ତୃତୀୟ ସ୍କନ୍ଧ

ପ୍ରଥମ ଅଧ୍ୟାୟ

ଶୌନକ ଆଦି ମୁନିଜନେ । ଆନନ୍ଦେ ସୂତ ସନ୍ନିଧାନେ ॥

ବିଦୁର କଥା ମନେ ଚିନ୍ତି । ବିଶ୍ୱାସଭାବେ ପଚାରନ୍ତି ॥

ଶୌନକ ଉବାଚ

ହେ ସୂତ ତୁମ୍ଭର ବଚନ । ଶୁଣି ସନ୍ତୋଷ ଆମ୍ଭମନ ॥

ମହାତ୍ମା ବିଦୁରର ବାଣୀ । ଆମ୍ଭେ ତୁମ୍ଭର ମୁଖୁଁ ଶୁଣି ॥

ହେଳେ ଛାଡ଼ିବୁ ଭବବ୍ୟଥା । ବିସ୍ତାରି କହ ତା’ର କଥା ॥

ସର୍ବସମ୍ପଦ ଛାଡ଼ି ବନେ । କିପାଁ ପଶିଲା ଦୁଃଖ ମନେ ॥

ଅନେକତୀର୍ଥେ ଦେଇ ମନ । ପୃଥିବୀ କଲା ପର୍ଯ୍ୟଟନ ॥

ମୈତ୍ରେୟ ମୁନି ସଙ୍ଗେ ତା’ର । ଏକାନ୍ତେ ଅଧ୍ୟାତ୍ମ-ବିଚାର ॥

କାହିଁ ବା ନଦୀ-ତୀର ବନେ । ସାନନ୍ଦେ ବସି ବେନିଜନେ ॥

ସନ୍ତୋଷେ ବିଦୁରର ଆଗେ । ମୈତ୍ରେୟ ମୁନି ଅନୁରାଗେ ॥ ୧୦

କହିଲେ ତତ୍ତ୍ବସାର ବାଣୀ । ଯା’ ଶୁଣି ଭବୁ ତରେ ପ୍ରାଣୀ ॥ ୧୧

ସେ କଥା କହ ମୁନିବର । ବିଦୁର ବିଷ୍ଣୁ ଭକ୍ତସାର ॥ ୧୨

ସେ ବନ୍ଧୁତ୍ୟାଗୀ କିବା ଅର୍ଥେ । ପୁଣି ମିଳିଲାଇନ୍ଦ୍ରପ୍ରସ୍ଥେ ॥ ୧୩

ଏମନ୍ତ ମୁନିଙ୍କର ବାଣୀ । ସୂତ ସନ୍ତୋଷମନେ ଶୁଣି ॥ ୧୪

କହନ୍ତି ଶୌନକଙ୍କ ଆଗେ । କୃଷ୍ଣର ଭାବ ଅନୁରାଗେ ॥ ୧୫

ସୂତ ଉବାଚ

ଶୁଣ ହେ ମୁନିଗଣ ତୋଷେ । ଏ କଥା ଶୁକମୁନି ପାଶେ ॥ ୧୬

ଆନନ୍ଦେ ଅଭିମନ୍ୟୁ-ସୁତ । ପୁଚ୍ଛିଲା ବିଦୁରଚରିତ ॥ ୧୭

ସେ ମୁନି କହିଲେ ଯେମନ୍ତେ । ସେ କଥା ଶୁଣ ଏକଚିତ୍ତେ ॥ ୧୮

ଶୁକ ଉବାଚ

ଶୁକ ବୋଲନ୍ତି ଭାବଭରି । ଶୁଣ ପରୀକ୍ଷ ଦଣ୍ଡଧାରୀ ॥ ୧୯

ସେ ଧୃତରାଷ୍ଟ୍ର ଯେତେବେଳେ । ନିଷ୍ଠୁର ହୀନ ବୁଦ୍ଧିବଳେ ॥ ୨୦

ଅଧର୍ମେ ଧନ ସେ ସଞ୍ଚଇ । ନିଜ ସୁତଙ୍କୁ ଭୋଗ ଦେଇ ॥ ୨୧

