ପ୍ରଥମ ସ୍କନ୍ଧ
ପଞ୍ଚଦଶ ଅଧ୍ୟାୟ
ସୂତ ଉବାଚ
ଏମନ୍ତ ରାଜାର ବଚନ । ଅର୍ଜୁନ ଶୁଣି ଶୋକମନ ॥ ୧
ଯେତେ କହିଲେ ଧର୍ମସୁତ । ନାନା ଶକୁନ ବିପରୀତ ॥ ୨
କୃଷ୍ଣ ବିଯୋଗେ ଖେଦମନ । ସ୍ୱଭାବେ ଶୁଖିଛି ବଦନ ॥ ୩
ତେଜ ପ୍ରଭାବ ଦୂର ଗଲା । ଜୀବନ ଥାଉଁ ଦେହ ମଲା ॥ ୪
ଶୋକେ କମ୍ପିତ କଳେବର । ବଦନୁ ନ ସ୍ଫୁରେ ଉତ୍ତର ॥ ୫
ଲୋଚନେ ଦେଇ ବେନିକର । ଶୋକ ସମ୍ବରି ବୀରବର ॥ ୬
ଶୋକେ କୁଣ୍ଠିତ କଣ୍ଠଦ୍ୱାର । ବିହ୍ୱଳେ ନ ସ୍ଫୁରେ ଉତ୍ତର ॥ ୭
ସଖା ସୁହୃଦ ନନ୍ଦବଳା । ସାରଥିପଣେ ରଥେ ଥିଲା ॥ ୮
ଏ ଆଦି ଯେତେ କୃଷ୍ଣଗୁଣ । ସୁମରି କାନ୍ଦେ ପୁଣପୁଣ ॥ ୯
ରାଜାଙ୍କୁ ଚାହିଁ ମନଖେଦେ । ବୋଲଇ ଶୋକ ଗଦଗଦେ ॥ ୧୦
ଅର୍ଜୁନ ଉବାଚ
ସନ୍ଦେଶ ଶୁଣ ନରନାଥ । କୃଷ୍ଣେ ମୁଁ ହୋଇଲି ବଞ୍ଚିତ ॥ ୧୧
ମୋର ଜୀବନବନ୍ଧୁ ହରି । ତାର ବିଯୋଗେ ହତଶିରୀ ॥ ୧୨
ବିଶୀର୍ଣ୍ଣ ମୋହର ଶରୀର । ଦେଖ ପ୍ରତ୍ୟକ୍ଷେ ନୃପବର ॥ ୧୩
ଯେ ତେଜ ପ୍ରତାପ ମୋହର । ଦେବ-ଦାନବେ ଅଗୋଚର ॥ ୧୪
ସେ ତେଜ କୃଷ୍ଣ ସଙ୍ଗେ ଗଲା । ଜୀବନ ଜୀଉଁ ଜୀଉଁ ମଲା ॥ ୧୫
କୃଷ୍ଣ ବିଯୋଗେ କ୍ଷଣମାତ୍ରେ । ଶୋକ ପୂରିତ ନିଜ ଗାତ୍ରେ ॥ ୧୬
ଲୋକେ ଅପ୍ରିୟ ଦରଶନ । ଦେଖି କୁଣ୍ଠିତ ମୋର ମନ ॥ ୧୭
ମରଣ କାଳେ ପ୍ରାଣୀ ଯେହ୍ନେ । ସମ୍ଭ୍ରମେ କୁଣ୍ଠିତ-ବଚନେ ॥ ୧୮
ଯାହାର ପାଦେ ଆଶ୍ରେକରି । ନିଜ ଗାଣ୍ତିବ କରେ ଧରି ॥ ୧୯
ଦ୍ରୁପଦ ଗୃହେ ରାଜମେଳେ । ଦ୍ରୌପଦୀ ସ୍ୱୟମ୍ବର କାଳେ ॥ ୨୦
ଯେତେ ମିଳିଲେ ରାଜପୁତ୍ରେ । କନ୍ୟା ଲଭିବା ଫଳ ଅର୍ଥେ ॥ ୨୧
କନ୍ୟା ଲଭିବା କାଳେ ଗୋଳ । ଯେସନେ ଜଳଧି ଉଲ୍ଲୋଳ ॥ ୨୨
ହେଳେ ତାହାଙ୍କ ତେଜ ହରି । ଲଭିଲି ଲାଖବିନ୍ଧି ନାରୀ ॥ ୨୩
