ପ୍ରଥମ ସ୍କନ୍ଧ

ପଞ୍ଚଦଶ ଅଧ୍ୟାୟ

ସୂତ ଉବାଚ

ଏମନ୍ତ ରାଜାର ବଚନ । ଅର୍ଜୁନ ଶୁଣି ଶୋକମନ ॥

ଯେତେ କହିଲେ ଧର୍ମସୁତ । ନାନା ଶକୁନ ବିପରୀତ ॥

କୃଷ୍ଣ ବିଯୋଗେ ଖେଦମନ । ସ୍ୱଭାବେ ଶୁଖିଛି ବଦନ ॥

ତେଜ ପ୍ରଭାବ ଦୂର ଗଲା । ଜୀବନ ଥାଉଁ ଦେହ ମଲା ॥

ଶୋକେ କମ୍ପିତ କଳେବର । ବଦନୁ ନ ସ୍ଫୁରେ ଉତ୍ତର ॥

ଲୋଚନେ ଦେଇ ବେନିକର । ଶୋକ ସମ୍ବରି ବୀରବର ॥

ଶୋକେ କୁଣ୍ଠିତ କଣ୍ଠଦ୍ୱାର । ବିହ୍ୱଳେ ନ ସ୍ଫୁରେ ଉତ୍ତର ॥

ସଖା ସୁହୃଦ ନନ୍ଦବଳା । ସାରଥିପଣେ ରଥେ ଥିଲା ॥

ଏ ଆଦି ଯେତେ କୃଷ୍ଣଗୁଣ । ସୁମରି କାନ୍ଦେ ପୁଣପୁଣ ॥

ରାଜାଙ୍କୁ ଚାହିଁ ମନଖେଦେ । ବୋଲଇ ଶୋକ ଗଦଗଦେ ॥ ୧୦

ଅର୍ଜୁନ ଉବାଚ

ସନ୍ଦେଶ ଶୁଣ ନରନାଥ । କୃଷ୍ଣେ ମୁଁ ହୋଇଲି ବଞ୍ଚିତ ॥ ୧୧

ମୋର ଜୀବନବନ୍ଧୁ ହରି । ତାର ବିଯୋଗେ ହତଶିରୀ ॥ ୧୨

ବିଶୀର୍ଣ୍ଣ ମୋହର ଶରୀର । ଦେଖ ପ୍ରତ୍ୟକ୍ଷେ ନୃପବର ॥ ୧୩

ଯେ ତେଜ ପ୍ରତାପ ମୋହର । ଦେବ-ଦାନବେ ଅଗୋଚର ॥ ୧୪

ସେ ତେଜ କୃଷ୍ଣ ସଙ୍ଗେ ଗଲା । ଜୀବନ ଜୀଉଁ ଜୀଉଁ ମଲା ॥ ୧୫

କୃଷ୍ଣ ବିଯୋଗେ କ୍ଷଣମାତ୍ରେ । ଶୋକ ପୂରିତ ନିଜ ଗାତ୍ରେ ॥ ୧୬

ଲୋକେ ଅପ୍ରିୟ ଦରଶନ । ଦେଖି କୁଣ୍ଠିତ ମୋର ମନ ॥ ୧୭

ମରଣ କାଳେ ପ୍ରାଣୀ ଯେହ୍ନେ । ସମ୍ଭ୍ରମେ କୁଣ୍ଠିତ-ବଚନେ ॥ ୧୮

ଯାହାର ପାଦେ ଆଶ୍ରେକରି । ନିଜ ଗାଣ୍ତିବ କରେ ଧରି ॥ ୧୯

ଦ୍ରୁପଦ ଗୃହେ ରାଜମେଳେ । ଦ୍ରୌପଦୀ ସ୍ୱୟମ୍ବର କାଳେ ॥ ୨୦

ଯେତେ ମିଳିଲେ ରାଜପୁତ୍ରେ । କନ୍ୟା ଲଭିବା ଫଳ ଅର୍ଥେ ॥ ୨୧

କନ୍ୟା ଲଭିବା କାଳେ ଗୋଳ । ଯେସନେ ଜଳଧି ଉଲ୍ଲୋଳ ॥ ୨୨

ହେଳେ ତାହାଙ୍କ ତେଜ ହରି । ଲଭିଲି ଲାଖବିନ୍ଧି ନାରୀ ॥ ୨୩

ଖାଣ୍ତବବନେ କ୍ରୀଡ଼ାରଙ୍ଗେ । କୃଷ୍ଣ ଯେ ଥିଲେ ମୋର ସଙ୍ଗେ ॥ ୨୪

