ଦ୍ଵିତୀୟ ସ୍କନ୍ଧ
ଦ୍ୱିତୀୟ ଅଧ୍ୟାୟ
ସୂତ ଉବାଚ
କହନ୍ତି ଶୁକ ମହାମୁନି । ଶୁଣ ରାଜନ-ଚୂଡ଼ାମଣି । । ୧
ଶୁକ ଉବାଚ
ଏ ଯେତେ କହିଲି ମୁଁ ତୋତେ । ଈଶ୍ୱର ଶରୀର ସମେତେ । । ୨
ଏ ସ୍ଥୂଳଦେହେ ମନ ଧରି । ସୁବୁଦ୍ଧିବଳେ ଯତ୍ନ କରି । । ୩
ସେ ହରି ଅନ୍ତରେ ବାହାରେ । ଆନ କେ ଅଛି ଏ ସଂସାରେ । । ୪
ସେ ସର୍ବବୁଦ୍ଧି ଅନୁଭୂତ । ସ୍ୱପ୍ନ-ଜାଗ୍ରତ ମଧ୍ୟେ ସ୍ଥିତ । । ୫
ସତ୍ୟ-ଆନନ୍ଦ-ଜଳନିଧି । ଭକ୍ତଜନଙ୍କ ସର୍ବସିଦ୍ଧି । । ୬
ଯାହାର ତହୁଁ ଏ ଜଗତ । ଆତ୍ମାର ତୁଲେ ଉଦେ ଅସ୍ତ । । ୭
ଏହି ପ୍ରକାରେ ପୂର୍ବକାଳେ । ସେ ଆତ୍ମଯୋନି ଏ ଶୟଳେ । । ୮
ଆତ୍ମ ସ୍ମରଣେ ବୁଦ୍ଧିବଳେ । ସର୍ଜିଲା ଏ ବିଶ୍ୱ-ମଣ୍ତଳେ । । ୯
ପୂର୍ବେ ଯେମନ୍ତେ ଥିଲା ବିଧି । ତେହ୍ନେ ଧାରଣା ବଳେ ସାଧି । । ୧୦
ଆତ୍ମାକୁ ପାଳି ପୁଣ ହରେ । ବଣିଜ ଯେହ୍ନେ ବଣିଜାରେ । । ୧୧
ଶବଦ ବ୍ରହ୍ମର ଏ ପଥ । ଯେ ମାର୍ଗେ ଜୀବ ଆତଯାତ । । ୧୨
ପଡ଼ି ଭ୍ରମଇ ଅଧ ଉର୍ଦ୍ଧ୍ୱେ । କିଛି ନ ଲଭେ ଲାଭପଦେ । । ୧୩
ନାନା ଦେବତା ଦୀକ୍ଷା କରେ । ବିଅର୍ଥ-ସୁଖେ ମନ ଧରେ । । ୧୪
ବାସନା-ମାୟାମୟ-ଯାନେ । ନ ବୁଝି ନିରତେ ଭ୍ରମଣେ । । ୧୫
ତାହାଙ୍କ ମଧ୍ୟେ ଯେ ସୁବୁଦ୍ଧି । ଜାଣଇ ବେଗ-ସତ୍ୟ-ବୁଦ୍ଧି । । ୧୬
ବିଚାର କରେ ମାୟାଗ୍ରସ୍ତେ । ମୁହିଁ ଭ୍ରମଇ କିସ ଅର୍ଥେ । । ୧୭
ଶ୍ରମ ଲଭଇ ଆତଯାତେ । ଲାଭ ନ ମିଳେ ମୋର ହସ୍ତେ । । ୧୮
ଏଣୁ ଏ ପଥଶ୍ରମ ତେଜି । ଯେ ପ୍ରାଣୀ ଆତ୍ମାଲାଭ ଖୋଜି । । ୧୯
ପ୍ରୟାସ ଦୂରେ ପରିହରି । ଆତ୍ମାରେ ଆତ୍ମା ବୋଧ କରି । । ୨୦
ଅଳପ ଭୋଗେ ଆତ୍ମା ପୋଷେ । ବର୍ତ୍ତଇ ଅବା ଉପବାସେ । । ୨୧
