ଦ୍ଵିତୀୟ ସ୍କନ୍ଧ
ପ୍ରଥମ ଅଧ୍ୟାୟ
ସୂତ ଉବାଚ
ହରି-ଚରଣ ଚିନ୍ତି ଧ୍ୟାନେ । କୋମଳ-ଗଭୀର-ବଚନେ । । ୧
ରୋମପୁଲକ ନିଜଦେହୀ । ଶୁକ କହନ୍ତି ରାଜା ଚାହିଁ । । ୨
ଶୁକ ଉବାଚ
ହେ ପରୀକ୍ଷିତ ନୃପବର । ଗରିଷ୍ଠ ପ୍ରଶ୍ନ ଏ ତୋହର । । ୩
ପଚାରୁ ଜୀବଲୋକ ହିତେ । ଯେ ପ୍ରଶ୍ନ ଅଛି ତୋର ଚିତ୍ତେ । । ୪
ଏ ଆତ୍ମାଜ୍ଞାନୀଙ୍କର ସାର । ସଂସାରେ ଜନଉପକାର । । ୫
ଶ୍ରୋତବ୍ୟ ପ୍ରଶ୍ନ ଅଛି ଯେତେ । ଆଗମ ନିଗମ ଭକତେ । । ୬
ସହସ୍ର ସହସ୍ର ପ୍ରକାରେ । ଯେ ପ୍ରଶ୍ନ ଅଛି ଏ ସଂସାରେ । । ୭
ସଂସାର କରିବାର ଆଶେ । ଯେତେ ଅଛନ୍ତି ଗୃହବାସେ । । ୮
ଇନ୍ଦ୍ରିୟବଶେ ଗୃହେ ଥାଇ । ଆତ୍ମାର ହିତେ ଜ୍ଞାନ ନାହିଁ । । ୯
ଆୟୁଷ କ୍ଷୟ ନ ଜାଣନ୍ତି । ବିଷୟ ଅର୍ଥ ନିତ୍ୟେ ଚିନ୍ତି । । ୧୦
ନିଶା ହରଇ ଅର୍ଦ୍ଧବେଳ । ନିଦ୍ରା ବା ବଧୂ ସଙ୍ଗ ମେଳ । । ୧୧
ଦିବସେ ଅର୍ଥ ଚିନ୍ତାକୁଳ । କୁଟୁମ୍ବପୋଷଣେ ବିକଳ । । ୧୨
ସୁତ-କଳତ୍ର ଦେହ ପାଇ । ଆନନ୍ଦେ ତାଙ୍କ ମଧ୍ୟେ ଥାଇ । । ୧୩
ବିଷ୍ଣୁର ମାୟା ସତ୍ୟ ଚିନ୍ତି । ନିକଟେ ମୃତ୍ୟୁ ନ ଦେଖନ୍ତି । । ୧୪
ମରଣ ଦେଖୁଥାନ୍ତି ଡୋଳେ । ଅଜ୍ଞାନେ ଭ୍ରମେ ସୁଖଭୋଳେ । । ୧୫
ଏଣୁ ସଂସାର ପ୍ରାଣୀଙ୍କର । ଆତ୍ମାର ଗତି ଅଗୋଚର । । ୧୬
ଏଣୁ ସଂସାର ଭାବ ତେଜି । ଆତ୍ମାର ଗତି ଚିତ୍ତେ ହେଜି । । ୧୭
ଯେ ହରି ସର୍ବଘଟେ ପୂରେ । ନିର୍ଲେପ ବାହ୍ୟ-ଅଭ୍ୟନ୍ତରେ । । ୧୮
ତାର ମହିମା ଶୁଣି କର୍ଣ୍ଣେ । ନାମକୁ ଉଚ୍ଚାରି ବଦନେ । । ୧୯
ସ୍ମରଣ କର ହୃଦଗତେ । ଯେବେ ଅଭୟ-ଇଚ୍ଛା ଚିତ୍ତେ । । ୨୦
ଏକଥା ସାଂଖ୍ୟଯୋଗେ ଜାଣି । ସ୍ୱଧର୍ମନିଷ୍ଠା ପରିମାଣି । । ୨୧
ଜନ୍ମର ଲାଭ ଏ ପ୍ରମାଣ । ଅନ୍ତେ ସ୍ମରଣ ନାରାୟଣ । । ୨୨
