ତୃତୀୟ ସ୍କନ୍ଧ
ତୃତୀୟ ଅଧ୍ୟାୟ
ଉଦ୍ଧବ ଉବାଚ
ଶୁଣ ବିଦୁର ମୋ ବଚନ । ଧରି ନ ପାରେ ଖେଦମନ ॥ ୧
ସେ ରାମକୃଷ୍ଣ ଏକାରଥେ । ଗମିଲେ ଅକ୍ରୂର ସଙ୍ଗତେ ॥ ୨
ମାତାପିତାଙ୍କର କୁଶଳ । ପୁଚ୍ଛନ୍ତି ରାମ-ଆଦିମୂଳ ॥ ୩
କଂସକୁ ଦୃଷ୍ଟିରେ ସଂହାରି । ମଞ୍ଚାଉପରୁ କେଶଧରି ॥ ୪
ତଳେ ପକାଇ ରୋଷଭରେ । ମୃତପିଣ୍ତକୁ ଆକର୍ଷିଲେ ॥ ୫
ସାନ୍ଦୀପନିର ଘରେ ଯାଇ । ସକଳବିଦ୍ୟା ଶିକ୍ଷା ପାଇ ॥ ୬
ସେ ଦୈତ୍ୟ ନାମ ପଞ୍ଚଜନ । କରି ତା ଉଦର ବିଦୀର୍ଣ୍ଣ ॥ ୭
ଗୁରୁଦକ୍ଷିଣା ଅର୍ଥେ ପୁଣି । ଯମପୁରରୁ ପୁତ୍ର ଆଣି ॥ ୮
ଗୁରୁକାମିନୀ ଦୁଃଖ ହରି । ପୁଣି ମିଳିଲେ ନିଜପୁରୀ ॥ ୯
ଭୀଷ୍ମକ କନ୍ୟା ଅର୍ଥେ ହରି । କୁଣ୍ତୀନଗରେ ବିଜେକରି ॥ ୧୦
ଗନ୍ଧର୍ବବୃତ୍ତି ଆଚରିଲେ । ବଳେ ସେ କନ୍ୟାକୁ ହରିଲେ ॥ ୧୧
ଶୃଗାଳ ମଧ୍ୟୁ ସିଂହ ଯେହ୍ନେ । ସ୍ୱଭାଗ ହରଇ ତେସନେ ॥ ୧୨
ଯେହ୍ନେ ସୁପର୍ଣ୍ଣ ନିଜ ଭାଗ । ଅମୃତ ହରି କଲା ଭୋଗ ॥ ୧୩
କୋଶଳପୁରେ ନରହରି । ସପତଷଣ୍ଢ ବନ୍ଦୀ କରି ॥ ୧୪
କନ୍ୟା ଲଭିଲେ ନନ୍ଦବାଳ । ଜିଣି ସକଳ ଶତ୍ରୁବଳ ॥ ୧୫
ସତ୍ୟଭାମାର ବୋଲେ ପୁଣି । ନନ୍ଦନବନୁ ଚକ୍ରପାଣି ॥ ୧୬
ବଳେ ହରିଲେ ପାରିଜାତ । ଲୀଳାୟେ ଜିଣି ଶଚୀନାଥ ॥ ୧୭
ପୁରେ ରୋପିଲେ ବୃକ୍ଷ ନେଇ । ପତ୍ନୀର ପ୍ରିୟଭାବ ବହି ॥ ୧୮
ଗରୁଡେ଼ ବସି ଭାବଗ୍ରାହୀ । ନାରକାସୁରପୁରେ ଯାଇ ॥ ୧୯
ଦେଖିଲେ ତାହାର ଭବନ । ଶରୀରେ ବ୍ୟାପିଛି ଗଗନ ॥ ୨୦
ଚକ୍ରେ ତାହାର ମୁଣ୍ତାହାଣି । ଦେଖି ପ୍ରଣମିଲା ଧରଣୀ ॥ ୨୧
ବୋଲଇ କଲୁ ପୁତ୍ର ନାଶ । ଧରଣୀ ବଚନେ ବିଶ୍ୱାସ ॥ ୨୨
ନାରକାପୁତ୍ରକୁ ମୁରାରି । ତା ରାଜ୍ୟେ ଅଭିଷେକ କରି ॥ ୨୩
ନାରକା ଅନ୍ତଃପୁରେ ହରି । କୋଟିକନ୍ଦର୍ପ ରୂପ ଧରି ॥ ୨୪
ଯୁଦ୍ଧେ ସକଳ ରାଜା ଜିଣି । ଯେ କନ୍ୟା ଥିଲା ଦୈତ୍ୟ ଆଣି ॥ ୨୫
ସେ ସର୍ବ ଦେଖି କାମଭୋଳେ । ଚାହାଁନ୍ତି ନୟନ-ନିଶ୍ଚଳେ ॥ ୨୬
ଷୋଳସହସ୍ର ଶତାଧିକେ । ତୁଲ୍ୟବୟସୀ ଏକେ ଏକେ ॥ ୨୭
