ଦ୍ଵିତୀୟ ସ୍କନ୍ଧ

ଦଶମ ଅଧ୍ୟାୟ

ଶୁକ ଉବାଚ

ମୁନି କହନ୍ତି ରାୟେ ଶୁଣ । ଏ ଭାଗବତର ଲକ୍ଷଣ । ।

ଦଶପ୍ରକାରେ ଭାବ ଚିନ୍ତି । ପୁରାଣ-ପୁରୁଷେ ବୋଲାନ୍ତି । ।

ତାହା କହିବା ଏକେ ଏକେ । ପ୍ରସ୍ତାବେ ତୋହର ସମ୍ମୁଖେ । ।

ସର୍ଗ ବିସର୍ଗ ଯେବା ସ୍ଥାନ । ପୋଷଣ ଉତି ପରିମାଣ । ।

ଯେ ମନ୍ୱନ୍ତର ଈଶକଥା । ନିରୋଧ ମୁକ୍ତିର ବ୍ୟବସ୍ଥା । ।

ଆଶ୍ରୟ ମିଶି ଦଶଗୁଣ । ଏ ଭାଗବତର ଲକ୍ଷଣ । ।

ଦଶ ବିଶୁଦ୍ଧ ଅର୍ଥେ ରହେ । ନବ ଲକ୍ଷଣ ଯେବା ହୋଏ । ।

ବେଦ ବିଚାରି ମହାଜନେ । ତତ୍ତ୍ଵ କହନ୍ତି ଅନୁମାନେ । ।

ଦଶଇନ୍ଦ୍ରିୟ ପଞ୍ଚମାତ୍ର । ମହତ ତୁଲେ ପଞ୍ଚଭୂତ । ।

ତାହାଙ୍କ ଜନ୍ମ ସର୍ଗ କହି । ବିସର୍ଗ ଶୁଣ ଚିତ୍ତ ଦେଇ । । ୧୦

ବିରାଟ-ପୁରୁଷର ଦେହେ । ବ୍ରହ୍ମା ସର୍ଜନା ଯେତେ ହୋଏ । । ୧୧

ପୌରୁଷ ଚରାଚର ଯେତେ । ବିସର୍ଗ ବୋଲନ୍ତିଟି ଏତେ । । ୧୨

ବିଷ୍ଣୁ ବିଜୟ ସ୍ଥିତି ନାମ । ଭକ୍ତାନୁଗ୍ରହ ଯେ ପୋଷଣ । । ୧୩

ମନ୍ୱନ୍ତର ଯେ ମନୁ ଧର୍ମ । କର୍ମବାସନା ଉତି ନାମ । । ୧୪

ବିଷ୍ଣୁ ଅବତାର ଚରିତ । ତାର ଭକ୍ତଙ୍କ ଯେ ଭକତ । । ୧୫

କୃଷ୍ଣର କଥା ଅନୁବାଦେ । ଉତ୍ତମ ପୁରୁଷଙ୍କ ମଧ୍ୟେ । । ୧୬

ଈଶାନୁକଥା ଏହା କହି । ଅପରେ ଶୁଣ ମନ ଦେଇ । । ୧୭

ସଂହରି ଆତ୍ମାର ଶକତି । ଜଳେ ଶୟନ ଯୋଗପତି । । ୧୮

ନିରୋଧ ବୋଲି ତାର ନାମ । ନିଜ ସ୍ୱଭାବେ ପୂର୍ଣ୍ଣକାମ । । ୧୯

ମୁକ୍ତି ସ୍ୱରୂପେ ବ୍ୟବସ୍ଥିତି । ଯହିଁ ନ ଘଟେ ପୁନର୍ଗତି । । ୨୦

ଆଭାସ ନିରୋଧ ଏ ଦୁଇ । ଯା ଠାରୁ ପ୍ରକାଶ ହୁଅଇ । । ୨୧

ଆଶ୍ରୟ ନାମ ସେ ବୋଲାଇ । ପରମ ବ୍ରହ୍ମ ଯାକୁ କହି । । ୨୨

ସେ ପରମାତ୍ମା ନରହରି । ଅଂଶେ ଅଶେଷଘଟେ ପୂରି । । ୨୩

