ତୃତୀୟ ସ୍କନ୍ଧ
ଦ୍ୱିତୀୟ ଅଧ୍ୟାୟ
ଶୁକ ଉବାଚ
ଏମନ୍ତେ ବିଦୁର ବଚନ । ଶୁଣି ଉଦ୍ଧବ ହତଜ୍ଞାନ ॥ ୧
କୃଷ୍ଣ-ଚରଣେ ଚିଦେଇ । ଉକ୍ରଣ୍ଠେ ନ ପାରଇ କହି ॥ ୨
ପାବରଷେ ତାର ମାତ । ପ୍ରାତଃ ଭୋଜନେ ଡାକେ ସୁତ ॥ ୩
କୃଷ୍ଣସେବାରେ ଦେଇମନ । ଉଦ୍ଧବ ନ କରେ ଭୋଜନ ॥ ୪
କୃଷ୍ଣସେବାରେ ଦିନ ଗଲା । ସ୍ୱଭାବେ ବୟସ ସରିଲା ॥ ୫
ବିଦୁରବାକ୍ୟ ଶୁଣି କେର୍ । ବଚନ ନ ସ୍ଫୁରେ ବଦନେ ॥ ୬
କୃଷ୍ଣଚରଣେ ଦେଇ ମନ । ମୁହୂେର୍ ରହିଲା ମଉନ ॥ ୭
ତକ୍ଷଣେ ଦେହଭାବ ଛାଡ଼ି । କୃଷ୍ଣଭକତି ଜଳେ ବୁଡ଼ି ॥ ୮
କୃଷ୍ଣଚରଣ-ସୁଧା-ପାନ । କରି ପାଇଲା ଦିବ୍ୟଜ୍ଞାନ ॥ ୯
ପୁଲକ ହେଲା ରୋମରାଜି । ଅଶ୍ରୁ ମୁଇ ଚକ୍ଷୁବୁଜି ॥ ୧୦
ଧ୍ୟାନେ ହୋଇଲା ପୂର୍କାମ । ସ୍ନେହ-ସଲିଳେ କଲା ସ୍ନାନ ॥ ୧୧
ଧ୍ୟାନ ଛଡ଼ାଇ କୃଷ୍ଣପାଦେ । ପୁଣି ମିଳିଲା ଦେହମଧ୍ୟେ ॥ ୧୨
ବେନିଲୋଚନ ଘଷି କରେ । ନିଃଶ୍ୱାସ ଛାଡ଼ି ଖରତରେ ॥ ୧୩
ବିଦୁର ମୁଖ ଚାହିଁ ଦୁଃଖେ । ଉଦ୍ଧବ କହେ ଅଶ୍ରୁମୁଖେ ॥ ୧୪
ଉଦ୍ଧବ ଉବାଚ
ଯାଦବ ମଧ୍ୟେ କୃଷ୍ଣ ଥାଇ । ସୂର୍ଯ୍ୟର ପ୍ରାୟ ପ୍ରକାଶଇ ॥ ୧୫
ସେ ସୂର୍ଯ୍ୟ ଅସ୍ତାଚଳେ ଗଲା । ନିବିଡ଼ତମ ପ୍ରକାଶିଲା ॥ ୧୬
ମୁଁ ଏବେ ଅତିଦୁଃଖ-ଶୋକେ । ପଡ଼ିଛି ଅଜଗର-ମୁଖେ ॥ ୧୭
ଆମ୍ଭ କୁଶଳ କାହିଁ ଆର । କହିବି ଶୁଣ ହେ ବିଦୁର ॥ ୧୮
ସଂସାର ମଧ୍ୟେ ଯେତେଜନ । ସର୍ବେ ହୋଇଲେ ଭାଗ୍ୟହୀନ ॥ ୧୯
ଦେଖ ଅଭାଗ୍ୟ ଯଦୁବଂଶ । ବାଳକ ପ୍ରାୟ ବୁଦ୍ଧିଭ୍ରଂଶ ॥ ୨୦
ବସନ୍ତି କୃଷ୍ଣ ଅଙ୍ଗସେଙ୍ଗ । ରାତ୍ରଦିବସ ଅନୁରାଗେ ॥ ୨୧
ତାହାଙ୍କୁ କେହି ନ ଜାଣିଲେ । ଚନ୍ଦ୍ରକୁ ମୀନ ଯେହ୍ନେ ଜଳେ ॥ ୨୨
ଯାଦବେ କୃଷ୍ଣ ସଙ୍ଗମେଳେ । ଦିନ ହରନ୍ତି କୁତୂହଳେ ॥ ୨୩
ସଙ୍ଗତେ ପାଇ ନରହରି । ଦେଖନ୍ତି ଅନାଦର କରି ॥ ୨୪
