ପ୍ରଥମ ସ୍କନ୍ଧ

ତ୍ରୟୋଦଶ ଅଧ୍ୟାୟ

ସୂତ ଉବାଚ

ବିଦୁର ତୀର୍ଥଯାତ୍ରା କ୍ରମେ । ମିଳିଲେ ମୈତ୍ରେୟ ଆଶ୍ରମେ ॥

କେତେହେଁ ଦିନ ତହିଁ ଥାଇ । ଆତ୍ମାର ତତ୍ତ୍ଵଜ୍ଞାନ ପାଇ ॥

ହସ୍ତିନା ନଗରେ ବିଶ୍ୱାସେ । ମିଳିଲେ ଯୁଧିଷ୍ଠିର ପାଶେ ॥

ଜାଣିବା ପାଇଁ ତାର ଗତି । ସ୍ୱଭାବେ ସାଧୁ ଧୀରମତି ॥

ମୈତ୍ରେୟ ଆଗେ ଯେବା ପ୍ରଶ୍ନ । କରି ପାଇଲେ ଆତ୍ମଜ୍ଞାନ ॥

ତେଣୁ ଗୋବିନ୍ଦେ ଭକ୍ତି ଜାତ । କେବଳ ନାହିଁ ଶତ୍ରୁମିତ୍ର ॥

ବିଦୁର ଦେଖି ଧର୍ମସୁତ । ବନ୍ଧୁ ଆଗମେ କୃତକୃତ୍ୟ ॥

ସଙ୍ଗତେ ଘେନି ଚାରିଭାଇ । ନମିଲେ ଆସନେ ବସାଇ ॥

ଯୁଯୁସୁ ଧୃତରାଷ୍ଟ୍ର ସୂତ । ସଙ୍ଗତେ ଘେନି ଶାରଦ୍ ବତ ॥

ଗାନ୍ଧାରୀ ଦ୍ରୌପଦୀ ସହିତେ । ସୁଭଦ୍ରା ଉତ୍ତରା ସମେତେ ॥ ୧୦

ଆଗେ ଗମନ୍ତି ଦେବୀକୁନ୍ତୀ । ଅନ୍ୟେ ସୁହୃଦ-ବନ୍ଧୁ-ଜ୍ଞାତି ॥ ୧୧

ପଣ୍ତୁର ଯେତେ ବନ୍ଧୁଜନେ । ମିଳିଲେ ହରଷ ବଦନେ ॥ ୧୨

ପ୍ରାଣକୁ ପାଇ ତନୁ ଯେହ୍ନେ । ପୁଣି ଉଠଇ ଦିବ୍ୟଜ୍ଞାନେ ॥ ୧୩

ସକଳେ ମିଳି ତାର ପାଶେ । ବନ୍ଦିଲେ ଯେ ଯାହା ବିଶ୍ୱାସେ ॥ ୧୪

ଅନାଇ ବିଦୁର ବଦନ । ଆନନ୍ଦେ ଅଶ୍ରୁଜଳ ପୂର୍ଣ୍ଣ ॥ ୧୫

ସକଳ ପୂଜାବିଧି କରି । ରାଜନ କରେ କର ଧରି ॥ ୧୬

ବିଦୁରେ ବସାଇ ଆସନେ । ପାଶେ ଭୁଞ୍ଜଇ ସୁଖମନେ ॥ ୧୭

ତାର ବଦନ ରାଜା ଚାହିଁ । ଆନନ୍ଦେ ଘେନି ଚାରିଭାଇ ॥ ୧୮

ଉଚ୍ଚେ ପଚାରି ପ୍ରୀତିବାଣୀ । ଯେମନ୍ତେ ସର୍ବଲୋକେ ଶୁଣି ॥ ୧୯

ଯୁଧିଷ୍ଠିର ଉବାଚ

ହେ ତାତ କହୁଁ ତୋ ଅଗ୍ରତେ । ଆମ୍ଭ କୁଶଳ ତୋର ଚିତ୍ତେ ॥ ୨୦

ସ୍ମରଣ କରୁ ତୀର୍ଥଭ୍ରମେ । ବନଗହନ ବହୁଶ୍ରମେ ॥ ୨୧

ତୁମ୍ଭର ଛାୟା ଆଶ୍ରେ କରି । ସକଳ କଷ୍ଟହିଁ ପାଶୋରି ॥ ୨୨

ବିପଦ-ଦଶା ଯେତେ ହୋଇ । ବନେ ବଞ୍ଚିଲୁ ପାଞ୍ଚଭାଇ ॥ ୨୩

ମାତା ସହିତେ ଜତୁଘରେ । ଅଗ୍ନି ଦହନ ମହାଘୋରେ ॥ ୨୪

ବିଷଭକ୍ଷଣ ଆଦି ଯେତେ । ତୋ ଆଗେ କହିବି ମୁଁ କେତେ ॥ ୨୫