ତାର ସକାଶୁ ଜୀବ ଏକ । ତେଣୁ ବୋଲାଇ ଆଧ୍ୟାତ୍ମିକ । । ୨୪

ସେ ଅଧିଦେବତା ବୋଲାଇ । ଅଧିଭୂତଙ୍କ ଆତ୍ମା ସେହି । । ୨୫

ଯେ ବେନି ବିଚ୍ଛେଦ କରଇ । ତାହାକୁ ଅଧିଭୂତ କହି । । ୨୬

ଅଭାବେ ଏକ ଏକତର । ଯଦି ନ ଲକ୍ଷେ ପରସ୍ପର । । ୨୭

ତେବେ ଏ ନୁହଁଇ ସଂସାର । ଯେମନ୍ତେ ଚକ୍ଷୁ ଦିନକର । । ୨୮

ତୃତୀୟେ ସାକ୍ଷୀରୂପ ହୋଇ । ଯେ ଦେଖେ ପରଆତ୍ମା ସେହି । । ୨୯

ଅନ୍ୟ ଆଶ୍ରୟ ସେ ହୁଅଇ । ତାର ଆଶ୍ରୟ ଅଟେ ସେହି । । ୩୦

ସର୍ବଆଶ୍ରୟ ତାର ନାମ । ପରମ ପୁରୁଷ ଉତ୍ତମ । । ୩୧

ସେ ଯେଉଁ କାଳେ ଅଣ୍ତଭେଦି । ବାହାର ହେଲା ଗୁଣନିଧି । । ୩୨

ଆତ୍ମାର ସ୍ଥାନ ଇଚ୍ଛା କରି । ସ୍ୱଭାବେ ଜଳସୃଷ୍ଟି କରି । । ୩୩

ସେ ଜଳ ମଧ୍ୟେ ମାୟାଧର । ବଞ୍ଚିଲା ସହସ୍ରବତ୍ସର । । ୩୪

ଜଳର ‘ନାରା’ ବୋଲି ନାମ । ତେଣୁ ତା ନାମ ନାରାୟଣ । । ୩୫

ଯେ ଦ୍ରବ୍ୟ ଗୁଣ କର୍ମ କାଳ । ସ୍ୱଭାବେ ଜୀବ ଏକମେଳ । । ୩୬

ଯା ଅନୁଗ୍ରହେ ଉପୁଜନ୍ତି । ଯାର ନିଗ୍ରହେ ଲୀନ ହୋନ୍ତି । । ୩୭

ଯେ ଯୋଗମାୟା ବଳେ ଉଠି । ଅଂଶେ କଳ୍ପଇ ନାନାସୃଷ୍ଟି । । ୩୮

ସୁବ‰ର୍ଣ୍ଣମୟ ତା ଶରୀର । ସର୍ଜିଲା ତ୍ରିବିଧ ପ୍ରକାର । । ୩୯

ଆଧିଦୈବତ ଆଧ୍ୟାତ୍ମିକ । ଆବର ଆଧିଭଉତିକ । । ୪୦

ଗୁଣ ପୌରୁଷ ବୀର୍ଯ୍ୟବଳେ । ଯଥା ତ୍ରିବିଧି ଭେଦ ହେଲେ । । ୪୧

ଅନ୍ତଃଶରୀର ଆକାଶରୁ । ପରମପୁରୁଷ ଚେଷ୍ଟାରୁ । । ୪୨

ସ୍ୱଭାବେ ଓଜ-ସହ-ବଳ । ଜାତ ହୋଇଲେ ଅନର୍ଗଳ । । ୪୩

ଏ ତିନିଭାବୁ ପ୍ରାଣ ଜାତ । ଦଶପ୍ରାଣଙ୍କ ମୂଳନାଥ । । ୪୪

ତାହାର ବଳେ ପ୍ରାଣ ଚଳେ । ଇନ୍ଦ୍ରିୟ ଚେଷ୍ଟାକୁ ସେ କରେ । । ୪୫

ଜ୍ଞାନ ଅଜ୍ଞାନ ଏହିମତେ । ଅଶେଷଜନ ଅନ୍ତର୍ଗତେ । । ୪୬

ରାଜାକୁ ଯେହ୍ନେ ଆଶ୍ରେ କରି । ସେବକେ ପଥ ଅନୁସରି । । ୪୭

