ଦ୍ଵିତୀୟ ସ୍କନ୍ଧ

ସପ୍ତମ ଅଧ୍ୟାୟ

ବ୍ରହ୍ମା ଉବାଚ

ଶୁଣ ନାରଦ ମୁନିବର । ଭବିଷ୍ୟ ଲୀଳା ଅବତାର । ।

ଅଶେଷଜନଙ୍କର ହିତେ । ଶୁଣ କହିବା ତୋ ଅଗ୍ରତେ । ।

ପଦ୍ମକଳ୍ପର ଅନ୍ତେ ହରି । ଶୂକରରୂପେ ଅବତରି । ।

ସେ ସର୍ବ ଯଜ୍ଞମୟ ଗାତ୍ରେ । ଧରଣୀ ଉଦ୍ଧରିବା ଅର୍ଥେ । ।

ଆଦିଅସୁର ଅବତାର । ପ୍ରଚଣ୍ତŠ ହିରଣ୍ୟାକ୍ଷ ବୀର । ।

ତାହାକୁ ମହା‰ର୍ଣ୍ଣବ-ଜଳେ । ଦନ୍ତେ ବିଦାରିଲେ ପାତାଳେ । ।

ବଜ୍ରେ ଯେସନେ ବଜ୍ରଧର । ହେଳେ ବିଦାରେ ମହୀଧର । ।

ସେ ପୁଣି ରୁଚିଋଷି ଘରେ । ଜନ୍ମିଲେ ଆକୂତି ଉଦରେ । ।

ସେ ଯଜ୍ଞରୂପ ନରହରି । ଦକ୍ଷିଣା ଗର୍ଭେ ବିଜେକରି । ।

ସର୍ବଦେବଙ୍କୁ ଜାତ କଲେ । ତ୍ରୈଲୋକ୍ୟ-ଭୟ ନିବାରିଲେ । । ୧୦

ମନୁ ଯେ ବ୍ରହ୍ମାର ନନ୍ଦନ । ହରଷେ ଦେଲେ ହରି ନାମ । । ୧୧

କର୍ଦ୍ଦମଋଷି ଗୃହେ ପୂର୍ବେ । ଜନ୍ମିଲେ ଦେବହୂତି ଗର୍ଭେ । । ୧୨

ତାଙ୍କ ସଙ୍ଗତେ ନବନାରୀ । ଜନ୍ମିଲେ ଦିବ୍ୟରୂପ ଧରି । । ୧୩

ସେ ଜନ୍ମେ ଜନନୀର ଦୁଃଖ । ଦେଖି ସଦୟ ପଦ୍ମମୁଖ । । ୧୪

ଆତ୍ମାର ଗତି ମାତାଆଗେ । କହିଲେ ତତ୍ତ୍ଵ-ଅନୁରାଗେ । । ୧୫

ସେ ତତ୍ତ୍ବେ ଆତ୍ମା-ଗୁଣ-ଦୋଷ । ସେ ଦେବହୂତି କଲେ ନାଶ । । ୧୬

ତାହାଙ୍କୁ ମାୟାରୁ ଉଦ୍ଧରି । କପିଳରୂପେ ତପ କରି । । ୧୭

ଅତ୍ରିର ତପ ଦେଖି ତୋଷେ । ତକ୍ଷଣେ ମିଳି ତାର ପାଶେ । । ୧୮

ବୋଇଲେ ତୋତେ ଦେଲି ବର । ହୋଇବି ତୋହର କୁମର । । ୧୯

ଦତ୍ତ-ବଚନେ ଦତ୍ତ ନାମ । ସୁନ୍ଦରେ ସମ ନୋହେ କାମ । । ୨୦

ଧରଣୀ ପର୍ଯ୍ୟଟନ କଲେ । ଅନେକ ତପ ଆଚରିଲେ । । ୨୧

ହୈହୟ ଯଦୁ ଆଦି ରାଜା । ଯାର ଚରଣେ କରି ପୂଜା । । ୨୨

ଯୋଗ-ସମାଧି ସମ୍ପାଦିଲେ । ଜନ୍ମ-ମରଣୁ ନିସ୍ତରିଲେ । । ୨୩

ସୃଷ୍ଟି-ସୃଜନେ ମନ କରି । ଆଦ୍ୟେ ମୁଁ ତପ ଯେ ଆଚରି । । ୨୪

ତପର ବଳେ ଭଗବାନ । ଜାତ ହୋଇଲେ ଚତୁଃସନ । । ୨୫

ଯେ ଯୋଗ ପୂର୍ବକାଳେ ଥିଲା । କଳ୍ପ-ପ୍ରଳୟେ ନାଶ ଗଲା । । ୨୬

ତାହା ଉଦ୍ଧରି ଯୋଗବଳେ । ଧର୍ମ ରଖିଲେ ମହୀତଳେ । । ୨୭

ଦକ୍ଷକୁମାରୀ ଗର୍ଭେ ହରି । ଧର୍ମର ବୀର୍ଯ୍ୟେ ଅବତରି । । ୨୮

ସେ ଦକ୍ଷକନ୍ୟା ମୂର୍ତ୍ତି ନାମ । ସର୍ବସୁନ୍ଦର ଅନୁପମ । । ୨୯

ତାର ଉଦରୁ ପୂର୍ବକଳ୍ପେ । ଜନ୍ମିଲେ ନାରାୟଣ ରୂପେ । । ୩୦

ନର ସ୍ୱରୂପ ନର ନାମ । ସର୍ବସୁନ୍ଦର ପୁଣ୍ୟଧାମ । । ୩୧

ନିଶ୍ଚଳ ତପ ଯୋଗଧ୍ୟାନେ । ବସିଲେ ବଦରିକାଶ୍ରମେ । । ୩୨

ଅତି ଦୁଃସହ ତପ ଘୋରେ । ଇନ୍ଦ୍ର କମ୍ପିଲା ସ୍ୱର୍ଗପୁରେ । । ୩୩

