ତୃତୀୟ ସ୍କନ୍ଧ
ଚତୁର୍ଥ ଅଧ୍ୟାୟ
ଉଦ୍ଧବ ଉବାଚ
ଉଦ୍ଧବ କହେ ଅଶ୍ରୁମୁଖେ । ସେ ଯଦୁବଂଶ ରାତ୍ରିମୁଖେ ॥ ୧
ବାରୁଣୀମଦ୍ୟ କଲେ ପାନ । ତେଣୁ ହୋଇଲେ ହତଜ୍ଞାନ ॥ ୨
ମର୍ମଭେଦନ କଟୁବାକ୍ୟେ । କନ୍ଦଳ କଲେ ଏକେ ଏକେ ॥ ୩
ମନ ହରିଲା ମଦ୍ୟଦୋଷ । ଭୋଳେ ହୋଇଲେ ବୁଦ୍ଧିଭ୍ରଂଶ ॥ ୪
ରଜନୀ ମଧ୍ୟେ ଯଦୁବଳେ । କନ୍ଦଳଯୁଦ୍ଧେ ନାଶ ଗଲେ ॥ ୫
ତକ୍ଷଣେ ଆତ୍ମମାୟାଗତି । ବିଚାରି ପ୍ରଭୁ ଯଦୁପତି ॥ ୬
ମିଳିଲେ ସରସ୍ୱତୀକୂଳେ । ବନେ ଅଶ୍ୱତଥ୍-ତରୁମୂଳେ ॥ ୭
ସ୍ୱକୁଳ ନାଶ ଇଚ୍ଛା କରି । ଦ୍ୱାରକା ଥିଲାବେଳେ ହରି ॥ ୮
ମୋତେ ବୋଇଲେ ଶିଷ୍ୟଧର୍ମେ । ଚଳ ତୁ ବଦରିକାଶ୍ରମେ ॥ ୯
ତକ୍ଷଣେ କୃଷ୍ଣ ଆଜ୍ଞା ପାଇ । ପଦକମଳେ ମନ ଥୋଇ ॥ ୧୦
ନ କରି ତୀର୍ଥକୁ ଗମନ । ଚାହିଁଲି ଶ୍ରୀକୃଷ୍ଣ-ବଦନ ॥ ୧୧
ତାର ଗମନ ପଛେ ମୁହିଁ । ଗଲି ତାହାର ଭାବ ବହି ॥ ୧୨
ସେ ପ୍ରିୟମତି ନରହରି । ଖୋଜନ୍ତେ ତାକୁ ଅନୁସରି ॥ ୧୩
ଦେଖିଲି ସରସ୍ୱତୀତୀରେ । ଏକାନ୍ତ-ଆସନ ସଧୀରେ ॥ ୧୪
ଶ୍ୟାମସୁନ୍ଦର ତନୁ ବର୍ଣ୍ଣ । ପ୍ରଶାନ୍ତ-ଅରୁଣଲୋଚନ ॥ ୧୫
ଚତୁରଭୁଜେ ଶସ୍ତ୍ର ଶୋହେ । ପୀତବସନ ମନମୋହେ ॥ ୧୬
ଦକ୍ଷିଣପାଦ ବାମଜଙ୍ଘେ । ବାଳ-ଅଶ୍ୱତଥ୍ ପୃଷ୍ଠଭାଗେ ॥ ୧୭
ଏବେ ହୋ କୁରୁବୀର ଶୁଣ । ମୈତ୍ରେୟ ମିଳିଲେ ସେ ସ୍ଥାନ ॥ ୧୮
ବ୍ୟାସମୁନିଙ୍କ ସଖା ହୋନ୍ତି । ଆନନ୍ଦେ ଭୁବନେ ଭ୍ରମନ୍ତି ॥ ୧୯
ତକ୍ଷଣେ କୃଷ୍ଣପାଶେ ଯାଇ । ପଦେ ନମିଲେ ଶିରଦେଇ ॥ ୨୦
ମୁହିଁ ଶୁଣଇ ଅନୁରାଗେ । ଯେବା ବୋଇଲେ କୃଷ୍ଣଭାବେ ॥ ୨୧
ଭଗବାନ ଉବାଚ
ଉଦ୍ଧବ ଶୁଣ ମୋ ବଚନ । ମୁହିଁ ଜାଣିଲି ତୋର ମନ ॥ ୨୨
ଦୁର୍ଲ୍ଲଭ-ଜ୍ଞାନ ଦେବି ତୋତେ । ସଂସାରୁ ତରିବୁ ଯେମନ୍ତେ ॥ ୨୩