ଥାଉଁ ଏ ବସୁନ୍ଧରୀ ଅଙ୍କ । ସୁବର୍ଣ୍ଣ ପଲେଙ୍କ କି ସୁଖ । । ୨୨
ସମର୍ଥ-ଭୁଜ ଥାଉଁ ବାମେ । କି ପ୍ରୟୋଜନ ଉପାଧାନେ । । ୨୩
ଅଞ୍ଜଳି ଅଛି ଯେବେ ହସ୍ତେ । କି ପ୍ରୟୋଜନ ଅନ୍ୟପାତ୍ରେ । । ୨୪
ଦିଗ-ବକଳ ଯାର ବାସ । ବସନେ ତାର କିବା ଆଶ । । ୨୫
ଲେଙ୍କଡ଼ା ବସ୍ତ୍ର ପଥେ ଦେଖି । ତାର ଗ୍ରହଣେ ହୋନ୍ତି ସୁଖୀ । । ୨୬
ଥାଉଁ ସମର୍ଥ ଦୁଇଭୁଜ । କୃତ୍ୟ କିଙ୍କରେ କିସ କାର୍ଯ୍ୟ । । ୨୭
ଆରୋହି ମନ ଯାର ପାଦ । ଗଜତୁରେଙ୍ଗ କିସ ସଧ । । ୨୮
ଫଳ ପୂରିଛି ବୃକ୍ଷେ ବନେ । କି ପ୍ରୟୋଜନ ଭିକ୍ଷାଅନ୍ନେ । । ୨୯
ନିର୍ଝର ନଦୀ କୂପ ସ୍ଥଳେ । କି ପ୍ରୟୋଜନ କମଣ୍ତଳେ । । ୩୦
ପର୍ବତ ଗୁହା ତୃଣେ ବେଢ଼ି । ସେ ଥାଉଁ ଗୃହେ କିମ୍ପା ପଡ଼ି । । ୩୧
ଏମନ୍ତ ଭାବେ କୃଷ୍ଣପାଦେ । ଯେ ପ୍ରାଣୀ ରମନ୍ତି ଆନନ୍ଦେ । । ୩୨
ତାହାଙ୍କ ରକ୍ଷଣ ଉପାୟ । କରନ୍ତି ପ୍ରଭୁ ଦେରାୟ । । ୩୩
ସେ କିମ୍ପା ଧନଗର୍ବୀ ଲୋକେ । କ୍ଷଣେ ଭଜିବେ ଆତ୍ମସୁଖେ । । ୩୪
ଏହି ପ୍ରକାରେ ଆତ୍ମଚିତ୍ତେ । ସିଦ୍ଧି ଲଭନ୍ତି ଅନୁଭୂତେ । । ୩୫
ସେ ପ୍ରାଣୀ ହୋଏ କୃତକୃତ୍ୟ । ତାହାକୁ ପ୍ରସନ୍ନ ଅନନ୍ତ । । ୩୬
ଏଣୁ ନିୟତ ଆତ୍ମା ଯୋଗେ । ଭଜିବ କୃଷ୍ଣ-ପାଦଯୁଗେ । । ୩୭
ମୁଁ ତୋତେ କହିଲି ବିଶ୍ୱାସେ । ଏଣେ ସଂସାର-ହେତୁ ନାଶେ । । ୩୮
ଏ ଭାବ ଅନାଦର କରି । ସଂସାର-ଚିନ୍ତା ଚିତ୍ତେ ଧରି । । ୩୯
ପଶୁଙ୍କ ପ୍ରାୟ ତାଙ୍କ ଗତି । ଏ ମାୟା-ସଂସାରେ ଭ୍ରମନ୍ତି । । ୪୦
ଦେଖ ସଂସାରେ ପ୍ରାଣୀ ଯେତେ । ଯନ୍ତ୍ରିତ ଯମର ଆୟତ୍ତେ । । ୪୧
ବଇତରଣୀ ନାମେ ନଦୀ । ଯାତନା ମଧ୍ୟେ ସେ ପ୍ରସିଦ୍ଧି । । ୪୨
