍କର । ତେଜେ କି ବିରାଜେ ଭାସ୍କର ॥ ୪
ତାଙ୍କ ସମୀପେ ବେଗେ ଯାଇ । କପୋଳେ ବେନିକର ଦେଇ ॥ ୫
ଗୋବିନ୍ଦଭାବ ଘେନି ହୃଦେ । ବିଦୁର ପୁଚ୍ଛିଲା ଆନନ୍ଦେ ॥ ୬
ବିଦୁର ଉବାଚ
ଭୋ ବ୍ରହ୍ମମୁନି ମୋତେ କହ । ଏ ମୋର ମନରେ ସନ୍ଦେହ ॥ ୭
ଏ ଜୀବଲୋକ ସୁଖଅର୍ଥେ । କର୍ମ ସମ୍ପାଦୁଥାଇ ନିତ୍ୟେ ॥ ୮
କେବେହେଁ ଦୁଃଖ ନ ଚିନ୍ତଇ । ନିଷ୍କାମମାର୍ଗେ ନ ରହଇ ॥ ୯
ସୁଖ ଚିନ୍ତନ୍ତେ ଦୁଃଖଲଭେ । କହ ଏ କେବଣ ପ୍ରସ୍ତାବେ ॥ ୧୦
କୃଷ୍ଣ-ବିମୁଖ ଯେତେ ନର । କର୍ମ ଅଭାଗ୍ୟ ତାହାଙ୍କର ॥ ୧୧
ବଞ୍ଚିତ ଗୁରୁଧର୍ମଦୀକ୍ଷା । କାହୁଁ ପାଇବେ ସୁଖବାଞ୍ଛା ॥ ୧୨
କୃଷ୍ଣର ଅନୁଗ୍ରହୀ ଜନେ । ଭୂତ-ଭବିଷ୍ୟ-ବର୍ତ୍ତମାନେ ॥ ୧୩
ତାଙ୍କ କୁଶଳ ଆଚରନ୍ତି । କ୍ଷେମେଣ ସଂସାରେ ଭ୍ରମନ୍ତି ॥ ୧୪
ହେ ସାଧୁଜନଙ୍କର ସାର । କହ ସାଧୁମାର୍ଗ ବିଚାର ॥ ୧୫
ଯେ ମାର୍ଗେ କୃଷ୍ଣଙ୍କୁ ଆରାଧି । ପ୍ରାଣୀ ଲଭନ୍ତି ସର୍ବସିଦ୍ଧି ॥ ୧୬
ସେ ହରି ଭକ୍ତି ଅନୁଗତେ । ବସନ୍ତି ଭକ୍ତ-ହୃଦଗତେ ॥ ୧୭
ନିର୍ମଳଚିତ୍ତେ ଜ୍ଞାନ କହେ । ଜନ୍ମମରଣ ତାପ ଦହେ ॥ ୧୮
ସେ ହରି ନାନା-ଅବତାରେ । ସଂସାରେ ଯେତେ କର୍ମକରେ ॥ ୧୯
ସ୍ୱଭାବେ ତ୍ରୈଲୋକ୍ୟଈଶ୍ୱର । ବ୍ରହ୍ମା-ଶଙ୍କରେ ଅଗୋଚର ॥ ୨୦
ସ୍ୱଭାବେ ଚେଷ୍ଟା ଯାର ନାହିଁ । ସେ କିପାଁ ସଂସାର ସର୍ଜଇ ॥ ୨୧
ବ୍ରହ୍ମାଣ୍ତେ କରେ ନାନାମୂର୍ତ୍ତି । ଯେ ଜୀବ ଯେମନ୍ତେ ଜୀଅନ୍ତି ॥ ୨୨
ଜୀବଙ୍କୁ ହୃଦେ ଭରି ଶୋଏ । କେବଳ ଆତ୍ମମାୟା-ମୋହେ ॥ ୨୩
ଯୋଗେଶ୍ୱରଙ୍କ ଅଧୀଶ୍ୱର । ଯେମନ୍ତେ ବହୁତ ପ୍ରକାର ॥ ୨୪
ବହୁପ୍ରକାରେ ପ୍ରକାଶଇ । ରବି ଯେସନେ ଶୂନ୍ୟେଥାଇ ॥ ୨୫
