ପ୍ରଥମ ସ୍କନ୍ଧ
ତ୍ରୟୋଦଶ ଅଧ୍ୟାୟ
ସୂତ ଉବାଚ
ବିଦୁର ତୀର୍ଥଯାତ୍ରା କ୍ରମେ । ମିଳିଲେ ମୈତ୍ରେୟ ଆଶ୍ରମେ ॥ ୧
କେତେହେଁ ଦିନ ତହିଁ ଥାଇ । ଆତ୍ମାର ତତ୍ତ୍ଵଜ୍ଞାନ ପାଇ ॥ ୨
ହସ୍ତିନା ନଗରେ ବିଶ୍ୱାସେ । ମିଳିଲେ ଯୁଧିଷ୍ଠିର ପାଶେ ॥ ୩
ଜାଣିବା ପାଇଁ ତାର ଗତି । ସ୍ୱଭାବେ ସାଧୁ ଧୀରମତି ॥ ୪
ମୈତ୍ରେୟ ଆଗେ ଯେବା ପ୍ରଶ୍ନ । କରି ପାଇଲେ ଆତ୍ମଜ୍ଞାନ ॥ ୫
ତେଣୁ ଗୋବିନ୍ଦେ ଭକ୍ତି ଜାତ । କେବଳ ନାହିଁ ଶତ୍ରୁମିତ୍ର ॥ ୬
ବିଦୁର ଦେଖି ଧର୍ମସୁତ । ବନ୍ଧୁ ଆଗମେ କୃତକୃତ୍ୟ ॥ ୭
ସଙ୍ଗତେ ଘେନି ଚାରିଭାଇ । ନମିଲେ ଆସନେ ବସାଇ ॥ ୮
ଯୁଯୁସୁ ଧୃତରାଷ୍ଟ୍ର ସୂତ । ସଙ୍ଗତେ ଘେନି ଶାରଦ୍ ବତ ॥ ୯
ଗାନ୍ଧାରୀ ଦ୍ରୌପଦୀ ସହିତେ । ସୁଭଦ୍ରା ଉତ୍ତରା ସମେତେ ॥ ୧୦
ଆଗେ ଗମନ୍ତି ଦେବୀକୁନ୍ତୀ । ଅନ୍ୟେ ସୁହୃଦ-ବନ୍ଧୁ-ଜ୍ଞାତି ॥ ୧୧
ପଣ୍ତୁର ଯେତେ ବନ୍ଧୁଜନେ । ମିଳିଲେ ହରଷ ବଦନେ ॥ ୧୨
ପ୍ରାଣକୁ ପାଇ ତନୁ ଯେହ୍ନେ । ପୁଣି ଉଠଇ ଦିବ୍ୟଜ୍ଞାନେ ॥ ୧୩
ସକଳେ ମିଳି ତାର ପାଶେ । ବନ୍ଦିଲେ ଯେ ଯାହା ବିଶ୍ୱାସେ ॥ ୧୪
ଅନାଇ ବିଦୁର ବଦନ । ଆନନ୍ଦେ ଅଶ୍ରୁଜଳ ପୂର୍ଣ୍ଣ ॥ ୧୫
ସକଳ ପୂଜାବିଧି କରି । ରାଜନ କରେ କର ଧରି ॥ ୧୬
ବିଦୁରେ ବସାଇ ଆସନେ । ପାଶେ ଭୁଞ୍ଜଇ ସୁଖମନେ ॥ ୧୭
ତାର ବଦନ ରାଜା ଚାହିଁ । ଆନନ୍ଦେ ଘେନି ଚାରିଭାଇ ॥ ୧୮
ଉଚ୍ଚେ ପଚାରି ପ୍ରୀତିବାଣୀ । ଯେମନ୍ତେ ସର୍ବଲୋକେ ଶୁଣି ॥ ୧୯
ଯୁଧିଷ୍ଠିର ଉବାଚ
ହେ ତାତ କହୁଁ ତୋ ଅଗ୍ରତେ । ଆମ୍ଭ କୁଶଳ ତୋର ଚିତ୍ତେ ॥ ୨୦
ସ୍ମରଣ କରୁ ତୀର୍ଥଭ୍ରମେ । ବନଗହନ ବହୁଶ୍ରମେ ॥ ୨୧
ତୁମ୍ଭର ଛାୟା ଆଶ୍ରେ କରି । ସକଳ କଷ୍ଟହିଁ ପାଶୋରି ॥ ୨୨
ବିପଦ-ଦଶା ଯେତେ ହୋଇ । ବନେ ବଞ୍ଚିଲୁ ପାଞ୍ଚଭାଇ ॥ ୨୩
ମାତା ସହିତେ ଜତୁଘରେ । ଅଗ୍ନି ଦହନ ମହାଘୋରେ ॥ ୨୪