ତହିଁ ପଡ଼ନ୍ତି ଦେଖୁ ଦେଖୁ । ତାଙ୍କ ଜୀବନ କେବା ରଖୁ । । ୪୩
ଅର୍ଜିଲା କର୍ମଫଳ ସେବି । ଅଶେଷ ଦେହେ ତାହା ଭାବି । । ୪୪
ଏବେ ହୋ ଶୁଣ ନୃପମଣି । ଯେଣେ ସଂସାରୁ ତରେ ପ୍ରାଣୀ । । ୪୫
ଏ ଭାବେ ଏ ନର-ଶରୀରେ । ଧାରଣାଯୋଗ ନିର୍ବିକାରେ । । ୪୬
ସ୍ୱଦେହେ ହୃଦୟ ପ୍ରକାଶେ । ସେ ହରି ଘୋରତମ ନାଶେ । । ୪୭
ପ୍ରାଦେଶମାତ୍ର ରୂପ ଧରି । ବିଜୟେ ପ୍ରଭୁ ନରହରି । । ୪୮
ସୂକ୍ଷ୍ମ-ସ୍ୱରୂପ ରୂପ ତାର । ଶୁଣ ସୁମନେ କୁରୁବୀର । । ୪୯
ଶ୍ୟାମସୁନ୍ଦର ଭୁଜଚାରି । ଶଙ୍ଖ-କମଳ-ଗଦା-ଅରୀ । । ୫୦
ଧାରଣା ଯୋଗେ ଏହା ଚିନ୍ତି । ନିଶ୍ଚଳ-ନୟନେ ଦେଖନ୍ତି । । ୫୧
ପ୍ରସନ୍ନ ଶ୍ରୀମୁଖ-ମଣ୍ତଳ । ଲୋଚନ ଅମଳ-କମଳ । । ୫୨
କଦମ୍ବ ଜିଞ୍ଜଳ୍ କ ସୁରଙ୍ଗେ । ପୀତବସନ ଶୋହେ ଅଙ୍ଗେ । । ୫୩
ସୁବର୍ଣ୍ଣ କରୀଟ କୁଣ୍ତଳ । ସୁନ୍ଦର ଅଳକା କପୋଳ । । ୫୪
ଅମୂଲ୍ୟ-ହାର ବକ୍ଷସ୍ଥଳେ । ରତ୍ନକେୟୂର ବାହୁମୂଳେ । । ୫୫
ହୃଦୟପଦ୍ମ ମଧ୍ୟେ ସ୍ମରି । ଯେ ପାଦଧ୍ୟାୟେ ବ୍ରହ୍ମଚାରୀ । । ୫୬
ସେ ପାଦ ଲକ୍ଷ୍ମୀରେ ଚିହ୍ନିତ । ଦିଶଇ ଅତ୍ୟନ୍ତ ଶୋଭିତ । । ୫୭
ଶ୍ରୀବତ୍ସ କଉସ୍ତୁଭମଣି । ସୁବର୍ଣ୍ଣସୂତ୍ରେ ସୁଖଞ୍ଜଣି । । ୫୮
ଆଜାନୁଲମ୍ବେ ବନମାଳେ । ସ୍କନ୍ଧୁବେଷ୍ଟିତ ବକ୍ଷସ୍ଥଳେ । । ୫୯
ରତ୍ନମେଖଳା କଟୀମାଝେ । ଅଙ୍ଗୁଷ୍ଠେ ମୁଦ୍ରିକା ବିରାଜେ । । ୬୦
ଅଙ୍ଗଦ ନୂପୁର କଙ୍କଣ । ବିବିଧ ଅଙ୍ଗ-ଆଭରଣ । । ୬୧
ଅମଳପୁଷ୍ପ ଶିରେ ଶୋହେ । ନୀଳକୁନ୍ତଳ ଜନ ମୋହେ । । ୬୨
ସୁନ୍ଦର ହୃଷିତ-ବଦନ । ଅଞ୍ଜନ ବିରାଜେ ନୟନ । । ୬୩
ଭ୍ରୂଭଙ୍ଗ ଅନୁଗ୍ରହ ମୁଖ । ଭ୍ରୂକୁଟୀ କୁଟୀଳ ସୁରେଖ । । ୬୪
