ଦ୍ଵିତୀୟ ସ୍କନ୍ଧ
ସପ୍ତମ ଅଧ୍ୟାୟ
ବ୍ରହ୍ମା ଉବାଚ
ଶୁଣ ନାରଦ ମୁନିବର । ଭବିଷ୍ୟ ଲୀଳା ଅବତାର । । ୧
ଅଶେଷଜନଙ୍କର ହିତେ । ଶୁଣ କହିବା ତୋ ଅଗ୍ରତେ । । ୨
ପଦ୍ମକଳ୍ପର ଅନ୍ତେ ହରି । ଶୂକରରୂପେ ଅବତରି । । ୩
ସେ ସର୍ବ ଯଜ୍ଞମୟ ଗାତ୍ରେ । ଧରଣୀ ଉଦ୍ଧରିବା ଅର୍ଥେ । । ୪
ଆଦିଅସୁର ଅବତାର । ପ୍ରଚଣ୍ତ ହିରଣ୍ୟାକ୍ଷ ବୀର । । ୫
ତାହାକୁ ମହାର୍ଣ୍ଣବ-ଜଳେ । ଦନ୍ତେ ବିଦାରିଲେ ପାତାଳେ । । ୬
ବଜ୍ରେ ଯେସନେ ବଜ୍ରଧର । ହେଳେ ବିଦାରେ ମହୀଧର । । ୭
ସେ ପୁଣି ରୁଚିଋଷି ଘରେ । ଜନ୍ମିଲେ ଆକୂତି ଉଦରେ । । ୮
ସେ ଯଜ୍ଞରୂପ ନରହରି । ଦକ୍ଷିଣା ଗର୍ଭେ ବିଜେକରି । । ୯
ସର୍ବଦେବଙ୍କୁ ଜାତ କଲେ । ତ୍ରୈଲୋକ୍ୟ-ଭୟ ନିବାରିଲେ । । ୧୦
ମନୁ ଯେ ବ୍ରହ୍ମାର ନନ୍ଦନ । ହରଷେ ଦେଲେ ହରି ନାମ । । ୧୧
କର୍ଦ୍ଦମଋଷି ଗୃହେ ପୂର୍ବେ । ଜନ୍ମିଲେ ଦେବହୂତି ଗର୍ଭେ । । ୧୨
ତାଙ୍କ ସଙ୍ଗତେ ନବନାରୀ । ଜନ୍ମିଲେ ଦିବ୍ୟରୂପ ଧରି । । ୧୩
ସେ ଜନ୍ମେ ଜନନୀର ଦୁଃଖ । ଦେଖି ସଦୟ ପଦ୍ମମୁଖ । । ୧୪
ଆତ୍ମାର ଗତି ମାତାଆଗେ । କହିଲେ ତତ୍ତ୍ଵ-ଅନୁରାଗେ । । ୧୫
ସେ ତତ୍ତ୍ବେ ଆତ୍ମା-ଗୁଣ-ଦୋଷ । ସେ ଦେବହୂତି କଲେ ନାଶ । । ୧୬
ତାହାଙ୍କୁ ମାୟାରୁ ଉଦ୍ଧରି । କପିଳରୂପେ ତପ କରି । । ୧୭
ଅତ୍ରିର ତପ ଦେଖି ତୋଷେ । ତକ୍ଷଣେ ମିଳି ତାର ପାଶେ । । ୧୮
ବୋଇଲେ ତୋତେ ଦେଲି ବର । ହୋଇବି ତୋହର କୁମର । । ୧୯
ଦତ୍ତ-ବଚନେ ଦତ୍ତ ନାମ । ସୁନ୍ଦରେ ସମ ନୋହେ କାମ । । ୨୦
ଧରଣୀ ପର୍ଯ୍ୟଟନ କଲେ । ଅନେକ ତପ ଆଚରିଲେ । । ୨୧
ହୈହୟ ଯଦୁ ଆଦି ରାଜା । ଯାର ଚରଣେ କରି ପୂଜା । । ୨୨
ଯୋଗ-ସମାଧି ସମ୍ପାଦିଲେ । ଜନ୍ମ-ମରଣୁ ନିସ୍ତରିଲେ । । ୨୩
ସୃଷ୍ଟି-ସୃଜନେ ମନ କରି । ଆଦ୍ୟେ ମୁଁ ତପ ଯେ ଆଚରି । । ୨୪
ତପର ବଳେ ଭଗବାନ । ଜାତ ହୋଇଲେ ଚତୁଃସନ । । ୨୫
ଯେ ଯୋଗ ପୂର୍ବକାଳେ ଥିଲା । କଳ୍ପ-ପ୍ରଳୟେ ନାଶ ଗଲା । । ୨୬
ତାହା ଉଦ୍ଧରି ଯୋଗବଳେ । ଧର୍ମ ରଖିଲେ ମହୀତଳେ । । ୨୭
ଦକ୍ଷକୁମାରୀ ଗର୍ଭେ ହରି । ଧର୍ମର ବୀର୍ଯ୍ୟେ ଅବତରି । । ୨୮
ସେ ଦକ୍ଷକନ୍ୟା ମୂର୍ତ୍ତି ନାମ । ସର୍ବସୁନ୍ଦର ଅନୁପମ । । ୨୯
ତାର ଉଦରୁ ପୂର୍ବକଳ୍ପେ । ଜନ୍ମିଲେ ନାରାୟଣ ରୂପେ । । ୩୦
ନର ସ୍ୱରୂପ ନର ନାମ । ସର୍ବସୁନ୍ଦର ପୁଣ୍ୟଧାମ । । ୩୧
ନିଶ୍ଚଳ ତପ ଯୋଗଧ୍ୟାନେ । ବସିଲେ ବଦରିକାଶ୍ରମେ । । ୩୨
ଅତି ଦୁଃସହ ତପ ଘୋରେ । ଇନ୍ଦ୍ର କମ୍ପିଲା ସ୍ୱର୍ଗପୁରେ । । ୩୩