ବିଷଭକ୍ଷଣ ଆଦି ଯେତେ । ତୋ ଆଗେ କହିବି ମୁଁ କେତେ ॥ ୨୫
ଅନେକ ଆପଦ ପ୍ରମାଦୁ । ବଞ୍ଚିଲୁ ତୁମ୍ଭର ପ୍ରସାଦୁ ॥ ୨୬
ତୁ ଆମ୍ଭ ସ୍ନେହ ଦୂର କରି । ଭ୍ରମଣ କଲୁ ବସୁନ୍ଧରୀ ॥ ୨୭
ଉଦାସୀ ପଥିକ ଲକ୍ଷଣେ । ଏକା ତୁ ବୁଲୁ ବନେ-ବନେ ॥ ୨୮
କିପରି ପ୍ରାଣ ରକ୍ଷା କରୁ । ଏ ପଥଶ୍ରମ କେହ୍ନେ ହରୁ ॥ ୨୯
ଭ୍ରମିଲୁ ଅବନୀ ମଣ୍ତଳେ । ତୀର୍ଥ-ଆଶ୍ରମ ପୁଣ୍ୟସ୍ଥଳେ ॥ ୩୦
ତୋହର ପ୍ରାୟେ ସାଧୁ ଯେତେ । ପବିତ୍ର ଦେହେ ସର୍ବତୀର୍ଥେ ॥ ୩୧
ଭ୍ରମି କରନ୍ତି ପୁଣ୍ୟତର । ଯାହାଙ୍କ ଚିତ୍ତେ ଚକ୍ରଧର ॥ ୩୨
ତୁ ଯେ ସ୍ୱଭାବେ ପୁଣ୍ୟଦେହ । ପ୍ରସନ୍ନ ଚିତ୍ତେ ତାତ କହ ॥ ୩୩
ଯାଦବ ସଙ୍ଗେ ବନମାଳୀ । ସୂଖେ କି ଛନ୍ତି କୁଶସ୍ଥଳୀ ॥ ୩୪
ତାହାର ଭଲେ ଭଲ ମୋର । ସେ ହରି ଶରଣ-ସୋଦର ॥ ୩୫
ସୁଖେ ଅଛନ୍ତି କି ଯାଦବେ । ଭୋ ତାତ ପଚାରୁ ପ୍ରସ୍ତାବେ ॥ ୩୬
ଏମନ୍ତେ ରାଜା ବାକ୍ୟ ଶୁଣି । ବିଦୁର ମନେମନେ ଗୁଣି ॥ ୩୭
ସୁହୃଦ ଭାବେ ଭୟ କଲା । ଯାଦବ କ୍ଷୟ ନ କହିଲା ॥ ୩୮
ବିଚାରେ କହିବି ମୁଁ ଯେବେ । ଜୀବନ ଛାଡ଼ିବେ ପାଣ୍ତବେ ॥ ୩୯
କେମନ୍ତେ ଦେଖିବି ମୁଁ ଏହା । ଏତେ ବିଚାରି କଲା ମାୟା ॥ ୪୦
ନ କହେ ଯଦୁବଂଶ ନାଶ । ନିର୍ଘାତେ ଛାଡ଼ିଲା ନିଃଶ୍ୱାସ ॥ ୪୧
ଉର୍ଦ୍ଧ୍ୱ-ବଦନେ ସେ ବିଦୁର । କପଟେ କହଇ ମଧୁର ॥ ୪୨
ସର୍ବ-କୁଶଳ ଯା ପ୍ରସାଦେ । କୃଷ୍ଣ ଅଛନ୍ତି ଅପ୍ରମାଦେ ॥ ୪୩
ଏମନ୍ତେ ରାଜା ଆଗେ କହି । କେତେହେଁ ଦିନ ପୁରେ ରହି ॥ ୪୪
ଜ୍ୟେଷ୍ଠଭ୍ରାତାର ଶ୍ରେୟ ଅର୍ଥେ । ସର୍ବଜନଙ୍କ ପ୍ରୀତିମତେ ॥ ୪୫
ନିତ୍ୟେ ଆନନ୍ଦ ଧର୍ମରାଜା । ବିଦୁର-ପାଦେ କରେ ପୂଜା ॥ ୪୬
ରାତ୍ର-ଦିବସ ତାର ସଙ୍ଗେ । ଧର୍ମନନ୍ଦନ ଅନୁରାଗେ ॥ ୪୭
ଅଶେଷ ତୀର୍ଥଙ୍କ ମହିମା । କେ କହିପାରେ ଗୁଣସୀମା ॥ ୪୮
ସର୍ବ କହିଲା ସୁଖ ମନେ । ଏବେ ହୋ ଶୁଣ ବିପ୍ରଜନେ ॥ ୪୯