ମୂଳକମଳୁ ଏହି ମତେ । ସଞ୍ରୁ ବ୍ରହ୍ମରନ୍ଧ୍ରପଥେ । । ୪୮

ପ୍ରାଣର ଆତଯାତ ଶ୍ରମେ । ଉପୁଜେ କ୍ଷୁଧାତୃଷା ସମେ । । ୪୯

କ୍ଷୁଧାତୃଷାର ମାର୍ଗ ସୁଖ । ଅର୍ଥେ ସୃଜିଲା ଅଗ୍ରେ ମୁଖ । । ୫୦

ମୁଖର ମୂଳେ ତାଳୁ ଜାତ । ସଂଯୋଗେ ରସନା ସମ୍ଭୂତ । । ୫୧

ତାର ସଂଯୋଗେ ନାନାରସେ । ବସନ୍ତି ବରୁଣ ବିଶ୍ୱାସେ । । ୫୨

ଶବଦ ଅର୍ଥେ ମୁଖଦ୍ୱାରେ । ଅଗ୍ନିଦେବତା ବାକ୍ୟ ଧରେ । । ୫୩

ସୁଚିରକାଳ ଥାଇ ଜଳେ । ନାସାବିମ୍ବର ବାୟୁବଳେ । । ୫୪

ଆଘ୍ରାଣ ଅର୍ଥେ ଉପୁଜିଲେ । ତକ୍ଷଣେ ଗନ୍ଧବହ ତୁଲେ । । ୫୫

ଆତ୍ମାର ଦେଖି ଅନ୍ଧକାର । ବ୍ରହ୍ମା ସୃଜିଲା ଚକ୍ଷୁଦ୍ୱାର । । ୫୬

ଜ୍ୟୋତି ସର୍ଜିଲା ତା ରକ୍ଷଣେ । ରୂପ-ଗ୍ରହଣ ଇଚ୍ଛି ମନେ । । ୫୭

ବେଦପୁରୁଷଙ୍କ ବଚନେ । ବିଧାତା ବେଦ ଅନୁମାନେ । । ୫୮

ଶୁଣିବା ଅର୍ଥେ ନାନାସ୍ୱନ । ନିର୍ମଳେ ପ୍ରକାଶିଲା କ‰ର୍ଣ୍ଣ । । ୫୯

ଦିଗ-ଦେବତାଙ୍କ ରକ୍ଷଣେ । ପ୍ରକାଶେ ଯେ ବାମେ ଦକ୍ଷିଣେ । । ୬୦

ବସ୍ତୁର କୋମଳ କଠିନ । ଲଘୁ କି ଅବା ଗୁରୁ ଗୁଣ । । ୬୧

ଶୀତଳ ଉଷ୍ମ ଯେଣେ ଜାଣି । ପବନ ଯୋଗେ ପରିମାଣି । । ୬୨

ସେ ଚର୍ମଇନ୍ଦ୍ରିଗୁଣେ ଭଜି । ଉପରେ ବହେ ରୋମରାଜି । । ୬୩

ଅଶେଷକର୍ମ କରିବାରେ । ପ୍ରକାଶ ହୃଦୟ ଉପରେ । । ୬୪

ବାମ ଦକ୍ଷିଣ ବେନିକର । ଯହିଁ ରକ୍ଷକ ସୁନାସୀର । । ୬୫

ଦାନ ଆଦାନ କର୍ମ ଆଦି । ଅର୍ଥେ ସର୍ଜିଲା ବେଦବାଦୀ । । ୬୬

ସୁଗମଗତି ଚିନ୍ତି ପୁଣ । ବିଧାତା ସର୍ଜିଲା ଚରଣ । । ୬୭

ସେ ବାମ-ଦକ୍ଷିଣ-ପଦର । ରକ୍ଷକ ହେଲେ ଯଜ୍ଞେଶ୍ୱର । । ୬୮

ସମସ୍ତ ହବ୍ୟ-କବ୍ୟ-ବିଧି । ଚରଣଯୁଗ ବଳେ ସାଧି । । ୬୯

ବେନିଚରଣ ମୂଳଦେଶେ । ଆନନ୍ଦେ ଶିଶ୍ନ ପରକାଶେ । । ୭୦

ସନ୍ତାନ-ଉତ୍ପତ୍ତି କାରଣେ । ରକ୍ଷକ ପ୍ରଜାପତିଗଣେ । । ୭୧

