ଦ୍ଵିତୀୟ ସ୍କନ୍ଧ

ଚତୁର୍ଥ ଅଧ୍ୟାୟ

ସୂତକ ଉବାଚ

ଏମନ୍ତ ଶୁକବାକ୍ୟ ଶୁଣି । ଆତ୍ମାର ତତ୍ତ୍ଵ ମନେ ଗୁଣି । ।

କୃଷ୍ଣବିଷୟେ ଦୃଢ଼ମନ । କଳ୍ପିଲା ଉତ୍ତରା-ନନ୍ଦନ । ।

ଆତ୍ମା-କଳତ୍ର-ସୁତ-ଗୃହେ । ପଶୁ-ଦ୍ରବିଣ-ବନ୍ଧୁସ୍ନେହେ । ।

ରାଜ୍ୟ-ସମ୍ପଦ ଯେତେ ଆଶ । ହୃଦୁ ଛାଡ଼ିଲା ସ୍ନେହପାଶ । ।

ତୁମ୍ଭେ ଯା ପଚାରିଲ ମୋତେ । ଏ କଥା ରାଜା ଦୃଢ଼ଚିତ୍ତେ । ।

କୃଷ୍ଣାନୁଭାବ ଶୁଣିବାରେ । ଶ୍ରଦ୍ଧାବଳିଲା ନିର୍ବିକାରେ । ।

ଆତ୍ମନିଧନ ମନେ ସ୍ମରି । ବେଦବଚନ ଦୃଢ଼କରି । ।

କୃଷ୍ଣବିଷୟେ ଦୃଢ଼ଚିତ୍ତ । ନିଶ୍ଚୟ କରି ପରୀକ୍ଷିତ । ।

ଆତ୍ମତ୍ୱଭାବ ହେଲେ ଦେହେ । ପୁଣି ପୁଚ୍ଛଇ ଅତି ସ୍ନେହେ । ।

ରାଜା ଉବାଚ

ହେ ଶୁକ ତୁମ୍ଭର ବଚନ । କୃଷ୍ଣର ଯେତେ ଗୁଣକର୍ମ । । ୧୦

ଯାହା ଶୁଣନ୍ତେ ପାପହରେ । ପବିତ୍ର ବାହ୍ୟ-ଅଭ୍ୟନ୍ତରେ । । ୧୧

ଶୁଣି ଅଜ୍ଞାନ ମୋର ଗଲା । ତୁମ୍ଭ ପ୍ରସାଦ ଯେଣୁ ହେଲା । । ୧୨

ସେ କଥା କହ ମୁନି ମୋତେ । ଯେମନ୍ତେ ଧରି ଦୃଢ଼ଚିତ୍ତେ । । ୧୩

ସେ ହରି ଆତ୍ମମାୟାବଳେ । ସୃଷ୍ଟି ସଞ୍ଚଇ ଏ ଶୟଳେ । । ୧୪

ବିଷ୍ଣୁର ସର୍ଜିଲା ସଂସାର । ଅନ୍ୟଦେବଙ୍କୁ ଅଗୋଚର । । ୧୫

ସେ କଥା ଜାଣିବାର ପାଇଁ । ଭୋ ମୁନି ପୁଣି ମୁଁ ପୁଚ୍ଛଇ । । ୧୬

ସେ ବହୁ ଶକ୍ତିମନ୍ତ ହରି । ପରମ-ପୁରୁଷ-ମୁରାରି । । ୧୭

ଯେମନ୍ତେ ପାଳି ପୁଣ ପରେ । ଯେ କାଳେ ଯେବା ଶକ୍ତିଧରେ । । ୧୮

ଆତ୍ମାକୁ ଆତ୍ମା କରି ଖେଳା । କୁହୁକମତେ ବିଷ୍ଣୁଲୀଳା । । ୧୯

ସୃଜଇ ପାଳଇ ସଂହରେ । ମାୟା-ତ୍ରିଗୁଣରୂପ ଧରେ । । ୨୦

ଯେମନ୍ତେ ବ୍ରହ୍ମା-ବିଷ୍ଣୁ-ହର । କ୍ରୀଡ଼ନ କରେ ଦାମୋଦର । । ୨୧

