ତୃତୀୟ ସ୍କନ୍ଧ

ତୃତୀୟ ଅଧ୍ୟାୟ

ଉଦ୍ଧବ ଉବାଚ

ଶୁଣ ବିଦୁର ମୋ ବଚନ । ଧରି ନ ପାରେ ଖେଦମନ ॥

ସେ ରାମକୃଷ୍ଣ ଏକାରଥେ । ଗମିଲେ ଅକ୍ରୂର ସଙ୍ଗତେ ॥

ମାତାପିତାଙ୍କର କୁଶଳ । ପୁଚ୍ଛନ୍ତି ରାମ-ଆଦିମୂଳ ॥

କଂସକୁ ଦୃଷ୍ଟିରେ ସଂହାରି । ମଞ୍ଚାଉପରୁ କେଶଧରି ॥

ତଳେ ପକାଇ ରୋଷଭରେ । ମୃତପିଣ୍ତŠକୁ ଆକର୍ଷିଲେ ॥

ସାନ୍ଦୀପନିର ଘରେ ଯାଇ । ସକଳବିଦ୍ୟା ଶିକ୍ଷା ପାଇ ॥

ସେ ଦୈତ୍ୟ ନାମ ପଞ୍ଚଜନ । କରି ତା ଉଦର ବିଦୀ‰ର୍ଣ୍ଣ ॥

ଗୁରୁଦକ୍ଷିଣା ଅର୍ଥେ ପୁଣି । ଯମପୁରରୁ ପୁତ୍ର ଆଣି ॥

ଗୁରୁକାମିନୀ ଦୁଃଖ ହରି । ପୁଣି ମିଳିଲେ ନିଜପୁରୀ ॥

ଭୀଷ୍ମକ କନ୍ୟା ଅର୍ଥେ ହରି । କୁŠଣ୍ତୀନଗରେ ବିଜେକରି ॥ ୧୦

ଗନ୍ଧର୍ବବୃତ୍ତି ଆଚରିଲେ । ବଳେ ସେ କନ୍ୟାକୁ ହରିଲେ ॥ ୧୧

ଶୃଗାଳ ମଧ୍ୟୁ ସିଂହ ଯେହ୍ନେ । ସ୍ୱଭାଗ ହରଇ ତେସନେ ॥ ୧୨

ଯେହ୍ନେ ସୁପ‰ର୍ଣ୍ଣ ନିଜ ଭାଗ । ଅମୃତ ହରି କଲା ଭୋଗ ॥ ୧୩

କୋଶଳପୁରେ ନରହରି । ସପତଷଣ୍ଢ‹ ବନ୍ଦୀ କରି ॥ ୧୪

କନ୍ୟା ଲଭିଲେ ନନ୍ଦବାଳ । ଜିଣି ସକଳ ଶତ୍ରୁବଳ ॥ ୧୫

ସତ୍ୟଭାମାର ବୋଲେ ପୁଣି । ନନ୍ଦନବନୁ ଚକ୍ରପାଣି ॥ ୧୬

ବଳେ ହରିଲେ ପାରିଜାତ । ଲୀଳାୟେ ଜିଣି ଶଚୀନାଥ ॥ ୧୭

ପୁରେ ରୋପିଲେ ବୃକ୍ଷ ନେଇ । ପତ୍ନୀର ପ୍ରିୟଭାବ ବହି ॥ ୧୮

ଗରୁଡେ଼ ବସି ଭାବଗ୍ରାହୀ । ନାରକାସୁରପୁରେ ଯାଇ ॥ ୧୯

ଦେଖିଲେ ତାହାର ଭବନ । ଶରୀରେ ବ୍ୟାପିଛି ଗଗନ ॥ ୨୦

ଚକ୍ରେ ତାହାର ମୁŠଣ୍ତାହାଣି । ଦେଖି ପ୍ରଣମିଲା ଧରଣୀ ॥ ୨୧

ବୋଲଇ କଲୁ ପୁତ୍ର ନାଶ । ଧରଣୀ ବଚନେ ବିଶ୍ୱାସ ॥ ୨୨

ନାରକାପୁତ୍ରକୁ ମୁରାରି । ତା’ ରାଜ୍ୟେ ଅଭିଷେକ କରି ॥ ୨୩

ନାରକା ଅନ୍ତଃପୁରେ ହରି । କୋଟିକନ୍ଦର୍ପ ରୂପ ଧରି ॥ ୨୪

ଯୁଦ୍ଧେ ସକଳ ରାଜା ଜିଣି । ଯେ କନ୍ୟା ଥିଲା ଦୈତ୍ୟ ଆଣି ॥ ୨୫

ସେ ସର୍ବ ଦେଖି କାମଭୋଳେ । ଚାହାଁନ୍ତି ନୟନ-ନିଶ୍ଚଳେ ॥ ୨୬

ଷୋଳସହସ୍ର ଶତାଧିକେ । ତୁଲ୍ୟବୟସୀ ଏକେ ଏକେ ॥ ୨୭

