ପ୍ରଥମ ସ୍କନ୍ଧ

ସପ୍ତଦଶ ଅଧ୍ୟାୟ

ସୂତ ଉବାଚ

ଏବେ ହୋ ଶୁଣ ମୁନିଜନେ । ହରି ଚରିତ ଶୁଦ୍ଧମନେ ॥

ସେ ପ୍ରାଚୀ ସରସ୍ୱତୀ କୂଳେ । ପ୍ରବେଶ ଚତୁରଙ୍ଗ ବଳେ ॥

ସେ ରାଜଋଷି ପରୀକ୍ଷିତ । ତେଜେ କି ବିରାଜେ ଆଦିତ୍ୟ ॥

ତକ୍ଷଣେ ସରସ୍ୱତୀ କୂଳେ । ମିଳିଲେ ଗୋ-ମିଥୁନ ମେଳେ ॥

ଦେଖିଲେ ରାଜରୂପଧାରୀ । ଲୁହାର ଯଷ୍ଟି କରେ ଧରି ॥

ସ୍ୱଭାବେ ଶୂଦ୍ର ତାର ଦେହୀ । ନଟର ପ୍ରାୟ ସଜ ହୋଇ ॥

ସର୍ପର ପ୍ରାୟେ ଘୋରନାଦେ । ଦଣ୍ତ ପ୍ରହାରେ ବୃଷ ପାଦେ ॥

ସ୍ୱଭାବେ ଏକଇ ଚରଣ । ପ୍ରହାର କରେ ପୁଣା ପୁଣ ॥

ତାର ପ୍ରହାରେ ସେ ବିକଳ । ଲୋଚନୁ ବହେ ଅଶ୍ରୁଜଳ ॥

କମ୍ପଇ ମହାଭୟେ ଦେହୀ । ମୂତ୍ର ପୁରୀଷ ଉତ୍ସର୍ଗଇ ॥ ୧୦

ତାର ପ୍ରହାରେ ଧେନୁ କାନ୍ଦେ । ସ୍ଥିର ନ ରହେ ଚାରିପାଦେ ॥ ୧୧

ପାଦେ ପ୍ରହାରେ ଧେନୁ ପୁଣ । ଲୁଟଇ ଚତୁର ଚରଣ ॥ ୧୨

ବତ୍ସା ବିହୀନ କୃଶଦେହୀ । କ୍ଷୁଧାେର୍ ଭୋଜନ ଇଚ୍ଛଇ ॥ ୧୩

ତାର ନିକଟେ ରଥେ ଥାଇ । ରାଜନ ଅଳଙ୍କୃତ ଦେହୀ ॥ ୧୪

ବାର ଆରୋପି ଧନୁର୍ଗୁଣେ । ଗଭୀର କୋମଳ ବଚନେ ॥ ୧୫

ଅନାଇଁ ବୃଷଭ ବଦନ । ପୁଚ୍ଛଇ ପ୍ରହାର କାରଣ ॥ ୧୬

ସେ ଦୁଷ୍ଟ ପୁରୁଷକୁ ଚାହିଁ । ରାଜନ କହେ ରୋଷବହି ॥ ୧୭

ରାଜା ଉବାଚ

କହ ଏ କେବଣ କାରଣ । କିମ୍ପାଇ କରୁ ପ୍ରହାରଣ ॥ ୧୮

କାହୁଁ ଅଇଲୁ ତୁ ପୁରୁଷ । କହ ତୋହର ନାମ କିସ ॥ ୧୯

ମୋର ଶରଣ ନରଲୋକ । ଏହାକୁ କରୁ ତୁ ନିରେଖ ॥ ୨୦

ନିର୍ବଳ ପ୍ରାଣୀଙ୍କି ତୁ ବଳେ । ପ୍ରହାରୁ ବଳିଆର ଛଳେ ॥ ୨୧

ବେଶେ ତୁ ରାଜରୂପ ବହୁ । ନଟର ପ୍ରାୟ ଦ୍ୱିଜ ନୋହୁ ॥ ୨୨

କହ ଏ କେବଣ କାରଣ । ଦେଖ ମୋ କରେ ଧନୁର୍ବାଣ ॥ ୨୩

ଦେଖ ଅର୍ଜୁନ ସଙ୍ଗେ କରି । ନିଜ ଭୁବନେ ଗଲେ ହରି ॥ ୨୪