ପୂର୍ବେ ବ୍ରହ୍ମାର ଯଜ୍ଞକାଳେ । ସକଳ-ବସୁଙ୍କର ମେଳେ ॥ ୨୪
କଳ୍ପିଲୁ ଯୋଗେ ଇଷ୍ଟସିଦ୍ଧି । ମୋର ଚରଣ ଧ୍ୟାନେ ବନ୍ଦି ॥ ୨୫
ଏ ଯୋଗ ସର୍ବ ପୂର୍ବେସିଦ୍ଧି । ଯେଣୁ ମୋ ଅନୁଗ୍ରହ-ବିଧି ॥ ୨୬
ତେଣୁ ଲଭିଲୁ ମୋତେ ହେଳେ । ନିଜ ଭୁବନେ ଯିବାବେଳେ ॥ ୨୭
ବିଷୟରସ ଭୋଗଚିନ୍ତି । ଯେ ପ୍ରାଣୀ ସ୍ୱଧର୍ମ ଛାଡ଼ନ୍ତି ॥ ୨୮
ଭକ୍ତିବୈରାଗ୍ୟ ଯାର ନାହିଁ । ସେ ବା ଲଭିବ ମୋତେ କାହିଁ ॥ ୨୯
ଯେ ଜ୍ଞାନ ବ୍ରହ୍ମାର ସମୀପେ । ମୁହିଁ କହିଲି ପଦ୍ମକଳ୍ପେ ॥ ୩୦
ପରମ-ଜ୍ଞାନର ମହିମା । କେ ଚିନ୍ତିପାରେ ଆଦିସୀମା ॥ ୩୧
ଏଣୁ ପଣ୍ତିତେ ମୁନିଜନେ । ଦୃଢେ଼ ବିଚାରି ଅନୁମାନେ ॥ ୩୨
ଏ ଭାଗବତ-ଧର୍ମ ଚିନ୍ତି । ଏ ଭବଜଳୁ ତରିଯାନ୍ତି ॥ ୩୩
ଉଦ୍ଧବ ଉବାଚ
ସେ ଆଦିପୁରୁଷ ବଚନ । ଶୁଣି ଆନନ୍ଦ ମୋର ମନ ॥ ୩୪
ତା ଅନୁଗ୍ରହ ପ୍ରତିକ୍ଷଣେ । କଳ୍ପିଲି ତାହାର ସ୍ମରଣେ ॥ ୩୫
କୃଷ୍ଣସ୍ନେହରେ ମୋରଦେହୀ । ରୋମପୁଲକେ ଅଶ୍ରୁ ବହି ॥ ୩୬
କରଯୁଗଳ ଶିରେ ଦେଇ । କହିଲି ତାହାଙ୍କୁ ବିନୋୟି ॥ ୩୭
ଭୋ ନାଥ ତୋର ପଦ୍ମପାଦେ । ଯେ ପ୍ରାଣୀ ଭଜନ୍ତି ଆନନ୍ଦେ ॥ ୩୮
ତାହାଙ୍କୁ ସର୍ବ-ପୁରୁଷାର୍ଥ । ଯେ ଧର୍ମ-କାମ-ମୋକ୍ଷ-ଅର୍ଥ ॥ ୩୯
ଦୁର୍ଲଭ ନୋହେ ଲଭିବାରେ । ନିଶ୍ଚୟ ମୋହର ବିଚାରେ ॥ ୪୦
ମୋହର ତେଣେ ଆଶାନାହିଁ । କେବଳ ତୋ ପାଦ ଭଜଇ ॥ ୪୧
ସ୍ୱଭାବେ ଜନ୍ମ ଯାର ନାହିଁ । କର୍ମର ଚେଷ୍ଟା ତାର କାହିଁ ॥ ୪୨
ସ୍ୱଭାବେ କାଳରୂପ ତୋର । ଜ୍ଞାନବିଜ୍ଞାନେ ଅଗୋଚର ॥ ୪୩
ତୋର ମହିମା ଆତ୍ମାରତି । ଯୋଗୀଏ ନ ପାରନ୍ତି ଚିନ୍ତି ॥ ୪୪
ତୁ ପୁଣି ଶତ୍ରୁଭୟ ପାଇ । ସମୁଦ୍ରେ ଦୁର୍ଗକୁ ଭିଆଇ ॥ ୪୫