ପŠଣ୍ତୁସୁତଙ୍କୁ ଦେଖେ ଭିନ୍ନେ । ନିନ୍ଦଇ ନିଷ୍ଠୁର-ବଚନେ ॥ ୨୨

ବାଳକେ ପିତୃହୀନ ହୋଇ । ମାତାର ସଙ୍ଗେ ଦୁଃଖ ସହି ॥ ୨୩

ହସ୍ତିନାପୁରେ ତା’ଙ୍କ ଘରେ । ବଞ୍ଚନ୍ତି ଅତି ଅବେଭାରେ ॥ ୨୪

ତାହାଙ୍କ ମରଣ ଇଚ୍ଛଇ । ଭୀମକୁ ବିଷଲଡ଼ୁ ଦେଇ ॥ ୨୫

ଜତୁର ଘରେ ଅଗ୍ନି ଦେଲା । ସେବେଳେ ଗୋବିନ୍ଦ ରଖିଲା ॥ ୨୬

ପୁଣି ସଭାର ତଳେ ଆଣି । ପଞ୍ଚପାଣ୍ତŠବଙ୍କ ରମଣୀ ॥ ୨୭

କେଶ ଆକର୍ଷି ବାହୁବଳେ । ବିବସ୍ତ୍ର କଲେ ସଭାତଳେ ॥ ୨୮

କୁଚ କୁଙ୍କୁମ ବହେ ଉରେ । ଅଧୋବଦନ ଅଶ୍ରୁଧାରେ ॥ ୨୯

ବଧୂର ଦୁଃଖ ସେ ଶୁଣିଲା । ପୁତ୍ରଙ୍କୁ ବାରଣ ନ କଲା ॥ ୩୦

ମାୟା କପଟପାଶା କରି । ଦ୍ୟୁତଖେଳାଇ ଧନହରି ॥ ୩୧

ଛଳେ ହରିଲା ତା’ଙ୍କ ଦେଶ । କାନନେ ଦ୍ୱାଦଶବରଷ ॥ ୩୨

ଅଜ୍ଞାତେ ଅଧିକ ବରଷେ । ବିରାଟ ରାଜ୍ୟେ ମ›ତ୍ସ୍ୟଦେଶେ ॥ ୩୩

ତହିଁ ବଞ୍ଚିଲେ ଦୁଃଖ-ସୁଖେ । ବନକଷଣ ଅତିରେକେ ॥ ୩୪

ପୁଣି ମିଳିଲେ ରାଜ୍ୟେ ଆସି । ବିଶ୍ୱାସେ ରାଜା ପାଶେ ବସି ॥ ୩୫

ଜୀବିକା ଅର୍ଥେ କିଛି ଧନ । ମାଗିଲେ ନ ଦେଲା ରାଜନ ॥ ୩୬

ପୁଣି କୃଷ୍ଣଙ୍କୁ କରି ଦୂତ । ଗ୍ରାମ ମାଗିଲେ ପŠଣ୍ତୁସୁତ ॥ ୩୭

କୃଷ୍ଣର ବୋଲ ସେ ନ କଲା । ସୂଚୀ ଅଗ୍ରତେ ସେ ନ ଦେଲା ॥ ୩୮

କୃଷ୍ଣଙ୍କୁ କରି ଅପମାନ । ଲୋଭେ ହୋଇଲା ହତଜ୍ଞାନ ॥ ୩୯

ବିଦୁର ଆଣି ଏକାନ୍ତରେ । ବିଚାର କଲା ଅନ୍ତଃପୁରେ ॥ ୪୦

ପାŠଣ୍ତବ ମାରି ନାନାମତେ । ରାଜା ହୋଇବ ସେ ନିଶ୍ଚିନ୍ତେ ॥ ୪୧

ଶୁଣି ବିଦୁର କରଯୋଡ଼ି । ବୋଲଇ ରାଜାପାଦେ ପଡ଼ି ॥ ୪୨

ବିଦୁର ଉବାଚ