ସେ ତ ସ୍ୱଭାବେ ଅରକ୍ଷିତ । ପ୍ରାଣୀଙ୍କି କିମ୍ପା କରୁ ହତ ॥ ୨୫

ପ୍ରାଣୀ ସଂହରୁ ଅବହେଳେ । କାଳ ତୋ ପୂରିଲା ନିଶ୍ଚଳେ ॥ ୨୬

ପୁଣି ବୃଷଭ ମୁଖ ଚାହିଁ । ସମ୍ଭ୍ରମ ଚିତ୍ତେ ପଚାରଇ ॥ ୨୭

ତୁ ବୃଷ ମୃଣାଳ ଧବଳ । ଏକଇ ପାଦେ ତୁମ୍ଭେ ଚଳ ॥ ୨୮

ତିନି ଚରଣ ତୋର ଥିଲା । କହ କି ହେତୁ କେଣେ ଗଲା ॥ ୨୯

କେଉଁ ଦେବତା କହ ତୁହି । ମାୟାରେ ବୃଷରୂପ ହୋଇ ॥ ୩୦

ଏ କଥା ମୋତେ ବଡ଼ ଗରୁ । ମୋହର ମନେ ଖେଦ କରୁ ॥ ୩୧

ଦେଖ କୌରବ ବଂଶଭୁଜେ । ପ୍ରଜା ରକ୍ଷିତ ମୋର ରାଜ୍ୟେ ॥ ୩୨

ପ୍ରାଣୀ ଲୋଚନୁ ଅଶ୍ରୁଜଳ । ତୋ ବିନୁ ନ ପଡ଼ଇ ତଳ ॥ ୩୩

ପୁଣି ସୁରଭୀ ମୁଖ ଚାହିଁ । ଆଶ୍ୱାସ ବାକ୍ୟେ ପଚାରଇ ॥ ୩୪

ତୁ ଧେନୁ କାନ୍ଦୁ କାହିଁପାଇଁ । ବୃଷଭ ଭୟ ତୋର ନାହିଁ ॥ ୩୫

ଭୋ ମାତ ରୋଦନ ନ କର । ମୁହିଁ ଖଳଙ୍କ ଦର୍ପହର ॥ ୩୬

ମୁହିଁ ପାଳକ ଅଛି ଯହିଁ । ମୋର ପ୍ରଜାଙ୍କୁ ଦୁଃଖ କାହିଁ ॥ ୩୭

ଯାହାର ରାଜ୍ୟେ ପ୍ରଜାକୁଳେ । ହିଂସା କରନ୍ତି ଦୁଷ୍ଟଖଳେ ॥ ୩୮

ତା ଯେବେ ରାଜା ନ ଶୁଣଇ । ତାର ଆୟୁଷ ଯଶ କାହିଁ ॥ ୩୯

ନାଶଇ ଇହ ପରଲୋକ । ଅନ୍ତେ ସେ ପଡ଼ଇ ନରକ ॥ ୪୦

ରାଜପଣର ଧର୍ମ ଏହି । ନିଶ୍ଚିନ୍ତେ ପ୍ରଜା ଯେ ପାଳଇ ॥ ୪୧

ଏଣୁ ଏହାକୁ ବଧ କରି । ଧର୍ମେ ଅଧର୍ମ ଦୂର କରି ॥ ୪୨

ପ୍ରଜାରକ୍ଷଣେ ଏ କାରଣ । ଏବେ ହୋ ବୃଷଭ ତୁ ଶୁଣ ॥ ୪୩

ତୋର ଚତୁରପାଦ ଥିଲା । ତିନିଚରଣ କେଣେ ଗଲା ॥ ୪୪

କୃଷ୍ଣସେବକ ରାଜ୍ୟେ କେହି । ତୋ ପରି ଦୁଃଖଚିତ୍ତେ ନାହିଁ ॥ ୪୫

କୃଷ୍ଣାନୁବ୍ରତୀ ରାଜା ଯେତେ । ତାହାଙ୍କ ରିପୁ ଏ ଜଗତେ ॥ ୪୬

ଧର୍ମ ନାଶନ୍ତି ମହୀତଳେ । ଯେ ସାଧୁ ହିଂସେ ଅବହେଳେ ॥ ୪୭