ପଳାଇ ରହିଲୁ ଆନନ୍ଦେ । ଅନେକ ନାରୀଗଣ ମଧ୍ୟେ ॥ ୪୬
ମନ୍ତ୍ରଣା ଅର୍ଥେ ମୋତେ ରାଇ । ଆଦରେ ସମୀପେ ବସାଇ ॥ ୪୭
ସ୍ୱଭାବେ ଅକୁଣ୍ଠିତ-ବୁଦ୍ଧି । ଅଖଣ୍ତ-ଆତ୍ମଜ୍ଞାନନିଧି ॥ ୪୮
ସଂଶୟେ ବୁଦ୍ଧି ହୁଏ କ୍ଷୀଣ । ଦେଖିଣ ତୋର ଆଚରଣ ॥ ୪୯
ସର୍ବଜ୍ଞପଣ ଯାର ତହିଁ । ସେ କିପାଁ ମୋତେ ପଚାରଇ ॥ ୫୦
ଏଣୁ ମୋ ମନ ଖେଦ ପାଇ । ତୋ ମାୟା ଗହନେ ଭ୍ରମଇଁ ॥ ୫୧
ଯେ ଆତ୍ମାଜ୍ଞାନ ତୁ ଏକାନ୍ତେ । କହିଲୁ ବ୍ରହ୍ମାର ଅଗ୍ରତେ ॥ ୫୨
ମୁଁ ଯେବେ ଶୁଣିବାରେ କ୍ଷମ । କହ ହେ ପୁରୁଷଉତ୍ତମ ॥ ୫୩
ଯେ ଜ୍ଞାନମାର୍ଗେ ତୋତେ ସେବି । ଏ ମାୟାସଂସାରୁ ତରିବି ॥ ୫୪
ଏମନ୍ତ ପଚାରନ୍ତେ ମୁହିଁ । ସେ କୃଷ୍ଣ ମୋତେ ଦୟାବହି ॥ ୫୫
ଆତ୍ମାର ତତ୍ତ୍ବ ନିତ୍ୟଜ୍ଞାନ । କହିଲେ କମଳଲୋଚନ ॥ ୫୬
ସେ ତୀର୍ଥପାଦ ଜଗନ୍ନାଥ । ମୋହର ଭାବେ ଆରାଧିତ ॥ ୫୭
ସେ ହରିମୁଖୁ ଜ୍ଞାନ ପାଇ । ତା ପାଦପଦ୍ମେ ଶିରଦେଇ ॥ ୫୮
ସେ ଦେବଦେବ ଭଗବାନ । ତାହାଙ୍କୁ କରି ପ୍ରଦକ୍ଷିଣ ॥ ୫୯
ତାର ବିଚ୍ଛେଦେ ଆତ୍ମା ମୋର । କ୍ଷଣେ ଏ ଦେହେ ନୋହେ ସ୍ଥିର ॥ ୬୦
ତାର ବିରହ ଆତ୍ମାତୁଲେ । ତକ୍ଷଣେ ଅଇଲି ଏ ସ୍ଥଳେ ॥ ୬୧
ତାର ବିଯୋଗ ଆର୍ତ୍ତିଯୁତେ । ଯିବି ମୁଁ ତାର ପ୍ରିୟତୀର୍ଥେ ॥ ୬୨
ନାମ ତା ବଦରିକାଶ୍ରମ । ଯହିଁରେ ନରନାରାୟଣ ॥ ୬୩
ଏ ନରଲୋକେ ଶୁଭ ଅର୍ଥେ । ତପ ଆରାଧି ଦୃଢ଼ଚିତ୍ତେ ॥ ୬୪
ଅଛନ୍ତି ନରନାରାୟଣ । ଶୁକ ବୋଲନ୍ତି ରାୟ ଶୁଣ ॥ ୬୫
ଶୁକ ଉବାଚ
ସୁହୃଦ-ବନ୍ଧୁ-ବଧ ବାଣୀ । ଉଦ୍ଧବ ମୁଖୁ ତାହା ଶୁଣି ॥ ୬୬
ଦୁଃସହ-ଦୁଃଖ ତା ମନର । ଜ୍ଞାନେ ସଂହରିଲା ବିଦୁର ॥ ୬୭
କହି ଉଦ୍ଧବ ଚଳିଯାନ୍ତେ । ବିଦୁର ପଡେ଼ ପାଦଗତେ ॥ ୬୮
ପୁଣି ବିଶ୍ୱାସ ତାଙ୍କୁ କରି । ବୋଲେ ଚରଣ ଶିରେ ଧରି ॥ ୬୯
