ପ୍ରଥମ ସ୍କନ୍ଧ

ଅଷ୍ଟାଦଶ ଅଧ୍ୟାୟ

କହନ୍ତି ସୂତ ଶୁଦ୍ଧଚେତା । ଶୁଣ ସକଳ ବ୍ରହ୍ମବେତ୍ତା ॥

ସୂତ ଉବାଚ

ଦ୍ରୋଣକୁମର ଶସ୍ତ୍ରାଘାତେ । ଯେ ରାଜା ବଞ୍ଚି ଗର୍ଭଗତେ ॥

କୃଷ୍ଣର ଅନୁଗ୍ରହ ଭାବେ । ନ ମଲା ଜନନୀର ଗର୍ଭେ ॥

ବ୍ରାହ୍ମଣ କୋପେ ଶାପ ଦେଲା । ତକ୍ଷକେ ମର ତୁ ବୋଇଲା ॥

ତେଣୁ ତକ୍ଷକ ତାକୁ ବଳେ । ବେଗେ ଦଂଶିଲା ଗଙ୍ଗାଜଳେ ॥

ମରଣ ଜାଣି ମହୀପତି । ହୃଦେ ଚିନ୍ତିଲା ଯଦୁପତି ॥

ହରିମହିମା ପରିମାଣି । ବ୍ୟାସକୁମର ମୁଖୁ ଶୁଣି ॥

ଛାଡ଼ିଣ ସର୍ବସଙ୍ଗ ହେଳେ । ଯେ ଜୀବ ଜ୍ଞାନତତ୍ତ୍ଵ ବଳେ ॥

ଗଙ୍ଗାରେ ଛାଡ଼ି ନିଜପ୍ରାଣ । ଗୋବିନ୍ଦେ ପଶିଲା ଶରଣ ॥

କୃଷ୍ଣର ଗାଥା ଗୁଣପନ୍ତି । ଯେ ନିତ୍ୟେ ହୃଦରେ ଚିନ୍ତନ୍ତି ॥ ୧୦

କୃଷ୍ଣର କଥାମୃତ ତୁଣ୍ତେ । କହି ରୋମାଞ୍ଚ ନିଜ ପିଣ୍ତେ ॥ ୧୧

ସର୍ବଦା ପାଦ ଯେ ସ୍ମରନ୍ତି । ମରଣେ କିବା ତାଙ୍କ ଭୀତି ॥ ୧୨

ସେ ରାଜା ଯେତେଦିନ ଥିଲା । ସଂସାରେ କଳି ନ ପଶିଲା ॥ ୧୩

ନନ୍ଦନନ୍ଦନ ଯେତେବେଳେ । ତନୁ ଛାଡ଼ିଲେ ମହୀତଳେ ॥ ୧୪

ତକ୍ଷଣେ ଅଧର୍ମ ପୁରୁଷ । କଳି ଏ ସଂସାରେ ପ୍ରବେଶ ॥ ୧୫

ସେ ରାଜା ତାକୁ ସ୍ଥାନ ଦେଇ । ସାରଙ୍ଗ ପ୍ରାୟ ସାର ଖାଇ ॥ ୧୬

କୁଶଳ କର୍ମ ଯେ କରନ୍ତି । ସେ ଫଳ ଏ ଦେହେ ଭୁଞ୍ଜନ୍ତି ॥ ୧୭

ଇତର ଚିନ୍ତା ନ ଲାଗଇ । ଯେ ଶୁଭକର୍ମେ ନିତ୍ୟେ ଥାଇ ॥ ୧୮

ସେ କଳିଯୁଗ ଭୟଙ୍କର । ସ୍ୱଭାବେ ସୁବୁଦ୍ଧି ଗଭୀର ॥ ୧୯

ନିରତେ ଅପ୍ରମତ୍ତ ହୋଇ । ସିଂହର ପ୍ରାୟେ ବିକ୍ରମଇ ॥ ୨୦

ପ୍ରମତ୍ତ ପ୍ରାୟ ବାଳ ମଧ୍ୟେ । ସେ କଳି ବିହରେ ଆନନ୍ଦେ ॥ ୨୧

ସେ ପରୀକ୍ଷିତ ଗୁଣଗାଥା । ଯହିଁ ପ୍ରକାଶ କୃଷ୍ଣକଥା ॥ ୨୨

ପ୍ରସଙ୍ଗେ କହିଲଇଁ ଏବେ । ଯେଣୁ ପୁଚ୍ଛିଲ ପ୍ରିୟଭାବେ ॥ ୨୩

କୃଷ୍ଣର ଯେତେ ଗୁଣଗାଥା । ଯେ ସାଧୁଜନ ମଧ୍ୟେ କଥା ॥ ୨୪