ଅନେକ ଆପଦ ପ୍ରମାଦୁ । ବଞ୍ଚିଲୁ ତୁମ୍ଭର ପ୍ରସାଦୁ ॥ ୨୬

ତୁ ଆମ୍ଭ ସ୍ନେହ ଦୂର କରି । ଭ୍ରମଣ କଲୁ ବସୁନ୍ଧରୀ ॥ ୨୭

ଉଦାସୀ ପଥିକ ଲକ୍ଷଣେ । ଏକା ତୁ ବୁଲୁ ବନେ-ବନେ ॥ ୨୮

କିପରି ପ୍ରାଣ ରକ୍ଷା କରୁ । ଏ ପଥଶ୍ରମ କେହ୍ନେ ହରୁ ॥ ୨୯

ଭ୍ରମିଲୁ ଅବନୀ ମଣ୍ତଳେ । ତୀର୍ଥ-ଆଶ୍ରମ ପୁଣ୍ୟସ୍ଥଳେ ॥ ୩୦

ତୋହର ପ୍ରାୟେ ସାଧୁ ଯେତେ । ପବିତ୍ର ଦେହେ ସର୍ବତୀର୍ଥେ ॥ ୩୧

ଭ୍ରମି କରନ୍ତି ପୁଣ୍ୟତର । ଯାହାଙ୍କ ଚିତ୍ତେ ଚକ୍ରଧର ॥ ୩୨

ତୁ ଯେ ସ୍ୱଭାବେ ପୁଣ୍ୟଦେହ । ପ୍ରସନ୍ନ ଚିତ୍ତେ ତାତ କହ ॥ ୩୩

ଯାଦବ ସଙ୍ଗେ ବନମାଳୀ । ସୂଖେ କି ଛନ୍ତି କୁଶସ୍ଥଳୀ ॥ ୩୪

ତାହାର ଭଲେ ଭଲ ମୋର । ସେ ହରି ଶରଣ-ସୋଦର ॥ ୩୫

ସୁଖେ ଅଛନ୍ତି କି ଯାଦବେ । ଭୋ ତାତ ପଚାରୁ ପ୍ରସ୍ତାବେ ॥ ୩୬

ଏମନ୍ତେ ରାଜା ବାକ୍ୟ ଶୁଣି । ବିଦୁର ମନେମନେ ଗୁଣି ॥ ୩୭

ସୁହୃଦ ଭାବେ ଭୟ କଲା । ଯାଦବ କ୍ଷୟ ନ କହିଲା ॥ ୩୮

ବିଚାରେ କହିବି ମୁଁ ଯେବେ । ଜୀବନ ଛାଡ଼ିବେ ପାଣ୍ତବେ ॥ ୩୯

କେମନ୍ତେ ଦେଖିବି ମୁଁ ଏହା । ଏତେ ବିଚାରି କଲା ମାୟା ॥ ୪୦

ନ କହେ ଯଦୁବଂଶ ନାଶ । ନିର୍ଘାତେ ଛାଡ଼ିଲା ନିଃଶ୍ୱାସ ॥ ୪୧

ଉର୍ଦ୍ଧ୍ୱ-ବଦନେ ସେ ବିଦୁର । କପଟେ କହଇ ମଧୁର ॥ ୪୨

ସର୍ବ-କୁଶଳ ଯା ପ୍ରସାଦେ । କୃଷ୍ଣ ଅଛନ୍ତି ଅପ୍ରମାଦେ ॥ ୪୩

ଏମନ୍ତେ ରାଜା ଆଗେ କହି । କେତେହେଁ ଦିନ ପୁରେ ରହି ॥ ୪୪

ଜ୍ୟେଷ୍ଠଭ୍ରାତାର ଶ୍ରେୟ ଅର୍ଥେ । ସର୍ବଜନଙ୍କ ପ୍ରୀତିମତେ ॥ ୪୫

ନିତ୍ୟେ ଆନନ୍ଦ ଧର୍ମରାଜା । ବିଦୁର-ପାଦେ କରେ ପୂଜା ॥ ୪୬

ରାତ୍ର-ଦିବସ ତାର ସଙ୍ଗେ । ଧର୍ମନନ୍ଦନ ଅନୁରାଗେ ॥ ୪୭

ଅଶେଷ ତୀର୍ଥଙ୍କ ମହିମା । କେ କହିପାରେ ଗୁଣସୀମା ॥ ୪୮

ସର୍ବ କହିଲା ସୁଖ ମନେ । ଏବେ ହୋ ଶୁଣ ବିପ୍ରଜନେ ॥ ୪୯

ମାଣ୍ତବ୍ୟ ଠାରୁ ଶାପ ପାଇ । ଯମ ବିଦୁର ଦେହ ବହି ॥ ୫୦