ତୋହର ବିରୂପ ଚରଣ । ପାଣ୍ତବବଂଶେ ଏ ଦୂଷଣ ॥ ୪୮

ନିର୍ଦ୍ଦୋଷ ପ୍ରାଣୀଙ୍କି ଯେ ହିଂସେ । ସେ ଅପରାଧେ ଆତ୍ମା ନାଶେ ॥ ୪୯

ତାହା ତୁ କହ ମୋ ଆଗର । ମଙ୍ଗଳ କରିବି ତୁମ୍ଭର ॥ ୫୦

ସଂସାରେ ପାପୀଜନଙ୍କର । ମୋ ଭୟେ ହୃଦୟ କାତର ॥ ୫୧

ସାଧୁଙ୍କ ମଙ୍ଗଳ ନିମନ୍ତେ । ଅସାଧୁଗଣ ନାଶ ଅର୍ଥେ ॥ ୫୨

ଏଣୁ ଏ ଲୋକେ ଅପଯଶ । ଯେ କରେ ହୋଇ ନିରଙ୍କୁଶ ॥ ୫୩

ମୁହିଁ ତାହାର ଭୁଜ ଦୁଇ । ଛେଦିବି ଯେବେ ଦେବ ହୋଇ ॥ ୫୪

ରାଜା ପରମଧର୍ମ ଏହି । ସ୍ୱଧର୍ମେ ପ୍ରଜାଙ୍କୁ ପାଳଇ ॥ ୫୫

ସ୍ୱଧର୍ମେ ପାଳେ ବସୁନ୍ଧରୀ । ଖଳ ଚଉର୍ଯ୍ୟଙ୍କୁ ନିବାରି ॥ ୫୬

ଯେ ଚାରିବର୍ଣ୍ଣ ଏ ଜଗତେ । ସ୍ୱଧର୍ମ ଛାଡ଼ି ଅନ୍ୟପଥେ ॥ ୫୭

ତାହାଙ୍କ ଗର୍ବ ଯେବେ ହରେ । ସେ ରାଜଧର୍ମ ରାଜ୍ୟ କରେ ॥ ୫୮

ରାଜାର ବାକ୍ୟ ଶୁଣି ତୋଷେ । ସେ ଧର୍ମ କହନ୍ତି ହରଷେ ॥ ୫୯

ଧର୍ମ ଉବାଚ

ପାଣ୍ତବବଂଶେ ଏ ବେଭାର । ଆରତ ପ୍ରାଣୀ ଭୟ ହର ॥ ୬୦

ଯାହାର ପୁଣ୍ୟଗୁଣେ ହରି । ସାରଥି ଦୂତପଣ କରି ॥ ୬୧

ଶୁଣ ହୋ ପୁରୁଷ-ଉତ୍ତମ । ଯାହାର ଯେବା ନିଜଧର୍ମ ॥ ୬୨

ପ୍ରାଣୀଙ୍କ କ୍ଳେଶବୀଜ ଯେତେ । ପ୍ରକାଶ ନୋହେ ମୋର ଚିତ୍ତେ ॥ ୬୩

ଯେ ବାକ୍ୟଭେଦ ବିମୋହନ । ତାକୁ ନ ଜାଣେ ତେଣୁ ଜନ ॥ ୬୪

କେ ଆତ୍ମଜ୍ଞାନେ ଆତ୍ମା ଧରେ । ଆତ୍ମାର ବିକଳ୍ପ ବିଚାରେ ॥ ୬୫

କେ ବୋଲେ ଦୈବ ବଳୀୟାର । କେ ବୋଲେ କର୍ମର ଏ ଫଳ ॥ ୬୬

କେ ବୋଲେ ସ୍ୱଭାବ ଏହାର । ବ୍ରହ୍ମାଶଙ୍କରେ ଅଗୋଚର ॥ ୬୭

ତର୍କି ନ ପାରି ଯାହା ମନେ । କେ ତାହା କହିବ ବଚନେ ॥ ୬୮

ଏ ଆଦି ଯେ ବିଧି ବୃତ୍ତାନ୍ତ । ତୁ ରାଜା ଏହା ମନେ ଚିନ୍ତ ॥ ୬୯

ସୂତ ଉବାଚ

ଏମନ୍ତେ ଧର୍ମମୁଖୁ ବାଣୀ । ସେ ରାଜା ସାବଧାନେ ଶୁଣି ॥ ୭୦