ତକ୍ଷଣେ ଅପସରା ଗଣେ । ମିଳିଲେ ବଦରିକା ବନେ । । ୩୪

ଦିବ୍ୟ ସୁବେଶେ ନାନାରଙ୍ଗେ । ଆସି ମିଳିଲେ ତପଭଙ୍ଗେ । । ୩୫

ଡୋଳେ ଉର୍ବଶୀ ରୂପ ଦେଖି । ଲାଜେ ହୋଇଲେ ଅଧୋମୁଖୀ । । ୩୬

କୋପନୟନେ ମୁନିଜନ । କାମକୁ କରନ୍ତି ଦହନ । । ୩୭

କୋପକୁ ନ ପାରନ୍ତି ଦହି । କୋପ ପ୍ରବେଶ ଯହିଁ ନାହିଁ । । ୩୮

କାହୁଁ କରିବେ ତପ ନାଶ । ବାହୁଡ଼ି ହୋଇଲେ ନିରାଶ । । ୩୯

ଉତ୍ତାନପାଦ ରାଜା କୋଳେ । ଧ୍ରୁବବାଳକ ରସଭୋଳେ । । ୪୦

ବସିବ ବୋଲି ବିଚାରିଲା । ମାତା-ସପତ୍ନୀ ଝିଙ୍ଗାସିଲା । । ୪୧

ସେ ନିଜ ଜନନୀ ବଚନେ । ଅରଣ୍ୟେ ଗଲା ଦୁଃଖମନେ । । ୪୨

ଅତି କଠୋର ତପ କଲା । ତାକୁ ଯେ ଧ୍ରୁବପଦ ଦେଲା । । ୪୩

ମୁନିଏ ଉର୍ଦ୍ଧ୍ୱେ ତଳେ ଥାଇ । ଧ୍ରୁବ ତପସ୍ୟାଫଳ ଚାହିଁ । । ୪୪

ସ୍ତୁତି କରନ୍ତି ତାର ତପେ । ଜନନୀ ଦେଖି ତା ସମୀପେ । । ୪୫

ବେଣ ଯେ ସତ୍ୟଯୁଗେ ରାଜା । ଅଧର୍ମେ ପାଳେ ଜନପ୍ରଜା । । ୪୬

ହରିଙ୍କି ନ ସ୍ଥାପନ୍ତେ ଭଲେ । ବ୍ରାହ୍ମଣେ ଶାପେ ନାଶ କଲେ । । ୪୭

ରାଜା-ମାରଣେ ଅରାଜକେ । ପ୍ରଜା ଦୁଃଖିତ ଅତିରେକେ । । ୪୮

ତା ଦେଖି ଦ୍ୱିଜେ ସ୍ତୁତି କରି । ତକ୍ଷଣେ ପୃଥୁରୂପ ଧରି । । ୪୯

ହରି ଜନ୍ମିଲେ ରାଜକୁଳେ । ଭୂମିକି ଦୁହିଁ ବାହୁବଳେ । । ୫୦

ପ୍ରଜାଙ୍କୁ ଶସ୍ୟବୀଜ ଦେଲେ । ଅନ୍ନସଙ୍କଟୁ ଉଦ୍ଧରିଲେ । । ୫୧

ନାଭିର ବୀର୍ଯ୍ୟେ ସେ ଋଷଭ । ସୁଦେବୀ ଉଦରେ ସମ୍ଭବ । । ୫୨

କପଟେ ଜଡ଼ରୂପ ଧରି । ସକଳ ଯୋଗ ସାଧ୍ୟ କରି । । ୫୩

ପରମହଂସ ମୁନିଗଣେ । ନମନ୍ତି ଯାହାର ଚରଣେ । । ୫୪

ସେ ସ୍ୱଚ୍ଛ ଶାନ୍ତ ଅନୁଗତ । ଅଶେଷସଙ୍ଗରୁ ବିମୁକ୍ତ । । ୫୫

ପୁଣି ମୋହର ଯଜ୍ଞକାଳେ । ମନ୍ତ୍ରେ ଉପୁଜିଲା ଅନଳେ । । ୫୬

ନର-ଶରୀର ଅଶ୍ୱଶିର । ସୁବର୍ଣ୍ଣବର୍ଣ୍ଣ ଜଟାଭାର । । ୫୭

ସକଳ ବେଦ ଯଜ୍ଞମୟ । ଅଖିଳ-ଆତ୍ମା ନିଜ ଦେହ । । ୫୮

ତାର ନିଃଶ୍ୱାସୁ ବେଦ ତିନି । ଜନ୍ମିଲେ କର୍ମକାଣ୍ତ ଘେନି । । ୫୯

ଯୁଗାନ୍ତକାଳେ ମହାଜଳେ । ରାଜାର ତର୍ପଣର କାଳେ । । ୬୦

ରାଜା ତାରଣେ ଦଇତାରି । ମିଳିଲେ ମତ୍ସ୍ୟରୂପ ଧରି । । ୬୧

ଯୁଗ-ବିପ୍ଳବେ ବେଦରାଶି । ଥିଲା ଯେ ମହାଜଳେ ପଶି । । ୬୨

ସେ ବେଦ ସଲିଳୁ ଉଦ୍ଧରି । ମନୁକୁ ଦେଲେ ନରହରି । । ୬୩

ବାସବ-ସମ୍ପଦ ଉଦ୍ଧାରେ । କ୍ଷୀରସମୁଦ୍ର ମନ୍ଥିବାରେ । । ୬୪

ମିଳି ସକଳ ଦେବାସୁର । ସମୁଦ୍ରେ ସ୍ଥାପିଲେ ମନ୍ଦର । । ୬୫

ଅଗାଧଜଳେ ମଧୁହାରୀ । ମିଳିଲେ କୂର୍ମରୂପ ଧରି । । ୬୬