ଶତେ ବରଷ ଶୂଦ୍ର ଦେହେ । ବଞ୍ଚିଲା ବିଷ୍ଣୁ-ମାୟା-ମୋହେ ॥ ୫୧

ପାପୀଙ୍କ ଦଣ୍ତେ ଅଧିକାର । କରନ୍ତି ଦେବ ଦିନକର ॥ ୫୨

କୁଳରକ୍ଷକ ପରୀକ୍ଷିତ । ଜାଣି ନିଶ୍ଚିନ୍ତ ଧର୍ମସୁତ ॥ ୫୩

ଏବେ ପାଣ୍ତବ ପାଞ୍ଚଭାଇ । ରିପୁ ସଂହାରି ରାଜ୍ୟ ପାଇ ॥ ୫୪

ଗୃହ କରଣେ ଚିତ୍ତ ଜଡ଼ି । ବିଷ୍ଣୁର ମାୟାମୋହେ ପଡ଼ି ॥ ୫୫

ରାଜ୍ୟ କରନ୍ତେ ଧର୍ମସୁତ । ମିଳିଲା କାଳ ବିପରୀତ ॥ ୫୬

କେହି ନ ଜାଣେ ଗତି ତାର । ସ୍ୱଭାବେ ଅବ୍ୟକ୍ତ ଈଶ୍ୱର ॥ ୫୭

ଧୂମ ପୂରିଲା ଦଶଦିଶେ । ବିଦୁର ଦେଖି ମହାତ୍ରାସେ ॥ ୫୮

ବସିଲା ଧୃତରାଷ୍ଟ୍ର ମେଳେ । ବିଶ୍ୱାସେ କହେ କର୍ଣ୍ଣମୂଳେ ॥ ୫୯

ହେ ଭ୍ରାତ ଶୁଣ ମୋ ଉତ୍ତର । ଚଳ ତୁ ବେଗେ ତେଜି ପୁର ॥ ୬୦

କାଳ ମିଳିଲା ଭୟଙ୍କର । ଦିଶ-ଆକାଶ ଅନ୍ଧକାର ॥ ୬୧

ଏଥକୁ ପ୍ରତିକ୍ରିୟା ନାହିଁ । ଅବ୍ୟକ୍ତ ରୂପ ଯାରଦେହୀ ॥ ୬୨

ଦ୍ୱାପର ଯୁଗ ଶେଷ ହେଲା । ଏ କଳିକାଳ ପ୍ରକାଶିଲା ॥ ୬୩

ଆମ୍ଭର ପ୍ରାଣ ଏ ହରିବ । ଏହାକୁ କେବା ନିବାରିବ ॥ ୬୪

ଜନ ସମ୍ପଦ ମହୀତଳେ । ସଂହାର କରିବ ଏ ବଳେ ॥ ୬୫

ଦେବ ଦାନବ ମହାବଳ । ବୃଦ୍ଧ ପ୍ରତାପୀ ଯୁବା ବାଳ ॥ ୬୬

ଯାହାର ଦରଶନ ମାତ୍ରେ । କଦଳୀବନ ଯେହ୍ନେ ବାତେ ॥ ୬୭

ଭୟେ କମ୍ପନ୍ତି ଥରହର । କାତରେ ନେତ୍ରୁ ବହେ ନୀର ॥ ୬୮

ଅନିତ୍ୟ ଏ ମନୁଷ୍ୟ ଦେହୀ । ସାର ଏହାର କିଛି ନାହିଁ ॥ ୬୯

ଏ ଦେହେ ଯେ ମୁକ୍ତ-ବନ୍ଧନ । ତାହାକୁ ବୋଲି ମହାଜନ ॥ ୭୦

ଦେଖ ତୋହର କର୍ମଫଳ । ନାଶିଲେ ଭ୍ରାତୃ ପୁତ୍ର ବଳ ॥ ୭୧

ଆୟୁଷ ତୋର ଶେଷ ହେଲା । ମରଣ ନିକଟ ହୋଇଲା ॥ ୭୨

ଅତି ଦୁଃଖିତ ବୃଦ୍ଧଦେହେ । ତୋର ନିବାସ ପର ଗୃହେ ॥ ୭୩

ବିଶେଷେ ଚକ୍ଷୁହୀନ ତୁହି । ବଧିର ବୁଦ୍ଧି ଆର କାହିଁ ॥ ୭୪

ବିଶୀର୍ଣ୍ଣ ଦନ୍ତ ତୋ ଅଧର । କଫେ ଜଡ଼ିତ କଣ୍ଠସ୍ୱର ॥ ୭୫

ଅନ୍ତରେ ଅଗ୍ନି ମନ୍ଦ ହୋଇ । ଅନ୍ନ-ଭୋଜନ ନ ଜୀରଇ ॥ ୭୬