ହରିଙ୍କି ବରିଲେ ସକଳେ । ମଙ୍ଗଳ-ଶୁଭଲଗ୍ନ ବେଳେ ॥ ୨୮
ତାହାଙ୍କୁ ନିଜପୁରେ ଆଣି । ଏକମୁହୂର୍ତ୍ତେ ଚକ୍ରପାଣି ॥ ୨୯
ବିବାହ କଲେ ବେଦମତେ । ଶୁଣ ତାହାଙ୍କ ପୁତ୍ର ଯେତେ ॥ ୩୦
ଦଶକୁମର କନ୍ୟା ଏକ । ଆତ୍ମାସଦୃଶ ରୂପରେଖ ॥ ୩୧
କାଳଯବନ ଜରାସନ୍ଧେ । ଶାଲ୍ୱ ସହିତେ ପୁର ରୁନ୍ଧେ ॥ ୩୨
ତାହାଙ୍କୁ ନିଜତେଜେ ନାଶି । ସ୍ୱଜନ-ବାନ୍ଧବ ଆଶ୍ୱାସି ॥ ୩୩
ଶମ୍ବର ଦ୍ୱିବିନ୍ଦବାନର । ମୁର ବଲ୍ୱଳ ବାଣାସୁର ॥ ୩୪
ଯେ ଦନ୍ତବକ୍ର ଆଦି କରି । ତାହାଙ୍କୁ ସଂଗ୍ରାମେ ସଂହାରି ॥ ୩୫
ଏବେ ତୋ ଜ୍ୟେଷ୍ଠଭ୍ରାତସୁତେ । ଅନେକ ନୃପତି ସହିତେ ॥ ୩୬
ସଙ୍ଗତେ ନିଜବଳ ଘେନି । ଚରଣେ କମ୍ପାଇ ମେଦିନୀ ॥ ୩୭
ମିଳିଲେ କୁରୁକ୍ଷେତ୍ର ମଧ୍ୟେ । ଜିଣି ଭୁଞ୍ଜିବେ ମହୀ ସାଧ୍ୟେ ॥ ୩୮
କର୍ଣ୍ଣ ଶକୁନି ଦୁଃଶାସନ । ସ୍ୱଭାବେ ଦୁଷ୍ଟ ତିନିଜଣ ॥ ୩୯
ତାହାଙ୍କୁ ହୋଇଲେ ବିଶ୍ୱାସ । ଏଣୁ ହୋଇଲେ ଅଳ୍ପାୟୁଷ ॥ ୪୦
ଦେଖ ପଡ଼ିଲେ ରଣମଧ୍ୟେ । ମୂଢ଼ ଅଧର୍ମ-ଦୋଷବାଦେ ॥ ୪୧
ଶୁଣ ବିଦୁର କହୁଁ ତୋତେ । ଶ୍ରୀକୃଷ୍ଣ ଭାଳେ ଅନ୍ତର୍ଗତେ ॥ ୪୨
ଯେ ଭୀଷ୍ମ ଦ୍ରୋଣ ଭୀମାର୍ଜୁନ । ମାରିଲେ ଅନେକ ରାଜନ ॥ ୪୩
ଭାରା-ନିବାର-ଅର୍ଥେ ମହୀ । ସଂହାର ଅଳପ ମଣଇ ॥ ୪୪
ଏ ଯେ ମୋହର ଯଦୁବଂଶ । ଏ ମଲେ ଭାରା ହୋଏ ଶେଷ ॥ ୪୫
ମଦ୍ୟେ ଅରୁଣଚକ୍ଷୁ କୋପେ । ସର୍ବେ ମରିବେ ବିପ୍ରଶାପେ ॥ ୪୬
ଏ ଯେ ନ ମଲେ ନୋହେ ଶାନ୍ତି । ଏମନ୍ତ ଯୋଗମାୟା ଚିନ୍ତି ॥ ୪୭
ଏମନ୍ତେ ମନେ ଚିନ୍ତାକରି । ଧର୍ମସୁତଙ୍କୁ ନରହରି ॥ ୪୮
ବନ୍ଧୁ-ସୁହୃଦଜନ ମଧ୍ୟେ । କୃଷ୍ଣ ସ୍ଥାପିଲେ ରାଜପଦେ ॥ ୪୯
ଉତ୍ତରାଗର୍ଭେ କୁରୁବଂଶ । କୃଷ୍ଣ ରଖିଲେ ଅବଶେଷ ॥ ୫୦
ପରୀକ୍ଷିତଙ୍କୁ କରି ରକ୍ଷା । ଧର୍ମନନ୍ଦନେ ଦେଲେ ଦୀକ୍ଷା ॥ ୫୧
ଜ୍ଞାତିମାରଣ ଦୋଷ ନାଶେ । ଧର୍ମନନ୍ଦନଙ୍କୁ ବିଶ୍ୱାସେ ॥ ୫୨
ସର୍ବସମ୍ପଦେ ସୁସମ୍ପାଦି । କରାଇ ତିନି-ଅଶ୍ୱମେଧି ॥ ୫୩