ଅତି ନିପୁଣ ସେ ଅଟନ୍ତି । ଜ୍ଞାନୀ ହେଲେହେଁ ନ ଜାଣନ୍ତି ॥ ୨୫
ଯାର ମାୟାରେ ଅନ୍ୟଜନେ । ବଇରୀଭାବ ଚିନ୍ତିମନେ ॥ ୨୬
କୃଷ୍ଣର ମାୟାବଳେ ଗ୍ରନ୍ଥି । ମନୁଷ୍ୟ ପ୍ରାୟ ସେ ମଣନ୍ତି ॥ ୨୭
ପ୍ରାଣୀଙ୍କ ତପୋବଳ ଚାହିଁ । ନୟନେ ଶରୀର ଦେଖାଇ ॥ ୨୮
ପୁଣି ହରିଲେ ନିଜ ଅଙ୍ଗ । ପ୍ରାଣୀଙ୍କ ଚକ୍ଷୁ ଘେନି ସଙ୍ଗ ॥ ୨୯
ମାୟା ମନୁଷ୍ୟ ରୂପେ ହରି । ଅନନ୍ତ ଲୀଳାଏ ବିହରି ॥ ୩୦
ସର୍ବସମ୍ପଦ ଆତ୍ମାତୁଲେ । ନିଜ ଭୁବନେ ବିଜେକଲେ ॥ ୩୧
ଧର୍ମକୁମର ଯଜ୍ଞକାଳେ । ଦେବ-ମନୁଷ୍ୟ-ଋଷିମେଳେ ॥ ୩୨
ଯେ ରୂପ ଦେଖି ତୋଷମନେ । କୈବଲ୍ୟ ଲଭିଲେ ଲୋଚନେ ॥ ୩୩
ବ୍ରହ୍ମା ସର୍ଜନା ଯେଣୁ ନୋହି । ତେଣୁ ସକଳ ମନମୋହି ॥ ୩୪
ଯେ କୃଷ୍ଣ-ଅନୁରାଗ-ମୁଖ । ସୁନ୍ଦର-ହାସ-ରଙ୍ଗରେଖ ॥ ୩୫
ତେଣେ ମୋହିତ ଚି ଧରି । ମୋକ୍ଷ ଲଭିଲେ ବ୍ରଜନାରୀ ॥ ୩୬
ସେ ଶାନ୍ତରୂପ ଏକରୂପୀ । ବସଇ ସର୍ବଭୂତେ ବ୍ୟାପୀ ॥ ୩୭
ତାର ବିଭୂତି ଦେବଗଣ । ପୂଜନ୍ତି ତାହାର ଚରଣ ॥ ୩୮
ଦେବଙ୍କ ଅର୍ଥେ ସେ ମୁରାରି । ଜନ୍ମଇ ନାନାରୂପ ଧରି ॥ ୩୯
ସ୍ୱଭାବେ ଜନ୍ମ ଯାର ନାହିଁ । ନିମି ଅର୍ଥେ କଳ୍ପେ ଦେହୀ ॥ ୪୦
ଅଗ୍ନି ଯେସନେ ନାନାମତେ । ଯତନେ ଜଳଇ ଜଗତେ ॥ ୪୧
ଏ କଥା ମୋରେ ଖେଦକରେ । ସେ ଜନ୍ମି ବସୁଦେବ ଘରେ ॥ ୪୨
କଂସର ଡରେ ଗୋପମେଳେ । ଲୁଚି ଯେ ଥିଲେ ବାଳକାଳେ ॥ ୪୩
ତହୁଁ ମଥୁରାପୁରେ ଆସି । ଗଜ ଚାଣୂର କଂସ ନାଶି ॥ ୪୪
ଯାଇଣ ମାତାପିତା ପାଶ । ବୋଇଲେ କ୍ଷମା କରଦୋଷ ॥ ୪୫
ତୁମ୍ଭଙ୍କୁ ନିଶ୍ଚିନ୍ତ ନ କରି । ବିଅର୍ଥେ ବେ ଦେହଧରି ॥ ୪୬
ସେ କଥା ବିଡ଼ମ୍ବନ ମୋତେ । ହୃଦୟ ଦହେ ଅବିରତେ ॥ ୪୭
ତାର ଚରଣରେଣୁ ଗନ୍ଧ । ଆଘ୍ରାଣ କରି ନାସାରନ୍ଧ୍ର ॥ ୪୮
କେ ତା ପାଶୋରିପାରେ ଚିେ । ସୁଦୃଢ଼-ଯୋଗାଭ୍ୟାସେ ନିତ୍ୟେ ॥ ୪୯