ପ୍ରାଣୀ ଜୀବିତ ଆଶା ଯେତେ । କେ ତାକୁ କରିବ ଆୟତ୍ତେ ॥ ୭୭

ଯେଉଁ ଭୀମର ଗଦାଘାତେ । ସମରେ ନଶିଲେ ତୋ ସୁତେ ॥ ୭୮

ତାର ବର୍ଜିତ ପିଣ୍ତେ ଆଶା । ଶ୍ୱାନର ପ୍ରାୟେ ତୋ ଭରସା ॥ ୭୯

କୁମନ୍ତ୍ରୀଜନ ସଙ୍ଗେ ଭାଳି । ତୋର କୁମରେ କଲେ କଳି ॥ ୮୦

ପଣ୍ତୁର ପଞ୍ଚପୁତ୍ର ମାରି । ସୁଖେ ଭୁଞ୍ଜିବା ରାଜ୍ୟଶିରୀ ॥ ୮୧

ଦୁଷ୍ଟଙ୍କ ସଙ୍ଗେ ବିଚାରିଲେ । ଭୀମକୁ ବିଷଲଡ଼ୁ ଦେଲେ ॥ ୮୨

ସେ ଭୀମ କେବେହେଁ ନମଲା । ତାହାକୁ ଗୋବିନ୍ଦ ରଖିଲା ॥ ୮୩

ଜତୁର ଘରେ ଅଗ୍ନି ଦେଲେ । ସେ ବେଳେ ପାଣ୍ତବେ ନ ମଲେ ॥ ୮୪

ପୁଣି କପଟପଶା କରି । ଧନ ସମ୍ପଦ ଅପହରି ॥ ୮୫

ଦ୍ରୌପଦୀ କେଶ ଧରି ବଳେ । ବିବସ୍ତ୍ର କଲେ ସଭା ତଳେ ॥ ୮୬

ଏ ଆଦି ଯେତେ କର୍ମ କଲେ । ତୁ ତାହା ଶୁଣିଅଛୁ ଭଲେ ॥ ୮୭

ସେ କିମ୍ପା ତାଙ୍କ ଚିତ୍ତୁ ଯିବ । ମନୁଷ୍ୟ ଜନ୍ମର ସ୍ୱଭାବ ॥ ୮୮

ତାହାଙ୍କ ଦତ୍ତ ପିଣ୍ତ ଖାଇ । ସେବକ ପ୍ରାୟ ଗୃହେ ଥାଇ ॥ ୮୯

ତୋର ବୟସ ଆଉ କାହିଁ । ଅତି ପୀଡ଼ିତ ବୃଦ୍ଧଦେହୀ ॥ ୯୦

ଦିନକୁ ଦିନ ତନୁ କ୍ଷୀଣ । ଯେସନେ ପୁରୁଣା ବସନ ॥ ୯୧

ଏ ଦେହେ ବିରକ୍ତ ଯେ ଜନ । ସେ ପ୍ରାଣୀ ବିମୁକ୍ତ-ବନ୍ଧନ ॥ ୯୨

ଅନିତ୍ୟ ନର-କଳେବର । ଭିତରେ କିଛି ନାହିଁ ସାର ॥ ୯୩

ଏହା ବିଚାରି ଯୋଗବଳେ । ହରି ଭକତ ସଙ୍ଗ ମେଳେ ॥ ୯୪

ନିର୍ବେଦ ହୋଇ ଚଳେ ବନ । ସେ ପ୍ରାଣୀ ପୁରୁଷ ଉତ୍ତମ ॥ ୯୫

ତୁ ବୁଧଜନଙ୍କ ଉତ୍ତମ । ଏବେ ତୁ ଛାଡ଼ ମତିଭ୍ରମ ॥ ୯୬

ଉତ୍ତର-ପଥେ ଚଳ ବେଗେ । ପତ୍ନୀ ସମେତେ ମୋର ସଙ୍ଗେ ॥ ୯୭

ମୁହିଁ ଉଦାସୀପଣେ ବନେ । ସେବିବି ତୋତେ ଅନୁକ୍ଷଣେ ॥ ୯୮

ଦେଖ ଏ କାଳ ଭୟଙ୍କର । ଶିରୀ ହରିବ ପ୍ରାଣୀଙ୍କର ॥ ୯୯

ଏମନ୍ତେ ବିଦୁରର ବାଣୀ । ସେ ଅନ୍ଧ ଧୃତରାଷ୍ଟ୍ର ଶୁଣି ॥ ୧୦୦

ତକ୍ଷଣେ ମୋହ ଜଡ଼ ଛାଡ଼ି । ବନ ଗମନେ ଚିତ୍ତ ବଢ଼ି ॥ ୧୦୧