ଅସହ୍ୟ ଅପରାଧ ତୋ’ର । କେତେ ସହିଛି ଯୁଧିଷ୍ଠିର ॥ ୪୩

ତାହାଙ୍କୁ ଅର୍ଦ୍ଧରାଜ୍ୟ ଦେଇ । ପୁତ୍ରଙ୍କ ତୁଲେ ଭୁଞ୍ଜ ମହୀ ॥ ୪୪

ନୋହିଲେ ସୁଖ ନାହିଁ ତୋ’ର । ସେ ବିଷ୍ଣୁତେଜେ ବଳୀୟାର ॥ ୪୫

ଶ୍ରୀହରି ତା’ଙ୍କୁ ସଙ୍ଗେ ଘେନି । ଉଶ୍ୱାସ କରିବେ ମେଦିନୀ ॥ ୪୬

ସେ ହରି ଥାଇ ନିଜପୁରେ । ପାŠଣ୍ତବବଂଶ ପକ୍ଷ ଧରେ ॥ ୪୭

ସେ କୃଷ୍ଣ ଆସି ତୋ’ର ପୁରେ । ମିଳିଲେ ବାନ୍ଧବ-ବେଭାରେ ॥ ୪୮

ତା’ଙ୍କୁ ଇତର ପ୍ରାୟ ମଣି । ଜ୍ଞାନ ହାରିଲୁ ନୃପମଣି ॥ ୪୯

ତା’ର ମହିମା ତୁ ନ ଜାଣୁ । ମନୁଷ୍ୟ ପ୍ରାୟ ପରିମାଣୁ ॥ ୫୦

ଏ ପୁତ୍ର ଆସି ତୋ’ର ପୁରୀ । ବସିଲା ଦୋଷରୂପ ଧରି ॥ ୫୧

ତା’କୁ ତୁ ପୁତ୍ରପ୍ରାୟ ମଣୁ । କୁଳ କୁଶଳ ନ ପ୍ରମାଣୁ ॥ ୫୨

ଶ୍ରୀକୃଷ୍ଣେ ଭକତି ନ କରି । ତୁହି ହୋଇଲୁ ହତଶିରୀ ॥ ୫୩

କୁଳ-କୁଶଳେ ଯେବେ ମନ । ତେଜ ଅଶୁଭ ଦୁର୍ଯ୍ୟୋଧନ ॥ ୫୪

ଏମନ୍ତ ବିଦୁରର ବାଣୀ । ସକ୍ରୋଧ ଦୁର୍ଯ୍ୟୋଧନ ଶୁଣି ॥ ୫୫

ସଙ୍ଗେ ଅଛନ୍ତି ତିନିଜଣ । କ‰ର୍ଣ୍ଣ ଶକୁନି ଦୁଃଶାସନ ॥ ୫୬

ବୋଲଇ ସ୍ଫୁରିତ ଅଧରେ । ଆକର୍ଷି ଦୁଃଶାସନ କରେ ॥ ୫୭

ଏ ଦାସୀପୁତ୍ର ମୋର ଘରେ । ବସଇ ବାନ୍ଧବ-ବେଭାରେ ॥ ୫୮

ଏ ମୋର ନିତ୍ୟେ ଅନ୍ନ ଖାଇ । ପŠଣ୍ତୁପୁତ୍ରଙ୍କ ହିତେ ଥାଇ ॥ ୫୯

କୃଷ୍ଣଙ୍କୁ ଘେନି ଭାଳେ ନିତ୍ୟେ । ମୋର ବିନାଶ ଚିତ୍ତେ ଚିନ୍ତେ ॥ ୬୦

ଏମନ୍ତ କୁଟିଳ ଲୋକକୁ । କେ ଅବା ଡାକିଲା ଏଠାକୁ ॥ ୬୧

ଏମନ୍ତ ବୋଲି ବିଚାରିଲା । କୋପେ ଅନେକ ଗାଳିଦେଲା ॥ ୬୨

ଦଶନେ କାମୋଡ଼ି ଅଧର । ବୋଲେ ଭଣ୍ତାର କର ଜୂର ॥ ୬୩

ଏହାକୁ ଦଣ୍ତେŠହେଁ ନ ଥୁଅ । ରାଜ୍ୟୁ ବାହାର କରିଦିଅ ॥ ୬୪

