ପ୍ରଥମ ସ୍କନ୍ଧ

ଉନବିଂଶ ଅଧ୍ୟାୟ

ସୂତ କହନ୍ତି ଅନୁରାଗେ । ଶୌନକଆଦି ଋଷିଆଗେ ॥

ସୂତ ଉବାଚ

ସେ ମହୀପତି ପରୀକ୍ଷିତ । ଚିନ୍ତା ନିମଗ୍ନ ଦୁଃଖଚିତ୍ତ ॥

ଏକାନ୍ତେ ବସି ବିଚାରଇ । ନିନ୍ଦିତକର୍ମ କଲି ମୁହିଁ ॥

ଅର୍ଜିତ-କର୍ମବଶ ହୋଇ । ଗୁରୁ ଯେସନେ ଶିକ୍ଷା ଦେଇ ॥

ଅନ୍ୟାୟେ ପ୍ରାଣୀଙ୍କ ବେଭାରେ । କୁକର୍ମ କଲି ଏ ସଂସାରେ ॥

ନିର୍ଦ୍ଦୋଷ-ବ୍ରାହ୍ମଣର ଗଳେ । ସର୍ପ ଲମ୍ବାଇ ଧନୁହୁଳେ ॥

ନିଶ୍ଚଳ-ଯୋଗେ ତାର ଧ୍ୟାନ । ନ ଜାଣି ହେଲି ହତଜ୍ଞାନ ॥

ଦେବହେଳନ କର୍ମ କଲି । ନିକଟେ ସଙ୍କଟ ଲଭିଲି ॥

ଏ ପାପ-ବିନାଶନ ହେତୁ । ବେଗେ ବିଧାତା ମୋତେ ଚିନ୍ତୁ ॥

ଏ କର୍ମ ପୁଣ ମୁଁ ଯେମନ୍ତେ । କେବେହେଁ ନ କଳ୍ପଇ ଚିତ୍ତେ ॥ ୧୦

ବ୍ରାହ୍ମଣକ୍ରୋଧ ଦାବାନଳ । ଏ ମୋର ରାଜ୍ୟ-ଧନବଳ ॥ ୧୧

ଆତ୍ମାର ସଙ୍ଗେ ଦହୁ ମୋତେ । ଏ କର୍ମ ନ କରେ ଯେମନ୍ତେ ॥ ୧୨

ଗୋଦ୍ୱିଜଦେବଙ୍କ ହିଂସନେ । ଦୁର୍ବୁଦ୍ଧି ନ ସ୍ଫୁରୁ ମୋ ମନେ ॥ ୧୩

ଏମନ୍ତେ ବିଚାରୁ ବିଷାଦେ । ବୃତ୍ତାନ୍ତ ଶୁଭେ ଜନପଦେ ॥ ୧୪

ଉରଗ ବ୍ରାହ୍ମଣର ଗଳେ । ରାଜା ଯେ ଦେଲା ଧନୁହୁଳେ ॥ ୧୫

ତାର ବାଳକ ଶାପ ଦେଲା । ତକ୍ଷକ ଦଂଶିବ ବୋଇଲା ॥ ୧୬

ସପ୍ତମଦିନେ କୋପାନଳେ । ତାହାଙ୍କୁ ଦଂଶିବ ସେ ବଳେ ॥ ୧୭

ଏମନ୍ତ ଜନମୁଖୁ ଶୁଣି । ମନେ ସାନନ୍ଦ ନୃପମଣି ॥ ୧୮

ବୋଲଇ ବେଗେ ମୋତେ ଖାଉ । ଏ ମୋର କୁଳେ ତାପ ନୋହୁ ॥ ୧୯

ଯେଣୁ ବିଷୟା ତ୍ୟାଗ ହେତୁ । ତେଣୁ ଚିନ୍ତଇ ଆତ୍ମାମୃତ୍ୟୁ ॥ ୨୦

ଯେମନ୍ତେ ଇହ ପରଲୋକେ । ମରଣେ ନ ପଡ଼ଇ ଦୁଃଖେ ॥ ୨୧

ଏମନ୍ତ ନିଶ୍ଚୟ ବିଚାରି । ରାଜସମ୍ପଦ ପରିହରି ॥ ୨୨

