ଦ୍ଵିତୀୟ ସ୍କନ୍ଧ
ତୃତୀୟ ଅଧ୍ୟାୟ
ସୂତ ଉବାଚ
ଶୁକ କହନ୍ତି ଶୁଦ୍ଧଚିତ୍ତେ । ପ୍ରସନ୍ନେ ନୃପତି ଅଗ୍ରତେ । । ୧
ଶୁକ ଉବାଚ
ଶୁଣ ପରୀକ୍ଷ ପୁଣ୍ୟଦେହା । ତୁ ମୋତେ ପଚାରିଲୁ ଯାହା । । ୨
ମନୁଷ୍ୟ ମଧ୍ୟେ ସାଧୁପ୍ରାଣୀ । ମରଣକାଳେ ଯାହା ଜାଣି । । ୩
ଏବେ କହିବି ଜ୍ଞାନସାର । ଭକତଜନଙ୍କ ବେଭାର । । ୪
ବ୍ରହ୍ମତେଜକୁ ଯାର ଇଚ୍ଛା । ବ୍ରହ୍ମଭଜନେ ହୋଇ ବାଞ୍ଛା । । ୫
ଇନ୍ଦ୍ରିୟସୁଖେ ଯାର ଭାବ । ସେ ନର ଇନ୍ଦ୍ରଙ୍କୁ ପୂଜିବ । । ୬
ପୁତ୍ରକାମରେ ଯାର ମତି । ସେ ଜନ ପୂଜେ ପ୍ରଜାପତି । । ୭
ଶ୍ରୀକାମୀ ପ୍ରାଣୀ ଦେବୀଭଜେ । ତେଜସ୍ୱୀ ପୂଜେ ଗ୍ରହରାଜେ । । ୮
ବସୁଙ୍କୁ ପୂଜେ ବସୁକାମୀ । ଦୃଢ଼ଭକତିଭାବ ଘେନି । । ୯
ବୀର୍ଯ୍ୟରେ ହୋଏ ଯାର ମତି । ସେ ଭଜେ ପଶୁଙ୍କରପତି । । ୧୦
ଅନ୍ନାଦିକାମେ ଯାର ଚିନ୍ତା । ସେବେ ଅଦିତି ଦେବମାତା । । ୧୧
ଦେବଙ୍କୁ ପୂଜେ ସ୍ୱର୍ଗକାମୀ । ବିଶ୍ୱଦେବାଙ୍କୁ ରାଜ୍ୟସ୍ୱାମୀ । । ୧୨
ସାଧ୍ୟଙ୍କୁ ପୂଜି ପ୍ରଜାହିତେ । ଆୟୁଷକାମେ ଅଶ୍ୱିସୁତେ । । ୧୩
ଯେ ପ୍ରାଣୀ ତୁଷ୍ଟ-ପୁଷ୍ଟିକାମୀ । ସର୍ବଲକ୍ଷଣେ ପୂଜେ ଭୂମି । । ୧୪
ପ୍ରତିଷ୍ଠାକାମେ ଯେବେ ଇଚ୍ଛେ । ସେ ପୂଜେ ଭୂମି-ଅନ୍ତରୀକ୍ଷେ । । ୧୫
ସୁନ୍ଦରରୂପେ ଯାର ଭାବ । ସେ ନର ପୂଜନ୍ତି ଗନ୍ଧର୍ବ । । ୧୬
ଯେ ନର ଇଚ୍ଛେ ଦିବ୍ୟନାରୀ । ଭାବେ ଉର୍ବଶୀ ପୂଜାକରି । । ୧୭
ସକଳ-ଆଧିତ୍ୟ-ଚିନ୍ତା । ଯେ କରେ ସେ ପୂଜେ ବିଧାତା । । ୧୮
ଯଶ ଇଚ୍ଛଇ ଯେହୁ ନର । ଯଜ୍ଞେ ପୂଜିବ ଯଜ୍ଞେଶ୍ୱର । । ୧୯