ଏମନ୍ତ ତା’ର ବାକ୍ୟ ଶୁଣି । ବଜ୍ର ପଡ଼ିଲା ପ୍ରାୟ ମଣି ॥ ୬୫

ମରମ-ଉଚ୍ଚାଟ ବଚନ । ଶୁଣି ହୋଇଲା ହତଜ୍ଞାନ ॥ ୬୬

ଜ୍ୟେଷ୍ଠଭ୍ରାତାର ତୁଲେ ଥିଲା । ରାଜା ହିଁ ଆଶ୍ୱାସ ନ କଲା ॥ ୬୭

ତକ୍ଷଣେ ଉଠି ସେ ବିଦୁର । ଚିତ୍ତେ ଚିନ୍ତଇ ଚକ୍ରଧର ॥ ୬୮

ବିଷ୍ଣୁର ମାୟା ବିଚାରିଲା । ତକ୍ଷଣେ ବନସ୍ତେ ପଶିଲା ॥ ୬୯

ସମ୍ପଦ ତୁଚ୍ଛପ୍ରାୟ ମଣି । ମନେ ଚିନ୍ତଇ ଚକ୍ରପାଣି ॥ ୭୦

ହସ୍ତିନା ନଗରୁ ବାହାର । ତୀର୍ଥଗମନେ ଆଗୁସାର ॥ ୭୧

ମିଳିଲା ଯାଇ ଘୋରବନେ । ଭ୍ରମଇ ଋଷି-ବିପ୍ରସ୍ଥାନେ ॥ ୭୨

ମନେ ଚିନ୍ତଇ ତୀର୍ଥଗତି । ହରିଭକତ ଯହିଁ ଥା’ନ୍ତି ॥ ୭୩

ନିରାଶ କରି ଆତ୍ମମନ । ଗ୍ରାମ ପାଟଣା ଉପବନ ॥ ୭୪

ସୁପୁଣ୍ୟଗିରି-କୁଞ୍ଜଦେଶେ । ଭ୍ରମଇ ତୀର୍ଥ ଅଭିଳାଷେ ॥ ୭୫

ପୁଣ୍ୟସରିତ ପୁଣ୍ୟସର । ନିରତେ ଭ୍ରମଇ ବିଦୁର ॥ ୭୬

ଅନନ୍ତ ସିଦ୍ଧଲିଙ୍ଗେ ଯହିଁ । ଶୁଦ୍ଧ ପବିତ୍ର ପୁଣ୍ୟଭୂଇଁ ॥ ୭୭

ଏମନ୍ତେ ଅବଧୂତ ବେଶେ । ବିଦୁର ଭ୍ରମେ ପୁଣ୍ୟଦେଶେ ॥ ୭୮

ହରିତୋଷଣ ବ୍ରତ ଯେତେ । ତୀର୍ଥେ ସେବଇ ଅବିରତେ ॥ ୭୯

ଏମନ୍ତେ ଭାରତବରଷେ । କାଳେ ମିଳିଲା ସେ ପ୍ରଭାସେ ॥ ୮୦

ତହିଁ ଶୁଣିଲା ସାଧୁବାଣୀ । ପାŠଣ୍ତବେ କୁରୁବଳ ଜିଣି ॥ ୮୧

କୃଷ୍ଣ ସାରଥିପଣେ ବରି । ଅନେକ ଅକ୍ଷୌହିଣୀ ମାରି ॥ ୮୨

ଗୋବିନ୍ଦ ଘେନି ତୀର୍ଥଜଳେ । ମଙ୍ଗଳ ଶୁଭ ଅନୁକୂଳେ ॥ ୮୩

କରାଇ ଅଭିଷେକ ପୂଜା । ଏକାଙ୍ଗଚକ୍ରେ କଲେ ରାଜା ॥ ୮୪

ସର୍ବେ ନଶିଲେ କୁରୁବଳେ । ଯେସନେ ବେଣୁ ଦାବାନଳେ ॥ ୮୫

କୁଟୁମ୍ବବଧେ ଶୋକକରି । ସ୍ୱଜନ ବାନ୍ଧବ ସୁମରି ॥ ୮୬