ପୃଷ୍ଠେ ବହିଲେ ଗିରିବର । ମନ୍ଥନ କଲେ ଦେବାସୁର । । ୬୭

ଗିରି-ଘର୍ଷଣ କଣ୍ତୁ-ସୁଖେ । ନିଦ୍ରାନୟନ ଅଧୋମୁଖେ । । ୬୮

ଦେବଙ୍କ ଭୟ ନାଶିବାରେ । ସେ ନରସିଂହ ରୂପ ଧରେ । । ୬୯

ଭ୍ରମାଇ ଭ୍ରୂକୁଟୀ-କୁଟୀଳ । ଦନ୍ତ-ଶ୍ରୀମୁଖ ବିକରାଳ । । ୭୦

ଗଦା ବୁଲାଇ ଅତି ବେଗେ । ଦୈତ୍ୟ ମିଳିଲା ଆସି ଆଗେ । । ୭୧

ତକ୍ଷଣେ ଉରୁ ମଧ୍ୟେ ଧରି । ନଖାଗ୍ରେ ହିରଣ୍ୟ ବିଦାରି । । ୭୨

ମହାଦୈତ୍ୟକୁ ସଂହାରିଲେ । ସଂସାର ସଙ୍କଟୁ ତାରିଲେ । । ୭୩

ଅଗାଧ-ସରୋବର ମଧ୍ୟେ । କୁମ୍ଭୀର ଗଜରାଜ ପାଦେ । । ୭୪

ଧଇଲା ଅତି ଦୃଢ଼ବଳେ । ହସ୍ତୀର ଚରଣ ନିଶ୍ଚଳେ । । ୭୫

ଚଳି ନ ପାରି ଯୂଥପତି । ଆରତେ ସୁମରେ ଶ୍ରୀପତି । । ୭୬

ହସ୍ତେ କମଳ ଉଚ୍ଚେ ତୋଳି । ନୟନୁ ଅଶ୍ରୁଜଳ ଗଳି । । ୭୭

ଆଦିପୁରୁଷ ଲୋକନାଥ । ତୀର୍ଥ-ପବିତ୍ର ତୋ ଚରିତ । । ୭୮

ଶ୍ରବଣ-ମଙ୍ଗଳ ତୋ ନାମ । ପୁଣ୍ୟପୁରୁଷ ଗୁଣଧାମ । । ୭୯

ସେ ହରି ସ୍ତୁତି ଶୁଣି କର୍ଣ୍ଣେ । ଗଜବିକଳ ଯୋଗଧ୍ୟାନେ । । ୮୦

ମରଣକାଳେ ସୁମରିଲା । ବିଷ୍ଣୁର ସମାଧି ଭାଜିଲା । । ୮୧

ତାର ମହିମା ଅପ୍ରମେୟ । ନିମିତ୍ତେ ବହେ ନାନାଦେହ । । ୮୨

ଦକ୍ଷିଣଭୁଜେ ଚକ୍ର ଧରି । ଗରୁଡ଼-ସ୍କନ୍ଧେ ବିଜେ କରି । । ୮୩

ଚକ୍ର ପ୍ରହାରେ ନକ୍ର ମାରି । ହସ୍ତୀର ହସ୍ତ ହସ୍ତେ ଧରି । । ୮୪

ଜଳୁ ଉଦ୍ଧରି ନାରାୟଣ । ଅନ୍ତର ହୋଇଲେ ତକ୍ଷଣ । । ୮୫

ଅଦିତି-ପୁତ୍ରଙ୍କର ସାନ । ଗୁଣରେ ଜ୍ୟେଷ୍ଠ ସେ ବାମନ । । ୮୬

ତ୍ରିପାଦେ ତିନିଲୋକ ଜିଣି । ସେ ଅଧିଯଜ୍ଞ ନାମ ଭଣି । । ୮୭

ଯେ ଧର୍ମମାର୍ଗେ ନିତ୍ୟେ ଥାନ୍ତି । ଯାଚଞ୍ଜା ବିନା ତା ସମ୍ପତ୍ତି । । ୮୮

ଈଶ୍ୱର ଆଦିତନୁ ଧରି । କେହି ନ ପାରେ ତାହା ହରି । । ୮୯

ସେ ବଳି ଦୃଢ଼ ସତ୍ୟ ମନେ । କୃଷ୍ଣଚରଣ ଆରାଧନେ । । ୯୦

ମନ୍ତ୍ରୀର ବୋଲ ନ ଶୁଣିଲା । ତ୍ରିପାଦ-ଭୂମି ଦାନ ଦେଲା । । ୯୧

ବିଷ୍ଣୁର ପାଦରଜେ ଇଚ୍ଛା । ଇନ୍ଦ୍ରାଦି ପଦେ ନାହିଁ ବାଞ୍ଛା । । ୯୨

ସର୍ବ-ସମ୍ପଦ ଆତ୍ମା ତୁଲେ । ଅର୍ପିଲା ବିଷ୍ଣୁ-ପାଦମୂଳେ । । ୯୩

ତୁ ଯେ ନାରଦ ତାରଅଂଶେ । ଶରୀର ବହୁ ମୋର ବଂଶେ । । ୯୪

ତୁମ୍ଭଙ୍କୁ ଭକ୍ତି ହଂସରୂପେ । କହିଲା ଭକ୍ତ-ତୋଷ ଅର୍ଥେ । । ୯୫

ତହୁଁ ଲଭିଲୁ ଦିବ୍ୟଜ୍ଞାନ । ଯେ ଯୋଗୀଗଣେ ବିଦ୍ୟମାନ । । ୯୬

ଯେ ଜ୍ଞାନେ କୃଷ୍ଣର ଚରଣ । ସୁଖେଣ ପଶନ୍ତି ଶରଣ । । ୯୭

ସେ ମନ୍ୱନ୍ତରେ ମନୁବଂଶେ । ସ୍ୱତେଜେ ଚକ୍ରବର୍ତ୍ତୀ ଅଂଶେ । । ୯୮