କ୍ରୀଡ଼ାବିହାରେ ଏ ଜଗତେ । ଗୋ-ବିପ୍ର-ଦେବ-ରକ୍ଷାଅର୍ଥେ ॥ ୨୬
କର୍ମ କରଇ ସେ ଯେମନ୍ତେ । ରୂପ ପ୍ରଭେଦ ବହୁମତେ ॥ ୨୭
ସେ ହରି-ଚରିତ-ଅମୃତ । ଶୁଣି ସନ୍ତୋଷ ନୋହେ ଚିତ୍ତ ॥ ୨୮
ସେ ଆଦିଲୋକନାଥ ହରି । ଯେ ଅବା ତତ୍ତ୍ବ ଆଶ୍ରେକରି ॥ ୨୯
ଲୋକ-ଅଲୋକ-ଲୋକପାଳ । ଅନେକ ଭୁବନମଣ୍ତଳ ॥ ୩୦
ନାନାପ୍ରକାରେ ଭେଦକରି । ପ୍ରାଣୀଙ୍କ କର୍ମସୂତ୍ର ଧରି ॥ ୩୧
ସେ ନାରାୟଣ ଆତ୍ମଯୋନି । ବିଶ୍ୱସର୍ଜଇ ଯାକୁ ଘେନି ॥ ୩୨
ଯେମନ୍ତେ ଜୀବମାନଙ୍କର । ସ୍ୱଭାବକର୍ମ ଯେ ଯାହାର ॥ ୩୩
ସେ କଥା କହ ମୁନି ମୋତେ । ସଂସାରୁ ତରିବି ଯେମନ୍ତେ ॥ ୩୪
ପରଅପର କଥା ଯେତେ । ଗୋବିନ୍ଦ-ଚରିତ ସମେତେ ॥ ୩୫
ବ୍ୟାସଙ୍କ ମୁଖୁ ଅନୁକ୍ଷଣେ । ଶୁଣିଛି ତୃଷିତ-ଶ୍ରବଣେ ॥ ୩୬
ଅଳପ ସୁଖ ଯା ଲକ୍ଷଣ । ସେ କାହିଁ ହରିବ ମୋ ମନ ॥ ୩୭
ଶ୍ରୀକୃଷ୍ଣ-କଥାମୃତରସ । ପାନରେ ସର୍ବଦା ମୋ ଆଶ ॥ ୩୮
କୃଷ୍ଣଚରିତ ତୀର୍ଥପଦ । ହରଇ ବିଷୟା-ବିଷାଦ ॥ ୩୯
ସକଳତୀର୍ଥେ ମୁନିଗଣେ । ଯାର ଚରିତ ଅନୁକ୍ଷଣେ ॥ ୪୦
ସ୍ତୁତି କରନ୍ତି ଆତ୍ମାଲାଭେ । କେବଳ ଆତ୍ମଜ୍ଞାନଲୋଭେ ॥ ୪୧
ସେ କଥା ପଶି କର୍ଣ୍ଣଦ୍ବାରେ । ସୁତୀକ୍ଷ୍ଣ-ଚକ୍ର ଘେନି କରେ ॥ ୪୨
ଯେ କର୍ମ ଗୃହ-ଧନ୍ଦେ ଥାଇ । ତ୍ରିଗୁଣ-ରଜ୍ଜୁ ଗଳେ ଦେଇ ॥ ୪୩
ଜନ୍ମମରଣ-ମାର୍ଗେ ଟାଣେ । ସେ କର୍ମ ଛେଦେ ତତକ୍ଷଣେ ॥ ୪୪
ଏମନ୍ତ କୃଷ୍ଣଗୁଣ ଯେତେ । କେ ତୃପ୍ତ ଶୁଣି କର୍ଣ୍ଣପଥେ ॥ ୪୫
ତୁମ୍ଭର ସଖା ମୁନିବ୍ୟାସ । ଭାରତେ କୃଷ୍ଣ ଗୁଣ-ଯଶ ॥ ୪୬
ଅର୍ଥକାମାଦିଦ୍ୱାରେ କହି । ଯେଣେ ଶ୍ରୀକୃଷ୍ଣେ ମତିହୋଇ ॥ ୪୭