ବିଷ୍ଣୁର ମାୟା କରି ଦୂର । ନବରୁ ହୋଇଲା ବାହାର ॥ ୧୦୨

ପତିର ବନବାସ କଥା । ଶୁଣି ସାନନ୍ଦେ ପତିବ୍ରତା ॥ ୧୦୩

ବିଦୁର କନ୍ଧେ ଦେଇ କର । ନଗରୁ ହୋଇଲେ ବାହାର ॥ ୧୦୪

ମନ ଆନନ୍ଦେ ବେନିଜନେ । ପଶିଲେ ହିମାଳୟ-ବନେ ॥ ୧୦୫

କ୍ଷତ୍ରିୟ ଯେହ୍ନେ ମହାଯୁଦ୍ଧେ । ପଶଇ ମନର ସାନନ୍ଦେ ॥ ୧୦୬

ଏବେ ହୋ ଶୁଣ ମୁନିବରେ । ଧର୍ମନନ୍ଦନ ନିଜ ଘରେ ॥ ୧୦୭

ସନ୍ଧ୍ୟାଦି ନିତ୍ୟକର୍ମ ସାରି । ଅଗ୍ନି ପୂଜନ ଦାନ କରି ॥ ୧୦୮

ଗୁରୁ-ବନ୍ଦନ ପୂଜା ଅର୍ଥେ । ଗୃହେ ପଶିଲେ କୃତକୃତ୍ୟେ ॥ ୧୦୯

ଗୁରୁ-ଭୁବନେ ଯାଇ ମିଳି । ହସ୍ତରେ ଘେନି ଅର୍ଘ୍ୟସ୍ଥାଳୀ ॥ ୧୧୦

ତକ୍ଷଣେ ଦେଖି ଶୂନ୍ୟଘର । କାତର ମନେ ନୃପବର ॥ ୧୧୧

ପୁଚ୍ଛିଲେ ସଞ୍ଜୟକୁ ଚାହିଁ । ମୋ ଗୁରୁଜନେ ଗଲେ କାହିଁ ॥ ୧୧୨

କେହି ନ ଶୁଣନ୍ତି ବଚନ । ଭୟେ ଚାହାନ୍ତି ଛନ୍ନଛନ୍ନ ॥ ୧୧୩

ପୁଣି ବୋଲନ୍ତି ଜନେ ଚାହିଁ । ତାତ ଜନନୀ ଗଲେ କାହିଁ ॥ ୧୧୪

ବିଦୁର ନାହିଁ ମୋର ପାଶେ । ତାତ ଜନନୀ ମୋ ନ ଦିଶେ ॥ ୧୧୫

ଲୋଚନେ ନ ଦିଶଇ ପଥ । ଦଇବେ ବୟସେ ବୃଦ୍ଧତ୍ୱ ॥ ୧୧୬

ପୁତ୍ରଙ୍କ ମରଣେ ଦୁଃଖିତ । କେବଣ ଦେଶେ ଉପଗତ ॥ ୧୧୭

ନ ପୁଣ ପୁତ୍ର-ଶୋକ-ଜାଳେ । ପ୍ରାଣ ଛାଡ଼ିଲେ ଗଙ୍ଗାଜଳେ ॥ ୧୧୮

ବନ୍ଧୁ ସୁହୃଦ ପୁତ୍ର ନାଶେ । ମୋର ଜନନୀ ତାତ ତ୍ରାସେ ॥ ୧୧୯

ଦୁଃଖସାଗରେ ନିମଜ୍ଜିଲେ । ମୋର ଦୁଷ୍କୃତ-କର୍ମ ଫଳେ ॥ ୧୨୦

ସୂତ ଉବାଚ

ଧର୍ମନନ୍ଦନ ବାକ୍ୟ ଶୁଣି । ସାରଥି ନ କହିଲା ବାଣୀ ॥ ୧୨୧

ନ ଦେଖି ଧୃତରାଷ୍ଟ୍ର ପାଶେ । ଅତି ପୀଡ଼ିତ ସ୍ନେହ ବଶେ ॥ ୧୨୨

ବିରହ ଦୁଃଖରେ ବିକଳ । ନୟନୁ ବହେ ଅଶ୍ରୁଜଳ ॥ ୧୨୩

ପୁଣି ସେ ମନେ ଧୈର୍ଯ୍ୟ ଧରି । ହସ୍ତେ ପୋଛିଲା ନେହୁ ବାରି ॥ ୧୨୪

ଧୃତରାଷ୍ଟ୍ରର ଯେ ବିଯୋଗ । କହଇ ଯୁଧିଷ୍ଠିର ଆଗ ॥ ୧୨୫

ସଞ୍ଜୟ ଉବାଚ

ଶୁଣ ହେ ନୃପ-ଚୂଡ଼ାମଣି । ତୋହର ପିଅର ଜନନୀ ॥ ୧୨୬

