ଦ୍ଵିତୀୟ ସ୍କନ୍ଧ
ଅଷ୍ଟମ ଅଧ୍ୟାୟ
ଶୁକଚରଣେ ଦେଇ ଚିତ୍ତ । ଆନନ୍ଦେ ବୋଲେ ପରୀକ୍ଷିତ । । ୧
ପରୀକ୍ଷିତ ଉବାଚ
ନାରଦ ଆଗେ ବ୍ରହ୍ମା ଯେତେ । ବିଷ୍ଣୁମହିମା ଭାଗବତେ । । ୨
କହିଲେ ଜନ ଉପକାରେ । ଯେ କଥା ଶୁଣି ପ୍ରାଣୀ ତରେ । । ୩
ଯେ ସ୍ଥାନେ ଯାହାକୁ ଯେ ଭାବେ । ମୁନି କହିଲେ ହରିଭାବେ । । ୪
ତାହା ଶ୍ରବଣେ ଇଚ୍ଛା ମୋର । ତୁମ୍ଭେ ତତ୍ତ୍ଵଜ୍ଞ ମଧ୍ୟେ ବର । । ୫
ହରିମହିମା ଅଗୋଚର । ଶ୍ରବଣ-ମଙ୍ଗଳ-ଉଚ୍ଚାର । । ୬
ସେ କଥା କହ ମୁନି ମୋତେ । ସେ ହରିଚରଣେ ଯେମନ୍ତେ । । ୭
ନିଶ୍ଚଳେ ମନ କରି ସ୍ଥିର । ଯେମନ୍ତେ ଛାଡ଼ିବି ଶରୀର । । ୮
ଶ୍ରଦ୍ଧାରେ ନିତ୍ୟେ ଯେବା ଶୁଣେ । ଯେ ହରିକଥା ମନେ ଗୁଣେ । । ୯
ମଙ୍ଗଳ-ନାମ-ଉଚ୍ଚାରଣ । ତାର ହୃଦୟେ ତତକ୍ଷଣ । । ୧୦
ଶ୍ରବଣମାର୍ଗେ ହରି ପଶେ । ହୃଦୟପଦ୍ମେ ସ୍ଥିରେ ବସେ । । ୧୧
ସର୍ବ ଦୁରିତ ହେଳେ ନାଶେ । ଶରଦ ଯେହ୍ନେ ବୃଷ୍ଟିଶେଷେ । । ୧୨
ଜଳୁ ହରଇ ମଳରାଶି । ସେ ଯେହ୍ନେ ନିର୍ମଳ ପ୍ରକାଶି । । ୧୩
ନିର୍ମଳ ଆତ୍ମା ତାର ହୋଇ । ସେ କୃଷ୍ଣ-ପାଦମୂଳେ ଥାଇ । । ୧୪
କେବେହେଁ ନୁହଇ ବାହାର । ମାୟା-ଭ୍ରମଣ ହୋଏ ଦୂର । । ୧୫
ପଥିକ ପଥଶ୍ରମ ପାଇ । ସେ ଯେହ୍ନେ ନିଜଗୃହେ ଯାଇ । । ୧୬
ଶ୍ରମ ପାଶୋରି ସୁଖେ ରହେ । ଗୃହସମ୍ପଦ-ଭୋଗେ ଦେହେ । । ୧୭
ଅଧାତୁମନ୍ତ-ଆତ୍ମା ହୋଏ । ଧାତୁଘଟଣ ଦେହ ବହେ । । ୧୮
ଜାଣୁ ତୁ କହ ଏ କେମନ୍ତେ । କି ବା ଏ କାଳକ୍ରମ ମତେ । । ୧୯
ଯାର ଉଦରୁ ପଦ୍ମ ହୋଇ । ଲୋକ-ସଂସ୍ଥାନ ପ୍ରକାଶଇ । । ୨୦
ଯା ରୂପ ନ ଜାଣନ୍ତି କେହି । ପ୍ରକାଶେ ଅବୟବ-ଦେହୀ । । ୨୧
ସେ ଯେବେ ଅବୟବୀ ହୋଇ । ଜୀବ ଈଶ୍ୱର ଭେଦ କାହିଁ । । ୨୨
ସ୍ୱଭାବେ ତାର ଜନ୍ମ ନାହିଁ । ଆତ୍ମାରୁ ପ୍ରାଣୀଙ୍କି ସୃଜଇ । । ୨୩
ବ୍ରହ୍ମା ଯେ ଭୂତଆତ୍ମା ହୋଏ । ସେ ପୁଣି ଯାର ଅନୁଗ୍ରହେବ । । ୨୪
ନାଭିକମଳୁ ହୋଇ ଜାତ । ତାହାକୁ ଦେଖେ ରୂପବନ୍ତ । । ୨୫