ଉଭୟ ଆନନ୍ଦର ଦ୍ୱାର । ଅନଙ୍ଗତୁଲେ ନିଶାକର । । ୭୨

ଉତ୍ସର୍ଗ ଅର୍ଥେ ବେଦବର । ତପେ ସୃଜିଲା ମଳଦ୍ୱାର । । ୭୩

ମିତ୍ର-ଦେବତାର ବିଷୟ । ଉଭୟ ଉତ୍ସର୍ଗ-ଆଶ୍ରୟ । । ୭୪

ଦେହରୁ ଦେହାନ୍ତର ଗତି । ଇଚ୍ଛାରୁ ନାଭି ଉତପତ୍ତି । । ୭୫

ନାଭିରେ ପ୍ରାଣ ଯେ ଅପାନ । ବିଯୋଗେ ହୁଅଇ ମରଣ । । ୭୬

ଅନ୍ନ ଭୋଜନ ପାନ ସଧେ । ନାଡ଼ି ସୃଜିଲା କୁକ୍ଷିମଧ୍ୟେ । । ୭୭

ନାଡ଼ୀରେ ନଦୀ ତୃଷା ବସେ । ଅନ୍ତ୍ରେ ସମୁଦ୍ର ରହେ ଗ୍ରାସେ । । ୭୮

ଉଭୟ ନିମିତ୍ତ ଏ ଦୁଇ । ଯେ ତୁଷ୍ଟି ପୁଷ୍ଟି ନାମ ବହି । । ୭୯

ଆତ୍ମମାୟାକୁ ଚିନ୍ତା କରି । ସତ୍ତ୍ବେ ହୃଦୟ ରୂପ ଧରି । । ୮୦

କାମ ସଙ୍କଳ୍ପ ଚନ୍ଦ୍ର ମନ । ହୃଦୟ ଏହାଙ୍କର ସ୍ଥାନ । । ୮୧

ହୃଦୟ ଆବୋରିବା ଆଶେ । ଅସ୍ଥି ସର୍ଜିଲା ପୃଷ୍ଠଦେଶେ । । ୮୨

ଅସ୍ଥି ଭିତରେ ମଜ୍ଜା କଲା । ଉପରେ ମେଦ ଭିଆଇଲା । । ୮୩

ତାର ଉପରେ ମାଂସ ଧରି । ରୁଧିର ଆବରଣ କରି । । ୮୪

ତାର ଉପରେ ଚର୍ମ-ରୋମ । ମଜ୍ଜାର ମଧ୍ୟେ ରହେ ବ୍ୟୋମ । । ୮୫

ଏମନ୍ତ କରି ସପ୍ତଧାତୁ । ପ୍ରାଣୀଜୀବନ ମୂଳହେତୁ । । ୮୬

ବାସ୍ତରି ସହସ୍ତ ଯେ ନାଡ଼ୀ । ହୃଦକମଳ ମଧ୍ୟେ ବେଢ଼ି । । ୮୭

ପ୍ରାଣ ରହଇ ତାଙ୍କ ମଧ୍ୟେ । ଅନ୍ତରେ ରସ-ମୂଳ ଭେଦେ । । ୮୮

ତ୍ରିଗୁଣାତ୍ମକ ଇନ୍ଦ୍ରିଗଣ । ଭୂତାଦି ପ୍ରଭବ ଯେ ଗୁଣ । । ୮୯

କଳ୍ପିତ ଅହଙ୍କାରେ ପୁଣ । ସର୍ବବିକାର ଆତ୍ମା ମନ । । ୯୦

ବୁଦ୍ଧି ବିଜ୍ଞାନ ସ୍ୱରୂପିଣୀ । ଯେଣେ ସଂସାରମାୟା ଜିଣି । । ୯୧

ଅବନୀ ଉଦକ ଅନଳ । ପବନ ଆକାଶ ମଣ୍ତଳ । । ୯୨

ଏ ପଞ୍ଚଭୂତ କଳେବର । ବିଷ୍ଣୁର ଭଜନ-ମନ୍ଦିର । । ୯୩

ଏମନ୍ତେ କହିଲି ମୁଁ ତୋତେ । ବିଷ୍ଣୁର ସ୍ଥୂଳରୂପ ଯେତେ । । ୯୪