ଚିନ୍ତିଲା କୃଷ୍ଣ-ପାଦପୃଷ୍ଠ । ସେବନ ବିନା ନାହିଁ ଶ୍ରେଷ୍ଠ ॥ ୨୩

କୃଷ୍ଣର ପାଦପଦ୍ମଜଳେ । ପ୍ରବେଶ ଯାଇ ଗଙ୍ଗାକୂଳେ ॥ ୨୪

ଶ୍ରୀକୃଷ୍ଣ-ଚରଣ-ତୁଳସୀ । ପାଦଉଦକରଜେ ମିଶି ॥ ୨୫

ଅତି ପବିତ୍ର ବହେ ବାରି । ଉଭୟଲୋକ ପାପହରି ॥ ୨୬

ପ୍ରାଣୀର ପ୍ରାଣତ୍ୟାଗ କାଳେ । କେବା ନବସେ ତାର କୂଳେ ॥ ୨୭

ପାଣ୍ତବବଂଶେ କୀର୍ତ୍ତିକର । ସକଳରାଜା ମଧ୍ୟେ ବର ॥ ୨୮

ସେ ସୁରନଦୀ ତୀରେ ଯାଇ । ଚିତ୍ତେ ଗୋବିନ୍ଦପଦ ଧ୍ୟାୟି ॥ ୨୯

ବିଷୟସଙ୍ଗ ଦୂର କରି । ଅନ୍ନ-ଉଦକ ପରିହରି ॥ ୩୦

ମୁନିଙ୍କ ବ୍ରତେ ସେ ନିଶ୍ଚଳେ । ମନ ନିବେଶି ଗଙ୍ଗାଜଳେ ॥ ୩୧

ସେ କଥା ଶୁଣି ମୁନିଜନେ । ଯେ ଅବା ଥିଲେ ଗିରିବନେ ॥ ୩୨

ନିଜ ନିବାସ ଉପେକ୍ଷିଲେ । ହସ୍ତିନା ନଗରେ ମିଳିଲେ ॥ ୩୩

ଯେ ଅବା ଥିଲେ ଯେଉଁ ଦେଶେ । ରାଜାଙ୍କୁ ଦେଖିବାର ଆଶେ ॥ ୩୪

ସଙ୍ଗତେ ଘେନି ଶିଷ୍ୟଗଣ । ଅପରେ ଅଶେଷ ବ୍ରାହ୍ମଣ ॥ ୩୫

ତାଙ୍କ ମହିମା କେବା କହେ । ତୀର୍ଥ ପବିତ୍ର ତାଙ୍କ ଦେହେ ॥ ୩୬

ଅତ୍ରି ବଶିଷ୍ଠ ଆଦି ମୁନି । ଚ୍ୟବନ ଭୃଗୁ ବ୍ୟାସ ଘେନି ॥ ୩୭

ଅଙ୍ଗିରା ପରାଶର ଗାଧି । ସୁତ ଉତଥ୍ୟ ଯେ ପ୍ରସିଦ୍ଧି ॥ ୩୮

ଗୌତମ ଭରଦ୍ୱାଜ ମୁନି । ମୈତ୍ରେୟ ବିଶ୍ୱାମିତ୍ର ଘେନି ॥ ୩୯

ଅରିଷ୍ଟନେମି ଆର୍ଷ୍ଟିଷେଣ । ଇନ୍ଦ୍ରପ୍ରମଦ ଶରଦ୍ ବାନ ॥ ୪୦

ନାରଦମୁନି ଆଦି କରି । ସର୍ବେ ମିଳିଲେ ରାଜପୁରୀ ॥ ୪୧

ଦେବର୍ଷି ରାଜର୍ଷି ମହର୍ଷି । ଅପରେ ଯେତେକ ବ୍ରହ୍ମର୍ଷି ॥ ୪୨

ସକଳ ଋଷି ଏକମେଳେ । ମିଳିଲେ ଜାହ୍ନବୀର କୂଳେ ॥ ୪୩

ତାହାଙ୍କୁ ଦେଖି ପରୀକ୍ଷିତ । କପୋଳେ ଦେଇ ବେନିହସ୍ତ ॥ ୪୪

ବନ୍ଦିଲା ମୁନିଗଣ-ପାଦେ । ଆନନ୍ଦେ ଅଶ୍ରୁ-ଗଦଗଦେ ॥ ୪୫