ଦୁଷ୍ଟରାଜାଙ୍କୁ ଦଶଦିଗେ । ଜିଣି ସ୍ଥାପିଲା ସାଧୁମାର୍ଗେ । । ୯୯

ତ୍ରିଲୋକ ପରେ ସତ୍ୟଲୋକେ । କୀର୍ତ୍ତି ବିସ୍ତାରି କଉତୁକେ । । ୧୦୦

ସେ ଧନ୍ୱନ୍ତରୀ ରୂପ ଧରି । ବ୍ରହ୍ମାଣ୍ତ ମଧ୍ୟେ ଅବତରି । । ୧୦୧

ହରିଲା ପ୍ରାଣୀଙ୍କର ବ୍ୟାଧି । ଭିଆଇ ମନ୍ତ୍ର-ମଉଷଧି । । ୧୦୨

ଯଜ୍ଞେ ସ୍ୱଭାଗ ଭୋଗକଲା । ପ୍ରାଣୀଙ୍କି ଆୟୁର୍ବେଦ ଦେଲା । । ୧୦୩

ବ୍ରାହ୍ମଣବଧ ଦେଖି କୋପେ । ସେ ପୁଣି ପର୍ଶୁରାମ ରୂପେ । । ୧୦୪

ପରଶୁ ଦକ୍ଷଭୁଜେ ଧରି । ଅବନୀ ପର୍ଯ୍ୟଟନ କରି । । ୧୦୫

କ୍ଷତ୍ରିୟ-ରୁଧିର ତର୍ପଣେ । ତୋଷିଲା ନିଜ ପିତୃଗଣେ । । ୧୦୬

ମୋର ବଚନେ ଦଇତାରି । ଈକ୍ଷ୍ୱାକୁବଂଶେ ଅବତରି । । ୧୦୭

ପିତା ବଚନେ ଗଲା ବନ । ସ୍ୱପତ୍ନୀ ସହିତେ ଲକ୍ଷ୍ମଣ । । ୧୦୮

ସୀତା ରାବଣ ନେଲା ହରି । ସେ କୋପେ ତାର ବଂଶ ମାରି । । ୧୦୯

ବିଭୀଷଣଙ୍କୁ ଲଙ୍କା ଦେଲେ । ଦେବଙ୍କ ଭୟ ନିବାରିଲେ । । ୧୧୦

ତ୍ରିପୁରବଧେ ଯେହ୍ନେ ହର । ସେ ରୂପେ ତେଜ ରଘୁବୀର । । ୧୧୧

ସେ ତେଜେ ଉରଗ ମକର । ନକ୍ରସମୂହ ଥରହର । । ୧୧୨

ଜଳଧି ତାରେ ଭୟକରି । ତାହାର ନିଜରୂପ ଧରି । । ୧୧୩

ଚରଣେ ଶରଣ ପଶିଲା । ଲଙ୍କାଗମନେ ମାର୍ଗ ଦେଲା । । ୧୧୪

ଦିଗବିଜୟେ ଲଙ୍କାପତି । ଅଇରାବତ ନାମେ ହସ୍ତୀ । । ୧୧୫

ତାହାର ସଙ୍ଗେ ବାଦ କରି । ଉରସ୍ପରଶେ ଦନ୍ତ ଚୂରି । । ୧୧୬

ଦେଖି ଭାଜିଲା ଗଜଶ୍ରେଷ୍ଠ । ରାବଣ ସଙ୍ଗେ କାହିଁ ହଟ । । ୧୧୭

ସେହି ରାବଣଦର୍ପ ରଣେ । ଶ୍ରୀରାମ ସଂହାରିଲେ ବାଣେ । । ୧୧୮

ଭୂମିର ଭାରା ନିବାରଣେ । କ୍ଷୀରସମୁଦ୍ରେ ଦେବଗଣେ । । ୧୧୯

ଈଶ୍ୱର ସଙ୍ଗେ ଦେବବଳେ । ନମିଲେ ଚରଣକମଳେ । । ୧୨୦

ଅନେକ ମତେ ସ୍ତୁତି ଭଣି । ବିଷ୍ଣୁ ସନ୍ତୋଷ ତାହାଣୁଣି । । ୧୨୧

ସନ୍ତୋଷେ ଶୁକ୍ଳକୃଷ୍ଣକେଶ । ଜଂଘୁ ଉପାଡ଼ି ହୃଷୀକେଶ । । ୧୨୨

ସେ ବେନିରୋମ ମହୀତଳେ । ଜନ୍ମି ଅସୁର ସଂହାରିଲେ । । ୧୨୩

ହରିଲେ ଅବନୀର ଭାର । ମହାମହିମା ଚକ୍ରଧର । । ୧୨୪

ତିନିଦିବସେ ନାରାୟଣ । ଶୋଷିଲେ ପୂତନାର ପ୍ରାଣ । । ୧୨୫

ମାସକେ ନନ୍ଦଗୃହେ ହରି । ପାଦେ ଶକଟା ଚୂର କରି । । ୧୨୬

ଦଧିମନ୍ଥନ କାଳେ ଧରି । ରୋଳେ ବାନ୍ଧିଲା ନନ୍ଦନାରୀ । । ୧୨୭

ସେ ରୋଳ ସଙ୍ଗେ ନନ୍ଦବଳା । ବେନିଅର୍ଜୁନ ମଧ୍ୟେଗଲା । । ୧୨୮

ଅତି ଉତ୍ସର୍ଗ ବେନିବୃକ୍ଷେ । ଉପୁଡ଼ି ପଡ଼ିଲେ ପ୍ରତ୍ୟକ୍ଷେ । । ୧୨୯

ସେ ପୁଣି ଗୋବତ୍ସ ରକ୍ଷଣେ । କାଳିନ୍ଦୀତଟେ ବୃନ୍ଦାବନେ । । ୧୩୦