ହରିଙ୍କି ବରିଲେ ସକଳେ । ମଙ୍ଗଳ-ଶୁଭଲଗ୍ନ ବେଳେ ॥ ୨୮

ତାହାଙ୍କୁ ନିଜପୁରେ ଆଣି । ଏକମୁହୂର୍ତ୍ତେ ଚକ୍ରପାଣି ॥ ୨୯

ବିବାହ କଲେ ବେଦମତେ । ଶୁଣ ତାହାଙ୍କ ପୁତ୍ର ଯେତେ ॥ ୩୦

ଦଶକୁମର କନ୍ୟା ଏକ । ଆତ୍ମାସଦୃଶ ରୂପରେଖ ॥ ୩୧

କାଳଯବନ ଜରାସନ୍ଧେ । ଶାଲ୍ୱ ସହିତେ ପୁର ରୁନ୍ଧେ ॥ ୩୨

ତାହାଙ୍କୁ ନିଜତେଜେ ନାଶି । ସ୍ୱଜନ-ବାନ୍ଧବ ଆଶ୍ୱାସି ॥ ୩୩

ଶମ୍ବର ଦ୍ୱିବିନ୍ଦବାନର । ମୁର ବଲ୍ୱଳ ବାଣାସୁର ॥ ୩୪

ଯେ ଦନ୍ତବକ୍ର ଆଦି କରି । ତାହାଙ୍କୁ ସଂଗ୍ରାମେ ସଂହାରି ॥ ୩୫

ଏବେ ତୋ ଜ୍ୟେଷ୍ଠଭ୍ରାତସୁତେ । ଅନେକ ନୃପତି ସହିତେ ॥ ୩୬

ସଙ୍ଗତେ ନିଜବଳ ଘେନି । ଚରଣେ କମ୍ପାଇ ମେଦିନୀ ॥ ୩୭

ମିଳିଲେ କୁରୁକ୍ଷେତ୍ର ମଧ୍ୟେ । ଜିଣି ଭୁଞ୍ଜିବେ ମହୀ ସାଧ୍ୟେ ॥ ୩୮

କ‰ର୍ଣ୍ଣ ଶକୁନି ଦୁଃଶାସନ । ସ୍ୱଭାବେ ଦୁଷ୍ଟ ତିନିଜଣ ॥ ୩୯

ତାହାଙ୍କୁ ହୋଇଲେ ବିଶ୍ୱାସ । ଏଣୁ ହୋଇଲେ ଅଳ୍ପାୟୁଷ ॥ ୪୦

ଦେଖ ପଡ଼ିଲେ ରଣମଧ୍ୟେ । ମୂଢ଼ ଅଧର୍ମ-ଦୋଷବାଦେ ॥ ୪୧

ଶୁଣ ବିଦୁର କହୁଁ ତୋତେ । ଶ୍ରୀକୃଷ୍ଣ ଭାଳେ ଅନ୍ତର୍ଗତେ ॥ ୪୨

ଯେ ଭୀଷ୍ମ ଦ୍ରୋଣ ଭୀମାର୍ଜୁନ । ମାରିଲେ ଅନେକ ରାଜନ ॥ ୪୩

ଭାରା-ନିବାର-ଅର୍ଥେ ମହୀ । ସଂହାର ଅଳପ ମଣଇ ॥ ୪୪

ଏ ଯେ ମୋହର ଯଦୁବଂଶ । ଏ ମଲେ ଭାରା ହୋଏ ଶେଷ ॥ ୪୫

ମଦ୍ୟେ ଅରୁଣଚକ୍ଷୁ କୋପେ । ସର୍ବେ ମରିବେ ବିପ୍ରଶାପେ ॥ ୪୬

ଏ ଯେ ନ ମଲେ ନୋହେ ଶାନ୍ତି । ଏମନ୍ତ ଯୋଗମାୟା ଚିନ୍ତି ॥ ୪୭

ଏମନ୍ତେ ମନେ ଚିନ୍ତାକରି । ଧର୍ମସୁତଙ୍କୁ ନରହରି ॥ ୪୮

ବନ୍ଧୁ-ସୁହୃଦଜନ ମଧ୍ୟେ । କୃଷ୍ଣ ସ୍ଥାପିଲେ ରାଜପଦେ ॥ ୪୯

ଉତ୍ତରାଗର୍ଭେ କୁରୁବଂଶ । କୃଷ୍ଣ ରଖିଲେ ଅବଶେଷ ॥ ୫୦

ପରୀକ୍ଷିତଙ୍କୁ କରି ରକ୍ଷା । ଧର୍ମନନ୍ଦନେ ଦେଲେ ଦୀକ୍ଷା ॥ ୫୧

ଜ୍ଞାତିମାରଣ ଦୋଷ ନାଶେ । ଧର୍ମନନ୍ଦନଙ୍କୁ ବିଶ୍ୱାସେ ॥ ୫୨

ସର୍ବସମ୍ପଦେ ସୁସମ୍ପାଦି । କରାଇ ତିନି-ଅଶ୍ୱମେଧି ॥ ୫୩

