ପ୍ରଥମ ସ୍କନ୍ଧ
ଅଷ୍ଟାଦଶ ଅଧ୍ୟାୟ
କହନ୍ତି ସୂତ ଶୁଦ୍ଧଚେତା । ଶୁଣ ସକଳ ବ୍ରହ୍ମବେତ୍ତା ॥ ୧
ସୂତ ଉବାଚ
ଦ୍ରୋଣକୁମର ଶସ୍ତ୍ରାଘାତେ । ଯେ ରାଜା ବଞ୍ଚି ଗର୍ଭଗତେ ॥ ୨
କୃଷ୍ଣର ଅନୁଗ୍ରହ ଭାବେ । ନ ମଲା ଜନନୀର ଗର୍ଭେ ॥ ୩
ବ୍ରାହ୍ମଣ କୋପେ ଶାପ ଦେଲା । ତକ୍ଷକେ ମର ତୁ ବୋଇଲା ॥ ୪
ତେଣୁ ତକ୍ଷକ ତାକୁ ବଳେ । ବେଗେ ଦଂଶିଲା ଗଙ୍ଗାଜଳେ ॥ ୫
ମରଣ ଜାଣି ମହୀପତି । ହୃଦେ ଚିନ୍ତିଲା ଯଦୁପତି ॥ ୬
ହରିମହିମା ପରିମାଣି । ବ୍ୟାସକୁମର ମୁଖୁ ଶୁଣି ॥ ୭
ଛାଡ଼ିଣ ସର୍ବସଙ୍ଗ ହେଳେ । ଯେ ଜୀବ ଜ୍ଞାନତତ୍ତ୍ଵ ବଳେ ॥ ୮
ଗଙ୍ଗାରେ ଛାଡ଼ି ନିଜପ୍ରାଣ । ଗୋବିନ୍ଦେ ପଶିଲା ଶରଣ ॥ ୯
କୃଷ୍ଣର ଗାଥା ଗୁଣପନ୍ତି । ଯେ ନିତ୍ୟେ ହୃଦରେ ଚିନ୍ତନ୍ତି ॥ ୧୦
କୃଷ୍ଣର କଥାମୃତ ତୁଣ୍ତେ । କହି ରୋମାଞ୍ଚ ନିଜ ପିଣ୍ତେ ॥ ୧୧
ସର୍ବଦା ପାଦ ଯେ ସ୍ମରନ୍ତି । ମରଣେ କିବା ତାଙ୍କ ଭୀତି ॥ ୧୨
ସେ ରାଜା ଯେତେଦିନ ଥିଲା । ସଂସାରେ କଳି ନ ପଶିଲା ॥ ୧୩
ନନ୍ଦନନ୍ଦନ ଯେତେବେଳେ । ତନୁ ଛାଡ଼ିଲେ ମହୀତଳେ ॥ ୧୪
ତକ୍ଷଣେ ଅଧର୍ମ ପୁରୁଷ । କଳି ଏ ସଂସାରେ ପ୍ରବେଶ ॥ ୧୫
ସେ ରାଜା ତାକୁ ସ୍ଥାନ ଦେଇ । ସାରଙ୍ଗ ପ୍ରାୟ ସାର ଖାଇ ॥ ୧୬
କୁଶଳ କର୍ମ ଯେ କରନ୍ତି । ସେ ଫଳ ଏ ଦେହେ ଭୁଞ୍ଜନ୍ତି ॥ ୧୭
ଇତର ଚିନ୍ତା ନ ଲାଗଇ । ଯେ ଶୁଭକର୍ମେ ନିତ୍ୟେ ଥାଇ ॥ ୧୮
ସେ କଳିଯୁଗ ଭୟଙ୍କର । ସ୍ୱଭାବେ ସୁବୁଦ୍ଧି ଗଭୀର ॥ ୧୯
ନିରତେ ଅପ୍ରମତ୍ତ ହୋଇ । ସିଂହର ପ୍ରାୟେ ବିକ୍ରମଇ ॥ ୨୦
ପ୍ରମତ୍ତ ପ୍ରାୟ ବାଳ ମଧ୍ୟେ । ସେ କଳି ବିହରେ ଆନନ୍ଦେ ॥ ୨୧
ସେ ପରୀକ୍ଷିତ ଗୁଣଗାଥା । ଯହିଁ ପ୍ରକାଶ କୃଷ୍ଣକଥା ॥ ୨୨
ପ୍ରସଙ୍ଗେ କହିଲଇଁ ଏବେ । ଯେଣୁ ପୁଚ୍ଛିଲ ପ୍ରିୟଭାବେ ॥ ୨୩