ମଉନ ହୋଇ ଅଶ୍ରୁକଣ୍ଠେ । ମିଳିଲା ସରସ୍ୱତୀତଟେ ॥ ୮୭

ଯାହାର ତୀରେ ଏକାଦଶ । ତୀର୍ଥେ ବସନ୍ତି ପୁଣ୍ୟଯଶ ॥ ୮୮

ତ୍ରିତ ଉଶନା ମନୁ ନାମ । ପୃଥୁ ଅନଳ ଯେ ପବନ ॥ ୮୯

ସୁଦାସ ଗାବ ଗୁହ ଯମ । ଅସିତ ଏକାଦଶ ନାମ ॥ ୯୦

ଏତେ ମନ୍ଦିର ବିଷ୍ଣୁ ଅର୍ଥେ । ତୀରେ ସଞ୍ଚିଲେ ଯେଝାମତେ ॥ ୯୧

ଋଷି ଦେବତା ଆଦି ଯେତେ । ତୀର୍ଥେ ସେବନ୍ତି ଦୃଢ଼ଚିତ୍ତେ ॥ ୯୨

ପ୍ରତ୍ୟଙ୍ଗମୁଖ୍ୟାଙ୍କିତ ଘର । ଦିଶନ୍ତି ଅତି ମନୋହର ॥ ୯୩

ଯେ ପୁର ଦରଶନ ମାତ୍ରେ । ବିଷ୍ଣୁସ୍ମରଣ ପଶେ ଗାତ୍ରେ ॥ ୯୪

ଏମନ୍ତ ସରସ୍ୱତୀତୀର୍ଥ । ଦେଖି ବିଦୁର କୃତକୃତ୍ୟ ॥ ୯୫

ତହୁଁ ଚଳିଲା ତୋଷମନେ । ସୌରାଷ୍ଟ୍ର ସୌବୀର ବିପିନେ ॥ ୯୬

କୁରୁ ଜାଙ୍ଗଳ ମ›ତ୍ସ୍ୟଦେଶ । ଜିଣି ଯମୁନା ପରବେଶ ॥ ୯୭

କାଳିନ୍ଦୀତୀରେ ବୃନ୍ଦାବନ । ଯହିଁ ବିରାଜେ ଗୋବର୍ଦ୍ଧନ ॥ ୯୮

ସେ ବନେ ବୁଲେ ଏକେ ଏକେ । ନିଶ୍ଚଳେ ଉଦ୍ଧବଙ୍କୁ ଦେଖେ ॥ ୯୯

ହରି-ଭକତଙ୍କର ସାର । ତପ ଆଚରି ମହାଘୋର ॥ ୧୦୦

ଆସନ ନିଶ୍ଚଳ ସମାଧି । ଶ୍ରୀକୃଷ୍ଣ-ଚରଣେ ଆରାଧି ॥ ୧୦୧

ଏକାନ୍ତେ ଅଛି ବୃକ୍ଷମୂଳେ । ବିଦୁର ଦେଖେ ବେନିଡୋଳେ ॥ ୧୦୨

ସେ ବାସୁଦେବ ଅନୁଚର । କି ଅବା ଦେବା ପଟାନ୍ତର ॥ ୧୦୩

ଦେବଗୁରୁଙ୍କ ଶିଷ୍ୟ ସ୍ନେହେ । ସ୍ୱଭାବେ ମନ୍ତ୍ରୀବୁଦ୍ଧି ବହେ ॥ ୧୦୪

ଏମନ୍ତେ ମିଳି ବେନିଜନ । ନିବିଡେ଼ କଲେ ଆଲିଙ୍ଗନ ॥ ୧୦୫

ବିଦୁର ଉଦ୍ଧବକୁ ଚାହିଁ । ବନ୍ଧୁବାନ୍ଧବ ସ୍ନେହ ବହି ॥ ୧୦୬

ରୋମହରଷେ ଶୁଦ୍ଧଚେତା । ପୁଚ୍ଛଇ କୃଷ୍ଣର ବାରତା ॥ ୧୦୭