କାଳର ବଳେ ସେ ପୁରୁଷ । କରଇ ସୃଷ୍ଟି-ସ୍ଥିତି-ନାଶ । । ୨୬
ସକଳଭୂତେ ଯାର ବାସ । ସେ ଯେଉଁ ରୂପେଣ ପ୍ରକାଶ । । ୨୭
ଏ ଲୋକ ଲୋକପାଳ ସଙ୍ଗେ । ସର୍ବକଳ୍ପିତ ତାର ଅଙ୍ଗେ । । ୨୮
ଏ ଯେତେ ଚତୁର୍ଦ୍ଦଶ ପୁର । କଳ୍ପନା କରି ଅଙ୍ଗ ତାର । । ୨୯
ଏ ଭାବେ ଶୁଣିଲି ଯେ ମୁହିଁ । ଏବେ ତୁମ୍ଭଙ୍କୁ ପଚାରଇ । । ୩୦
କଳ୍ପ-ବିକଳ୍ପ ଯଥାକାଳେ । ସେ ବ୍ରହ୍ମ କରେ ଅବହେଳେ । । ୩୧
ସୃଷ୍ଟି-ପାଳଣ-ସଂହାରଣ । ଭୂତ-ଭବିଷ୍ୟ-ବର୍ତ୍ତମାନ । । ୩୨
କାଳର ଠାରୁ ଏ ଯେମନ୍ତେ । ଆୟୁ ପ୍ରମାଣ କାର କେତେ । । ୩୩
କାଳର ଯେବା ଅନୁଗତି । ଅଳ୍ପ ବହୁତ ସଂଖ୍ୟା ସ୍ଥିତି । । ୩୪
କର୍ମର ଗତି ଅବା ଯେତେ । ଯେ ହେତୁ ପ୍ରକାଶ ଯେମନ୍ତେ । । ୩୫
ଗୁଣଙ୍କ ପରିଣାମେ କେବା । ଦେବାଦି-ରୂପ ଇଚ୍ଛେ ଯେବା । । ୩୬
କି କର୍ମ କରି ଯହିଁ ତହିଁ । କି ଭାବେ ଜୀବ ତା ଭୁଞ୍ଜଇ । । ୩୭
ଭୂମି ପାତାଳ ଦଶଦିଶ । ଯେ ରୂପେ ସମ୍ଭବେ ଆକାଶ । । ୩୮
ଗ୍ରହ ନକ୍ଷତ୍ର ମହୀଧର । ନଦୀ ସମୁଦ୍ର ଦ୍ୱୀପପାର । । ୩୯
ଏଥି ଆଶ୍ରିତ ଜନ୍ତୁ ଯେତେ । ବ୍ରହ୍ମା ପ୍ରମାଣ ବା କେତେ । । ୪୦
ବାହ୍ୟ ଅନ୍ତରେ ବସ୍ତୁ ଯେତେ । ସଂକ୍ଷେପି କହ ମୋ ଅଗ୍ରତେ । । ୪୧
ମହାନ୍ତଜନ-ଆଚରଣ । ଯେ ବର୍ଣ୍ଣବିଭାଗ ଆଶ୍ରମ । । ୪୨
ଏ ଅଣ୍ତକୋଷ ମଧ୍ୟଗତେ । ବିଷ୍ଣୁର ଅବତାର ଯେତେ । । ୪୩
ଯୁଗାନୁଯୁଗେ ଯୁଗମାନ । ଯେ ଯୁଗେ ଯେବା ଧର୍ମଜ୍ଞାନ । । ୪୪
ମନୁଷ୍ୟ ସାଧାରଣଧର୍ମ । ଯେବା ବିଶେଷ ଯଥାକ୍ରମ । । ୪୫
ବ୍ରହ୍ମଋଷିଙ୍କ ଧର୍ମ ଆଦି । ଯା ରାଜଋଷି ଏ ସମ୍ପାଦି । । ୪୬
ଆପଦେ ଧର୍ମ ପ୍ରାଣୀଙ୍କର । ଏ ସର୍ବ କହ ମୁନିବର । । ୪୭
ସଂଖ୍ୟା-ଲକ୍ଷଣ ତତ୍ତ୍ଵଙ୍କର । କି ରୂପେ ହେତୁ କେ କାହାର । । ୪୮
ପୁରୁଷ-ଆରାଧନା-ବିଧି । ଅଷ୍ଟାଙ୍ଗଯୋଗ ଯେହ୍ନେ ସାଧି । । ୪୯
ଯୋଗେଶ୍ୱରଙ୍କ ଗତି ଯେତେ । ଲିଙ୍ଗଭଗନ ମୋକ୍ଷପଥେ । । ୫୦
ଯେ ଧର୍ମ ବେଦ-ଉପବେଦେ । ପୁରାଣ-ଇତିହାସବାଦେ । । ୫୧