ବତ୍ସା-ବାଳକ ବିଷଜଳେ । ପଶିଲେ ତୃଷାର ବିକଳେ । । ୧୩୧

ସକଳେ କଲେ ଜଳପାନ । ତକ୍ଷଣେ ହାରିଲେ ଜୀବନ । । ୧୩୨

ଅଦ୍ଭୁତ ଦେଖି ଭାବଗ୍ରାହୀ । ଅମୃତନୟନେ ଅନାଇ । । ୧୩୩

ତାହାଙ୍କୁ ଜୀବଦାନ ଦେଲେ । ସେ ଜଳେ ସର୍ପକୁ ଦେଖିଲେ । । ୧୩୪

ଜିହା ଚଞ୍ଚଳ ବିଷ ବଳେ । ବିହାର କାଳିନ୍ଦୀର ଜଳେ । । ୧୩୫

ଦୂରେ ନିବେଶି ନାଗବଳ । ଅମୃତ କଲେ ବିଷଜଳ । । ୧୩୬

ଜନ୍ତୁଙ୍କୁ କରାଇଲେ ପାନ । ଅଦ୍ଭୁତଗତି ଭଗବାନ । । ୧୩୭

ଅମ୍ବିକାବନେ ଗୋପଜନେ । ଶୟନେ ନିଶିଅର୍ଦ୍ଧମାନେ । । ୧୩୮

ଅଗ୍ନି ବେଢ଼ିଲା ବେଗେ ଆସି । ପ୍ରଳୟାନଳ ପ୍ରାୟ ଦିଶି । । ୧୩୯

ଅନଳ ଦେଖି ନନ୍ଦବଳା । ବଦନ ଲୁଚାଅ-ବୋଇଲା । । ୧୪୦

ଡରେ ଲୁଚାଇଲେ ମଦନ । ଗୋବିନ୍ଦ କଲେ ଅଗ୍ନିପାନ । । ୧୪୧

ବାନ୍ଧିବା ପାଇଁ ଡୋର ଆଣି । ଯେତେ ଯୋଖିଲା ନନ୍ଦରାଣୀ । । ୧୪୨

ବାନ୍ଧି ନ ପାରେ ନନ୍ଦନାରୀ । ମହାମହିମ ନରହରି । । ୧୪୩

ମାତାର କୋଳେ ବସିଥିଲା । ଜୃମ୍ଭଣେ ମୁଖ ବିସ୍ତାରିଲା । । ୧୪୪

ଗୋପୀ ଚାହିଁଲେ ତା ବଦନ । ଉଦରେ ଅଶେଷ-ଭୁବନ । । ୧୪୫

ଐଶ୍ୱର୍ଯ୍ୟଲୀଳା ତାର ଦେହୀ । ଦେଖି ଶଙ୍କିତମନ ହୋଇ । । ୧୪୬

ବରୁଣପୁରୁ ଦଇତାରି । ନନ୍ଦକୁ ବନ୍ଦୀମୋକ୍ଷ କରି । । ୧୪୭

ବରୁଣପୁରୁ ଯେତେବଳେ । ନନ୍ଦକୁ ଆଣିଲେ ଗୋକୁଳେ । । ୧୪୮

ଗୋପାଳେ ବରୁଣଭୁବନ । ଦେଖିବେ ବୋଲି କଲେ ମନ । । ୧୪୯

ତାହାଙ୍କୁ ନିଦ୍ରାକାଳେ ନେଇ । ବରୁଣଭୁବନ ଦେଖାଇ । । ୧୫୦

ପୁଣି ମାୟାରେ ଭଗବାନ । ଦେଖାଇ ଆପଣା ଭୁବନ । । ୧୫୧

ସେ ପୁଣି ବଳଦେବ ସଙ୍ଗେ । ବନେ ଖେଳନ୍ତି ନାନାରଙ୍ଗେ । । ୧୫୨

ବ୍ୟୋମଅସୁର ମାୟା କଲା । ଗୋପାଳପୁଅଙ୍କୁ ହରିଲା । । ୧୫୩

ଗିରିକ୍ରୋଟରେ ନେଇ ଥୋଇ । ଦ୍ୱାରରୁନ୍ଧିଲା ଶିଳା ଦେଇ । । ୧୫୪

ତାହା ଜାଣିଲେ ଚକ୍ରପାଣି । ବନ୍ଦୀରୁ ଗୋପସୁତ ଆଣି । । ୧୫୫

ଅସୁରଜୀବନ ହରିଲେ । ପୁଣି ଅଦ୍ଭୁତକର୍ମ କଲେ । । ୧୫୬

ଗୋପାଳେ ନନ୍ଦଗୋପ ମେଳେ । ଇନ୍ଦ୍ର-ଉତ୍ସବ-ଯଜ୍ଞ କାଳେ । । ୧୫୭

ଗୋବିନ୍ଦ ବୋଲେ ଯଜ୍ଞ ଭାଞ୍ଜି । ପର୍ବତ-ଗୋବର୍ଦ୍ଧନ ପୂଜି । । ୧୫୮

ମେଘ-ପବନ ଘେନି ସଙ୍ଗେ । ଇନ୍ଦ୍ର ମିଳିଲା ଗୋପେ ବେଗେ । । ୧୫୯

ଇନ୍ଦ୍ରବରଷେ କୋପ କରି । ପ୍ରଳୟକାଳେ ଯେହ୍ନେ ବାରି । । ୧୬୦

ତା ଦେଖି କୃଷ୍ଣ ଦୟାଚିତ୍ତେ । ଗୋରୁଗୋପାଳ ରକ୍ଷାଅର୍ଥେ । । ୧୬୧

ସପତ-ବରଷ-କୁମର । ହସ୍ତେ ଉପାଡ଼ି ଗିରିବର । । ୧୬୨

ଛତ୍ର ପରାଏ ବାମକରେ । ତୋଳିଲା ଅଙ୍ଗୁଳି ଅଗ୍ରରେ । । ୧୬୩