ତାର ମହିମା ଶୁଦ୍ଧଚିତ୍ତେ । କହି ବଞ୍ଚନ୍ତି ସାଧୁସନ୍ଥେ ॥ ୨୫

ନିତ୍ୟେ ତାହାର ପଦ ଚିନ୍ତି । ନିଶ୍ଚୟେ ଗୋବିନ୍ଦେ ପଶନ୍ତି ॥ ୨୬

ସୂତ ବଚନ ଶୁଣି କର୍ଣ୍ଣେ । ମନ ଆନନ୍ଦେ ମୁନିଜନେ ॥ ୨୭

କର ପ୍ରସାରି ଜଣେ ଜଣ । ସୂତଙ୍କୁ କରନ୍ତି କଲ୍ୟାଣ ॥ ୨୮

ଋଷିଜନ ଉବାଚ

ନିର୍ମଳ-ଯଶ-ଗୁଣ-ଦେହୀ । ଚିର ଜୀବନେ ରହ ତୁହି ॥ ୨୯

ଆମ୍ଭେ ଯେ ନରଦେହ ବହି । ତୋର ନିକଟେ ଶୁଭେ ଥାଇ ॥ ୩୦

କୃଷ୍ଣ ଅମୃତ କଥାମାନ । ତୋର ବଚନୁ କର୍ଣ୍ଣେ ପାନ ॥ ୩୧

କରି ବଞ୍ଚିଲୁ ଦିନାକେତେ । ସୁସାଧୁ ସଙ୍ଗର ଆୟତ୍ତେ ॥ ୩୨

ଏ ଯଜ୍ଞକର୍ମେ ଆମ୍ଭ ଚିତ୍ତ । ବେଦ ବଚନେ ମୋହଗତ ॥ ୩୩

ଏ ଯଜ୍ଞ ଧୂମେ ଧୂମାକୁଳ । ଆମ୍ଭର ଆତ୍ମା ହୀନବଳ ॥ ୩୪

ଫୁଟିଲୁ ଯଜ୍ଞବାଟେ ଭ୍ରମି । ପଥୁକୀ ଯେହ୍ନେ ପଥଶ୍ରମୀ ॥ ୩୫

ତୁ ଯେ ଆମ୍ଭର ଶ୍ରମ ଜାଣି । କୃଷ୍ଣ ଅମୃତ କଥା ବାଣୀ ॥ ୩୬

ପାନ କରାଇ ଶ୍ରୁତିମାର୍ଗେ । ରଖିଲ ଆମ୍ଭ ପ୍ରାଣ ବେଗେ ॥ ୩୭

ହରି ଭକତଜନ ସଙ୍ଗେ । ଯେ କ୍ଷଣେ ବଞ୍ଚେ ନର ଅଙ୍ଗ ॥ ୩୮

ତା ସଙ୍ଗେ ସ୍ୱର୍ଗ-ଭୋଗ-ମୋକ୍ଷ । କେ ତୁଲ୍ୟ କରିବ ପ୍ରତ୍ୟକ୍ଷ ॥ ୩୯

ଏଣୁ ଯେ କରେ ସାଧୁସଙ୍ଗ । ତରଇ ଏ ଭବତରଙ୍ଗ ॥ ୪୦

ପ୍ରାଣୀ ବାଞ୍ଛିତ ଆଶା ଏତେ । ଅଧିକ କ୍ଳେଶ ଏ ଜଗତେ ॥ ୪୧

କୃଷ୍ଣକଥାରେ ରସ ଯେତେ । ତାହା ଆସ୍ୱାଦି ଶୁଦ୍ଧଚିତ୍ତେ ॥ ୪୨

କେବା ରସଜ୍ଞ ତାହା ତେଜେ । କର୍ଣ୍ଣ ଜିହ୍ୱାରେ ସୁଖେ ଭୁଞ୍ଜେ ॥ ୪୩

ଯାହାର ଗୁଣ ଅନ୍ତ ନାହିଁ । ସ୍ୱଭାବେ ନିର୍ଗୁଣ ବୋଲାଇ ॥ ୪୪

ଭବ ବିରଞ୍ଚି ଯାର ଅନ୍ତ । ପ୍ରମାଣି ନ ପାରେ ଜଗତ ॥ ୪୫

ଏଣୁ ଭକତ ପ୍ରାଣୀଙ୍କର । ଭାବୁକ ମଧ୍ୟେ ତୁମ୍ଭେ ବର ॥ ୪୬

ମହତଜନଙ୍କ ଶରଣ । ଯାହାର ଅଭୟ ଚରଣ ॥ ୪୭

ଶ୍ରୀକୃଷ୍ଣ ଉଦାର ଚରିତ । ବିଶୁଦ୍ଧ ରସେ ଆମ୍ଭ ଚିତ୍ତ ॥ ୪୮