ମନରୁ ଖେଦ ଦୂର କଲା । ସ୍ୱରୂପେ ଧର୍ମକୁ ଦେଖିଲା ॥ ୭୧

ଦେହେ ଉତ୍ତରୀ ଅକ୍ଷମାଳ । କଟୀରେ ଅଜିନ ଦୁକୂଳ ॥ ୭୨

ଲମ୍ବ ସୁନ୍ଦର ଚାରିକର । ଶିରେ ଶୋଭିତ ଜଟାଭାର ॥ ୭୩

ତନୁ ଶଶାଙ୍କ-ବପୁ ଗଞ୍ଜେ । ଶ୍ରୀବତ୍ସ ଚିହ୍ନ ହୃଦେ ସାଜେ ॥ ୭୪

ଯେସନେ ତଡ଼ିତ ତରାସ । ରାଜା ଦେଖିଲା ଏହୁ ବେଶ ॥ ୭୫

ରାଜାକୁ ସ୍ୱରୂପ ଦେଖାଇ । ସେ ବୃଷ ଏକପାଦେ ରହି ॥ ୭୬

ରାଜା ଦେଖିଲା ଧର୍ମ ରୂପ । ଚିତ୍ତେ ପ୍ରକାଶେ ଜ୍ଞାନଦୀପ ॥ ୭୭

କପୋଳେ ଦେଇ ବେନିକର । ଧର୍ମକୁ ବୋଲେ ନୃପବର ॥ ୭୮

ରାଜା ଉବାଚ

ତୁ ଧର୍ମ ଧର୍ମକଥା କହୁ । ଛଳେ ବୃଷଭ ରୂପ ବହୁ ॥ ୭୯

ଅଧର୍ମ କର୍ମ ଯେ କରଇ । ଯେ ଅବା ତାହା ପ୍ରକାଶଇ ॥ ୮୦

ନରକେ ଗତି ଦୁହିଙ୍କର । ଏ ରୂପେ ଶାସ୍ତ୍ରର ବିଚାର ॥ ୮୧

କିବା ଏ ଦେବମାୟା ଗତି । କେ ଜାଣି ବାରେ ଚିତ୍ତେ ଚିନ୍ତି ॥ ୮୨

ମନ ବଚନେ ଅଗୋଚର । ନିଶ୍ଚୟ ବିଚାର ପ୍ରାଣୀର ॥ ୮୩

ତୋହର ଚତୁର ଚରଣ । ପ୍ରଥମ ଯୁଗେ ଆଚରଣ ॥ ୮୪

ତପ ଶଉଚ ଦୟା ସତ୍ୟ । ଏ ଯୁଗ ଅନୁରୂପେ କୃତ୍ୟ ॥ ୮୫

ସତ୍ୟର ସଙ୍ଗେ ତପ ଗଲା । ଶଉଚ ତ୍ରେତୟା ହରିଲା ॥ ୮୬

ଦ୍ୱାପର ଗଲା ଦୟା ସଙ୍ଗେ । ସତ୍ୟ ରହିଲା କଳିଯୁଗେ ॥ ୮୭

ତପକୁ ଗର୍ବ ନାଶ କଲା । ଶଉଚ ସଙ୍ଗ ସଂହାରିଲା ॥ ୮୮

ଦୟା ହରିଲା ମଦ ବଳେ । ସତ୍ୟ ଯେ ରହିଲା ନିଶ୍ଚଳେ ॥ ୮୯

ଯେ ସତ୍ୟବଳେ ପ୍ରାଣୀ ତୋତେ । ସାଧନ୍ତି କର୍ମ ନାନାମତେ ॥ ୯୦

ଏବେ ଯେ ଅଛି ଏକପାଦ । ଏ କଳି ତାହାକୁ ଆପଦ ॥ ୯୧

ଚିନ୍ତଇ ମିଥ୍ୟା ଅଧର୍ମରେ । ଏ କିମ୍ପା ମୋର ଅଧିକାରେ ॥ ୯୨

କଠୋର ସତ୍ୟ ଯେ ପାଳିବ । ସେ ପ୍ରାଣୀ କୃଷ୍ଣଙ୍କୁ ପାଇବ ॥ ୯୩