ପୂର୍ବେ ନିର୍ମଳ-ମୁନି ଯେତେ । ତତ୍ତ୍ୱ ବିଚାରି ବେଦମତେ । । ୨୩
ବିଧି ନିଷେଧ ଦୂର କରି । କୃଷ୍ଣର ଭାବ ହୃଦେ ଧରି । । ୨୪
କୃଷ୍ଣର ଗୁଣ ଅନୁକ୍ଷଣେ । ଗୁଣନ୍ତି ଶୁଣନ୍ତି ଶ୍ରବଣେ । । ୨୫
ଏ ଭାଗବତ ଧର୍ମବାଣୀ । ବ୍ରହ୍ମସମାନେ ପରିମାଣି । । ୨୬
ଦ୍ୱାପରଯୁଗ ଅନ୍ତଃକାଳେ । ମୁଁ ଯେ ଅନେକ ଶିଷ୍ୟମେଳେ । । ୨୭
ମୋର ଜନକ ବ୍ୟାସମୁନି । ତାହାଙ୍କ ଶିକ୍ଷା ଶିରେ ଘେନି । । ୨୮
ନିର୍ଗୁଣ ମାର୍ଗେ ଦୃଢ଼ଚିତ୍ତ । ବିଷ୍ଣୁର ଭାବ ହେଲା ଜାତ । । ୨୯
ନିଶ୍ଚଳ ଯୋଗେ ମନ ଥୋଇ । ଯେବା ଅଭ୍ୟାସ କଲି ମୁହିଁ । । ୩୦
କହିବି ତୋର ଆଗେ ତାହା । ଶୁଣ ପରୀକ୍ଷ ପୁଣ୍ୟଦେହା । । ୩୧
ଏ ଭାଗବତ ବାଣୀ କର୍ଣ୍ଣେ । ଯେ ଶୁଣେ ଶ୍ରଦ୍ଧା ଅବଧାନେ । । ୩୨
ମୁକୁନ୍ଦପାଦେ ତାଙ୍କ ମନ । ନିଶ୍ଚଳେ ରହେ ଅନୁକ୍ଷଣ । । ୩୩
ମୋକ୍ଷ ଇଚ୍ଛିଲା ପ୍ରାଣୀଙ୍କର । ହରିକୀର୍ତ୍ତନ ଅଟେ ଫଳ । । ୩୪
ତାକୁ ନ ଲାଗେ ଯମଭୟେ । ନିର୍ଭୟପଥେ ଚିତ୍ତ ରହେ । । ୩୫
ଯୋଗ ଅଭ୍ୟାସେ ଯୋଗୀଜନେ । ଦୀର୍ଘେ ଜୀବନ୍ତି ଯୋଗଧ୍ୟାନେ । । ୩୬
ଯେବେ ସେ କୃଷ୍ଣନାମ ମୁଖେ । କହନ୍ତି ଏକକୁ ଆରକେ । । ୩୭
ଦିନ ବଞ୍ଚନ୍ତି କୃଷ୍ଣ-ଗାଇ । ଅନ୍ତରେ ତାର ପଦ ଧ୍ୟାୟି । । ୩୮
ଯେ ହରି ନ ବୋଲେ ବଦନେ । କି ପ୍ରୟୋଜନ ଯୋଗଧ୍ୟାନେ । । ୩୯
କାଳ ନିର୍ଣ୍ଣୟ ନାହିଁ ତହିଁ । ହେ ନୃପ ଶୁଣ ମନଦେଇ । । ୪୦
ମୁହୂର୍ତ୍ତମାତ୍ରେ କୃଷ୍ଣବାଣୀ । ଯେ ଶୁଣେ ଯେବା ମୁଖେ ଭଣି । । ୪୧
ସେ ପ୍ରାଣୀ ଆତ୍ମାକୁ ଉଦ୍ଧରେ । କି ଭାବ ବହୁ ସମ୍ବତ୍ସରେ । । ୪୨
ଖଟ୍ୱାଙ୍ଗ ନାମେ ରାଜା ଥିଲା । ସ୍ୱର୍ଗେ ଦେବଙ୍କୁ ହିତ କଲା । । ୪୩
ରିପୁ ସଂହାରି ଦେବପାଶେ । ମିଳିଲା ଭକତି-ବିଶ୍ୱାସେ । । ୪୪