କୃଷ୍ଣପୁତ୍ରଙ୍କୁ ଆଦି କରି । ଏକ ଆରେକ ନାମ ଧରି ॥ ୧୦୮

ବିଦୁର ଉବାଚ

ଶୁଣ ଉଦ୍ଧବ ମୋ’ ବଚନ । ମୁଁ ଯେ ପୁଚ୍ଛଇ ବନ୍ଧୁଜନ ॥ ୧୦୯

ଯେ ହରି ପୁରୁଷ-ପୁରାଣ । ଅନାଦି-ପରମ-କାରଣ ॥ ୧୧୦

ଧରଣୀଭାରା ନାଶ ଅର୍ଥେ । ମନୁଷ୍ୟ ଦେହେ ଏ ଜଗତେ ॥ ୧୧୧

ରାମ ଗୋବିନ୍ଦ ରୂପ ଧରି । ଯାଦବବଂଶେ ଅବତରି ॥ ୧୧୨

ଅଛନ୍ତି ବସୁଦେବ ଘରେ । ଆନନ୍ଦେ ବେନି ସହୋଦରେ ॥ ୧୧୩

ଆମ୍ଭର ବଂଶେ ଅଧିଦେବ । ଦେବକୀ ତୁଲେ ବସୁଦେବ ॥ ୧୧୪

ସୁଖେ କି ଛନ୍ତି ନିଜପୁରେ । ବନ୍ଧୁ-ସୁହୃଦ-ଭାବଭରେ ॥ ୧୧୫

ପ୍ରଦ୍ୟୁମ୍ନ ଅଛଇ ନା ଭଲେ । ଆନନ୍ଦେ ଜନନୀର ତୁଲେ ॥ ୧୧୬

ରୁକ୍ମିଣୀ ପୂର୍ବ-ତପଫଳେ । ପୁତ୍ର ପ୍ରଦ୍ୟୁମ୍ନ କଲା କୋଳେ ॥ ୧୧୭

ଭୋଜାଦି ସାତବଂଶ ରାଜା । ଗୋବିନ୍ଦ ଯାକୁ କଲେ ପୂଜା ॥ ୧୧୮

ଛାଡ଼ି ଆପଣା ନୃପାସନ । ରାଜ୍ୟେ ସ୍ଥାପିଲେ ଉଗ୍ରସେନ ॥ ୧୧୯

ତୀର୍ଥଉଦକ ସିଞ୍ଚି ଶିରେ । ସେ ସୁଖେ ଅଛିଟି କି ପୁରେ ॥ ୧୨୦

ଭଲେ କି ଜାମ୍ବବତୀସୁତ । ଯେ ରଥୀ ମଧ୍ୟେ ମହାରଥ ॥ ୧୨୧

କୃଷ୍ଣର ସଦୃଶ ଯେ ହୋଇ । ପୂର୍ବେ ଅମ୍ବିକା ଗର୍ଭେ ଥାଇ ॥ ୧୨୨

ଯାହାକୁ ଜାମ୍ବବତୀ ଦେବୀ । ପାଇଲା ନାନାବ୍ରତ ସେବି ॥ ୧୨୩

କ୍ଷେମେ କି ଅଛି ଯୁଯୁଧାନ । ଯାହାକୁ ସନ୍ତୋଷ ଅର୍ଜୁନ ॥ ୧୨୪

ରହସ୍ୟ-ଧନୁର୍ବେଦ ଦେଲା । ଯେ ପୁଣି ହୃଷ୍ଣ ଆରାଧିଲା ॥ ୧୨୫

ସୁଖେ ହୋଇଲା ଗତି ତା’ର । ଯେ ଯୋଗୀଜନେ ଅଗୋଚର ॥ ୧୨୬

ଶ୍ୱଫଳ୍‌କ ସୁତ ଯଶସ୍କର । ଶୁଭେ କି ଅଛଇ ଅକ୍ରୂର ॥ ୧୨୭

କଂସ ଆଦେଶେ ଗୋପପୁରେ । ଲଭିଲା କୃଷ୍ଣରେଣୁ ଶିରେ ॥ ୧୨୮

ଭଲେ କି ଅଛଇ ଦେବକୀ । ଯେ ଗର୍ଭେ ଧଇଲା ହରିଙ୍କି ॥ ୧୨୯