ବିଦୁର ଉବାଚ
ଉଦ୍ଧବ ଶୁଣ ମୋ ବଚନ । ତୋର ଠାକୁର ଭଗବାନ ॥ ୭୦
ସେ ଜ୍ଞାନ କହିଛନ୍ତି ଯେତେ । ଉଦ୍ଧବ କହ ମୋ ଅଗ୍ରତେ ॥ ୭୧
ଯେ ଜ୍ଞାନ ଧ୍ୟାନ ସୁଖ ଭୋଳେ । ପଶିବି ତା ପାଦକମଳେ ॥ ୭୨
ଏମନ୍ତେ ବିଦୁରର ବାଣୀ । ଉଦ୍ଧବ ବୋଲେ ତାହା ଶୁଣି ॥ ୭୩
ଉଦ୍ଧବ ଉବାଚ
ଶୁଣ ବିଦୁର ମୋ ବଚନ । ସେ ଯୋଗେଶ୍ୱର ଭଗବାନ ॥ ୭୪
ଜୀବନ ଛାଡ଼ିବାର କାଳେ । ମୈତ୍ରେୟ ମୁନିଙ୍କି ନିଶ୍ଚଳେ ॥ ୭୫
ସମ୍ପୂର୍ଣ୍ଣ-ଜ୍ଞାନ ତାଙ୍କୁ ଦେଲେ । ନିଜ ଭୁବନେ ବିଜେ କଲେ ॥ ୭୬
ତୁ ଏବେ ଚଳ ତାଙ୍କ ପାଶ । ନିର୍ମଳ-ଭକ୍ତି-ଉପଦେଶ ॥ ୭୭
ସେ ତୋତେ ଦେବେ ଦିବ୍ୟଜ୍ଞାନ । ଏମନ୍ତ କହି ବେନିଜନ ॥ ୭୮
ପୁଲିନେ ବଞ୍ଚିଲେ ରଜନୀ । ନିଶ୍ଚଳେ କୃଷ୍ଣଭାବଘେନି ॥ ୭୯
କୃଷ୍ଣ-ଚରଣ-ଧ୍ୟାନ ବଳେ । ବନ୍ଧୁ-ବିଯୋଗ ପାଶୋରିଲେ ॥ ୮୦
ଏମନ୍ତେ ପାହିଲା ରଜନୀ । କୃଷ୍ଣଭକତିଭାବ ଘେନି ॥ ୮୧
ଉଦ୍ଧବ ଗଲା ତୋଷମନେ । ମିଳିଲା ବଦରିକାଶ୍ରମେ ॥ ୮୨
ପରୀକ୍ଷ କହେ ଶୁକେ ଚାହିଁ । ଭାବେ ଚରଣେ ଶିର ଦେଇ ॥ ୮୩
ପରୀକ୍ଷିତ ଉବାଚ
ଭୋ ମୁନି ଅସମ୍ଭବ ବାଣୀ । ମୁହିଁ ତୁମ୍ଭର ମୁଖୁ ଶୁଣି ॥ ୮୪
ସଂଶୟ ରହିଲା ମୋ ମନେ । ପୁଚ୍ଛଇ ତୁମ୍ଭ ସନ୍ନିଧାନେ ॥ ୮୫
ବ୍ରାହ୍ମଣଶାପେ ଯଦୁବଳେ । ନଶିଲେ ରଣେ ମଦ୍ୟଭୋଳେ ॥ ୮୬
ରଥ କୁଞ୍ଜର ଯୂଥପତି । କେବେ ହେଁ ରଣେ ନ ଘୁଞ୍ଚନ୍ତି ॥ ୮୭
ଯୂଥପତିଙ୍କ ମଧ୍ୟେ ମୁଖ୍ୟ । ଉଦ୍ଧବ ଅଟଇ ପ୍ରତ୍ୟକ୍ଷ ॥ ୮୮
ଏ ବଡ଼ ସଂଶୟ ମୋ ଚିତ୍ତେ । ଉଦ୍ଧବ ବଞ୍ଚିଲା କେମନ୍ତେ ॥ ୮୯
ଯହିଁ ଗୋବିନ୍ଦ ଦେହ ଗଲା । ଏ ବା କେମନ୍ତେ ଉବୁରିଲା ॥ ୯୦
ଶୁଣି କହନ୍ତି ଶୁକମୁନି । ଆନନ୍ଦେ କୃଷ୍ଣଭାବ ଘେନି ॥ ୯୧
ଶୁକ ଉବାଚ