ମାଣ୍ତବ୍ୟ ଠାରୁ ଶାପ ପାଇ । ଯମ ବିଦୁର ଦେହ ବହି ॥ ୫୦
ଶତେ ବରଷ ଶୂଦ୍ର ଦେହେ । ବଞ୍ଚିଲା ବିଷ୍ଣୁ-ମାୟା-ମୋହେ ॥ ୫୧
ପାପୀଙ୍କ ଦଣ୍ତେ ଅଧିକାର । କରନ୍ତି ଦେବ ଦିନକର ॥ ୫୨
କୁଳରକ୍ଷକ ପରୀକ୍ଷିତ । ଜାଣି ନିଶ୍ଚିନ୍ତ ଧର୍ମସୁତ ॥ ୫୩
ଏବେ ପାଣ୍ତବ ପାଞ୍ଚଭାଇ । ରିପୁ ସଂହାରି ରାଜ୍ୟ ପାଇ ॥ ୫୪
ଗୃହ କରଣେ ଚିତ୍ତ ଜଡ଼ି । ବିଷ୍ଣୁର ମାୟାମୋହେ ପଡ଼ି ॥ ୫୫
ରାଜ୍ୟ କରନ୍ତେ ଧର୍ମସୁତ । ମିଳିଲା କାଳ ବିପରୀତ ॥ ୫୬
କେହି ନ ଜାଣେ ଗତି ତାର । ସ୍ୱଭାବେ ଅବ୍ୟକ୍ତ ଈଶ୍ୱର ॥ ୫୭
ଧୂମ ପୂରିଲା ଦଶଦିଶେ । ବିଦୁର ଦେଖି ମହାତ୍ରାସେ ॥ ୫୮
ବସିଲା ଧୃତରାଷ୍ଟ୍ର ମେଳେ । ବିଶ୍ୱାସେ କହେ କର୍ଣ୍ଣମୂଳେ ॥ ୫୯
ହେ ଭ୍ରାତ ଶୁଣ ମୋ ଉତ୍ତର । ଚଳ ତୁ ବେଗେ ତେଜି ପୁର ॥ ୬୦
କାଳ ମିଳିଲା ଭୟଙ୍କର । ଦିଶ-ଆକାଶ ଅନ୍ଧକାର ॥ ୬୧
ଏଥକୁ ପ୍ରତିକ୍ରିୟା ନାହିଁ । ଅବ୍ୟକ୍ତ ରୂପ ଯାରଦେହୀ ॥ ୬୨
ଦ୍ୱାପର ଯୁଗ ଶେଷ ହେଲା । ଏ କଳିକାଳ ପ୍ରକାଶିଲା ॥ ୬୩
ଆମ୍ଭର ପ୍ରାଣ ଏ ହରିବ । ଏହାକୁ କେବା ନିବାରିବ ॥ ୬୪
ଜନ ସମ୍ପଦ ମହୀତଳେ । ସଂହାର କରିବ ଏ ବଳେ ॥ ୬୫
ଦେବ ଦାନବ ମହାବଳ । ବୃଦ୍ଧ ପ୍ରତାପୀ ଯୁବା ବାଳ ॥ ୬୬
ଯାହାର ଦରଶନ ମାତ୍ରେ । କଦଳୀବନ ଯେହ୍ନେ ବାତେ ॥ ୬୭
ଭୟେ କମ୍ପନ୍ତି ଥରହର । କାତରେ ନେତ୍ରୁ ବହେ ନୀର ॥ ୬୮
ଅନିତ୍ୟ ଏ ମନୁଷ୍ୟ ଦେହୀ । ସାର ଏହାର କିଛି ନାହିଁ ॥ ୬୯
ଏ ଦେହେ ଯେ ମୁକ୍ତ-ବନ୍ଧନ । ତାହାକୁ ବୋଲି ମହାଜନ ॥ ୭୦
ଦେଖ ତୋହର କର୍ମଫଳ । ନାଶିଲେ ଭ୍ରାତୃ ପୁତ୍ର ବଳ ॥ ୭୧
ଆୟୁଷ ତୋର ଶେଷ ହେଲା । ମରଣ ନିକଟ ହୋଇଲା ॥ ୭୨
ଅତି ଦୁଃଖିତ ବୃଦ୍ଧଦେହେ । ତୋର ନିବାସ ପର ଗୃହେ ॥ ୭୩
ବିଶେଷେ ଚକ୍ଷୁହୀନ ତୁହି । ବଧିର ବୁଦ୍ଧି ଆର କାହିଁ ॥ ୭୪
ବିଶୀର୍ଣ୍ଣ ଦନ୍ତ ତୋ ଅଧର । କଫେ ଜଡ଼ିତ କଣ୍ଠସ୍ୱର ॥ ୭୫