ଯାହା ଶୁଣନ୍ତେ କର୍ଣ୍ଣେ ସୁଖ । ମନେ ନ ରହେ କିଛି ଦୁଃଖ ॥ ୪୮
ଯାହା ଶୁଣନ୍ତେ ନିତିନିତି । ନିବିଡେ଼ ବଢ଼ଇ ବିରକ୍ତି ॥ ୪୯
ସେ ହରି କଥନ ଶ୍ରବଣେ । ଯେ ପ୍ରାଣୀ ବାଞ୍ଛେ ଅନୁକ୍ଷଣେ ॥ ୫୦
ସକଳଦୁଃଖ ହରେ ତାର । ରବି ଯେସନେ ଅନ୍ଧକାର ॥ ୫୧
ଯେ ହରି-କଥନେ ବିମୁଖୀ । ତାର ଜୀବନ ସଦା ଦୁଃଖୀ ॥ ୫୨
ତାର ଆୟୁଷ ଗତି-ସ୍ମୃତି । କାଳର ବଳେ ନାଶ ଯାନ୍ତି ॥ ୫୩
ତାହା ନ ଜାଣି ମୂଢ଼ପଣେ । ବିଅର୍ଥବାଦ ଅନୁକ୍ଷଣେ ॥ ୫୪
ଏଣୁ ଗୋବିନ୍ଦ କଥା ଯେତେ । ଆଗମ ନିଗମ ଭକତେ ॥ ୫୫
ସକଳ କଥା ମଧ୍ୟେ ସାର । ସର୍ବକଲ୍ୟାଣ ସୁଖଘର ॥ ୫୬
ଉଧରି କହ ବିପ୍ର ମୋତେ । ଏ ଜୀବଆତ୍ମା ମୋକ୍ଷଅର୍ଥେ ॥ ୫୭
ପୁଷ୍ପରୁ ସାର ମଧୁ ଯେହ୍ନେ । ଉଦ୍ଧରି ମଧୁକର ଆଣେ ॥ ୫୮
ଚିତ୍ତ-ସନ୍ତୋଷେ ପାନ କରେ । ନିର୍ମଳଭାବେ ଦିନ ହରେ ॥ ୫୯
ସୃଷ୍ଟି-ପାଳନ-ସଂହାରଣେ । ଯେ ହରି ଆତ୍ମାମାୟା-ଗୁଣେ ॥ ୬୦
ଅଶେଷ ଶରୀରେ ବିହରେ । ଅତିମାନୁଷ କର୍ମକରେ ॥ ୬୧
ନାନା ପ୍ରକାର ଶକ୍ତି ଧରେ । ଯେମନ୍ତେ ସଂସାରେ ବିହରେ ॥ ୬୨
ସେ ହରି ଗୁଣକର୍ମ ଯେତେ । ଭୋ ମୁନି କହ ମୋ ଅଗ୍ରତେ ॥ ୬୩
ଶୁକ ଉବାଚ
ଏମନ୍ତ ବିଦୁରର ବାଣୀ । ଆନନ୍ଦେ ମଇତ୍ରେୟ ଶୁଣି ॥ ୬୪
ଏ ଜୀବ ନିସ୍ତରେ ଯେମନ୍ତେ । କହନ୍ତି ବିଦୁର ଅଗ୍ରତେ ॥ ୬୫
ମୈତ୍ରେୟ ଉବାଚ
ବିଦୁର ସାଧୁ ତୋ ବଚନ । ଯେଣେ ତରିବେ ଦୁଃଖୀଜନ ॥ ୬୬
ଯେ କଥା ହରି-ପାରାୟଣ । ବିସ୍ତାରି ପୁଚ୍ଛୁ ତୁ କାରଣ ॥ ୬୭
ବ୍ୟାସଙ୍କ ବୀର୍ଯ୍ୟେ ତୁ ସ୍ୱଭାବେ । ଜନ୍ମ ଲଭିଲୁ ହରିଭାବେ ॥ ୬୮
ମାଣ୍ତବ୍ୟ ତହୁଁ ଶାପ ପାଇ । ତୁ ଯମ ଶୂଦ୍ରରୂପ ବହି ॥ ୬୯