ରଜନୀ କାଳେ ଗଲେ କାହିଁ । ସର୍ବଥା ନ ଜାଣଇ ମୁହିଁ ॥ ୧୨୭

ମୋର ଜୀବନ ଦୁଃଖ ଭରେ । ମଜ୍ଜିଲା ବୃଜିନ-ସାଗରେ ॥ ୧୨୮

ଏମନ୍ତେ କହୁଁ ମନ ଖେଦ । ଗଗନେ ଶୁଭେ ବୀଣାନାଦ ॥ ୧୨୯

ଶୁଣି ଚାହିଁଲେ ଅନ୍ତରୀକ୍ଷେ । ନାରଦ ଦିଶିଲେ ପ୍ରତ୍ୟକ୍ଷେ ॥ ୧୩୦

ତୁମ୍ବୁରୁ ଅଛି ତାଙ୍କ ସଙ୍ଗେ । ବୀଣା-ବିନୋଦ ବାଦ୍ୟରଙ୍ଗେ ॥ ୧୩୧

ନାଦେ ଗୋବିନ୍ଦ ଗୁଣ ଗାଇ । ପୁଲକ ରୋମପନ୍ତି ବହି ॥ ୧୩୨

ଆନନ୍ଦେ ଅଶ୍ରୁଜଳ ପୂରେ । ମିଳିଲେ ରାଜାର ଛାମୁରେ ॥ ୧୩୩

ଦେଖି ସମ୍ଭ୍ରମେ ନୃପମଣି । ଅନୁଜ ସଙ୍ଗେ ପାଦେ ନମି ॥ ୧୩୪

ମୁନିଙ୍କି ଆସନେ ବସାଇ । ବେନି ଚରଣ କରେ ଧୋଇ ॥ ୧୩୫

ଚରଣ ପୂଜି ବିଧିମତେ । କହନ୍ତି ନାରଦ ଅଗ୍ରତେ ॥ ୧୩୬

ଯୁଧିଷ୍ଠିର ଉବାଚ

ଭୋ ବ୍ରହ୍ମମୁନି ଶୁଣ ଭଲେ । ମୋ ତାତମାତ କେଣେ ଗଲେ ॥ ୧୩୭

ମୋର କରମ ଦୁଃଖ ଶୁଣ । ଭୋ ମୁନି ତୁମ୍ଭେ ଭଲେ ଜାଣ ॥ ୧୩୮

ଚକ୍ଷୁ ବିହୀନେ ଘୋରବନେ । ଜୀବନ ଧରିବେ କେସନେ ॥ ୧୩୯

ଗଭୀର-ଜଳେ ନାବ ଥୋଇ । ନାବିକ ଯେସନେ ପଳାଇ ॥ ୧୪୦

ତେମନ୍ତେ କରିଗଲେ ମୋତେ । ଅଧିକ କହିବି ମୁଁ କେତେ ॥ ୧୪୧

ଏ ଶୋକ-ସାଗର ଅପାର । ପାରକ ତୁମ୍ଭେ କର୍ଣ୍ଣଧାର ॥ ୧୪୨

ରାଜନ ଶୋକବାଣୀ ଶୁଣି । ମୁନି କହନ୍ତି ଯୋଗବାଣୀ ॥ ୧୪୩

ନାରଦ ଉବାଚ

ଭୋ ନୃପ ଶୋକ ତୁ ନକର । ଈଶ୍ୱର ମାୟା ଏ ସଂସାର ॥ ୧୪୪

ପ୍ରାଣୀ ଭିଆଇ ମାୟାଯୋଗେ । ଖେଳଇ ସଂଯୋଗ-ବିଯୋଗେ ॥ ୧୪୫

ଗୋରୁ ନାସିକା ଯେହ୍ନେ ବିନ୍ଧି । ଆକର୍ଷି ଚର୍ମରଜ୍ଜୁ ବାନ୍ଧି ॥ ୧୪୬

ସେ ପ୍ରାଣୀ ଯେହ୍ନେ ଭାରା ବହେ । ଅନ୍ତରେ ଦୁଃଖ ଖେଦ ସହେ ॥ ୧୪୭

କ୍ରୀଡ଼ା-କନ୍ଦୁକ କ୍ରୀଡ଼ାରଙ୍ଗେ । ଭ୍ରମଇ ସଂଯୋଗେ ବିଯୋଗେ ॥ ୧୪୮

ଯେ ଦାନ ପଡ଼ଇ ଯେମନ୍ତେ । କନ୍ଦୁକ ଚଳେ ସେହିମତେ ॥ ୧୪୯

ସଂସାର ଈଶ୍ୱରର ଇଚ୍ଛା । ଏ ଭବପଥ ଗୁରୁଦୀକ୍ଷା ॥ ୧୫୦