ଅଶେଷ ମନୋରଥ ବୋଧ । ଭଲେ କି ଅଛି ଅନିରୁଦ୍ଧ ॥ ୧୩୦

ଯା’ର ମହିମା ଶବ୍ଦଯୋନି । ତୁରୀୟତତ୍ତ୍ବ ସଙ୍ଗେ ମାନି ॥ ୧୩୧

ସତ୍ୟଭାମାର ସୁତ ଯେତେ । ଭଲେ କି ଅଛନ୍ତି ସମସ୍ତେ ॥ ୧୩୨

ଗଦର କହ ଭଲ କଥା । ଯେ ଅନ୍ୟ ଯାଦବ ବାରତା ॥ ୧୩୩

ଏକାନ୍ତେ କୃଷ୍ଣର ପୟରେ । ସେବନ୍ତି ସବୁ ପରକାରେ ॥ ୧୩୪

ଧର୍ମେ କି ଅଛି ଯୁଧିଷ୍ଠିର । ଯେ ଧର୍ମେ ରଖିଲା ସଂସାର ॥ ୧୩୫

ଯାହାର ବାହୁପ୍ରାୟ ହୋଇ । କୃଷ୍ଣ ଅର୍ଜୁନ ବେନି ଥାଇ ॥ ୧୩୬

ଭୀମର କହ ଭଲ କଥା । ଯେ ଭୀମ ଅତି ବଳବନ୍ତା ॥ ୧୩୭

ଯା’ର ଚରଣ-ଘାତ କୋପେ । ଦୁର୍ଜୟ-ରଣଭୂମି କମ୍ପେ ॥ ୧୩୮

ଅର୍ଜୁନ ଅଛିଟି କି ଭଲେ । ନିରତେ ଗୋବିନ୍ଦର ତୁଲେ ॥ ୧୩୯

ଗାŠଣ୍ତୀବଧନୁ କରେ ଧରି । ରଣେ ତୋଷିଲା ଶୂଳଧାରୀ ॥ ୧୪୦

ନକୁଳ ସହଦେବ ବେନି । କୁଶଳ କହ ପରିମାଣି ॥ ୧୪୧

ଅଶ୍ୱିନୀ ନାସିକା-ବିବରେ । ଜନ୍ମ ହୋଇଲେ ଯେ ଶରୀରେ ॥ ୧୪୨

କେ କହୁ ତା’ଙ୍କ ଗୁଣଗ୍ରାମ । ଦେବଙ୍କ ବ୍ୟାଧି ହରେ ନାମ ॥ ୧୪୩

ତାହାଙ୍କ ବୀର୍ଯ୍ୟୁ ଜାତ ହୋଇ । ସୁନ୍ଦର ରୂପେ ଜନ ମୋହି ॥ ୧୪୪

ପାŠବ-ଚକ୍ଷୁ ସେ ବୋଲାନ୍ତି । କହ କୁଶଳେ କି ଅଛନ୍ତି ॥ ୧୪୫

ଦେଖ ଏ କୁନ୍ତୀ ଗର୍ଭଅର୍ଥେ । ସ୍ୱାମୀକୁ ଚିନ୍ତେ ଅବିରତେ ॥ ୧୪୬

ସ୍ୱ-ସ୍ୱାମୀ ବିନୁ ସୁତ ଲଭେ । ଯା’ ନାମ ଚଉଦିଗେ ଶୁଭେ ॥ ୧୪୭

ତାହାଙ୍କୁ ଛାଡ଼ି ଭୋଗ ବିନେ । ରହିଲା ପୁତ୍ରସ୍ନେହ ମନେ ॥ ୧୪୮

ଶୁଣ ଉଦ୍ଧବ ସାଧୁ ଧୀର । ଧୃତରାଷ୍ଟ୍ରର ଯେ ବେଭାର ॥ ୧୪୯

ସେ ପିତୃହୀନ ପଞ୍ଚପୁତ୍ରେ । ତା’ଙ୍କ ମରଣ ଚିତ୍ତେ ଚିନ୍ତେ ॥ ୧୫୦