ତକ୍ଷଣେ ଅପସରା ଗଣେ । ମିଳିଲେ ବଦରିକା ବନେ । । ୩୪
ଦିବ୍ୟ ସୁବେଶେ ନାନାରଙ୍ଗେ । ଆସି ମିଳିଲେ ତପଭଙ୍ଗେ । । ୩୫
ଡୋଳେ ଉର୍ବଶୀ ରୂପ ଦେଖି । ଲାଜେ ହୋଇଲେ ଅଧୋମୁଖୀ । । ୩୬
କୋପନୟନେ ମୁନିଜନ । କାମକୁ କରନ୍ତି ଦହନ । । ୩୭
କୋପକୁ ନ ପାରନ୍ତି ଦହି । କୋପ ପ୍ରବେଶ ଯହିଁ ନାହିଁ । । ୩୮
କାହୁଁ କରିବେ ତପ ନାଶ । ବାହୁଡ଼ି ହୋଇଲେ ନିରାଶ । । ୩୯
ଉତ୍ତାନପାଦ ରାଜା କୋଳେ । ଧ୍ରୁବବାଳକ ରସଭୋଳେ । । ୪୦
ବସିବ ବୋଲି ବିଚାରିଲା । ମାତା-ସପତ୍ନୀ ଝିଙ୍ଗାସିଲା । । ୪୧
ସେ ନିଜ ଜନନୀ ବଚନେ । ଅରଣ୍ୟେ ଗଲା ଦୁଃଖମନେ । । ୪୨
ଅତି କଠୋର ତପ କଲା । ତାକୁ ଯେ ଧ୍ରୁବପଦ ଦେଲା । । ୪୩
ମୁନିଏ ଉର୍ଦ୍ଧ୍ୱେ ତଳେ ଥାଇ । ଧ୍ରୁବ ତପସ୍ୟାଫଳ ଚାହିଁ । । ୪୪
ସ୍ତୁତି କରନ୍ତି ତାର ତପେ । ଜନନୀ ଦେଖି ତା ସମୀପେ । । ୪୫
ବେଣ ଯେ ସତ୍ୟଯୁଗେ ରାଜା । ଅଧର୍ମେ ପାଳେ ଜନପ୍ରଜା । । ୪୬
ହରିଙ୍କି ନ ସ୍ଥାପନ୍ତେ ଭଲେ । ବ୍ରାହ୍ମଣେ ଶାପେ ନାଶ କଲେ । । ୪୭
ରାଜା-ମାରଣେ ଅରାଜକେ । ପ୍ରଜା ଦୁଃଖିତ ଅତିରେକେ । । ୪୮
ତା ଦେଖି ଦ୍ୱିଜେ ସ୍ତୁତି କରି । ତକ୍ଷଣେ ପୃଥୁରୂପ ଧରି । । ୪୯
ହରି ଜନ୍ମିଲେ ରାଜକୁଳେ । ଭୂମିକି ଦୁହିଁ ବାହୁବଳେ । । ୫୦
ପ୍ରଜାଙ୍କୁ ଶସ୍ୟବୀଜ ଦେଲେ । ଅନ୍ନସଙ୍କଟୁ ଉଦ୍ଧରିଲେ । । ୫୧
ନାଭିର ବୀର୍ଯ୍ୟେ ସେ ଋଷଭ । ସୁଦେବୀ ଉଦରେ ସମ୍ଭବ । । ୫୨
କପଟେ ଜଡ଼ରୂପ ଧରି । ସକଳ ଯୋଗ ସାଧ୍ୟ କରି । । ୫୩
ପରମହଂସ ମୁନିଗଣେ । ନମନ୍ତି ଯାହାର ଚରଣେ । । ୫୪
ସେ ସ୍ୱଚ୍ଛ ଶାନ୍ତ ଅନୁଗତ । ଅଶେଷସଙ୍ଗରୁ ବିମୁକ୍ତ । । ୫୫
ପୁଣି ମୋହର ଯଜ୍ଞକାଳେ । ମନ୍ତ୍ରେ ଉପୁଜିଲା ଅନଳେ । । ୫୬
ନର-ଶରୀର ଅଶ୍ୱଶିର । ସୁବର୍ଣ୍ଣବର୍ଣ୍ଣ ଜଟାଭାର । । ୫୭
ସକଳ ବେଦ ଯଜ୍ଞମୟ । ଅଖିଳ-ଆତ୍ମା ନିଜ ଦେହ । । ୫୮
ତାର ନିଃଶ୍ୱାସୁ ବେଦ ତିନି । ଜନ୍ମିଲେ କର୍ମକାଣ୍ତ ଘେନି । । ୫୯
ଯୁଗାନ୍ତକାଳେ ମହାଜଳେ । ରାଜାର ତର୍ପଣର କାଳେ । । ୬୦
ରାଜା ତାରଣେ ଦଇତାରି । ମିଳିଲେ ମତ୍ସ୍ୟରୂପ ଧରି । । ୬୧
ଯୁଗ-ବିପ୍ଳବେ ବେଦରାଶି । ଥିଲା ଯେ ମହାଜଳେ ପଶି । । ୬୨
ସେ ବେଦ ସଲିଳୁ ଉଦ୍ଧରି । ମନୁକୁ ଦେଲେ ନରହରି । । ୬୩
ବାସବ-ସମ୍ପଦ ଉଦ୍ଧାରେ । କ୍ଷୀରସମୁଦ୍ର ମନ୍ଥିବାରେ । । ୬୪
ମିଳି ସକଳ ଦେବାସୁର । ସମୁଦ୍ରେ ସ୍ଥାପିଲେ ମନ୍ଦର । । ୬୫
ଅଗାଧଜଳେ ମଧୁହାରୀ । ମିଳିଲେ କୂର୍ମରୂପ ଧରି । । ୬୬