ଖାଣ୍ତବବନେ କ୍ରୀଡ଼ାରଙ୍ଗେ । କୃଷ୍ଣ ଯେ ଥିଲେ ମୋର ସଙ୍ଗେ ॥ ୨୪
ସେ ବନ ଅଗ୍ନିମୁଖେ ଦେଇ । ଲଭିଲି ମାୟାସଭା ମୁହିଁ ॥ ୨୫
ଅମରଗଣ ତୁଲେ ପୁଣି । କିଞ୍ଚିତେ ଇନ୍ଦ୍ରତେଜ ଜିଣି ॥ ୨୬
ମୟନିର୍ମିତ ସଭା ଆଣି । ଯହିଁ ସକଳ ନୃପମଣି ॥ ୨୭
ତୋହର ଯଜ୍ଞକାଳେ ମିଳି । ତୋ ପାଦେ କଲେ ନିଉଛାଳି ॥ ୨୮
ଯାହାର ତୁଲେ ବେନିଭାଇ । ଛଦ୍ରମେ ବିପ୍ରରୂପ ହୋଇ ॥ ୨୯
ଜରାକୁ ବାହୁଯୁଦ୍ଧେ ଜିଣି । ରାଜାଙ୍କୁ ବନ୍ଦୀଘରୁ ଆଣି ॥ ୩୦
ତୋହର ଯଜ୍ଞ ନିମନ୍ତ୍ରଣେ । ତୋତେ ଖଚିଲେ ନୃପଗଣେ ॥ ୩୧
ତୋହର ଯଜ୍ଞସ୍ନାନ କାଳେ । ଦ୍ରୌପଦୀ ଦେଖି ତୋର କୋଳେ ॥ ୩୨
ସ୍ୱଭାବେ ନାରୀ ଶିରୋମଣି । କବରୀ ବେଶେ ଜନ ଜିଣି ॥ ୩୩
କପଟପଶା କରି ବାଦେ । କୌରବେ ତୋତେ ସଭାମଧ୍ୟେ ॥ ୩୪
ଜିଣି ପାଞ୍ଚାଳୀ କେଶ ଧରି । ବିବସ୍ତ୍ର ସଭାତଳେ କରି ॥ ୩୫
ଭୟେ ପାଞ୍ଚାଳୀ ସୁମରିଲା । ସେବେଳେ ଯେ ହରି ରଖିଲା ॥ ୩୬
ପୁଣି ଅଜ୍ଞାତ-ବନବାସେ । ଦୁର୍ବାସା ଦୁଷ୍ଟଙ୍କ ବିଶ୍ୱାସେ ॥ ୩୭
ଭୋଜନ ଅନ୍ତେ ଭିକ୍ଷାଅର୍ଥେ । ଅୟୁତ ବିପ୍ର ଘେନି ସାଥେ ॥ ୩୮
ଭୁଞ୍ଜିବା ପାଇଁ ସ୍ନାନ ସାରି । ତା ଜାଣି ପ୍ରଭୁ ନରହରି ॥ ୩୯
ଅତିଥି ରୂପେ ବିଜେ କଲା । ଶେଷ ଯେ ଶାକଅନ୍ନ ଥିଲା ॥ ୪୦
କର ପ୍ରସାରି ତାହା ଖାଇ । ମୁନିଙ୍କ ମନମଧ୍ୟେ ଯାଇ ॥ ୪୧
ସନ୍ତୋଷ କଲା ଜଳ ମଧ୍ୟେ । ତକ୍ଷଣେ ବ୍ରାହ୍ମଣ ଆନନ୍ଦେ ॥ ୪୨
ସନ୍ତୋଷେ ନିଜସ୍ଥାନେ ଗଲେ । ସେ ଦୁଃଖୁ ଯେ ହରି ରଖିଲେ ॥ ୪୩
ଯାହାର ତେଜେ ଧନୁ ଟାଣି । ବନେ ଜିଣିଲି ଶୂଳପାଣି ॥ ୪୪
ସନ୍ତୋଷେ ମୋତେ ଉମାକାନ୍ତ । ବୋଇଲେ ବରମାଗ ପାର୍ଥ ॥ ୪୫
ପାର୍ବତୀ ବିଶ୍ୱାସେ ମୋହିତ । ବରେ ପାଇଲି ପାଶୁପତ ॥ ୪୬
ହର ବିଶ୍ୱାସେ ମୋତେ ପୁଣ । ପାର୍ବତୀ ଦେଲେ ଅକ୍ଷତୂଣ ॥ ୪୭