ଦେବେ ବୋଇଲେ ମାଗ ବର । ଶୁଣି ବୋଇଲା ନୃପବର । । ୪୫
ଆୟୁଷ ଅଛଇ ମୋ କେତେ । ଦେବେ କହିଲେ ଶାସ୍ତ୍ରମତେ । । ୪୬
ମୁହୂର୍ତ୍ତେ ଅଛି ତୋ ଜୀବନ । ତାଣୁଣି ସନ୍ତୋଷ ରାଜନ । । ୪୭
ତକ୍ଷଣେ ଆସି ମହୀତଳେ । ଭାବିଲା ଅକିଞ୍ଚନ ମେଳେ । । ୪୮
ମୁହୂର୍ତ୍ତେ ନାମ ଉଚ୍ଚାରିଲା । ଅନ୍ତେ ସେ ଗୋବିନ୍ଦେ ପଶିଲା । । ୪୯
ଏବେ ସପତଦିନ ଯାଏ । ଜୀବନ ଥିବ ତୋର ଦେହେ । । ୫୦
ଏବେ ହରିଙ୍କି ଆଶ୍ରେକର । କର୍ଣ୍ଣେ ଶୁଣ ମୁଖେ ଉଚ୍ଚାର । । ୫୧
ଯେ ଅନ୍ତଃକାଳେ କୃଷ୍ଣବାଣୀ । ମୁଖେ ଉଚ୍ଚାରେ କର୍ଣ୍ଣେ ଶୁଣି । । ୫୨
ତାହାର ମୃତ୍ୟୁଭୟ ନୋହେ । ଦାରାତନୟ ନିଜ ଦେହେ । । ୫୩
ଯେତେ ବିଷୟ ଆତ୍ମାଭେଦି । ଅସଙ୍ଗଶସ୍ତ୍ରେ ତାହା ଛେଦି । । ୫୪
ବେଗେ ସେ ପଶେ କୃଷ୍ଣଭାବେ । ଶୁଣ କହିବା ତୋତେ ଏବେ । । ୫୫
ଯେ ପ୍ରାଣୀ ଅନ୍ତଃକାଳ ଜାଣି । ଆତ୍ମାର ହିତ ମନେ ଗୁଣି । । ୫୬
ଘରୁ ବାହାର ହୋଇ ଜ୍ଞାନେ । ତପଆଚରେ ଘୋରବନେ । । ୫୭
ସ୍ନହାନ ସାରି ତୀର୍ଥଜଳେ । ଆସନେ ବସିବ ନିଶ୍ଚଳେ । । ୫୮
ଏକାନ୍ତେ ଯେ ବିଧି ଆସନେ । ପ୍ରଥମ-ଆଶ୍ରମ ଲକ୍ଷଣେ । । ୫୯
ଅଭ୍ୟାସ କରି ଶୁଦ୍ଧମନେ । ତ୍ରିବୃତ-ବ୍ରହ୍ମ ସୁମରଣେ । । ୬୦
ପ୍ରାଣ ପବନ ଯୋଗେ ରୁନ୍ଧି । ଚଞ୍ଚଳ ଇନ୍ଦ୍ରିୟ ନିରୋଧି । । ୬୧
ବୁଦ୍ଧି-ସାରଥି ଆଶ୍ରେ କରି । ବିଷୟ-ସମୂହ ସଂହରି । । ୬୨
କର୍ମେ ଚଞ୍ଚଳମନ ବଳେ । ନିରୋପି କୃଷ୍ଣ-ପାଦତଳେ । । ୬୩
ତାର ଶରୀର ଅବୟବେ । ଚିନ୍ତିବ ଏକେ ଏକେ ଭାବେ । । ୬୪
ମନକୁ ନିର୍ବିଷୟ କରି । ସକଳଚିନ୍ତା ପରିହରି । । ୬୫
ମନ ପ୍ରସନ୍ନ ଯେତେବେଳେ । ଜ୍ଞାନ-ପ୍ରସରେ ସୁନିଶ୍ଚଳେ । । ୬୬
ସ୍ୱଭାବେ ମନ ଦୁଷ୍ଟପଣେ । ଆବୃତ ରଜ ତମୋ ଗୁଣେ । । ୬୭
ଏଣୁ ଧାରଣା ଆଶ୍ରେ କରି । ମନର ମଳ ଅପହରି । । ୬୮