ପୁତ୍ରଙ୍କ ତୁଲେ ତା’ ବିଚାର । ମୁଁ ପ୍ରିୟ ସୁହୃଦ ତାହାର ॥ ୧୫୧

ପୁରୁ ବାହାର କରିଦେଲା । ଚିତ୍ତେ ତା’ ଦୟା ନ ବସିଲା ॥ ୧୫୨

ଏଣୁ ପଡ଼ିବ ତମଘୋର । ଜୀବନେ ଚିନ୍ତା ତା’କୁ ମୋର ॥ ୧୫୩

ଯେ କୃଷ୍ଣ ପରମ-ମଙ୍ଗଳ । ଆନନ୍ଦମାନଙ୍କର ମୂଳ ॥ ୧୫୪

ସେ ହରି ମନୁଷ୍ୟ-ଶରୀରେ । ସାକ୍ଷାତେ ସଂସାରେ ବିହରେ ॥ ୧୫୫

ତା’ର ପ୍ରସାଦୁ ତା’ ମାହାତ୍ମ୍ୟ । ଜାଣି ଛାଡ଼ିଲି ସର୍ବ ଭ୍ରମ ॥ ୧୫୬

ତା’ର ଚରଣ ଧ୍ୟାନ କରି । ମୁଁ ଏବେ କାନନେ ବିହରି ॥ ୧୫୭

ଦେଖ ଉଦ୍ଧବ ତା’ ମହିମା । କେ କହିପାରେ ଗୁଣସୀମା ॥ ୧୫୮

ଯେ ଯେତେ ଥିଲେ ମହୀପାଳେ । ଅନେକ ଅକ୍ଷୌହିଣୀ ମେଳେ ॥ ୧୫୯

ତାହାଙ୍କୁ ମାୟାରେ ସଂହାରି । ହେଳେ ତ୍ରିଭୁବନ ଉଦ୍ଧରି ॥ ୧୬୦

ପ୍ରପନ୍ନଜନ ଦୁଃଖ ନାଶ । ଅର୍ଥେ କ୍ଷଣକେ ପୀତବାସ ॥ ୧୬୧

ପାରନ୍ତି କୁରୁଙ୍କୁ ସଂହାରି । ସହିଲେ ଦୋଷ କ୍ଷମା କରି ॥ ୧୬୨

ସେ ଗୁଣାତୀତ ଅଜ ହରି । ଖଳନାଶନେ ଅବତରି ॥ ୧୬୩

ଅଖିଳଲୋକଙ୍କୁ କୁଶଳେ । ଯେ ଦେହବନ୍ତ ଯଦୁକୁଳେ ॥ ୧୬୪

ଯାହାର ଆଜ୍ଞାରେ ସଂସାର । ତୀର୍ଥର ପ୍ରାୟେ କୀର୍ତ୍ତି ଯା’ର ॥ ୧୬୫

ସେ ହରି ଶୁଭକଥା ମୋତେ । କହ ଉଦ୍ଧବ ଶୁଦ୍ଧଚିତ୍ତେ ॥ ୧୬୬

ଏମନ୍ତେ ବିଦୁରର ବାଣୀ । ଉଦ୍ଧବ ମନେ ପରିମାଣି ॥ ୧୬୭

ଚିତ୍ତେ ଚିନ୍ତିଲା ନାରାୟଣ । ସୁଜନେ ଏକମନେ ଶୁଣ ॥ ୧୬୮

ହରିଚରିତ ସୁଧାରସ । କହିଲା ଜଗନ୍ନାଥ ଦାସ ॥ ୧୬୯

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ତୃତୀୟସ୍କନ୍ଧେ ବିଦୁର ଉଦ୍ଧବ ସମ୍ବାଦେ ପ୍ରଥମୋଽଧ୍ୟାୟଃ ॥

* * *