କୃଷ୍ଣର ଯେତେ ଗୁଣଗାଥା । ଯେ ସାଧୁଜନ ମଧ୍ୟେ କଥା ॥ ୨୪
ତାର ମହିମା ଶୁଦ୍ଧଚିତ୍ତେ । କହି ବଞ୍ଚନ୍ତି ସାଧୁସନ୍ଥେ ॥ ୨୫
ନିତ୍ୟେ ତାହାର ପଦ ଚିନ୍ତି । ନିଶ୍ଚୟେ ଗୋବିନ୍ଦେ ପଶନ୍ତି ॥ ୨୬
ସୂତ ବଚନ ଶୁଣି କର୍ଣ୍ଣେ । ମନ ଆନନ୍ଦେ ମୁନିଜନେ ॥ ୨୭
କର ପ୍ରସାରି ଜଣେ ଜଣ । ସୂତଙ୍କୁ କରନ୍ତି କଲ୍ୟାଣ ॥ ୨୮
ଋଷିଜନ ଉବାଚ
ନିର୍ମଳ-ଯଶ-ଗୁଣ-ଦେହୀ । ଚିର ଜୀବନେ ରହ ତୁହି ॥ ୨୯
ଆମ୍ଭେ ଯେ ନରଦେହ ବହି । ତୋର ନିକଟେ ଶୁଭେ ଥାଇ ॥ ୩୦
କୃଷ୍ଣ ଅମୃତ କଥାମାନ । ତୋର ବଚନୁ କର୍ଣ୍ଣେ ପାନ ॥ ୩୧
କରି ବଞ୍ଚିଲୁ ଦିନାକେତେ । ସୁସାଧୁ ସଙ୍ଗର ଆୟତ୍ତେ ॥ ୩୨
ଏ ଯଜ୍ଞକର୍ମେ ଆମ୍ଭ ଚିତ୍ତ । ବେଦ ବଚନେ ମୋହଗତ ॥ ୩୩
ଏ ଯଜ୍ଞ ଧୂମେ ଧୂମାକୁଳ । ଆମ୍ଭର ଆତ୍ମା ହୀନବଳ ॥ ୩୪
ଫୁଟିଲୁ ଯଜ୍ଞବାଟେ ଭ୍ରମି । ପଥୁକୀ ଯେହ୍ନେ ପଥଶ୍ରମୀ ॥ ୩୫
ତୁ ଯେ ଆମ୍ଭର ଶ୍ରମ ଜାଣି । କୃଷ୍ଣ ଅମୃତ କଥା ବାଣୀ ॥ ୩୬
ପାନ କରାଇ ଶ୍ରୁତିମାର୍ଗେ । ରଖିଲ ଆମ୍ଭ ପ୍ରାଣ ବେଗେ ॥ ୩୭
ହରି ଭକତଜନ ସଙ୍ଗେ । ଯେ କ୍ଷଣେ ବଞ୍ଚେ ନର ଅଙ୍ଗ ॥ ୩୮
ତା ସଙ୍ଗେ ସ୍ୱର୍ଗ-ଭୋଗ-ମୋକ୍ଷ । କେ ତୁଲ୍ୟ କରିବ ପ୍ରତ୍ୟକ୍ଷ ॥ ୩୯
ଏଣୁ ଯେ କରେ ସାଧୁସଙ୍ଗ । ତରଇ ଏ ଭବତରଙ୍ଗ ॥ ୪୦
ପ୍ରାଣୀ ବାଞ୍ଛିତ ଆଶା ଏତେ । ଅଧିକ କ୍ଳେଶ ଏ ଜଗତେ ॥ ୪୧
କୃଷ୍ଣକଥାରେ ରସ ଯେତେ । ତାହା ଆସ୍ୱାଦି ଶୁଦ୍ଧଚିତ୍ତେ ॥ ୪୨
କେବା ରସଜ୍ଞ ତାହା ତେଜେ । କର୍ଣ୍ଣ ଜିହ୍ୱାରେ ସୁଖେ ଭୁଞ୍ଜେ ॥ ୪୩
ଯାହାର ଗୁଣ ଅନ୍ତ ନାହିଁ । ସ୍ୱଭାବେ ନିର୍ଗୁଣ ବୋଲାଇ ॥ ୪୪
ଭବ ବିରଞ୍ଚି ଯାର ଅନ୍ତ । ପ୍ରମାଣି ନ ପାରେ ଜଗତ ॥ ୪୫
ଏଣୁ ଭକତ ପ୍ରାଣୀଙ୍କର । ଭାବୁକ ମଧ୍ୟେ ତୁମ୍ଭେ ବର ॥ ୪୬
ମହତଜନଙ୍କ ଶରଣ । ଯାହାର ଅଭୟ ଚରଣ ॥ ୪୭