ଏ ସତ୍ୟଭାବୁଁ ସତ୍ୟଯୁଗ । ଏ କଳି ଅନ୍ତେ ପ୍ରକାଶିବ ॥ ୯୪

ଏ ଭୂମି ଭାରାଭର ହରି । ଶ୍ରୀକୃଷ୍ଣ ଗଲେ ଅପସରି ॥ ୯୫

କୃଷ୍ଣର ପାଦପଦ୍ମ ଚିହ୍ନ । ମଣି କୁଣ୍ତଳ ଶୋଭାବନ ॥ ୯୬

ପବିତ୍ର ସୁନ୍ଦର ଶରୀର । ଦେଖି ସାନନ୍ଦ ସୁରନର ॥ ୯୭

ସେ ହରି ଛାଡ଼ିଗଲା ଯେବେ । ଦେଖ ଏହାର ଦୁଃଖ ଏବେ ॥ ୯୮

ଦୁର୍ଭଗା ପ୍ରାୟେ ଅଶ୍ରୁମୁଖୀ । କାନ୍ଦଇ ଅତି ଦୁଃଖେ ଦୁଃଖୀ ॥ ୯୯

ପାପିଷ୍ଠ ଶୂଦ୍ରରାଜା ଯେତେ । ସର୍ବେ ଭୁଞ୍ଜିବେ ମିଳି ମୋତେ ॥ ୧୦୦

ଏମନ୍ତେ ଧର୍ମ ବସୁନ୍ଧରୀ । ବାକ୍ୟ ପ୍ରବନ୍ଧେ ବୋଧ କରି ॥ ୧୦୧

ତୀକ୍ଷ୍ଣ ଖଡ଼ଗ ଧରି ହସ୍ତେ । ମିଳିଲା କଳିର ଅଗ୍ରତେ ॥ ୧୦୨

ଅଧର୍ମ ହେତୁ ବଳେ ମାରି । ମୁହିଁ ପାଳିବି ବସୁନ୍ଧରୀ ॥ ୧୦୩

କଳି ଦେଖିଣ ତା ବଦନ । ଛାଡ଼ିଲା ନୃପତି ଲାଞ୍ଛନ ॥ ୧୦୪

ପ୍ରାଣ କାତରେ ଉଦବେଗେ । ପଡ଼ିଲା ରାଜା ପାଦଯୁଗେ ॥ ୧୦୫

ସେ କଳି ଜୀବନ ବିକଳେ । ପାଦେ ପଡ଼ିଲା ଯେତେବେଳେ ॥ ୧୦୬

ଦେଖିଣ କଳିର ବିକଳ । ସ୍ୱଭାବେ ମେଦିନୀ ବତ୍ସଳ ॥ ୧୦୭

ତାର ବିକଳ ମୁଖ ଦେଖି । ଖଡ଼ଗ ଭୁଜ ଉର୍ଦ୍ଧ୍ଵେ ରଖି ॥ ୧୦୮

ଛେଦନ ନ କରି ତା ଶିର । ହସି ବୋଲନ୍ତି ନୃପବର ॥ ୧୦୯

ରାଜା ଉବାଚ

ତୁ ଯେ ଅଞ୍ଜଳି ଶିରେ ଧରି । ପାଦେ ପଡ଼ିଲୁ ଭୟ କରି ॥ ୧୧୦

ଅର୍ଜୁନବଂଶେ ଜାତ ଯାର । ତାହାକୁ ଭୟ ନାହିଁ ତୋର ॥ ୧୧୧

ଅଧର୍ମବନ୍ଧୁ ତୁ ସ୍ୱଭାବେ । ମୋର ବଚନ ଶୁଣ ଏବେ ॥ ୧୧୨

ମୋହର କ୍ଷେତ୍ରେ ନ ପଶିବୁ । ଯେବେ ତୁ ଜୀବନେ ବଞ୍ଚିବୁ ॥ ୧୧୩

ତୁ କେହ୍ନେ ଥିବୁ ରାଜଘରେ । ଅଧର୍ମ ଯୂଥ ତୋ ସଙ୍ଗରେ ॥ ୧୧୪

ଲୋଭ ଅସତ୍ୟ ଚୌର୍ଯ୍ୟକର୍ମ । ଏ ଆଦି ଅଶେଷ ଅଧର୍ମ ॥ ୧୧୫

ଦୁର୍ଜନ ଆଚରଣ ଅହଂ । ମାୟା କଳହ ଦମ୍ଭ ମୋହ ॥ ୧୧୬

