ତୃତୀୟ ସ୍କନ୍ଧ
ପ୍ରଥମ ଅଧ୍ୟାୟ
ଶୌନକ ଆଦି ମୁନିଜନେ । ଆନନ୍ଦେ ସୂତ ସନ୍ନିଧାନେ ॥ ୧
ବିଦୁର କଥା ମନେ ଚିନ୍ତି । ବିଶ୍ୱାସଭାବେ ପଚାରନ୍ତି ॥ ୨
ଶୌନକ ଉବାଚ
ହେ ସୂତ ତୁମ୍ଭର ବଚନ । ଶୁଣି ସନ୍ତୋଷ ଆମ୍ଭମନ ॥ ୩
ମହାତ୍ମା ବିଦୁରର ବାଣୀ । ଆମ୍ଭେ ତୁମ୍ଭର ମୁଖୁଁ ଶୁଣି ॥ ୪
ହେଳେ ଛାଡ଼ିବୁ ଭବବ୍ୟଥା । ବିସ୍ତାରି କହ ତାର କଥା ॥ ୫
ସର୍ବସମ୍ପଦ ଛାଡ଼ି ବନେ । କିପାଁ ପଶିଲା ଦୁଃଖ ମନେ ॥ ୬
ଅନେକତୀର୍ଥେ ଦେଇ ମନ । ପୃଥିବୀ କଲା ପର୍ଯ୍ୟଟନ ॥ ୭
ମୈତ୍ରେୟ ମୁନି ସଙ୍ଗେ ତାର । ଏକାନ୍ତେ ଅଧ୍ୟାତ୍ମ-ବିଚାର ॥ ୮
କାହିଁ ବା ନଦୀ-ତୀର ବନେ । ସାନନ୍ଦେ ବସି ବେନିଜନେ ॥ ୯
ସନ୍ତୋଷେ ବିଦୁରର ଆଗେ । ମୈତ୍ରେୟ ମୁନି ଅନୁରାଗେ ॥ ୧୦
କହିଲେ ତତ୍ତ୍ବସାର ବାଣୀ । ଯା ଶୁଣି ଭବୁ ତରେ ପ୍ରାଣୀ ॥ ୧୧
ସେ କଥା କହ ମୁନିବର । ବିଦୁର ବିଷ୍ଣୁ ଭକ୍ତସାର ॥ ୧୨
ସେ ବନ୍ଧୁତ୍ୟାଗୀ କିବା ଅର୍ଥେ । ପୁଣି ମିଳିଲାଇନ୍ଦ୍ରପ୍ରସ୍ଥେ ॥ ୧୩
ଏମନ୍ତ ମୁନିଙ୍କର ବାଣୀ । ସୂତ ସନ୍ତୋଷମନେ ଶୁଣି ॥ ୧୪
କହନ୍ତି ଶୌନକଙ୍କ ଆଗେ । କୃଷ୍ଣର ଭାବ ଅନୁରାଗେ ॥ ୧୫
ସୂତ ଉବାଚ
ଶୁଣ ହେ ମୁନିଗଣ ତୋଷେ । ଏ କଥା ଶୁକମୁନି ପାଶେ ॥ ୧୬
ଆନନ୍ଦେ ଅଭିମନ୍ୟୁ-ସୁତ । ପୁଚ୍ଛିଲା ବିଦୁରଚରିତ ॥ ୧୭
ସେ ମୁନି କହିଲେ ଯେମନ୍ତେ । ସେ କଥା ଶୁଣ ଏକଚିତ୍ତେ ॥ ୧୮
ଶୁକ ଉବାଚ
ଶୁକ ବୋଲନ୍ତି ଭାବଭରି । ଶୁଣ ପରୀକ୍ଷ ଦଣ୍ଡଧାରୀ ॥ ୧୯
ସେ ଧୃତରାଷ୍ଟ୍ର ଯେତେବେଳେ । ନିଷ୍ଠୁର ହୀନ ବୁଦ୍ଧିବଳେ ॥ ୨୦