ସେ ବନ ଅଗ୍ନିମୁଖେ ଦେଇ । ଲଭିଲି ମାୟାସଭା ମୁହିଁ ॥ ୨୫

ଅମରଗଣ ତୁଲେ ପୁଣି । କିଞ୍ଚିତେ ଇନ୍ଦ୍ରତେଜ ଜିଣି ॥ ୨୬

ମୟନିର୍ମିତ ସଭା ଆଣି । ଯହିଁ ସକଳ ନୃପମଣି ॥ ୨୭

ତୋହର ଯଜ୍ଞକାଳେ ମିଳି । ତୋ ପାଦେ କଲେ ନିଉଛାଳି ॥ ୨୮

ଯାହାର ତୁଲେ ବେନିଭାଇ । ଛଦ୍ରମେ ବିପ୍ରରୂପ ହୋଇ ॥ ୨୯

ଜରାକୁ ବାହୁଯୁଦ୍ଧେ ଜିଣି । ରାଜାଙ୍କୁ ବନ୍ଦୀଘରୁ ଆଣି ॥ ୩୦

ତୋହର ଯଜ୍ଞ ନିମନ୍ତ୍ରଣେ । ତୋତେ ଖଚିଲେ ନୃପଗଣେ ॥ ୩୧

ତୋହର ଯଜ୍ଞସ୍ନାନ କାଳେ । ଦ୍ରୌପଦୀ ଦେଖି ତୋର କୋଳେ ॥ ୩୨

ସ୍ୱଭାବେ ନାରୀ ଶିରୋମଣି । କବରୀ ବେଶେ ଜନ ଜିଣି ॥ ୩୩

କପଟପଶା କରି ବାଦେ । କୌରବେ ତୋତେ ସଭାମଧ୍ୟେ ॥ ୩୪

ଜିଣି ପାଞ୍ଚାଳୀ କେଶ ଧରି । ବିବସ୍ତ୍ର ସଭାତଳେ କରି ॥ ୩୫

ଭୟେ ପାଞ୍ଚାଳୀ ସୁମରିଲା । ସେବେଳେ ଯେ ହରି ରଖିଲା ॥ ୩୬

ପୁଣି ଅଜ୍ଞାତ-ବନବାସେ । ଦୁର୍ବାସା ଦୁଷ୍ଟଙ୍କ ବିଶ୍ୱାସେ ॥ ୩୭

ଭୋଜନ ଅନ୍ତେ ଭିକ୍ଷାଅର୍ଥେ । ଅୟୁତ ବିପ୍ର ଘେନି ସାଥେ ॥ ୩୮

ଭୁଞ୍ଜିବା ପାଇଁ ସ୍ନାନ ସାରି । ତା ଜାଣି ପ୍ରଭୁ ନରହରି ॥ ୩୯

ଅତିଥି ରୂପେ ବିଜେ କଲା । ଶେଷ ଯେ ଶାକଅନ୍ନ ଥିଲା ॥ ୪୦

କର ପ୍ରସାରି ତାହା ଖାଇ । ମୁନିଙ୍କ ମନମଧ୍ୟେ ଯାଇ ॥ ୪୧

ସନ୍ତୋଷ କଲା ଜଳ ମଧ୍ୟେ । ତକ୍ଷଣେ ବ୍ରାହ୍ମଣ ଆନନ୍ଦେ ॥ ୪୨

ସନ୍ତୋଷେ ନିଜସ୍ଥାନେ ଗଲେ । ସେ ଦୁଃଖୁ ଯେ ହରି ରଖିଲେ ॥ ୪୩

ଯାହାର ତେଜେ ଧନୁ ଟାଣି । ବନେ ଜିଣିଲି ଶୂଳପାଣି ॥ ୪୪

ସନ୍ତୋଷେ ମୋତେ ଉମାକାନ୍ତ । ବୋଇଲେ ବରମାଗ ପାର୍ଥ ॥ ୪୫

ପାର୍ବତୀ ବିଶ୍ୱାସେ ମୋହିତ । ବରେ ପାଇଲି ପାଶୁପତ ॥ ୪୬

ହର ବିଶ୍ୱାସେ ମୋତେ ପୁଣ । ପାର୍ବତୀ ଦେଲେ ଅକ୍ଷତୂଣ ॥ ୪୭