ଭୂମିର ଭାର ନାଶ ଅର୍ଥେ । ତାହାର ଜନ୍ମ ଏ ଜଗତେ ॥ ୫୦
ତୁମ୍ଭେ ତ ଦେଖିଅଛ ଡୋଳେ । ଧର୍ମନନ୍ଦନ-ଯଜ୍ଞକାଳେ ॥ ୫୧
ଯାହାକୁ ଶିଶୁପାଳ ନିନ୍ଦି । ତକ୍ଷଣେ ତାର ଦେହେ ଭେଦି ॥ ୫୨
ଲୁଚିଲା ଅଭୟ-ଚରଣେ । ରହିଲା ଅଜରାମରଣେ ॥ ୫୩
ଯେ ଗତି ଯୋଗୀଜନେ ଚିନ୍ତି । ଜନ୍ମମରଣୁ ନିସ୍ତରନ୍ତି ॥ ୫୪
ତାର ବିଯୋଗ କେବା ସହେ । ଯେ ବା ଜଗତେ ଦେହବହେ ॥ ୫୫
ଦେଖ ଭାରତଯୁଦ୍ଧେ ଯେତେ । ରଥୀ ପଦାତି ଅପ୍ରମିତେ ॥ ୫୬
ଭୂଲୋକେ ଯେତେ ବୀର ଥିଲେ । ମରଣେ ତା ମୁଖ ଦେଖିଲେ ॥ ୫୭
ଅର୍ଜୁନ-ବାଣେ କ୍ଷୀଣ ହୋଇ । ପଶିଲେ ତାର ଦେହେ ଯାଇ ॥ ୫୮
ତ୍ରୈଲୋକ୍ୟନାଥ ସେ ଅନନ୍ତ । ସ୍ୱଭାବେ କମଳାର କାନ୍ତ ॥ ୫୯
ତ୍ରିଦଶ-ଦେବେ ତା ଚରଣେ । ସେବା କରନ୍ତି ଅନୁକ୍ଷଣେ ॥ ୬୦
ଯାର ସମାନ ବା ଅଧିକ । ନାହିଁ ଏ ଚତୁର୍ଶଲୋକ ॥ ୬୧
ସେ ପୁଣି ସ୍ଥାପି ରାଜପଦେ । ପୂଜିଲା ଉଗ୍ରସେନ ପାଦେ ॥ ୬୨
ଭୃତ୍ୟର ଭୃତ୍ୟ ଅଟେ ଯେହୁ । ତାହାକୁ ଆଜ୍ଞାମାଗେ ସେହୁ ॥ ୬୩
ଏ କଥା ଦେଖି ହେ ବିଦୁର । ଅତି ଦୁଃଖିତ ଚିତ୍ତ ମୋର ॥ ୬୪
ଦେଖ ପୂତନା ଧାତ୍ରୀ ରୂପେ । ସ୍ତନ ନିବେଶି ତାର ମୁଖେ ॥ ୬୫
କ୍ଷୀର ଗରଳ ସେଙ୍ଗ ଦେଇ । ପଶିଲା ତାର ଦେହେ ଯାଇ ॥ ୬୬
ସେ ଦୟାନିଧିର ଚରଣ । କେବା ନ ପଶିଲା ଶରଣ ॥ ୬୭
ଯେତେ ଅସୁର ଏ ଜଗତେ । ନଶିଲେ ଗୋବିନ୍ଦର ହସ୍ତେ ॥ ୬୮
ଗରୁଡ଼କନ୍ଧେ ତାକୁ ଚାହିଁ । ପଶିଲେ ତାର ଦେହେ ଯାଇ ॥ ୬୯
ସେ ଭାଗବତ ମଧ୍ୟେ ସାର । କି ଅବା ଦେବା ପଟାନ୍ତର ॥ ୭୦
କଂସରାଜାର ବନ୍ଦୀଘରେ । ଜନ୍ମିଲା ଦେବକୀ ଉଦରେ ॥ ୭୧
ବ୍ରହ୍ମାଙ୍କ ବୋଲେ ହୃଷୀକେଶ । ଧରଣୀଭାର କଲେ ନାଶ ॥ ୭୨
ସେ ବସୁଦେବ କଂସ ଡରେ । ନେଇ ଥୋଇଲା ନନ୍ଦଘରେ ॥ ୭୩
ଗୁପତେ ସେଙ୍ଗ ହଳଧର । ବଢ଼ିଲେ ଏଗାରବର ॥ ୭୪
