ଦ୍ଵିତୀୟ ସ୍କନ୍ଧ

ଷଷ୍ଠ ଅଧ୍ୟାୟ

ବ୍ରହ୍ମା ଉବାଚ

ଶୁଣ ନାରଦ ମହାଋଷି । ବିରାଜରୂପେ ବ୍ରହ୍ମରାଶି । ।

ବ୍ରହ୍ମାଣ୍ତ ମଧ୍ୟେ ପ୍ରବେଶିଲା । ଯେ ଅଙ୍ଗୁ ଯେବା ପ୍ରକାଶିଲା । ।

ତାହା କହିବା ତୋତେ ଭଲେ । ଇନ୍ଦ୍ରିୟଅର୍ଥେ ଇନ୍ଦ୍ରିତୁଲେ । ।

ବଚନ ବହ୍ନିମୁଖେ ବସେ । ଯେଣେ ତା ଶବଦ ପ୍ରକାଶେ । ।

ସପତଛନ୍ଦ ଧାତୁ ଯେତେ । ଦେହରେ ବସେ ତା ବାହ୍ୟାନ୍ତେ । ।

ରସନା ଷଡ଼ରସେ ରସେ । ଜଳାଧିପତି ଯହିଁ ବସେ । ।

ସେ ଦେବ-ପିତୃ ନରଙ୍କର । ଅନ୍ନର ସ୍ଥାନ ସେ ଆବର । ।

ପ୍ରାଣସହିତ ଦଶପ୍ରାଣ । ସୁଗନ୍ଧ ଦୁର୍ଗନ୍ଧ ଆଘ୍ରାଣ । ।

ନାସାବିବରେ ଆଶ୍ରେ କଲେ । ଅଶ୍ୱିନୀକୁମାରଙ୍କ ତୁଲେ । ।

ଚକ୍ଷୁଇନ୍ଦ୍ରିୟ ରୂପ ଅର୍ଥେ । ସୂର୍ଯ୍ୟ ପ୍ରକାଶ ଦୃଷ୍ଟିପଥେ । । ୧୦

ଶବଦଅର୍ଥେ କର୍ଣ୍ଣବେନି । ଦିଗବସଇ ତୀର୍ଥ ଘେନି । । ୧୧

ସେ ଦେବଦେହେ ଚର୍ମଦେଶେ । ସ୍ପରଶ ପବନ ପ୍ରକାଶେ । । ୧୨

ଯେ ସର୍ବଯଜ୍ଞବସ୍ତୁ ସାର । ସର୍ବସୌଭାଗ୍ୟର ବେଭାର । । ୧୩

ଚର୍ମ ଉପରେ ରୋମ ଭେଦି । ସେବୃକ୍ଷ ଯେଣେ ଯଜ୍ଞ ସାଧି । । ୧୪

କେଶ ପ୍ରକାଶ ମୁଣ୍ତେ ଦାଢ଼ି । ଯେ ପାଦେ କରେ ନଖ ଜଡ଼ି । । ୧୫

ସେ ତିନି ମଧ୍ୟେ ତିନିଦେବା । ପାଷାଣ ଲୌହ ମେଘପ୍ରଭା । । ୧୬

ବାସବଆଦି ଦିଗପାଳେ । ବସନ୍ତି ତାର ଭୁଜମୂଳେ । । ୧୭

ତାର ବିକ୍ରମେ ଲୋକତିନି । ଭୂଲୋକ-ଭୁବ-ସ୍ୱର୍ଗ ଘେନି । । ୧୮

ଯେ ସର୍ବ-କୁଶଳ-କାରଣ । ସକଳ-ଭୟ-ନିବାରଣ । । ୧୯

ସେ ହରି ଚରଣକମଳ । ସକଳ-କାମବର-ସ୍ଥଳ । । ୨୦

ଯେ ସର୍ଗ ଶୁକ୍ରଘ ନରସ । ଯା ମେଢ୍ରେ ପ୍ରଜାପତି ବାସ । । ୨୧

ମନ ଇନ୍ଦ୍ରିୟରସେ ରସେ । ଜନନେ ପ୍ରଜାପତି ବସେ । । ୨୨

ସନ୍ତାନ ଅର୍ଥେ ସେ କଳ୍ପିତ । ସମ୍ଭୋଗ କାମେଣ ନିବୃତ୍ତ । । ୨୩