ଶ୍ରୀକୃଷ୍ଣ ଉଦାର ଚରିତ । ବିଶୁଦ୍ଧ ରସେ ଆମ୍ଭ ଚିତ୍ତ ॥ ୪୮
ଲୋଭିଲା ମଧୁକର ପ୍ରାୟେ । ଭୋ ମୁନି କର ତୁ ସଦୟେ ॥ ୪୯
କହ ଗୋବିନ୍ଦ-ରସକଥା । ଯେଣେ ଛାଡ଼ିବୁ ଭବବ୍ୟଥା ॥ ୫୦
ସେ ମହାଭାଗ ପରୀକ୍ଷିତ । ଭକତ ମଧ୍ୟେ ବୁଦ୍ଧିମନ୍ତ ॥ ୫୧
ବ୍ୟାସନନ୍ଦନ ମୁଖୁ ବାଣୀ । ସାନନ୍ଦେ ଗଙ୍ଗାତୀରେ ଶୁଣି ॥ ୫୨
କୃଷ୍ଣର ପାଦପଦ୍ମ ଗନ୍ଧେ । ଭୃଙ୍ଗ ଯେସନେ ମକରନ୍ଦେ ॥ ୫୩
ଗରୁଡ଼ଧ୍ୱଜ ପାଦମୂଳେ । ପ୍ରାଣ ନିବେଶି ଗଙ୍ଗାଜଳେ ॥ ୫୪
ପଶିଲା ସର୍ବସୁଖ ତେଜି । ହରି ଚରଣ ଭାବେ ଭଜି ॥ ୫୫
ତାର ଚରିତ ଯୋଗସାର । ସେ ଯେ ଭକତ ମଧ୍ୟେ ବର ॥ ୫୬
ଅନନ୍ତ ଚରିତ ସଂଯୁତ । ଯେ କର୍ମ କଲେ ପରୀକ୍ଷିତ ॥ ୫୭
କହ ସକଳ ଆମ୍ଭ ଆଗ । ତୁମ୍ଭେ ସହଜେ ମହାଭାଗ ॥ ୫୮
ଶୁଣି କହନ୍ତି ସୂତମୁନି । ବିପ୍ରଙ୍କ ଭାବେ ଭାବ ଘେନି ॥ ୫୯
ସୂତ ଉବାଚ
ବୋଲନ୍ତି ଭାଗ୍ୟ ଏ ମୋହର । ବୃଦ୍ଧଙ୍କ ମଧ୍ୟେ ପୁରସ୍କାର ॥ ୬୦
ବିଲୋମେ ଜନ୍ମ ମୁଁ ଲଭିଲି । ସତ୍ କୂଳ ମଧ୍ୟେ ଗଣ୍ୟ ହେଲି ॥ ୬୧
ମହତଜନଙ୍କୁ ଯେ ପାଇ । ତାର ଦୁଷ୍କୃତ ଦୋଷ କାହିଁ ॥ ୬୨
ଶ୍ରୀକୃଷ୍ଣ ନାମ ଯେ ଗୁଣନ୍ତି । ଯେ ଅବା ଶ୍ରବଣେ ଶୁଣନ୍ତି ॥ ୬୩
ତାଙ୍କର କଥା କି କହିବା । ତାଙ୍କୁ ସମାନ ଅଛି କେବା ॥ ୬୪
ସେ ହରି ସର୍ବଘଟେ ଥାଇ । ଶରଣ ରକ୍ଷଣ ବୋଲାଇ ॥ ୬୫
ଅନନ୍ତ ଶକ୍ତି ଯେ ଅନନ୍ତ । ମହାନ୍ତଗୁଣ ନାହିଁ ଅନ୍ତ ॥ ୬୬
ବ୍ରହ୍ମାଦି ଦେବ ଋଷି ଯେତେ । ଯା ଅନୁରୋଧେ ବେଦପଥେ ॥ ୬୭
ଯୋଗ ସମାଧି ତପେ ଚିନ୍ତି । ଯେ ଲକ୍ଷ୍ମୀ କଟାକ୍ଷ ଇଚ୍ଛନ୍ତି ॥ ୬୮
ସେ ଲକ୍ଷ୍ମୀ ସର୍ବ ଗୁଣ ଛାଡ଼ି । ତାର ଚରଣେ ଚିତ୍ତ ବଢ଼ି ॥ ୬୯
ନିତ୍ୟେ ବସଇ ବୃକ୍ଷସ୍ଥଳେ । ଧ୍ୟାନ ନିରୋପି ପାଦମୂଳେ ॥ ୭୦
କୃଷ୍ଣର ପାଦପଦ୍ମ ରଜେ । ନିଷ୍କାମ ମାର୍ଗେ ନିତ୍ୟେ ଭଜେ ॥ ୭୧