ବିବିଧରୂପ ଏ ଜଗତେ । ଯେମନ୍ତେ କରେ କ୍ରୀଡ଼ାଅର୍ଥେ । । ୨୨

ଅଦ୍ଭୁତକର୍ମ ଏ ତାହାର । କେ କରି ପାରିବ ଗୋଚର । । ୨୩

ଏକଇ ପୁରୁଷ ଅନନ୍ତ । ପ୍ରକୃତିମତେ ବହୁମତ । । ୨୪

ଆଦିପୁରୁଷ ରୂପ ଧରି । ଯେମନ୍ତେ କ୍ରମେ ନରହରି । । ୨୫

କାର୍ଯ୍ୟମାନଙ୍କୁ ଏ ସଂସାରେ । କଲେ କହିବା ମୁନିବରେ । । ୨୬

ଯେ ଶବ୍ଦ ବ୍ରହ୍ମରେ ବିଚାର । ବ୍ରହ୍ମାନୁଭବରେ ଗୋଚର । । ୨୭

ଏକ ଅନେକ ରୂପ ଧରେ । ଅଶେଷଜନ୍ମ କର୍ମ କରେ । । ୨୮

ଏଣୁ ଶ୍ରବଣେ ଇଚ୍ଛା ମୋର । କହ ହେ ବ୍ୟାସଙ୍କ କୁମର । । ୨୯

ହେ ମହାମୁନି ଭାଗବତ । ଶ୍ରବଣେ ପିଆଅ ଅମୃତ । । ୩୦

ସୂତ ଉବାଚ

ଏମନ୍ତ ପରୀକ୍ଷିତ କଥା । ପୁରୁଷୋତ୍ତମ-ଗୁଣଗାଥା । । ୩୧

ଶୁଣି ସାନନ୍ଦ ବ୍ୟାସସୁତ । କୃଷ୍ଣଚରଣେ ଦେଇ ଚିତ୍ତ । । ୩୨

ସେ ପରୀକ୍ଷିତେ ପ୍ରତିବାଣୀ । କହିବା ଅର୍ଥେ ମୁନିମଣି । । ୩୩

ଧ୍ୟାନେ ସେ ଚିନ୍ତି ନାରାୟଣ । ବୋଇଲେ ପରୀକ୍ଷିତ ଶୁଣ । । ୩୪

ନମସ୍ତେ ପରମ-ପୁରୁଷ । ଅନନ୍ତଘଟେ ଯା ପ୍ରକାଶ । । ୩୫

ଲୀଳାବିହାରେ ସୃଷ୍ଟିକରେ । ପାଳଇ ପୁଣି ସେ ସଂହରେ । । ୩୬

ହେଳେ ଏ ତିନିଶକ୍ତି ଧରେ । ଜନ୍ତୁର ଅନ୍ତରେ ବିହରେ । । ୩୭

ତେଣୁ ତା ମାର୍ଗ ଉପଲକ୍ଷ୍ୟ । କରିବ କାହାର ବା ଶକ୍ୟ । । ୩୮

ନମସ୍ତେ ଜଗତଜୀବନ । ସାଧୁଙ୍କ ବୃଜିନ-ଦହନ । । ୩୯

ଅସାଧୁ-ଦମନ ବେଭାର । ଅଖିଳଜନ୍ତୁ ରୂପ ତୋର । । ୪୦

ପରମହଂସଙ୍କ ଆଶ୍ରମେ । ଯେ ବ୍ୟବସ୍ଥିତ ପ୍ରାଣୀମାନେ । । ୪୧

ତାହାଙ୍କ ଆତ୍ମତତ୍ତ୍ବଦାତା । ନିରତେ ତୋର ପାଦେ ଚିନ୍ତା । । ୪୨

ନମସ୍ତେ ସାତ୍ତ୍ବତବତ୍ସ›ଳ । କୁଯୋଗୀଗଣେ ଅଗୋଚରେ । । ୪୩