ଅନ୍ତରେ ଅଗ୍ନି ମନ୍ଦ ହୋଇ । ଅନ୍ନ-ଭୋଜନ ନ ଜୀରଇ ॥ ୭୬
ପ୍ରାଣୀ ଜୀବିତ ଆଶା ଯେତେ । କେ ତାକୁ କରିବ ଆୟତ୍ତେ ॥ ୭୭
ଯେଉଁ ଭୀମର ଗଦାଘାତେ । ସମରେ ନଶିଲେ ତୋ ସୁତେ ॥ ୭୮
ତାର ବର୍ଜିତ ପିଣ୍ତେ ଆଶା । ଶ୍ୱାନର ପ୍ରାୟେ ତୋ ଭରସା ॥ ୭୯
କୁମନ୍ତ୍ରୀଜନ ସଙ୍ଗେ ଭାଳି । ତୋର କୁମରେ କଲେ କଳି ॥ ୮୦
ପଣ୍ତୁର ପଞ୍ଚପୁତ୍ର ମାରି । ସୁଖେ ଭୁଞ୍ଜିବା ରାଜ୍ୟଶିରୀ ॥ ୮୧
ଦୁଷ୍ଟଙ୍କ ସଙ୍ଗେ ବିଚାରିଲେ । ଭୀମକୁ ବିଷଲଡ଼ୁ ଦେଲେ ॥ ୮୨
ସେ ଭୀମ କେବେହେଁ ନମଲା । ତାହାକୁ ଗୋବିନ୍ଦ ରଖିଲା ॥ ୮୩
ଜତୁର ଘରେ ଅଗ୍ନି ଦେଲେ । ସେ ବେଳେ ପାଣ୍ତବେ ନ ମଲେ ॥ ୮୪
ପୁଣି କପଟପଶା କରି । ଧନ ସମ୍ପଦ ଅପହରି ॥ ୮୫
ଦ୍ରୌପଦୀ କେଶ ଧରି ବଳେ । ବିବସ୍ତ୍ର କଲେ ସଭା ତଳେ ॥ ୮୬
ଏ ଆଦି ଯେତେ କର୍ମ କଲେ । ତୁ ତାହା ଶୁଣିଅଛୁ ଭଲେ ॥ ୮୭
ସେ କିମ୍ପା ତାଙ୍କ ଚିତ୍ତୁ ଯିବ । ମନୁଷ୍ୟ ଜନ୍ମର ସ୍ୱଭାବ ॥ ୮୮
ତାହାଙ୍କ ଦତ୍ତ ପିଣ୍ତ ଖାଇ । ସେବକ ପ୍ରାୟ ଗୃହେ ଥାଇ ॥ ୮୯
ତୋର ବୟସ ଆଉ କାହିଁ । ଅତି ପୀଡ଼ିତ ବୃଦ୍ଧଦେହୀ ॥ ୯୦
ଦିନକୁ ଦିନ ତନୁ କ୍ଷୀଣ । ଯେସନେ ପୁରୁଣା ବସନ ॥ ୯୧
ଏ ଦେହେ ବିରକ୍ତ ଯେ ଜନ । ସେ ପ୍ରାଣୀ ବିମୁକ୍ତ-ବନ୍ଧନ ॥ ୯୨
ଅନିତ୍ୟ ନର-କଳେବର । ଭିତରେ କିଛି ନାହିଁ ସାର ॥ ୯୩
ଏହା ବିଚାରି ଯୋଗବଳେ । ହରି ଭକତ ସଙ୍ଗ ମେଳେ ॥ ୯୪
ନିର୍ବେଦ ହୋଇ ଚଳେ ବନ । ସେ ପ୍ରାଣୀ ପୁରୁଷ ଉତ୍ତମ ॥ ୯୫
ତୁ ବୁଧଜନଙ୍କ ଉତ୍ତମ । ଏବେ ତୁ ଛାଡ଼ ମତିଭ୍ରମ ॥ ୯୬
ଉତ୍ତର-ପଥେ ଚଳ ବେଗେ । ପତ୍ନୀ ସମେତେ ମୋର ସଙ୍ଗେ ॥ ୯୭
ମୁହିଁ ଉଦାସୀପଣେ ବନେ । ସେବିବି ତୋତେ ଅନୁକ୍ଷଣେ ॥ ୯୮
ଦେଖ ଏ କାଳ ଭୟଙ୍କର । ଶିରୀ ହରିବ ପ୍ରାଣୀଙ୍କର ॥ ୯୯
ଏମନ୍ତେ ବିଦୁରର ବାଣୀ । ସେ ଅନ୍ଧ ଧୃତରାଷ୍ଟ୍ର ଶୁଣି ॥ ୧୦୦
ତକ୍ଷଣେ ମୋହ ଜଡ଼ ଛାଡ଼ି । ବନ ଗମନେ ଚିତ୍ତ ବଢ଼ି ॥ ୧୦୧