ସପତଦିନ ବରଷିଲା । କୃଷ୍ଣର କରେ ଗିରି ଥିଲା । । ୧୬୪

ଭୟେ ଚିନ୍ତିଣ ସୁରରାୟେ । ଶରଣଗଲା କୃଷ୍ଣପାୟେ । । ୧୬୫

ଆସି ସୁରଭୀ ଘେନି ସଙ୍ଗେ । ପୂଜିଲା କୃଷ୍ଣପାଦଯୁଗେ । । ୧୬୬

ଗୋବିନ୍ଦ ନାମ ଦେଇଗଲା । ସନ୍ତୋଷେ ପୁରେ ପ୍ରବେଶିଲା । । ୧୬୭

ପୁଣି ଶରଦଋତୁ କାଳେ । ଗୋବିନ୍ଦ ଯୋଗମାୟା ବଳେ । । ୧୬୮

ରାତ୍ରେ ଶଶାଙ୍କରଶ୍ମିଜାଳେ । ରାସଉତ୍ସବ ଗୋପୀମେଳେ । । ୧୬୯

ମଧୁର-ବେଣୁନାଦ-ଗୀତେ । ମନମୋହିଲେ ବାମା ଯେତେ । । ୧୭୦

ଅନଙ୍ଗମୋହେ ବ୍ରଜନାରୀ । ଗୋବିନ୍ଦ ସଙ୍ଗେ କ୍ରୀଡ଼ା କରି । । ୧୭୧

ଶୁଣି କୃଷ୍ଣର ବେଣୁସ୍ୱନ । ମିଳିଲା କୁବେରନନ୍ଦନ । । ୧୭୨

ଗୋପୀଙ୍କି ହରିବାର ଆଶେ । ଲୁଚି ବସିଲା ବନଦେଶେ । । ୧୭୩

ତାହାକୁ ଧରି ବେଣୁଧର । କରପ୍ରହାରେ ଛେଦିଶିର । । ୧୭୪

ମଣି ହରିଲେ ତାର ଶିରୁ । ଅଶେଷଜନପିତାଗୁରୁ । । ୧୭୫

ପ୍ରଳମ୍ବା ଖର ବକାସୁର । କେଶୀ ଧେନୁକା ଷଣ୍ଢାବୀର । । ୧୭୬

ମୁଷ୍ଟିକମଲ୍ଲ କୁବଳୟା । କଂସ ଯବନ ଘୋରମାୟା । । ୧୭୭

ନାରକା ସାଲ୍ୱ ପୁଣ୍ତରୀକ । କପି ବଲ୍ୱଳ ଦନ୍ତବକ୍ର । । ୧୭୮

ସପତଷଣ୍ଢ ବିଦୂରଥ । ସମ୍ବର ରୁକ୍ମିଣୀର ଭ୍ରାତ । । ୧୭୯

କାମ୍ବୋଜ ମତ୍ସ୍ୟ କୁରୁବୀରେ । ସୃଞ୍ଜୟ କେକୟ ଅପରେ । । ୧୮୦

ଏହାଙ୍କୁ ସଂଗ୍ରାମେ ନିବାରି । ଭୀମ ଅର୍ଜୁନ ସଙ୍ଗେ କରି । । ୧୮୧

ପରମପଦେ ଦେଲେ ସ୍ଥାନ । ମାୟା-ମନୁଷ୍ୟ-ଭଗବାନ । । ୧୮୨

କଳିପ୍ରବେଶ କାଳବଳେ । ପ୍ରାଣୀଏ ଚେତନା-ଚଞ୍ଚଳେ । । ୧୮୩

ଭାରତୀ ନ ପାରନ୍ତି ଧରି । ଅଳ୍ପଆୟୁଷ ଦେଖି ହରି । । ୧୮୪

ଜନ୍ମିଲେ ବ୍ୟାସ ରୂପ ଧରି । ଅଶେଷ-ଶ୍ରୁତିଶାସ୍ତ୍ର କରି । । ୧୮୫

ବେଦଦ୍ରୁମକୁ ଶାଖା କଲେ । ଏକୁ ଅନେକ ବୁଦ୍ଧିବଳେ । । ୧୮୬

ଅସୁରେ ରହି ବେଦମାର୍ଗେ । ମାୟାଭିମାନେ କଳିଯୁଗେ । । ୧୮୭

ମୟଦଇତର ସଙ୍ଗତେ । ଦୃଶ୍ୟ-ଅଦୃଶ୍ୟ ବେନିପଥେ । । ୧୮୮

ସେକଥା ଜାଣି ଜଗନ୍ନାଥେ । ବୁଦ୍ଧାବତାରେ ଜନହିତେ । । ୧୮୯

କପଟ-ମାୟା-ମୋହବଶେ । ପାଷାଣ୍ତମାର୍ଗ ଉପଦେଶେ । । ୧୯୦

ଅନେକ ଦୁର୍ଗତି ହରିବେ । ସୁଜନଜନଙ୍କୁ ରଖିବେ । । ୧୯୧

ପୁଣି ଏ କଳିଯୁଗ ଅନ୍ତେ । ସୁଧୁଜନଙ୍କ ଗୃହଗତେ । । ୧୯୨

କୃଷ୍ଣ-ସ୍ମରଣ-ଗୁଣଗାଥା । ନୋହିବ ଯେବେ ହରିକଥା । । ୧୯୩

ଦ୍ୱିଜେ ପାଷଣ୍ତ ଆଚରିବେ । ସେ ପଞ୍ଚଯଜ୍ଞ ନ କରିବେ । । ୧୯୪

ରାଜା ହୋଇବେ ଶୂଦ୍ରଜନେ । ପ୍ରଜା ପୀଡ଼ିବେ କର-ଧନେ । । ୧୯୫

ଯେ ସ୍ୱାହା ସ୍ୱଧା ବଷଟ୍ କାର । ଛାଡ଼ି କରିବେ ଦୁରାଚାର । । ୧୯୬