ଅଧର୍ମେ ଧନ ସେ ସଞ୍ଚଇ । ନିଜ ସୁତଙ୍କୁ ଭୋଗ ଦେଇ ॥ ୨୧
ପଣ୍ତୁସୁତଙ୍କୁ ଦେଖେ ଭିନ୍ନେ । ନିନ୍ଦଇ ନିଷ୍ଠୁର-ବଚନେ ॥ ୨୨
ବାଳକେ ପିତୃହୀନ ହୋଇ । ମାତାର ସଙ୍ଗେ ଦୁଃଖ ସହି ॥ ୨୩
ହସ୍ତିନାପୁରେ ତାଙ୍କ ଘରେ । ବଞ୍ଚନ୍ତି ଅତି ଅବେଭାରେ ॥ ୨୪
ତାହାଙ୍କ ମରଣ ଇଚ୍ଛଇ । ଭୀମକୁ ବିଷଲଡ଼ୁ ଦେଇ ॥ ୨୫
ଜତୁର ଘରେ ଅଗ୍ନି ଦେଲା । ସେବେଳେ ଗୋବିନ୍ଦ ରଖିଲା ॥ ୨୬
ପୁଣି ସଭାର ତଳେ ଆଣି । ପଞ୍ଚପାଣ୍ତବଙ୍କ ରମଣୀ ॥ ୨୭
କେଶ ଆକର୍ଷି ବାହୁବଳେ । ବିବସ୍ତ୍ର କଲେ ସଭାତଳେ ॥ ୨୮
କୁଚ କୁଙ୍କୁମ ବହେ ଉରେ । ଅଧୋବଦନ ଅଶ୍ରୁଧାରେ ॥ ୨୯
ବଧୂର ଦୁଃଖ ସେ ଶୁଣିଲା । ପୁତ୍ରଙ୍କୁ ବାରଣ ନ କଲା ॥ ୩୦
ମାୟା କପଟପାଶା କରି । ଦ୍ୟୁତଖେଳାଇ ଧନହରି ॥ ୩୧
ଛଳେ ହରିଲା ତାଙ୍କ ଦେଶ । କାନନେ ଦ୍ୱାଦଶବରଷ ॥ ୩୨
ଅଜ୍ଞାତେ ଅଧିକ ବରଷେ । ବିରାଟ ରାଜ୍ୟେ ମତ୍ସ୍ୟଦେଶେ ॥ ୩୩
ତହିଁ ବଞ୍ଚିଲେ ଦୁଃଖ-ସୁଖେ । ବନକଷଣ ଅତିରେକେ ॥ ୩୪
ପୁଣି ମିଳିଲେ ରାଜ୍ୟେ ଆସି । ବିଶ୍ୱାସେ ରାଜା ପାଶେ ବସି ॥ ୩୫
ଜୀବିକା ଅର୍ଥେ କିଛି ଧନ । ମାଗିଲେ ନ ଦେଲା ରାଜନ ॥ ୩୬
ପୁଣି କୃଷ୍ଣଙ୍କୁ କରି ଦୂତ । ଗ୍ରାମ ମାଗିଲେ ପଣ୍ତୁସୁତ ॥ ୩୭
କୃଷ୍ଣର ବୋଲ ସେ ନ କଲା । ସୂଚୀ ଅଗ୍ରତେ ସେ ନ ଦେଲା ॥ ୩୮
କୃଷ୍ଣଙ୍କୁ କରି ଅପମାନ । ଲୋଭେ ହୋଇଲା ହତଜ୍ଞାନ ॥ ୩୯
ବିଦୁର ଆଣି ଏକାନ୍ତରେ । ବିଚାର କଲା ଅନ୍ତଃପୁରେ ॥ ୪୦
ପାଣ୍ତବ ମାରି ନାନାମତେ । ରାଜା ହୋଇବ ସେ ନିଶ୍ଚିନ୍ତେ ॥ ୪୧
ଶୁଣି ବିଦୁର କରଯୋଡ଼ି । ବୋଲଇ ରାଜାପାଦେ ପଡ଼ି ॥ ୪୨
ବିଦୁର ଉବାଚ
