ପ୍ରଥମ ସ୍କନ୍ଧ
ଷୋଡ଼ଶ ଅଧ୍ୟାୟ
ସୂତ କହନ୍ତି ଅନୁରାଗେ । ଆନନ୍ଦେ ମୁନିଙ୍କର ଆଗେ ॥ ୧
ସୂତ ଉବାଚ
ସ୍ୱଭାବେ ଅଭିମନ୍ୟୁସୁତ । ତେଜ-ବିକ୍ରମେ ପରୀକ୍ଷିତ ॥ ୨
ବ୍ରାହ୍ମଣବାକ୍ୟେ ଜନ୍ମକାଳେ । ସମ୍ଭବି ହସ୍ତିନା-ମଣ୍ତଳେ ॥ ୩
ରାଜ୍ୟ ଆବୋରି ମହାତେଜେ । ବିପ୍ରବଚନ ଗୁଣ ଭଜେ ॥ ୪
ବିରାଟସୁତ ସୁତା ଥିଲା । ସ୍ନେହେ ସେ ପରୀକ୍ଷିତେ ଦେଲା ॥ ୫
ଉତ୍ତରସୁତା ଭାଗ୍ୟବତୀ । ନାମ ତାହାର ଈରାବତୀ ॥ ୬
ତାହାର ଗର୍ଭେ ଚାରିସୁତ । ଧର୍ମେ ସମ୍ପାଦି ପରୀକ୍ଷିତ ॥ ୭
କୁମାର ଜନ୍ମଜୟ ଆଦି । ସକଳଗୁଣେ ସେ ପ୍ରସିଦ୍ଧି ॥ ୮
ଆନନ୍ଦେ ରାଜା ପରୀକ୍ଷିତ । ଯଜ୍ଞେ ବରିଲା ପୁରୋହିତ ॥ ୯
ଗଙ୍ଗାର ତୀରେ ବେଦସିଦ୍ଧ । ସାଧିଲା ତିନି ଅଶ୍ୱମେଧ ॥ ୧୦
ଦକ୍ଷିଣା ଦେଲା ମନଭରି । ଦିଗବିଜୟେ ବିଜେ କରି ॥ ୧୧
କଳିଯୁଗକୁ ଏକଦିନେ । ଦେଖିଲା ବେଳ ଅବସାନେ ॥ ୧୨
ସେ ଶୂଦ୍ରଜାତି ନୃପସଜେ । କାଷ୍ଠ ମୂଷଳ ଧରି ଭୁଜେ ॥ ୧୩
ଅଗ୍ରେ ଗୋମିଥୁନକୁ ଥୋଇ । ହୁଙ୍କାରେ ପାଦ ପ୍ରହାରଇ ॥ ୧୪
ତାହାକୁ ଦେଖି ନୃପମଣି । ତକ୍ଷଣେ ଭୁଜ ଧରି ଆଣି ॥ ୧୫
ବନ୍ଧନ କଲା ବାହୁବଳେ । ସେ ବୀର ଅବନୀ ମଣ୍ତଳେ ॥ ୧୬
ଏମନ୍ତେ ସୂତ ମୁଖୁ ଶୁଣି । ଶୌନକ ଆଦି ଯେତେ ମୁନି ॥ ୧୭
ଆନନ୍ଦେ ହୋଇ କୃତକୃତ୍ୟ । ବୋଲନ୍ତି ଶୁଣ ମୁନି ସୂତ ॥ ୧୮
ଶୌନକ ଉବାଚ
କେବଣ ହେତୁ ପରୀକ୍ଷିତ । ଦିଗବିଜୟେ ଉପଗତ ॥ ୧୯
କଳିକି ଧରି ବାହୁବଳେ । ବନ୍ଧନ କଲା କିମ୍ପା ଛଳେ ॥ ୨୦
ସ୍ୱଭାବେ ଶୂଦ୍ରରୂପ ଧରି । କପଟେ ନୃପବେଶ କରି ॥ ୨୧
ପାଦେ ପ୍ରହାରିଲା କାହାକୁ । ଭୋ ସୂତ କହିବା ଆମ୍ଭଙ୍କୁ ॥ ୨୨
ଯେ କୃଷ୍ଣକଥା ଶୁଭବାଣୀ । ଏଜୀବ ତରେ ଯାହା ଶୁଣି ॥ ୨୩