ସେ ବେନିଶସ୍ତ୍ର ପାଇ ବନେ । ମିଳିଲି ଇନ୍ଦ୍ରର ଭୁବନେ ॥ ୪୮
ନର ଶରୀରେ ସୁରଦେଶେ । ମିଳିଲି ଯେ ହରି ବିଶ୍ୱାସେ ॥ ୪୯
ବିଷ୍ଣୁର ତେଜ ଦେଖି ମୋତେ । ସର୍ବ ଦେବତା ତୋଷଚିତ୍ତେ ॥ ୫୦
ବିଚାରି ସର୍ବ ଅନୁମାନେ । ବସାଇ ଇନ୍ଦ୍ରର ଆସନେ ॥ ୫୧
ମୋତେ ପୂଜିଲେ ପୁରସ୍କାରେ । ମୁଁ ପୁଣି ରହି ସ୍ୱର୍ଗପୁରେ ॥ ୫୨
ସର୍ବ ଦେବତାଙ୍କ ବିଶ୍ୱାସ । ଅସୁରବଳ କଲି ନାଶ ॥ ୫୩
ଇନ୍ଦ୍ର ସହିତେ ସର୍ବଦେବେ । ମୋତେ ପୂଜିଲେ ଗଉରବେ ॥ ୫୪
ଯା ତେଜୁ ମୋ ପୁରୁଷକାର । ସେ ହରି ମୋତେ କଲା ଦୂର ॥ ୫୫
ଯେଉଁ ଗୋବିନ୍ଦ ବନ୍ଧୁପଣେ । କୁରୁସାଗର-ଘୋରରଣେ ॥ ୫୬
ତରଲି ଦୁସ୍ତର-ସାଗର । ଦେବ-ମାନବେ ଅଗୋଚର ॥ ୫୭
ସଂଗ୍ରାମେ ରିପୁବଳ ଜିଣି । ଅନେକ ଧନରତ୍ନ ଆଣି ॥ ୫୮
ରତ୍ନ ମୁକୁଟ ମଣିପରେ । ଥିଲା ଯେ ରାଜାଙ୍କର ଶିରେ ॥ ୫୯
ତାହା ହରିଲି ବାହୁବଳେ । ନିର୍ଭୟେ ଅବନୀ-ମଣ୍ତଳେ ॥ ୬୦
ବିରାଟ-ଗୋଧନ ହରଣେ । ମହାଦୁସ୍ତର ଘୋରରଣେ ॥ ୬୧
ଗୋଧନ ନେଲି ନିଜପୁର । ସେ ହରି କଲା ମୋତେ ଦୂର ॥ ୬୨
ଯେ ହରି ମୋର ରଥେ ବସି । ଅଗାଧ-କୁରୁବଳେ ଝାସି ॥ ୬୩
ଭୀଷ୍ମ ସବିତାସୁତ କୃପ । ଶଲ୍ୟ ସହିତେ ଯେତେ ନୃପ ॥ ୬୪
ତାହାଙ୍କ ଅଗ୍ରେ ରଥ କରି । ଅଶ୍ୱ ରସନା କରେ ଧରି ॥ ୬୫
ରିପୁ ଆୟୁଷ ସଙ୍ଗେ ମନ । ହରିଲା ନନ୍ଦର ନନ୍ଦନ ॥ ୬୬
ଭୀଷ୍ମାଦି ଥିଲେ ଯେତେ ବୀର । ସେ ଗୁରୁ-ଦ୍ରୋଣଙ୍କ ସଙ୍ଗର ॥ ୬୭
ଅମୋଘ ଅସ୍ତ୍ର ବରଷନ୍ତି । ସେ ମୋର ହୃଦେ ନ ଭେଦନ୍ତି ॥ ୬୮
ଯେସନେ ନୃସିଂହର ପାଦ । ଆଶ୍ରେ ତରିଲା ପ୍ରହଲାଦ ॥ ୬୯
ଜୟଦ୍ରଥର ବଧ କାଳେ । ଅଶ୍ୱେ ତୃଷିତ ମୋର ହେଲେ ॥ ୭୦
ତାହାଙ୍କୁ ଜଳ ଦେବା ଅର୍ଥେ । ସଂଗ୍ରାମେ ହେଲି ଭୂମିଗତେ ॥ ୭୧