ଅସହ୍ୟ ଅପରାଧ ତୋର । କେତେ ସହିଛି ଯୁଧିଷ୍ଠିର ॥ ୪୩
ତାହାଙ୍କୁ ଅର୍ଦ୍ଧରାଜ୍ୟ ଦେଇ । ପୁତ୍ରଙ୍କ ତୁଲେ ଭୁଞ୍ଜ ମହୀ ॥ ୪୪
ନୋହିଲେ ସୁଖ ନାହିଁ ତୋର । ସେ ବିଷ୍ଣୁତେଜେ ବଳୀୟାର ॥ ୪୫
ଶ୍ରୀହରି ତାଙ୍କୁ ସଙ୍ଗେ ଘେନି । ଉଶ୍ୱାସ କରିବେ ମେଦିନୀ ॥ ୪୬
ସେ ହରି ଥାଇ ନିଜପୁରେ । ପାଣ୍ତବବଂଶ ପକ୍ଷ ଧରେ ॥ ୪୭
ସେ କୃଷ୍ଣ ଆସି ତୋର ପୁରେ । ମିଳିଲେ ବାନ୍ଧବ-ବେଭାରେ ॥ ୪୮
ତାଙ୍କୁ ଇତର ପ୍ରାୟ ମଣି । ଜ୍ଞାନ ହାରିଲୁ ନୃପମଣି ॥ ୪୯
ତାର ମହିମା ତୁ ନ ଜାଣୁ । ମନୁଷ୍ୟ ପ୍ରାୟ ପରିମାଣୁ ॥ ୫୦
ଏ ପୁତ୍ର ଆସି ତୋର ପୁରୀ । ବସିଲା ଦୋଷରୂପ ଧରି ॥ ୫୧
ତାକୁ ତୁ ପୁତ୍ରପ୍ରାୟ ମଣୁ । କୁଳ କୁଶଳ ନ ପ୍ରମାଣୁ ॥ ୫୨
ଶ୍ରୀକୃଷ୍ଣେ ଭକତି ନ କରି । ତୁହି ହୋଇଲୁ ହତଶିରୀ ॥ ୫୩
କୁଳ-କୁଶଳେ ଯେବେ ମନ । ତେଜ ଅଶୁଭ ଦୁର୍ଯ୍ୟୋଧନ ॥ ୫୪
ଏମନ୍ତ ବିଦୁରର ବାଣୀ । ସକ୍ରୋଧ ଦୁର୍ଯ୍ୟୋଧନ ଶୁଣି ॥ ୫୫
ସଙ୍ଗେ ଅଛନ୍ତି ତିନିଜଣ । କର୍ଣ୍ଣ ଶକୁନି ଦୁଃଶାସନ ॥ ୫୬
ବୋଲଇ ସ୍ଫୁରିତ ଅଧରେ । ଆକର୍ଷି ଦୁଃଶାସନ କରେ ॥ ୫୭
ଏ ଦାସୀପୁତ୍ର ମୋର ଘରେ । ବସଇ ବାନ୍ଧବ-ବେଭାରେ ॥ ୫୮
ଏ ମୋର ନିତ୍ୟେ ଅନ୍ନ ଖାଇ । ପଣ୍ତୁପୁତ୍ରଙ୍କ ହିତେ ଥାଇ ॥ ୫୯
କୃଷ୍ଣଙ୍କୁ ଘେନି ଭାଳେ ନିତ୍ୟେ । ମୋର ବିନାଶ ଚିତ୍ତେ ଚିନ୍ତେ ॥ ୬୦
ଏମନ୍ତ କୁଟିଳ ଲୋକକୁ । କେ ଅବା ଡାକିଲା ଏଠାକୁ ॥ ୬୧
ଏମନ୍ତ ବୋଲି ବିଚାରିଲା । କୋପେ ଅନେକ ଗାଳିଦେଲା ॥ ୬୨
ଦଶନେ କାମୋଡ଼ି ଅଧର । ବୋଲେ ଭଣ୍ତାର କର ଜୂର ॥ ୬୩