ଶରୀର ବହି ମୋହକଳ୍ପେ । କି ଲାଭ ଅସତ୍ୟ ଆଳାପେ ॥ ୨୪
ଆୟୁଷ ଦିନୁଦିନ ତୁଟେ । ଜଳ ଯେସନେ ଛିଦ୍ରଘଟେ ॥ ୨୫
କ୍ଷୁଦ୍ର ଆୟୁଷ ପ୍ରାଣୀଙ୍କର । ଅମୃତଦାତା ଚକ୍ରଧର ॥ ୨୬
ଯଜ୍ଞେ ପ୍ରାଣୀଙ୍କ ନାଶ ଅର୍ଥେ । ମୃତ୍ୟୁପୁରୁଷ ଏ ଜଗତେ ॥ ୨୭
ସେ ନୋହେ କାହାରି ଆୟତ୍ତ । କରଇ କ୍ଷଣେ କ୍ଷଣେ ଗ୍ରସ୍ତ ॥ ୨୮
ଯାବତ ଯମ ଏହିଠାରେ । ମୃତ୍ୟୁ ନୋହିବ ମର୍ତ୍ତ୍ୟପୁରେ ॥ ୨୯
ସେ ମୃତ୍ୟୁମୁଖୁ ନିସ୍ତାରଣ । କେବଳ ଶ୍ରୀକୃଷ୍ଣଶରଣ ॥ ୩୦
କୃଷ୍ଣ-ଭକତି-ସୁଧାପାନେ । ଅମୃତ-ପିହିତ-ବଚନେ ॥ ୩୧
ଦିନ ହରନ୍ତି ଦୁଃଖସୁଖେ । ତାହାଙ୍କୁ ନାରାୟଣ ରଖେ ॥ ୩୨
ସ୍ୱଭାବେ ମନ୍ଦବୁଦ୍ଧି ପ୍ରାଣୀ । ନିଜ ଆୟୁଷ ନ ପ୍ରମାଣି ॥ ୩୩
ନିରତେ ମନ୍ଦକର୍ମ କରେ । ତାର ଆୟୁଷ ଏ ସଂସାରେ ॥ ୩୪
ଅର୍ଦ୍ଧେ ହରଇ ନିଦ୍ରା ନିଶି । ଦିବସ ବ୍ୟର୍ଥକର୍ମେ ଗ୍ରାସି ॥ ୩୫
ଏମନ୍ତେ ମୁନିଙ୍କ ପ୍ରଶନେ । ସୂତ କହନ୍ତି ତୋଷମନେ ॥ ୩୬
ସୂତ ଉବାଚ
ସେ ରାଜଋଷି ଯେତେବେଳେ । ବସିଲେ ହସ୍ତିନା-ମଣ୍ତଳେ ॥ ୩୭
ବିଶେଷେ ଅର୍ଜୁନର ନାତି । ରାଜାଙ୍କ ମଧ୍ୟେ ଚକ୍ରବର୍ତ୍ତୀ ॥ ୩୮
କଳି-ପ୍ରବେଶ-କଥା ଶୁଣି । ଦିଗବିଜୟେ ନୃପମଣି ॥ ୩୯
ତାର ସଙ୍ଗତେ ନୃପବରେ । ସମର୍ଥ ନୁହନ୍ତି ସମରେ ॥ ୪୦
ଉତ୍ତମରଥ ସଜକରି । ରଥେ ଯୋଚିଲା ଅଶ୍ୱଚାରି ॥ ୪୧
ଶ୍ୟାମ ତୁରଙ୍ଗ ମନୋଜବ । କେ କହୁ ଅଶ୍ୱଙ୍କ ପ୍ରଭାବ ॥ ୪୨
ଅଶ୍ୱଭୂଷିତ ଅଳଙ୍କାର । ଯେହ୍ନେ ଉଦିତ ଦିବାକର ॥ ୪୩
ରଥ ଉପରେ ସିଂହଧ୍ୱଜ । ପୁରୁ ବାହାର ମହାରାଜ ॥ ୪୪
ଆବୃତ୍ତ ଚତୁରଙ୍ଗ ବଳେ । କେ ତାକୁ ସମ ମହୀତଳେ ॥ ୪୫
ଦିଗବିଜୟେ ବିଜେ କଲା । ଚାଲନ୍ତେ ଅବନୀ କମ୍ପିଲା ॥ ୪୬