ମହାରଥୀଙ୍କ ଚିତ୍ତେ ଯାଇ । ପ୍ରବେଶ ହେଲେ ଭାବଗ୍ରାହୀ ॥ ୭୨
ନୟନେ ମୋ ରୂପ ଦେଖନ୍ତି । ଦେଖନ୍ତେ କେହି ନ ମାରନ୍ତି ॥ ୭୩
ଯାହାର ପାଦପଦ୍ମ ନିତ୍ୟେ । ଜ୍ଞାନୀଏ ଭାବୁଥାନ୍ତି ଚିତ୍ତେ ॥ ୭୪
କୁମତି-ବଳେ ନ ବିଚାରି । ତାହାଙ୍କୁ ସାରଥି ମୁଁ କରି ॥ ୭୫
ସେ କୃଷ୍ଣ ବସି ମୋର ପାଶେ । ଶୋଭନ-ସ୍ମିତ-ମନ୍ଦହାସେ ॥ ୭୬
ଆନନ୍ଦେ କରେ କର ଧରି । ବିବିଧ ପରିହାସ କରି ॥ ୭୭
ହେ ପାର୍ଥ ଅର୍ଜୁନ ହେ ସଖେ । କୁରୁନନ୍ଦନ ବୋଲି ଡାକେ ॥ ୭୮
ତାହାର ଗୁଣକର୍ମ ଯେତେ । ସୁମରି କ୍ଷୋଭିତ ମୋ ଚିତ୍ତେ ॥ ୭୯
ଶୟନ-ଆସନ-ଭୋଜନେ । ମୁହିଁ ଯେ ତାର ସନ୍ନିଧାନେ ॥ ୮୦
ସଙ୍ଗେ ବିହରି ସଖାପରି । ତା କରେ କର ଧରାଧରି ॥ ୮୧
ମୁଁ ପାପୀ କୁମତି ମୋହର । କେବେ ବା କରେ ତିରସ୍କାର ॥ ୮୨
ସେ ଅପରାଧ ମୋର ହରି । ନ ଘେନେ ମୋରେ ସ୍ନେହ କରି ॥ ୮୩
ସଖାର ସଖା ଯେହ୍ନେ ସହେ । ପିତାମାତା ବା ଯେହ୍ନେ ପୋଏ ॥ ୮୪
ନୃପେନ୍ଦ୍ର ଶୁଣ ମୋର ବାଣୀ । ମୋତେ ମୁଞ୍ଚିଲେ ଚକ୍ରପାଣି ॥ ୮୫
ମୋହର ପ୍ରିୟସଖା ହରି । ହୃଦୟ ଗଲା ଶୂନ୍ୟ କରି ॥ ୮୬
ଦେଖ ମୋହର ବୀରପଣ । ମାର୍ଗେ ଗୋବିନ୍ଦ-ପତ୍ନୀଗଣ ॥ ୮୭
ଆବୋରି ନ ପାରିଲି ବଳେ । ତକ୍ଷଣେ ଲୁଚିଲେ ଗୋପାଳେ ॥ ୮୮
ସେହି ଗାଣ୍ତୀବଧନୁ ମୋର । ସେହି ଅକ୍ଷୟ ତୂଣଶର ॥ ୮୯
ସେହି ବିମାନ ଅଶ୍ୱ ଦେଖ । କ୍ଷଣକେ ହୋଇଲି ନିରେଖ ॥ ୯୦
ଯାହାର ତେଜେ ନୃପଗଣେ । ନମନ୍ତି ମୋହର ଚରଣେ ॥ ୯୧
ତାର ବିଯୋଗେ ତନୁ କ୍ଷୀଣ । ଦିଗେ ଦିଶନ୍ତି ମୋତେ ଶୂନ୍ୟ ॥ ୯୨
ସେ ପ୍ରାଣବାନ୍ଧବ ବିଯୋଗ । ଭସ୍ମେ ଯେସନେ ହବିର୍ଭାଗ ॥ ୯୩
କୁହୁକ ବସ୍ତୁ ମୁଷ୍ଟିଗତେ । ପ୍ରତ୍ୟକ୍ଷ ନୋହେ ଦୃଷ୍ଟିମାତ୍ରେ ॥ ୯୪
ଉଷର ଭୂମିରେ ରୋପିତ । ବୀଜର ପ୍ରାୟେ ମୁଁ ନିହତ ॥ ୯୫
