ଦ୍ଵିତୀୟ ସ୍କନ୍ଧ

ପଞ୍ଚମ ଅଧ୍ୟାୟ

ଆନନ୍ଦ ଚିତ୍ତେ ସେ ନାରଦ । ପୁଚ୍ଛଇ ବ୍ରହ୍ମାଙ୍କର ପାଦ । ।

ନାରଦ ଉବାଚ

ଭୋ ଦେବଦେବ ନମସ୍ତୁତେ । ଭୂତଭାବନ ତୁ ଜଗତେ । ।

ସୃଷ୍ଟିର ଅଗ୍ରେ ତୋର ଦେହୀ । ତୋ ଭାବ ନ ଜାଣନ୍ତି କେହି । ।

ଆତ୍ମାର ତତ୍ତ୍ଵ ତୁମ୍ଭେ ଜାଣ । ଯେ ବେଦ-ପୁରାଣେ ପ୍ରମାଣ । ।

ଯେ ରୂପ ଯହିଁ ତୋର ବାସ । ଯହୁଁ ଏ ଜଗତ ପ୍ରକାଶ । ।

ଯାହାର ଆଶ୍ରେ ଏ ବର୍ତ୍ତଇ । ପ୍ରକାଶି ଯହିଁ ଲୀନ ହୋଇ । ।

ଭୂତ-ଭବିଷ୍ୟ-ବର୍ତ୍ତମାନ । ତୁମ୍ଭ ଗୋଚରେ ଦିବ୍ୟଜ୍ଞାନ । ।

ହସ୍ତେ ଅଏଁଳାଫଳ ପ୍ରାୟେ । ତୁମ୍ଭ ଗୋଚରେ ଜ୍ଞାନ ରହେ । ।

ଯେଣୁ ତୁମ୍ଭର ଜ୍ଞାନ ସ୍ଫୁରେ । ଯେବା ତୁମ୍ଭଙ୍କୁ ହୃଦେ ଧରେ । ।

ଯାହାର ବଶ ତୁ ବୋଲାଇ । ବର୍ତ୍ତୁ ତୁ ଯାର ଆତ୍ମା ବହି । । ୧୦

ଭୂତେ ସଞ୍ଚରି ଭୂତ କରୁ । ଯାହାର ମାୟାରେ ବିହରୁ । । ୧୧

ଏ ଭୂତଗଣଙ୍କୁ ଯେ ପାଳେ । ଅପରାଭବୀ ଆତ୍ମା ତୁଲେ । । ୧୨

ଆତ୍ମାର ଶକ୍ତିବଳେ ଭାବି । ଅକ୍ଳେଶେ ଯଥା ଉର୍ଣ୍ଣନାଭି । । ୧୩

ଏ ସୃଷ୍ଟିକର୍ମ ଅଗୋଚର । କି ନାମ ଗୁଣରୂପ ଆର । । ୧୪

ପର ଅପର ଯେ ମଧ୍ୟମ । ଯେ ଅବା ଅଛି ସ୍ଥୂଳସୂକ୍ଷ୍ମ । । ୧୫

ଜାଣେ ମୁଁ ନାହିଁ ତୋ ବାହାରେ । ଅନ୍ୟ ବା କେ ଅଛି ସଂସାରେ । । ୧୬

ତୁମ୍ଭେ ଯେ ଘୋରତପ କର । ଆତ୍ମା ସମାଧିବଳେ ଧର । । ୧୭

ତେଣୁ ମୋହିତ ମୋର ମନ । ତୁମ୍ଭ ଉପରେ କେବା ଅନ୍ୟ । । ୧୮

ଏ ମାୟା ସୃଜିଲା କେମନ୍ତେ । ଏଣୁ ସଂଶୟ ମୋର ଚିତ୍ତେ । । ୧୯

ତୁମ୍ଭେ ସର୍ବଜ୍ଞ ସର୍ବେଶ୍ୱର । ମୋର ସଂଶୟ କର ଦୂର । । ୨୦

ଭକତଭାବେ ପଚାରଇ । ସ୍ୱଭାବେ ପୁତ୍ର ମୁଁ ଅଟଇ । । ୨୧

ଯେମନ୍ତେ ମୋର ଚିତ୍ତେ ସ୍ଫୁରେ । ଏ ବିଶ୍ୱ ସମାଧି-ଗୋଚରେ । । ୨୨

ଏଣୁ ନାରଦବାକ୍ୟ ଶୁଣି । ହରଷେ କହେ ପଦ୍ମଯୋନି । । ୨୩