ସେ ବେନିଶସ୍ତ୍ର ପାଇ ବନେ । ମିଳିଲି ଇନ୍ଦ୍ରର ଭୁବନେ ॥ ୪୮

ନର ଶରୀରେ ସୁରଦେଶେ । ମିଳିଲି ଯେ ହରି ବିଶ୍ୱାସେ ॥ ୪୯

ବିଷ୍ଣୁର ତେଜ ଦେଖି ମୋତେ । ସର୍ବ ଦେବତା ତୋଷଚିତ୍ତେ ॥ ୫୦

ବିଚାରି ସର୍ବ ଅନୁମାନେ । ବସାଇ ଇନ୍ଦ୍ରର ଆସନେ ॥ ୫୧

ମୋତେ ପୂଜିଲେ ପୁରସ୍କାରେ । ମୁଁ ପୁଣି ରହି ସ୍ୱର୍ଗପୁରେ ॥ ୫୨

ସର୍ବ ଦେବତାଙ୍କ ବିଶ୍ୱାସ । ଅସୁରବଳ କଲି ନାଶ ॥ ୫୩

ଇନ୍ଦ୍ର ସହିତେ ସର୍ବଦେବେ । ମୋତେ ପୂଜିଲେ ଗଉରବେ ॥ ୫୪

ଯା ତେଜୁ ମୋ ପୁରୁଷକାର । ସେ ହରି ମୋତେ କଲା ଦୂର ॥ ୫୫

ଯେଉଁ ଗୋବିନ୍ଦ ବନ୍ଧୁପଣେ । କୁରୁସାଗର-ଘୋରରଣେ ॥ ୫୬

ତରଲି ଦୁସ୍ତର-ସାଗର । ଦେବ-ମାନବେ ଅଗୋଚର ॥ ୫୭

ସଂଗ୍ରାମେ ରିପୁବଳ ଜିଣି । ଅନେକ ଧନରତ୍ନ ଆଣି ॥ ୫୮

ରତ୍ନ ମୁକୁଟ ମଣିପରେ । ଥିଲା ଯେ ରାଜାଙ୍କର ଶିରେ ॥ ୫୯

ତାହା ହରିଲି ବାହୁବଳେ । ନିର୍ଭୟେ ଅବନୀ-ମଣ୍ତଳେ ॥ ୬୦

ବିରାଟ-ଗୋଧନ ହରଣେ । ମହାଦୁସ୍ତର ଘୋରରଣେ ॥ ୬୧

ଗୋଧନ ନେଲି ନିଜପୁର । ସେ ହରି କଲା ମୋତେ ଦୂର ॥ ୬୨

ଯେ ହରି ମୋର ରଥେ ବସି । ଅଗାଧ-କୁରୁବଳେ ଝାସି ॥ ୬୩

ଭୀଷ୍ମ ସବିତାସୁତ କୃପ । ଶଲ୍ୟ ସହିତେ ଯେତେ ନୃପ ॥ ୬୪

ତାହାଙ୍କ ଅଗ୍ରେ ରଥ କରି । ଅଶ୍ୱ ରସନା କରେ ଧରି ॥ ୬୫

ରିପୁ ଆୟୁଷ ସଙ୍ଗେ ମନ । ହରିଲା ନନ୍ଦର ନନ୍ଦନ ॥ ୬୬

ଭୀଷ୍ମାଦି ଥିଲେ ଯେତେ ବୀର । ସେ ଗୁରୁ-ଦ୍ରୋଣଙ୍କ ସଙ୍ଗର ॥ ୬୭

ଅମୋଘ ଅସ୍ତ୍ର ବରଷନ୍ତି । ସେ ମୋର ହୃଦେ ନ ଭେଦନ୍ତି ॥ ୬୮

ଯେସନେ ନୃସିଂହର ପାଦ । ଆଶ୍ରେ ତରିଲା ପ୍ରହଲାଦ ॥ ୬୯

ଜୟଦ୍ରଥର ବଧ କାଳେ । ଅଶ୍ୱେ ତୃଷିତ ମୋର ହେଲେ ॥ ୭୦

ତାହାଙ୍କୁ ଜଳ ଦେବା ଅର୍ଥେ । ସଂଗ୍ରାମେ ହେଲି ଭୂମିଗତେ ॥ ୭୧