ବିଷ୍ଣୁର ମାୟା କରି ଦୂର । ନବରୁ ହୋଇଲା ବାହାର ॥ ୧୦୨
ପତିର ବନବାସ କଥା । ଶୁଣି ସାନନ୍ଦେ ପତିବ୍ରତା ॥ ୧୦୩
ବିଦୁର କନ୍ଧେ ଦେଇ କର । ନଗରୁ ହୋଇଲେ ବାହାର ॥ ୧୦୪
ମନ ଆନନ୍ଦେ ବେନିଜନେ । ପଶିଲେ ହିମାଳୟ-ବନେ ॥ ୧୦୫
କ୍ଷତ୍ରିୟ ଯେହ୍ନେ ମହାଯୁଦ୍ଧେ । ପଶଇ ମନର ସାନନ୍ଦେ ॥ ୧୦୬
ଏବେ ହୋ ଶୁଣ ମୁନିବରେ । ଧର୍ମନନ୍ଦନ ନିଜ ଘରେ ॥ ୧୦୭
ସନ୍ଧ୍ୟାଦି ନିତ୍ୟକର୍ମ ସାରି । ଅଗ୍ନି ପୂଜନ ଦାନ କରି ॥ ୧୦୮
ଗୁରୁ-ବନ୍ଦନ ପୂଜା ଅର୍ଥେ । ଗୃହେ ପଶିଲେ କୃତକୃତ୍ୟେ ॥ ୧୦୯
ଗୁରୁ-ଭୁବନେ ଯାଇ ମିଳି । ହସ୍ତରେ ଘେନି ଅର୍ଘ୍ୟସ୍ଥାଳୀ ॥ ୧୧୦
ତକ୍ଷଣେ ଦେଖି ଶୂନ୍ୟଘର । କାତର ମନେ ନୃପବର ॥ ୧୧୧
ପୁଚ୍ଛିଲେ ସଞ୍ଜୟକୁ ଚାହିଁ । ମୋ ଗୁରୁଜନେ ଗଲେ କାହିଁ ॥ ୧୧୨
କେହି ନ ଶୁଣନ୍ତି ବଚନ । ଭୟେ ଚାହାନ୍ତି ଛନ୍ନଛନ୍ନ ॥ ୧୧୩
ପୁଣି ବୋଲନ୍ତି ଜନେ ଚାହିଁ । ତାତ ଜନନୀ ଗଲେ କାହିଁ ॥ ୧୧୪
ବିଦୁର ନାହିଁ ମୋର ପାଶେ । ତାତ ଜନନୀ ମୋ ନ ଦିଶେ ॥ ୧୧୫
ଲୋଚନେ ନ ଦିଶଇ ପଥ । ଦଇବେ ବୟସେ ବୃଦ୍ଧତ୍ୱ ॥ ୧୧୬
ପୁତ୍ରଙ୍କ ମରଣେ ଦୁଃଖିତ । କେବଣ ଦେଶେ ଉପଗତ ॥ ୧୧୭
ନ ପୁଣ ପୁତ୍ର-ଶୋକ-ଜାଳେ । ପ୍ରାଣ ଛାଡ଼ିଲେ ଗଙ୍ଗାଜଳେ ॥ ୧୧୮
ବନ୍ଧୁ ସୁହୃଦ ପୁତ୍ର ନାଶେ । ମୋର ଜନନୀ ତାତ ତ୍ରାସେ ॥ ୧୧୯
ଦୁଃଖସାଗରେ ନିମଜ୍ଜିଲେ । ମୋର ଦୁଷ୍କୃତ-କର୍ମ ଫଳେ ॥ ୧୨୦
ସୂତ ଉବାଚ
ଧର୍ମନନ୍ଦନ ବାକ୍ୟ ଶୁଣି । ସାରଥି ନ କହିଲା ବାଣୀ ॥ ୧୨୧
ନ ଦେଖି ଧୃତରାଷ୍ଟ୍ର ପାଶେ । ଅତି ପୀଡ଼ିତ ସ୍ନେହ ବଶେ ॥ ୧୨୨
ବିରହ ଦୁଃଖରେ ବିକଳ । ନୟନୁ ବହେ ଅଶ୍ରୁଜଳ ॥ ୧୨୩
ପୁଣି ସେ ମନେ ଧୈର୍ଯ୍ୟ ଧରି । ହସ୍ତେ ପୋଛିଲା ନେହୁ ବାରି ॥ ୧୨୪
ଧୃତରାଷ୍ଟ୍ରର ଯେ ବିଯୋଗ । କହଇ ଯୁଧିଷ୍ଠିର ଆଗ ॥ ୧୨୫
ସଞ୍ଜୟ ଉବାଚ
ଶୁଣ ହେ ନୃପ-ଚୂଡ଼ାମଣି । ତୋହର ପିଅର ଜନନୀ ॥ ୧୨୬