ଶୁଣ ହେ ନୃପ ଶୁଦ୍ଧଚେତା । ବନ୍ଧୁବାନ୍ଧବଙ୍କ ବାରତା ॥ ୯୬
ଅପରେ ଯେତେ ଯଦୁକୁଳେ । ନିଶ୍ଚିନ୍ତେ ଥିଲେ କୁଶସ୍ଥଳେ ॥ ୯୭
ବ୍ରାହ୍ମଣଶାପ ଅବସାନେ । ମିଳିଲେ ଏରକାର ବନେ ॥ ୯୮
ଚାରୁଣୀମଦ୍ୟ କଲେ ପାନ । ଭୋଳେ ହୋଇଲେ ହତଜ୍ଞାନ ॥ ୯୯
ଏରକା ମୁଷ୍ଟି କରେ ଧରି । ଏକ ଆରେକ ମରାମରି ॥ ୧୦୦
ଆତ୍ମାକୁ ନ ଜାଣନ୍ତି ଭୋଳେ । ନାଶିଲେ ବ୍ରହ୍ମଶାପ ଫଳେ ॥ ୧୦୧
ଏଣୁ ଯାଦବ ବଂଶନାଶ । ରହିଲେ ଚାରିପାଞ୍ଚ ଶେଷ ॥ ୧୦୨
ଈଶ୍ୱର କ୍ରୀଡ଼ା ଏ ଜଗତ । ପ୍ରାଣୀଏ ଈଶ୍ୱର ଆୟତ୍ତ ॥ ୧୦୩
ମାରନ୍ତି ଏକୁ ଆର ବଳେ । ଜଳ ଜନ୍ତୁଏ ଯେହ୍ନେ ଜଳେ ॥ ୧୦୪
ନିର୍ବଳ ଜନ୍ତୁଙ୍କୁ ଗିଳନ୍ତି । ନିଜ ମରଣ ନ ଜାଣନ୍ତି ॥ ୧୦୫
ଦୁର୍ବଳ-ପ୍ରାଣୀଙ୍କି ସବଳେ । ଦର୍ପ ହରନ୍ତି ଅବହେଳେ ॥ ୧୦୬
ଏହି ପ୍ରକାରେ ଯଦୁବଳେ । କଳି ଭିଆଇ ମଦ୍ୟଭୋଳେ ॥ ୧୦୭
ଯଦୁଙ୍କୁ ଯଦୁବଳେ ମାରି । ଭୂମିର ଭାରା ଅପହରି ॥ ୧୦୮
ଗୋବିନ୍ଦ କଲେ କର୍ମ ଯେତେ । ଲୀଳା ବିହାରେ ଏ ଜଗତେ ॥ ୧୦୯
ତା ଦେଶ-କାଳ-ଅର୍ଥଯୁକ୍ତ । ଶୀତଳବାଣୀ ଜନହିତ ॥ ୧୧୦
ସେ ବାଣୀ ସ୍ମରି ମୋର ଚିତ୍ତେ । ପ୍ରାଣ ଦହଇ ଅନ୍ତର୍ଗତେ ॥ ୧୧୧
ସୂତ ଉବାଚ
ଏମନ୍ତେ ପାଣ୍ତବ ଅର୍ଜୁନ । କୃଷ୍ଣ ଚରଣେ ଦେଇ ମନ ॥ ୧୧୨
ସୁହୃଦଭାବେ ଗାଢ଼େ ଚିନ୍ତି । ଲଭିଲା ସୁବିମଳ ଗତି ॥ ୧୧୩
କୃଷ୍ଣ ଚରଣ ଅନୁଧ୍ୟାନେ । ଚିତ୍ତ ନିର୍ମଳ ଶାନ୍ତି ଜ୍ଞାନେ ॥ ୧୧୪
ଥିଲା ଯେ ଅଶେଷ କଳୁଷ । ଭକ୍ତିମନ୍ଥନେ ଗଲା ନାଶ ॥ ୧୧୫
ନିର୍ମଳବୁଦ୍ଧି ପ୍ରକାଶିଲା । ଗୋବିନ୍ଦ ବାକ୍ୟ ସୁମରିଲା ॥ ୧୧୬
ସଂଗ୍ରାମ ମଧ୍ୟେ ରଥେ ରହି । ଯେ ଗୀତା କୃଷ୍ଣଥିଲେ କହି ॥ ୧୧୭
ତାହା ସୁମରି ଶୁଦ୍ଧମନେ । ଶୋକ ଛାଡ଼ିଲା କୃଷ୍ଣ ଧ୍ୟାନେ ॥ ୧୧୮