ଯାହାର ପାଦ ନଖ ଲାଗି । ସ୍ୱଭାବେ ଗଙ୍ଗା ସଉଭାଗୀ ॥ ୭୨
ସେ ଗଙ୍ଗାଜଳ ଏ ଜଗତେ । ପୂଜନ୍ତି ବିରଞ୍ଚି ସହିତେ ॥ ୭୩
ସେ ଗଙ୍ଗାନାମ ଉଚ୍ଚାରିଲେ । ପ୍ରାଣୀ ତରନ୍ତି ପାପୁ ଭଲେ ॥ ୭୪
ଏଣୁ ମୁକୁନ୍ଦ ନାମ ବିନେ । ସଂସାରେ କେବା ଉଚ୍ଚାରଣେ ॥ ୭୫
ସେ କି ପଦାର୍ଥ ଏ ଜଗତେ । ଚିନ୍ତି ନ ପାରେ ମୁନିସନ୍ଥେ ॥ ୭୬
ଯାର ଚରଣେ ସିଦ୍ଧଗଣେ । ସମାଧି ଯୋଗ ଆଚରଣେ ॥ ୭୭
ଛାଡ଼ି ବିଷୟ ମୁନିଗଣ । ନିତ୍ୟେ କରନ୍ତି ସୁମରଣ ॥ ୭୮
ଭକ୍ତି ସମାଧି ଦୃଢାସନେ । ତରିଲେ ସଂସାର ବନ୍ଧନେ ॥ ୭୯
ହେ ଅର୍ଯ୍ୟମଣ ମୁନି ଯେତେ । ତୁମ୍ଭେ ଯେ ପଚାରିଲ ମୋତେ ॥ ୮୦
କହିବି କୃଷ୍ଣର ମହିମା । ଯେ ଅବା ତାର ଗୁଣସୀମା ॥ ୮୧
କେ ଅବା ପାରେ ମୁଖେ କହି । ଯେହ୍ନେ ଗଗନ ଅନ୍ତ ନାହିଁ ॥ ୮୨
କୃଷ୍ଣ ମହିମା ସେହିମତେ । ଯେ ପକ୍ଷୀ ଉଡ଼ିପାରେ ଯେତେ ॥ ୮୩
ତାର ବାରତା ସେ ଜାଣନ୍ତି । ଅଧିକେ ନ ପାରନ୍ତି ଚିନ୍ତି ॥ ୮୪
ଏଣୁ ପଣ୍ତିତଜନ ଯେତେ । ଜ୍ଞାନ ବିଚାରି ଏ ଜଗତେ ॥ ୮୫
କୃଷ୍ଣର ମହିମା ବିଚାରେ । ସହସ୍ରଜନ୍ମେ କେବା ପାରେ ॥ ୮୬
ଏବେ ହୋ ଶୁଣ ବିପ୍ରଜନେ । ହରିଚରିତ ଶୁଦ୍ଧମନେ ॥ ୮୭
ସେ ପରୀକ୍ଷିତ ଏକଦିନେ । ମୃଗୟା ଅର୍ଥେ ଗଲା ବନେ ॥ ୮୮
ମୃଗ ନ ପାଇ ଘୋରବନେ । କ୍ଷୁଧିତ ତୃଷିତ ବଦନେ ॥ ୮୯
ଜଳ ନ ପାଇ ପଥଶ୍ରମେ । ମିଳିଲା ମୁନିଙ୍କ ଆଶ୍ରମେ ॥ ୯୦
ଦେଖଇ ଏକବୃକ୍ଷ ତଳେ । ବ୍ରାହ୍ମଣ ଆସନ ନିଶ୍ଚଳେ ॥ ୯୧
ଆନନ୍ଦେ ମୁଦ୍ରିତ ଲୋଚନେ । ଆତ୍ମା ନିବେଶି ଯୋଗଧ୍ୟାନେ ॥ ୯୨
ନିଶ୍ଚଳ ଆତ୍ମା ମନ ବୁଦ୍ଧି । ପବନ ନବଦ୍ୱାରେ ରୁନ୍ଧି ॥ ୯୩
ଇନ୍ଦ୍ରିୟଗଣ ପ୍ରତ୍ୟାହାରେ । ଧ୍ୟାନେ ପ୍ରବେଶ ଶୂନ୍ୟପୁରେ ॥ ୯୪
ଆଧାର ଲିଙ୍ଗ ନାଭିହୃଦେ । କଣ୍ଠମଣ୍ତଳ ଭୂରୁମଧ୍ୟେ ॥ ୯୫
ମନପବନ ବ୍ରହ୍ମରନ୍ଧ୍ରେ । ନିବେଶି ଅଛନ୍ତି ଆନନ୍ଦେ ॥ ୯୬