ଲୋଭିଲା ମଧୁକର ପ୍ରାୟେ । ଭୋ ମୁନି କର ତୁ ସଦୟେ ॥ ୪୯

କହ ଗୋବିନ୍ଦ-ରସକଥା । ଯେଣେ ଛାଡ଼ିବୁ ଭବବ୍ୟଥା ॥ ୫୦

ସେ ମହାଭାଗ ପରୀକ୍ଷିତ । ଭକତ ମଧ୍ୟେ ବୁଦ୍ଧିମନ୍ତ ॥ ୫୧

ବ୍ୟାସନନ୍ଦନ ମୁଖୁ ବାଣୀ । ସାନନ୍ଦେ ଗଙ୍ଗାତୀରେ ଶୁଣି ॥ ୫୨

କୃଷ୍ଣର ପାଦପଦ୍ମ ଗନ୍ଧେ । ଭୃଙ୍ଗ ଯେସନେ ମକରନ୍ଦେ ॥ ୫୩

ଗରୁଡ଼ଧ୍ୱଜ ପାଦମୂଳେ । ପ୍ରାଣ ନିବେଶି ଗଙ୍ଗାଜଳେ ॥ ୫୪

ପଶିଲା ସର୍ବସୁଖ ତେଜି । ହରି ଚରଣ ଭାବେ ଭଜି ॥ ୫୫

ତାର ଚରିତ ଯୋଗସାର । ସେ ଯେ ଭକତ ମଧ୍ୟେ ବର ॥ ୫୬

ଅନନ୍ତ ଚରିତ ସଂଯୁତ । ଯେ କର୍ମ କଲେ ପରୀକ୍ଷିତ ॥ ୫୭

କହ ସକଳ ଆମ୍ଭ ଆଗ । ତୁମ୍ଭେ ସହଜେ ମହାଭାଗ ॥ ୫୮

ଶୁଣି କହନ୍ତି ସୂତମୁନି । ବିପ୍ରଙ୍କ ଭାବେ ଭାବ ଘେନି ॥ ୫୯

ସୂତ ଉବାଚ

ବୋଲନ୍ତି ଭାଗ୍ୟ ଏ ମୋହର । ବୃଦ୍ଧଙ୍କ ମଧ୍ୟେ ପୁରସ୍କାର ॥ ୬୦

ବିଲୋମେ ଜନ୍ମ ମୁଁ ଲଭିଲି । ସତ୍ କୂଳ ମଧ୍ୟେ ଗଣ୍ୟ ହେଲି ॥ ୬୧

ମହତଜନଙ୍କୁ ଯେ ପାଇ । ତାର ଦୁଷ୍କୃତ ଦୋଷ କାହିଁ ॥ ୬୨

ଶ୍ରୀକୃଷ୍ଣ ନାମ ଯେ ଗୁଣନ୍ତି । ଯେ ଅବା ଶ୍ରବଣେ ଶୁଣନ୍ତି ॥ ୬୩

ତାଙ୍କର କଥା କି କହିବା । ତାଙ୍କୁ ସମାନ ଅଛି କେବା ॥ ୬୪

ସେ ହରି ସର୍ବଘଟେ ଥାଇ । ଶରଣ ରକ୍ଷଣ ବୋଲାଇ ॥ ୬୫

ଅନନ୍ତ ଶକ୍ତି ଯେ ଅନନ୍ତ । ମହାନ୍ତଗୁଣ ନାହିଁ ଅନ୍ତ ॥ ୬୬

ବ୍ରହ୍ମାଦି ଦେବ ଋଷି ଯେତେ । ଯା ଅନୁରୋଧେ ବେଦପଥେ ॥ ୬୭

ଯୋଗ ସମାଧି ତପେ ଚିନ୍ତି । ଯେ ଲକ୍ଷ୍ମୀ କଟାକ୍ଷ ଇଚ୍ଛନ୍ତି ॥ ୬୮

ସେ ଲକ୍ଷ୍ମୀ ସର୍ବ ଗୁଣ ଛାଡ଼ି । ତାର ଚରଣେ ଚିତ୍ତ ବଢ଼ି ॥ ୬୯

ନିତ୍ୟେ ବସଇ ବୃକ୍ଷସ୍ଥଳେ । ଧ୍ୟାନ ନିରୋପି ପାଦମୂଳେ ॥ ୭୦

କୃଷ୍ଣର ପାଦପଦ୍ମ ରଜେ । ନିଷ୍କାମ ମାର୍ଗେ ନିତ୍ୟେ ଭଜେ ॥ ୭୧

ଯାହାର ପାଦ ନଖ ଲାଗି । ସ୍ୱଭାବେ ଗଙ୍ଗା ସଉଭାଗୀ ॥ ୭୨