ଅନେକ ଅନୁଗ୍ରହ ଯହିଁ । ସଞ୍ଚିତ ହୋଇଅଛି ରହି । । ୬୫
ଏମନ୍ତେ ଈଶ୍ୱରର ଦେହ । ଚିତ୍ତେ ଚିନ୍ତିବ ଚିନ୍ତାମୟ । । ୬୬
ଯାବତ ଧାରଣାର ବଳେ । ମନକୁ ରୁହାଇ ନିଶ୍ଚଳେ । । ୬୭
ତାବତ ଏକ ଏକ ଅଙ୍ଗେ । ନିତ୍ୟେ ଭାବିବ ବୁଦ୍ଧିଯୋଗେ । । ୬୮
ହାସବଦନୁ ପାଦଯାଏ । ଭାବିବ ବିଷ୍ଣୁ ସ୍ଥୂଳଦେହେ । । ୬୯
ସ୍ଥାନକୁ ସ୍ଥାନ ଧ୍ୟାନ କରି । ଛାଡ଼ିବ ଅପର ଆବୋରି । । ୭୦
ଯାବତ ବୁଦ୍ଧି ଏ ଶରୀରେ । ପରମେ ଭକ୍ତି ନ ବିଚାରେ । । ୭୧
ଯାବତ ବିଷ୍ଣୁ ନିଜ ଦେହେ । ନ ଦେଖି ତତ୍ତ୍ୱର ଉଦୟେ । । ୭୨
ତାବତ ସ୍ଥୂଳ ରୂପ ଚିନ୍ତି । ଚିତ୍ତେ ସ୍ମରିବ ନିତିନିତି । । ୭୩
ସୁଖେ ବସିବ ସ୍ଥିରାସନେ । ସ୍ଥୂଳ-ଶରୀର ଯୋଗଧ୍ୟାନେ । । ୭୪
ଏମନ୍ତ କରିବ ଧାରଣ । ଯାବତ ନ ଲଭେ ମରଣ । । ୭୫
ଏମନ୍ତ ଯୋଗୀ ଏ ଦେହକୁ । ଯେବେ ଇଚ୍ଛିବ ଛାଡ଼ିବାକୁ । । ୭୬
ପବିତ୍ର-ପୁଣ୍ୟ-ତୀର୍ଥ-କାଳ । ମନରେ ନ କରି ବିଚାର । । ୭୭
ଯୋଗସାଧନେ ପଞ୍ଚପ୍ରାଣ । ସାଧିବ ସମାଧି ଧାରଣ । । ୭୮
ଆସନ ପ୍ରତ୍ୟାହାର ବଳେ । ମନକୁ ସ୍ଥାପିବ ନିଶ୍ଚଳେ । । ୭୯
ମନ ସମେତେ ଇନ୍ଦ୍ରିଗଣ । ନିର୍ମଳ ବୁଦ୍ଧିରେ ସଂଯମ । । ୮୦
ସେ ବୁଦ୍ଧି କ୍ଷେତ୍ରଜ୍ଞେ ପ୍ରମାଣି । ଆତ୍ମାରେ କ୍ଷେତ୍ରଜ୍ଞକୁ ଜାଣି । । ୮୧
ଆତ୍ମାରେ ଆତ୍ମାକୁ ନିରୋଧି । ଏମନ୍ତେ ଯେ ଜନ ସୁବୁଦ୍ଧି । । ୮୨
ଆତ୍ମାର ଲାଭ ଲଭେ ହେଳେ । କର୍ମଛାଡ଼ିବ ତେତେବେଳେ । । ୮୩
ଏ ଭାବେ ଜୀବର ନିସ୍ତାର । କାଳର ନାହିଁ ଅଧିକାର । । ୮୪
ଦେବେ ନ ପାରେ ତାରେ ହିଂସି । ତ୍ରିଗୁଣେ ନ ପାରନ୍ତି ପଶି । । ୮୫
ଇନ୍ଦ୍ରିୟଗଣେ ଅଗୋଚର । ଯହିଁ ମହତତତ୍ତ୍ଵ ଦୂର । । ୮୬