ରଜନୀ କାଳେ ଗଲେ କାହିଁ । ସର୍ବଥା ନ ଜାଣଇ ମୁହିଁ ॥ ୧୨୭
ମୋର ଜୀବନ ଦୁଃଖ ଭରେ । ମଜ୍ଜିଲା ବୃଜିନ-ସାଗରେ ॥ ୧୨୮
ଏମନ୍ତେ କହୁଁ ମନ ଖେଦ । ଗଗନେ ଶୁଭେ ବୀଣାନାଦ ॥ ୧୨୯
ଶୁଣି ଚାହିଁଲେ ଅନ୍ତରୀକ୍ଷେ । ନାରଦ ଦିଶିଲେ ପ୍ରତ୍ୟକ୍ଷେ ॥ ୧୩୦
ତୁମ୍ବୁରୁ ଅଛି ତାଙ୍କ ସଙ୍ଗେ । ବୀଣା-ବିନୋଦ ବାଦ୍ୟରଙ୍ଗେ ॥ ୧୩୧
ନାଦେ ଗୋବିନ୍ଦ ଗୁଣ ଗାଇ । ପୁଲକ ରୋମପନ୍ତି ବହି ॥ ୧୩୨
ଆନନ୍ଦେ ଅଶ୍ରୁଜଳ ପୂରେ । ମିଳିଲେ ରାଜାର ଛାମୁରେ ॥ ୧୩୩
ଦେଖି ସମ୍ଭ୍ରମେ ନୃପମଣି । ଅନୁଜ ସଙ୍ଗେ ପାଦେ ନମି ॥ ୧୩୪
ମୁନିଙ୍କି ଆସନେ ବସାଇ । ବେନି ଚରଣ କରେ ଧୋଇ ॥ ୧୩୫
ଚରଣ ପୂଜି ବିଧିମତେ । କହନ୍ତି ନାରଦ ଅଗ୍ରତେ ॥ ୧୩୬
ଯୁଧିଷ୍ଠିର ଉବାଚ
ଭୋ ବ୍ରହ୍ମମୁନି ଶୁଣ ଭଲେ । ମୋ ତାତମାତ କେଣେ ଗଲେ ॥ ୧୩୭
ମୋର କରମ ଦୁଃଖ ଶୁଣ । ଭୋ ମୁନି ତୁମ୍ଭେ ଭଲେ ଜାଣ ॥ ୧୩୮
ଚକ୍ଷୁ ବିହୀନେ ଘୋରବନେ । ଜୀବନ ଧରିବେ କେସନେ ॥ ୧୩୯
ଗଭୀର-ଜଳେ ନାବ ଥୋଇ । ନାବିକ ଯେସନେ ପଳାଇ ॥ ୧୪୦
ତେମନ୍ତେ କରିଗଲେ ମୋତେ । ଅଧିକ କହିବି ମୁଁ କେତେ ॥ ୧୪୧
ଏ ଶୋକ-ସାଗର ଅପାର । ପାରକ ତୁମ୍ଭେ କର୍ଣ୍ଣଧାର ॥ ୧୪୨
ରାଜନ ଶୋକବାଣୀ ଶୁଣି । ମୁନି କହନ୍ତି ଯୋଗବାଣୀ ॥ ୧୪୩
ନାରଦ ଉବାଚ
ଭୋ ନୃପ ଶୋକ ତୁ ନକର । ଈଶ୍ୱର ମାୟା ଏ ସଂସାର ॥ ୧୪୪
ପ୍ରାଣୀ ଭିଆଇ ମାୟାଯୋଗେ । ଖେଳଇ ସଂଯୋଗ-ବିଯୋଗେ ॥ ୧୪୫
ଗୋରୁ ନାସିକା ଯେହ୍ନେ ବିନ୍ଧି । ଆକର୍ଷି ଚର୍ମରଜ୍ଜୁ ବାନ୍ଧି ॥ ୧୪୬
ସେ ପ୍ରାଣୀ ଯେହ୍ନେ ଭାରା ବହେ । ଅନ୍ତରେ ଦୁଃଖ ଖେଦ ସହେ ॥ ୧୪୭
କ୍ରୀଡ଼ା-କନ୍ଦୁକ କ୍ରୀଡ଼ାରଙ୍ଗେ । ଭ୍ରମଇ ସଂଯୋଗେ ବିଯୋଗେ ॥ ୧୪୮
ଯେ ଦାନ ପଡ଼ଇ ଯେମନ୍ତେ । କନ୍ଦୁକ ଚଳେ ସେହିମତେ ॥ ୧୪୯
ସଂସାର ଈଶ୍ୱରର ଇଚ୍ଛା । ଏ ଭବପଥ ଗୁରୁଦୀକ୍ଷା ॥ ୧୫୦