ସେ ଗଙ୍ଗାଜଳ ଏ ଜଗତେ । ପୂଜନ୍ତି ବିରଞ୍ଚି ସହିତେ ॥ ୭୩

ସେ ଗଙ୍ଗାନାମ ଉଚ୍ଚାରିଲେ । ପ୍ରାଣୀ ତରନ୍ତି ପାପୁ ଭଲେ ॥ ୭୪

ଏଣୁ ମୁକୁନ୍ଦ ନାମ ବିନେ । ସଂସାରେ କେବା ଉଚ୍ଚାରଣେ ॥ ୭୫

ସେ କି ପଦାର୍ଥ ଏ ଜଗତେ । ଚିନ୍ତି ନ ପାରେ ମୁନିସନ୍ଥେ ॥ ୭୬

ଯାର ଚରଣେ ସିଦ୍ଧଗଣେ । ସମାଧି ଯୋଗ ଆଚରଣେ ॥ ୭୭

ଛାଡ଼ି ବିଷୟ ମୁନିଗଣ । ନିତ୍ୟେ କରନ୍ତି ସୁମରଣ ॥ ୭୮

ଭକ୍ତି ସମାଧି ଦୃଢାସନେ । ତରିଲେ ସଂସାର ବନ୍ଧନେ ॥ ୭୯

ହେ ଅର୍ଯ୍ୟମଣ ମୁନି ଯେତେ । ତୁମ୍ଭେ ଯେ ପଚାରିଲ ମୋତେ ॥ ୮୦

କହିବି କୃଷ୍ଣର ମହିମା । ଯେ ଅବା ତାର ଗୁଣସୀମା ॥ ୮୧

କେ ଅବା ପାରେ ମୁଖେ କହି । ଯେହ୍ନେ ଗଗନ ଅନ୍ତ ନାହିଁ ॥ ୮୨

କୃଷ୍ଣ ମହିମା ସେହିମତେ । ଯେ ପକ୍ଷୀ ଉଡ଼ିପାରେ ଯେତେ ॥ ୮୩

ତାର ବାରତା ସେ ଜାଣନ୍ତି । ଅଧିକେ ନ ପାରନ୍ତି ଚିନ୍ତି ॥ ୮୪

ଏଣୁ ପଣ୍ତିତଜନ ଯେତେ । ଜ୍ଞାନ ବିଚାରି ଏ ଜଗତେ ॥ ୮୫

କୃଷ୍ଣର ମହିମା ବିଚାରେ । ସହସ୍ରଜନ୍ମେ କେବା ପାରେ ॥ ୮୬

ଏବେ ହୋ ଶୁଣ ବିପ୍ରଜନେ । ହରିଚରିତ ଶୁଦ୍ଧମନେ ॥ ୮୭

ସେ ପରୀକ୍ଷିତ ଏକଦିନେ । ମୃଗୟା ଅର୍ଥେ ଗଲା ବନେ ॥ ୮୮

ମୃଗ ନ ପାଇ ଘୋରବନେ । କ୍ଷୁଧିତ ତୃଷିତ ବଦନେ ॥ ୮୯

ଜଳ ନ ପାଇ ପଥଶ୍ରମେ । ମିଳିଲା ମୁନିଙ୍କ ଆଶ୍ରମେ ॥ ୯୦

ଦେଖଇ ଏକବୃକ୍ଷ ତଳେ । ବ୍ରାହ୍ମଣ ଆସନ ନିଶ୍ଚଳେ ॥ ୯୧

ଆନନ୍ଦେ ମୁଦ୍ରିତ ଲୋଚନେ । ଆତ୍ମା ନିବେଶି ଯୋଗଧ୍ୟାନେ ॥ ୯୨

ନିଶ୍ଚଳ ଆତ୍ମା ମନ ବୁଦ୍ଧି । ପବନ ନବଦ୍ୱାରେ ରୁନ୍ଧି ॥ ୯୩

ଇନ୍ଦ୍ରିୟଗଣ ପ୍ରତ୍ୟାହାରେ । ଧ୍ୟାନେ ପ୍ରବେଶ ଶୂନ୍ୟପୁରେ ॥ ୯୪

ଆଧାର ଲିଙ୍ଗ ନାଭିହୃଦେ । କଣ୍ଠମଣ୍ତଳ ଭୂରୁମଧ୍ୟେ ॥ ୯୫

ମନପବନ ବ୍ରହ୍ମରନ୍ଧ୍ରେ । ନିବେଶି ଅଛନ୍ତି ଆନନ୍ଦେ ॥ ୯୬