ବ୍ୟାସ କନିଷ୍ଠଭ୍ରାତା କ୍ଷେତ୍ରେ । ଯୋଜନଗନ୍ଧା ଅନୁମତେ ॥ ୭୦
ଶୁଦ୍ରାର ଗର୍ଭେ ତୋର ଜାତ । ତେଣୁ ତୁ ବ୍ୟାସଙ୍କର ସୁତ ॥ ୭୧
ସେ ବିପ୍ରଶାପ ମୋକ୍ଷଅର୍ଥେ । ହରି ଭଜିଲୁ ଅବିରତେ ॥ ୭୨
ସେ ହରି ପ୍ରାଣତ୍ୟାଗ କାଳେ । ବନେ ପିପ୍ପଳ ବୃକ୍ଷମୂଳେ ॥ ୭୩
ତୋହର ଅର୍ଥେ ମୋତେ ଜ୍ଞାନ । କହିଲେ ଦେବକୀନନ୍ଦନ ॥ ୭୪
ସେ ଜ୍ଞାନ ତୋତେ ମୁଁ କହିବି । ଶୁଣନ୍ତା-ପ୍ରାଣୀ ନିସ୍ତାରିବି ॥ ୭୫
ସେ ହରି ଯୋଗମାୟା ବଳେ । ଲୀଲାବିହାର ଏ ଶୟଳେ ॥ ୭୬
ବିଶ୍ୱ ସର୍ଜଇ ପାଳି ହରେ । ଯେ ଯୁଗେ ଯେବା କର୍ମକରେ ॥ ୭୭
ନାନାପ୍ରକାର ଲୀଳା କରେ । ଇଚ୍ଛା ଏ ସଂସାରେ ବିହରେ ॥ ୭୮
ସୃଷ୍ଟିର କାଳେ ଭଗବାନ । ଆତ୍ମାକୁ ଆତ୍ମାଜ୍ଞାନେ ଧ୍ୟାନ ॥ ୭୯
କରିଣ ଦେଖେ ଏତଜ୍ୟୋତି । ସେ ପୁଣି ଆତ୍ମଜ୍ଞାନେ ସ୍ଥିତି ॥ ୮୦
ଅଶେଷ ଶକ୍ତି ତାର ଦେହେ । ନିଦ୍ରିତ ପ୍ରାୟେ ସୁଖେ ରହେ ॥ ୮୧
ସେ ଶକ୍ତି ଜ୍ଞାନବଳେ ସ୍ମରି । ତକ୍ଷଣେ ମାୟାରୂପ ଧରି ॥ ୮୨
ସତ-ଅସତ-ଆତ୍ମା ତାର । ଯେ ଭାବେ ନିର୍ମିତ ସଂସାର ॥ ୮୩
ସେ ମାୟାମଧ୍ୟେ କାଳ ରୂପେ । ତ୍ରିଗୁଣ ଗୁଣମୟେ କଳ୍ପେ ॥ ୮୪
ପୁରୁଷରୂପେ ବୀର୍ଯ୍ୟ ଥୋଇ । ସେ ବୀର୍ଯ୍ୟେ ସ୍ୱୟଂ ପ୍ରକାଶଇ ॥ ୮୫
ଅବ୍ୟକ୍ତ ମଧ୍ୟୁ କାଳବଳେ । ମହତ ଉଦୟ ନିଶ୍ଚଳେ ॥ ୮୬
ବିଲୀନଆତ୍ମା ଦେହଗତ । ଯେ ବୀର୍ଯ୍ୟେ ଏ ବିଶ୍ୱ ବ୍ୟକତ ॥ ୮୭
ଯହୁଁ ସକଳ ପରକାଶେ । ଅନ୍ଧାର ଯେହ୍ନେ ରବି-ତ୍ରାସେ ॥ ୮୮
ସେ ଅଂଶ ଗୁଣ କାଳବଶେ । ଆତ୍ମାରୁ ସଂସାର ପ୍ରକାଶେ ॥ ୮୯
ଆତ୍ମାରୁ ଆତ୍ମାଗୁଣ ବଳେ । ଲହରୀ ଯେହ୍ନେ ସିନ୍ଧୁଜଳେ ॥ ୯୦
ସେ ପୁଣି ଈଶ୍ୱରର ଇଚ୍ଛା । ଯହୁଁ ଉପୁଜେ ସୃଷ୍ଟିଦୀକ୍ଷା ॥ ୯୧