ପୃଷ୍ଠେ ବହିଲେ ଗିରିବର । ମନ୍ଥନ କଲେ ଦେବାସୁର । । ୬୭
ଗିରି-ଘର୍ଷଣ କଣ୍ତୁ-ସୁଖେ । ନିଦ୍ରାନୟନ ଅଧୋମୁଖେ । । ୬୮
ଦେବଙ୍କ ଭୟ ନାଶିବାରେ । ସେ ନରସିଂହ ରୂପ ଧରେ । । ୬୯
ଭ୍ରମାଇ ଭ୍ରୂକୁଟୀ-କୁଟୀଳ । ଦନ୍ତ-ଶ୍ରୀମୁଖ ବିକରାଳ । । ୭୦
ଗଦା ବୁଲାଇ ଅତି ବେଗେ । ଦୈତ୍ୟ ମିଳିଲା ଆସି ଆଗେ । । ୭୧
ତକ୍ଷଣେ ଉରୁ ମଧ୍ୟେ ଧରି । ନଖାଗ୍ରେ ହିରଣ୍ୟ ବିଦାରି । । ୭୨
ମହାଦୈତ୍ୟକୁ ସଂହାରିଲେ । ସଂସାର ସଙ୍କଟୁ ତାରିଲେ । । ୭୩
ଅଗାଧ-ସରୋବର ମଧ୍ୟେ । କୁମ୍ଭୀର ଗଜରାଜ ପାଦେ । । ୭୪
ଧଇଲା ଅତି ଦୃଢ଼ବଳେ । ହସ୍ତୀର ଚରଣ ନିଶ୍ଚଳେ । । ୭୫
ଚଳି ନ ପାରି ଯୂଥପତି । ଆରତେ ସୁମରେ ଶ୍ରୀପତି । । ୭୬
ହସ୍ତେ କମଳ ଉଚ୍ଚେ ତୋଳି । ନୟନୁ ଅଶ୍ରୁଜଳ ଗଳି । । ୭୭
ଆଦିପୁରୁଷ ଲୋକନାଥ । ତୀର୍ଥ-ପବିତ୍ର ତୋ ଚରିତ । । ୭୮
ଶ୍ରବଣ-ମଙ୍ଗଳ ତୋ ନାମ । ପୁଣ୍ୟପୁରୁଷ ଗୁଣଧାମ । । ୭୯
ସେ ହରି ସ୍ତୁତି ଶୁଣି କର୍ଣ୍ଣେ । ଗଜବିକଳ ଯୋଗଧ୍ୟାନେ । । ୮୦
ମରଣକାଳେ ସୁମରିଲା । ବିଷ୍ଣୁର ସମାଧି ଭାଜିଲା । । ୮୧
ତାର ମହିମା ଅପ୍ରମେୟ । ନିମିତ୍ତେ ବହେ ନାନାଦେହ । । ୮୨
ଦକ୍ଷିଣଭୁଜେ ଚକ୍ର ଧରି । ଗରୁଡ଼-ସ୍କନ୍ଧେ ବିଜେ କରି । । ୮୩
ଚକ୍ର ପ୍ରହାରେ ନକ୍ର ମାରି । ହସ୍ତୀର ହସ୍ତ ହସ୍ତେ ଧରି । । ୮୪
ଜଳୁ ଉଦ୍ଧରି ନାରାୟଣ । ଅନ୍ତର ହୋଇଲେ ତକ୍ଷଣ । । ୮୫
ଅଦିତି-ପୁତ୍ରଙ୍କର ସାନ । ଗୁଣରେ ଜ୍ୟେଷ୍ଠ ସେ ବାମନ । । ୮୬
ତ୍ରିପାଦେ ତିନିଲୋକ ଜିଣି । ସେ ଅଧିଯଜ୍ଞ ନାମ ଭଣି । । ୮୭
ଯେ ଧର୍ମମାର୍ଗେ ନିତ୍ୟେ ଥାନ୍ତି । ଯାଚଞ୍ଜା ବିନା ତା ସମ୍ପତ୍ତି । । ୮୮
ଈଶ୍ୱର ଆଦିତନୁ ଧରି । କେହି ନ ପାରେ ତାହା ହରି । । ୮୯
ସେ ବଳି ଦୃଢ଼ ସତ୍ୟ ମନେ । କୃଷ୍ଣଚରଣ ଆରାଧନେ । । ୯୦
ମନ୍ତ୍ରୀର ବୋଲ ନ ଶୁଣିଲା । ତ୍ରିପାଦ-ଭୂମି ଦାନ ଦେଲା । । ୯୧
ବିଷ୍ଣୁର ପାଦରଜେ ଇଚ୍ଛା । ଇନ୍ଦ୍ରାଦି ପଦେ ନାହିଁ ବାଞ୍ଛା । । ୯୨
ସର୍ବ-ସମ୍ପଦ ଆତ୍ମା ତୁଲେ । ଅର୍ପିଲା ବିଷ୍ଣୁ-ପାଦମୂଳେ । । ୯୩
ତୁ ଯେ ନାରଦ ତାରଅଂଶେ । ଶରୀର ବହୁ ମୋର ବଂଶେ । । ୯୪
ତୁମ୍ଭଙ୍କୁ ଭକ୍ତି ହଂସରୂପେ । କହିଲା ଭକ୍ତ-ତୋଷ ଅର୍ଥେ । । ୯୫
ତହୁଁ ଲଭିଲୁ ଦିବ୍ୟଜ୍ଞାନ । ଯେ ଯୋଗୀଗଣେ ବିଦ୍ୟମାନ । । ୯୬
ଯେ ଜ୍ଞାନେ କୃଷ୍ଣର ଚରଣ । ସୁଖେଣ ପଶନ୍ତି ଶରଣ । । ୯୭
ସେ ମନ୍ୱନ୍ତରେ ମନୁବଂଶେ । ସ୍ୱତେଜେ ଚକ୍ରବର୍ତ୍ତୀ ଅଂଶେ । । ୯୮