ଯୋଗନିଶ୍ଚଳ ବ୍ରହ୍ମଭୂତ । ତିନିବିକାରୁ ସେ ଅତୀତ ॥ ୯୭

ପ୍ରକୀର୍ଣ୍ଣ ଜଟାଭାର ଶିରେ । ହରିଣ ଚର୍ମର ଉପରେ ॥ ୯୮

ଏମନ୍ତ ବିପ୍ରକୁ ଅନାଇ । ତୃଷିତେ କଣ୍ଠ ଶୁଷ୍କ ହୋଇ ॥ ୯୯

ଜଳ ମାଗିଲା ମହାରାଜା । ଇଚ୍ଛଇ ଆପଣାର ପୂଜା ॥ ୧୦୦

ଉଦକ ତୃଣ ଭୂମି ଆଦି । ଅତିଥି ପୂଜାର ପ୍ରସିଦ୍ଧି ॥ ୧୦୧

ଅର୍ଘ୍ୟ ସୁନୃତ ସାଧୁବାଣୀ । ନ ଲଭି କୋପେ ନୃପମଣି ॥ ୧୦୨

ମନେ ବିଚାରେ ମହାରାଜ । ଅବଜ୍ଞା କଲା ମୋତେ ଦ୍ୱିଜ ॥ ୧୦୩

କ୍ଷୁଧା ତୃଷାର ବଳେ ମନ । କ୍ଷଣ କ୍ଷଣକେ ଅଚେତନ ॥ ୧୦୪

ପ୍ରଚଣ୍ତ କ୍ରୋଧ କୋପାନଳେ । ମୃତ ଉରଗ ଧନୁହୁଳେ ॥ ୧୦୫

ବ୍ରାହ୍ମଣଗଳେ ନେଇ ଦେଲା । ତକ୍ଷଣେ ନିଜପୁରେ ଗଲା ॥ ୧୦୬

ସେ ପରୀକ୍ଷିତ ନୃପମଣି । ବ୍ରାହ୍ମଣ କଥା ମନେ ଗୁଣି ॥ ୧୦୭

ସର୍ବ ଇନ୍ଦ୍ରିୟର ନିବୃତ୍ତି । ନୟନ ବୁଜି କିମ୍ପା ଛନ୍ତି ॥ ୧୦୮

କିବା ଏ ରାଜାଙ୍କ ଆଗତ । ନିମିତ୍ତେ କରି ଦୃଢ଼ବ୍ରତ ॥ ୧୦୯

ତେଣୁ ଏ କପଟ ଏହାର । ନିଶ୍ଚଳ ସମାଧି ଗୋଚର ॥ ୧୧୦

ଏତେ ଅବଜ୍ଞା ନରଦେହେ । କ୍ଷତ୍ରିୟଜନ୍ମେ କେବା ସହେ ॥ ୧୧୧

ଏମନ୍ତେ ଗଲା ନରନାଥ । ତକ୍ଷଣେ ବ୍ରାହ୍ମଣର ସୁତ ॥ ୧୧୨

ବାଳକ ସଙ୍ଗେ କ୍ରୀଡ଼ା କରେ । ତେଜେ ଅନଳ ରୂପ ଧରେ ॥ ୧୧୩

ରାଜାର ଆଗମନ କଥା । ପିତାର ଯେମନ୍ତ ବ୍ୟବସ୍ଥା ॥ ୧୧୪

ବାଳକ ମୁଖୁ ଶୁଣି କୋପେ । ମିଳିଲା ପିତାର ସମୀପେ ॥ ୧୧୫

ପିତାର ଗଳେ ସର୍ପ ଦେଖି । କୋପେ ଚଞ୍ଚଳ କଲା ଆଖି ॥ ୧୧୬

ସଂସାର ଧର୍ମ ଯେ ପାଳକ । ଦେଖ ତାହାର ଅବିବେକ ॥ ୧୧୭

ଶ୍ୱାନର ପ୍ରାୟେ ଚେଷ୍ଟା କଲା । ଦାସ ତ ସ୍ୱାମୀକୁ ଲଂଘିଲା ॥ ୧୧୮

ବ୍ରାହ୍ମଣେ କ୍ଷତ୍ରିୟଙ୍କୁ ବରି । ଯଜ୍ଞରେ ଦ୍ୱାରପାଳ କରି ॥ ୧୧୯

ଶ୍ୱାନର ପ୍ରାୟେ ଦ୍ୱାରେ ଥାନ୍ତି । ସେ ଭାଣ୍ତେ ଭୋଜନ ଇଚ୍ଛନ୍ତି ॥ ୧୨୦