ପ୍ରକୃତି ଲୀନେ ଗୁଣ ଲିଙ୍ଗ । ସ୍ଥୂଳଶରୀର ସଙ୍ଗଭଙ୍ଗ ॥ ୧୧୯
ତେବେ ଦ୍ୱଇତ ଭାବ ଯାଇ । ଶୋକ-ସମ୍ଭ୍ରମ ଆଉ କାହିଁ ॥ ୧୨୦
ଆପଣା ଅଂଶ ବଂଶ ହରି । ଶ୍ରୀକୃଷ୍ଣ ଗଲେ ନିଜପୁରୀ ॥ ୧୨୧
ଅର୍ଜୁନ ମୁଖୁ ଏହା ଶୁଣି । ନିର୍ବେଦ ନୃପ-ଚୂଡ଼ାମଣି ॥ ୧୨୨
ଆତ୍ମା ନିବୃତ୍ତ ଜ୍ଞାନମାର୍ଗେ । ନିଶ୍ଚୟ କଲେ ସ୍ୱର୍ଗମାର୍ଗେ ॥ ୧୨୩
କୁନ୍ତୀ ଯେ ନିଜପୁରେ ଥିଲା । ଶ୍ରୀକୃଷ୍ଣ ବିଯୋଗ ଶୁଣିଲା ॥ ୧୨୪
ତକ୍ଷଣେ ପାଇ ଦିବ୍ୟଜ୍ଞାନ । ଗୋବିନ୍ଦ ପାଦେ ହେଲା ଲୀନ ॥ ୧୨୫
ଯେ ଦେହ ଭୂମିଭାର ନାଶେ । ଧରି ଜନ୍ମିଲେ ଯଦୁବଂଶେ ॥ ୧୨୬
ଭାରା ନିବାରି ତା ସଂହରେ । କଣ୍ଟକ ଯେହ୍ନେ କଣ୍ଟକରେ ॥ ୧୨୭
ମତ୍ସ୍ୟାଦି ରୂପକୁ ଯେମନ୍ତେ । ଧରି ଛାଡ଼ଇ କାର୍ଯ୍ୟଅନ୍ତେ ॥ ୧୨୮
ଯେସନେ ନଟରୂପ ଧରେ । କ୍ଷଣକୁ କ୍ଷଣ ଆନ କରେ ॥ ୧୨୯
ଭୂଭାର କ୍ଷୟ ଯେ ଦେହେଣ । ସେ ଦେହ କଲେ ଅନ୍ତର୍ଦ୍ଧାନ ॥ ୧୩୦
ଯେବେ ମୁକୁନ୍ଦ ମହୀତେଜି । ସ୍ୱଭାବେ ନିଜଧାମ ଭଜି ॥ ୧୩୧
ଯାର ମହିମା ନରଲୋକେ । ସାଧବେ ଏକକୁ ଆରକେ ॥ ୧୩୨
କହି ତରିଲେ ଭବଜଳୁ । କଳି ଆଗମ ସେହି ବେଳୁ ॥ ୧୩୩
ସକଳ ଦୋଷ ହେତୁ ଯହିଁ । ବେଦ-ପୁରାଣ-ମାର୍ଗେ କହି ॥ ୧୩୪
ମିଳିଲା ନରଲୋକେ ଆସି । ତକ୍ଷଣେ ଗ୍ରାମେଗ୍ରାମେ ପଶି ॥ ୧୩୫
ସକଳ ପୁରେ ପ୍ରାଣୀ ଚିତ୍ତେ । ଲୋଭ କପଟ ଦମ୍ଭମତେ ॥ ୧୩୬
ପ୍ରାଣୀ ହିଂସନ ଧର୍ମନାଶେ । ପ୍ରାଣୀୟେ କଳିର ବିଶ୍ୱାସେ ॥ ୧୩୭
ନିଷ୍ଠୁର ଚିତ୍ତ ସର୍ବଜନ । ତା ଦେଖି ଧର୍ମର ନନ୍ଦନ ॥ ୧୩୮
ସ୍ୱର୍ଗ-ଗମନ ମନେ ଗୁଣି । ତକ୍ଷଣେ ପରୀକ୍ଷିତ ଆଣି ॥ ୧୩୯
ଉତ୍ତମ ରାଜଚିହ୍ନ ଦେଖି । ସକଳ ଗୁଣ ଉପଲକ୍ଷି ॥ ୧୪୦
ଆତ୍ମାର ତୁଲ୍ୟପ୍ରାୟ ମଣି । ଅନେକ ତୀର୍ଥଜଳ ଆଣି ॥ ୧୪୧