ଏ କର୍ମ ଦେଖି କଳ୍କୀ ରୂପେ । ଅଶ୍ୱ ଆରୋହି ମହାକୋପେ । । ୧୯୭

ଖଡ଼୍ଗ ଉଭାରି ବେନିହସ୍ତେ । ଶେଷେ ସ୍ଥାପିବେ ଧର୍ମପଥେ । । ୧୯୮

ସର୍ଜନେ ମୁହିଁ ଋଷି ନବ । ପ୍ରଜାପତିଏ ତପଭାବ । । ୧୯୯

ସ୍ଥିତିରେ ଧର୍ମ ମନୁଗଣ । ଯଜ୍ଞସ୍ୱରୂପ ବିଷ୍ଣୁ ପଣ । । ୨୦୦

ଅମରଗଣ ରାଜାଗଣ । ସଂହାରେ ଅଧର୍ମ କାରଣ । । ୨୦୧

ଯେ ହର ହରେ ତିନିପୁର । ଉରଗ ଆଦି ଯେ ଅସୁର । । ୨୦୨

ଅନନ୍ତ ଶକ୍ତି ଦାମୋଦର । ଏ ସର୍ବ ବିଭୂତି ତାହାର । । ୨୦୩

ଯେଣୁ ସେ ମାୟାରୂପ ଧରେ । କଳ୍ପକଳ୍ପାନ୍ତେ ସୃଷ୍ଟି କରେ । । ୨୦୪

ଯେ ବିଷ୍ଣୁ-ନାଭି-ଜାତ-ପାଦ । ଆବୋରି ଭୁବନ ଚଉଦ । । ୨୦୫

ଯା ବେଗେ ପ୍ରକୃତି କମ୍ପିଲା । ନିଜ ବିକ୍ରମେ ଯେ ଧଇଲା । । ୨୦୬

ସେ ବିଷ୍ଣୁ-ମହିମା ସଂସାରେ । କେ ଗଣି ସଂଖ୍ୟା କରିପାରେ । । ୨୦୭

ଯେ କବି ଭୂମି ରେଣୁ ଗଣି । ସେ କି ପାରିବ ପରିମାଣି । । ୨୦୮

ତାହାର ମାୟାବଳ ଗତି । ତା ଅନ୍ତ କେହି ନ ଜାଣନ୍ତି । । ୨୦୯

ତୋର ଅଗ୍ରଜ ମୁନି ଶାନ୍ତ । ସେ କାହିଁ ଜାଣିବେ ତଦନ୍ତ । । ୨୧୦

ବ୍ରହ୍ମା ଶଙ୍କର ନ ପ୍ରମାଣେ । ଅପରେ କେବା ତାହା ଜାଣେ । । ୨୧୧

ବାସୁକି ଅୟୁତବଦନେ । ସମର୍ଥ ନୋହେ ଗୁଣଗାନେ । । ୨୧୨

ଯାହାରେ ହରି ଦୟାକରେ । ସେ ଯେବେ ନିଷ୍କପଟେ ଧରେ । । ୨୧୩

ଦୁସ୍ତର-ମାୟା ସେ ତରନ୍ତି । ଦୁଃଖେ ସଙ୍କଟେ ନ ପଡ଼ନ୍ତି । । ୨୧୪

ଶ୍ୱାନ-ଶୃଗାଳ-ଭକ୍ଷ ଦେହେ । ଏ ମୋର ବୋଲି ଜ୍ଞାନ ନୋହେ । । ୨୧୫

ଏବେ ନାରଦ ଶୁଣ ଧୀରେ । ଯେବା ତରିଲେ ମାୟାଘୋରେ । । ୨୧୬

ତା ମାୟା ଚିତ୍ତେ ଜାଣି ଭଲେ । ଯେ ଏ ସଂସାରୁ ତରିଗଲେ । । ୨୧୭

ମୁହିଁ ଜାଣଇ ମାୟା ତାର । ତୁମ୍ଭେ ସନକାଦି ଶଙ୍କର । । ୨୧୮

ପ୍ରହ୍ଲାଦ ଜାଣେ ଅନ୍ତର୍ଗତେ । ମନୁ ଯେ କୁଟୁମ୍ବ ସହିତେ । । ୨୧୯

ପ୍ରାଚୀନବାର୍ହି ଋଭୁ ଅଙ୍ଗ । ଧ୍ରୁବ ଈକ୍ଷ୍ୱାକୁ ମୁଚୁକୁନ୍ଦ । । ୨୨୦

ବିଦେହ ସୌମ୍ୟସୁତ ଗାଧି । ରଘୁ ଅମ୍ବରୀଶ ସୁବୁଦ୍ଧି । । ୨୨୧

ଗୟ ନହୁଷ ଆଦି ଯେତେ । ଶୁଣ ନାରଦ କହୁଁ ତୋତେ । । ୨୨୨

ମାନ୍ଧାତାଳର୍କ ଶତଧନୁ । ରନ୍ତିଦେବ ଯେ ଗଙ୍ଗାସୂନୁ । । ୨୨୩

ଅମୂର୍ତ୍ତରୟ ଯେ ସୌଭରି । ଦିଲୀପ ଉତ୍ତଙ୍କ ଯେ ବଳୀ । । ୨୨୪

ଶିବି ଦେବଳ ପିପ୍ ପଲାଦ । ସାରସ୍ୱତ ସଙ୍ଗେ ଉଦ୍ଧବ । । ୨୨୫

ଯେ ପରାଶର ଭୂରିଷେଣ । ରାବଣଭ୍ରାତ ହନୁମାନ । । ୨୨୬

ଶୁକ ଯେ ଉପଇନ୍ଦ୍ର ଦତ୍ତ । ବିଦୁର ଆର୍ଷ୍ଟିଷେଣ ପାର୍ଥ । । ୨୨୭