ସମେ ପ୍ରକାଶ ସର୍ବଠାରେ । ଜନ୍ତୁଙ୍କ ବାହ୍ୟ-ଅଭ୍ୟନ୍ତରେ । । ୪୪

ଐଶ୍ୱର୍ଯ୍ୟେ ପରମ-କାରଣ । ଯେ ନିତ୍ୟେ ସ୍ୱଧାମ-ଧାରଣ । । ୪୫

ଯା ନାମ ଶ୍ରବଣ-କୀର୍ତ୍ତନ । ଯା ରୂପ ଦେଖିଣ ନୟନ । । ୪୬

ନମିଲେ ଯାହାର ଚରଣ । ସ୍ମରଣ ପୂଜା ସମର୍ପଣ । । ୪୭

ଜନ୍ତୁଙ୍କ କଳ୍ମଷ ନାଶଇ । ଯେ ସର୍ବମଙ୍ଗଳ ବୋଲାଇ । । ୪୮

ଯେହରି ଶରଣ-ସୋଦର । ତାହାଙ୍କୁ ମୋର ନମସ୍କାର । । ୪୯

ପଣ୍ତିତଜନ ଯାର ପାଦେ । ସେବା ସମ୍ପାଦି ଅପ୍ରମାନେ । । ୫୦

ଆତ୍ମାର କଳ୍ମଷ ନାଶନ୍ତି । ଜନ୍ମମରଣେ ନଡରନ୍ତି । । ୫୧

ଆତ୍ମାର ଶ୍ରମ କରି ଶାନ୍ତି । ଅନ୍ତେ ଲଭନ୍ତି ବ୍ରହ୍ମଗତି । । ୫୨

ସର୍ବମଙ୍ଗଳ ଦାମୋଦର । ତାହାଙ୍କୁ ମୋର ନମସ୍କାର । । ୫୩

ଯେ ପ୍ରାଣୀ ତପ-ଦାନ କରେ । ଯଶ ସମ୍ପାଦି ଏ ସଂସାରେ । । ୫୪

ସୁବୁଦ୍ଧିପଣେ ମନ୍ତ୍ରସାଧି । ମଙ୍ଗଳକର୍ମକୁ ଆରାଧି । । ୫୫

ଏଣୁ ଅର୍ଜନ୍ତି ଯେତେ ଫଳ । ତୋତେ ନ ସମର୍ପି ନିଷ୍ଫଳ । । ୫୬

ସୁଭଦ୍ରଶ୍ରବା ନାମ ଯାର । ତାହାଙ୍କୁ ମୋର ନମସ୍କାର । । ୫୭

କିରାତ ହୂଣ ଆନ୍ଧ୍ର ଯେତେ । ପୁଳିନ୍ଦ ଚŠଣ୍ତାଳ ସମେତେ । । ୫୮

ଆଭୀର କଙ୍କ ଯେ ଯବନ । ଏ ଆଦି ଯେତେ ଅନ୍ତ୍ୟଜନ । । ୫୯

ଦୁଷ୍କୃତକର୍ମ ଯେ କରନ୍ତି । ଯା ପାଦ ଆଶ୍ରିତେ ତରନ୍ତି । । ୬୦

ସର୍ବ-ପ୍ରଭବଶୀଳ ଯେହି । ତା ପାଦପଦ୍ମେ ମୁଁ ନମଇଁ । । ୬୧

ଯେ ହରି ଜଗତ-ଜୀବନ । ଆତ୍ମଜ୍ଞାନୀଙ୍କ ଆତ୍ମାଧନ । । ୬୨

ଏ ତିନିବେଦ ଯାର ଦେହ । ଯେ ଧର୍ମମୟ ତପୋମୟ । । ୬୩

ନିର୍ମଳତପେ ଯୋଗୀଜନେ । ବ୍ରହ୍ମାଶଙ୍କର ଅନୁମାନେ । । ୬୪

ନାନାପ୍ରକାରେ ଧ୍ୟାନେ ଚିନ୍ତି । ଯା ରୂପ କେହି ନ ଦେଖନ୍ତି । । ୬୫