ହସ୍ତିନାପୁର ନରଲୋକେ । ସ୍ଥାପିଲେ ନୃପ ଅଭିଷେକେ ॥ ୧୪୨
ଯାଦବବଂଶେ ଶେଷଥିଲା । ବଜ୍ର ଯେ ଅନିରୁଦ୍ଧବଳା ॥ ୧୪୩
ମଥୁରାପୁରେ ଧର୍ମଚାଟେ । ସ୍ଥାପିଲେ ଶୂରସେନପାଟେ ॥ ୧୪୪
ସକଳ ଭୋଗ ଦୂରକରି । ଶରୀର-ବନ୍ଧ ପରିହରି ॥ ୧୪୫
ଆତ୍ମାରେ ଆତ୍ମା-ଅଗ୍ନି ଜାଳି । ସର୍ବ-ବିଷୟ-ଘୃତ ଢାଳି ॥ ୧୪୬
ଜ୍ଞାନଗୋଚରେ ଅଗ୍ନିପାନ । ତକ୍ଷଣେ ଧର୍ମର ନନ୍ଦନ ॥ ୧୪୭
ସର୍ବ ସମ୍ପଦ କରି ଦୂର । ନିର୍ମଳ-ରାଗ-ଅହଙ୍କାର ॥ ୧୪୮
ଅଶେଷ କର୍ମ୍ପାଶ ଛେଦି । ଯୋଗେ ଶରୀରରନ୍ଧ୍ର ରୁନ୍ଧି ॥ ୧୪୯
ବଚନ ମନେ ଲୀନ କରି । ବାୟୁ ଧାରଣେ ମନ ଧରି ॥ ୧୫୦
ବାୟୁ ଧାରଣ ପ୍ରାଣ ଯେହି । ଅପାନେ ତାହାକୁ ମିଶାଇ ॥ ୧୫୧
ଅପାନ ଉତ୍ସର୍ଗ ସହିତ । ଯେ ମାର୍ଗେ ହୋଏ ଅନ୍ତର୍ଗତ ॥ ୧୫୨
ସେ ମୃତ୍ୟୁଦେବକୁ ପଞ୍ଚତ୍ୱେ । ପଞ୍ଚକୁ ପଞ୍ଚରେ ଏକତ୍ୱେ ॥ ୧୫୩
ପୁଣି ପଞ୍ଚକୁ ତିନିଗୁଣେ । ତ୍ରିଗୁଣ ସମସ୍ତ କାରଣେ ॥ ୧୫୪
ତାହାକୁ ଜୀବେ ଦେଇ ସ୍ଥାନ । ଯେଣେ ଜୀବର ପରିତ୍ରାଣ ॥ ୧୫୫
ସକଳ ଗୁଣ ପରିହରି । ଆତ୍ମାରେ ଆତ୍ମା ହୋମକରି ॥ ୧୫୬
ବ୍ରହ୍ମନିର୍ବାଣେ ଥୋଇ ଚିତ୍ତ । ଉତ୍ତରପଥେ ଉପଗତ ॥ ୧୫୭
ଚିରବସନ ନିରାହାର । ମଉନ ମୁକ୍ତକେଶ ଶିର ॥ ୧୫୮
ଜଡ-ଉନ୍ମତ୍ତ-ଜନ ପ୍ରାୟେ । ଲୋକେ ଦେଖାଇ ନିଜକାୟେ ॥ ୧୫୯
ଲୋକ ବଦନକୁ ନ ଚାହିଁ । ଅନ୍ଧ-ବଧିର ପ୍ରାୟ ହୋଇ ॥ ୧୬୦
ହୃଦେ ନିବେଶି ବେନିପାଣି । ଉତ୍ତରଦିଗେ ନୃପମଣି ॥ ୧୬୧
ପୂର୍ବେ ଅଶେଷ ମୁନି ସନ୍ଥେ । ମୋକ୍ଷହୋଇଲେ ଯେଉଁ ପଥେ ॥ ୧୬୨
ପରମବ୍ରହ୍ମ ଚିନ୍ତି ଚିତ୍ତେ । ପ୍ରସ୍ଥାନ କଲେ ସ୍ୱର୍ଗପଥେ ॥ ୧୬୩
ପଛେ ଚଳନ୍ତି ଚାରିଭାଇ । ରାଜାର ଅନୁରୂପ ହୋଇ ॥ ୧୬୪
ପ୍ରଜାଙ୍କୁ କରି ଆଲିଙ୍ଗନ । ହରଷେ ହରି ତାଙ୍କ ମନ ॥ ୧୬୫