ବ୍ରହ୍ମା ଉବାଚ

ଧନ୍ୟ ନାରଦ ମୁନିବର । ସାଧୁ ପ୍ରସ୍ତାବ ଏ ତୋହର । । ୨୪

ତୁ ଯେ ପଚାରୁ ଜନହିତେ । ଏ ବ୍ରହ୍ମଭାଗ ଭାଗବତେ । । ୨୫

ବିଷ୍ଣୁ ମହିମା ଦରଶନେ । ପୁଚ୍ଛିଲୁ ବିନୟବଚନେ । । ୨୬

ତୁ ଯାହା ପଚାରିଲୁ ମୋତେ । ମିଥ୍ୟା ନୁହଇ ଏ ଉଚିତେ । । ୨୭

ଯେଣୁ ଈଶ୍ୱର ପ୍ରାୟ କେହାଇ । ଏ ସୃଷ୍ଟି ମୋହର ଅଟଇ । । ୨୮

ପରମେଶ୍ୱର ଜ୍ଞାନ ଯେଣୁ । ନାହିଁ ତୋହର ଭ୍ରାନ୍ତି ତେଣୁ । । ୨୯

ବିଷ୍ଣୁର ଆଜ୍ଞା ଘେନି ମାଥେ । ବ୍ରହ୍ମାଣ୍ତ ସୃଜିଲି ଯେମନ୍ତେ । । ୩୦

ଯେମନ୍ତେ ଅର୍କ-ଅଗ୍ନି-ଶଶୀ । ଗ୍ରହ-ନକ୍ଷତ୍ର-ତାରା-ରାଶି । । ୩୧

ତୋ ଆଦି ସନ୍ଥ ଛନ୍ତି ଯେତେ । ଯେ ବିଷ୍ଣୁମାୟା ବଳଗ୍ରସ୍ତେ । । ୩୨

ବୋଲନ୍ତି ମୋତେ ବିଶ୍ୱଗୁରୁ । ଯାର ମହିମା ମହାମେରୁ । । ୩୩

ତାହା କହିବି ତୋ ସମୀପେ । ବିଷ୍ଣୁର ଆଜ୍ଞାବଳ ଦର୍ପେ । । ୩୪

ଯେ ହରି ଜଗତ-ଈଶ୍ୱର । ତାହାକୁ ମୋର ନମସ୍କାର । । ୩୫

ଯାହାର ଇଚ୍ଛାମାର୍ଗେ ସ୍ଥିତି । ଲାଜେ ଶଙ୍କିତ ଭଗବତୀ । । ୩୬

ସେ ମାୟାବଶେ ଏ ଜଗତ । ଅଜ୍ଞାନ ମଦେ ବିମୋହିତ । । ୩୭

ମୁହିଁ ମୋହର ଏ ଶରୀର । ଦାରା ସମ୍ପଦ ବନ୍ଧୁ ମୋର । । ୩୮

ଅଜ୍ଞାନଜନଙ୍କ ଏ ଭାବ । ସର୍ବସମ୍ପଦ ପଦ୍ମନାଭ । । ୩୯

ଏ ଦ୍ରବ୍ୟ-କାଳ-କର୍ମ-ଜୀବ । ଜୀବର ଯେ ଅବା ସ୍ୱଭାବ । । ୪୦

ଯେତେ ଦେଖଇ ଭିନ୍ନେ ଭିନ୍ନେ । କୃଷ୍ଣହୁଁ କେବା ଅଛି ଅନ୍ୟେ । । ୪୧

ବେଦବଚନ ଦେବଗଣ । ଏ ସର୍ବଲୋକ ଯଜ୍ଞଦାନ । । ୪୨

ତପସ୍ୟା-ଯୋଗ-ଜ୍ଞାନ-ଗତି । ସର୍ବସମ୍ପଦ ଦାଶରଥି । । ୪୩

ଯେ ହରି ସର୍ବଦେହେ ଦେହୀ । ସର୍ବ ଦେଖଇ ହୃଦେ ରହି । । ୪୪

ତାର ଶରୀରୁ ମୁହିଁ ଜାତ । ତା ତେଜେ ସର୍ଜଇ ଜଗତ । । ୪୫