ଉତ୍ପଥ ପ୍ରାଣୀ ଦଣ୍ତ ଅର୍ଥେ । ଯେ କୃଷ୍ଣ ଥିଲେ ଏ ଜଗତେ ॥ ୧୨୧

ସେ ଯେଣୁ ନିଜପୁରେ ଗଲା । ତେଣୁ ଏ ଅନ୍ୟାୟ ଚିନ୍ତିଲା ॥ ୧୨୨

ଏ ପ୍ରାଣୀ ସଂସାରେ ରହିଲେ । ଧର୍ମ ନଥିବ ଏଥି ଭଲେ ॥ ୧୨୩

ଦେଖ ମୋହର ବିପ୍ରଗଣ । କରିବି ଏଥିର କାରଣ ॥ ୧୨୪

ଏମନ୍ତ ବାଳକଙ୍କୁ କହି । ରଙ୍ଗନୟନେ ରୋଷ ବହି ॥ ୧୨୫

କୌଶିକୀ ଜଳେ ହସ୍ତଭରି । ମାର୍ଜନା ଆଚମନ କରି ॥ ୧୨୬

ରାଜା ଉଦ୍ଦେଶ୍ୟ କରି ମନେ । ବଜ୍ର-ପ୍ରହାରଣ ବଚନେ ॥ ୧୨୭

ବୋଲଇ ଅଧର୍ମ ବିଚାର । ଅନ୍ୟାୟ କଲା ଏ ପାମର ॥ ୧୨୮

ଆଜହୁଁ ସପତ-ଦିବସେ । ତକ୍ଷକ ଆସି ମହାରୋଷେ ॥ ୧୨୯

ତାର ଶରୀର ବେଗେ ଖାଉ । ଏ ପାପୀ ଜଗତେ ନ ଥାଉ ॥ ୧୩୦

ମୋର ପିତାର ଦ୍ରୋହକାରୀ । ସେ କିମ୍ପା ଥିବ ଦେହଧରି ॥ ୧୩୧

ଏମନ୍ତ ଶାପ ତାକୁ ଦେଇ । ମିଳିଲା ପିତା ପାଶେ ଯାଇ ॥ ୧୩୨

ପିତାର ଗଳେ ସର୍ପ ଦେଖି । କାନ୍ଦଇ ଅତି ଦୁଃଖେ ଦୁଃଖୀ ॥ ୧୩୩

ପୁତ୍ର ରୋଦନ କର୍ଣ୍ଣେ ଶୁଣି । ଧ୍ୟାନ ତେଜିଲା ବିପ୍ରମଣି ॥ ୧୩୪

ସେ ଆଙ୍ଗିରସ ନିଜାସନେ । ଚାହିଁଲା ଉନ୍ମୀଳ ଲୋଚନେ ॥ ୧୩୫

ଆପଣା ଗଳେ ସର୍ପ ଦେଖି । ଉଠିଲା ଆସନ ଉପେକ୍ଷି ॥ ୧୩୬

ଗଳାରୁ ସର୍ପକୁ ପକାଇ । ପୁଚ୍ଛଇ ପୁତ୍ରମୁଖ ଚାହିଁ ॥ ୧୩୭

ହେ ପୁତ୍ର କାନ୍ଦୁ କିସ ଅର୍ଥେ । କେ ପ୍ରାଣୀ ଶୋକ ଦେଲା ତୋତେ ॥ ୧୩୮

ପିତା ବଚନ ଶୁଣି ବଳା । ସଂକ୍ଷେପି ସକଳ କହିଲା ॥ ୧୩୯

ହେ ତାତ ଶୁଣ ମୋର ବାଣୀ । ମୃଗୟା ଆସି ନୃପମଣି ॥ ୧୪୦

ମଉନବ୍ରତ ତୋର ଦେଖି । ସ୍ୱଧର୍ମ କଲା ସେ ଉପେକ୍ଷି ॥ ୧୪୧

ମୃତ-ଉରଗ ତୋର ଗଳେ । ଦେଇ ଚଳିଲା ଅବହେଳେ ॥ ୧୪୨

ମୁଁ ତାକୁ ଜାଣି ଶାପ ଦେଲି । ତକ୍ଷକେ ମର ତୁ ବୋଇଲି ॥ ୧୪୩

ଏବେ ତୋ ଗଳେ ସର୍ପ ଚାହିଁ । ଭୟେ କାନ୍ଦଇ ଦୂରେ ରହି ॥ ୧୪୪