ଏହାକୁ ଦଣ୍ତେହେଁ ନ ଥୁଅ । ରାଜ୍ୟୁ ବାହାର କରିଦିଅ ॥ ୬୪
ଏମନ୍ତ ତାର ବାକ୍ୟ ଶୁଣି । ବଜ୍ର ପଡ଼ିଲା ପ୍ରାୟ ମଣି ॥ ୬୫
ମରମ-ଉଚ୍ଚାଟ ବଚନ । ଶୁଣି ହୋଇଲା ହତଜ୍ଞାନ ॥ ୬୬
ଜ୍ୟେଷ୍ଠଭ୍ରାତାର ତୁଲେ ଥିଲା । ରାଜା ହିଁ ଆଶ୍ୱାସ ନ କଲା ॥ ୬୭
ତକ୍ଷଣେ ଉଠି ସେ ବିଦୁର । ଚିତ୍ତେ ଚିନ୍ତଇ ଚକ୍ରଧର ॥ ୬୮
ବିଷ୍ଣୁର ମାୟା ବିଚାରିଲା । ତକ୍ଷଣେ ବନସ୍ତେ ପଶିଲା ॥ ୬୯
ସମ୍ପଦ ତୁଚ୍ଛପ୍ରାୟ ମଣି । ମନେ ଚିନ୍ତଇ ଚକ୍ରପାଣି ॥ ୭୦
ହସ୍ତିନା ନଗରୁ ବାହାର । ତୀର୍ଥଗମନେ ଆଗୁସାର ॥ ୭୧
ମିଳିଲା ଯାଇ ଘୋରବନେ । ଭ୍ରମଇ ଋଷି-ବିପ୍ରସ୍ଥାନେ ॥ ୭୨
ମନେ ଚିନ୍ତଇ ତୀର୍ଥଗତି । ହରିଭକତ ଯହିଁ ଥାନ୍ତି ॥ ୭୩
ନିରାଶ କରି ଆତ୍ମମନ । ଗ୍ରାମ ପାଟଣା ଉପବନ ॥ ୭୪
ସୁପୁଣ୍ୟଗିରି-କୁଞ୍ଜଦେଶେ । ଭ୍ରମଇ ତୀର୍ଥ ଅଭିଳାଷେ ॥ ୭୫
ପୁଣ୍ୟସରିତ ପୁଣ୍ୟସର । ନିରତେ ଭ୍ରମଇ ବିଦୁର ॥ ୭୬
ଅନନ୍ତ ସିଦ୍ଧଲିଙ୍ଗେ ଯହିଁ । ଶୁଦ୍ଧ ପବିତ୍ର ପୁଣ୍ୟଭୂଇଁ ॥ ୭୭
ଏମନ୍ତେ ଅବଧୂତ ବେଶେ । ବିଦୁର ଭ୍ରମେ ପୁଣ୍ୟଦେଶେ ॥ ୭୮
ହରିତୋଷଣ ବ୍ରତ ଯେତେ । ତୀର୍ଥେ ସେବଇ ଅବିରତେ ॥ ୭୯
ଏମନ୍ତେ ଭାରତବରଷେ । କାଳେ ମିଳିଲା ସେ ପ୍ରଭାସେ ॥ ୮୦
ତହିଁ ଶୁଣିଲା ସାଧୁବାଣୀ । ପାଣ୍ତବେ କୁରୁବଳ ଜିଣି ॥ ୮୧
କୃଷ୍ଣ ସାରଥିପଣେ ବରି । ଅନେକ ଅକ୍ଷୌହିଣୀ ମାରି ॥ ୮୨
ଗୋବିନ୍ଦ ଘେନି ତୀର୍ଥଜଳେ । ମଙ୍ଗଳ ଶୁଭ ଅନୁକୂଳେ ॥ ୮୩
କରାଇ ଅଭିଷେକ ପୂଜା । ଏକାଙ୍ଗଚକ୍ରେ କଲେ ରାଜା ॥ ୮୪
ସର୍ବେ ନଶିଲେ କୁରୁବଳେ । ଯେସନେ ବେଣୁ ଦାବାନଳେ ॥ ୮୫