ସୁଖେ ବସିଲେ ମୁନିଗଣେ । ପୁଣି ହିଁ ରାଜା ପରଣାମେ ॥ ୪୬

କର ଅଞ୍ଜଳି ଶିରେ ଦେଇ । ବୋଲଇ କୃତକୃତ୍ୟ ହୋଇ ॥ ୪୭

ପରୀକ୍ଷିତ ଉବାଚ

ରାଜାଙ୍କ ମଧ୍ୟେ ମୋ ଜୀବନ । ନିଶ୍ଚେ ଜାଣିଲି ଧନ୍ୟ ଧନ୍ୟ ॥ ୪୮

ମୋହର ପ୍ରାଣତ୍ୟାଗ କାଳେ । ମହାନ୍ତଜନେ ବିଜେ କଲେ ॥ ୪୯

ବ୍ରାହ୍ମଣପାଦ ଯହିଁ ଧୋଇ । ସେ ସ୍ଥାନେ ନିଜ ଶିର ଦେଇ ॥ ୫୦

କ୍ଷତ୍ରିୟ ସ୍ୱଭାବ ଏମନ୍ତ । ଆଗମ ନିଗମ ଉକତ ॥ ୫୧

ଯେ ଏହା ଲଙ୍ଘେ ଦୁଷ୍ଟପଣେ । ଦୂଷିତ ହୋଇ ତତକ୍ଷଣେ ॥ ୫୨

ସେ ବିପ୍ରେ ଆସି ମୋର ପାଶେ । ବସନ୍ତି ମନର ହରଷେ ॥ ୫୩

ତାହାର ଭାଗ୍ୟ କି କହିବା । ଯାହା ନ ପାନ୍ତି ସୁର ଦେବା ॥ ୫୪

ଅପ୍ରାଧ କଲି ବିପ୍ରକୁଳେ । ଦେଖ ମୋହର ଅନ୍ତକାଳେ ॥ ୫୫

ସର୍ବ-ବିଷୟ-ସଙ୍ଗ ତେଜି । କୃଷ୍ଣଚରଣେ ଚିତ୍ତ ମଜ୍ଜି ॥ ୫୬

ତୁମ୍ଭେ ଅଶେଷ ବ୍ରହ୍ମଋଷି । ମିଳିଲ ମୋର ପାଶେ ଆସି ॥ ୫୭

ବ୍ରାହ୍ମଣ ଶାପ କୋପାନଳ । ଏ ମୋର ବିମୁକ୍ତିର ମୂଳ ॥ ୫୮

ଯେ କର୍ମ କଲେ ଏ ସଂସାରେ । ପ୍ରାଣୀ ତରନ୍ତି ମାୟାଘୋରେ ॥ ୫୯

ତୁମ୍ଭର ଅନୁଗ୍ରହ ସେବି । ପ୍ରସନ୍ନ ହେଉ ଗଙ୍ଗାଦେବୀ ॥ ୬୦

କୃଷ୍ଣଚରଣେ ପ୍ରୀତି ହେଉ । କୁହକ ତକ୍ଷକ ବା ଖାଉ ॥ ୬୧

ତେଣେ ସଂଶୟ ନାହିଁ ମୋର । ସକଳେ କୃଷ୍ଣକଥା କର ॥ ୬୨

କୃଷ୍ଣବିଷୟେ ହେଉ ମତି । ତାର ସେବକ ସଙ୍ଗ ଗତି ॥ ୬୩

ମୋହର କର୍ମଫଳ ଲଇ । ଜନ୍ମ ଲଭିବି ଯହିଁ ତହିଁ ॥ ୬୪

ମୁଁ ତହିଁ କୃଷ୍ଣଦାସ ପଣେ । ସେବିବି ଅଭୟ ଚରଣେ ॥ ୬୫

ଶରଣାଗତ ବୋଲି ମୁହିଁ । ହେ ବିପ୍ରେ ଭାବ ଦୟା ବହି ॥ ୬୬

ସକଳଜୀବେ ମିତ୍ରଭାବ । ଯେମନ୍ତେ ହୋଇବ ସମ୍ଭବ ॥ ୬୭