ସେ ସାଧୁକୃତ୍ୟ ସତ୍ତ୍ଵ ଗୁଣୀ । ଆତ୍ମାର ହିତ ଚିତ୍ତେ ଜାଣି ॥ ୧୬୬
ମନ ନିବେଶି କୃଷ୍ଣପାଦେ । ବିଷ୍ଣୁ ଭକତି ଯୋଗସାଧେ ॥ ୧୬୭
ନିର୍ମଳ ଚିତ୍ତ ତାହାଙ୍କର । ଗୋବିନ୍ଦେ ଧ୍ୟାନ ନିରନ୍ତର ॥ ୧୬୮
କୃଷ୍ଣ ପାଦେ ଚିତ୍ତ ଦେଲେ । ପରମଗତି ସେ ଲଭିଲେ ॥ ୧୬୯
ଅସତ୍ୟ ଇନ୍ଦ୍ରିୟ ବିଷୟେ । ନିତ୍ୟେ ଯାହାର ଚିତ୍ତ ରହେ ॥ ୧୭୦
ସେ ଯେବେ ପାଦହୃଦେ ଚିନ୍ତି । ସର୍ବକଳୁଷ ନାଶ ଯାନ୍ତି ॥ ୧୭୧
ସେପାଦେ ଲଭଇ ସେ ସ୍ଥାନ । ତାହା ପାଇଲେ ପଣ୍ତୁନାନ ॥ ୧୭୨
ବିଦୁର ଥିଲେ ବନବାସେ । ପ୍ରଭାସତୀର୍ଥେ ମୋକ୍ଷ ଆଶେ ॥ ୧୭୩
ଗୋବିନ୍ଦ-ଚରଣ-କମଳେ । ପ୍ରାଣ ଛାଡ଼ିଲେ ଯୋଗବଳେ ॥ ୧୭୪
ପିତୃଗଣଙ୍କ ସଙ୍ଗେ ମିଶି । ନକ୍ଷତ୍ର ମଧ୍ୟେ ଯେହ୍ନେ ଶଶୀ ॥ ୧୭୫
ନିଜ ଭୁବନେ ବିଜେ କଲେ । ବ୍ରାହ୍ମଣଶାପୁ ନିସ୍ତରିଲେ ॥ ୧୭୬
ତକ୍ଷଣେ ଦ୍ରୁପଦ କୁମାରୀ । ଭର୍ତ୍ତାଙ୍କ ପଥ ଅନୁସରି ॥ ୧୭୭
କୃଷ୍ଣେ ନିବେଶି ପଞ୍ଚପ୍ରାଣ । ପଥେ ଛାଡ଼ିଲେ ନିଜପ୍ରାଣ ॥ ୧୭୮
କହନ୍ତି ସୂତ ଶୁଦ୍ଧଚିତ୍ତେ । ସର୍ବମୁନିଙ୍କ ମଧ୍ୟଗତେ ॥ ୧୭୯
ଏବେ ହୋ ଶୁଣ ବିପ୍ରଜନେ । କୃଷ୍ଣ-ମହିମା ଶୁଦ୍ଧମନେ ॥ ୧୮୦
ଗୋବିନ୍ଦ ଚରଣ କମଳେ । ପଣ୍ତୁକୁମରେ ଭାବଭୋଳେ ॥ ୧୮୧
ସଂସାର ମାୟା ଦୂର କଲେ । ଜଗତ ମଧ୍ୟୁ ନିସ୍ତରିଲେ ॥ ୧୮୨
ପରମ ମଙ୍ଗଳ ଏ ବାଣୀ । ଯେ ପ୍ରାଣୀ ଶୁଦ୍ଧଚିତ୍ତେ ଶୁଣି ॥ ୧୮୩
ଭକତି ଲଭେ କୃଷ୍ଣପାଦେ । ସଂସାରୁ ତରେ ଅପ୍ରମାଦେ ॥ ୧୮୪
କୃଷ୍ଣ-ମହିମା-ସୁଧାରସ । କହିଲା ଜଗନ୍ନାଥ ଦାସ ॥ ୧୮୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପ୍ରଥମସ୍କନ୍ଧେ ପାଣ୍ତବସ୍ୱର୍ଗାରାହଣଂ ନାମ ପଞ୍ଚଦଶୋଽଧ୍ୟାୟଃ ।।
* * *