ମଳ ଉତ୍ମର୍ଗ ମଳଦ୍ୱାରେ । ଯମ ବସଇ ଅଧିକାରେ । । ୨୪

ନାଡ଼ୀ ସମୂହେ ନଦୀନଦେ । ଗିରି ସମୂହେ ଅସ୍ଥିଭେଦେ । । ୨୫

ପାୟୁ ନରକ ଯମକ୍ଷେତ୍ର । ତା ମଳତ୍ୟାଗସ୍ଥାନ ମିତ୍ର । । ୨୬

ହିଂସା ଅଲକ୍ଷ୍ମୀ ମୃତ୍ୟୁ ତହିଁ । ନିୟତ ବସତି କରଇ । । ୨୭

ସେ ଜୀବଦେହେ ପୃଷ୍ଠଦେଶେ । ଅଧର୍ମ ସଙ୍ଗେ ତମ ବସେ । । ୨୮

ସପତସିନ୍ଧୁ ଗର୍ଭେ ରହି । ଭୋଜନେ ତୁଷ୍ଟି ପୁଷ୍ଟି ବହି । । ୨୯

ଉଦରେ ମୃତ୍ୟୁ ହୃଦଦେଶେ । ସର୍ବବ୍ୟାପକ ମନ ବସେ । । ୩୦

ବିରାଟଆତ୍ମା ଦେହ ମଧ୍ୟେ । ବସଇ ସକଳ ସମ୍ପଦେ । । ୩୧

ଧର୍ମ ସଙ୍ଗତେ ପଦ୍ମଯୋନି । ତୋ ସଙ୍ଗେ କୁମାରଙ୍କୁ ଘେନି । । ୩୨

ବିଜ୍ଞାନ-ସତ୍ତ୍ଵ ରୁଦ୍ର ସଙ୍ଗେ । ସର୍ବେ ଆଶ୍ରିତ ଆତ୍ମାଅଙ୍ଗେ । । ୩୩

ବ୍ରହ୍ମା ନାରଦ ଭବ ଆଦି । ମୁନିଏ ଯେତେ ବେଦବାଦୀ । । ୩୪

ସୁର ଅସୁର ନର ନାଗ । ଯେ ସରୀସୃପ ଖଗ ମୃଗ । । ୩୫

ଗନ୍ଧର୍ବ ଅପ୍ସରା ଯକ୍ଷ । ଭୂତ ଉରଗ ପଶୁ ରକ୍ଷ । । ୩୬

ପିତର ସିଦ୍ଧ ବିଦ୍ୟାଧର । ଚାରଣ ଗୁହ୍ୟକ କିନ୍ନର । । ୩୭

ବୃକ୍ଷ ଔଷଧି ଲତା ଯେତେ । ବିବିଧଜୀବଙ୍କ ସମେତେ । । ୩୮

ଯେ ଜଳ ସ୍ଥଳ ଅନ୍ତରୀକ୍ଷେ । ଗ୍ରହ ଆଦିତ୍ୟ କେତୁଋକ୍ଷେ । । ୩୯

ତାରା ସମୂହ ତେଜେ ଝଳି । ଜୀମୂତ ପ୍ରକାଶେ ବିଜୁଳି । । ୪୦

ତା ତନୁ ଏ ସର୍ବ କାରଣ । ଭୂତ ଭବିଷ୍ୟ ବର୍ତ୍ତମାନ । । ୪୧

ଏ ରୂପେ ଏ ବିଶ୍ୱ-ସଂସାର । ପ୍ରକାଶେ ଯାହାର ଶରୀର । । ୪୨

ବିତସ୍ତିମାତ୍ର ମଧ୍ୟେ ରହେ । ଏକ ଅନେକ ଜନ୍ତୁ ଦେହେ । । ୪୩

ଭିତରେ ରହେ ପ୍ରାଣ ତେଜେ । ପ୍ରକାଶେ ଅନ୍ତର ବାହିଯ୍ୟେ । । ୪୪

ଅବ୍ୟୟ ଅମୃତ ଈଶ୍ୱର । ଜନ୍ମ-ମରଣ ଆରପାର । । ୪୫

ତାହାର ଏମନ୍ତ ମହିମା । ଏଣୁ ଦୁସ୍ତର ଗୁଣସୀମା । । ୪୬