ଦୁଷ୍ଟରାଜାଙ୍କୁ ଦଶଦିଗେ । ଜିଣି ସ୍ଥାପିଲା ସାଧୁମାର୍ଗେ । । ୯୯
ତ୍ରିଲୋକ ପରେ ସତ୍ୟଲୋକେ । କୀର୍ତ୍ତି ବିସ୍ତାରି କଉତୁକେ । । ୧୦୦
ସେ ଧନ୍ୱନ୍ତରୀ ରୂପ ଧରି । ବ୍ରହ୍ମାଣ୍ତ ମଧ୍ୟେ ଅବତରି । । ୧୦୧
ହରିଲା ପ୍ରାଣୀଙ୍କର ବ୍ୟାଧି । ଭିଆଇ ମନ୍ତ୍ର-ମଉଷଧି । । ୧୦୨
ଯଜ୍ଞେ ସ୍ୱଭାଗ ଭୋଗକଲା । ପ୍ରାଣୀଙ୍କି ଆୟୁର୍ବେଦ ଦେଲା । । ୧୦୩
ବ୍ରାହ୍ମଣବଧ ଦେଖି କୋପେ । ସେ ପୁଣି ପର୍ଶୁରାମ ରୂପେ । । ୧୦୪
ପରଶୁ ଦକ୍ଷଭୁଜେ ଧରି । ଅବନୀ ପର୍ଯ୍ୟଟନ କରି । । ୧୦୫
କ୍ଷତ୍ରିୟ-ରୁଧିର ତର୍ପଣେ । ତୋଷିଲା ନିଜ ପିତୃଗଣେ । । ୧୦୬
ମୋର ବଚନେ ଦଇତାରି । ଈକ୍ଷ୍ୱାକୁବଂଶେ ଅବତରି । । ୧୦୭
ପିତା ବଚନେ ଗଲା ବନ । ସ୍ୱପତ୍ନୀ ସହିତେ ଲକ୍ଷ୍ମଣ । । ୧୦୮
ସୀତା ରାବଣ ନେଲା ହରି । ସେ କୋପେ ତାର ବଂଶ ମାରି । । ୧୦୯
ବିଭୀଷଣଙ୍କୁ ଲଙ୍କା ଦେଲେ । ଦେବଙ୍କ ଭୟ ନିବାରିଲେ । । ୧୧୦
ତ୍ରିପୁରବଧେ ଯେହ୍ନେ ହର । ସେ ରୂପେ ତେଜ ରଘୁବୀର । । ୧୧୧
ସେ ତେଜେ ଉରଗ ମକର । ନକ୍ରସମୂହ ଥରହର । । ୧୧୨
ଜଳଧି ତାରେ ଭୟକରି । ତାହାର ନିଜରୂପ ଧରି । । ୧୧୩
ଚରଣେ ଶରଣ ପଶିଲା । ଲଙ୍କାଗମନେ ମାର୍ଗ ଦେଲା । । ୧୧୪
ଦିଗବିଜୟେ ଲଙ୍କାପତି । ଅଇରାବତ ନାମେ ହସ୍ତୀ । । ୧୧୫
ତାହାର ସଙ୍ଗେ ବାଦ କରି । ଉରସ୍ପରଶେ ଦନ୍ତ ଚୂରି । । ୧୧୬
ଦେଖି ଭାଜିଲା ଗଜଶ୍ରେଷ୍ଠ । ରାବଣ ସଙ୍ଗେ କାହିଁ ହଟ । । ୧୧୭
ସେହି ରାବଣଦର୍ପ ରଣେ । ଶ୍ରୀରାମ ସଂହାରିଲେ ବାଣେ । । ୧୧୮
ଭୂମିର ଭାରା ନିବାରଣେ । କ୍ଷୀରସମୁଦ୍ରେ ଦେବଗଣେ । । ୧୧୯
ଈଶ୍ୱର ସଙ୍ଗେ ଦେବବଳେ । ନମିଲେ ଚରଣକମଳେ । । ୧୨୦
ଅନେକ ମତେ ସ୍ତୁତି ଭଣି । ବିଷ୍ଣୁ ସନ୍ତୋଷ ତାହାଣୁଣି । । ୧୨୧
ସନ୍ତୋଷେ ଶୁକ୍ଳକୃଷ୍ଣକେଶ । ଜଂଘୁ ଉପାଡ଼ି ହୃଷୀକେଶ । । ୧୨୨
ସେ ବେନିରୋମ ମହୀତଳେ । ଜନ୍ମି ଅସୁର ସଂହାରିଲେ । । ୧୨୩
ହରିଲେ ଅବନୀର ଭାର । ମହାମହିମା ଚକ୍ରଧର । । ୧୨୪
ତିନିଦିବସେ ନାରାୟଣ । ଶୋଷିଲେ ପୂତନାର ପ୍ରାଣ । । ୧୨୫
ମାସକେ ନନ୍ଦଗୃହେ ହରି । ପାଦେ ଶକଟା ଚୂର କରି । । ୧୨୬
ଦଧିମନ୍ଥନ କାଳେ ଧରି । ରୋଳେ ବାନ୍ଧିଲା ନନ୍ଦନାରୀ । । ୧୨୭
ସେ ରୋଳ ସଙ୍ଗେ ନନ୍ଦବଳା । ବେନିଅର୍ଜୁନ ମଧ୍ୟେଗଲା । । ୧୨୮
ଅତି ଉତ୍ସର୍ଗ ବେନିବୃକ୍ଷେ । ଉପୁଡ଼ି ପଡ଼ିଲେ ପ୍ରତ୍ୟକ୍ଷେ । । ୧୨୯
ସେ ପୁଣି ଗୋବତ୍ସ ରକ୍ଷଣେ । କାଳିନ୍ଦୀତଟେ ବୃନ୍ଦାବନେ । । ୧୩୦