ଦେବେ ନ ପାନ୍ତି ଯାହା ଚିନ୍ତି । ନ ଜାଣୁ ନ ଜାଣୁ ବୋଲନ୍ତି । । ୮୭
ଦୁରାତ୍ମାଭାବ ପରିହରି । ସୁହୃଦଭାବ ଚିତ୍ତେ ଧରି । । ୮୮
ଯେ ଅଟେ ବୈଷ୍ଣବର ଧାମ । ପରମପଦ ଯାର ନାମ । । ୮୯
ସେ ପଦ ହୃଦରେ ଧରନ୍ତି । ସର୍ବତ୍ର ଶ୍ରେଷ୍ଠ ମନେ ଚିନ୍ତି । । ୯୦
ଏ ରୂପେ ସାଧି ମୁନିଜନ । ପରମପଦେ କରେ ସ୍ଥାନ । । ୯୧
ଯେବେ ନ ପାରେ ଏ ସାଧନେ । ତେବେ ବିଜ୍ଞାନ-ଶାସ୍ତ୍ରଜ୍ଞାନେ । । ୯୨
ନାଶଇ ବିଷୟ-ବାସନା । ନାହିଁ ତା ମାୟାର ରଚନା । । ୯୩
ଯେବେ ତା ଦେହତ୍ୟାଗେ ମନ । ତେବେ ସାଧିବ ଦୃଢ଼ାସନ । । ୯୪
ବାମଚରଣ ପଛଭର । ତେଣେ ନିରୋଧି ମୂଳାଧାର । । ୯୫
ମୂଳପବନ ଉର୍ଦ୍ଧ୍ୱେ ତୋଳି । ନାଭିପବନ ସଙ୍ଗେ ମିଳି । । ୯୬
ବେନି ପବନ ପୁଣି ବଳେ । ସ୍ଥାପିବ ହୃଦୟ-କମଳେ । । ୯୭
ତହୁଁ ତୋଳିବ ତିନି ପ୍ରାଣ । କଣ୍ଠେ ଯେ ବସଇ ଉଦାନ । । ୯୮
ବ୍ୟାନ-ପବନ ତାର ତୁଲେ । ଧରି ସ୍ଥାପିବ ତାଳୁମୂଳେ । । ୯୯
ତହୁଁ କୁମ୍ଭକ ସାଧ୍ୟକରି । ପ୍ରାଣକୁ ଭ୍ରୂମଣ୍ତଳେ ଭରି । । ୧୦୦
ନିରୋଧ କରି ସପ୍ତଦ୍ୱାର । ସ୍ମରଣ କରିବ ଓଁକାର । । ୧୦୧
ଯେବେ ଭୋଗରେ ମନ ନାହିଁ । ମୁହୂର୍ତ୍ତଅର୍ଦ୍ଧ ତହିଁ ରହି । । ୧୦୨
ନିୟତ ଥାଇ ଯୋଗବନ୍ଧେ । ତେବେ ସ୍ଥାପିବ ବ୍ରହ୍ମରନ୍ଧ୍ରେ । । ୧୦୩
ନିଶ୍ଚଳ-ଯୋଗ ଦୃଢ଼େ ସାଧି । ତକ୍ଷଣେ ବ୍ରହ୍ମରନ୍ଧ୍ର ଭେଦି । । ୧୦୪
ପରମପଦେ ତାର ଗତି । ଦେହଇନ୍ଦ୍ରିୟ ପାଶୋରନ୍ତି । । ୧୦୫
ହେ ନୃପ ଯେବେ ବ୍ରହ୍ମପଦ । ବୋଲିବ ପ୍ରୟାସ-ଆସ୍ପଦ । । ୧୦୬
ଯେ ସିଦ୍ଧିଦେବଙ୍କର ସ୍ଥାନ । ଯେ ଅଷ୍ଟନିଧିରେ ସମ୍ପନ୍ନ । । ୧୦୭
ବ୍ରହ୍ମର ବ୍ରହ୍ମଲୋକେ ସ୍ଥିତି । ସେ ସ୍ଥାନ ଭୋଗ ମନେ ଚିନ୍ତି । । ୧୦୮