ପାଦେ ଅଶେଷ ଭୂତ ବସେ । ଅମୃତାଭୟ କ୍ଷେମକୋଷେ । । ୪୭

ତ୍ରିଲୋକ ଉର୍ଦ୍ଧ୍ୱେ ତିନିଲୋକ । ବହେ ଅଭୟ କ୍ଷେମ ସୁଖ । । ୪୮

ଯେ ପ୍ରଜାଶ୍ରମେ ଧର୍ମ ଚିନ୍ତେ । ତ୍ରିଲୋକେ ଭ୍ରମେ ଗତାଗତେ । । ୪୯

ଯେ ଆନ ଆଶ୍ରମେ ରମନ୍ତି । ତ୍ରୈଲୋକ୍ୟ ବାହ୍ୟେ ତାଙ୍କ ସ୍ଥିତି । । ୫୦

ଜୀବର ଏହି ବେନିଗତି । ବିଦ୍ୟା ଅବିଦ୍ୟା ଭାବେ ହୋନ୍ତି । । ୫୧

ଯେ ଶ୍ରୁତିମାର୍ଗେଣ ଉତ୍ତରେ । ଦକ୍ଷିଣେ ପୁରୁଷ ସଞ୍ଚରେ । । ୫୨

ଭୋଗାପବର୍ଗର ସାଧନ । ଜୀବର ଏ ବେନି ଅୟନ । । ୫୩

ଯାହାର ଅଂଶ ମାୟାମୟ । ଭୂତ-ଇନ୍ଦ୍ରିୟ-ଗୁଣାଶ୍ରୟ । । ୫୪

ବିରାଟ ରୂପେ ଜାତ ହୁଏ । କିରଣ ଯେହ୍ନେ ସୂର୍ଯ୍ୟଦେହେ । । ୫୫

ଯାହାର ନାଭିପଦ୍ମୁ ଜାତ । ମୁଁ ବ୍ରହ୍ମା ବ୍ରହ୍ମାଣ୍ତର ନାଥ । । ୫୬

ଯଜ୍ଞସମ୍ଭାର ନ ଜାଣଇ । ଯାବତ ତାର ଦେହେ ଥାଇ । । ୫୭

ତାର ଶରୀରେ ଯଜ୍ଞବିଧି । ଆଗମ-ନିଗମ ପ୍ରସିଦ୍ଧି । । ୫୮

ପଶୁ ଇନ୍ଧନ କୁଶ ଆଦି । ଯେମନ୍ତେ ଯେ ଅବା ସମ୍ପାଦି । । ୫୯

ଯଜନ ଦେବ ପିତୃ ତୋଷେ । ଯେ କାଳ ଯେବା ପୁଣ୍ୟଦେଶେ । । ୬୦

ଯେତେ ପାତ୍ରରେ ଯଜ୍ଞ କରି । ମନ୍ତ୍ର ଔଷଧି ଆଦିକରି । । ୬୧

ସ୍ନେହରସ ଯେ ଲୌହ ଆଦି । ମୃତ୍ତିକା ଜଳ ଯେ ସମ୍ପାଦି । । ୬୨

ଋକ ଯଜୁଃ ଯେ ସାମ ତିନି । ଚତୁରହୋତ୍ର କର୍ମ ଘେନି । । ୬୩

ଯେ ନାମଧେୟ ଯେବା ମନ୍ତ୍ର । ଯେବା ଦକ୍ଷିଣା ଯେବା ବ୍ରତ । । ୬୪

ଦେବତା ଅନୁକ୍ରମ କଳ୍ପ । ଯେ ତନ୍ତ୍ର ଯେ ଅବା ସଙ୍କଳ୍ପ । । ୬୫

ଯେ ଗତି ଯଜ୍ଞ ଯେବା ମତି । ଯେ ସମର୍ପଣ ପ୍ରାୟଶ୍ଚିତ୍ତି । । ୬୬

ଯଜ୍ଞସମ୍ଭାର ତା ଶରୀରେ । ଲଭିଲି ଜନ ଉପକାରେ । । ୬୭

ତାର ବିଭୂତି ତାର ଅଙ୍ଗେ । ଯଜ୍ଞ ଆରୋଧି ହବିର୍ଭାଗେ । । ୬୮