ଯେସନେ ରୋପିତ ଅଙ୍କୁର । ଧରଇ ବୃକ୍ଷର ଆକାର ॥ ୯୨
ସେ ରୂପେ ବିଶ୍ୱର ପ୍ରକାଶ । ନିଜଦେହରୁ କରେ ଈଶ ॥ ୯୩
ସେ ଅଂଶ-ଗୁଣ-କାଳ-ଆତ୍ମା । ବିକୃତ କରି ନିଜ ଆତ୍ମା ॥ ୯୪
ତାର ବିକାରୁ ଅହଙ୍କାର । ତକ୍ଷଣେ ହୋଇଲା ବାହାର ॥ ୯୫
କାର୍ଯ୍ୟ କାରଣ କର୍ତ୍ତା ଦେହ । ଭୂତ ଇନ୍ଦ୍ରିୟ ମନୋମୟ ॥ ୯୬
ସାତ୍ତ୍ବିକ ରାଜସ ତାମସ । ଏ ତିନିରୂପେ ତା ପ୍ରକାଶ ॥ ୯୭
ସେ ପୁଣି ବିଷ୍ଣୁ-ମାୟାବଳେ । ଜଳବୁଦ୍ବୁଦ ଯେହ୍ନେ ଜଳେ ॥ ୯୮
ମନ ଉପୁଜିଲା ତକ୍ଷଣ । ଇନ୍ଦ୍ରିୟ ଦେବତାଏ ପୁଣ ॥ ୯୯
ତୈଜସୁ ହେଲେ ଇନ୍ଦ୍ରିଗଣେ । ଯେ ଜ୍ଞାନ ପରମ କାରଣେ ॥ ୧୦୦
ତମୁ ଉପୁଜିଲା ଶବଦ । ସ୍ପରଶ ରୂପ-ରସ-ଗନ୍ଧ ॥ ୧୦୧
ଏ ପଞ୍ଚ ସୂକ୍ଷ୍ମଗୁଣେ ମିଶି । ଶବଦୁ ଗଗନ ପ୍ରକାଶି ॥ ୧୦୨
ସେ କାଳମାୟା ଅଂଶଯୋଗେ । ବିଷ୍ଣୁର ଦୃଷ୍ଟିର ସଂଯୋଗେ ॥ ୧୦୩
ତହୁଁ ସ୍ପରଶ-ଗୁଣ ହୋଇ । ସ୍ପର୍ଶୁ ପବନ ପ୍ରକାଶଇ ॥ ୧୦୪
ତାହାର ତହିଁ ବେନିଗୁଣ । ଶବଦ ସ୍ପରଶ ଲକ୍ଷଣ ॥ ୧୦୫
ସେ ପୁଣି କାଳେ ବିକାରିତ । ଜ୍ୟୋତି ତାହାର ତହୁଁ ଜାତ ॥ ୧୦୬
ସେ ଜ୍ୟୋତି ମଧ୍ୟେ ରୂପ ଥୋଇ । ଶବ୍ଦ-ସ୍ପରଶ-ରୂପମୟୀ ॥ ୧୦୭
ଜ୍ୟୋତିବିକାରେ ରସୁଁ ଆପ । ଶବ୍ଦ-ସ୍ପରଶ-ରସ-ରୂପ ॥ ୧୦୮
ଏ ଚାରିଗୁଣ ଜଳେ ଥୋଇ । ଭୂମି ଉପୁଜେ ଗନ୍ଧ ଲଇ ॥ ୧୦୯
ଏମନ୍ତେ ସୃଷ୍ଟିର ସଞ୍ଚାର । ମହତଆଦିତତ୍ତ୍ବଙ୍କର ॥ ୧୧୦
ଅଧିଦେବତା ଅଧିକାର । ଯେ ଅଂଶ ଅଟନ୍ତି ବିଷ୍ଣୁର ॥ ୧୧୧
ସେ ତତ୍ତ୍ବମାନଙ୍କ ଈଶ୍ୱର । ଚେତନା-ବିକ୍ଷେପ-ବିଚାର ॥ ୧୧୨
ଏ ତିନିଗୁଣଙ୍କୁ ସେ ଧରି । ବ୍ରହ୍ମାଣ୍ତ ସୃଜିଣ ନ ପାରି ॥ ୧୧୩