ଏମନ୍ତ ମୋତେ ଦିଅ ବର । ତୁମ୍ଭ ଚରଣେ ନମସ୍କାର ॥ ୬୮

ଏମନ୍ତ ମୁନିଙ୍କି ଜଣାଇ । କୃଷ୍ଣଚରଣେ ମନ ଦେଇ ॥ ୬୯

ଜାହ୍ନବୀତୀରେ କୁଶଶଯ୍ୟା । ଶୟନ ଅର୍ଥେ କଲା ରାଜା ॥ ୭୦

ପୂର୍ବଦିଗକୁ ଶିର କରି । ଉତ୍ତରମୁଖେ ଦଣ୍ତଧାରୀ ॥ ୭୧

ଗଙ୍ଗା ଦକ୍ଷିଣକୂଳେ ଶୋଇ । କାରୁଣ୍ୟଜଳେ ଦୃଷ୍ଟି ଦେଇ ॥ ୭୨

ଯେ ଜନ୍ମେଜୟ ସୁତ ତାର । ତା ଶିରେ ଦେଇ ରାଜ୍ୟଭାର ॥ ୭୩

ଅଶେଷ ଋଷିଗଣ ମଧ୍ୟେ । ମନ ନିବେଶି କୃଷ୍ଣପାଦେ ॥ ୭୪

ଆକାଶେ ଥାଇ ଦେବଗଣେ । ଆନନ୍ଦେ ପୁଷ୍ପବରଷଣେ ॥ ୭୫

ଦୁନ୍ଦୁଭି ବାଦ୍ୟନାଦ ତୁଲେ । ସାଧୁଶବଦେ ସ୍ତୁତି କଲେ ॥ ୭୬

ଯେ ମୁନିଗଣେ ଗଙ୍ଗାକୂଳେ । ଥିଲେ ଯେ ପରୀକ୍ଷିତ ମେଳେ ॥ ୭୭

ଗଗନେ ଶୁଣି ସାଧୁବାଣୀ । ଆନନ୍ଦମନେ ସର୍ବମୁନି ॥ ୭୮

ସାଧୁଶବଦ ଉଚ୍ଚସ୍ୱରେ । ଦିଶ ପୂରିଲା ଗଙ୍ଗାତୀରେ ॥ ୭୯

ପ୍ରଜାଏ ଅନୁଗ୍ରହ ମୁଖେ । କହନ୍ତି ଏକକୁ ଆରକେ ॥ ୮୦

ଏ ସାଧୁରାଜା ବିଚକ୍ଷଣ । ଅକାଳେ ଲଭିବ ମରଣ ॥ ୮୧

ଦେଖ ଏହାର ଭାଗ୍ୟବଳେ । ମୁନିଙ୍କ ମଧ୍ୟେ ଅନ୍ତକାଳେ ॥ ୮୨

ୟାର ଆସ୍ଥାନେ ସର୍ବରାଜା । ଶିର ନୁଅାଁଇ କଲେ ପୂଜା ॥ ୮୩

ସେ ରାଜା କାଳେ ହରିଭାବେ । ପଶିବ ଜନ୍ମର ସ୍ୱଭାବେ ॥ ୮୪

ଏ ନରପତି ଯେତେଦିନେ । ପ୍ରାଣ ଛାଡ଼ିବ କୃଷ୍ଣଧ୍ୟାନେ ॥ ୮୫

ସୁଖେ ଲଭିବ ବିଷ୍ଣୁଲୋକ । ଯେ ସ୍ଥାନ ବିମୋହ ବିଶୋକ ॥ ୮୬

ଆମ୍ଭେ ସକଳେ ଏହି ସ୍ଥାନେ । ବଞ୍ଚିବା ଗଙ୍ଗାଜନପାନେ ॥ ୮୭

ଏ ଭାଗବତର ଉତ୍ତମ । ନିଶ୍ଚେ ଲଭିବ ପ୍ରେମଧାମ ॥ ୮୮

ଏମନ୍ତେ ପ୍ରଜାମୁଖୁ ଶୁଣି । ଅମୃତ ସମ ସାଧୁବାଣୀ ॥ ୮୯

ରାଜା ମଣିଲା ସତ୍ୟ ପ୍ରାୟ । ଛାଡ଼ିଲା ସକଳ ସଂଶୟ ॥ ୯୦

