ଦ୍ଵିତୀୟ ସ୍କନ୍ଧ

ଅଷ୍ଟମ ଅଧ୍ୟାୟ

ଶୁକଚରଣେ ଦେଇ ଚିତ୍ତ । ଆନନ୍ଦେ ବୋଲେ ପରୀକ୍ଷିତ । ।

ପରୀକ୍ଷିତ ଉବାଚ

ନାରଦ ଆଗେ ବ୍ରହ୍ମା ଯେତେ । ବିଷ୍ଣୁମହିମା ଭାଗବତେ । ।

କହିଲେ ଜନ ଉପକାରେ । ଯେ କଥା ଶୁଣି ପ୍ରାଣୀ ତରେ । ।

ଯେ ସ୍ଥାନେ ଯାହାକୁ ଯେ ଭାବେ । ମୁନି କହିଲେ ହରିଭାବେ । ।

ତାହା ଶ୍ରବଣେ ଇଚ୍ଛା ମୋର । ତୁମ୍ଭେ ତତ୍ତ୍ଵଜ୍ଞ ମଧ୍ୟେ ବର । ।

ହରିମହିମା ଅଗୋଚର । ଶ୍ରବଣ-ମଙ୍ଗଳ-ଉଚ୍ଚାର । ।

ସେ କଥା କହ ମୁନି ମୋତେ । ସେ ହରିଚରଣେ ଯେମନ୍ତେ । ।

ନିଶ୍ଚଳେ ମନ କରି ସ୍ଥିର । ଯେମନ୍ତେ ଛାଡ଼ିବି ଶରୀର । ।

ଶ୍ରଦ୍ଧାରେ ନିତ୍ୟେ ଯେବା ଶୁଣେ । ଯେ ହରିକଥା ମନେ ଗୁଣେ । ।

ମଙ୍ଗଳ-ନାମ-ଉଚ୍ଚାରଣ । ତାର ହୃଦୟେ ତତକ୍ଷଣ । । ୧୦

ଶ୍ରବଣମାର୍ଗେ ହରି ପଶେ । ହୃଦୟପଦ୍ମେ ସ୍ଥିରେ ବସେ । । ୧୧

ସର୍ବ ଦୁରିତ ହେଳେ ନାଶେ । ଶରଦ ଯେହ୍ନେ ବୃଷ୍ଟିଶେଷେ । । ୧୨

ଜଳୁ ହରଇ ମଳରାଶି । ସେ ଯେହ୍ନେ ନିର୍ମଳ ପ୍ରକାଶି । । ୧୩

ନିର୍ମଳ ଆତ୍ମା ତାର ହୋଇ । ସେ କୃଷ୍ଣ-ପାଦମୂଳେ ଥାଇ । । ୧୪

କେବେହେଁ ନୁହଇ ବାହାର । ମାୟା-ଭ୍ରମଣ ହୋଏ ଦୂର । । ୧୫

ପଥିକ ପଥଶ୍ରମ ପାଇ । ସେ ଯେହ୍ନେ ନିଜଗୃହେ ଯାଇ । । ୧୬

ଶ୍ରମ ପାଶୋରି ସୁଖେ ରହେ । ଗୃହସମ୍ପଦ-ଭୋଗେ ଦେହେ । । ୧୭

ଅଧାତୁମନ୍ତ-ଆତ୍ମା ହୋଏ । ଧାତୁଘଟଣ ଦେହ ବହେ । । ୧୮

ଜାଣୁ ତୁ କହ ଏ କେମନ୍ତେ । କି ବା ଏ କାଳକ୍ରମ ମତେ । । ୧୯

ଯାର ଉଦରୁ ପଦ୍ମ ହୋଇ । ଲୋକ-ସଂସ୍ଥାନ ପ୍ରକାଶଇ । । ୨୦

ଯା ରୂପ ନ ଜାଣନ୍ତି କେହି । ପ୍ରକାଶେ ଅବୟବ-ଦେହୀ । । ୨୧

ସେ ଯେବେ ଅବୟବୀ ହୋଇ । ଜୀବ ଈଶ୍ୱର ଭେଦ କାହିଁ । । ୨୨

ସ୍ୱଭାବେ ତାର ଜନ୍ମ ନାହିଁ । ଆତ୍ମାରୁ ପ୍ରାଣୀଙ୍କି ସୃଜଇ । । ୨୩

ବ୍ରହ୍ମା ଯେ ଭୂତଆତ୍ମା ହୋଏ । ସେ ପୁଣି ଯାର ଅନୁଗ୍ରହେବ । । ୨୪

ନାଭିକମଳୁ ହୋଇ ଜାତ । ତାହାକୁ ଦେଖେ ରୂପବନ୍ତ । । ୨୫