ଏମନ୍ତ ଯୋଗର ଧାରଣ । ଯୋଗୀଙ୍କ ଭକତି ଲକ୍ଷଣ । । ୬୯
ଯେ ଭକ୍ତି-ଧାରଣାର ବଳେ । ଯୋଗପ୍ରାପତ ଅଳ୍ପକାଳେ । । ୭୦
ବିଷୟ ଦେଖଇ ମଙ୍ଗଳ । କୃଷ୍ଣେ କରଇ ସର୍ବମେଳ । । ୭୧
ଏମନ୍ତ ଶୁକ ମୁଖୁ ଶୁଣି । ବୋଲେ ପାଣ୍ଡବ-ଚୂଡ଼ାମଣି । । ୭୨
ରାଜା ଉବାଚ
ଧାରଣା-ଯୋଗ ଚିତ୍ତେ ଧରି । ଯେମନ୍ତେ ତରେ ବ୍ରହ୍ମଚାରୀ । । ୭୩
ଯେମନ୍ତ ଧାରଣା ନିଶ୍ଚଳ । ବେଗେ ହରଇ ମନୁ ମଳ । । ୭୪
ଏ ଯୋଗଧାରଣା ସ୍ୱଭାବ । ଯେ ଶାସ୍ତ୍ରମାର୍ଗେ ଅନୁଭବ । । ୭୫
ଗୁରୁ ବଚନେ କିବା ଜାଣି । ଯୋଗଧାରଣା ପରିମାଣି । । ୭୬
ଯେଣେ ଅଭ୍ୟାସ ପ୍ରାଣୀକରେ । ଯେମନ୍ତେ ମନୁ ମଳ ହରେ । । ୭୭
କହି ପବିତ୍ର ମୋତେ କର । ନିର୍ମଳ ହେଉ ମୋ ଶରୀର । । ୭୮
ଏମନ୍ତ ରାଜା ପ୍ରଶ୍ନ ଶୁଣି । ଶୁକ କହନ୍ତି ମନେ ଗୁଣି । । ୭୯
ଶୁକ ଉବାଚ
ଜିତ ଆସନ ଜିତ ପ୍ରାଣ । ଜିତ ବିଷୟ ଇନ୍ଦ୍ରିଗଣ । । ୮୦
ସ୍ଥୂଳ ଶରୀରେ ବୁଦ୍ଧିବଳେ । ମନକୁ ସ୍ଥାପିବ ନିଶ୍ଚଳେ । । ୮୧
ବିଶେଷେ ଗୋବିନ୍ଦ ଶରୀର । ଅତ୍ୟନ୍ତ ସ୍ଥୂଳୁ ସ୍ଥୂଳତର । । ୮୨
ଯହିଁ ସଂସାର ପରମାଣ । ଭୂତ-ଭବିଷ୍ୟ-ବତ୍ତର୍ମାନ । । ୮୩
ବ୍ରହ୍ମାଣ୍ଡ ବସେ ଯାର ଦେହି । ସପ୍ତାବରଣେ ଯୁକ୍ତ ହୋଇ । । ୮୪
ବିରାଜ-ପୁରୁଷ ଏ ମଧ୍ୟେ । ବସେ ଧାରଣା ଅନୁବାଦେ । । ୮୫
ବ୍ରହ୍ମାଣ୍ଡ ଚତୁର୍ଦ୍ଦଶ-ପୁର । ପ୍ରମାଣ ଯାହାର ଶରୀର । । ୮୬
ଶୁଣ କହିବା ଅଧଉର୍ଦ୍ଧ୍ୱେ । ବିରାଟରୂପ ଥାଇ ମଧ୍ୟେ । । ୮୭
ପାତାଳ ବୋଲି ପାଦମୂଳ । ପାର୍ଷ୍ଣି ପାଦଗ୍ର ରସାତଳ । । ୮୮
ଚରଣ ଗୁଳ୍ଫେ ମହାତଳ । ଜଂଘଯୁଗଳ ତଳାତଳ । । ୮୯
ସୁତଳ ବୋଲି ଜାନୁଯୁଗେ । ବିତଳାତଳ ଉରୁଭାଗେ । । ୯୦
ଜଘନଦେଶ ମହୀତଳ । ନାଭିମଣ୍ଡଳ ନଭସ୍ଥଳ । । ୯୧