ବ୍ରାହ୍ମଣ-ଶାପ ବଡ଼ଦୋଷ । ନିଶ୍ଚେ ଦହିବ ଯଦୁବଂଶ ॥ ୯୨
ଏମନ୍ତ ଜାଣି ଭାବଗ୍ରାହୀ । ନିକଟେ ଉଦ୍ଧବ ବସାଇ ॥ ୯୩
ଆତ୍ମମରଣ ପରିମାଣି । ମନେ ଚିନ୍ତିଲେ ଚକ୍ରପାଣି ॥ ୯୪
ଏ ମୋର ତତ୍ତ୍ବଜ୍ଞାନ ଯେତେ । ମୁଁ ଗଲେ ଯିବ ମୋ ସଙ୍ଗତେ ॥ ୯୫
ଏ ଜ୍ଞାନ ଦେଲେ ମୁଁ ଉଦ୍ଧବେ । ପ୍ରାଣୀ ତରିବେ ଏହିଭାବେ ॥ ୯୬
ଏମନ୍ତେ ମନେ ବିଚାରିଲେ । ଉଦ୍ଧବେ ତତ୍ତ୍ବଜ୍ଞାନ ଦେଲେ ॥ ୯୭
ବୋଇଲେ ସାଧ ଜ୍ଞାନବ୍ରହ୍ମ । ଏ ଯେ ଉଦ୍ଧବ ମୋର ସମ ॥ ୯୮
ଏ ଜ୍ଞାନ ପ୍ରାଣୀଙ୍କି ବୁଝାଉ । ଏଣୁ ଏ ନରଲୋକେ ରହୁ ॥ ୯୯
ଉଦ୍ଧବ କହିବ ଯେମନ୍ତେ । ପ୍ରାଣୀଏ ଯିବେ ସେହିପଥେ ॥ ୧୦୦
ଏଣୁ ତ୍ରିଲୋକଗୁରୁ-ହରି । ଜ୍ଞାନେ ଉଦ୍ଧବକୁ ଉଦ୍ଧରି ॥ ୧୦୧
ତେଣୁ ଗୋବିନ୍ଦ ବୋଲେ ଗଲା । ବଦ୍ରିକାଆଶ୍ରମେ ମିଳିଲା ॥ ୧୦୨
ସମାଧି କରି ଘୋରବନେ । ପୂଜିଲା ଗୋବିନ୍ଦ-ଚରଣେ ॥ ୧୦୩
ଏମନ୍ତେ ଉଦ୍ଧବର ବାଣୀ । ବିଦୁର ସାବଧାନେ ଶୁଣି ॥ ୧୦୪
କୃଷ୍ଣର ଲୀଳା ଅବତାର । ଯେ ଗୁଣଗାଥା କର୍ମ ତାର ॥ ୧୦୫
ଶରୀର ଛାଡ଼ିଲେ ଯେମନ୍ତେ । ଏ ସର୍ବକଥା ସ୍ମରି ଚିତ୍ତେ ॥ ୧୦୬
କୃଷ୍ଣର ସ୍ନେହେ ଦେଇମନ । ଚଳନ୍ତେ କରଇ ରୋଦନ ॥ ୧୦୭
କେତେ ହେଁ ଦିନ ବନେ ଗଲା । କାଳିନ୍ଦୀତଟରେ ମିଳିଲା ॥ ୧୦୮
ତହୁଁ ଚଳିଲା ଗଙ୍ଗାତୀରେ । ମୈତ୍ରେୟ-ମୁନି-ଅନୁସରେ ॥ ୧୦୯
କହଇ ବିପ୍ର ଜଗନ୍ନାଥ । ତୃତୀୟସ୍କନ୍ଧେ ଭାଗବତ ॥ ୧୧୦
ବିଦୁର-ଉଦ୍ଧବ-ସମ୍ବାଦ । ଶୁଣନ୍ତେ ନ ଲାଗେ ପ୍ରମାଦ ॥ ୧୧୧
ସୁଜନେ ଏଣେ ଦିନ ବଞ୍ଚ । କୃଷ୍ଣ-ଭକତି ହୃଦେ ସଞ୍ଚ ॥ ୧୧୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ବିଦୁର-ଉଦ୍ଧବ ସମ୍ବାଦେ ଚତୁର୍ଥଽଧ୍ୟାୟଃ ॥
* * *