ଧନଭଣ୍ତାର ଯେ ଇଚ୍ଛନ୍ତି । ବରୁଣ-ଚରଣେ ପୂଜନ୍ତି । । ୨୦
ଇଶ୍ୱରପୂଜେ ବିଦ୍ୟାଅର୍ଥୀ । ଦମ୍ପତିକାମେ ଉମାସତୀ । । ୨୧
ଧର୍ମାର୍ଥୀ ବିଷ୍ଣୁର ଚରଣେ । ସନ୍ତାନଅର୍ଥେ ପିତୃଗଣେ । । ୨୨
ଯକ୍ଷକୁ ପୂଜେ ରକ୍ଷାକାମେ । ବଳାର୍ଥୀ ପୂଜେ ପ୍ରଭଞ୍ଜନେ । । ୨୩
ସକଳରାଜ୍ୟେ ରାଜାପଣେ । ସେ ଆଶେ ପୂଜେ ମନୁଗଣେ । । ୨୪
ଶତ୍ରୁମାରଣେ ଯାର ଇଚ୍ଛା । ରାକ୍ଷସ-ଭଜନେ ତା ବାଞ୍ଛା । । ୨୫
ସୋମକୁ ପୂଜେ କାମକାମୀ । ଅକାମୀ ଆତ୍ମାରାମେ ରମି । । ୨୬
ଅକାମେ ଅବା ସର୍ବକାମେ । ଯେ ଅବା ଭଜେ ମୋକ୍ଷକାମେ । । ୨୭
ପରମପୁରୁଷ ଚରଣେ । ଯେବା ସେବନ୍ତି ଦାସପଣେ । । ୨୮
ଏ ଭାବେ ତାହାଙ୍କ ଜୀବନ । ଜନ୍ମମରଣେ ଧନ୍ୟ ଧନ୍ୟ । । ୨୯
ପରମପଦ ସେ ଲଭନ୍ତି । କୃଷ୍ଣଚରଣେ ନିତ୍ୟେ ଚିନ୍ତି । । ୩୦
ହରିଭକତଜନ ସଙ୍ଗେ । ତରଇ ଏ ଭବତରଙ୍ଗେ । । ୩୧
ଜ୍ଞାନ ପ୍ରସରେ ଭକ୍ତିବଳେ । ତ୍ରିଗୁଣ ହରଇ ନିଶ୍ଚଳେ । । ୩୨
ଆତ୍ମା ପ୍ରସନ୍ନ ସୁବିବେକେ । ଗୁଣେ ଅସଙ୍ଗ ବେନିଲୋକେ । । ୩୩
କୈବଲ୍ୟ-ସମ୍ମତ ଏ ପଥ । ଏ ଭକ୍ତି ଯୋଗୀଙ୍କର ମତ । । ୩୪
କେବା ନିବୃତ ହରିଭାବେ । ଆତ୍ମାର କଇବଲ୍ୟ-ଲାଭେ । । ୩୫
ଶୌନକ ସୂତମୁଖ ଚାହିଁ । ପୁଣି ପୁଚ୍ଛଇ ଭାବବହି । । ୩୬
ଶୌନକ ଉବାଚ
ଏମନ୍ତ ଶୁକ ମୁଖୁ ଶୁଣି । ସେ କୁରୁବୀର ଚୂଡ଼ାମଣି । । ୩୭
ପୁଣି ସେ ଅଭିମନ୍ୟୁ ବଳା । ଆନ-ପ୍ରଶନ କିବା କଲା । । ୩୮
ସେ ହରିକଥା ଆମ୍ଭଆଗେ । ହେ ସୂତ କହ ସଭାଯୋଗେ । । ୩୯
ସେ କଥା ତୁମ୍ଭ ମୁଖୁ ଶୁଣି । ତରିବୁ ଭବ-ତରଙ୍ଗିଣୀ । । ୪୦
ତୁମ୍ଭର ଅଛି ଯେବେ ସ୍ନେହ । ସଦୟଚିତ୍ତେ ମୁନି କହ । । ୪୧