ପୁତ୍ର ବଚନ ଶୁଣି କର୍ଣ୍ଣେ । କୋପ ବସିଲା ବିପ୍ରମନେ ॥ ୧୪୫

ପୁତ୍ରକୁ ଚାହିଁ କୋପଭରେ । ବୋଲଇ ନିଷ୍ଠୁର ଉତ୍ତରେ ॥ ୧୪୬

ଅଳପ ଅପରାଧେ ତୁହି । ଏ କର୍ମ କଲୁ କିସ ପାଇଁ ॥ ୧୪୭

ସେ ଭାଗବତ ପୁଣ୍ୟଦେହୀ । ଏ ଶାପ ତାକୁ ନ ଯୋଗାଇ ॥ ୧୪୮

ଅହୋ ଆଶ୍ଚର୍ଯ୍ୟ ଦେଖ କଥା । ଶୁଣି ମୋ ମନେ ଗରୁ ବ୍ୟଥା ॥ ୧୪୯

ଅଳପ ଅପରାଧେ ଦେଖ । ଦୁର୍ବୁଦ୍ଧି ବିହିଲୁ ବାଳକ ॥ ୧୫୦

ଯାହାର ଭୁଜ ଆଶ୍ରେ କରି । ଧର୍ମ-ସମ୍ପଦ-ସୁଖ-ଶିରୀ ॥ ୧୫୧

ପ୍ରଜାଏ ସୁଖେଣ ଭୁଞ୍ଜନ୍ତି । ସେ କି କାହାରେ ଦ୍ରୋହ ଚିନ୍ତି ॥ ୧୫୨

ବିଷ୍ଣୁର ଅଂଶ ନରପତି । କେ ଅଛି ତାରେ ଦ୍ରୋହ ଚିନ୍ତି ॥ ୧୫୩

ଏବେ ରାଜାର ଅନ୍ତେ ମହୀ । ଚଉର୍ଯ୍ୟ ବଳଦର୍ପ ବହି ॥ ୧୫୪

ଅରକ୍ଷ ମେଷଯୂଥ ପ୍ରାୟେ । ଲୋକ ନଶିବେ ଚୋରଭୟେ ॥ ୧୫୫

ଧନ ହରିବେ ଅନ୍ୟୋଅନ୍ୟେ । ପ୍ରଜା ପଶିବେ ଘୋରବନେ ॥ ୧୫୬

ନିର୍ଭୟେ ପଶୁଙ୍କୁ ହିଂସିବେ । ପର ରମଣୀ ନ ମାନିବେ ॥ ୧୫୭

ଅନାଥ ହୋଇବ ସଂସାର । ସେ ପାପ ହୋଇବ ଆମ୍ଭର ॥ ୧୫୮

ଧର୍ମ ଛାଡ଼ିବ ଚାରିପାଦେ । ଯେବା ବିହିତ ଅଛି ବେଦେ ॥ ୧୫୯

ବର୍ଣ୍ଣ ଆଶ୍ରମ ଯେ ଆଚାର । ଏ ତିନିଧର୍ମ ଯେ ବେଦର ॥ ୧୬୦

ସେ ଧର୍ମ ତେଜି ଅଭ୍ୟନ୍ତରେ । ପଶିବେ ଅଧର୍ମ ବେଭାରେ ॥ ୧୬୧

ସର୍ବେ ବୁଡ଼ିବେ ଅର୍ଥକାମେ । ବଞ୍ଚିବେ ଶ୍ୱାନ କପି ଧର୍ମେ ॥ ୧୬୨

ଏ ଧର୍ମପାଳ ନରପତି । ସୁକୃତବନ୍ତ ଚକ୍ରବର୍ତ୍ତୀ ॥ ୧୬୩

ସାକ୍ଷାତେ ମହାଭାଗବତ । ସେ ରାଜଋଷି ପରୀକ୍ଷିତ ॥ ୧୬୪

କଲା ଯେ ତିନି ଅଶ୍ୱମେଧି । ଆଗମ ନିଗମ ପ୍ରସିଦ୍ଧି ॥ ୧୬୫

କ୍ଷୁଧା ତୃଷାରେ ବୁଲି ବନେ । ମିଳିଲା ମୋହର ଆଶ୍ରମେ ॥ ୧୬୬

ତାହାଙ୍କୁ ଶାନ୍ତି ତୁ ନ କଲୁ । ବିଶେଷେ ଘୋରଶାପ ଦେଲୁ ॥ ୧୬୭

ସେ ଆମ୍ଭ ଶାପ୍ୟେ ଯୋଗ୍ୟ ନୋହେ । ଅଶେଷ ଧର୍ମେ ଦେହ ବହେ ॥ ୧୬୮