ଗୁଣ ସମୂହେ ଗୁଣସିଦ୍ଧି । ଯେବା ବାଞ୍ଛଇ ସର୍ବସିଦ୍ଧି । । ୧୦୯
ମନ ଇନ୍ଦ୍ରିୟଗଣ ମେଳେ । ତକ୍ଷଣେ ସେ ଲୋକରେ ମିଳେ । । ୧୧୦
ଯୋଗେଶ୍ୱରଙ୍କ ଏହୁ ଗତି । ପରମପୁରୁଷେ ବୋଲନ୍ତି । । ୧୧୧
ଏମନ୍ତ ତିନିଲୋକ ଜିଣି । ଶୁଣ କହିବା ପରିମାଣି । । ୧୧୨
ଯେ କର୍ମସାଧେ କର୍ମକାଣ୍ତେ । ସେ କାହିଁ ଯିବ ଉର୍ଦ୍ଧ୍ୱଦାଣ୍ତେ । । ୧୧୩
କେବା ଲଭିବ କର୍ମଭାବେ । ସମାଧି-ବିଦ୍ୟା-ତପ-ଯୋଗେ । । ୧୧୪
ଯେ ବ୍ରହ୍ମଲୋକ ମନେ କରେ । ପ୍ରଥମେ ଅଗ୍ନି ଆଶ୍ରେ କରେ । । ୧୧୫
ସୁଷୁମ୍ନାରନ୍ଧ୍ରେ ବ୍ରହ୍ମପଥେ । ଜ୍ୟୋତି ପ୍ରକାଶେ ଉର୍ଦ୍ଧ୍ୱଗତେ । । ୧୧୬
ବିଧୂତ-କଳ୍ମଷ-ଶରୀର । ସେ ଚକ୍ରେ ସ୍ଥିତ ଶିଶୁମାର । । ୧୧୭
ସେ ଶିଶୁମାର ଚକ୍ରସାର । ସେ ଚକ୍ର ତଳେ ଧ୍ରୁବପୁର । । ୧୧୮
ବିଶ୍ୱର ନାଭି ସେ ବୋଲାଇ । ଆତ୍ମା ସ୍ୱରୂପେ ତହୁଁ ଯାଇ । । ୧୧୯
ପ୍ରବେଶ ପରମ-ସ୍ୱରୂପେ । ବ୍ରହ୍ମନିର୍ବାଣ ମହର୍ଲୋକେ । । ୧୨୦
କଳ୍ପଆୟୁଷ ଦେବଗଣେ । ଯହିଁ ରମନ୍ତି ଅନୁକ୍ଷଣେ । । ୧୨୧
ସେ ପୁଣି କଳ୍ପକ୍ଷୟକାଳେ । ଅନନ୍ତ-ନିଃଶ୍ୱାସ-ଅନଳେ । । ୧୨୨
ଦହନ ଦେଖି ଅନ୍ତରୀକ୍ଷେ । ଅନନ୍ତଶୟନେ ପ୍ରତ୍ୟକ୍ଷେ । । ୧୨୩
ସିଦ୍ଧେଶ୍ୱରଙ୍କ ସ୍ଥାନେ ପଶେ । ବେଦ ଯା ବ୍ରହ୍ମଲୋକେ ଘୋଷେ । । ୧୨୪
ବେନିପରାର୍ଦ୍ଧ ଯହିଁ ଗଣି । ସେ ବ୍ରହ୍ମଲୋକ ପରିମାଣି । । ୧୨୫
ସଂସାରକର୍ତ୍ତା ଯେ ବୋଲାନ୍ତି । ସେ ବ୍ରହ୍ମା ବ୍ରହ୍ମଲୋକେ ସ୍ଥିତି । । ୧୨୬
ସେ ପୁରେ ନାହିଁ ଦୁଃଖଶୋକ । ଜରା-ମରଣ-ଉଦବେଗ । । ୧୨୭
ଚିତ୍ତଅନର୍ଥହେତୁ ନାହିଁ । ଜନ୍ମମରଣ ଭୟ କାହିଁ । । ୧୨୮
କେତେ ହେଁ କାଳେ ସେ ଭୁବନେ । ଥାଇ ଚିନ୍ତଇ ଅବଧାନେ । । ୧୨୯