କୁଟୁମ୍ବବଧେ ଶୋକକରି । ସ୍ୱଜନ ବାନ୍ଧବ ସୁମରି ॥ ୮୬
ମଉନ ହୋଇ ଅଶ୍ରୁକଣ୍ଠେ । ମିଳିଲା ସରସ୍ୱତୀତଟେ ॥ ୮୭
ଯାହାର ତୀରେ ଏକାଦଶ । ତୀର୍ଥେ ବସନ୍ତି ପୁଣ୍ୟଯଶ ॥ ୮୮
ତ୍ରିତ ଉଶନା ମନୁ ନାମ । ପୃଥୁ ଅନଳ ଯେ ପବନ ॥ ୮୯
ସୁଦାସ ଗାବ ଗୁହ ଯମ । ଅସିତ ଏକାଦଶ ନାମ ॥ ୯୦
ଏତେ ମନ୍ଦିର ବିଷ୍ଣୁ ଅର୍ଥେ । ତୀରେ ସଞ୍ଚିଲେ ଯେଝାମତେ ॥ ୯୧
ଋଷି ଦେବତା ଆଦି ଯେତେ । ତୀର୍ଥେ ସେବନ୍ତି ଦୃଢ଼ଚିତ୍ତେ ॥ ୯୨
ପ୍ରତ୍ୟଙ୍ଗମୁଖ୍ୟାଙ୍କିତ ଘର । ଦିଶନ୍ତି ଅତି ମନୋହର ॥ ୯୩
ଯେ ପୁର ଦରଶନ ମାତ୍ରେ । ବିଷ୍ଣୁସ୍ମରଣ ପଶେ ଗାତ୍ରେ ॥ ୯୪
ଏମନ୍ତ ସରସ୍ୱତୀତୀର୍ଥ । ଦେଖି ବିଦୁର କୃତକୃତ୍ୟ ॥ ୯୫
ତହୁଁ ଚଳିଲା ତୋଷମନେ । ସୌରାଷ୍ଟ୍ର ସୌବୀର ବିପିନେ ॥ ୯୬
କୁରୁ ଜାଙ୍ଗଳ ମତ୍ସ୍ୟଦେଶ । ଜିଣି ଯମୁନା ପରବେଶ ॥ ୯୭
କାଳିନ୍ଦୀତୀରେ ବୃନ୍ଦାବନ । ଯହିଁ ବିରାଜେ ଗୋବର୍ଦ୍ଧନ ॥ ୯୮
ସେ ବନେ ବୁଲେ ଏକେ ଏକେ । ନିଶ୍ଚଳେ ଉଦ୍ଧବଙ୍କୁ ଦେଖେ ॥ ୯୯
ହରି-ଭକତଙ୍କର ସାର । ତପ ଆଚରି ମହାଘୋର ॥ ୧୦୦
ଆସନ ନିଶ୍ଚଳ ସମାଧି । ଶ୍ରୀକୃଷ୍ଣ-ଚରଣେ ଆରାଧି ॥ ୧୦୧
ଏକାନ୍ତେ ଅଛି ବୃକ୍ଷମୂଳେ । ବିଦୁର ଦେଖେ ବେନିଡୋଳେ ॥ ୧୦୨
ସେ ବାସୁଦେବ ଅନୁଚର । କି ଅବା ଦେବା ପଟାନ୍ତର ॥ ୧୦୩
ଦେବଗୁରୁଙ୍କ ଶିଷ୍ୟ ସ୍ନେହେ । ସ୍ୱଭାବେ ମନ୍ତ୍ରୀବୁଦ୍ଧି ବହେ ॥ ୧୦୪
ଏମନ୍ତେ ମିଳି ବେନିଜନ । ନିବିଡେ଼ କଲେ ଆଲିଙ୍ଗନ ॥ ୧୦୫
ବିଦୁର ଉଦ୍ଧବକୁ ଚାହିଁ । ବନ୍ଧୁବାନ୍ଧବ ସ୍ନେହ ବହି ॥ ୧୦୬
ରୋମହରଷେ ଶୁଦ୍ଧଚେତା । ପୁଚ୍ଛଇ କୃଷ୍ଣର ବାରତା ॥ ୧୦୭