ଏ ଜୀବ ବ୍ରହ୍ମାଣ୍ତ-ଧାରଣେ । ବେଷ୍ଟିତ ଅଷ୍ଟ-ଆବରଣେ । । ୯୫

ପୃଥିବୀ ଆଦି ପଞ୍ଚଭୂତ । ମନ ଅହଙ୍କାର ମହତ । । ୯୬

ଏ ଅଷ୍ଟଗୁଣେ ଆବରଣ । ଏମନ୍ତେ ବ୍ରହ୍ମାଣ୍ତ-ଘଟଣ । । ୯୭

ଏ ସ୍ଥୂଳରୂପ ଯେ ତାହାର । ଏହା ଉପରେ ସୂକ୍ଷ୍ମତର । । ୯୮

ସେ ନିର୍ବିକାର ନିରଞ୍ଜନ । ଅନାଦି-ମଧ୍ୟମ-ନିଧନ । । ୯୯

ସେ ଶୂନ୍ୟମଧ୍ୟେ ନିରାକାର । ମନ-ବଚନ-ଅଗୋଚର । । ୧୦୦

ଏ ସ୍ଥୂଳ-ସୂକ୍ଷ୍ମ ରୂପ ଧରି । ଖେଳଇ ଆତ୍ମମାୟା କରି । । ୧୦୧

ପଣ୍ତିତେ ନ ମାନନ୍ତି ଏହା । ସୃଷ୍ଟି-ସଂକଳ୍ପ ବିଷ୍ଣୁମାୟା । । ୧୦୨

ବାଚ୍ୟ-ବାଚକ ରୂପ ଧରି । ସେ ବ୍ରହ୍ମରୂପୀ ଅବତରି । । ୧୦୩

ସେ ରୂପ ନାମ କ୍ରିୟା ଧାତୁ । ଅକର୍ମା ହୋଇ କର୍ମହେତୁ । । ୧୦୪

ସର୍ବସଙ୍କଳ୍ପ କ୍ରିୟା ଅର୍ଥେ । ଶୁଣ କହିବା ଆର ଯେତେ । । ୧୦୫

ଆତ୍ମାକୁ ଭିନ୍ନଭିନ୍ନ କରି । ସେ ପ୍ରଜାପତି ରୂପ ଧରି । । ୧୦୬

ମନୁଙ୍କୁ ସର୍ଜିଲା ସେ ହେଳେ । ଋଷି ଦେବତା ପିତୃମେଳେ । । ୧୦୭

ସିଦ୍ଧ ଚାରଣ ବିଦ୍ୟାଧର । ଗନ୍ଧର୍ବ ଗୁହ୍ୟକ ଅସୁର । । ୧୦୮

କିନ୍ନର ଅପସରା ଗଣ । ନାଗ କିଂପୁରୁଷ ଯେ ପୁଣ । । ୧୦୯

ଯକ୍ଷ ଉରଗ ମାତୃଗଣ । ପିଶାଚ ଭୂତ ପ୍ରେତମାନ । । ୧୧୦

କୁଷ୍ମାଣ୍ତଗଣ ବିନାୟକ । ଉନ୍ମାଦ ବେତାଳ ଯେତେକ । । ୧୧୧

ଯେ ଯାତୁଧାନ ସରୀସୃପ । ଗ୍ରହ ମୃଗାଦି ଖଗ ରୂପ । । ୧୧୨

ବୃକ୍ଷ ପର୍ବତ ପଶୁଗଣ । ଏ ରୂପେ କଲେକ ସର୍ଜନ । । ୧୧୩

ଦ୍ୱିବିଧ ଚତୁର୍ବିଧ ଗଣେ । ଜଳେ ବା ସ୍ଥଳେ ବା ଗଗନେ । । ୧୧୪

ମିଶ୍ର କୁଶଳ ଅକୁଶଳ । ତିନି ପ୍ରକାରେ କର୍ମଫଳ । । ୧୧୫

ଏତେ ପ୍ରକାରେ କର୍ମଗତି । ଆତ୍ମାର ବଳେ ସେ ସର୍ଜନ୍ତି । । ୧୧୬

ଗୁଣ ପ୍ରଭେଦେ ତିନିଲୋକ । ଦେବ ଅସୁର ନରଲୋକ । । ୧୧୭