ସ୍ୱର୍ଲୋକ ହୃଦୟରେ ବସେ । ଜ୍ୟୋତିସମୂହ ପରକାଶେ । । ୯୨
କଣ୍ଠ ଆଶ୍ରିତ ମହର୍ଲୋକ । ବଦନେ ବଶେ ଜନଲୋକ । । ୯୩
ଲଲାଟେ ତପଲୋକ ବସେ । ସତ୍ୟ କଳ୍ପିତ ଶିରଦେଶେ । । ୯୪
ବାସବ ଆଦି ଦିଗପାଳ । ଯାହାର ଭୁଜ ସୁବିଶାଳ । । ୯୫
କର୍ଣ୍ଣ ଯାହାର ଅଷ୍ଟଦିଶା । ଅଶ୍ୱିନୀକୁମାରେ ଯା ନାସା । । ୯୬
ଜ୍ୱଳନ୍ତା ଅଗ୍ନି ଯା ବଦନ । ନୟନ ଗୋଲୋକ ଗମନ । । ୯୭
ତପନ ଯାର ଚକ୍ଷୁବେନି । ଉଦୟ ଅସ୍ତ ପକ୍ଷୁ ବେନି । । ୯୮
ଯାର ଭ୍ରୂଭଙ୍ଗ ବ୍ରହ୍ମପଦ । ସଲିଳ ତାଳୁ ରସଜିହ୍ୱ । । ୯୯
ସକଳ ବେଦ ବ୍ରହ୍ମରନ୍ଧ୍ର । ବିକଟ ଦନ୍ତ ଯମପଦ । । ୧୦୦
ଯାହାର ତୁଣ୍ଡେ ସ୍ନେହକଳା । ଅଧଉଦ୍ଧ୍ୱର୍ରେ ଦନ୍ତମାଳା । । ୧୦୧
ଜନଉନ୍ମାଦ ଯାର ହାସ । ଯେ ବିଷ୍ଣୁମାୟାର ପ୍ରକାଶ । । ୧୦୨
ସଂସାର ଯାହାର କଟାକ୍ଷ । ଏ ଜୀବ ଲଭେ ଯା ପ୍ରତ୍ୟକ୍ଷ । । ୧୦୩
ଉପର ଓଷ୍ଠେ ଲଜ୍ଜା ବସେ । ଲୋଭ ବସଇ ଅଧୋଦେଶେ । । ୧୦୪
ଧର୍ମ ବସଇ ସ୍ତନଯୁଗେ । ଅଧର୍ମପଥ ପୃଷ୍ଠଭାଗେ । । ୧୦୫
ଅଣ୍ଡେ ବସଇ ପ୍ରଜାପତି । ମିତ୍ରାବରୁଣ କୋଷେ ସ୍ଥିତି । । ୧୦୬
ଉଦଧି ଯାହାର ଉଦର । ଅସ୍ଥିସମୂହ ମହୀଧର । । ୧୦୭
ଶିରାସମୂହ ନଦୀଗଣ । ବୃକ୍ଷଔଷଧି ତନୁରୋମ । । ୧୦୮
ଅନନ୍ତବୀର୍ଯ୍ୟ ଯହିଁ ବସେ । ଶ୍ୱାସପବନ ଅଣଚାଶେ । । ୧୦୯
ଯାହାର ଗତି ଜାଣ କାଳ । ଜୀବ ସଂସାର ଯାର ଖେଳ । । ୧୧୦
ଜୀମୂତଗଣ ଯାର କେଶ । ସନ୍ଧ୍ୟା ଯାହାର ନିଜବାସ । । ୧୧୧
ପ୍ରକୃତି ହୃଦୟ ଯାହାର । ଯାହାର ମନ ନିଶାକର । । ୧୧୨
ହେ କୁରୁଶ୍ରେଷ୍ଠ ପରୀକ୍ଷିତ । ଈଶ୍ୱର ସର୍ବ କୋଷଭୂତ । । ୧୧୩
ବିଜ୍ଞାନଶକ୍ତି ଯା ମହିମା । ଅନ୍ତଃକରଣ ରୁଦ୍ରସୀମା । । ୧୧୪
କଲଭ ଅଶ୍ୱ ଅଶ୍ୱତର । ନଖସମୂହ କରିବର । । ୧୧୫
ଯେ ପଶୁ ମୃଗାଦି ବିଶେଷେ । ସର୍ବ କଳ୍ପିତ ଶ୍ରୋଣୀଦେଶେ । । ୧୧୬