ଯେ ହରିକଥା ସଭାମଧ୍ୟେ । ଭକତେ କହନ୍ତି ଆନନ୍ଦେ । । ୪୨
ସେ ପଣ୍ତୁବଂଶେ ମହାରଥ । ସ୍ୱଭାବେ କୃଷ୍ଣଅଂଶେ ଜାତ । । ୪୩
ବାଳକ-କ୍ରୀଡ଼ା-ରସଖେଳେ । ଯେ ପୂଜେ କୃଷ୍ଣ-ପାଦମୂଳେ । । ୪୪
ବ୍ୟାସକୁମର ସତ୍ତ୍ଵଗୁଣ । ସ୍ୱଭାବେ ବିଷ୍ଣୁ-ପାରାୟଣ । । ୪୫
ପରମାନନ୍ଦ ଗୁଣଗାଥା । ସତସଙ୍ଗମେ ଯେ ବକତା । । ୪୬
ଜୀବନ ବହି ଏ ଜଗତେ । ହରିକଥାରେ ନିତ୍ୟେ ନିତ୍ୟେ । । ୪୭
ନ କରେ ଜୀବନ ସଫଳ । ବ୍ୟର୍ଥ ତାହାର ଆୟୁର୍ବଳ । । ୪୮
ଏ ରବି ଉଦେ ଅସ୍ତକାଳେ । ଜନ୍ତୁଜୀବନ ଘେନି ଚଳେ । । ୪୯
ଯେ ହରିଭାବେ ଥାନ୍ତି ଜଡ଼ି । ତାଙ୍କ ଜୀବନ ଦୂରେ ଏଡ଼ି । । ୫୦
ଏ ତରୁଗଣେ ଏ ସଂସାରେ । ଜୀବନ୍ତି ଅଜ୍ଞାନ ପ୍ରକାରେ । । ୫୧
ଲୌହକାରଙ୍କ ଗୃହେ ଭାତି । ଶ୍ୱାସ ଛାଡ଼ନ୍ତେ ନ ଜୀବତି । । ୫୨
ଗ୍ରାମ-କାନନେ ପଶୁଗଣ । କି ନ ଭକ୍ଷନ୍ତି ଜଳତୃଣ । । ୫୩
ମୂତ୍ରୁପୁରୀଷ ଉତ୍ସର୍ଗନ୍ତି । ଅଜ୍ଞାନସୁଖେ ସେ ଜୀବନ୍ତି । । ୫୪
ଶ୍ୱାନ ଶୁକର ଉଷ୍ଟ୍ରଖର । ଏହାଙ୍କ ସମାନ ସେ ନର । । ୫୫
କୃଷ୍ଣର ନାମ ଉଚ୍ଚାରଣ । ନ ଶୁଣେ ଯାହାର ଶ୍ରବଣ । । ୫୬
ତାହାର ଶ୍ରୁତିଯୁଗ କାନ୍ଥେ । ବିବରେ ଦିଶନ୍ତି ଯେମନ୍ତେ । । ୫୭
ତୁଣ୍ତର ମଧ୍ୟେ ଜିହ୍ୱା ବହି । ଯେ ହରିନାମ ନ ଭଜଇ । । ୫୮
ଦର୍ଦ୍ଦୁର ବାଣୀ ବୋଲି ତାରେ । ଯେ ହରିନାମ ନ ଉଚ୍ଚାରେ । । ୫୯
ଯାର ଉତ୍ତମ-ଅଙ୍ଗସାଜେ । ସୁବର୍ଣ୍ଣ-ମୁକୁଟ ବିରାଜେ । । ୬୦
ପାଟବସନେ ବାନ୍ଧି ଚୂଳ । ଶ୍ରବଣେ ମକର-କୁଣ୍ତଳ । । ୬୧
ସେ ଯେବେ ହରିଙ୍କି ନ ନମେ । ସେ ମୁଣ୍ତ ଭାରବହି ଶ୍ରମେ । । ୬୨