ଯୁଧିଷ୍ଠି କୃଷ୍ଣେ ଅନୁଗତ । ପାଳିଲେ ମହୀ ଘେନି ଭ୍ରାତ ॥ ୫୪

ଆପଣେ ନିଜପୁରେ ଯାଇ । ନାରୀଗଣଙ୍କ ମଧ୍ୟେ ଥାଇ ॥ ୫୫

ଗୃହସ୍ଥଧର୍ମ ବେଦମତେ । କୃଷ୍ଣ ଆଚରିଲେ ଜଗତେ ॥ ୫୬

ସ୍ମିତ-ନୟନେ ସ୍ନେହ ବହି । ପୀୟୂଷ ସମ କଥା କହି ॥ ୫୭

ନାରୀଗଣଙ୍କ ମନ ମୋହି । ଗୃହଚରିତେ ଗୃହେ ଥାଇ ॥ ୫୮

ଯେ ଧର୍ମ ଇହ ପରଲୋକେ । କୃଷ୍ଣ ସାଧିଲେ ସୁବିବେକେ ॥ ୫୯

ଏମନ୍ତେ ବହୁତ ବରଷେ । ରମନ୍ତେ ଗୃହମେଧ ଆଶେ ॥ ୬୦

ବିଷୟେ ବଇରାଗ୍ୟ ଜାତ । ହୋଇଲା ଯୋଗେ ହୃଦଗତ ॥ ୬୧

କର୍ମ ଅଧୀନେ କାମେ ଜଡ଼ି । ଦେବମାୟାରେ ସୁଖ ଲୋଡ଼ି ॥ ୬୨

ପୁରୁଷ କର୍ମର ଅଧୀନ । ଯୋଗେଶ୍ୱରଙ୍କୁ ଯେ ଗହନ ॥ ୬୩

ସେ ହରି ବିଷ୍ଣୁମାୟା କରି । ନିଜପୁତ୍ରଙ୍କ ମନ ହରି ॥ ୬୪

ସେ ପୁତ୍ରେ କ୍ରୀଡ଼ାରସେ ଦିନେ । କୋପ ସଞ୍ଚିଲେ ବିପ୍ରମନେ ॥ ୬୫

ହରିର ମତ ଜାଣି ଭଲେ । ବ୍ରାହ୍ମଣେ ଶାପ ଦେଇଗଲେ ॥ ୬୬

ବ୍ରାହ୍ମଣ-ଶାପ ପାଇ ପୁରେ । ଅଦ୍ଭୁତ ଦେଖିଲେ ବିସ୍ତାରେ ॥ ୬୭

କୃଷ୍ଣବଚନେ ଶାନ୍ତି ଅର୍ଥେ । ପ୍ରଭାସେ ମିଳିଲେ ସମସ୍ତେ ॥ ୬୮

ସେ ପୁଣ୍ୟଜଳେ କରି ସ୍ନାନ । ପିତୃତର୍ପଣ ପିŠଣ୍ତଦାନ ॥ ୬୯

ପୂଜିଲେ ଋଷି ଦେବଗଣେ । ଗୋଦାନେ ତୋଷିଲେ ବ୍ରାହ୍ମଣେ ॥ ୭୦

ସୁବ‰ର୍ଣ୍ଣ ରଜତ ଶୟନ । ବସନ କମ୍ବଳ ଅଜିନ ॥ ୭୧

ରଥକୁଞ୍ଜର ଅଶ୍ୱମାନ । ଧରଣୀତୁଲେ କନ୍ୟାଦାନ ॥ ୭୨

ଅନ୍ନ ସହିତେ ନାନାରସେ । ବିପ୍ରଙ୍କୁ ଭୁଞ୍ଜାଇ ହରଷେ ॥ ୭୩

ଏମନ୍ତେ ଯଦୁ-ଭୋଜଗଣ । ଗୋ-ବିପ୍ରସେବା ତା’ଙ୍କ ପ୍ରାଣ ॥ ୭୪

ବିପ୍ରଙ୍କ ପାଦେ ପ୍ରଣମିତେ । ଦିବସ ବଞ୍ଚିଲେ ଏମନ୍ତେ ॥ ୭୫

ସ୍ୱଭାବେ କରି ଉପବାସେ । ରାତ୍ର ବଞ୍ଚିଲେ ସେ ନିରାଶେ ॥ ୭୬

ସେ ଯଦୁବଂଶର ଚରଣେ । ସୁଜନେ ଚିନ୍ତ ଅନୁକ୍ଷଣେ ॥ ୭୭

ହୋଇବ କୃଷ୍ଣରେ ବିଶ୍ୱାସ । କହଇ ଜଗନ୍ନାଥ ଦାସ ॥ ୭୮

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ତୃତୀୟସ୍କନ୍ଧେ ବିଦୁର-ଉଦ୍ଧବ ସମ୍ବାଦେ ତୃତୀୟୋଽଧ୍ୟାୟଃ ॥

* * *