ବ୍ରାହ୍ମଣ ଶ୍ରୁତଦେବ ତୁଲେ । ବିଷ୍ଣୁମାୟାରୁ ତରିଗଲେ । । ୨୨୮

ହୂଣ ଯବନ ଶୂଦ୍ର ସ୍ତିରୀ । ଶବର ତୁଲେ ଗଲେ ତରି । । ୨୨୯

କୃଷ୍ଣର ରୂପେ ମନ ଯାର । କିବା କହିବା ଗତି ତାର । । ୨୩୦

ଅଦ୍ଭୁତକର୍ମ ଯେ ତାହାର । ଯେ ଭାବେ ନାହିଁ ପରାପର । । ୨୩୧

ତା ଭକ୍ତିଶିକ୍ଷା ଅଟେ ଯାର । ସେହୁ ତରନ୍ତି ମାୟାଘୋର । । ୨୩୨

ନିତ୍ୟ ପ୍ରଶାନ୍ତ ସେ ନିର୍ଭୟ । ପ୍ରବୋଧ ମାତ୍ର ଯାର ଦେହ । । ୨୩୩

ସେ ଶୁଦ୍ଧ ସର୍ବଘଟେ ସମ । ରୂପ-ଅରୂପ ପରଧାମ । । ୨୩୪

ଶବ୍ଦ ନ ପାରେ ଯାହା କହି । ଅନେକ କ୍ରିୟାଯୋଗ ବହି । । ୨୩୫

ଯାର ସମ୍ମୁଖେ ଭଗବତୀ । ଲାଜେ ପଳାଇ ଶିରପୋତି । । ୨୩୬

ଯେ ବ୍ରହ୍ମଜ୍ଞାନୀ ମୁନିଗଣେ । ଯାହା ସ୍ମରନ୍ତି ଅନୁକ୍ଷଣେ । । ୨୩୭

ନିଜସ୍ୱରୂପ ତାର ଚିନ୍ତି । ପରମପୁରୁଷ ବୋଲାନ୍ତି । । ୨୩୮

ଅଜରାମର ଯେ ବିଶୋକ । ନାହିଁ ଯାହାର ରୂପରେଖ । । ୨୩୯

ଯାହାର ମନ ଦୃଢ଼ଚିେତ୍ତେ । କୃଷ୍ଣବିଷୟେ ଅବିରତେ । । ୨୪୦

ଭାବି ଛାଡ଼ଇ ସର୍ବତାପ । ଇନ୍ଦ୍ର ନ ଖୋଳେ ଯେହ୍ନେ କୂପ । । ୨୪୧

ସେ ହରି କଇବଲ୍ୟନାଥ । ଭାବ ସ୍ୱଭାବ ଏ ଜଗତ । । ୨୪୨

କରାଏ ସର୍ବଦେହେ ବସି । ଶମାଦି ସ୍ୱଭାବ ପ୍ରକାଶି । । ୨୪୩

ଦେହ-ବିଯୋଗ କାଳେ ଦେହୀ । ଗଗନପ୍ରାୟେ ଶୂନ୍ୟେ ରହି । । ୨୪୪

ତେଣେ ତାହାର ସଙ୍ଗ ନାହିଁ । ଜନମ ମୃତ୍ୟୁ ତାର କାହିଁ । । ୨୪୫

ହେ ପୁତ୍ର କହିଲି ମୁଁ ତୋତେ । ହରିମହିମା ଭାବି ଚିତ୍ତେ । । ୨୪୬

ସତ ଅସତ ରୂପ ସେହି । ଅଶେଷ ମାୟାରୂପ ବହି । । ୨୪୭

କରଇ ଆତ୍ମା ଖେଳାଲୀଳା । ତାର ଚରିତ ଭବଭେଳା । । ୨୪୮

ଏ ଭାଗବତଧର୍ମ ଯେତେ । ଗୋବିନ୍ଦ କହିଥିଲେ ମୋତେ । । ୨୪୯

ଏ ସର୍ବ ସଂଗ୍ରହର ମୂଳ । ଅଶେଷ ଧର୍ମ ଯଜ୍ଞଫଳ । । ୨୫୦

ଲୀଳା ବିସ୍ତାରି କହ ମୁଖେ । ସୁଜନଜନଙ୍କର ସୁଖେ । । ୨୫୧

ଯେମନ୍ତେ ପ୍ରାଣୀଙ୍କର ଚିତ୍ତେ । କୃଷ୍ଣବିଷୟ ଅବିରତେ । । ୨୫୨

ଯେମନ୍ତେ ନାଶେ ଶୋକମୋହ । ଇତି ସଙ୍କଳ୍ପି ତାତ କହ । । ୨୫୩

ବର୍ଣ୍ଣିଲି ଈଶ୍ୱରର ମାୟା । ଯେ ଶୁଣେ ତରେ ତାର କାୟା । । ୨୫୪

ମାୟା ନ ଲାଗେ ତାର ଚିତ୍ତେ । ଯେ ମୁଖେ ଗୁଣେ ଅବିରତେ । । ୨୫୫

ଏମନ୍ତ ଭାଗବତବାଣୀ । ନାରଦ ବ୍ରହ୍ମାମୁଖୁ ଶୁଣି । । ୨୫୬

ମନଆନନ୍ଦେ କୃତକୃତ୍ୟ । କହଇ ଦାସ ଜଗନ୍ନାଥ । । ୨୫୭

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦ୍ୱିତୀୟସ୍କନ୍ଧେ ବ୍ରହ୍ମାନାରଦସମ୍ୱାଦେ ସପ୍ତମୋଽଧ୍ୟାୟଃ ।।

* * *