ମିଳେ ଉତ୍ତର କୁରୁଦେଶେ । ସର୍ବ ନୃପତି ତାର ବଶେ ॥ ୪୭
ଭଦ୍ରାଶ୍ୱ କେତୁମାଳ ଜିଣି । ଭାରତବର୍ଷ ନୃପମଣି ॥ ୪୮
ବରଷ କିଂପୁରୁଷ ଆଦି । ଜିଣିଲା ସକଳ ସମ୍ପାଦି ॥ ୪୯
ସର୍ବ ନୃପତି ତା ଚରଣେ । ଧନେ ଖଟିଲେ ଦାସପଣେ ॥ ୫୦
କେତେହେଁ ଲୋକ ତାର ଆଗେ । କୃଷ୍ଣଚରିତ ନାନାରଙ୍ଗେ ॥ ୫୧
ଆତ୍ମାକୁ ରଖିଲେ ଯେମନ୍ତେ । ଦ୍ରୋଣକୁମର ଶସ୍ତ୍ରଘାତେ ॥ ୫୨
ବୃଷ୍ଣି ପାଣ୍ତବ ବନ୍ଧୁ ପଣେ । ଭକତି କୃଷ୍ଣ ଚରଣେ ॥ ୫୩
ପୂର୍ବୁପୁରୁଷଙ୍କର ବାଣୀ । ତୋଷ ତାହାଙ୍କ ମୁଖୁ ଶୁଣି ॥ ୫୪
ସନ୍ତୋଷ ହେଲେ ନୃପମଣି । ଉତ୍ତମ-ଧନ-ବସ୍ତ୍ର ଆଣି ॥ ୫୫
ତାହାଙ୍କୁ ଦେଲେ ପୁରସ୍କାର । ରତ୍ନ-କଙ୍କଣ-ମଣିହାର ॥ ୫୬
ପାଣ୍ତବ ତୁଲେ ଯେତେ ଭାବ । ସଂସାରେ ସାଧିଲେ ମାଧବ ॥ ୫୭
ରଣେ ସାରଥି ପଣେ ରଥେ । ଯେ ବନବାସ ଘୋରପଥେ ॥ ୫୮
ଦୁଃଖୁ ଉଦ୍ଧାରି ସଖାପଣେ । ହସ୍ତିନା ଗଲେ ଦୂତପଣେ ॥ ୫୯
ଆସନ ଶୟନ ଭୋଜନେ । ସ୍ମୃତିବଚନେ ବନ୍ଧୁପଣେ ॥ ୬୦
ଏ ଆଦି ଯେତେ କର୍ମକରି । ପାଣ୍ତବ ସଙ୍ଗତେ ବିହରି ॥ ୬୧
ସେ ଭାବଘେନି ଦୃଢ଼ଚିତ୍ତେ । ଭଜିଲା କୃଷ୍ଣ-ପାଦଗତେ ॥ ୬୨
ପୂର୍ବୁପୁରୁଷଙ୍କର ଧର୍ମ । ସାଧିଲା ଅନୁଦିନେ କର୍ମ ॥ ୬୩
ସେ ପୁଣି ନିଜ କର୍ମବଶେ । ଲଭିଲା ଅଳପ-ବୟସେ ॥ ୬୪
ତାର ଆଶ୍ଚର୍ଯ୍ୟକଥା ଯେତେ । ଶୁଣ ଶୌନକ ଶୁଦ୍ଧଚିତ୍ତେ ॥ ୬୫
ଧର୍ମ ଯେ ଏକପାଦ ବହି । ଦିନେ ସେ ବୃଷରୂପ ହୋଇ ॥ ୬୬
ଭୂମିକି ଦେଖି ଧେନୁରୂପେ । ବିଶ୍ୱାସେ ମିଳିଲା ସମୀପେ ॥ ୬୭
ସେ ଧେନୁ ଅତିଦୁଃଖେ ଦୁଃଖୀ । ଅଧୋବଦନେ ଅଶ୍ରୁମୁଖୀ ॥ ୬୮
କାନ୍ଦଇ ତେଜହୀନ ହୋଇ । ବତ୍ସା ବିହୁନେ ଯେହ୍ନେ ଗାଈ ॥ ୬୯
ତାର ବଦନ ଚାହିଁ ଧୀରେ । ଧର୍ମ ପୁଚ୍ଛଇ ପ୍ରିୟଭରେ ॥ ୭୦