କୃଷ୍ଣପୁତ୍ରଙ୍କୁ ଆଦି କରି । ଏକ ଆରେକ ନାମ ଧରି ॥ ୧୦୮
ବିଦୁର ଉବାଚ
ଶୁଣ ଉଦ୍ଧବ ମୋ ବଚନ । ମୁଁ ଯେ ପୁଚ୍ଛଇ ବନ୍ଧୁଜନ ॥ ୧୦୯
ଯେ ହରି ପୁରୁଷ-ପୁରାଣ । ଅନାଦି-ପରମ-କାରଣ ॥ ୧୧୦
ଧରଣୀଭାରା ନାଶ ଅର୍ଥେ । ମନୁଷ୍ୟ ଦେହେ ଏ ଜଗତେ ॥ ୧୧୧
ରାମ ଗୋବିନ୍ଦ ରୂପ ଧରି । ଯାଦବବଂଶେ ଅବତରି ॥ ୧୧୨
ଅଛନ୍ତି ବସୁଦେବ ଘରେ । ଆନନ୍ଦେ ବେନି ସହୋଦରେ ॥ ୧୧୩
ଆମ୍ଭର ବଂଶେ ଅଧିଦେବ । ଦେବକୀ ତୁଲେ ବସୁଦେବ ॥ ୧୧୪
ସୁଖେ କି ଛନ୍ତି ନିଜପୁରେ । ବନ୍ଧୁ-ସୁହୃଦ-ଭାବଭରେ ॥ ୧୧୫
ପ୍ରଦ୍ୟୁମ୍ନ ଅଛଇ ନା ଭଲେ । ଆନନ୍ଦେ ଜନନୀର ତୁଲେ ॥ ୧୧୬
ରୁକ୍ମିଣୀ ପୂର୍ବ-ତପଫଳେ । ପୁତ୍ର ପ୍ରଦ୍ୟୁମ୍ନ କଲା କୋଳେ ॥ ୧୧୭
ଭୋଜାଦି ସାତବଂଶ ରାଜା । ଗୋବିନ୍ଦ ଯାକୁ କଲେ ପୂଜା ॥ ୧୧୮
ଛାଡ଼ି ଆପଣା ନୃପାସନ । ରାଜ୍ୟେ ସ୍ଥାପିଲେ ଉଗ୍ରସେନ ॥ ୧୧୯
ତୀର୍ଥଉଦକ ସିଞ୍ଚି ଶିରେ । ସେ ସୁଖେ ଅଛିଟି କି ପୁରେ ॥ ୧୨୦
ଭଲେ କି ଜାମ୍ବବତୀସୁତ । ଯେ ରଥୀ ମଧ୍ୟେ ମହାରଥ ॥ ୧୨୧
କୃଷ୍ଣର ସଦୃଶ ଯେ ହୋଇ । ପୂର୍ବେ ଅମ୍ବିକା ଗର୍ଭେ ଥାଇ ॥ ୧୨୨
ଯାହାକୁ ଜାମ୍ବବତୀ ଦେବୀ । ପାଇଲା ନାନାବ୍ରତ ସେବି ॥ ୧୨୩
କ୍ଷେମେ କି ଅଛି ଯୁଯୁଧାନ । ଯାହାକୁ ସନ୍ତୋଷ ଅର୍ଜୁନ ॥ ୧୨୪
ରହସ୍ୟ-ଧନୁର୍ବେଦ ଦେଲା । ଯେ ପୁଣି ହୃଷ୍ଣ ଆରାଧିଲା ॥ ୧୨୫
ସୁଖେ ହୋଇଲା ଗତି ତାର । ଯେ ଯୋଗୀଜନେ ଅଗୋଚର ॥ ୧୨୬
ଶ୍ୱଫଳ୍କ ସୁତ ଯଶସ୍କର । ଶୁଭେ କି ଅଛଇ ଅକ୍ରୂର ॥ ୧୨୭
କଂସ ଆଦେଶେ ଗୋପପୁରେ । ଲଭିଲା କୃଷ୍ଣରେଣୁ ଶିରେ ॥ ୧୨୮