ମହାରଥୀଙ୍କ ଚିତ୍ତେ ଯାଇ । ପ୍ରବେଶ ହେଲେ ଭାବଗ୍ରାହୀ ॥ ୭୨

ନୟନେ ମୋ ରୂପ ଦେଖନ୍ତି । ଦେଖନ୍ତେ କେହି ନ ମାରନ୍ତି ॥ ୭୩

ଯାହାର ପାଦପଦ୍ମ ନିତ୍ୟେ । ଜ୍ଞାନୀଏ ଭାବୁଥାନ୍ତି ଚିତ୍ତେ ॥ ୭୪

କୁମତି-ବଳେ ନ ବିଚାରି । ତାହାଙ୍କୁ ସାରଥି ମୁଁ କରି ॥ ୭୫

ସେ କୃଷ୍ଣ ବସି ମୋର ପାଶେ । ଶୋଭନ-ସ୍ମିତ-ମନ୍ଦହାସେ ॥ ୭୬

ଆନନ୍ଦେ କରେ କର ଧରି । ବିବିଧ ପରିହାସ କରି ॥ ୭୭

ହେ ପାର୍ଥ ଅର୍ଜୁନ ହେ ସଖେ । କୁରୁନନ୍ଦନ ବୋଲି ଡାକେ ॥ ୭୮

ତାହାର ଗୁଣକର୍ମ ଯେତେ । ସୁମରି କ୍ଷୋଭିତ ମୋ ଚିତ୍ତେ ॥ ୭୯

ଶୟନ-ଆସନ-ଭୋଜନେ । ମୁହିଁ ଯେ ତାର ସନ୍ନିଧାନେ ॥ ୮୦

ସଙ୍ଗେ ବିହରି ସଖାପରି । ତା କରେ କର ଧରାଧରି ॥ ୮୧

ମୁଁ ପାପୀ କୁମତି ମୋହର । କେବେ ବା କରେ ତିରସ୍କାର ॥ ୮୨

ସେ ଅପରାଧ ମୋର ହରି । ନ ଘେନେ ମୋରେ ସ୍ନେହ କରି ॥ ୮୩

ସଖାର ସଖା ଯେହ୍ନେ ସହେ । ପିତାମାତା ବା ଯେହ୍ନେ ପୋଏ ॥ ୮୪

ନୃପେନ୍ଦ୍ର ଶୁଣ ମୋର ବାଣୀ । ମୋତେ ମୁଞ୍ଚିଲେ ଚକ୍ରପାଣି ॥ ୮୫

ମୋହର ପ୍ରିୟସଖା ହରି । ହୃଦୟ ଗଲା ଶୂନ୍ୟ କରି ॥ ୮୬

ଦେଖ ମୋହର ବୀରପଣ । ମାର୍ଗେ ଗୋବିନ୍ଦ-ପତ୍ନୀଗଣ ॥ ୮୭

ଆବୋରି ନ ପାରିଲି ବଳେ । ତକ୍ଷଣେ ଲୁଚିଲେ ଗୋପାଳେ ॥ ୮୮

ସେହି ଗାଣ୍ତୀବଧନୁ ମୋର । ସେହି ଅକ୍ଷୟ ତୂଣଶର ॥ ୮୯

ସେହି ବିମାନ ଅଶ୍ୱ ଦେଖ । କ୍ଷଣକେ ହୋଇଲି ନିରେଖ ॥ ୯୦

ଯାହାର ତେଜେ ନୃପଗଣେ । ନମନ୍ତି ମୋହର ଚରଣେ ॥ ୯୧

ତାର ବିଯୋଗେ ତନୁ କ୍ଷୀଣ । ଦିଗେ ଦିଶନ୍ତି ମୋତେ ଶୂନ୍ୟ ॥ ୯୨

ସେ ପ୍ରାଣବାନ୍ଧବ ବିଯୋଗ । ଭସ୍ମେ ଯେସନେ ହବିର୍ଭାଗ ॥ ୯୩

କୁହୁକ ବସ୍ତୁ ମୁଷ୍ଟିଗତେ । ପ୍ରତ୍ୟକ୍ଷ ନୋହେ ଦୃଷ୍ଟିମାତ୍ରେ ॥ ୯୪

ଉଷର ଭୂମିରେ ରୋପିତ । ବୀଜର ପ୍ରାୟେ ମୁଁ ନିହତ ॥ ୯୫