କରଅଞ୍ଜଳି ଶିରେ ଦେଇ । ଭାବେ ବୋଲନ୍ତି ବିଷ୍ଣୁ ଚାହିଁ ॥ ୧୧୪
ଦେବଗଣ ଉବାଚ
ଭୋ ଦେବ ନମୁଁ ତୋ ପୟର । ପ୍ରପନ୍ନଜନ ଦୁଃଖ ହର ॥ ୧୧୫
ଯେ ପାଦପଦ୍ମ ଆଶ୍ରେ କରି । ସଂସାରୁ ତରନ୍ତି ସଂସାରୀ ॥ ୧୧୬
ହେ ଧାତା ତୋର ମାୟାବଳେ । ଅଶେଷଜନ୍ତୁ ଏ ଶୟଳେ ॥ ୧୧୭
କରନ୍ତି ତାପତ୍ରୟେ ଭ୍ରମ । ଏଣୁ ଲଭନ୍ତି ପ୍ରାଣୀ ଶ୍ରମ ॥ ୧୧୮
ତୋ ପାଦପଦ୍ମ ଛାୟାତଳେ । ଯେ ପ୍ରାଣୀ ରହନ୍ତି ନିଶ୍ଚଳେ ॥ ୧୧୯
ସେ ପ୍ରାଣୀ ସଂସାରୁ ତରନ୍ତି । କେବେ ହେଁ ଭ୍ରମେ ନ ପଡ଼ନ୍ତି ॥ ୧୨୦
ଏଣୁ ତୋ ପାଦ ସେବାଅର୍ଥେ । ଆମ୍ଭେ ରହିବୁ ଏ ଜଗତେ ॥ ୧୨୧
ତୋ ମୁଖପଦ୍ମ ଛାୟା ପ୍ରାୟ । ଯେମନ୍ତେ ପକ୍ଷୀଙ୍କ ଆଶ୍ରୟ ॥ ୧୨୨
ନିଶ୍ଚିନ୍ତ ପ୍ରାୟେ ଘୋରବନେ । ଆଶ୍ରେ କରନ୍ତି ମୁନିଜନେ ॥ ୧୨୩
ସେ ପାଦ ଛୁଇଁ ତୀର୍ଥବର । ଗଙ୍ଗା ଯେ ସ୍ୱଭାବେ ନିର୍ମଳ ॥ ୧୨୪
ସମ୍ପୂର୍ଣ୍ଣ ଅଘମରଷଣ । ସେ ପାଦେ ପଶିଲୁ ଶରଣ ॥ ୧୨୫
ଏଣୁ ଯେ ତୋହର ଚରଣେ । ହୃଦେ ଭାବନ୍ତି ଅନୁକ୍ଷଣେ ॥ ୧୨୬
ଜ୍ଞାନ-ବୈରାଗ୍ୟବଳେ ଚିନ୍ତି । ଯେ ପାଦ ହୃଦେ ଆରୋପନ୍ତି ॥ ୧୨୭
ସେ ପାଦେ ପଶିଲୁ ଶରଣ । ପ୍ରସନ୍ନ ହୁଅ ନାରାୟଣ ॥ ୧୨୮
ସୃଷ୍ଟି-ସ୍ଥିତି-ସଂହାର ଅର୍ଥେ । ତୋ ଅବତାର ଏ ଜଗତେ ॥ ୧୨୯
ସେ ରୂପ ଗୁଣ ଯେ ଚିନ୍ତନ୍ତି । ଏ ଘୋରସଂସାରୁ ତରନ୍ତି ॥ ୧୩୦
ଭୋ ନାଥ ଗୃହ-ଅନ୍ଧକୂପେ । ପ୍ରାଣୀ ପଡ଼ନ୍ତି ମୋହକଳ୍ପେ ॥ ୧୩୧
ମୁହିଁ ମୋହର ବୋଲି ଭାଷି । ହୃଦେ ବାନ୍ଧନ୍ତି ମୋହଫାଶି ॥ ୧୩୨
ସେ ଦୃଢ଼-ବନ୍ଧନ ବିଷାଦ । ହେଳେ ଖଣ୍ତଇ ତୋର ପାଦ ॥ ୧୩୩
ତୋ ପାଦପଦ୍ମେ ଜଗନ୍ନାଥ । ନିରତେ ରହୁ ଆମ୍ଭ ଚିତ୍ତ ॥ ୧୩୪