କୃଷ୍ଣଚରଣ ସେବାଫଳେ । ଅଶେଷ ପ୍ରାଣୀ ମହୀତଳେ ॥ ୯୧

ପୂର୍ବେ ଲଭିଲେ ହରିଭାବ । ଯେ ବ୍ରହ୍ମାଶଙ୍କରେ ଦୁର୍ଲ୍ଲଭ ॥ ୯୨

ଦେଖ ମୋହର ଭାଗ୍ୟବଶୁ । ସର୍ବେ ମିଳିଲେ ସର୍ବଦେଶୁ ॥ ୯୩

ବେଦେ ଯେମନ୍ତ ଦେହବନ୍ତେ । ସ୍ୱର୍ଗେ ବିବୁଧଙ୍କ ସଙ୍ଗତେ ॥ ୯୪

ବସି କହନ୍ତି ନାନାଧର୍ମ । ଯେ ବର୍ଣ୍ଣେ ଯେବା ନିଜକର୍ମ ॥ ୯୫

ଯେ ଫଳ ଇହ ପରଲୋକେ । ପ୍ରାଣୀ ଲଭନ୍ତି ସୁଃଖସୁଖେ ॥ ୯୬

ତେମନ୍ତେ ଅନୁଗ୍ରହ ଚିତ୍ତେ । ତୁମ୍ଭେ ଆଗତ ପରହିତେ ॥ ୯୭

ଏ ବିନେ ନାହିଁ କାର୍ଯ୍ୟ ଆର । ଏ ଦେହସ୍ୱଭାବ ତୁମ୍ଭର ॥ ୯୮

ତୁମ୍ଭଙ୍କୁ ପଚାରଇ ମୁହିଁ । ମରଣେ ଅନ୍ତର୍ଚଳେ ଥାଇ ॥ ୯୯

ଏବେ କି କୃତ୍ୟ ଅଛି ମୋତେ । କହ ସକଳେ ଶୁଦ୍ଧଚିତ୍ତେ ॥ ୧୦୦

ଏ ଘୋର-ସଂସାର-ସାଗରେ । ମରଣୁ କିବା କରି ତରେ ॥ ୧୦୧

ଏମନ୍ତ ପୁଛୁଁ ରାଜଋଷି । ଶୁକ ମିଳିଲେ ବେଗେ ଆସି ॥ ୧୦୨

ମହୀ-ଭ୍ରମଣ ଇଚ୍ଛା ସୁଖେ । ଶ୍ରୀକୃଷ୍ଣନାମ ଗାଇ ମୁଖେ ॥ ୧୦୩

ଲକ୍ଷି ନପାରି ଯାର ଅଙ୍ଗ । କ୍ଷଣକ୍ଷଣକେ ନାନାରଙ୍ଗ ॥ ୧୦୪

ନିରତେ ନିଜ ଲାଭେ ତୋଷ । ସ୍ୱଭାବେ ଅବଧୂତ ବେଶ ॥ ୧୦୫

ବେଷ୍ଟିତ ବାଳକ ସମୂହେ । କିବା ଉପମା ଦେବା ଦେହେ ॥ ୧୦୬

ସ୍ୱଭାବେ ଷୋଡ଼ଶ ଅବଦ । ସୁନ୍ଦର ସୁକୁମାର ପାଦ ॥ ୧୦୭

କର ଯୁଗଳ ବାହୁ ଅଂସ । ଉନ୍ନତ ସୁନ୍ଦର ସୁନାସ ॥ ୧୦୮

ନିବିଡ଼ ବେନି ଉରୁ ସାଜେ । ସୁନ୍ଦର କପୋଳ ବିରାଜେ ॥ ୧୦୯

ଆୟତ ଚକ୍ଷୁ ଚାରୁକର୍ଣ୍ଣ । ସୁଗ୍ରୀବ ସୁନ୍ଦର ଆନନ ॥ ୧୧୦

ମାଂସେ ନିଗୂଢ଼ ଜତ୍ରୁ ସାଜେ । ତୁଙ୍ଗ ବକ୍ଷସ୍ଥଳ ବିରାଜେ ॥ ୧୧୧

ତ୍ରିବଳୀ କୁକ୍ଷି ମନୋହର । ଆବର୍ତ୍ତ ନାଭି ସୁଗଭୀର ॥ ୧୧୨