ଶୁଣ ହେ ନୃପ ଶୁଦ୍ଧଚେତା । ବନ୍ଧୁବାନ୍ଧବଙ୍କ ବାରତା ॥ ୯୬

ଅପରେ ଯେତେ ଯଦୁକୁଳେ । ନିଶ୍ଚିନ୍ତେ ଥିଲେ କୁଶସ୍ଥଳେ ॥ ୯୭

ବ୍ରାହ୍ମଣଶାପ ଅବସାନେ । ମିଳିଲେ ଏରକାର ବନେ ॥ ୯୮

ଚାରୁଣୀମଦ୍ୟ କଲେ ପାନ । ଭୋଳେ ହୋଇଲେ ହତଜ୍ଞାନ ॥ ୯୯

ଏରକା ମୁଷ୍ଟି କରେ ଧରି । ଏକ ଆରେକ ମରାମରି ॥ ୧୦୦

ଆତ୍ମାକୁ ନ ଜାଣନ୍ତି ଭୋଳେ । ନାଶିଲେ ବ୍ରହ୍ମଶାପ ଫଳେ ॥ ୧୦୧

ଏଣୁ ଯାଦବ ବଂଶନାଶ । ରହିଲେ ଚାରିପାଞ୍ଚ ଶେଷ ॥ ୧୦୨

ଈଶ୍ୱର କ୍ରୀଡ଼ା ଏ ଜଗତ । ପ୍ରାଣୀଏ ଈଶ୍ୱର ଆୟତ୍ତ ॥ ୧୦୩

ମାରନ୍ତି ଏକୁ ଆର ବଳେ । ଜଳ ଜନ୍ତୁଏ ଯେହ୍ନେ ଜଳେ ॥ ୧୦୪

ନିର୍ବଳ ଜନ୍ତୁଙ୍କୁ ଗିଳନ୍ତି । ନିଜ ମରଣ ନ ଜାଣନ୍ତି ॥ ୧୦୫

ଦୁର୍ବଳ-ପ୍ରାଣୀଙ୍କି ସବଳେ । ଦର୍ପ ହରନ୍ତି ଅବହେଳେ ॥ ୧୦୬

ଏହି ପ୍ରକାରେ ଯଦୁବଳେ । କଳି ଭିଆଇ ମଦ୍ୟଭୋଳେ ॥ ୧୦୭

ଯଦୁଙ୍କୁ ଯଦୁବଳେ ମାରି । ଭୂମିର ଭାରା ଅପହରି ॥ ୧୦୮

ଗୋବିନ୍ଦ କଲେ କର୍ମ ଯେତେ । ଲୀଳା ବିହାରେ ଏ ଜଗତେ ॥ ୧୦୯

ତା ଦେଶ-କାଳ-ଅର୍ଥଯୁକ୍ତ । ଶୀତଳବାଣୀ ଜନହିତ ॥ ୧୧୦

ସେ ବାଣୀ ସ୍ମରି ମୋର ଚିତ୍ତେ । ପ୍ରାଣ ଦହଇ ଅନ୍ତର୍ଗତେ ॥ ୧୧୧

ସୂତ ଉବାଚ

ଏମନ୍ତେ ପାଣ୍ତବ ଅର୍ଜୁନ । କୃଷ୍ଣ ଚରଣେ ଦେଇ ମନ ॥ ୧୧୨

ସୁହୃଦଭାବେ ଗାଢ଼େ ଚିନ୍ତି । ଲଭିଲା ସୁବିମଳ ଗତି ॥ ୧୧୩

କୃଷ୍ଣ ଚରଣ ଅନୁଧ୍ୟାନେ । ଚିତ୍ତ ନିର୍ମଳ ଶାନ୍ତି ଜ୍ଞାନେ ॥ ୧୧୪

ଥିଲା ଯେ ଅଶେଷ କଳୁଷ । ଭକ୍ତିମନ୍ଥନେ ଗଲା ନାଶ ॥ ୧୧୫

ନିର୍ମଳବୁଦ୍ଧି ପ୍ରକାଶିଲା । ଗୋବିନ୍ଦ ବାକ୍ୟ ସୁମରିଲା ॥ ୧୧୬

ସଂଗ୍ରାମ ମଧ୍ୟେ ରଥେ ରହି । ଯେ ଗୀତା କୃଷ୍ଣଥିଲେ କହି ॥ ୧୧୭

ତାହା ସୁମରି ଶୁଦ୍ଧମନେ । ଶୋକ ଛାଡ଼ିଲା କୃଷ୍ଣ ଧ୍ୟାନେ ॥ ୧୧୮