ଭୋ ବସୁନ୍ଧରୀ ସତ୍ୟ କହ । ତୋର ବିଷୟେ ମୋ ସନ୍ଦେହ ॥ ୭୧
ତୋର ଶରୀରେ କିବା ବ୍ୟାଧି । ଅନ୍ତର-ବାହାରେ ଆଚ୍ଛାଦି ॥ ୭୨
ବିରସ ବଦନ ତୋହର । ଯେ ମୁଖ ସ୍ୱଭାବେ ସୁନ୍ଦର ॥ ୭୩
କିବା ତନୟ ତୋର ମଲା । ସ୍ୱାମୀ ବା ଦୂରେ ପ୍ରବାସିଲା ॥ ୭୪
କିବା ତୋହର ମନବ୍ୟଥା । କି ନଷ୍ଟଧନେ ତୋର ଚିନ୍ତା ॥ ୭୫
ଏକଇ ପାଦ ଦେଖି ମୋତେ । ଦୟା ବସିଲା ତୋର ଚିତ୍ତେ ॥ ୭୬
କିବା ଏ ଘୋର କଳିକାଳେ । ଶୂଦ୍ରେ ଭୁଞ୍ଜିବେ ତୋତେ ବଳେ ॥ ୭୭
କିବା ଦେବଙ୍କ ପ୍ରୀତି ଛଳେ । ଯଜ୍ଞ ନୋହିଲା ମହୀତଳେ ॥ ୭୮
ତେଣୁ ବା ଇନ୍ଦ୍ର ନ ବର୍ଷିଲେ । ଏଣୁ ବା ପ୍ରଜାନାଶ ଗଲେ ॥ ୭୯
କି ବା ପୁରୁଷେ ନିଜ ନାରୀ । ଉପେକ୍ଷି ପରଦାରା କରି ॥ ୮୦
କି ବା ବାଳକେ ପିତାମାତା । ଛାଡ଼ିବେ ତେଣୁ ତୋର ଚିନ୍ତା ॥ ୮୧
କି ବା ବ୍ରାହ୍ମଣେ ବେଦବାଣୀ । ସାଧିବେ ହୀନକୁଳେ ଆଣି ॥ ୮୨
କି ହୀନ କ୍ଷତ୍ରବନ୍ଧୁ ରାଜା । କଳି-ପୀଡ଼ିତ ଜନପ୍ରଜା ॥ ୮୩
ନିଜ ଭୁବନ ଛାଡ଼ି ଜନେ । ପଶିବେ ଦୁର୍ଗମ-ବିିପିନେ ॥ ୮୪
ପ୍ରାଣୀ ନ ମଣି ସ୍ଥାନାସ୍ଥାନ । ଆସନ ଶୟନ ଭୋଜନ ॥ ୮୫
କରିବେ ପରପାକେ ମତି । ପର ଯୁବତୀ ସଙ୍ଗେ ରତି ॥ ୮୬
କିବା ତୋହର ଗୁରୁଭାର । ଖଣ୍ତିଲା କୃଷ୍ଣ-ଅବତାର ॥ ୮୭
ତାର ଚରଣ ତୋ ଉପର । ଯେହ୍ନେ ଭୂଷିତ ଅଳଙ୍କାର ॥ ୮୮
ତାର ଚରିତ ଗୁଣଲୀଳା । କିବା ତୋ ମନ ସୁମରିଲା ॥ ୮୯
ତାର ବିଯୋଗେ ତୋର ଚିତ୍ତ । ଚିନ୍ତା-ସାଗରେ ମୋହଗତ ॥ ୯୦
ଏ ଆଦି ଯେତେ ଚିନ୍ତାଭାର । କହ ତୋ ବିମନ ବେଭାର ॥ ୯୧
ଦେବେ ପୂଜନ୍ତି ତୋତେ ଭଲେ । ଏବେ ଅବଜ୍ଞା କିବା କଲେ ॥ ୯୨
କାଳ ବା ତୋର ଶୁଭ ହରି । ଏଣୁ ଦିଶିଲୁ ହତଶିରୀ ॥ ୯୩