କାଳର ବଳେ ସେ ପୁରୁଷ । କରଇ ସୃଷ୍ଟି-ସ୍ଥିତି-ନାଶ । । ୨୬

ସକଳଭୂତେ ଯାର ବାସ । ସେ ଯେଉଁ ରୂପେଣ ପ୍ରକାଶ । । ୨୭

ଏ ଲୋକ ଲୋକପାଳ ସଙ୍ଗେ । ସର୍ବକଳ୍ପିତ ତାର ଅଙ୍ଗେ । । ୨୮

ଏ ଯେତେ ଚତୁŸର୍ଦ୍ଦଶ ପୁର । କଳ୍ପନା କରି ଅଙ୍ଗ ତାର । । ୨୯

ଏ ଭାବେ ଶୁଣିଲି ଯେ ମୁହିଁ । ଏବେ ତୁମ୍ଭଙ୍କୁ ପଚାରଇ । । ୩୦

କଳ୍ପ-ବିକଳ୍ପ ଯଥାକାଳେ । ସେ ବ୍ରହ୍ମ କରେ ଅବହେଳେ । । ୩୧

ସୃଷ୍ଟି-ପାଳଣ-ସଂହାରଣ । ଭୂତ-ଭବିଷ୍ୟ-ବର୍ତ୍ତମାନ । । ୩୨

କାଳର ଠାରୁ ଏ ଯେମନ୍ତେ । ଆୟୁ ପ୍ରମାଣ କାର କେତେ । । ୩୩

କାଳର ଯେବା ଅନୁଗତି । ଅଳ୍ପ ବହୁତ ସଂଖ୍ୟା ସ୍ଥିତି । । ୩୪

କର୍ମର ଗତି ଅବା ଯେତେ । ଯେ ହେତୁ ପ୍ରକାଶ ଯେମନ୍ତେ । । ୩୫

ଗୁଣଙ୍କ ପରିଣାମେ କେବା । ଦେବାଦି-ରୂପ ଇଚ୍ଛେ ଯେବା । । ୩୬

କି କର୍ମ କରି ଯହିଁ ତହିଁ । କି ଭାବେ ଜୀବ ତା ଭୁଞ୍ଜଇ । । ୩୭

ଭୂମି ପାତାଳ ଦଶଦିଶ । ଯେ ରୂପେ ସମ୍ଭବେ ଆକାଶ । । ୩୮

ଗ୍ରହ ନକ୍ଷତ୍ର ମହୀଧର । ନଦୀ ସମୁଦ୍ର ଦ୍ୱୀପପାର । । ୩୯

ଏଥି ଆଶ୍ରିତ ଜନ୍ତୁ ଯେତେ । ବ୍ରହ୍ମା ପ୍ରମାଣ ବା କେତେ । । ୪୦

ବାହ୍ୟ ଅନ୍ତରେ ବସ୍ତୁ ଯେତେ । ସଂକ୍ଷେପି କହ ମୋ ଅଗ୍ରତେ । । ୪୧

ମହାନ୍ତଜନ-ଆଚରଣ । ଯେ ବର୍ଣ୍ଣବିଭାଗ ଆଶ୍ରମ । । ୪୨

ଏ ଅଣ୍ତକୋଷ ମଧ୍ୟଗତେ । ବିଷ୍ଣୁର ଅବତାର ଯେତେ । । ୪୩

ଯୁଗାନୁଯୁଗେ ଯୁଗମାନ । ଯେ ଯୁଗେ ଯେବା ଧର୍ମଜ୍ଞାନ । । ୪୪

ମନୁଷ୍ୟ ସାଧାରଣଧର୍ମ । ଯେବା ବିଶେଷ ଯଥାକ୍ରମ । । ୪୫

ବ୍ରହ୍ମଋଷିଙ୍କ ଧର୍ମ ଆଦି । ଯା ରାଜଋଷି ଏ ସମ୍ପାଦି । । ୪୬

ଆପଦେ ଧର୍ମ ପ୍ରାଣୀଙ୍କର । ଏ ସର୍ବ କହ ମୁନିବର । । ୪୭

ସଂଖ୍ୟା-ଲକ୍ଷଣ ତତ୍ତ୍ଵଙ୍କର । କି ରୂପେ ହେତୁ କେ କାହାର । । ୪୮

ପୁରୁଷ-ଆରାଧନା-ବିଧି । ଅଷ୍ଟାଙ୍ଗଯୋଗ ଯେହ୍ନେ ସାଧି । । ୪୯

ଯୋଗେଶ୍ୱରଙ୍କ ଗତି ଯେତେ । ଲିଙ୍ଗଭଗନ ମୋକ୍ଷପଥେ । । ୫୦

ଯେ ଧର୍ମ ବେଦ-ଉପବେଦେ । ପୁରାଣ-ଇତିହାସବାଦେ । । ୫୧