ଭଲେ କି ଅଛଇ ଦେବକୀ । ଯେ ଗର୍ଭେ ଧଇଲା ହରିଙ୍କି ॥ ୧୨୯
ଅଶେଷ ମନୋରଥ ବୋଧ । ଭଲେ କି ଅଛି ଅନିରୁଦ୍ଧ ॥ ୧୩୦
ଯାର ମହିମା ଶବ୍ଦଯୋନି । ତୁରୀୟତତ୍ତ୍ବ ସଙ୍ଗେ ମାନି ॥ ୧୩୧
ସତ୍ୟଭାମାର ସୁତ ଯେତେ । ଭଲେ କି ଅଛନ୍ତି ସମସ୍ତେ ॥ ୧୩୨
ଗଦର କହ ଭଲ କଥା । ଯେ ଅନ୍ୟ ଯାଦବ ବାରତା ॥ ୧୩୩
ଏକାନ୍ତେ କୃଷ୍ଣର ପୟରେ । ସେବନ୍ତି ସବୁ ପରକାରେ ॥ ୧୩୪
ଧର୍ମେ କି ଅଛି ଯୁଧିଷ୍ଠିର । ଯେ ଧର୍ମେ ରଖିଲା ସଂସାର ॥ ୧୩୫
ଯାହାର ବାହୁପ୍ରାୟ ହୋଇ । କୃଷ୍ଣ ଅର୍ଜୁନ ବେନି ଥାଇ ॥ ୧୩୬
ଭୀମର କହ ଭଲ କଥା । ଯେ ଭୀମ ଅତି ବଳବନ୍ତା ॥ ୧୩୭
ଯାର ଚରଣ-ଘାତ କୋପେ । ଦୁର୍ଜୟ-ରଣଭୂମି କମ୍ପେ ॥ ୧୩୮
ଅର୍ଜୁନ ଅଛିଟି କି ଭଲେ । ନିରତେ ଗୋବିନ୍ଦର ତୁଲେ ॥ ୧୩୯
ଗାଣ୍ତୀବଧନୁ କରେ ଧରି । ରଣେ ତୋଷିଲା ଶୂଳଧାରୀ ॥ ୧୪୦
ନକୁଳ ସହଦେବ ବେନି । କୁଶଳ କହ ପରିମାଣି ॥ ୧୪୧
ଅଶ୍ୱିନୀ ନାସିକା-ବିବରେ । ଜନ୍ମ ହୋଇଲେ ଯେ ଶରୀରେ ॥ ୧୪୨
କେ କହୁ ତାଙ୍କ ଗୁଣଗ୍ରାମ । ଦେବଙ୍କ ବ୍ୟାଧି ହରେ ନାମ ॥ ୧୪୩
ତାହାଙ୍କ ବୀର୍ଯ୍ୟୁ ଜାତ ହୋଇ । ସୁନ୍ଦର ରୂପେ ଜନ ମୋହି ॥ ୧୪୪
ପାବ-ଚକ୍ଷୁ ସେ ବୋଲାନ୍ତି । କହ କୁଶଳେ କି ଅଛନ୍ତି ॥ ୧୪୫
ଦେଖ ଏ କୁନ୍ତୀ ଗର୍ଭଅର୍ଥେ । ସ୍ୱାମୀକୁ ଚିନ୍ତେ ଅବିରତେ ॥ ୧୪୬
ସ୍ୱ-ସ୍ୱାମୀ ବିନୁ ସୁତ ଲଭେ । ଯା ନାମ ଚଉଦିଗେ ଶୁଭେ ॥ ୧୪୭
ତାହାଙ୍କୁ ଛାଡ଼ି ଭୋଗ ବିନେ । ରହିଲା ପୁତ୍ରସ୍ନେହ ମନେ ॥ ୧୪୮
ଶୁଣ ଉଦ୍ଧବ ସାଧୁ ଧୀର । ଧୃତରାଷ୍ଟ୍ରର ଯେ ବେଭାର ॥ ୧୪୯
ସେ ପିତୃହୀନ ପଞ୍ଚପୁତ୍ରେ । ତାଙ୍କ ମରଣ ଚିତ୍ତେ ଚିନ୍ତେ ॥ ୧୫୦