ଯେ ଲକ୍ଷ୍ମୀପତି ଯଜ୍ଞପତି । ଯେ ପ୍ରଜାପତି ଜ୍ଞାନପତି । । ୬୬

ଯେ ଲୋକପତି ଧରାପତି । ଯାଦବବଂଶ-ପତି-ଗତି । । ୬୭

ସାଧବଗଣେ ଯାହା ଚିନ୍ତି । ସେ ହେଉ ମୋର ମନେ ସ୍ଥିତି । । ୬୮

ଯାର ଚରଣ-ଧ୍ୟାନବଳେ । ନିଶ୍ଚଳ-ସମାଧିର ଜଳେ । । ୬୯

ବୁଦ୍ଧି କି ପ୍ରକ୍ଷାଳନ କରି । ଯାହା ଚିନ୍ତନ୍ତି ବ୍ରହ୍ମଚାରୀ । । ୭୦

ସଗୁଣ-ନିର୍ଗୁଣ ବିଚାରେ । କହନ୍ତି ଯଥା ଅନୁସାରେ । । ୭୧

ସେହରି ମୋର ହୃଦଗତେ । ପ୍ରକାଶ ହେଉ ଅବିରତେ । । ୭୨

ଯାହାର ଆଜ୍ଞା ପରମାଣେ । ଭାରତୀ ଆସି ତତକ୍ଷଣେ । । ୭୩

ପ୍ରକାଶି କଳ୍ପ ଆଦିକାଳେ । ବ୍ରହ୍ମାର ହୃଦୟ-କମଳେ । । ୭୪

ସୃଷ୍ଟି-ବିଷୟ ଜ୍ଞାନ ଦେଲା । ମୁଖେ ଗାୟତ୍ରୀ ଉଚ୍ଚାରିଲା । । ୭୫

ନମସ୍ତେ ବ୍ୟାସରୂପ ହରି । ହୃଦୟେ ବସ କୃପା କରି । । ୭୬

ମହତ ଆଦି ପଞ୍ଚଭୂତେ । ଜନ୍ତୁ ଭିଆଇ ଏ ଜଗତେ । । ୭୭

ଜନ୍ତୁଙ୍କ ହୃଦୟ-କମଳେ । ଯାର ଆସନ ସୁଖଭୋଳେ । । ୭୮

ଗୁଣସମୂହ ସୁଖେ ଭୁଞ୍ଜେ । ଷୋଡ଼ଶଆତ୍ମାରୂପେ ରାଜେ । । ୭୯

ସେ ହରି ବସୁ ମୋର ହୃଦେ । ବାକ୍ୟ ଆବୋରି ପଦେପଦେ । । ୮୦

ନମଇଁ ବ୍ୟାସମୁନିବର । କୃଷ୍ଣେ ଅକୁଣ୍ଠବୁଦ୍ଧି ଯାର । । ୮୧

ଯା ମୁଖପଦ୍ମୁଁ ଜ୍ଞାନରସେ । ମୁନିଏ ପିବନ୍ତି ହରଷେ । । ୮୨

ଯେ ହରିକଥା ପୂର୍ବକାଳେ । ନାରଦଋଷି ମୁନିମେଳେ । । ୮୩

ବ୍ରହ୍ମାଙ୍କୁ ପଚାରିଲେ ଯେତେ । ପ୍ରସନ୍ନେ କହିବି ମୁଁ ତୋତେ । । ୮୪

ଏ ବାଣୀ ଶୁଣି ସୁଖଭୋଳେ । ପ୍ରାଣୀ ନିସ୍ତରେ ଭବଜଳେ । । ୮୫

କହଇ ଦାସ ଜଗନ୍ନାଥ । ଦ୍ୱିତୀୟସ୍କନ୍ଧେ ଭାଗବତ । । ୮୬

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦ୍ୱିତୀୟସ୍କନ୍ଧେ ଚତୁର୍ଥୋଽଧ୍ୟାୟଃ ।।

* * *