ଯୋଗନିଶ୍ଚଳ ବ୍ରହ୍ମଭୂତ । ତିନିବିକାରୁ ସେ ଅତୀତ ॥ ୯୭
ପ୍ରକୀର୍ଣ୍ଣ ଜଟାଭାର ଶିରେ । ହରିଣ ଚର୍ମର ଉପରେ ॥ ୯୮
ଏମନ୍ତ ବିପ୍ରକୁ ଅନାଇ । ତୃଷିତେ କଣ୍ଠ ଶୁଷ୍କ ହୋଇ ॥ ୯୯
ଜଳ ମାଗିଲା ମହାରାଜା । ଇଚ୍ଛଇ ଆପଣାର ପୂଜା ॥ ୧୦୦
ଉଦକ ତୃଣ ଭୂମି ଆଦି । ଅତିଥି ପୂଜାର ପ୍ରସିଦ୍ଧି ॥ ୧୦୧
ଅର୍ଘ୍ୟ ସୁନୃତ ସାଧୁବାଣୀ । ନ ଲଭି କୋପେ ନୃପମଣି ॥ ୧୦୨
ମନେ ବିଚାରେ ମହାରାଜ । ଅବଜ୍ଞା କଲା ମୋତେ ଦ୍ୱିଜ ॥ ୧୦୩
କ୍ଷୁଧା ତୃଷାର ବଳେ ମନ । କ୍ଷଣ କ୍ଷଣକେ ଅଚେତନ ॥ ୧୦୪
ପ୍ରଚଣ୍ତ କ୍ରୋଧ କୋପାନଳେ । ମୃତ ଉରଗ ଧନୁହୁଳେ ॥ ୧୦୫
ବ୍ରାହ୍ମଣଗଳେ ନେଇ ଦେଲା । ତକ୍ଷଣେ ନିଜପୁରେ ଗଲା ॥ ୧୦୬
ସେ ପରୀକ୍ଷିତ ନୃପମଣି । ବ୍ରାହ୍ମଣ କଥା ମନେ ଗୁଣି ॥ ୧୦୭
ସର୍ବ ଇନ୍ଦ୍ରିୟର ନିବୃତ୍ତି । ନୟନ ବୁଜି କିମ୍ପା ଛନ୍ତି ॥ ୧୦୮
କିବା ଏ ରାଜାଙ୍କ ଆଗତ । ନିମିତ୍ତେ କରି ଦୃଢ଼ବ୍ରତ ॥ ୧୦୯
ତେଣୁ ଏ କପଟ ଏହାର । ନିଶ୍ଚଳ ସମାଧି ଗୋଚର ॥ ୧୧୦
ଏତେ ଅବଜ୍ଞା ନରଦେହେ । କ୍ଷତ୍ରିୟଜନ୍ମେ କେବା ସହେ ॥ ୧୧୧
ଏମନ୍ତେ ଗଲା ନରନାଥ । ତକ୍ଷଣେ ବ୍ରାହ୍ମଣର ସୁତ ॥ ୧୧୨
ବାଳକ ସଙ୍ଗେ କ୍ରୀଡ଼ା କରେ । ତେଜେ ଅନଳ ରୂପ ଧରେ ॥ ୧୧୩
ରାଜାର ଆଗମନ କଥା । ପିତାର ଯେମନ୍ତ ବ୍ୟବସ୍ଥା ॥ ୧୧୪
ବାଳକ ମୁଖୁ ଶୁଣି କୋପେ । ମିଳିଲା ପିତାର ସମୀପେ ॥ ୧୧୫
ପିତାର ଗଳେ ସର୍ପ ଦେଖି । କୋପେ ଚଞ୍ଚଳ କଲା ଆଖି ॥ ୧୧୬
ସଂସାର ଧର୍ମ ଯେ ପାଳକ । ଦେଖ ତାହାର ଅବିବେକ ॥ ୧୧୭
ଶ୍ୱାନର ପ୍ରାୟେ ଚେଷ୍ଟା କଲା । ଦାସ ତ ସ୍ୱାମୀକୁ ଲଂଘିଲା ॥ ୧୧୮
ବ୍ରାହ୍ମଣେ କ୍ଷତ୍ରିୟଙ୍କୁ ବରି । ଯଜ୍ଞରେ ଦ୍ୱାରପାଳ କରି ॥ ୧୧୯
ଶ୍ୱାନର ପ୍ରାୟେ ଦ୍ୱାରେ ଥାନ୍ତି । ସେ ଭାଣ୍ତେ ଭୋଜନ ଇଚ୍ଛନ୍ତି ॥ ୧୨୦