ବିକୀର୍ଣ୍ଣ କେଶ ଦିଗମ୍ବର । ବିଭୂତି-ଭୂଷଣ ଶରୀର ॥ ୧୧୩

ପ୍ରଳମ୍ବଭୁଜ ଜାନୁଯାଏ । ଦିଶେ ଅମରବର ପ୍ରାୟେ ॥ ୧୧୪

ଶରୀର ବର୍ଣ୍ଣରୁଚି ଶ୍ୟାମ । ରୂପେ ତୁଳିତ ନୋହେ କାମ ॥ ୧୧୫

କି ଅବା ଦେବା ପଟାନ୍ତର । କାମିନୀଜନ-ମନୋହର ॥ ୧୧୬

ଏମନ୍ତ ରୂପ ତାର ଦେଖି । ମୁନିଏ ଆସନ ଉପେକ୍ଷି ॥ ୧୧୭

ଜାଣନ୍ତି ତାହାଙ୍କ ଲକ୍ଷଣ । ସେ ଯୋଗୀ କୃଷ୍ଣ-ପରାୟଣ ॥ ୧୧୮

ଶୁକ ଆଗମ ଦେଖି ରାଜା । ତକ୍ଷଣେ ଆଣି ଅର୍ଘ୍ୟପୂଜା ॥ ୧୧୯

ବିନୟଭାବେ ଦଣ୍ତଧାରୀ । ଚରଣେ ନମସ୍କାର କରି ॥ ୧୨୦

ସ୍ତିରୀ ବାଳକ ଯେତେ ଥିଲେ । ତା ଦେଖି ଭୟେ ବାହୁଡ଼ିଲେ ॥ ୧୨୧

ରାଜା ପୂଜିଲା ମନତୋଷେ । ଶୁକ ବସିଲେ ରାଜାପାଶେ ॥ ୧୨୨

ବେଷ୍ଟିତ ଋଷିଗଣ ମଧ୍ୟେ । ସେ ଶୁକ ବସିଲେ ଆନନ୍ଦେ ॥ ୧୨୩

ଶଶାଙ୍କ ଯେହ୍ନେ ତାରାମେଳେ । ବିରାଜେ ଗଗନ ମଣ୍ତଳେ ॥ ୧୨୪

ପ୍ରଶାନ୍ତ-ଚିତ୍ତ ମୁନିବର । ଅକୁଣ୍ଠ-ଧାରଣା ଯାହାର ॥ ୧୨୫

ସେ ମୁନିପାଦେ ନମସ୍କାର । କରି ଯୋଡ଼ିଲା ବେନିକର ॥ ୧୨୬

ନିର୍ମଳବାକ୍ୟ ସୁଧାଧାର । ମୁନିଙ୍କି ଚାହିଁ ନୃପବର ॥ ୧୨୭

ପୁଚ୍ଛଇ ବେନିକର ଯୋଡ଼ି । ଚରଣେ ପୁଣ ପୁଣ ପଡ଼ି ॥ ୧୨୮

ରାଜା ଉବାଚ

ଆଜ ମୋହର ଜନ୍ମ ଧନ୍ୟ । କ୍ଷତ୍ରିୟବଂଶେ ବିଦ୍ୟମାନ ॥ ୧୨୯

ତୁମ୍ଭେ ଅତିଥି ରୂପେ ଆସି । ନିର୍ମଳଚିତ୍ତେ ବ୍ରହ୍ମଋଷି ॥ ୧୩୦

ଦେଖି ମୋ ଆତ୍ମା କୃତକୃତ୍ୟ । ଦେହକୁ କଲି ତୀର୍ଥଭୂତ ॥ ୧୩୧

ଯାହାର ସ୍ମରଣ ବିଶ୍ୱାସ । ପବିତ୍ର କରେ ଗୃହୀବାସ ॥ ୧୩୨

ତାହାର ଦରଶନ ମାତ୍ରେ । ଦୁରିତ ନ ରହଇ ଗାତ୍ରେ ॥ ୧୩୩

ସ୍ପରଶ ପାଦଜଳ ଯହିଁ । ସକଳ ତୀର୍ଥଫଳ ତହିଁ ॥ ୧୩୪

ଆଜ ଜୀବନ ମୋର ଧନ୍ୟ । ଦେଖିଲି ତୁମ୍ଭର ବଦନ ॥ ୧୩୫