ସ୍ୱଭାବେ ନିର୍ଗୁଣ-ମୁରାରି । ସୃଷ୍ଟି ସଞ୍ଚଇ ଗୁଣ ଧରି । । ୪୬

ନିର୍ଗୁଣ-ପୁରୁଷ-ଈଶ୍ୱର । ତା ମାୟାବଳେ ଏ ସଂସାର । । ୪୭

ସର୍ଗ-ପାଳନ-ତିରୋଧାନେ । ଗୁଣକୁ ଧରେ ଭିନ୍ନେ ଭିନ୍ନେ । । ୪୮

କାର୍ଯ୍ୟ-କାରଣ-କର୍ତ୍ତା-ଅର୍ଥେ । ଦ୍ରବ୍ୟ-ଜ୍ଞାନ-କ୍ରିୟା ସମେତେ । । ୪୯

ଗୁଣେ ରହନ୍ତି ଆଶ୍ରେ କରି । ନିର୍ଗୁଣ-ପୁରୁଷ ଆବୋରି । । ୫୦

ଏ ତିନିଗୁଣ ଲିଙ୍ଗଗତେ । ମଧ୍ୟେ ବର୍ତ୍ତଇ ଅଲକ୍ଷିତେ । । ୫୧

ମୋ ଆଦି ସର୍ବଜନଙ୍କର । ଆତ୍ମାସ୍ୱରୂପ ସେ ଈଶ୍ୱର । । ୫୨

ମାୟା-ଈଶ୍ୱର ମାୟାବଳେ । ସର୍ଜେ ସ୍ୱଭାବ କର୍ମକାଳେ । । ୫୩

ଆପଣା ଇଚ୍ଛାବଳେ କରି । ବିବିଧ-ଶରୀରକୁ ଧରି । । ୫୪

ସେ କାଳ-ଗୁଣ ବ୍ୟତିକରେ । ସୃଜଇ ପାଳଇ ସଂହରେ । । ୫୫

ତାର ସ୍ୱଭାବ କର୍ମ ଯୋଗେ । ମହତ ଉପୁଜିଲା ଆଗେ । । ୫୬

ମହତ ବିକାରୁ ତକ୍ଷଣେ । ତ୍ରିଗୁଣ-ଲିଙ୍ଗ ଆବରଣେ । । ୫୭

ତମପ୍ରଧାନ ଅତିରେକେ । ସେ ଦ୍ରବ୍ୟଜ୍ଞାନ କ୍ରିୟାତ୍ମକେ । । ୫୮

ସ୍ୱଭାବେ ଶକ୍ତି ମହାଘୋର । ତମଅଧିକ ଅହଙ୍କାର । । ୫୯

ସେ ଅହଙ୍କାର ନାମ ହୋଇ । ସେ ତିନି ପ୍ରକାର ଭଜଇ । । ୬୦

ଗୁଣ ପ୍ରକାଶ ତିନିତିନି । ବିକାର-ତମ-ତେଜ ଘେନି । । ୬୧

ଯେ ଶକ୍ତି-ଦ୍ରବ୍ୟ-କ୍ରିୟା-ଜ୍ଞାନ । ଏ ଭାବେ ଭେଦ ଭିନ୍ନ ଭିନ୍ନ । । ୬୨

ସେ ଅହଙ୍କାରେ ଭୂତ ଆଦି । ତାମସ-ଶକ୍ତି ତହିଁ ଭେଦି । । ୬୩

ଶବଦ-ଗୁଣ-ମାତ୍ରା ସଞ୍ଚେ । ନଭପ୍ରକାଶେ ଅନ୍ତରୀକ୍ଷେ । । ୬୪

ଶବଦ-ଗୁଣ ସେ ପ୍ରଧାନ । ଦୃଶ୍ୟଦର୍ଶକ ଭେଦସ୍ଥାନ । । ୬୫

ଶବଦ-ଗୁଣ ନଭୁ ହୋଇ । ଚତୁର୍ଥମାତ୍ରା ସଙ୍ଗେ ଲଇ । । ୬୬

ନଭବିକାରୁ ବାୟୁ ଜାତ । ସ୍ପରଶ ଶବ୍ଦଗୁଣେ ସ୍ଥିତ । । ୬୭

ସ୍ପରଶଗୁଣ ତା ପ୍ରବଳ । ଯେ ପ୍ରାଣସହ ଓଜ-ବଳ । । ୬୮

ପବନବିକାରୁ ତକ୍ଷଣେ । ସ୍ୱଭାବକାଳ କର୍ମଗୁଣେ । । ୬୯