ତୋହର ସଙ୍ଗେ ଥାନ୍ତି ଏତେ । ମୋ ଦେଶେ ଥିବୁ ତୁ କେମନ୍ତେ ॥ ୧୧୭

ଯେ ପ୍ରାଣୀ ଥିବେ ସତ୍ୟଧର୍ମେ । ତହିଁ ତୁ ନ ପଶିବୁ ଭ୍ରମେ ॥ ୧୧୮

ଏ ବ୍ରହ୍ମାବର୍ତ୍ତେ ଯେତେ ଜନ । ବ୍ରାହ୍ମଣ ଆଦି ଚାରିବର୍ଣ୍ଣ ॥ ୧୧୯

ଆଗମ ନିଗମ ପ୍ରମାଣେ । ଯଜ୍ଞ ସମ୍ପାଦି ଯେ ବ୍ରାହ୍ମଣେ ॥ ୧୨୦

ହରିଚରଣେ ପୂଜା କରି । ଯେଣେ ସନ୍ତୋଷ ନରହରି ॥ ୧୨୧

ସ୍ଥାବର ଆଦି ଚାରିଦେହେ । ବାହ୍ୟ ଅନ୍ତରେ ବ୍ୟାପିରହେ ॥ ୧୨୨

ଯେହ୍ନେ ପବନ ଏ ଶରୀରେ । ବହଇ ଅନ୍ତର ବାହାରେ ॥ ୧୨୩

ସେ ହରିପୂଜା କରି ଯହିଁ । ତହିଁ ପ୍ରବେଶ ତୋର ନାହିଁ ॥ ୧୨୪

ଏ ଧର୍ମ ମୋହର ପ୍ରମାଣ । ଏଥକୁ ସାକ୍ଷ ନାରାୟଣ ॥ ୧୨୫

ସୂତ ଉବାଚ

ଶୁଣି ସେ ରାଜାର ଉତ୍ତର । କଳି କମ୍ପଇ ଥରହର ॥ ୧୨୬

ଉଚ୍ଚେ ଉଞ୍ଚାଇ ଅସିବର । ଯେହ୍ନେ କୁପିତ ଦଣ୍ତଧର ॥ ୧୨୭

ସେ ରାଜା ମୁଖ କଳି ଚାହିଁ । ବୋଲଇ ଶିରେ କର ଦେଇ ॥ ୧୨୮

କଳି ଉବାଚ

ଭୋ ରାଜା ତୋହର ଚରଣେ । ଥିବି ତୋ ଆଜ୍ଞା ପରମାଣେ ॥ ୧୨୯

ତୋତେ ଦେଖଇ ମୋର ପଛେ । ଖଡ଼ଗ ହସ୍ତେ ତୁ ପ୍ରତ୍ୟକ୍ଷେ ॥ ୧୩୦

ତୁ ଧର୍ମପ୍ରାଣୀଙ୍କର ସାର । ବିଚାରି ମୋତେ ସ୍ଥାନ କର ॥ ୧୩୧

ଯହିଁ ନିଶ୍ଚିନ୍ତେ ଥିବି ମୁହିଁ । ତୋହର ଆଜ୍ଞା ଶିରେ ବହି ॥ ୧୩୨

ସୂତ କହନ୍ତି ଶୁଦ୍ଧମନେ । ଶୁଣ ସକଳ ମୁନିଜନେ ॥ ୧୩୩

ସୂତ ଉବାଚ

କଳି ବଚନ ଶୁଣି ହସି । ସନ୍ତୋଷ ଚିତ୍ତେ ରାଜଋଷି ॥ ୧୩୪

ଚାରି ପ୍ରକାରେ ସ୍ଥାନ ଦେଲା । ନିତ୍ୟେ ଅଧର୍ମ ଯହିଁ ମେଳା ॥ ୧୩୫

ଦ୍ୟୂତ କାମିନୀ ମଦ୍ୟପାନ । ପ୍ରାଣୀ ମାରଣ ଯେବା ସ୍ଥାନ ॥ ୧୩୬

ପୁଣି ବୋଲଇ କଳିଯୁଗ । ମୋର ଏ ସ୍ଥାନ ଚାରିଭାଗ ॥ ୧୩୭

ଯହିଁ ମୁଁ ଥିବି ନିରନ୍ତରେ । ପଞ୍ଚମଭାଗ ଦିଅ ମୋରେ ॥ ୧୩୮