ପ୍ରକୃତି ଲୀନେ ଗୁଣ ଲିଙ୍ଗ । ସ୍ଥୂଳଶରୀର ସଙ୍ଗଭଙ୍ଗ ॥ ୧୧୯

ତେବେ ଦ୍ୱଇତ ଭାବ ଯାଇ । ଶୋକ-ସମ୍ଭ୍ରମ ଆଉ କାହିଁ ॥ ୧୨୦

ଆପଣା ଅଂଶ ବଂଶ ହରି । ଶ୍ରୀକୃଷ୍ଣ ଗଲେ ନିଜପୁରୀ ॥ ୧୨୧

ଅର୍ଜୁନ ମୁଖୁ ଏହା ଶୁଣି । ନିର୍ବେଦ ନୃପ-ଚୂଡ଼ାମଣି ॥ ୧୨୨

ଆତ୍ମା ନିବୃତ୍ତ ଜ୍ଞାନମାର୍ଗେ । ନିଶ୍ଚୟ କଲେ ସ୍ୱର୍ଗମାର୍ଗେ ॥ ୧୨୩

କୁନ୍ତୀ ଯେ ନିଜପୁରେ ଥିଲା । ଶ୍ରୀକୃଷ୍ଣ ବିଯୋଗ ଶୁଣିଲା ॥ ୧୨୪

ତକ୍ଷଣେ ପାଇ ଦିବ୍ୟଜ୍ଞାନ । ଗୋବିନ୍ଦ ପାଦେ ହେଲା ଲୀନ ॥ ୧୨୫

ଯେ ଦେହ ଭୂମିଭାର ନାଶେ । ଧରି ଜନ୍ମିଲେ ଯଦୁବଂଶେ ॥ ୧୨୬

ଭାରା ନିବାରି ତା ସଂହରେ । କଣ୍ଟକ ଯେହ୍ନେ କଣ୍ଟକରେ ॥ ୧୨୭

ମତ୍ସ୍ୟାଦି ରୂପକୁ ଯେମନ୍ତେ । ଧରି ଛାଡ଼ଇ କାର୍ଯ୍ୟଅନ୍ତେ ॥ ୧୨୮

ଯେସନେ ନଟରୂପ ଧରେ । କ୍ଷଣକୁ କ୍ଷଣ ଆନ କରେ ॥ ୧୨୯

ଭୂଭାର କ୍ଷୟ ଯେ ଦେହେଣ । ସେ ଦେହ କଲେ ଅନ୍ତର୍ଦ୍ଧାନ ॥ ୧୩୦

ଯେବେ ମୁକୁନ୍ଦ ମହୀତେଜି । ସ୍ୱଭାବେ ନିଜଧାମ ଭଜି ॥ ୧୩୧

ଯାର ମହିମା ନରଲୋକେ । ସାଧବେ ଏକକୁ ଆରକେ ॥ ୧୩୨

କହି ତରିଲେ ଭବଜଳୁ । କଳି ଆଗମ ସେହି ବେଳୁ ॥ ୧୩୩

ସକଳ ଦୋଷ ହେତୁ ଯହିଁ । ବେଦ-ପୁରାଣ-ମାର୍ଗେ କହି ॥ ୧୩୪

ମିଳିଲା ନରଲୋକେ ଆସି । ତକ୍ଷଣେ ଗ୍ରାମେଗ୍ରାମେ ପଶି ॥ ୧୩୫

ସକଳ ପୁରେ ପ୍ରାଣୀ ଚିତ୍ତେ । ଲୋଭ କପଟ ଦମ୍ଭମତେ ॥ ୧୩୬

ପ୍ରାଣୀ ହିଂସନ ଧର୍ମନାଶେ । ପ୍ରାଣୀୟେ କଳିର ବିଶ୍ୱାସେ ॥ ୧୩୭

ନିଷ୍ଠୁର ଚିତ୍ତ ସର୍ବଜନ । ତା ଦେଖି ଧର୍ମର ନନ୍ଦନ ॥ ୧୩୮

ସ୍ୱର୍ଗ-ଗମନ ମନେ ଗୁଣି । ତକ୍ଷଣେ ପରୀକ୍ଷିତ ଆଣି ॥ ୧୩୯

ଉତ୍ତମ ରାଜଚିହ୍ନ ଦେଖି । ସକଳ ଗୁଣ ଉପଲକ୍ଷି ॥ ୧୪୦

ଆତ୍ମାର ତୁଲ୍ୟପ୍ରାୟ ମଣି । ଅନେକ ତୀର୍ଥଜଳ ଆଣି ॥ ୧୪୧