ସତ୍ତ୍ବଗୁଣରୁ ଦେବ ହୋଇ । ମନୁଷ୍ୟ ରଜଗୁଣ ବହି । । ୧୧୮

ତମଗୁଣରୁ ଅଧୋଗତି । ପାପିଷ୍ଠେ ଯହିଁ ବିଶ୍ରାମନ୍ତି । । ୧୧୯

ସେ ତିନିଲୋକେ ତିନିଗତି । ଭାବେ ସୃଜିଲା ପ୍ରଜାପତି । । ୧୨୦

ସେ ଗୁଣ ଚିତ୍ରପ୍ରାୟ ହୋଇ । ସ୍ୱଭାବେ ଭିନ୍ନଭିନ୍ନ ଦେହୀ । । ୧୨୧

ଏକ ଆରକେ ନ ଗଣିଲେ । ନିଶ୍ଚଳେ ରହି ନ ପାରିଲେ । । ୧୨୨

ତା ଦେଖି ପ୍ରଭୁ ନରହରି । ତକ୍ଷଣେ ଧର୍ମରୂପ ଧରି । । ୧୨୩

ବିଶ୍ୱକୁ ପାଳିବାର ଅର୍ଥେ । ଦେବ ମନୁଷ୍ୟ ପଶୁ ଯେତେ । । ୧୨୪

ଏ ତିନିରୂପେ ଭଗବାନ । ରକ୍ଷା-ପୋଷଣେ କରି ସ୍ଥାନ । । ୧୨୫

ସୁଖ ସମ୍ପଦ ଭୋଗ ଦେଇ । ଯେ ବିଧି ସଂସାରେ ବଢ଼ାଇ । । ୧୨୬

ସୃଷ୍ଟିର ଭୋଗଅନ୍ତେ ହରି । କାଳାଗ୍ନି-ରୁଦ୍ରରୂପ ଧରି । । ୧୨୭

ଆତ୍ମାର କ୍ରୀଡ଼ା ନାଶ କରେ । ବାଳକ ଯେସନେ ବେଭାରେ । । ୧୨୮

ସର୍ବ ହରଇ ଅବସାନେ । ଜୀମୂତ ଯେସନ ପବନେ । । ୧୨୯

ଏ ଭାବେ ହରିଗୁଣ ଯେତେ । ଦେବେ ଚିନ୍ତିବେ କାହିଁ ଚିତ୍ତେ । । ୧୩୦

କେବଳ ଭାବେ ତାଙ୍କୁ ଜାଣି । ଶ୍ରୁତିବଚନେ ତା ପ୍ରମାଣି । । ୧୩୧

ସୃଷ୍ଟିର ଜନ୍ମ ଆଦିକାଳେ । ଯେ କର୍ମସାଧେ ଯୋଗବଳେ । । ୧୩୨

ସ୍ୱଭାବେ କର୍ମ ଯାର ନାହିଁ । ମାୟାରେ ବିଶ୍ୱ ପ୍ରକାଶଇ । । ୧୩୩

ଏ ବ୍ରହ୍ମକଳ୍ପିତ ସଂସାର । ବିକଳ୍ପ ନାମଟି ଏହାର । । ୧୩୪

ଏ ନିତ୍ୟ ସାଧାରଣ ବିଧି । ଯେ ପୂର୍ବକଳ୍ପରୁ ପ୍ରସିଦ୍ଧି । । ୧୩୫

ପ୍ରାକୃତ ବୈକୃତ ସଂସାର । ମହତ-ସ୍ଥାନର ସଞ୍ଚାର । । ୧୩୬

ସଂକ୍ଷେପେ କହିଲଇଁ ତୋତେ । ତୁ ଯାହା ପଚାରିଲୁ ମୋତେ । । ୧୩୭

ଯେ କଳ୍ପ-ଲକ୍ଷଣ ଯେ ନାମ । ଯେ ବା କାଳର ପରିମାଣ । । ୧୩୮

ଭାବେ କହିବି କଳ୍ପଗୁଣ । ରାଜନ ସାବଧାନେ ଶୁଣ । । ୧୩୯

ଶୌନକ ଆଦି ମୁନିଗଣ । ସୂତଙ୍କୁ ପଚାରନ୍ତି ପୁଣ । । ୧୪୦