ଗୋପବାଳକ ସେଙ୍ଗ ଥାଇ । ବନେ ଚରାନ୍ତି ନିତ୍ୟେ ଗାଈ ॥ ୭୫
ବେଣୁଶବଦ ଶିଙ୍ଗାନାଦେ । ବନେ ବୁଲନ୍ତି ଅପ୍ରମାତେ ॥ ୭୬
ଯମୁନାକୂଳେ ଥାଇ ନିତ୍ୟେ । ଭୃଙ୍ଗ-କୋକିଳ-ନାଦ-ଗୀତେ ॥ ୭୭
ବରଜବାସୀଙ୍କ ଲୋଚନେ । କୁମାରଲୀଳା ଅନୁଦିନେ ॥ ୭୮
ରୋଦନ ହସନ ଖେଳନେ । ନିରତେ ବସେ ତାଙ୍କମନେ ॥ ୭୯
ବାଳସିଂହର ପ୍ରାୟେ ଚାହେଁ । ଯେ କାଳେ ଯେ ଲୀଳା ଦେଖାଏ ॥ ୮୦
ଦିନକୁଦିନ ଶୋଭାବନ୍ତ । ବନେ ବୁଲଇ ନନ୍ଦସୁତ ॥ ୮୧
ଗୋଧନ ଘେନି ଗୋପସେଙ୍ଗ । ବେଣୁ ବଜାଇ ନାନାରେଙ୍ଗ ॥ ୮୨
କଂସର ଆଜ୍ଞାରେ ଅସୁରେ । ଯେତେ ମିଳିଲେ ଗୋପପୁରେ ॥ ୮୩
ପୂତନା ଆଦି ମାୟାରୂପୀ । ମିଳିଲେ ବନଗିରି ବ୍ୟାପୀ ॥ ୮୪
ତାହାଙ୍କୁ କରି ବାଳଖେଳା । ହେଳେ ମାଇଲେ ନନ୍ଦବଳା ॥ ୮୫
ଯମୁନା ବିଷଜଳ ଖାଇ । ମରୁ ଯେ ଥିଲେ ଗୋପଗାଈ ॥ ୮୬
ତାଙ୍କୁ ଜୀଆଇ ନନ୍ଦବାଳ । ଅମୃତ କଲା ବିଷଜଳ ॥ ୮୭
ଇନ୍ଦ୍ରଉବ ଭଙ୍ଗ କରି । ଗୋପଙ୍କୁ ପୂଜାଇଲେ ଗିରି ॥ ୮୮
ଯଜ୍ଞବିଭେଙ୍ଗ କୋପକରି । ଇନ୍ଦ୍ର ବରଷେ ଘୋର ବାରି ॥ ୮୯
ଗୋରୁ ଗୋପାଳଙ୍କ ବିକଳ । ତକ୍ଷଣେ ଦେଖି ନନ୍ଦବାଳ ॥ ୯୦
ଛତ୍ର ଆକାରେ ଗିରି ଧରି । ରଖିଲେ ଗୋପପୁର ଶିରୀ ॥ ୯୧
ଶରଦ-ଚନ୍ଦ୍ରନିଶି ଚାହିଁ । କାନନେ ବେଣୁନାଦ ବାଇ ॥ ୯୨
ସେ ଗୋପୀମଳ-ମନ । ରାସ-ଉବେ ଭଗବାନ ॥ ୯୩
ଷୋଳସହସ୍ର ଗୋପନାରୀ । ରମିଲେ ନାନାରୂପ ଧରି ॥ ୯୪
ତାର ମହିମା କେ କହିବ । ଯାହା ନ ଜାଣେ ବ୍ରହ୍ମା-ଶିବ ॥ ୯୫
ସେ ହରିଚରଣକମଳେ । ସୁଜନେ ଚିନ୍ତ ଧ୍ୟାନବଳେ ॥ ୯୬
ବିଦୁର-ଉଦ୍ଧବ ସମ୍ବାଦ । ଶୁଣନ୍ତେ ନ ଲାଗେ ପ୍ରମାଦ ॥ ୯୭
ଏଣେ ଗୋବିନ୍ଦପାଦେ ରସ । କହଇ ଜଗନ୍ନାଥ ଦାସ ॥ ୯୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ବିଦୁର-ଉଦ୍ଧବ ସମ୍ବାଦେ ଦ୍ବିତୀୟୋଽଧ୍ୟାୟଃ ॥
* * *