ପୂଜିଲି ପୁରୁଷ-ପୁରାଣ । ତେଣୁ ମୁଁ ସଂସାର-କାରଣ । । ୬୯

ସକଳ ଯଜ୍ଞଭାଗେ ଚିନ୍ତି । ମୋ ଅନ୍ତେ ନବପ୍ରଜାପତି । । ୭୦

ଯଜ୍ଞପୁରୁଷ ସ୍ଥାପି କୁଣ୍ତେ । ଯେମନ୍ତ ବିଧି କର୍ମକାଣ୍ତେ । । ୭୧

ପୂଜିଲେ ତାହାର ଚରଣେ । ଯେ ବିଧି ମନ୍ତ୍ର-ଉଚ୍ଚାରଣେ । । ୭୨

ଏହି ପ୍ରକାରେ ସର୍ବଋଷି । ପିତୃ ଦେବତା ମନୁ ବସି । । ୭୩

ଦାନବ ମାନବ ସହିତେ । ଯଜ୍ଞେ ପୂଜିଲେ ବେଦମନ୍ତ୍ରେ । । ୭୪

ସେ ହରି ଅଙ୍ଗେ ଏ ଜଗତ । ଯଜ୍ଞ ପୂଜନେ ସମାହିତ । । ୭୫

ଯେ ସ୍ୱୟଂ ନିର୍ଗୁଣ ଅନନ୍ତ । ମାୟା ଗୃହୀତ ଗୁଣବନ୍ତ । । ୭୬

ଯଜ୍ଞେ ତାହାଙ୍କୁ ପୂଜା କରି । ମୁଁ ଏ ସଂସାରେ ଅଧିକାରୀ । । ୭୭

ତାହା ଆଜ୍ଞା ଶିରେ ବହି । ମୁଁ ଏ ସଂସାର ସରଜଇ । । ୭୮

ପାଳଇ ବିଷ୍ଣୁ ରୂପ ଧରି । ଶଙ୍କର ରୂପେଣ ସଂହରି । । ୭୯

ସୃଷ୍ଟିପାଳନ ସଂହାରଣ । ଏ ଆଦି ବିକାର ତ୍ରିଗୁଣ । । ୮୦

ସେ ମାୟାଧର ନରହରି । ଖେଳଇ ସୃଷ୍ଟିଲୀଳା କରି । । ୮୧

ତୁ ଯାହା ପୁଚ୍ଛିଲୁ ପ୍ରସ୍ତାବେ । ସଂକ୍ଷେପି କହିଲି ମୁଁ ଏବେ । । ୮୨

ସତ ଅସତ ରୂପ ଯେତେ । ମାୟା କଳ୍ପିତ ଏ ଜଗତେ । । ୮୩

ଏ ସର୍ବରୂପ ନାରାୟଣ । ଅନାଦି-ପରମ-କାରଣ । । ୮୪

ମୋର ବଚନ ହେ ନାରଦ । କେବେ ହେଁ ନୁହଇ ଅସଦ । । ୮୫

ମୋହର ମନ ସତ୍ୟେ ସ୍ଥିତି । ସ୍ୱଭାବେ ନୁହେ ମିଥ୍ୟାଗତି । । ୮୬

ଏ ମୋର ଇନ୍ଦ୍ରିଗଣ କେବେ । ନ ଯାନ୍ତି ଅସତ୍ୟ ଅମାର୍ଗେ । । ୮୭

ଯେଣୁ ମୋ ହୃଦେ ନାରାୟଣ । ଉକ୍ରଣ୍ଠାଭାବେ ସୁମରଣ । । ୮୮

ତପ ସମାଧି ମୋର ସ୍ଥିତି । ମୁଁ ପ୍ରଜାପତିଙ୍କର ପତି । । ୮୯

ଯୋଗେ ନିପୁଣ ସମାହିତ । ଯେଣୁ ମୁଁ ଆତ୍ମତନ୍ତ୍ରେ ଜାତ । । ୯୦

ତେବେ ହେଁ ନ ଜାଣିଲି ତାକୁ । ଆନ କେ ଅଛି ଜାଣିବାକୁ । । ୯୧