ତୁ ରାଜା ତୋତେ ହେଁ ନ ଜାଣୁ । ସଂସାର ସତ୍ୟ ପ୍ରାୟ ମଣୁ ॥ ୧୫୧
ସତ୍ୟ କି ମିଥ୍ୟା ବେନିପଥେ । ଶୋକ ନ କରି ପାରୁ ଚିତ୍ତେ ॥ ୧୫୨
ଯଦି ତୁ ଜୀବ ସତ୍ୟ ମଣୁ । ଦେହ ଅନିତ୍ୟ ପରିମାଣୁ ॥ ୧୫୩
ଅଥବା ବ୍ରହ୍ମଭାବ ବହୁ । ସ୍ନେହ ଛାଡ଼ିଲେ ଶୋକ କାହୁଁ ॥ ୧୫୪
ଏଣୁ ଅଜ୍ଞାନ ଜଡ଼ମତି । ବ୍ୟାକୁଳ ଛାଡ଼ ହେ ନୃପତି ॥ ୧୫୫
ତୁ ଯେ ବିଚାରୁ ସ୍ନେହଭାବେ । ମୋ ବିନେ କେମନ୍ତେ ବଞ୍ଚିବେ ॥ ୧୫୬
ଏ ଦେହ ପଞ୍ଚଭୂତେ ଜଡ଼ି । ଅବିଦ୍ୟା କାଳକର୍ମେ ପଡ଼ି ॥ ୧୫୭
ଆପଣା ଦୁଃଖେ ନିତ୍ୟ ଦୁଃଖୀ । ଏ କାହିଁ ପରପ୍ରାଣ ରଖି ॥ ୧୫୮
ଉରଗ ଗିଳିଛି ଯାହାକୁ । ସେ କାହିଁ ରଖିବ ଆନକୁ ॥ ୧୫୯
ଦେଖ ପ୍ରତ୍ୟକ୍ଷେ ନୃପବର । ବିଷ୍ଣୁର ମାୟା-ଖେଳଘର ॥ ୧୬୦
ସ୍ୱଭାବେ ନାହିଁ ଯାର ହସ୍ତ । ହସ୍ତ ଥିଲାର ସେ ଆୟତ୍ତ ॥ ୧୬୧
ଦ୍ୱିପଦ ଚତୁଷ୍ପଦ ଯେତେ । ନି ଦେ ତାହାଙ୍କ ଆୟତ୍ତେ ॥ ୧୬୨
ବଡ଼ଙ୍କ ଭକ୍ଷ୍ୟ ହୋନ୍ତି ସାନେ । ସେ ନାଶ ଯାନ୍ତି ଅନ୍ୟେ ଅନ୍ୟେ ॥ ୧୬୩
ଏ ଜୀବ ଜୀବଙ୍କ ଆହାର । କେବଳ ନିର୍ବଳ ବିଚାର ॥ ୧୬୪
ସେ ହରି ନିତ୍ୟ ବିଶ୍ୱରୂପେ । ନର ଶରୀରେ ମୋହକଳ୍ପେ ॥ ୧୬୫
ଏକଇ ଆତ୍ମା ନରହରି । ଭାବେ ଅଶେଷ ଦେହେ ପୂରି ॥ ୧୬୬
ଅନ୍ତର ବାହାରେ ପ୍ରକାଶ । ସେ ଭୋଗ୍ୟ ଭୋକ୍ତା ହୃଷୀକେଶ ॥ ୧୬୭
ଏ ମାୟା ଦୁରନ୍ତ ତାହାର । କେ କରି ପାରିବ ଗୋଚର ॥ ୧୬୮
ଭାରା ନିବାରେ ତନୁ ଧରି । ଦୁର୍ଜନ ସମୂହ ସଂହାରି ॥ ୧୬୯
ନିଜ ଜନଙ୍କୁ ରକ୍ଷା କରେ । ଏମନ୍ତେ ସଂସାରେ ବିହରେ ॥ ୧୭୦
ଦେବଙ୍କ କାର୍ଯ୍ୟ କରି ତୋଷେ । ଏବେ ବର୍ତ୍ତଇ ଅବଶେଷେ ॥ ୧୭୧
ଯାବତ ଥିବ ଚକ୍ରଧର । ତାବତ ତୁମ୍ଭ ଅଧିକାର ॥ ୧୭୨
ଏବେ ହୋ ଶୁଣ ମହାରଥା । ତୋ ତାତ-ଜନନୀ ବ୍ୟବସ୍ଥା ॥ ୧୭୩
ବିଦୁର ଧୃତରାଷ୍ଟ୍ର ବେନି । ସଙ୍ଗତେ ପତିବ୍ରତା ଘେନି ॥ ୧୭୪
ସେ ହିମବନ୍ତର ଦକ୍ଷିଣେ । ଋଷି ଆଶ୍ରମ ଘୋରବନେ ॥ ୧୭୫