ବତ୍ସା-ବାଳକ ବିଷଜଳେ । ପଶିଲେ ତୃଷାର ବିକଳେ । । ୧୩୧
ସକଳେ କଲେ ଜଳପାନ । ତକ୍ଷଣେ ହାରିଲେ ଜୀବନ । । ୧୩୨
ଅଦ୍ଭୁତ ଦେଖି ଭାବଗ୍ରାହୀ । ଅମୃତନୟନେ ଅନାଇ । । ୧୩୩
ତାହାଙ୍କୁ ଜୀବଦାନ ଦେଲେ । ସେ ଜଳେ ସର୍ପକୁ ଦେଖିଲେ । । ୧୩୪
ଜିହା ଚଞ୍ଚଳ ବିଷ ବଳେ । ବିହାର କାଳିନ୍ଦୀର ଜଳେ । । ୧୩୫
ଦୂରେ ନିବେଶି ନାଗବଳ । ଅମୃତ କଲେ ବିଷଜଳ । । ୧୩୬
ଜନ୍ତୁଙ୍କୁ କରାଇଲେ ପାନ । ଅଦ୍ଭୁତଗତି ଭଗବାନ । । ୧୩୭
ଅମ୍ବିକାବନେ ଗୋପଜନେ । ଶୟନେ ନିଶିଅର୍ଦ୍ଧମାନେ । । ୧୩୮
ଅଗ୍ନି ବେଢ଼ିଲା ବେଗେ ଆସି । ପ୍ରଳୟାନଳ ପ୍ରାୟ ଦିଶି । । ୧୩୯
ଅନଳ ଦେଖି ନନ୍ଦବଳା । ବଦନ ଲୁଚାଅ-ବୋଇଲା । । ୧୪୦
ଡରେ ଲୁଚାଇଲେ ମଦନ । ଗୋବିନ୍ଦ କଲେ ଅଗ୍ନିପାନ । । ୧୪୧
ବାନ୍ଧିବା ପାଇଁ ଡୋର ଆଣି । ଯେତେ ଯୋଖିଲା ନନ୍ଦରାଣୀ । । ୧୪୨
ବାନ୍ଧି ନ ପାରେ ନନ୍ଦନାରୀ । ମହାମହିମ ନରହରି । । ୧୪୩
ମାତାର କୋଳେ ବସିଥିଲା । ଜୃମ୍ଭଣେ ମୁଖ ବିସ୍ତାରିଲା । । ୧୪୪
ଗୋପୀ ଚାହିଁଲେ ତା ବଦନ । ଉଦରେ ଅଶେଷ-ଭୁବନ । । ୧୪୫
ଐଶ୍ୱର୍ଯ୍ୟଲୀଳା ତାର ଦେହୀ । ଦେଖି ଶଙ୍କିତମନ ହୋଇ । । ୧୪୬
ବରୁଣପୁରୁ ଦଇତାରି । ନନ୍ଦକୁ ବନ୍ଦୀମୋକ୍ଷ କରି । । ୧୪୭
ବରୁଣପୁରୁ ଯେତେବଳେ । ନନ୍ଦକୁ ଆଣିଲେ ଗୋକୁଳେ । । ୧୪୮
ଗୋପାଳେ ବରୁଣଭୁବନ । ଦେଖିବେ ବୋଲି କଲେ ମନ । । ୧୪୯
ତାହାଙ୍କୁ ନିଦ୍ରାକାଳେ ନେଇ । ବରୁଣଭୁବନ ଦେଖାଇ । । ୧୫୦
ପୁଣି ମାୟାରେ ଭଗବାନ । ଦେଖାଇ ଆପଣା ଭୁବନ । । ୧୫୧
ସେ ପୁଣି ବଳଦେବ ସଙ୍ଗେ । ବନେ ଖେଳନ୍ତି ନାନାରଙ୍ଗେ । । ୧୫୨
ବ୍ୟୋମଅସୁର ମାୟା କଲା । ଗୋପାଳପୁଅଙ୍କୁ ହରିଲା । । ୧୫୩
ଗିରିକ୍ରୋଟରେ ନେଇ ଥୋଇ । ଦ୍ୱାରରୁନ୍ଧିଲା ଶିଳା ଦେଇ । । ୧୫୪
ତାହା ଜାଣିଲେ ଚକ୍ରପାଣି । ବନ୍ଦୀରୁ ଗୋପସୁତ ଆଣି । । ୧୫୫
ଅସୁରଜୀବନ ହରିଲେ । ପୁଣି ଅଦ୍ଭୁତକର୍ମ କଲେ । । ୧୫୬
ଗୋପାଳେ ନନ୍ଦଗୋପ ମେଳେ । ଇନ୍ଦ୍ର-ଉତ୍ସବ-ଯଜ୍ଞ କାଳେ । । ୧୫୭
ଗୋବିନ୍ଦ ବୋଲେ ଯଜ୍ଞ ଭାଞ୍ଜି । ପର୍ବତ-ଗୋବର୍ଦ୍ଧନ ପୂଜି । । ୧୫୮
ମେଘ-ପବନ ଘେନି ସଙ୍ଗେ । ଇନ୍ଦ୍ର ମିଳିଲା ଗୋପେ ବେଗେ । । ୧୫୯
ଇନ୍ଦ୍ରବରଷେ କୋପ କରି । ପ୍ରଳୟକାଳେ ଯେହ୍ନେ ବାରି । । ୧୬୦
ତା ଦେଖି କୃଷ୍ଣ ଦୟାଚିତ୍ତେ । ଗୋରୁଗୋପାଳ ରକ୍ଷାଅର୍ଥେ । । ୧୬୧
ସପତ-ବରଷ-କୁମର । ହସ୍ତେ ଉପାଡ଼ି ଗିରିବର । । ୧୬୨
ଛତ୍ର ପରାଏ ବାମକରେ । ତୋଳିଲା ଅଙ୍ଗୁଳି ଅଗ୍ରରେ । । ୧୬୩