ଲିଙ୍ଗ-ଶରୀରେ ପୃଥିବୀରେ । ନିର୍ଭୟେ ସେ ସ୍ଥଳେ ବିହରେ । । ୧୩୦
ପୃଥିବୀ ରୂପେ ଜଳେ ଯାଇ । ଯେ ଇଷ୍ଟଭୋଗ ତା ଭୁଞ୍ଜଇ । । ୧୩୧
ଅନଳ ମଧ୍ୟେ ତହୁଁ ସ୍ଥିତି । ଜ୍ୟୋତିସ୍ୱରୂପ ପ୍ରାଣ ଚିନ୍ତି । । ୧୩୨
ପବନେ କରଇ ସଞ୍ଚାର । ଧରଇ ପବନ ଶରୀର । । ୧୩୩
ସେ ବାୟୁ କାଳେ ନଭେ ପୁରେ । ସେ ନଭେ ଲିଙ୍ଗରୂପ ଧରେ । । ୧୩୪
ଗନ୍ଧ କଳ୍ପଇ ଘ୍ରାଣମାତ୍ରେ । ରସକୁ ରସନାସମେତେ । । ୧୩୫
ଦୃଷ୍ଟିରେ ରୂପକୁ ସଂହରେ । ପବନ ବଶେ ଚର୍ମ ପରେ । । ୧୩୬
ଆକାଶଗୁଣ କର୍ଣ୍ଣେ ଭରି । ଏ ରୂପେ ପ୍ରାଣ ସୂକ୍ଷ୍ମେ ଭରି । । ୧୩୭
ବୁଦ୍ଧି-ଇନ୍ଦ୍ରିୟ-ଭାବ ଏଣେ । ପଞ୍ଚତନ୍ମାତ୍ରେ ପରିମାଣେ । । ୧୩୮
ଏ ଅହଙ୍କାର ତିନିଗୁଣ । ବୁଦ୍ଧି-ଇନ୍ଦ୍ରିୟ-ଦିବ୍ୟଜ୍ଞାନ । । ୧୩୯
ପଞ୍ଚବିକାର ପଞ୍ଚଦେବା । ମନ ସମେତେ କରି ସେବା । । ୧୪୦
ଏ ପଞ୍ଚଦେବତା ସମେତେ । ସୂକ୍ଷ୍ମ ସ୍ୱରୂପେ ମହତ୍ତତ୍ୱେ । । ୧୪୧
ତେ ତତ୍ତ୍ଵଗୁଣର ସଂସ୍ଥାନ । ପ୍ରଧାନ ଦେହେ ହୋଏ ଲୀନ । । ୧୪୨
ସେ ନିତ୍ୟ-ଶାନ୍ତି-ସନାତନେ । ଆତ୍ମା-ନିରୋଧେ ଆତ୍ମଜ୍ଞାନେ । । ୧୪୩
ପ୍ରବେଶ କରେ ବିଦ୍ୟମାନେ । ବିଜ୍ଞାନ-ଆନନ୍ଦ-ଚେତନେ । । ୧୪୪
ଆନନ୍ଦଜ୍ଞାନ ରସଭୋଳେ । ଶାନ୍ତି ଲଭଇ ସୁନିଶ୍ଚଳେ । । ୧୪୫
ଏମନ୍ତେ ଧାରଣାନୁଭାବେ । ନିଶ୍ଚେ ପଶଇ ବାସୁଦେବେ । । ୧୪୬
ଅନ୍ତେ ଲଭଇ ଯେଉଁ ଗତି । ତାହାକୁ ବୋଲି ଭାଗବତୀ । । ୧୪୭
ଯହିଁ ପଶିଲେ ଆତ୍ମାମନ । ନ ଲଭେ ପୁନରାଗମନ । । ୧୪୮
ଶୁଣ ହେନୃପ ପରୀକ୍ଷିତ । ଯେଣୁ ପୁଚ୍ଛିଲୁ ଭାଗବତ । । ୧୪୯
ତେଣୁ କହିଲି ଶ୍ରୁତିଯୋଗେ । ତୋର ସମୀପେ ଅନୁରାଗେ । । ୧୫୦