ଯେ ସପ୍ତସ୍ରୋତ ସୁରନଦୀ । ଭରତଖଣ୍ତେ ଯେ ପ୍ରସିଦ୍ଧି ॥ ୧୭୬
ସେ ଜଳେ ନିତ୍ୟେ କରି ସ୍ନାନ । ଅନଳେ କରି ହୋମଦାନ ॥ ୧୭୭
କେବଳ ଜଳ-ଗ୍ରାସ ଭକ୍ଷି । ଶରୀରେ ଜୀବଆତ୍ମା ରଖି ॥ ୧୭୮
ବିଗତରାଗ ଇନ୍ଦ୍ରିଗଣେ । ପ୍ରଣବେ ନିଃଶ୍ୱାସ ଧାରଣେ ॥ ୧୭୯
ଦୃଢ଼ ଆସନେ ବସି ଧୀରେ । ଷଡ଼ ଇନ୍ଦ୍ରିୟ ପରିହରେ ॥ ୧୮୦
ସର୍ବ ବିଷୟ ରସ ତେଜି । ହରି ଚରଣ ଭାବେ ଭଜି ॥ ୧୮୧
ମନ ଛଡ଼ାଇ ତିନିଗୁଣେ । ସମାଧି ଗୋବିନ୍ଦ ଚରଣେ ॥ ୧୮୨
ବିଜ୍ଞାନ ଆତ୍ମା ଜ୍ଞାନେ ଭରି । ଜୀବ ପରମ ଏକ କରି ॥ ୧୮୩
ପ୍ରବେଶି ଅନାହତ ପୁରେ । ଗୋବିନ୍ଦ ନାମ ଧରି ଧୀରେ ॥ ୧୮୪
ଗଗନେ ଗମନ ପ୍ରବେଶ । କି ଅବା ରହେ ଅବଶେଷ ॥ ୧୮୫
ତ୍ରିଗୁଣ ମାୟା ନାଶ କରି । ବସଇ ଇନ୍ଦ୍ରିୟ ସଂହରି ॥ ୧୮୬
ସର୍ବବିଷୟ ଯୋଗବଳେ । ନିବାରି ଆସନ ନିଶ୍ଚଳେ ॥ ୧୮୭
ନିଶ୍ଚଳ ସ୍ଥାଣୁ ପ୍ରାୟ ଲକ୍ଷି । କେ ଅବା ତାରେ ବିଘ୍ନ ଇଚ୍ଛି ॥ ୧୮୮
ଆଜହୁଁ ପଞ୍ଚଦିନ ଅନ୍ତେ । ପ୍ରାଣ ଛାଡ଼ିବେ ଯୋଗପଥେ ॥ ୧୮୯
ରଜନୀ କାଳେ ବୃକ୍ଷମୂଳେ । ପବନ ଯୋଗେ ଦାବାନଳେ ॥ ୧୯୦
ଦହନ ହୋଇବ ଶରୀର । ତା ପତ୍ନୀ ଥିବ ଯେ ବାହାର ॥ ୧୯୧
ତକ୍ଷଣେ ସ୍ୱାମୀ ଧରି କୋଳେ । ଦହନ ହୋଇବ ଅନଳେ ॥ ୧୯୨
ତା ଦେଖି ବିଦୁର ଶରୀର । ହରଷ ଶୋକରେ କାତର ॥ ୧୯୩
ହୃଦେ ସୁମରି ନରହରି । ବେଗେ ସେ ବନୁ ଅପସରି ॥ ୧୯୪
ତୀର୍ଥ ସେବନେ ଆଗମନ । କରିବ ଶୁଣ ହେ ରାଜନ ॥ ୧୯୫
ଏମନ୍ତେ ରାଜା ଆଗେ କହି । ତୁମ୍ବୁରୁ ତୁଲେ ବୀଣା ବାଇ ॥ ୧୯୬
ଆକାଶ ମାର୍ଗେ ଗଲେ ମୁନି । ଧର୍ମନନ୍ଦନ ତାହା ଶୁଣି ॥ ୧୯୭
ତତ୍ତ୍ଵବଚନ ହୃଦେ ଧରି । ସର୍ବ ସଂଶୟ ଦୂର କରି ॥ ୧୯୮
ରାଜ୍ୟ ପାଳନେ ଦୃଢ଼ ଚିତ୍ତ । କହଇ ଦାସ ଜଗନ୍ନାଥ ॥ ୧୯୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ନାମ ତ୍ରୟୋଦଶୋଽଧ୍ୟାୟଃ ।।
* * *