ସପତଦିନ ବରଷିଲା । କୃଷ୍ଣର କରେ ଗିରି ଥିଲା । । ୧୬୪
ଭୟେ ଚିନ୍ତିଣ ସୁରରାୟେ । ଶରଣଗଲା କୃଷ୍ଣପାୟେ । । ୧୬୫
ଆସି ସୁରଭୀ ଘେନି ସଙ୍ଗେ । ପୂଜିଲା କୃଷ୍ଣପାଦଯୁଗେ । । ୧୬୬
ଗୋବିନ୍ଦ ନାମ ଦେଇଗଲା । ସନ୍ତୋଷେ ପୁରେ ପ୍ରବେଶିଲା । । ୧୬୭
ପୁଣି ଶରଦଋତୁ କାଳେ । ଗୋବିନ୍ଦ ଯୋଗମାୟା ବଳେ । । ୧୬୮
ରାତ୍ରେ ଶଶାଙ୍କରଶ୍ମିଜାଳେ । ରାସଉତ୍ସବ ଗୋପୀମେଳେ । । ୧୬୯
ମଧୁର-ବେଣୁନାଦ-ଗୀତେ । ମନମୋହିଲେ ବାମା ଯେତେ । । ୧୭୦
ଅନଙ୍ଗମୋହେ ବ୍ରଜନାରୀ । ଗୋବିନ୍ଦ ସଙ୍ଗେ କ୍ରୀଡ଼ା କରି । । ୧୭୧
ଶୁଣି କୃଷ୍ଣର ବେଣୁସ୍ୱନ । ମିଳିଲା କୁବେରନନ୍ଦନ । । ୧୭୨
ଗୋପୀଙ୍କି ହରିବାର ଆଶେ । ଲୁଚି ବସିଲା ବନଦେଶେ । । ୧୭୩
ତାହାକୁ ଧରି ବେଣୁଧର । କରପ୍ରହାରେ ଛେଦିଶିର । । ୧୭୪
ମଣି ହରିଲେ ତାର ଶିରୁ । ଅଶେଷଜନପିତାଗୁରୁ । । ୧୭୫
ପ୍ରଳମ୍ବା ଖର ବକାସୁର । କେଶୀ ଧେନୁକା ଷଣ୍ଢାବୀର । । ୧୭୬
ମୁଷ୍ଟିକମଲ୍ଲ କୁବଳୟା । କଂସ ଯବନ ଘୋରମାୟା । । ୧୭୭
ନାରକା ସାଲ୍ୱ ପୁଣ୍ତରୀକ । କପି ବଲ୍ୱଳ ଦନ୍ତବକ୍ର । । ୧୭୮
ସପତଷଣ୍ଢ ବିଦୂରଥ । ସମ୍ବର ରୁକ୍ମିଣୀର ଭ୍ରାତ । । ୧୭୯
କାମ୍ବୋଜ ମତ୍ସ୍ୟ କୁରୁବୀରେ । ସୃଞ୍ଜୟ କେକୟ ଅପରେ । । ୧୮୦
ଏହାଙ୍କୁ ସଂଗ୍ରାମେ ନିବାରି । ଭୀମ ଅର୍ଜୁନ ସଙ୍ଗେ କରି । । ୧୮୧
ପରମପଦେ ଦେଲେ ସ୍ଥାନ । ମାୟା-ମନୁଷ୍ୟ-ଭଗବାନ । । ୧୮୨
କଳିପ୍ରବେଶ କାଳବଳେ । ପ୍ରାଣୀଏ ଚେତନା-ଚଞ୍ଚଳେ । । ୧୮୩
ଭାରତୀ ନ ପାରନ୍ତି ଧରି । ଅଳ୍ପଆୟୁଷ ଦେଖି ହରି । । ୧୮୪
ଜନ୍ମିଲେ ବ୍ୟାସ ରୂପ ଧରି । ଅଶେଷ-ଶ୍ରୁତିଶାସ୍ତ୍ର କରି । । ୧୮୫
ବେଦଦ୍ରୁମକୁ ଶାଖା କଲେ । ଏକୁ ଅନେକ ବୁଦ୍ଧିବଳେ । । ୧୮୬
ଅସୁରେ ରହି ବେଦମାର୍ଗେ । ମାୟାଭିମାନେ କଳିଯୁଗେ । । ୧୮୭
ମୟଦଇତର ସଙ୍ଗତେ । ଦୃଶ୍ୟ-ଅଦୃଶ୍ୟ ବେନିପଥେ । । ୧୮୮
ସେକଥା ଜାଣି ଜଗନ୍ନାଥେ । ବୁଦ୍ଧାବତାରେ ଜନହିତେ । । ୧୮୯
କପଟ-ମାୟା-ମୋହବଶେ । ପାଷାଣ୍ତମାର୍ଗ ଉପଦେଶେ । । ୧୯୦
ଅନେକ ଦୁର୍ଗତି ହରିବେ । ସୁଜନଜନଙ୍କୁ ରଖିବେ । । ୧୯୧
ପୁଣି ଏ କଳିଯୁଗ ଅନ୍ତେ । ସୁଧୁଜନଙ୍କ ଗୃହଗତେ । । ୧୯୨
କୃଷ୍ଣ-ସ୍ମରଣ-ଗୁଣଗାଥା । ନୋହିବ ଯେବେ ହରିକଥା । । ୧୯୩
ଦ୍ୱିଜେ ପାଷଣ୍ତ ଆଚରିବେ । ସେ ପଞ୍ଚଯଜ୍ଞ ନ କରିବେ । । ୧୯୪
ରାଜା ହୋଇବେ ଶୂଦ୍ରଜନେ । ପ୍ରଜା ପୀଡ଼ିବେ କର-ଧନେ । । ୧୯୫