ଧର୍ମ ବୃଷଭ ବାକ୍ୟ ଶୁଣି । ଧରଣୀ କହେ ମନେ ଗୁଣି ॥ ୯୪
ଧରଣୀ ଉବାଚ
ଭୋ ବୃଷ ଯେତେ ପ୍ରଶ୍ନ ତୋର । ଏ ତୋତେ ନୋହେ ଅଗୋଚର ॥ ୯୫
ତୋହର ଚତୁର ଚରଣ । ପ୍ରାଣୀଙ୍କ ସୁଖର କାରଣ ॥ ୯୬
ସତ୍ୟ ଶଉଚ ଦୟା କ୍ଷାନ୍ତି । ତ୍ୟାଗ ସନ୍ତୋଷ ଋଜୁବୃତ୍ତି ॥ ୯୭
ତପ ସମତା ଶମ ଦମ । ତିତିକ୍ଷା ଇନ୍ଦ୍ରିୟ ସଂଯମ ॥ ୯୮
ଜ୍ଞାନ ବୈରାଗ୍ୟ ଅଇଶ୍ୱର୍ଯ୍ୟ । ସ୍ୱାତନ୍ତ୍ର୍ୟ ତେଜ ସ୍ମୃତି ଶୌର୍ଯ୍ୟ ॥ ୯୯
ଧୈର୍ଯ୍ୟ କୌଶଳ ମୃଦୁଭାବ । କାନ୍ତି ବାଗ୍ମିତା ସୁସ୍ୱଭାବ ॥ ୧୦୦
ବିନୟ ସହ ଓଜବଳ । ସ୍ଥୈର୍ଯ୍ୟ ଗାମ୍ଭୀର୍ଯ୍ୟ ଏ ସକଳ ॥ ୧୦୧
କୀର୍ତ୍ତି ମାନ ଅନହଙ୍କାର । ଏ ସର୍ବ ଯାହାର ଶରୀର ॥ ୧୦୨
ଏ ଆଦି ଅନ୍ୟ ଧର୍ମ ଯେତେ । କର୍ମ ସାଧନ ଏ ଜଗତେ ॥ ୧୦୩
ମହତଜନ ଆଚରଣ । ଆତ୍ମାର ପରମ କାରଣ ॥ ୧୦୪
ଏ ସର୍ବଗୁଣ ସଉଭାଗେ । ଗମିଲେ ଗୋବିନ୍ଦର ସଙ୍ଗେ ॥ ୧୦୫
ପଡ଼ିଲା କଳି ଦୃଷ୍ଟିପାତ । ତେଣୁ ଶୋଚନା ମୋର ଚିତ୍ତ ॥ ୧୦୬
ସେ କୃଷ୍ଣ ବିରହେ କାତର । ତେଣୁ ଶୋଚନା ମୋର ଚିତ୍ତ ॥ ୧୦୭
ମୁଁ ଏବେ ଆତ୍ମାକୁ ସୁମରି । ଏ ସର୍ବଗୁଣ ମନେ ଧରି ॥ ୧୦୮
ତୋର ଚରଣ ଭଗ୍ନ ଦେଖି । କାନ୍ଦଇ ଅତି ଦୁଃଖେ ଦୁଃଖୀ ॥ ୧୦୯
ଦେବତା ଋଷି ପିତୃଗଣ । ଯେ ବର୍ଣ୍ଣାଶ୍ରମ ଆଚରଣ ॥ ୧୧୦
ଏ ସର୍ବ ଧର୍ମ ଗଲା ଦୂର । ମୋତେ ଛାଡ଼ିଲେ ଚକ୍ରଧର ॥ ୧୧୧
ବ୍ରହ୍ମାଦି ଦେବଦେବୀ ଯେତେ । ନିଶ୍ଚଳେ ମୋହର ସହିତେ ॥ ୧୧୨
ଯାର ଅପାଙ୍ଗ ମୋକ୍ଷଶିରୀ । ଲଭିବୁ ବୋଲି ଆଶ କରି ॥ ୧୧୩
କଠୋର ତପ ସାଧି ବନେ । ପ୍ରପନ୍ନ ଯାହାର ଚରଣେ ॥ ୧୧୪
ସେ ଲକ୍ଷ୍ମୀ ତେଜି ପଦ୍ମବନ । ଯାର ହୃଦୟେ ଲଭି ସ୍ଥାନ ॥ ୧୧୫
ସେ ସ୍ଥାନେ ନ ରହେ ତା ମନ । ଯାର ଚରଣେ ନିତ୍ୟେ ଧ୍ୟାନ ॥ ୧୧୬