ତାର ଚରଣେ ନମସ୍କାର । ଯା ଭାବେ ତୁଟଇ ସଂସାର । । ୯୨

ଶୁଭ ମଙ୍ଗଳ ସ୍ୱସ୍ତ୍ୟୟନ । ଆନନ୍ଦମୂଳ ମାୟାଧାମ । । ୯୩

ବ୍ରହ୍ମାଦି ଦେବେ ଅଗୋଚର । ଅକୁଣ୍ଠ-ମହିମା ଯାହାର । । ୯୪

ଆତ୍ମାରେ ଆତ୍ମମାୟା କରେ । ଲୀଳାରେ ବିହରେ ସଂସାରେ । । ୯୫

ସ୍ୱମାୟା ସେହି ନ ଜାଣଇ । କେ ଅବା ଅପରେ ଜାଣଇ । । ୯୬

ଦୃଶ୍ୟ ଅଦୃଶ୍ୟ ସର୍ବବ୍ୟାପୀ । ଗଗନ ଯେହ୍ନେ ବିଶ୍ୱରୂପୀ । । ୯୭

ମୁଁ ଯାର ଗତି ନ ଜାଣଇ । ତୁ କାହିଁ ପ୍ରବେଶିବୁ ତହିଁ । । ୯୮

ଭାବ ନ ପାରେ ଯାକୁ ଚିନ୍ତି । ଦେବେ ଜାଣିବେ କାହିଁ ଗତି । । ୯୯

ତାର ମାୟାରେ ମୋହି ହୋଇ । ତା ରୂପ କେହି ନ ଜାଣଇ । । ୧୦୦

ଆତ୍ମାର ସମ ଆମ୍ଭେ ଜାଣୁ । କେ ତାର ରୂପ ପରିମାଣୁ । । ୧୦୧

ଯା ଅବତାର କର୍ମମାନ । ମୋ ଆଦି କରନ୍ତି ଗାୟନ । । ୧୦୨

ତତ୍ତ୍ବେ ଜାଣିବୁ ଆମ୍ଭେ କାହିଁ । ଯାହାର ଆଦିଅନ୍ତ ନାହିଁ । । ୧୦୩

ଯାର ଚରଣେ ଆମ୍ଭେ ନମୁ । ଯା ମାୟାରୂପ ବଳେ ଭ୍ରମୁ । । ୧୦୪

ସେ ଆଦିପୁରୁଷ ମୁରାରି । କଳ୍ପ-କଳ୍ପକେ ସୃଷ୍ଟି କରି । । ୧୦୫

ଆତ୍ମାରେ ଆତ୍ମାରୂପେ ମିଳେ । ଆତ୍ମାକୁ ଆପେ ହରେ ପାଳେ । । ୧୦୬

କେବଳ ଶୁଦ୍ଧ-ଜ୍ଞାନମୟେ । ସତ୍ୟସ୍ୱରୂ ସର୍ବଦେହେ । । ୧୦୭

ଅନାଦି ଅନନ୍ତ ନିର୍ଗୁଣ । ନିତ୍ୟ ଅବ୍ୟୟ ନାରାୟଣ । । ୧୦୮

ଶୁଣ ନାରଦ ମନ ଦେଇ । ଯେମନ୍ତେ ତାହାକୁ ଜାଣଇ । । ୧୦୯

ପ୍ରଶାନ୍ତ-ଆତ୍ମା ମୁନିଗଣେ । ନିର୍ମଳ-ଅନ୍ତରକରଣେ । । ୧୧୦

ସମାଧି ଯୋଗବଳେ ଚିନ୍ତି । ଆତ୍ମାରେ ଆତ୍ମାକୁ ଦେଖନ୍ତି । । ୧୧୧

ଅସତ୍ୟ ତର୍କ ଯେବେ ଥାଇ । ତେବେ ତା ଭାବ ନ ଜାଣଇ । । ୧୧୨

ପରମ-ପୁରୁଷ ମୁରାରି । ଆଦ୍ୟାବତାର ତନୁ ଧରି । । ୧୧୩