ସର୍ବଭୂତଙ୍କ ଯେ ସମ୍ଭବ । ବିକ୍ରମ ସଙ୍କ୍ରମ ପ୍ରସ୍ତାବ । । ୫୨
ଯେ ଇଷ୍ଟ ବଇଦିକର୍ମ । ଯେ ଅବା ସ୍ମାର୍ତ୍ତକର୍ମ -ଧର୍ମ । । ୫୩
ଯେ ବିଧିଯଜ୍ଞ ଜଳଦାନେ । ଯେ କର୍ମ ତ୍ରିବର୍ଗସାଧନେ । । ୫୪
ଯେ ରୂପେ ଜୀବ ସମ୍ଭବନ୍ତି । ଯେ ରୂପେ ପାଷାଣ୍ତ ହୁଅନ୍ତି । । ୫୫
ଆତ୍ମାର ବନ୍ଧ-ମୋକ୍ଷ ଦୁଇ । ଯେବା ସ୍ୱରୂପେ ଯେହ୍ନେ ହୋଇ । । ୫୬
ସେ ଆତ୍ମତନ୍ତ୍ର ଭାବଗ୍ରାହୀ । ଆତ୍ମମାୟାରେ ସେ କ୍ରୀଡ଼ଇ । । ୫୭
ସେ ମାୟା ବିସର୍ଜି ଯେମନ୍ତେ । ପ୍ରଳୟେ ରହେ ସାକ୍ଷୀମତେ । । ୫୮
ଭୋ ମୁନି ପଚାରିଲି ଯେତେ । ସଂକ୍ଷେପି କହିବାକ ମୋତେ । । ୫୯
ତୁ ଯେ ବ୍ରହ୍ମାର ସମ ମୁନି । ଏ ବିଶ୍ୱସଂସାର ପ୍ରମାଣି । । ୬୦
ପୁଣ୍ୟପୁରୁଷେ ଯାହା ଚିନ୍ତି । ଅପରେ ଯାହା ଆଚରନ୍ତି । । ୬୧
ଆହାରହୀନେ ମୋର ପ୍ରାଣ । କେବେହେଁ ନୋହିବ ମଳିନ । । ୬୨
ତୁମ୍ଭ ବଚନୁ ହରିରସ । ପିବନ୍ତେ ମନ ହେବ ତୋଷ । । ୬୩
ସୂତ କହନ୍ତି ଅନୁରାଗେ । ଶୌନକଆଦି ମୁନି ଆଗେ । । ୬୪
ସୂତ ଉବାଚ
ଏମନ୍ତେ ପରୀକ୍ଷିତବାଣୀ । ହରଷେ ଶୁକମୁନି ଶୁଣି । । ୬୫
ମୁନିଜନଙ୍କ ସମାମଧ୍ୟେ । ଯେ ଅବା କହିଲେ ଆନନ୍ଦେ । । ୬୬
ସେ ଭାଗବତ ହରିଗୁଣ । ବ୍ରହ୍ମସମ୍ମତ ଯେ ପୁରାଣ । । ୬୭
ଯେ କଥା ବ୍ରହ୍ମାର ଅଗ୍ରତେ । ସେ ବ୍ରହ୍ମକଳ୍ପ-ଉପଗତେ । । ୬୮
ଏକାନ୍ତେ କହିଲେ ମୁରାରି । ବିଶ୍ୱସଂସାରେ ଦୟାକରି । । ୬୯
ପାଣ୍ତବଶ୍ରେଷ୍ଠ ପରୀକ୍ଷିତ । ଯେ ପ୍ରଶ୍ନ କଲେକ ଉକତ । । ୭୦
ସେ କଥା ଆଦି ମଧ୍ୟ ଅନ୍ତେ । କହିବି ତୁମ୍ଭର ଅଗ୍ରତେ । । ୭୧
ବୋଲଇ ଦାସ ଜଗନ୍ନାଥ । ଦ୍ୱିତୀୟସ୍କନ୍ଧେ ଭାଗବତ । । ୭୨
ଅମୃତ-ରସମୟ-ଗୀତେ । ସୁଜନଜନଙ୍କର ହିତେ । । ୭୩
ପ୍ରାକୃତବନ୍ଧେ ଗୀତବାଣୀ । ଶୁଣି ସଂସାରୁ ତର ପ୍ରାଣୀ । । ୭୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦ୍ୱିତୀୟସ୍କନ୍ଧେ ପ୍ରଶ୍ନବିଧିର୍ନାମାଷ୍ଟମୋଽଧ୍ୟାୟଃ ।।
* * *