ହସ୍ତିନାପୁର ନରଲୋକେ । ସ୍ଥାପିଲେ ନୃପ ଅଭିଷେକେ ॥ ୧୪୨

ଯାଦବବଂଶେ ଶେଷଥିଲା । ବଜ୍ର ଯେ ଅନିରୁଦ୍ଧବଳା ॥ ୧୪୩

ମଥୁରାପୁରେ ଧର୍ମଚାଟେ । ସ୍ଥାପିଲେ ଶୂରସେନପାଟେ ॥ ୧୪୪

ସକଳ ଭୋଗ ଦୂରକରି । ଶରୀର-ବନ୍ଧ ପରିହରି ॥ ୧୪୫

ଆତ୍ମାରେ ଆତ୍ମା-ଅଗ୍ନି ଜାଳି । ସର୍ବ-ବିଷୟ-ଘୃତ ଢାଳି ॥ ୧୪୬

ଜ୍ଞାନଗୋଚରେ ଅଗ୍ନିପାନ । ତକ୍ଷଣେ ଧର୍ମର ନନ୍ଦନ ॥ ୧୪୭

ସର୍ବ ସମ୍ପଦ କରି ଦୂର । ନିର୍ମଳ-ରାଗ-ଅହଙ୍କାର ॥ ୧୪୮

ଅଶେଷ କର୍ମ୍ପାଶ ଛେଦି । ଯୋଗେ ଶରୀରରନ୍ଧ୍ର ରୁନ୍ଧି ॥ ୧୪୯

ବଚନ ମନେ ଲୀନ କରି । ବାୟୁ ଧାରଣେ ମନ ଧରି ॥ ୧୫୦

ବାୟୁ ଧାରଣ ପ୍ରାଣ ଯେହି । ଅପାନେ ତାହାକୁ ମିଶାଇ ॥ ୧୫୧

ଅପାନ ଉତ୍ସର୍ଗ ସହିତ । ଯେ ମାର୍ଗେ ହୋଏ ଅନ୍ତର୍ଗତ ॥ ୧୫୨

ସେ ମୃତ୍ୟୁଦେବକୁ ପଞ୍ଚତ୍ୱେ । ପଞ୍ଚକୁ ପଞ୍ଚରେ ଏକତ୍ୱେ ॥ ୧୫୩

ପୁଣି ପଞ୍ଚକୁ ତିନିଗୁଣେ । ତ୍ରିଗୁଣ ସମସ୍ତ କାରଣେ ॥ ୧୫୪

ତାହାକୁ ଜୀବେ ଦେଇ ସ୍ଥାନ । ଯେଣେ ଜୀବର ପରିତ୍ରାଣ ॥ ୧୫୫

ସକଳ ଗୁଣ ପରିହରି । ଆତ୍ମାରେ ଆତ୍ମା ହୋମକରି ॥ ୧୫୬

ବ୍ରହ୍ମନିର୍ବାଣେ ଥୋଇ ଚିତ୍ତ । ଉତ୍ତରପଥେ ଉପଗତ ॥ ୧୫୭

ଚିରବସନ ନିରାହାର । ମଉନ ମୁକ୍ତକେଶ ଶିର ॥ ୧୫୮

ଜଡ-ଉନ୍ମତ୍ତ-ଜନ ପ୍ରାୟେ । ଲୋକେ ଦେଖାଇ ନିଜକାୟେ ॥ ୧୫୯

ଲୋକ ବଦନକୁ ନ ଚାହିଁ । ଅନ୍ଧ-ବଧିର ପ୍ରାୟ ହୋଇ ॥ ୧୬୦

ହୃଦେ ନିବେଶି ବେନିପାଣି । ଉତ୍ତରଦିଗେ ନୃପମଣି ॥ ୧୬୧

ପୂର୍ବେ ଅଶେଷ ମୁନି ସନ୍ଥେ । ମୋକ୍ଷହୋଇଲେ ଯେଉଁ ପଥେ ॥ ୧୬୨

ପରମବ୍ରହ୍ମ ଚିନ୍ତି ଚିତ୍ତେ । ପ୍ରସ୍ଥାନ କଲେ ସ୍ୱର୍ଗପଥେ ॥ ୧୬୩

ପଛେ ଚଳନ୍ତି ଚାରିଭାଇ । ରାଜାର ଅନୁରୂପ ହୋଇ ॥ ୧୬୪

ପ୍ରଜାଙ୍କୁ କରି ଆଲିଙ୍ଗନ । ହରଷେ ହରି ତାଙ୍କ ମନ ॥ ୧୬୫