ସ୍ପରଶଗୁଣ ତହିଁ ଥାଇ । ତୃତୀୟମାତ୍ରା ଭାବ ବହି । । ୭୦

ଶବଦ-ସ୍ପର୍ଶ-ରୂପ ତାର । ପ୍ରଚଣ୍ତତେଜ ମହାଘୋର । । ୭୧

ତେଜବିକାରୁ ସେ ଉଦକ । ଯାର ସ୍ୱଭାବ ରସାତ୍ମକ । । ୭୨

ଶବ୍ଦ-ସ୍ପରଶ-ରୂପ ତିନି । ଏ ତିନିରସ ସଙ୍ଗେ ଘେନି । । ୭୩

ଆପବିକାରୁ ମହୀଜାତ । ସେ ପଞ୍ଚମାତ୍ରା ଗୁଣେ ଯୁତ । । ୭୪

ସତ୍ତ୍ଵ-ବିକାରତହୁଁ ମନ । ଯେ ରୂପେ ପ୍ରକାଶେ ଗଗନ । । ୭୫

ମନର ସଙ୍ଗେ ଦେବବଳ । ଦଶଇନ୍ଦ୍ରିୟ ରକ୍ଷପାଳ । । ୭୬

ଦିଗ-ବାତାର୍କ-ଜଳପତି । ଅଶ୍ୱିନୀ-ବହ୍ନି-ସୁରପତି । । ୭୭

ଉପେନ୍ଦ୍ର-ମିତ୍ର-ପ୍ରଜାପତି । ଏ ରୂପେ ଦଶ ଉତପତି । । ୭୮

ତୈଜସବିକାରୁ ତକ୍ଷଣେ । ଜନ୍ମିଲେ ଦଶଇନ୍ଦ୍ରିଗଣେ । । ୭୯

ଯେ ଜ୍ଞାନ କ୍ରିୟା ବୁଦ୍ଧି ପ୍ରାଣ । ତୈଜସଶକ୍ତି ଏ ପ୍ରମାଣ । । ୮୦

ଶ୍ରୁତିଯୁଗଳ ଚର୍ମ ଘ୍ରାଣ । ନୟନ ଜିହ୍ୱା ପଞ୍ଚଜ୍ଞାନ । । ୮୧

ବଚନ ପାଣି ଅଂଘ୍ରିବେନି । ଉପସ୍ଥ ମୂଳାଧାର ଘେନି । । ୮୨

ଏ କର୍ମ ଇନ୍ଦ୍ରିୟ ପ୍ରକାର । ଦଶଦେବଙ୍କ ଅଧିକାର । । ୮୩

ଭୂତ ଇନ୍ଦ୍ରିୟ-ଗଣ ମନ । ମହତ ଆଦି ତିନିଗୁଣ । । ୮୪

ଯେଣୁ ନୋହିଲେ ଏକମନ । ଏ ତେଣୁ ନ ପାଇଲେ ସ୍ଥାନ । । ୮୫

ବ୍ରହ୍ମାଣ୍ତ ହେତୁ ଏ ପ୍ରତ୍ୟକ୍ଷେ । ସୂକ୍ଷ୍ମେ ରହିଲେ ଅନ୍ତରୀକ୍ଷେ । । ୮୬

ସ୍ଥାନ ନ ପାଇ ଅନ୍ୟୋଅନ୍ୟେ । ସ୍ଥକିତେ ରହିଲେ ଗଗନେ । । ୮୭

କେତେହେଁ କାଳ ଶୂନ୍ୟେ ରହି । ଶବଦେ ବିଷ୍ଣୁଆଜ୍ଞା ପାଇ । । ୮୮

ଏ ମହାଭୂତେ ସୂକ୍ଷ୍ମଭୂତେ । ଘଟିତ ଅନ୍ୟୋଅନ୍ୟ ଯୁତେ । । ୮୯

ସୁବର୍ଣ୍ଣ-ଅଣ୍ତ ଉପୁଜିଲା । ତକ୍ଷଣେ ଉଦକେ ପଡ଼ିଲା । । ୯୦

ଅନେକ ସହସ୍ର ବରଷେ । ସେ ଅଣ୍ତ ମହାଜଳେ ଭାସେ । । ୯୧

ସେ ଅଣ୍ତ ମଧ୍ୟେ ଜୀବ ଜାତ । କାଳ କର୍ମ ସ୍ୱଭାବେ ସ୍ଥିତ । । ୯୨