ପକ୍ଷିଏ ଯାର ବ୍ୟାକରଣ । ବୁଦ୍ଧି ବିଷୟ ମନୁଗଣ । । ୧୧୭
ଯାର ନିବାସ ନରଦେହ । ଯହିଁ କଳ୍ପିତ ମାୟାମୋହ । । ୧୧୮
ଗନ୍ଧର୍ବ ବିଦ୍ୟାଧର ଆଦି । ଚାରଣ ଗଣିକା ପ୍ରସିଦ୍ଧି । । ୧୧୯
କିନ୍ନରଗଣ ଯାର ସ୍ୱର । ବୀର୍ଯ୍ୟରେ କଳ୍ପିତ ଅସୁର । । ୧୨୦
ବ୍ରାହ୍ମଣ ଯାର ମୁଖୁ ଜାତ । କ୍ଷତ୍ରିୟ ଭୁଜରୁ ସମ୍ଭୂତ । । ୧୨୧
ଉରୁରୁ ବୈଶ୍ୟ ଉତପତ୍ତି । ପାଦରୁ ଜନ୍ମ ଶୂଦ୍ରଜାତି । । ୧୨୨
ନାନା ପ୍ରକାର ନାମ ବହି । ଅଭୀଷ୍ଟ ଦେବେ ଯାର ଦେହି । । ୧୨୩
ନିଗମ-କର୍ମ-କାଣ୍ଡ ଯେତେ । ଯାହାର କର୍ମ ଏ ଯୁଗତେ । । ୧୨୪
ଏମନ୍ତେ ଈଶ୍ୱରର ଦେହେ । ବସନ୍ତି ଅବୟବ ପ୍ରାୟେ । । ୧୨୫
ଏମନ୍ତେ ଏ ସ୍ଥୂଳ-ଶରୀରେ । ଧାରଣାଯୋଗେ ନିର୍ବିକାରେ । । ୧୨୬
ମନ ନିରୋଳ ଯୋଗବଳେ । ଗୋବିନ୍ଦ-ଚରଣ-କମଳେ । । ୧୨୭
ସର୍ବ ଶରୀରେ ଭଗବାନ । ତା ତହୁଁ କେବା ଅଛି ଆନ । । ୧୨୮
ସେ ସର୍ବ-ବୁଦ୍ଧି ଅନୁଭବ । ଜୀବ ପରମ ପଦ୍ମନାଭ । । ୧୨୯
ସତ୍ୟ-ପରମାନନ୍ଦ-ନିଧି । ତାର ଭଜନ ସର୍ବସିଦ୍ଧି । । ୧୩୦
ଜନ୍ମମରଣ ତାର ତହୁଁ । କେବା ଗୋଚରେ ତାହା କହୁଁ । । ୧୩୧
ଯେ ଅନ୍ୟସଙ୍ଗ ଦାରାସୁତ । ନ କରି ଯେଣୁ ଆତ୍ମପାତ । । ୧୩୨
ସ୍ୱପ୍ନରେ ଜୀବର ଯେମନ୍ତ । ଦେଖଇ ଇନ୍ଦ୍ରିୟ ବୃତ୍ତାନ୍ତ । । ୧୩୩
ସେ ସର୍ବମିଥ୍ୟା ଜୀବ ସତ୍ୟ । ଏ ଜ୍ଞାନେ ହୁଅଇ ମୁକତ । । ୧୩୪
ସୂତ ଉବାଚ
ଏମନ୍ତ କହି ଶୁକମୁନି । ହରଷେ ହରିଭାବ ଘେନି । । ୧୩୫
ଆନନ୍ଦେ ପରୀକ୍ଷିତ ମେଳେ । ଯାହା କହିଲେ ଗଙ୍ଗାକୂଳେ । । ୧୩୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦ୍ୱିତୀୟସ୍କନ୍ଧେ ମହାପୁରୁଷସଂସ୍ଥାନ ଅନୁବର୍ଣ୍ଣନେ ନାମ ପ୍ରଥମୋଽଧ୍ୟାୟଃ ।।
* * *