କରି ବଞ୍ଚଇ ସର୍ବବେଳା । ସେ ହରି ନିଜପୁରେ ଗଲା ॥ ୧୧୭
ତାର ଚରଣ ଚିହ୍ନ ଯେତେ । ଧ୍ୱଜ ଅଙ୍କୁଶ ମୋର ଗାତ୍ରେ ॥ ୧୧୮
ସେ ବେଶେ ଅଳଂକୃତ ହୋଇ । ଶୁଦ୍ଧ ସୁନ୍ଦର ବିରାଜଇ ॥ ୧୧୯
ଯେଣୁ ଛାଡ଼ିଲେ ମୋତେ ହରି । ତେଣୁ ଦିଶଇ ହତଶିରୀ ॥ ୧୨୦
ଅସୁର ଅକ୍ଷୌହିଣୀ ଭାର । ଉଶ୍ୱାସ କଲା ଯେ ମୋହର ॥ ୧୨୧
ତୋତେ ସ୍ଥାପିଲେ ଏ ସଂସାରେ । ଅଶେଷ-ଜନ-ଉପକାରେ ॥ ୧୨୨
ଯାଦବବଂଶ ହିତକର । ଅଶେଷ-ଅନଙ୍ଗ-ସୁନ୍ଦର ॥ ୧୨୩
ଏ ତିନିଲୋକ ମନ ମୋହେ । ଶ୍ୟାମସୁନ୍ଦର ନିଜ ଦେହେ ॥ ୧୨୪
ସେ ରୂପ ହୋଇଲା ଅନ୍ତର । ତେଣୁ ବିବର୍ଣ୍ଣ ରୂପ ମୋର ॥ ୧୨୫
କଥନ ମନୋହର ସ୍ମିତେ । ପ୍ରେମାବଲୋକ ବହୁମତେ ॥ ୧୨୬
ଦ୍ୱାରକାପୁର ନାରୀଙ୍କର । ଯେ ମାନ ହରେ ନିରନ୍ତର ॥ ୧୨୭
ଯାର ଚରଣ ରେଣୁ ଲାଗି । ତୃଣ ଛଳେ ମୁଁ ପୁଲକାଙ୍ଗୀ ॥ ୧୨୮
ତାର ବିଯୋଗ କେବା ସହି । ଏ ଜୀବଲୋକେ ଦେହ ବହି ॥ ୧୨୯
ସୂତ କହନ୍ତି ଅବଧାନେ । ଏବେ ହୋ ଶୁଣ ମୁନିଜନେ ॥ ୧୩୦
ସୂତ ଉବାଚ
ଏମନ୍ତେ କହୁ କହୁ ବାଣୀ । ଧର୍ମର ସଙ୍ଗତେ ଧରଣୀ ॥ ୧୩୧
ସେ ପରୀକ୍ଷିତ ଦଣ୍ତଧାରୀ । ଦିଗବିଜୟ କର୍ମ ସାରି ॥ ୧୩୨
ଧର୍ମ ଧରଣୀ ସଙ୍ଗମେଳେ । ମିଳିରେ ସରସ୍ୱତୀ କୂଳେ ॥ ୧୩୩
ବୋଲଇ ଦାସ ଜଗନ୍ନାଥ । ଗୀତ ପ୍ରବନ୍ଧେ ଭାଗବତ ॥ ୧୩୪
ଭବସିନ୍ଧୁ-ତରଣେ-ଭେଳା । ଏଣେ ସୁଜନେ ହୁଅ ମେଳା ॥ ୧୩୫
ଅମୃତ କୃଷ୍ଣର ଚରିତ । ପ୍ରଥମ ସ୍କନ୍ଧେ ଭାଗବତ ॥ ୧୩୬
ଅମୃତରସ କୃଷ୍ଣବାଣୀ । ସୁଜନେ ତର ଏହା ଶୁଣି ॥ ୧୩୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ପୃଥ୍ୱୀଧର୍ମସମ୍ୱାଦୋ ନାମ ଷୋଡ଼ଶୋଽଧ୍ୟାୟଃ ।।
* * *