ଜୀବ ସ୍ୱଭାବେ ଅଚେତନ । ଚେତନା ଦେଲେ ଭଗବାନ । । ୯୩

ସେ ସର୍ବଗୁଣ ସର୍ବସିଦ୍ଧି । କେତେହେଁ କାଳେ ଅଣ୍ତŠଭେଦି । । ୯୪

ପୁରୁଷେ ହୋଇଲା ବାହାର । ଏବେ ହୋ ଶୁଣ ମୁନିବର । । ୯୫

ସହସ୍ର-ଉରୁ-ଅଂଘ୍ରି-ବକ୍ଷ । ସହସ୍ରନୟନ ପ୍ରତ୍ୟକ୍ଷ । । ୯୬

ସହସ୍ରେ ଶିର ସସ୍ରଭୁଜ । ଆନନ ଅପ୍ରମିତ ତେଜ । । ୯୭

ତାହାର ଦେହ ଶୂନ୍ୟେ ଦେଖି । ଲୋକର ସ୍ଥିତି ଉପଲକ୍ଷି । । ୯୮

ଦ୍ୱିସପ୍ତଲୋକ ତାର ଅଙ୍ଗେ । କଳ୍ପିତ ଅଧ ଉର୍ଦ୍ଧ୍ୱ ଭାଗେ । । ୯୯

ମୁଖୁ କଳ୍ପିତ ବ୍ରହ୍ମକୁଳ । କ୍ଷତ୍ରିୟଜାତ ବାହୁମୂଳ । । ୧୦୦

ଉରୁ ଯୁଗଳୁ ବୈଶ୍ୟଗଣେ । ଶୂଦ୍ର ଉପୁଜିଲା ଚରଣେ । । ୧୦୧

ଭୂଲୋକ କଟୀଭାଗେ ସ୍ଥିତ । ନାଭିରୁ ଭୁବଲୋକ ଜାତ । । ୧୦୨

ହୃଦରେ ସ୍ୱର୍ଗଲୋକ ମିଳେ । ମହତଲୋକ ଉରସ୍ଥଳେ । । ୧୦୩

ଜନଲୋକ ଯେ ଗ୍ରୀବାତଟେ । ତପ ବସଇ ବେନିଓଷ୍ଠେ । । ୧୦୪

ମୂର୍ଦ୍ଧନି ମଧ୍ୟେ ସତ୍ୟଲୋକ । ଯେ ବ୍ରହ୍ମ-ସନାତନ-କଳ୍ପ । । ୧୦୫

ସପ୍ତପାତାଳ ଅଧୋଭାଗେ । ଶୁଣ କହିବା ପ୍ରତିଅଙ୍ଗେ । । ୧୦୬

ଅତଳ ବସେ କଟୀଦେଶେ । ଉରୁରେ ବିତଳ ପ୍ରକାଶେ । । ୧୦୭

ସୁତଳ ବସେ ଜାନୁମୂଳ । ଜଂଘର ମୂଳେ ତଳାତଳ । । ୧୦୮

ଯେ ମହାତଳ ଗୁଳ୍ଫଦେଶେ । ପାଦାଗ୍ରେ ରସାତଳ ବସେ । । ୧୦୯

ପାତାଳ ପାଦତଳେ ରହେ । ଏଣୁ ଭୁବନ ବିଶ୍ୱଦେହେ । । ୧୧୦

ଯେ ଭୂଲୋକ ପାଦେ ବସେ । ନାଭିରେ ଭୁବ ଯେ ପ୍ରକାଶେ । । ୧୧୧

ସ୍ୱଲୋକ କଳ୍ପିତ ମୂର୍ଦ୍ଧନି । ବିଶ୍ୱଦେହେ ବା ବିଶ୍ୱମାନି । । ୧୧୨

ନାରଦ ଆଗେ ବେଦବର । ଯାହା କହିଲେ ବେଦସାର । । ୧୧୩

ସୁଜନଜନଙ୍କ ଶ୍ରବଣେ । ବ୍ରାହ୍ମଣ ଜଗନ୍ନାଥ ଭଣେ । । ୧୧୪

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦ୍ୱିତୀୟସ୍କନ୍ଧେ ପଞ୍ଚମୋଽଧ୍ୟାୟଃ ।।

* * *