ଏମନ୍ତେ କୃଷ୍ଣ ମନେ ଧ୍ୟାୟି । ବ୍ରାହ୍ମଣ ବୋଲେ ତ୍ରାହି ତ୍ରାହି ॥ ୧୬୯

ନିଷ୍ପାପ ଭୃତ୍ୟକୁ ଏ ବଳେ । ଦ୍ରୋହ ଚିନ୍ତିଲା ମହୀତଳେ ॥ ୧୭୦

ଅଳପ ବୁଦ୍ଧି ଏ ବାଳକ । ଏହାର ମନେ କଲା ଦୁଃଖ ॥ ୧୭୧

ଭୋ ନାଥ କରୁଣାସାଗର । ବାଳକ ଦୋଷ କ୍ଷମାକର ॥ ୧୭୨

ନିନ୍ଦା କପଟ ଅବଜ୍ଞାନ । ଶାପ ତାଡ଼ନ ଆଦି ମାନ ॥ ୧୭୩

କଲା ପ୍ରାଣୀଙ୍କି ପ୍ରତିକୃତ । ନ କରେ ଯେ ତୋର ଭକତ ॥ ୧୭୪

ତୋହର ଭକତ ଯେ ଜନ । କୋପ ନ ବସେ ତାର ମନ ॥ ୧୭୫

ପ୍ରାଣୀଙ୍କ ଅପରାଧ ସହେ । ତୋହର ଭାବେ ଚିତ୍ତବହେ ॥ ୧୭୬

ଅତି ଅନ୍ୟାୟ କର୍ମ ମୋର । ମୁଁ କର୍ମହୀନ ଦୁରାଚାର ॥ ୧୭୭

ନିରପରାଧେ ଦ୍ରୋହ ଚିନ୍ତି । ଏ ମୋର ଚିତ୍ତେ ଗରୁଭ୍ରାନ୍ତି ॥ ୧୭୮

ଦେବହେଳନ କର୍ମ ମୋର । ନିଶ୍ଚେ ଲଭିଲି ଦାମୋଦର ॥ ୧୭୯

ଦୁଃଖ ମୁଁ ଲଭିବି ନିକଟେ । ଏ ଘୋର-ସଂସାର-ସଙ୍କଟେ ॥ ୧୮୦

ଏମନ୍ତେ ପୁତ୍ର ଅପରାଧେ । ମହତ ଶାପ ଅପବାଦେ ॥ ୧୮୧

ଅନୁତାପିତ ବିପ୍ରବର । ବୋଲେ ଗୋବିନ୍ଦ ରକ୍ଷାକର ॥ ୧୮୨

ରାଜା ଯେ ଅପରାଧ କଲା । ସେ କଥା ଚିତ୍ତେ ନଘେନିଲା ॥ ୧୮୩

ଏ ନରଲୋକେ ସାଧୁ ଯେତେ । କୋପ ନ ବଶେ ତାଙ୍କ ଚିତ୍ତେ ॥ ୧୮୪

ପ୍ରାଣୀଙ୍କ ଦୋଷ ନ ଘେନନ୍ତି । ସ୍ତୁତିରେ ହରଷ ନୁହନ୍ତି ॥ ୧୮୫

ପରଦୁଃଖରେ ଦୁଃଖୀ ହୋନ୍ତି । ସମଦୃଷ୍ଟିରେ ଆତ୍ମା ଚିନ୍ତି ॥ ୧୮୬

ସେ ସାଧୁଜନଙ୍କର କଥା । କେବେହେଁ ନୁହଇ ଅନ୍ୟଥା ॥ ୧୮୭

ବୋଲଇ ଦାସ ଜଗନ୍ନାଥ । ଭାଷାପ୍ରବନ୍ଧେ ଭାଗବତ ॥ ୧୮୮

ସୁଜନଜନଙ୍କର ହିତେ । ଯେବା ପ୍ରକାଶ ମୋର ଚିତ୍ତେ ॥ ୧୮୯

ସୁଜନେ ନ ଘେନିବ ଦୋଷ । ମୁଁ ତୁମ୍ଭ ଦାସଙ୍କର ଦାସ ॥ ୧୯୦

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ପ୍ରଥମସ୍କନ୍ଧେ ବିପ୍ରଶାପୋପଲମ୍ଭନଂ ନାମ ଅଷ୍ଟାଦଶୋଽଧ୍ୟାୟଃ ।।

* * *