କାଳ ସ୍ୱଭାବ ସଙ୍ଗେ ମନ । ଯେ ନିତ୍ୟ ଶୁଦ୍ଧ ଚଇତନ । । ୧୧୪

ଦ୍ରବ୍ୟ ବିକାର ତିନିଗୁଣ । ଦେବ ସମେତେ ଇନ୍ଦ୍ରିଗଣ । । ୧୧୫

ବିରାଟ ରୂପେ ମହୀ ମାଝେ । ସ୍ଥାବର ଆଦି ଦେହେ ବିଜେ । । ୧୧୬

ବ୍ରହ୍ମା ଶଙ୍କର ଯଜ୍ଞପତି । ଦକ୍ଷାଦି ଯେତେ ପ୍ରଜାପତି । । ୧୧୭

ତୁ ଆଦି ସନକ ସହିତେ । ସ୍ୱର୍ଗେ ଦେବତା ଛନ୍ତି ଯେତେ । । ୧୧୮

ଗରୁଡ଼ ଆଦି ଖଗପାଳେ । ଭୂଲୋକ ସପତ-ପାତାଳେ । । ୧୧୯

ଗନ୍ଧର୍ବ ବିଦ୍ୟାଧରଗଣ । ଯେ ଯକ୍ଷ କିନ୍ନର ଚାରଣ । । ୧୨୦

ରାକ୍ଷସ ସରୀସୃପ ନାଗେ । ବାସୁକି ଆଦି ମହୋରଗେ । । ୧୨୧

ଋଷିଙ୍କ ମଧ୍ୟେ ଶ୍ରେଷ୍ଠ ଯେତେ । ଯେ ପିତୃଗଣଙ୍କ ସମେତେ । । ୧୨୨

ଦୈତ୍ୟ ଦାନବ ସିଦ୍ଧକୁଳ । ପ୍ରେତ ପିଶାଚ ଭୂତବଳ । । ୧୨୩

କୁଷ୍ମାŠଣ୍ତ ଜଳଜୀବ ଯେତେ । କି ଅବା ପଶୁପକ୍ଷୀ ଯେତେ । । ୧୨୪

ଯେ ଆନେ ଛନ୍ତି ଯହିଁ ଯେତେ । ତେଜ ବିକ୍ରମ ବଳ ଯୁତେ । । ୧୨୫

କମଳା ଆଦି ଅଷ୍ଟନିଧି । ଯେ ଗୁଣେ ଯେ ଅବା ପ୍ରସିଦ୍ଧି । । ୧୨୬

ପ୍ରଧାନ ଗୁଣ ଯେବା ଭୂତେ । ଜଗତ ମଧ୍ୟେ ଛନ୍ତି ଯେତେ । । ୧୨୭

ଏ ସର୍ବ ପରତତ୍ତ୍ବ ଯେହି । ତାହାର ବିଭୂତି ଅଟଇ । । ୧୨୮

ଏ ସର୍ବସାର ତା ଶରୀର । ଯେ ବିଷ୍ଣୁଲୀଳା ଅବତାର । । ୧୨୯

ଏ ଲୀଳାକଥା ଗୀତସ୍ୱରେ । ପଶଇ ଯାର କ‰ର୍ଣ୍ଣଦ୍ବାରେ । । ୧୩୦

ସର୍ବ-ଦୁରିତ-ତମ ନାଶେ । ଯେବା ବଦନେ ନିତ୍ୟ ଘୋଷେ । । ୧୩୧

ଶୁଣ ନାରଦ ମନଦେଇ । ଲୀଳାନୁକ୍ରମେ କହିବଇଁ । । ୧୩୨

ଅମୃତ କୃଷ୍ଣଲୀଳା-ରସ । ଶ୍ରୁତିଯୁଗଳେ କର ଗ୍ରାସ । । ୧୩୩

ତାହାଙ୍କ ଚରଣେ ବିଶ୍ୱାସ । କହଇ ଜଗନ୍ନାଥ ଦାସ । । ୧୩୪

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦ୍ୱିତୀୟସ୍କନ୍ଧେ ଷଷ୍ଠୋଽଧ୍ୟାୟଃ ।।

* * *