ଯୁଧିଷ୍ଠି କୃଷ୍ଣେ ଅନୁଗତ । ପାଳିଲେ ମହୀ ଘେନି ଭ୍ରାତ ॥ ୫୪
ଆପଣେ ନିଜପୁରେ ଯାଇ । ନାରୀଗଣଙ୍କ ମଧ୍ୟେ ଥାଇ ॥ ୫୫
ଗୃହସ୍ଥଧର୍ମ ବେଦମତେ । କୃଷ୍ଣ ଆଚରିଲେ ଜଗତେ ॥ ୫୬
ସ୍ମିତ-ନୟନେ ସ୍ନେହ ବହି । ପୀୟୂଷ ସମ କଥା କହି ॥ ୫୭
ନାରୀଗଣଙ୍କ ମନ ମୋହି । ଗୃହଚରିତେ ଗୃହେ ଥାଇ ॥ ୫୮
ଯେ ଧର୍ମ ଇହ ପରଲୋକେ । କୃଷ୍ଣ ସାଧିଲେ ସୁବିବେକେ ॥ ୫୯
ଏମନ୍ତେ ବହୁତ ବରଷେ । ରମନ୍ତେ ଗୃହମେଧ ଆଶେ ॥ ୬୦
ବିଷୟେ ବଇରାଗ୍ୟ ଜାତ । ହୋଇଲା ଯୋଗେ ହୃଦଗତ ॥ ୬୧
କର୍ମ ଅଧୀନେ କାମେ ଜଡ଼ି । ଦେବମାୟାରେ ସୁଖ ଲୋଡ଼ି ॥ ୬୨
ପୁରୁଷ କର୍ମର ଅଧୀନ । ଯୋଗେଶ୍ୱରଙ୍କୁ ଯେ ଗହନ ॥ ୬୩
ସେ ହରି ବିଷ୍ଣୁମାୟା କରି । ନିଜପୁତ୍ରଙ୍କ ମନ ହରି ॥ ୬୪
ସେ ପୁତ୍ରେ କ୍ରୀଡ଼ାରସେ ଦିନେ । କୋପ ସଞ୍ଚିଲେ ବିପ୍ରମନେ ॥ ୬୫
ହରିର ମତ ଜାଣି ଭଲେ । ବ୍ରାହ୍ମଣେ ଶାପ ଦେଇଗଲେ ॥ ୬୬
ବ୍ରାହ୍ମଣ-ଶାପ ପାଇ ପୁରେ । ଅଦ୍ଭୁତ ଦେଖିଲେ ବିସ୍ତାରେ ॥ ୬୭
କୃଷ୍ଣବଚନେ ଶାନ୍ତି ଅର୍ଥେ । ପ୍ରଭାସେ ମିଳିଲେ ସମସ୍ତେ ॥ ୬୮
ସେ ପୁଣ୍ୟଜଳେ କରି ସ୍ନାନ । ପିତୃତର୍ପଣ ପିଣ୍ତଦାନ ॥ ୬୯
ପୂଜିଲେ ଋଷି ଦେବଗଣେ । ଗୋଦାନେ ତୋଷିଲେ ବ୍ରାହ୍ମଣେ ॥ ୭୦
ସୁବର୍ଣ୍ଣ ରଜତ ଶୟନ । ବସନ କମ୍ବଳ ଅଜିନ ॥ ୭୧
ରଥକୁଞ୍ଜର ଅଶ୍ୱମାନ । ଧରଣୀତୁଲେ କନ୍ୟାଦାନ ॥ ୭୨
ଅନ୍ନ ସହିତେ ନାନାରସେ । ବିପ୍ରଙ୍କୁ ଭୁଞ୍ଜାଇ ହରଷେ ॥ ୭୩
ଏମନ୍ତେ ଯଦୁ-ଭୋଜଗଣ । ଗୋ-ବିପ୍ରସେବା ତାଙ୍କ ପ୍ରାଣ ॥ ୭୪
ବିପ୍ରଙ୍କ ପାଦେ ପ୍ରଣମିତେ । ଦିବସ ବଞ୍ଚିଲେ ଏମନ୍ତେ ॥ ୭୫
ସ୍ୱଭାବେ କରି ଉପବାସେ । ରାତ୍ର ବଞ୍ଚିଲେ ସେ ନିରାଶେ ॥ ୭୬
ସେ ଯଦୁବଂଶର ଚରଣେ । ସୁଜନେ ଚିନ୍ତ ଅନୁକ୍ଷଣେ ॥ ୭୭
ହୋଇବ କୃଷ୍ଣରେ ବିଶ୍ୱାସ । କହଇ ଜଗନ୍ନାଥ ଦାସ ॥ ୭୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ବିଦୁର-ଉଦ୍ଧବ ସମ୍ବାଦେ ତୃତୀୟୋଽଧ୍ୟାୟଃ ॥
* * *