ତୁ ରାଜା ତୋତେ ହେଁ ନ ଜାଣୁ । ସଂସାର ସତ୍ୟ ପ୍ରାୟ ମଣୁ ॥ ୧୫୧

ସତ୍ୟ କି ମିଥ୍ୟା ବେନିପଥେ । ଶୋକ ନ କରି ପାରୁ ଚିତ୍ତେ ॥ ୧୫୨

ଯଦି ତୁ ଜୀବ ସତ୍ୟ ମଣୁ । ଦେହ ଅନିତ୍ୟ ପରିମାଣୁ ॥ ୧୫୩

ଅଥବା ବ୍ରହ୍ମଭାବ ବହୁ । ସ୍ନେହ ଛାଡ଼ିଲେ ଶୋକ କାହୁଁ ॥ ୧୫୪

ଏଣୁ ଅଜ୍ଞାନ ଜଡ଼ମତି । ବ୍ୟାକୁଳ ଛାଡ଼ ହେ ନୃପତି ॥ ୧୫୫

ତୁ ଯେ ବିଚାରୁ ସ୍ନେହଭାବେ । ମୋ ବିନେ କେମନ୍ତେ ବଞ୍ଚିବେ ॥ ୧୫୬

ଏ ଦେହ ପଞ୍ଚଭୂତେ ଜଡ଼ି । ଅବିଦ୍ୟା କାଳକର୍ମେ ପଡ଼ି ॥ ୧୫୭

ଆପଣା ଦୁଃଖେ ନିତ୍ୟ ଦୁଃଖୀ । ଏ କାହିଁ ପରପ୍ରାଣ ରଖି ॥ ୧୫୮

ଉରଗ ଗିଳିଛି ଯାହାକୁ । ସେ କାହିଁ ରଖିବ ଆନକୁ ॥ ୧୫୯

ଦେଖ ପ୍ରତ୍ୟକ୍ଷେ ନୃପବର । ବିଷ୍ଣୁର ମାୟା-ଖେଳଘର ॥ ୧୬୦

ସ୍ୱଭାବେ ନାହିଁ ଯାର ହସ୍ତ । ହସ୍ତ ଥିଲାର ସେ ଆୟତ୍ତ ॥ ୧୬୧

ଦ୍ୱିପଦ ଚତୁଷ୍ପଦ ଯେତେ । ନି ଦେ ତାହାଙ୍କ ଆୟତ୍ତେ ॥ ୧୬୨

ବଡ଼ଙ୍କ ଭକ୍ଷ୍ୟ ହୋନ୍ତି ସାନେ । ସେ ନାଶ ଯାନ୍ତି ଅନ୍ୟେ ଅନ୍ୟେ ॥ ୧୬୩

ଏ ଜୀବ ଜୀବଙ୍କ ଆହାର । କେବଳ ନିର୍ବଳ ବିଚାର ॥ ୧୬୪

ସେ ହରି ନିତ୍ୟ ବିଶ୍ୱରୂପେ । ନର ଶରୀରେ ମୋହକଳ୍ପେ ॥ ୧୬୫

ଏକଇ ଆତ୍ମା ନରହରି । ଭାବେ ଅଶେଷ ଦେହେ ପୂରି ॥ ୧୬୬

ଅନ୍ତର ବାହାରେ ପ୍ରକାଶ । ସେ ଭୋଗ୍ୟ ଭୋକ୍ତା ହୃଷୀକେଶ ॥ ୧୬୭

ଏ ମାୟା ଦୁରନ୍ତ ତାହାର । କେ କରି ପାରିବ ଗୋଚର ॥ ୧୬୮

ଭାରା ନିବାରେ ତନୁ ଧରି । ଦୁର୍ଜନ ସମୂହ ସଂହାରି ॥ ୧୬୯

ନିଜ ଜନଙ୍କୁ ରକ୍ଷା କରେ । ଏମନ୍ତେ ସଂସାରେ ବିହରେ ॥ ୧୭୦

ଦେବଙ୍କ କାର୍ଯ୍ୟ କରି ତୋଷେ । ଏବେ ବର୍ତ୍ତଇ ଅବଶେଷେ ॥ ୧୭୧

ଯାବତ ଥିବ ଚକ୍ରଧର । ତାବତ ତୁମ୍ଭ ଅଧିକାର ॥ ୧୭୨

ଏବେ ହୋ ଶୁଣ ମହାରଥା । ତୋ ତାତ-ଜନନୀ ବ୍ୟବସ୍ଥା ॥ ୧୭୩

ବିଦୁର ଧୃତରାଷ୍ଟ୍ର ବେନି । ସଙ୍ଗତେ ପତିବ୍ରତା ଘେନି ॥ ୧୭୪

ସେ ହିମବନ୍ତର ଦକ୍ଷିଣେ । ଋଷି ଆଶ୍ରମ ଘୋରବନେ ॥ ୧୭୫