ସେ ବା ସୁନ୍ଦର ବେନିଭୁଜେ । କାଞ୍ଚନ କଙ୍କଣ ବିରାଜେ । । ୬୩
କୃଷ୍ଣର କାର୍ଯ୍ୟ ଯେବେ ନୋହେ । ଶ୍ୱଶାନ-ଅସ୍ଥି ପ୍ରାୟ ହୋଏ । । ୬୪
ଲୋଚନବେନି ଥାଉଁ ମୁଖେ । ଯେ ହରିମୂରତି ନ ଦେଖେ । । ୬୫
ମୟୂରପୁଚ୍ଛ ବୋଲି ତାରେ । ସେ ଅନ୍ଧ ସଂସାର-ସାଗରେ । । ୬୬
ଚରଣଯୁଗ ବହି ନରେ । ଯେବେ ନ ଯାନ୍ତି ବିଷ୍ଣୁ ପୁରେ । । ୬୭
ତାହାକୁ ବୋଲି ବୃକ୍ଷଦୁଇ । ସେ ଯେହ୍ନେ ପାଦେ ନ ଚଳଇ । । ୬୮
କୃଷ୍ଣର ଭକତଚରଣୁ । ଶିରେ ନ ଲାଗେ ଯାର ରେଣୁ । । ୬୯
ପବିତ୍ର ନୋହେ ତା ଶରୀର । ଜୀଅଁନ୍ତା ଶବର ଆକାର । । ୭୦
ତୁଳସୀଦଳ କୃଷ୍ଣଦେହେ । ଶୁଦ୍ଧ-ସୌରଭ-ଗନ୍ଧ ବହେ । । ୭୧
ସେ ଗନ୍ଧ ଯାର ନାସାଦ୍ୱାର । ନ ଲଭେ ଶବ ତା ଶରୀର । । ୭୨
ଗୋବିନ୍ଦନାମ ଯାରହୃଦେ । ନ ପଶେ ପୁଲକ ଆନନ୍ଦେ । । ୭୩
କି ଅବା ପଶିଲେ ହୃଦରେ । ନୟନୁ ଅଶ୍ରୁ ତା ନ ଝରେ । । ୭୪
ତାର ହୃଦୟ ଅଶ୍ମସାର । ବହଇ ଲୋହମୟ ଭାର । । ୭୫
ହେ ସୂତ ଶୁଣ କୃଷ୍ଣଗୁଣ । ଶୁଣାଅ ଆମ୍ଭର ଶ୍ରବଣ । । ୭୬
ଯେ ସାଧୁ ପ୍ରଶ୍ନ ପରୀକ୍ଷିତ । ପୁଚ୍ଛିଲା ଶୁକଙ୍କ ଅଗ୍ରତ । । ୭୭
ହରଷେ ବ୍ୟାସଙ୍କ କୁମର । ଆତ୍ମଜ୍ଞାନୀଙ୍କ ମଧ୍ୟେ ସାର । । ୭୮
ଆନନ୍ଦେ ମୁନିଗଣମେଳେ । ଯାହା କହିଲେ ଗଙ୍ଗାକୂଳେ । । ୭୯
ସେ ଆମ୍ଭମନ ଅନୁକୂଳ । କହି ସଂସାରୁ କର ପାର । । ୮୦
ସେ ହରି-ଚରଣ-ପଙ୍କଜେ । ବ୍ରାହ୍ମଣ-ଜଗନ୍ନାଥ ଭଜେ । । ୮୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦ୍ୱିତୀୟସ୍କନ୍ଧେ ତୃତୀୟୋଽଧ୍ୟାୟଃ ।।
* * *