ସର୍ବଭୂତଙ୍କ ଯେ ସମ୍ଭବ । ବିକ୍ରମ ସଙ୍କ୍ରମ ପ୍ରସ୍ତାବ । । ୫୨

ଯେ ଇଷ୍ଟ ବଇଦିକର୍ମ । ଯେ ଅବା ସ୍ମାର୍ତ୍ତକର୍ମ -ଧର୍ମ । । ୫୩

ଯେ ବିଧିଯଜ୍ଞ ଜଳଦାନେ । ଯେ କର୍ମ ତ୍ରିବର୍ଗସାଧନେ । । ୫୪

ଯେ ରୂପେ ଜୀବ ସମ୍ଭବନ୍ତି । ଯେ ରୂପେ ପାଷାଣ୍ତ ହୁଅନ୍ତି । । ୫୫

ଆତ୍ମାର ବନ୍ଧ-ମୋକ୍ଷ ଦୁଇ । ଯେବା ସ୍ୱରୂପେ ଯେହ୍ନେ ହୋଇ । । ୫୬

ସେ ଆତ୍ମତନ୍ତ୍ର ଭାବଗ୍ରାହୀ । ଆତ୍ମମାୟାରେ ସେ କ୍ରୀଡ଼ଇ । । ୫୭

ସେ ମାୟା ବିସର୍ଜି ଯେମନ୍ତେ । ପ୍ରଳୟେ ରହେ ସାକ୍ଷୀମତେ । । ୫୮

ଭୋ ମୁନି ପଚାରିଲି ଯେତେ । ସଂକ୍ଷେପି କହିବାକ ମୋତେ । । ୫୯

ତୁ ଯେ ବ୍ରହ୍ମାର ସମ ମୁନି । ଏ ବିଶ୍ୱସଂସାର ପ୍ରମାଣି । । ୬୦

ପୁଣ୍ୟପୁରୁଷେ ଯାହା ଚିନ୍ତି । ଅପରେ ଯାହା ଆଚରନ୍ତି । । ୬୧

ଆହାରହୀନେ ମୋର ପ୍ରାଣ । କେବେହେଁ ନୋହିବ ମଳିନ । । ୬୨

ତୁମ୍ଭ ବଚନୁ ହରିରସ । ପିବନ୍ତେ ମନ ହେବ ତୋଷ । । ୬୩

ସୂତ କହନ୍ତି ଅନୁରାଗେ । ଶୌନକଆଦି ମୁନି ଆଗେ । । ୬୪

ସୂତ ଉବାଚ

ଏମନ୍ତେ ପରୀକ୍ଷିତବାଣୀ । ହରଷେ ଶୁକମୁନି ଶୁଣି । । ୬୫

ମୁନିଜନଙ୍କ ସମାମଧ୍ୟେ । ଯେ ଅବା କହିଲେ ଆନନ୍ଦେ । । ୬୬

ସେ ଭାଗବତ ହରିଗୁଣ । ବ୍ରହ୍ମସମ୍ମତ ଯେ ପୁରାଣ । । ୬୭

ଯେ କଥା ବ୍ରହ୍ମାର ଅଗ୍ରତେ । ସେ ବ୍ରହ୍ମକଳ୍ପ-ଉପଗତେ । । ୬୮

ଏକାନ୍ତେ କହିଲେ ମୁରାରି । ବିଶ୍ୱସଂସାରେ ଦୟାକରି । । ୬୯

ପାଣ୍ତବଶ୍ରେଷ୍ଠ ପରୀକ୍ଷିତ । ଯେ ପ୍ରଶ୍ନ କଲେକ ଉକତ । । ୭୦

ସେ କଥା ଆଦି ମଧ୍ୟ ଅନ୍ତେ । କହିବି ତୁମ୍ଭର ଅଗ୍ରତେ । । ୭୧

ବୋଲଇ ଦାସ ଜଗନ୍ନାଥ । ଦ୍ୱିତୀୟସ୍କନ୍ଧେ ଭାଗବତ । । ୭୨

ଅମୃତ-ରସମୟ-ଗୀତେ । ସୁଜନଜନଙ୍କର ହିତେ । । ୭୩

ପ୍ରାକୃତବନ୍ଧେ ଗୀତବାଣୀ । ଶୁଣି ସଂସାରୁ ତର ପ୍ରାଣୀ । । ୭୪

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦ୍ୱିତୀୟସ୍କନ୍ଧେ ପ୍ରଶ୍ନବିଧିର୍ନାମାଷ୍ଟମୋଽଧ୍ୟାୟଃ ।।

* * *