ସେ ସାଧୁକୃତ୍ୟ ସତ୍ତ୍ଵ ଗୁଣୀ । ଆତ୍ମାର ହିତ ଚିତ୍ତେ ଜାଣି ॥ ୧୬୬

ମନ ନିବେଶି କୃଷ୍ଣପାଦେ । ବିଷ୍ଣୁ ଭକତି ଯୋଗସାଧେ ॥ ୧୬୭

ନିର୍ମଳ ଚିତ୍ତ ତାହାଙ୍କର । ଗୋବିନ୍ଦେ ଧ୍ୟାନ ନିରନ୍ତର ॥ ୧୬୮

କୃଷ୍ଣ ପାଦେ ଚିତ୍ତ ଦେଲେ । ପରମଗତି ସେ ଲଭିଲେ ॥ ୧୬୯

ଅସତ୍ୟ ଇନ୍ଦ୍ରିୟ ବିଷୟେ । ନିତ୍ୟେ ଯାହାର ଚିତ୍ତ ରହେ ॥ ୧୭୦

ସେ ଯେବେ ପାଦହୃଦେ ଚିନ୍ତି । ସର୍ବକଳୁଷ ନାଶ ଯାନ୍ତି ॥ ୧୭୧

ସେପାଦେ ଲଭଇ ସେ ସ୍ଥାନ । ତାହା ପାଇଲେ ପଣ୍ତୁନାନ ॥ ୧୭୨

ବିଦୁର ଥିଲେ ବନବାସେ । ପ୍ରଭାସତୀର୍ଥେ ମୋକ୍ଷ ଆଶେ ॥ ୧୭୩

ଗୋବିନ୍ଦ-ଚରଣ-କମଳେ । ପ୍ରାଣ ଛାଡ଼ିଲେ ଯୋଗବଳେ ॥ ୧୭୪

ପିତୃଗଣଙ୍କ ସଙ୍ଗେ ମିଶି । ନକ୍ଷତ୍ର ମଧ୍ୟେ ଯେହ୍ନେ ଶଶୀ ॥ ୧୭୫

ନିଜ ଭୁବନେ ବିଜେ କଲେ । ବ୍ରାହ୍ମଣଶାପୁ ନିସ୍ତରିଲେ ॥ ୧୭୬

ତକ୍ଷଣେ ଦ୍ରୁପଦ କୁମାରୀ । ଭର୍ତ୍ତାଙ୍କ ପଥ ଅନୁସରି ॥ ୧୭୭

କୃଷ୍ଣେ ନିବେଶି ପଞ୍ଚପ୍ରାଣ । ପଥେ ଛାଡ଼ିଲେ ନିଜପ୍ରାଣ ॥ ୧୭୮

କହନ୍ତି ସୂତ ଶୁଦ୍ଧଚିତ୍ତେ । ସର୍ବମୁନିଙ୍କ ମଧ୍ୟଗତେ ॥ ୧୭୯

ଏବେ ହୋ ଶୁଣ ବିପ୍ରଜନେ । କୃଷ୍ଣ-ମହିମା ଶୁଦ୍ଧମନେ ॥ ୧୮୦

ଗୋବିନ୍ଦ ଚରଣ କମଳେ । ପଣ୍ତୁକୁମରେ ଭାବଭୋଳେ ॥ ୧୮୧

ସଂସାର ମାୟା ଦୂର କଲେ । ଜଗତ ମଧ୍ୟୁ ନିସ୍ତରିଲେ ॥ ୧୮୨

ପରମ ମଙ୍ଗଳ ଏ ବାଣୀ । ଯେ ପ୍ରାଣୀ ଶୁଦ୍ଧଚିତ୍ତେ ଶୁଣି ॥ ୧୮୩

ଭକତି ଲଭେ କୃଷ୍ଣପାଦେ । ସଂସାରୁ ତରେ ଅପ୍ରମାଦେ ॥ ୧୮୪

କୃଷ୍ଣ-ମହିମା-ସୁଧାରସ । କହିଲା ଜଗନ୍ନାଥ ଦାସ ॥ ୧୮୫

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ପ୍ରଥମସ୍କନ୍ଧେ ପାଣ୍ତବସ୍ୱର୍ଗାରାହଣଂ ନାମ ପଞ୍ଚଦଶୋଽଧ୍ୟାୟଃ ।।

* * *