ପୁତ୍ରଙ୍କ ତୁଲେ ତା ବିଚାର । ମୁଁ ପ୍ରିୟ ସୁହୃଦ ତାହାର ॥ ୧୫୧
ପୁରୁ ବାହାର କରିଦେଲା । ଚିତ୍ତେ ତା ଦୟା ନ ବସିଲା ॥ ୧୫୨
ଏଣୁ ପଡ଼ିବ ତମଘୋର । ଜୀବନେ ଚିନ୍ତା ତାକୁ ମୋର ॥ ୧୫୩
ଯେ କୃଷ୍ଣ ପରମ-ମଙ୍ଗଳ । ଆନନ୍ଦମାନଙ୍କର ମୂଳ ॥ ୧୫୪
ସେ ହରି ମନୁଷ୍ୟ-ଶରୀରେ । ସାକ୍ଷାତେ ସଂସାରେ ବିହରେ ॥ ୧୫୫
ତାର ପ୍ରସାଦୁ ତା ମାହାତ୍ମ୍ୟ । ଜାଣି ଛାଡ଼ିଲି ସର୍ବ ଭ୍ରମ ॥ ୧୫୬
ତାର ଚରଣ ଧ୍ୟାନ କରି । ମୁଁ ଏବେ କାନନେ ବିହରି ॥ ୧୫୭
ଦେଖ ଉଦ୍ଧବ ତା ମହିମା । କେ କହିପାରେ ଗୁଣସୀମା ॥ ୧୫୮
ଯେ ଯେତେ ଥିଲେ ମହୀପାଳେ । ଅନେକ ଅକ୍ଷୌହିଣୀ ମେଳେ ॥ ୧୫୯
ତାହାଙ୍କୁ ମାୟାରେ ସଂହାରି । ହେଳେ ତ୍ରିଭୁବନ ଉଦ୍ଧରି ॥ ୧୬୦
ପ୍ରପନ୍ନଜନ ଦୁଃଖ ନାଶ । ଅର୍ଥେ କ୍ଷଣକେ ପୀତବାସ ॥ ୧୬୧
ପାରନ୍ତି କୁରୁଙ୍କୁ ସଂହାରି । ସହିଲେ ଦୋଷ କ୍ଷମା କରି ॥ ୧୬୨
ସେ ଗୁଣାତୀତ ଅଜ ହରି । ଖଳନାଶନେ ଅବତରି ॥ ୧୬୩
ଅଖିଳଲୋକଙ୍କୁ କୁଶଳେ । ଯେ ଦେହବନ୍ତ ଯଦୁକୁଳେ ॥ ୧୬୪
ଯାହାର ଆଜ୍ଞାରେ ସଂସାର । ତୀର୍ଥର ପ୍ରାୟେ କୀର୍ତ୍ତି ଯାର ॥ ୧୬୫
ସେ ହରି ଶୁଭକଥା ମୋତେ । କହ ଉଦ୍ଧବ ଶୁଦ୍ଧଚିତ୍ତେ ॥ ୧୬୬
ଏମନ୍ତେ ବିଦୁରର ବାଣୀ । ଉଦ୍ଧବ ମନେ ପରିମାଣି ॥ ୧୬୭
ଚିତ୍ତେ ଚିନ୍ତିଲା ନାରାୟଣ । ସୁଜନେ ଏକମନେ ଶୁଣ ॥ ୧୬୮
ହରିଚରିତ ସୁଧାରସ । କହିଲା ଜଗନ୍ନାଥ ଦାସ ॥ ୧୬୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ବିଦୁର ଉଦ୍ଧବ ସମ୍ବାଦେ ପ୍ରଥମୋଽଧ୍ୟାୟଃ ॥
* * *