ଅଶାନ୍ତ ଇନ୍ଦ୍ରିଗଣ ମେଳେ । ହୃଦୟ ନ ରହେ ନିଶ୍ଚଳେ ॥ ୧୩୫
ଆତ୍ମାର ପଥ ନ ଦେଖନ୍ତି । ଯେ କଳ୍ପେ ସମ୍ପଦ-ବିଭୂତି ॥ ୧୩୬
ତୋ କଥା ସୁଧା ରସପାନ । ପ୍ରବୋଧ-ଭକ୍ତି-ଦିବ୍ୟଜ୍ଞାନ ॥ ୧୩୭
ବୈରାଗ୍ୟସାର ସେ ଲଭନ୍ତି । ନିର୍ଭୟେ ବିଷ୍ଣୁ ଲୋକେ ଯାନ୍ତି ॥ ୧୩୮
ଅପରେ ଯେତେ ମୁନିକୁଳେ । ଆତ୍ମା-ସମାଧି-ଯୋଗବଳେ ॥ ୧୩୯
ଘୋର ପ୍ରକୃତି-ମୁଖୁ ତରି । ତୋ ପଦ-କମଳ ଆବୋରି ॥ ୧୪୦
ତୋର ସେବାରେ ଭ୍ରମ ତୁଟେ । ଅଶେଷ-ବାୟାବନ୍ଧ ଫିଟେ ॥ ୧୪୧
ଲୋକ ସର୍ଜିବା ଅର୍ଥେ ତୁହି । ଆମ୍ଭଙ୍କୁ ଆପଣେ ଭିଆଇ ॥ ୧୪୨
ତ୍ରିଗୁଣ-ଭେଦଭାବ ଦେଇ । ଆମ୍ଭଙ୍କୁ ସର୍ଜୁ ନାଥ ତୁହି ॥ ୧୪୩
ଆମ୍ଭେ ବିଯୁକ୍ତଭାବେ ଥାନ୍ତେ । ତୋ ସୃଷ୍ଟି କରିବୁ କେମନ୍ତେ ॥ ୧୪୪
ଯେମନ୍ତେ ଯଥାକାଳେ ବଳି । ତୋ ପାଦେ ଦେଇ ବନମାଳୀ ॥ ୧୪୫
ଥୋକାଏ ପାଇ ତୋଷଚିତ୍ତେ । ତୋ ପାଦେ ସେବୁଁ ଅବିରତେ ॥ ୧୪୬
ତୁ କୂଟସ୍ଥିତ ଆଦି ହରି । ମାୟା-ପୁରୁଷ ରୂପ ଧରି ॥ ୧୪୭
ଅବିଦ୍ୟା ଗୁଣ-କର୍ମ-ବଳେ । ତୋ ଶକ୍ତିଗର୍ଭେ ତୁ ନିଶ୍ଚଳେ ॥ ୧୪୮
ଅମୋଘ-ବୀର୍ଯ୍ୟ ନାଥ ଥୋଇ । ସୃଷ୍ଟି ସର୍ଜନା କରୁ ତୁହି ॥ ୧୪୯
ତୋହର ତହୁଁ ଆମ୍ଭେ ଜାତ । ସତ୍ୟ ପ୍ରମୁଖ ଜଗନ୍ନାଥ ॥ ୧୫୦
ତୋ ଆଜ୍ଞା ଶିରେ ଘେନି ଭାବେ । କହ କି କରିବଇଁ ଏବେ ॥ ୧୫୧
ଆମ୍ଭଙ୍କୁ ଦିବ୍ୟଚକ୍ଷୁ ଦେଇ । ତୋର ବ୍ୟାପାରେ ରଖ ତୁହି ॥ ୧୫୨
ଏମନ୍ତ ଦେବଙ୍କ ବଚନ । ଶୁଣି ସନ୍ତୋଷ ଭଗବାନ ॥ ୧୫୩
ସେ ହରିଚରଣେ ବିଶ୍ୱାସ । ଭଣଇ ଜଗନ୍ନାଥ ଦାସ ॥ ୧୫୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ପଞ୍ଚମୋଽଧ୍ୟାୟଃ ॥
* * *