ଉତ୍ପଥ ପ୍ରାଣୀ ଦଣ୍ତ ଅର୍ଥେ । ଯେ କୃଷ୍ଣ ଥିଲେ ଏ ଜଗତେ ॥ ୧୨୧
ସେ ଯେଣୁ ନିଜପୁରେ ଗଲା । ତେଣୁ ଏ ଅନ୍ୟାୟ ଚିନ୍ତିଲା ॥ ୧୨୨
ଏ ପ୍ରାଣୀ ସଂସାରେ ରହିଲେ । ଧର୍ମ ନଥିବ ଏଥି ଭଲେ ॥ ୧୨୩
ଦେଖ ମୋହର ବିପ୍ରଗଣ । କରିବି ଏଥିର କାରଣ ॥ ୧୨୪
ଏମନ୍ତ ବାଳକଙ୍କୁ କହି । ରଙ୍ଗନୟନେ ରୋଷ ବହି ॥ ୧୨୫
କୌଶିକୀ ଜଳେ ହସ୍ତଭରି । ମାର୍ଜନା ଆଚମନ କରି ॥ ୧୨୬
ରାଜା ଉଦ୍ଦେଶ୍ୟ କରି ମନେ । ବଜ୍ର-ପ୍ରହାରଣ ବଚନେ ॥ ୧୨୭
ବୋଲଇ ଅଧର୍ମ ବିଚାର । ଅନ୍ୟାୟ କଲା ଏ ପାମର ॥ ୧୨୮
ଆଜହୁଁ ସପତ-ଦିବସେ । ତକ୍ଷକ ଆସି ମହାରୋଷେ ॥ ୧୨୯
ତାର ଶରୀର ବେଗେ ଖାଉ । ଏ ପାପୀ ଜଗତେ ନ ଥାଉ ॥ ୧୩୦
ମୋର ପିତାର ଦ୍ରୋହକାରୀ । ସେ କିମ୍ପା ଥିବ ଦେହଧରି ॥ ୧୩୧
ଏମନ୍ତ ଶାପ ତାକୁ ଦେଇ । ମିଳିଲା ପିତା ପାଶେ ଯାଇ ॥ ୧୩୨
ପିତାର ଗଳେ ସର୍ପ ଦେଖି । କାନ୍ଦଇ ଅତି ଦୁଃଖେ ଦୁଃଖୀ ॥ ୧୩୩
ପୁତ୍ର ରୋଦନ କର୍ଣ୍ଣେ ଶୁଣି । ଧ୍ୟାନ ତେଜିଲା ବିପ୍ରମଣି ॥ ୧୩୪
ସେ ଆଙ୍ଗିରସ ନିଜାସନେ । ଚାହିଁଲା ଉନ୍ମୀଳ ଲୋଚନେ ॥ ୧୩୫
ଆପଣା ଗଳେ ସର୍ପ ଦେଖି । ଉଠିଲା ଆସନ ଉପେକ୍ଷି ॥ ୧୩୬
ଗଳାରୁ ସର୍ପକୁ ପକାଇ । ପୁଚ୍ଛଇ ପୁତ୍ରମୁଖ ଚାହିଁ ॥ ୧୩୭
ହେ ପୁତ୍ର କାନ୍ଦୁ କିସ ଅର୍ଥେ । କେ ପ୍ରାଣୀ ଶୋକ ଦେଲା ତୋତେ ॥ ୧୩୮
ପିତା ବଚନ ଶୁଣି ବଳା । ସଂକ୍ଷେପି ସକଳ କହିଲା ॥ ୧୩୯
ହେ ତାତ ଶୁଣ ମୋର ବାଣୀ । ମୃଗୟା ଆସି ନୃପମଣି ॥ ୧୪୦
ମଉନବ୍ରତ ତୋର ଦେଖି । ସ୍ୱଧର୍ମ କଲା ସେ ଉପେକ୍ଷି ॥ ୧୪୧
ମୃତ-ଉରଗ ତୋର ଗଳେ । ଦେଇ ଚଳିଲା ଅବହେଳେ ॥ ୧୪୨
ମୁଁ ତାକୁ ଜାଣି ଶାପ ଦେଲି । ତକ୍ଷକେ ମର ତୁ ବୋଇଲି ॥ ୧୪୩
ଏବେ ତୋ ଗଳେ ସର୍ପ ଚାହିଁ । ଭୟେ କାନ୍ଦଇ ଦୂରେ ରହି ॥ ୧୪୪