ଯେ ସପ୍ତସ୍ରୋତ ସୁରନଦୀ । ଭରତଖଣ୍ତେ ଯେ ପ୍ରସିଦ୍ଧି ॥ ୧୭୬

ସେ ଜଳେ ନିତ୍ୟେ କରି ସ୍ନାନ । ଅନଳେ କରି ହୋମଦାନ ॥ ୧୭୭

କେବଳ ଜଳ-ଗ୍ରାସ ଭକ୍ଷି । ଶରୀରେ ଜୀବଆତ୍ମା ରଖି ॥ ୧୭୮

ବିଗତରାଗ ଇନ୍ଦ୍ରିଗଣେ । ପ୍ରଣବେ ନିଃଶ୍ୱାସ ଧାରଣେ ॥ ୧୭୯

ଦୃଢ଼ ଆସନେ ବସି ଧୀରେ । ଷଡ଼ ଇନ୍ଦ୍ରିୟ ପରିହରେ ॥ ୧୮୦

ସର୍ବ ବିଷୟ ରସ ତେଜି । ହରି ଚରଣ ଭାବେ ଭଜି ॥ ୧୮୧

ମନ ଛଡ଼ାଇ ତିନିଗୁଣେ । ସମାଧି ଗୋବିନ୍ଦ ଚରଣେ ॥ ୧୮୨

ବିଜ୍ଞାନ ଆତ୍ମା ଜ୍ଞାନେ ଭରି । ଜୀବ ପରମ ଏକ କରି ॥ ୧୮୩

ପ୍ରବେଶି ଅନାହତ ପୁରେ । ଗୋବିନ୍ଦ ନାମ ଧରି ଧୀରେ ॥ ୧୮୪

ଗଗନେ ଗମନ ପ୍ରବେଶ । କି ଅବା ରହେ ଅବଶେଷ ॥ ୧୮୫

ତ୍ରିଗୁଣ ମାୟା ନାଶ କରି । ବସଇ ଇନ୍ଦ୍ରିୟ ସଂହରି ॥ ୧୮୬

ସର୍ବବିଷୟ ଯୋଗବଳେ । ନିବାରି ଆସନ ନିଶ୍ଚଳେ ॥ ୧୮୭

ନିଶ୍ଚଳ ସ୍ଥାଣୁ ପ୍ରାୟ ଲକ୍ଷି । କେ ଅବା ତାରେ ବିଘ୍ନ ଇଚ୍ଛି ॥ ୧୮୮

ଆଜହୁଁ ପଞ୍ଚଦିନ ଅନ୍ତେ । ପ୍ରାଣ ଛାଡ଼ିବେ ଯୋଗପଥେ ॥ ୧୮୯

ରଜନୀ କାଳେ ବୃକ୍ଷମୂଳେ । ପବନ ଯୋଗେ ଦାବାନଳେ ॥ ୧୯୦

ଦହନ ହୋଇବ ଶରୀର । ତା ପତ୍ନୀ ଥିବ ଯେ ବାହାର ॥ ୧୯୧

ତକ୍ଷଣେ ସ୍ୱାମୀ ଧରି କୋଳେ । ଦହନ ହୋଇବ ଅନଳେ ॥ ୧୯୨

ତା ଦେଖି ବିଦୁର ଶରୀର । ହରଷ ଶୋକରେ କାତର ॥ ୧୯୩

ହୃଦେ ସୁମରି ନରହରି । ବେଗେ ସେ ବନୁ ଅପସରି ॥ ୧୯୪

ତୀର୍ଥ ସେବନେ ଆଗମନ । କରିବ ଶୁଣ ହେ ରାଜନ ॥ ୧୯୫

ଏମନ୍ତେ ରାଜା ଆଗେ କହି । ତୁମ୍ବୁରୁ ତୁଲେ ବୀଣା ବାଇ ॥ ୧୯୬

ଆକାଶ ମାର୍ଗେ ଗଲେ ମୁନି । ଧର୍ମନନ୍ଦନ ତାହା ଶୁଣି ॥ ୧୯୭

ତତ୍ତ୍ଵବଚନ ହୃଦେ ଧରି । ସର୍ବ ସଂଶୟ ଦୂର କରି ॥ ୧୯୮

ରାଜ୍ୟ ପାଳନେ ଦୃଢ଼ ଚିତ୍ତ । କହଇ ଦାସ ଜଗନ୍ନାଥ ॥ ୧୯୯

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ନାମ ତ୍ରୟୋଦଶୋଽଧ୍ୟାୟଃ ।।

* * *