କଳିର ବାକ୍ୟ ଭାଳି ଚିତ୍ତେ । ସୁବର୍ଣ୍ଣ ଦେଲା ତାର ହସ୍ତେ ॥ ୧୩୯

ଏ ପଞ୍ଚସ୍ଥାନ ପଞ୍ଚଗୁଣ । ବ୍ରାହ୍ମଣେ ସାବଧାନେ ଶୁଣ ॥ ୧୪୦

ମିଥ୍ୟା ବସଇ ଦ୍ୟୂତ ମଧ୍ୟେ । କାମ କାମିନୀ ମଦ ମଧ୍ୟେ ॥ ୧୪୧

ପ୍ରାଣୀ ମାରଣେ ରଜୋଗୁଣ । ସୁବର୍ଣ୍ଣ ମଧ୍ୟେ ରିପୁଗଣ ॥ ୧୪୨

ଏ ପଞ୍ଚସ୍ଥାନ ତାରେ ଦେଲା । ଯହିଁ ଅଧର୍ମ ସଙ୍ଗମେଳା ॥ ୧୪୩

ପ୍ରମାଣି ଅଭିମନ୍ୟୁବଳା । କଳିଯୁଗକୁ ସ୍ଥାନ ଦେଲା ॥ ୧୪୪

ତକ୍ଷଣେ ରାଜାର ବଚନେ । କଳି ବସିଲା ପଞ୍ଚସ୍ଥାନେ ॥ ୧୪୫

ଏଣୁ ଏମାନଙ୍କୁ ସେବନ । ନ କରେ ବିଜ୍ଞ ଯେଉଁ ଜନ ॥ ୧୪୬

ସେ ଧର୍ମଶୀଳ ଯେହ୍ନେ ମେରୁ । ସ୍ୱଭାବେ ଲୋକପତି ଗୁରୁ ॥ ୧୪୭

ତପ ଶଉଚ ଦୟା ତିନି । ବୃଷଭପାଦ ବୋଲି ମାନି ॥ ୧୪୮

ନିଜର ବିଷୟ ପାଳନେ । ବର୍ତ୍ତିଲା ଏ ଚାରି ଚରଣେ ॥ ୧୪୯

ଆଶ୍ୱାସ ବାକ୍ୟେ ମନ ହରି । ପୃଥ୍ୱୀକି ସମବୁଦ୍ଧି କରି ॥ ୧୫୦

ସ୍ୱଭାବେ ସ୍ୱଧର୍ମ ପାଳନେ । ରାଜାର ଉଚିତ ପ୍ରମାଣେ ॥ ୧୫୧

ଧର୍ମନନ୍ଦନ ଧରି ବୋଳେ । ତପେ ଅରଣ୍ୟେ ଯିବାବେଳେ ॥ ୧୫୨

ପରୀକ୍ଷେ ରାଜଶିକ୍ଷା ଦେଇ । ସ୍ୱର୍ଗେ ଚଳିଲେ ପାଞ୍ଚଭାଇ ॥ ୧୫୩

ସେହି ପ୍ରକାରେ ମନେ ଗୁଣି । ରହେ କୌରବ ଶିରୋମଣି ॥ ୧୫୪

ହସ୍ତିନାପୁରେ ରାଜନୀତି । ପ୍ରଜାପାଳନେ ଚକ୍ରବର୍ତ୍ତୀ ॥ ୧୫୫

ଏମନ୍ତେ ଅଭିମନ୍ୟୁସୁତ । ପ୍ରଜାପାଳନେ ସୁବିଦିତ ॥ ୧୫୬

ଯାହାର ରାଜ୍ୟେ ତୁମ୍ଭେ ଥାଇ । ହରି ଭଜୁଛ ଯଜ୍ଞେ ଦାହି ॥ ୧୫୭

ସେ ହରି ଚରଣେ ବିଶ୍ୱାସ । କହଇ ଜଗନ୍ନାଥ ଦାସ ॥ ୧୫୮

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ପ୍ରଥମସ୍କନ୍ଧେ କଳିନିଗ୍ରହୋ ନାମ ସପ୍ତଦଶୋଽଧ୍ୟାୟଃ ।।

* * *