ପୁତ୍ର ବଚନ ଶୁଣି କର୍ଣ୍ଣେ । କୋପ ବସିଲା ବିପ୍ରମନେ ॥ ୧୪୫
ପୁତ୍ରକୁ ଚାହିଁ କୋପଭରେ । ବୋଲଇ ନିଷ୍ଠୁର ଉତ୍ତରେ ॥ ୧୪୬
ଅଳପ ଅପରାଧେ ତୁହି । ଏ କର୍ମ କଲୁ କିସ ପାଇଁ ॥ ୧୪୭
ସେ ଭାଗବତ ପୁଣ୍ୟଦେହୀ । ଏ ଶାପ ତାକୁ ନ ଯୋଗାଇ ॥ ୧୪୮
ଅହୋ ଆଶ୍ଚର୍ଯ୍ୟ ଦେଖ କଥା । ଶୁଣି ମୋ ମନେ ଗରୁ ବ୍ୟଥା ॥ ୧୪୯
ଅଳପ ଅପରାଧେ ଦେଖ । ଦୁର୍ବୁଦ୍ଧି ବିହିଲୁ ବାଳକ ॥ ୧୫୦
ଯାହାର ଭୁଜ ଆଶ୍ରେ କରି । ଧର୍ମ-ସମ୍ପଦ-ସୁଖ-ଶିରୀ ॥ ୧୫୧
ପ୍ରଜାଏ ସୁଖେଣ ଭୁଞ୍ଜନ୍ତି । ସେ କି କାହାରେ ଦ୍ରୋହ ଚିନ୍ତି ॥ ୧୫୨
ବିଷ୍ଣୁର ଅଂଶ ନରପତି । କେ ଅଛି ତାରେ ଦ୍ରୋହ ଚିନ୍ତି ॥ ୧୫୩
ଏବେ ରାଜାର ଅନ୍ତେ ମହୀ । ଚଉର୍ଯ୍ୟ ବଳଦର୍ପ ବହି ॥ ୧୫୪
ଅରକ୍ଷ ମେଷଯୂଥ ପ୍ରାୟେ । ଲୋକ ନଶିବେ ଚୋରଭୟେ ॥ ୧୫୫
ଧନ ହରିବେ ଅନ୍ୟୋଅନ୍ୟେ । ପ୍ରଜା ପଶିବେ ଘୋରବନେ ॥ ୧୫୬
ନିର୍ଭୟେ ପଶୁଙ୍କୁ ହିଂସିବେ । ପର ରମଣୀ ନ ମାନିବେ ॥ ୧୫୭
ଅନାଥ ହୋଇବ ସଂସାର । ସେ ପାପ ହୋଇବ ଆମ୍ଭର ॥ ୧୫୮
ଧର୍ମ ଛାଡ଼ିବ ଚାରିପାଦେ । ଯେବା ବିହିତ ଅଛି ବେଦେ ॥ ୧୫୯
ବର୍ଣ୍ଣ ଆଶ୍ରମ ଯେ ଆଚାର । ଏ ତିନିଧର୍ମ ଯେ ବେଦର ॥ ୧୬୦
ସେ ଧର୍ମ ତେଜି ଅଭ୍ୟନ୍ତରେ । ପଶିବେ ଅଧର୍ମ ବେଭାରେ ॥ ୧୬୧
ସର୍ବେ ବୁଡ଼ିବେ ଅର୍ଥକାମେ । ବଞ୍ଚିବେ ଶ୍ୱାନ କପି ଧର୍ମେ ॥ ୧୬୨
ଏ ଧର୍ମପାଳ ନରପତି । ସୁକୃତବନ୍ତ ଚକ୍ରବର୍ତ୍ତୀ ॥ ୧୬୩
ସାକ୍ଷାତେ ମହାଭାଗବତ । ସେ ରାଜଋଷି ପରୀକ୍ଷିତ ॥ ୧୬୪
କଲା ଯେ ତିନି ଅଶ୍ୱମେଧି । ଆଗମ ନିଗମ ପ୍ରସିଦ୍ଧି ॥ ୧୬୫
କ୍ଷୁଧା ତୃଷାରେ ବୁଲି ବନେ । ମିଳିଲା ମୋହର ଆଶ୍ରମେ ॥ ୧୬୬
ତାହାଙ୍କୁ ଶାନ୍ତି ତୁ ନ କଲୁ । ବିଶେଷେ ଘୋରଶାପ ଦେଲୁ ॥ ୧୬୭
ସେ ଆମ୍ଭ ଶାପ୍ୟେ ଯୋଗ୍ୟ ନୋହେ । ଅଶେଷ ଧର୍ମେ ଦେହ ବହେ ॥ ୧୬୮