ଯେ ସ୍ୱାହା ସ୍ୱଧା ବଷଟ୍ କାର । ଛାଡ଼ି କରିବେ ଦୁରାଚାର । । ୧୯୬
ଏ କର୍ମ ଦେଖି କଳ୍କୀ ରୂପେ । ଅଶ୍ୱ ଆରୋହି ମହାକୋପେ । । ୧୯୭
ଖଡ଼୍ଗ ଉଭାରି ବେନିହସ୍ତେ । ଶେଷେ ସ୍ଥାପିବେ ଧର୍ମପଥେ । । ୧୯୮
ସର୍ଜନେ ମୁହିଁ ଋଷି ନବ । ପ୍ରଜାପତିଏ ତପଭାବ । । ୧୯୯
ସ୍ଥିତିରେ ଧର୍ମ ମନୁଗଣ । ଯଜ୍ଞସ୍ୱରୂପ ବିଷ୍ଣୁ ପଣ । । ୨୦୦
ଅମରଗଣ ରାଜାଗଣ । ସଂହାରେ ଅଧର୍ମ କାରଣ । । ୨୦୧
ଯେ ହର ହରେ ତିନିପୁର । ଉରଗ ଆଦି ଯେ ଅସୁର । । ୨୦୨
ଅନନ୍ତ ଶକ୍ତି ଦାମୋଦର । ଏ ସର୍ବ ବିଭୂତି ତାହାର । । ୨୦୩
ଯେଣୁ ସେ ମାୟାରୂପ ଧରେ । କଳ୍ପକଳ୍ପାନ୍ତେ ସୃଷ୍ଟି କରେ । । ୨୦୪
ଯେ ବିଷ୍ଣୁ-ନାଭି-ଜାତ-ପାଦ । ଆବୋରି ଭୁବନ ଚଉଦ । । ୨୦୫
ଯା ବେଗେ ପ୍ରକୃତି କମ୍ପିଲା । ନିଜ ବିକ୍ରମେ ଯେ ଧଇଲା । । ୨୦୬
ସେ ବିଷ୍ଣୁ-ମହିମା ସଂସାରେ । କେ ଗଣି ସଂଖ୍ୟା କରିପାରେ । । ୨୦୭
ଯେ କବି ଭୂମି ରେଣୁ ଗଣି । ସେ କି ପାରିବ ପରିମାଣି । । ୨୦୮
ତାହାର ମାୟାବଳ ଗତି । ତା ଅନ୍ତ କେହି ନ ଜାଣନ୍ତି । । ୨୦୯
ତୋର ଅଗ୍ରଜ ମୁନି ଶାନ୍ତ । ସେ କାହିଁ ଜାଣିବେ ତଦନ୍ତ । । ୨୧୦
ବ୍ରହ୍ମା ଶଙ୍କର ନ ପ୍ରମାଣେ । ଅପରେ କେବା ତାହା ଜାଣେ । । ୨୧୧
ବାସୁକି ଅୟୁତବଦନେ । ସମର୍ଥ ନୋହେ ଗୁଣଗାନେ । । ୨୧୨
ଯାହାରେ ହରି ଦୟାକରେ । ସେ ଯେବେ ନିଷ୍କପଟେ ଧରେ । । ୨୧୩
ଦୁସ୍ତର-ମାୟା ସେ ତରନ୍ତି । ଦୁଃଖେ ସଙ୍କଟେ ନ ପଡ଼ନ୍ତି । । ୨୧୪
ଶ୍ୱାନ-ଶୃଗାଳ-ଭକ୍ଷ ଦେହେ । ଏ ମୋର ବୋଲି ଜ୍ଞାନ ନୋହେ । । ୨୧୫
ଏବେ ନାରଦ ଶୁଣ ଧୀରେ । ଯେବା ତରିଲେ ମାୟାଘୋରେ । । ୨୧୬
ତା ମାୟା ଚିତ୍ତେ ଜାଣି ଭଲେ । ଯେ ଏ ସଂସାରୁ ତରିଗଲେ । । ୨୧୭
ମୁହିଁ ଜାଣଇ ମାୟା ତାର । ତୁମ୍ଭେ ସନକାଦି ଶଙ୍କର । । ୨୧୮
ପ୍ରହ୍ଲାଦ ଜାଣେ ଅନ୍ତର୍ଗତେ । ମନୁ ଯେ କୁଟୁମ୍ବ ସହିତେ । । ୨୧୯
ପ୍ରାଚୀନବାର୍ହି ଋଭୁ ଅଙ୍ଗ । ଧ୍ରୁବ ଈକ୍ଷ୍ୱାକୁ ମୁଚୁକୁନ୍ଦ । । ୨୨୦
ବିଦେହ ସୌମ୍ୟସୁତ ଗାଧି । ରଘୁ ଅମ୍ବରୀଶ ସୁବୁଦ୍ଧି । । ୨୨୧
ଗୟ ନହୁଷ ଆଦି ଯେତେ । ଶୁଣ ନାରଦ କହୁଁ ତୋତେ । । ୨୨୨
ମାନ୍ଧାତାଳର୍କ ଶତଧନୁ । ରନ୍ତିଦେବ ଯେ ଗଙ୍ଗାସୂନୁ । । ୨୨୩
ଅମୂର୍ତ୍ତରୟ ଯେ ସୌଭରି । ଦିଲୀପ ଉତ୍ତଙ୍କ ଯେ ବଳୀ । । ୨୨୪
ଶିବି ଦେବଳ ପିପ୍ ପଲାଦ । ସାରସ୍ୱତ ସଙ୍ଗେ ଉଦ୍ଧବ । । ୨୨୫
ଯେ ପରାଶର ଭୂରିଷେଣ । ରାବଣଭ୍ରାତ ହନୁମାନ । । ୨୨୬
ଶୁକ ଯେ ଉପଇନ୍ଦ୍ର ଦତ୍ତ । ବିଦୁର ଆର୍ଷ୍ଟିଷେଣ ପାର୍ଥ । । ୨୨୭