ଦଇବେ କାଳ ଅବସାନ । ଏବେ କହିବା ଦିବ୍ୟଜ୍ଞାନ । । ୧୫୧
ବ୍ରହ୍ମାର ତପେ ହୋଇ ତୋଷ । ବିଷ୍ଣୁ ଯେ ଦେଲେ ଉପଦେଶ । । ୧୫୨
ଯେ ସଦ୍ୟୋମୁକ୍ତି କ୍ରମମୁକ୍ତି । ସ୍ୱଭାବସିଦ୍ଧ ବେନିଗତି । । ୧୫୩
ସେ ପଥ କହିବି ମୁଁ ତୋତେ । ଏବେ ତୁ ଶୁଣ ଏକଚିତ୍ତେ । । ୧୫୪
ସଂସାରେ ସଞ୍ଚରନ୍ତି ଯେତେ । ତାଙ୍କ ତାରଣେ ପଥ ଯେତେ । । ୧୫୫
ଏହିଟି ଜାଣ ଶିବପଥ । ତା ତହୁଁ ଭକ୍ତିଯୋଗ ଜାତ । । ୧୫୬
ଯେ କଥା ଶୁଣି ପ୍ରିୟଭାବେ । ଭକତି ଲଭେ ବାସୁଦେବେ । । ୧୫୭
ବ୍ରହ୍ମାର ତପକଷ୍ଟେ ହରି । ଯାହା କହିଲେ ଦୟାକରି । । ୧୫୮
ସେ ବ୍ରହ୍ମା ବ୍ରହ୍ମବେଦସାର । ସକଳ ବୁଝି ତିନିବାର । । ୧୫୯
ଯେ ଭକ୍ତି ଜୀବ-ସୁଖପଥ । ଏ ଭାବେ ହେଲା ଆତ୍ମେ ରତ । । ୧୬୦
ସେ ହରି ସର୍ବଭୂତ ମଧ୍ୟେ । ନିତ୍ୟେ ବିହରେ ଆତ୍ମାପଦେ । । ୧୬୧
ବୁଦ୍ଧି ଲକ୍ଷଣେ ଅନୁମାନେ । ନିଶ୍ଚଳଯୋଗୀ ଯୋଗଧ୍ୟାନେ । । ୧୬୨
କେ ଅବା କରିବ ଗୋଚର । ଜଗତ ବାହ୍ୟ-ଅଭ୍ୟନ୍ତର । । ୧୬୩
ଏ ଘେନି ସର୍ବ ଆତ୍ମାଭାବେ । ସର୍ବଦା କାଳେ ସର୍ବଠାବେ । । ୧୬୪
ହରିଙ୍କି ଶ୍ରୁତିପଥେ ଶୁଣ । ମୁଖେ ନିରତେ ନାମ ଭଣ । । ୧୬୫
ସେ ହରିକଥାମୃତରସ । ଯେ କରେ ଶ୍ରୁତିପଥେ ଗ୍ରାସ । । ୧୬୬
ବିଷୟ-ବିଦୂଷିତ-ଚିତ୍ତ । ପବିତ୍ର କରେ ଅନ୍ତର୍ଗତ । । ୧୬୭
ଗୋବିନ୍ଦ-ଚରଣ-କମଳେ । ପଶଇ ଭକ୍ତିଯୋଗବଳେ । । ୧୬୮
ଏ ଭାଗବତ ରସ ଯେତେ । ସୁଜନେ ପିବ ଶ୍ରୁତିପଥେ । । ୧୬୯
ବିଷୟାରସରେ ନ ରସ । କହଇ ଜଗନ୍ନାଥ ଦାସ । । ୧୭୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦ୍ୱିତୀୟସ୍କନ୍ଧେ ପୁରୁଷସଂସ୍ଥାବର୍ଣ୍ଣନଂ ନାମ ଦ୍ୱିତୀୟୋଽଧ୍ୟାୟଃ ।।
* * *