ଶୌନକ ଉବାଚ

ହେ ସୂତ ତୁମ୍ଭେ ଆମ୍ଭଆଗେ । ଯାହା କହିଲ ଆତ୍ମମାର୍ଗେ । । ୧୪୧

ଦୁର୍ଯ୍ୟୋଧନର ଦୁଷ୍ଟବାଣୀ । ବିଦୁର ସଭାମଧ୍ୟେ ଶୁଣି । । ୧୪୨

କୁଟୁମ୍ବ ଆଶା ଦୂରକରି । ତୀର୍ଥସେବନ ମନେ ଧରି । । ୧୪୩

ପୃଥିବୀ କଲା ପର୍ଯ୍ୟଟନ । ବୁଲି ପର୍ବତ ଘୋରବନ । । ୧୪୪

କୈବଲ୍ୟ ଲାଭେ ଇଚ୍ଛାକଲା । ଅନେକ ତୀର୍ଥ ସେ ଭ୍ରମିଲା । । ୧୪୫

ମୈତ୍ରେୟ ମୁନି ସଙ୍ଗେ ତାର । କାହିଁ ହୋଇଲା ଏକସ୍ୱର । । ୧୪୬

ବ୍ରହ୍ମସମ୍ବାଦ ବେନିଜନେ । କରି ବଞ୍ଚିଲେ କେଉଁସ୍ଥାନେ । । ୧୪୭

ବିଦୁର ପଚାରିଲେ ଯେତେ । ମୈତ୍ରେୟ ବୋଧିଲେ ଯେମନ୍ତେ । । ୧୪୮

ସେ ବନ୍ଧୁତ୍ୟାଗୀ କି ନିମନ୍ତେ । ପୁଣି ମିଳିଲେ ଇନ୍ଦ୍ରପ୍ରସ୍ଥେ । । ୧୪୯

ହେ ସୂତ କହ ସର୍ବକଥା । ଯେଣେ ଛାଡ଼ିବ ଭବବ୍ୟଥା । । ୧୫୦

ପଦ୍ମକଳ୍ପର କଥା କହ । ଯେଣେ ନ ଲାଗେ ଭବମୋହ । । ୧୫୧

ଶୌନକ ପ୍ରଶ୍ନ ସୂତ ଶୁଣି । କହନ୍ତି ଶୁଣ ମହାମୁନି । । ୧୫୨

ସୂତ ଉବାଚ

ଯେ ପ୍ରଶ୍ନ କଲ ତୁମ୍ଭେ ମୋତେ । ଏ ପ୍ରଶ୍ନ ଶୁକଙ୍କ ଅଗ୍ରତେ । । ୧୫୩

ପୁଚ୍ଛିଲେ ରାଜା ପରୀକ୍ଷିତ । ମୈତ୍ରେୟ-ବିଦୁର ଚରିତ । । ୧୫୪

ପରୀକ୍ଷ-ବାକ୍ୟ ଚିତ୍ତେ ଘେନି । ଯାହା କହିଲେ ଶୁକମୁନି । । ୧୫୫

ସେ ପ୍ରଶ୍ନ ଅନୁସାରେ ଯେତେ । ଶୁଣ କହିବା ଭାଗବତେ । । ୧୫୬

ସୂତ-ଶଉନକ ସମ୍ବାଦ । ଶୁଣନ୍ତେ ନ ଲାଗେ ପ୍ରମାଦ । । ୧୫୭

ଦ୍ୱିତୀୟସ୍କନ୍ଧେ ଭାଗବତ । ଅମୃତ-ରସମୟ-ଗୀତ । । ୧୫୮

ସୁଜନଜନଙ୍କର ହିତ । କହିଲା ଦାସ ଜଗନ୍ନାଥ । । ୧୫୯

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ଦ୍ୱିତୀୟସ୍କନ୍ଧେ ଅଷ୍ଟାଦଶସାହସ୍ର୍ୟାଂ ସଂହିତାୟାଂ

ପୁରୁଷସଂସ୍ଥାନୁବର୍ଣ୍ଣନଂ ନାମ ଦଶମୋଽଧ୍ୟାୟଃ ।।

* * *