ଯେତେ ଦୁରିତ ଦେହେ ଥିଲା । ତୁମ୍ଭ ସାନ୍ନିଧ୍ୟେ ଦୂର ଗଲା ॥ ୧୩୬

ବିଷ୍ଣୁର ତେଜ ମହାଘୋରେ । ଯେମନ୍ତେ ନଶନ୍ତି ଅସୁରେ ॥ ୧୩୭

ଆଜ ଜାଣିଲି ମୋତେ ହରି । ପାଣ୍ତବ ସ୍ନେହେ ପ୍ରୀତି କରି ॥ ୧୩୮

ବାନ୍ଧବପ୍ରିୟ ବ୍ରହ୍ମରାଶି । ଯେହ୍ନେ ପାଣ୍ତବ ଗୃହେ ଆସି ॥ ୧୩୯

ତାହାଙ୍କ ଗୋତ୍ର ଯେଣୁ ମୁହିଁ । ତେଣୁ ସଦୟ ମୋରେ ହୋଇ ॥ ୧୪୦

କୃଷ୍ଣର ଦୟା ଯେଣୁ ହୋଇ । ତୁମ୍ଭ ଦର୍ଶନେ ଯୋଗ୍ୟ ମୁହିଁ ॥ ୧୪୧

ଅବ୍ୟକ୍ତଗତି ଯେ ତୁମ୍ଭର । କେ ତାହା କରିବ ଗୋଚର ॥ ୧୪୨

ପୁଣି ମରଣେ ତୁମ୍ଭ ସଙ୍ଗ । ତରିଲି ଏ ଭବ-ତରଙ୍ଗ ॥ ୧୪୩

ଯୋଗୀଙ୍କ ମଧ୍ୟେ ତୁମ୍ଭେ ଗୁରୁ । ଯେହ୍ନେ ଅଚଳ-ମହାମେରୁ ॥ ୧୪୪

ଦେଖ ଜୀବନ ଯିବା କାଳେ । କିବା ସାଧିବି ମହୀତଳେ ॥ ୧୪୫

କିବା ଶୁଣିବି କର୍ଣ୍ଣପଥେ । ସ୍ମରଣ କି କରିବି ଚିତ୍ତେ ॥ ୧୪୬

କିବା ବଚନ ଉଚ୍ଚାରଣେ । ଭଜିବି କାହାର ଚରଣେ ॥ ୧୪୭

ତୁମ୍ଭେ ଯେ ପ୍ରାଣୀଙ୍କର ଦ୍ୱାରେ । ଦଣ୍ତେ ନ ରହ ମନସ୍ଥିରେ ॥ ୧୪୮

ଗୋଦୋହମାତ୍ରେ ତୁମ୍ଭ ଗତି । ଏଣୁ ମୋହର ମନେ ଭ୍ରାନ୍ତି ॥ ୧୪୯

କହନ୍ତି ସୂତ ଶୁଦ୍ଧମନେ । ଶୁଣ ସକଳ ମୁନିଜନେ ॥ ୧୫୦

ସୂତ ଉବାଚ

ଏମନ୍ତ ପରୀକ୍ଷିତ ବାଣୀ । ଆନନ୍ଦେ ଶୁକମୁନି ଶୁଣି ॥ ୧୫୧

ହରଷେ ମୁଦ୍ରିତ ଲୋଚନ । ଚିତ୍ତେ ଚିନ୍ତିଲେ ଭଗବାନ ॥ ୧୫୨

ସେ ମୁନି ଚରଣ କମଳେ । ସୁଜନେ ଚିନ୍ତ ଧ୍ୟାନବଳେ ॥ ୧୫୩

ପ୍ରଥମସ୍କନ୍ଧେ ଭାଗବତ । ବର୍ଣ୍ଣଇ ଦାସ ଜଗନ୍ନାଥ ॥ ୧୫୪

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ପ୍ରଥମସ୍କନ୍ଧେ ଶୁକାଗମନଂ ନାମ ଏକୋନବିଂଶୋଽଧ୍ୟାୟଃ ।।

* * *