ଏମନ୍ତେ କୃଷ୍ଣ ମନେ ଧ୍ୟାୟି । ବ୍ରାହ୍ମଣ ବୋଲେ ତ୍ରାହି ତ୍ରାହି ॥ ୧୬୯
ନିଷ୍ପାପ ଭୃତ୍ୟକୁ ଏ ବଳେ । ଦ୍ରୋହ ଚିନ୍ତିଲା ମହୀତଳେ ॥ ୧୭୦
ଅଳପ ବୁଦ୍ଧି ଏ ବାଳକ । ଏହାର ମନେ କଲା ଦୁଃଖ ॥ ୧୭୧
ଭୋ ନାଥ କରୁଣାସାଗର । ବାଳକ ଦୋଷ କ୍ଷମାକର ॥ ୧୭୨
ନିନ୍ଦା କପଟ ଅବଜ୍ଞାନ । ଶାପ ତାଡ଼ନ ଆଦି ମାନ ॥ ୧୭୩
କଲା ପ୍ରାଣୀଙ୍କି ପ୍ରତିକୃତ । ନ କରେ ଯେ ତୋର ଭକତ ॥ ୧୭୪
ତୋହର ଭକତ ଯେ ଜନ । କୋପ ନ ବସେ ତାର ମନ ॥ ୧୭୫
ପ୍ରାଣୀଙ୍କ ଅପରାଧ ସହେ । ତୋହର ଭାବେ ଚିତ୍ତବହେ ॥ ୧୭୬
ଅତି ଅନ୍ୟାୟ କର୍ମ ମୋର । ମୁଁ କର୍ମହୀନ ଦୁରାଚାର ॥ ୧୭୭
ନିରପରାଧେ ଦ୍ରୋହ ଚିନ୍ତି । ଏ ମୋର ଚିତ୍ତେ ଗରୁଭ୍ରାନ୍ତି ॥ ୧୭୮
ଦେବହେଳନ କର୍ମ ମୋର । ନିଶ୍ଚେ ଲଭିଲି ଦାମୋଦର ॥ ୧୭୯
ଦୁଃଖ ମୁଁ ଲଭିବି ନିକଟେ । ଏ ଘୋର-ସଂସାର-ସଙ୍କଟେ ॥ ୧୮୦
ଏମନ୍ତେ ପୁତ୍ର ଅପରାଧେ । ମହତ ଶାପ ଅପବାଦେ ॥ ୧୮୧
ଅନୁତାପିତ ବିପ୍ରବର । ବୋଲେ ଗୋବିନ୍ଦ ରକ୍ଷାକର ॥ ୧୮୨
ରାଜା ଯେ ଅପରାଧ କଲା । ସେ କଥା ଚିତ୍ତେ ନଘେନିଲା ॥ ୧୮୩
ଏ ନରଲୋକେ ସାଧୁ ଯେତେ । କୋପ ନ ବଶେ ତାଙ୍କ ଚିତ୍ତେ ॥ ୧୮୪
ପ୍ରାଣୀଙ୍କ ଦୋଷ ନ ଘେନନ୍ତି । ସ୍ତୁତିରେ ହରଷ ନୁହନ୍ତି ॥ ୧୮୫
ପରଦୁଃଖରେ ଦୁଃଖୀ ହୋନ୍ତି । ସମଦୃଷ୍ଟିରେ ଆତ୍ମା ଚିନ୍ତି ॥ ୧୮୬
ସେ ସାଧୁଜନଙ୍କର କଥା । କେବେହେଁ ନୁହଇ ଅନ୍ୟଥା ॥ ୧୮୭
ବୋଲଇ ଦାସ ଜଗନ୍ନାଥ । ଭାଷାପ୍ରବନ୍ଧେ ଭାଗବତ ॥ ୧୮୮
ସୁଜନଜନଙ୍କର ହିତେ । ଯେବା ପ୍ରକାଶ ମୋର ଚିତ୍ତେ ॥ ୧୮୯
ସୁଜନେ ନ ଘେନିବ ଦୋଷ । ମୁଁ ତୁମ୍ଭ ଦାସଙ୍କର ଦାସ ॥ ୧୯୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପ୍ରଥମସ୍କନ୍ଧେ ବିପ୍ରଶାପୋପଲମ୍ଭନଂ ନାମ ଅଷ୍ଟାଦଶୋଽଧ୍ୟାୟଃ ।।
* * *