ବ୍ରାହ୍ମଣ ଶ୍ରୁତଦେବ ତୁଲେ । ବିଷ୍ଣୁମାୟାରୁ ତରିଗଲେ । । ୨୨୮
ହୂଣ ଯବନ ଶୂଦ୍ର ସ୍ତିରୀ । ଶବର ତୁଲେ ଗଲେ ତରି । । ୨୨୯
କୃଷ୍ଣର ରୂପେ ମନ ଯାର । କିବା କହିବା ଗତି ତାର । । ୨୩୦
ଅଦ୍ଭୁତକର୍ମ ଯେ ତାହାର । ଯେ ଭାବେ ନାହିଁ ପରାପର । । ୨୩୧
ତା ଭକ୍ତିଶିକ୍ଷା ଅଟେ ଯାର । ସେହୁ ତରନ୍ତି ମାୟାଘୋର । । ୨୩୨
ନିତ୍ୟ ପ୍ରଶାନ୍ତ ସେ ନିର୍ଭୟ । ପ୍ରବୋଧ ମାତ୍ର ଯାର ଦେହ । । ୨୩୩
ସେ ଶୁଦ୍ଧ ସର୍ବଘଟେ ସମ । ରୂପ-ଅରୂପ ପରଧାମ । । ୨୩୪
ଶବ୍ଦ ନ ପାରେ ଯାହା କହି । ଅନେକ କ୍ରିୟାଯୋଗ ବହି । । ୨୩୫
ଯାର ସମ୍ମୁଖେ ଭଗବତୀ । ଲାଜେ ପଳାଇ ଶିରପୋତି । । ୨୩୬
ଯେ ବ୍ରହ୍ମଜ୍ଞାନୀ ମୁନିଗଣେ । ଯାହା ସ୍ମରନ୍ତି ଅନୁକ୍ଷଣେ । । ୨୩୭
ନିଜସ୍ୱରୂପ ତାର ଚିନ୍ତି । ପରମପୁରୁଷ ବୋଲାନ୍ତି । । ୨୩୮
ଅଜରାମର ଯେ ବିଶୋକ । ନାହିଁ ଯାହାର ରୂପରେଖ । । ୨୩୯
ଯାହାର ମନ ଦୃଢ଼ଚିେତ୍ତେ । କୃଷ୍ଣବିଷୟେ ଅବିରତେ । । ୨୪୦
ଭାବି ଛାଡ଼ଇ ସର୍ବତାପ । ଇନ୍ଦ୍ର ନ ଖୋଳେ ଯେହ୍ନେ କୂପ । । ୨୪୧
ସେ ହରି କଇବଲ୍ୟନାଥ । ଭାବ ସ୍ୱଭାବ ଏ ଜଗତ । । ୨୪୨
କରାଏ ସର୍ବଦେହେ ବସି । ଶମାଦି ସ୍ୱଭାବ ପ୍ରକାଶି । । ୨୪୩
ଦେହ-ବିଯୋଗ କାଳେ ଦେହୀ । ଗଗନପ୍ରାୟେ ଶୂନ୍ୟେ ରହି । । ୨୪୪
ତେଣେ ତାହାର ସଙ୍ଗ ନାହିଁ । ଜନମ ମୃତ୍ୟୁ ତାର କାହିଁ । । ୨୪୫
ହେ ପୁତ୍ର କହିଲି ମୁଁ ତୋତେ । ହରିମହିମା ଭାବି ଚିତ୍ତେ । । ୨୪୬
ସତ ଅସତ ରୂପ ସେହି । ଅଶେଷ ମାୟାରୂପ ବହି । । ୨୪୭
କରଇ ଆତ୍ମା ଖେଳାଲୀଳା । ତାର ଚରିତ ଭବଭେଳା । । ୨୪୮
ଏ ଭାଗବତଧର୍ମ ଯେତେ । ଗୋବିନ୍ଦ କହିଥିଲେ ମୋତେ । । ୨୪୯
ଏ ସର୍ବ ସଂଗ୍ରହର ମୂଳ । ଅଶେଷ ଧର୍ମ ଯଜ୍ଞଫଳ । । ୨୫୦
ଲୀଳା ବିସ୍ତାରି କହ ମୁଖେ । ସୁଜନଜନଙ୍କର ସୁଖେ । । ୨୫୧
ଯେମନ୍ତେ ପ୍ରାଣୀଙ୍କର ଚିତ୍ତେ । କୃଷ୍ଣବିଷୟ ଅବିରତେ । । ୨୫୨
ଯେମନ୍ତେ ନାଶେ ଶୋକମୋହ । ଇତି ସଙ୍କଳ୍ପି ତାତ କହ । । ୨୫୩
ବର୍ଣ୍ଣିଲି ଈଶ୍ୱରର ମାୟା । ଯେ ଶୁଣେ ତରେ ତାର କାୟା । । ୨୫୪
ମାୟା ନ ଲାଗେ ତାର ଚିତ୍ତେ । ଯେ ମୁଖେ ଗୁଣେ ଅବିରତେ । । ୨୫୫
ଏମନ୍ତ ଭାଗବତବାଣୀ । ନାରଦ ବ୍ରହ୍ମାମୁଖୁ ଶୁଣି । । ୨୫୬
ମନଆନନ୍ଦେ କୃତକୃତ୍ୟ । କହଇ ଦାସ ଜଗନ୍ନାଥ । । ୨୫୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦ୍ୱିତୀୟସ୍କନ୍ଧେ ବ୍ରହ୍ମାନାରଦସମ୍ୱାଦେ ସପ୍ତମୋଽଧ୍ୟାୟଃ ।।
* * *