ପ୍ରଥମ ସ୍କନ୍ଧ
ଦ୍ୱାଦଶ ଅଧ୍ୟାୟ
ଶୌନକ ଉବାଚ
କୋପେ ଯେ ଦ୍ରୋଣଙ୍କ କୁମର । ମନ୍ତ୍ରି ପେଷିଲା ବ୍ରହ୍ମଶର ॥ ୧
ତାର ପ୍ରଚଣ୍ତ ତେଜଜାଳେ । ଭୟେ କମ୍ପିଲେ ଦିଗପାଳେ ॥ ୨
ଉତ୍ତରା ଗର୍ଭେ ସେ ପଡ଼ିଲା । ତକ୍ଷଣେ ଗୋବିନ୍ଦ ରଖିଲା ॥ ୩
ସେ ପୁଣି ଗର୍ଭୁ ଜନ୍ମ ହୋଇ । ପାଳିଲା ରାଜାପଣେ ମହୀ ॥ ୪
ଜଗତେ ଯେତେ କର୍ମ କଲା । ପ୍ରଜାଙ୍କୁ ଯେମନ୍ତେ ପାଳିଲା ॥ ୫
କେବଣ ହେତୁ ନୃପରାଣ । କାହିଁ ଛାଡ଼ିଲା ନିଜପ୍ରାଣ ॥ ୬
ଅଳପ ବୟସେ ନୃପତି । ଅନ୍ତେ ଲଭିଲା କେଉଁଗତି ॥ ୭
ଆନନ୍ଦେ ବ୍ୟାସଙ୍କର ସୁତ । ଯାହାଙ୍କୁ ଦେଲେ ଜ୍ଞାନତତ୍ତ୍ଵ ॥ ୮
ତାର ସକଳ କର୍ମଦୀକ୍ଷା । ଶ୍ରବଣେ କଲୁ ଆମ୍ଭେ ଇଚ୍ଛା ॥ ୯
ଆମ୍ଭଙ୍କୁ ଯେବେ ଦୟା ବହ । ସଂଶୟ ଯାଉ ମୁନି କହ ॥ ୧୦
ସୂତ ଉବାଚ
କୁରୁ ନଗରେ ଧର୍ମରାଜା । ପୁତ୍ରଙ୍କ ପ୍ରାୟେ ପାଳେ ପ୍ରଜା ॥ ୧୧
କୃଷ୍ଣହୁଁ ନ ଜାଣଇ ଆନ । ବିଷୟା ରସେ ନାହିଁ ମନ ॥ ୧୨
ଧନ ସମ୍ପଦର ରକ୍ଷଣେ । ଯେ ସ୍ନେହ ଭାର୍ଯ୍ୟା ଭ୍ରାତୃଗଣେ ॥ ୧୩
ରାଜ୍ୟ ପାଳନେ ଏହିମତେ । ଧର୍ମହୁଁ ଅନ୍ୟ ନାହିଁ ଚିତ୍ତେ ॥ ୧୪
ଏ ଜମ୍ବୁଦ୍ୱୀପେ ଯେତେ ରାଜା । ସର୍ବେ କରନ୍ତି ପାଦପୂଜା ॥ ୧୫
ଯାର ମହିମା ତିନିଲୋକେ । ଘୋଷନ୍ତି ଏକକୁ ଆରକେ ॥ ୧୬
ଗୋବିନ୍ଦ ଯାର ହୃଦେ ବସେ । ସେ କି ବିଷୟରସେ ରସେ ॥ ୧୭
କ୍ଷୁଧିତଜନ ମନ ଯେହ୍ନେ । ଅନ୍ନହୁଁ ନ ଲୋଡ଼ଇ ମନେ ॥ ୧୮
ଏବେ ହୋ ଶୁଣ ବିପ୍ରଜନ । କହିବା ପରୀକ୍ଷିତ ଜନ୍ମ ॥ ୧୯
ମାତାର ଗର୍ଭେ ଯେବେ ଥିଲା । ନୟନେ କୃଷ୍ଣଙ୍କୁ ଦେଖିଲା ॥ ୨୦
ତେଜେ ଯେସନେ ଦିବାକର । ଗର୍ଭେ ପଡ଼ିଲା ବ୍ରହ୍ମଶର ॥ ୨୧
ଉତ୍ତରା ଡାକେ ତ୍ରାହି ତ୍ରାହି । ତକ୍ଷଣେ ପ୍ରଭୁ ଭାବଗ୍ରାହୀ ॥ ୨୨
ଅଙ୍ଗୁଷ୍ଠି ପ୍ରମାଣେ ଶରୀରେ । ସୁଦରଶନ ଧରି କରେ ॥ ୨୩
କିରୀଟ କୁଣ୍ତଳ ବିରାଜେ । ପ୍ରଭା ସବିତାତେଜ ଗଞ୍ଜେ ॥ ୨୪
ଅପୂର୍ବ ରୂପ ଘନଶ୍ୟାମ । ତଡ଼ିତବାସ କଟିଦାମ ॥ ୨୫
ଆଜାନୁଲମ୍ବେ ଭୁଜ ଚାରି । ଶଙ୍ଖ କମଳ ଗଦା ଧରି ॥ ୨୬
କୋପେ ଲୋହିତ ବେନି ଦୃଷ୍ଟି । ଗଦା ଭ୍ରମଣେ ଦୃଢ଼ମୁଷ୍ଟି ॥ ୨୭
ଗଦାର ତେଜ ରବିତ୍ରାସ । ମଣ୍ତଳେ ପୂରେ ଦଶଦିଶ ॥ ୨୮
ହରିଲେ ବ୍ରହ୍ମଶର ତେଜ । ନୀହାର ଯେହ୍ନେ ଗ୍ରହରାଜ ॥ ୨୯
ନିକଟେ ଦେଖି ବିତର୍କିତ । ଏ କେ ମୋ ପାଶେ ଉପଗତ ॥ ୩୦
ନିର୍ମଳଆତ୍ମା ଭଗବାନ । ଧର୍ମ ପାଳକ ଜନାର୍ଦ୍ଦନ ॥ ୩୧
ତକ୍ଷଣେ ଗର୍ଭ ରକ୍ଷା କରି । ଅନ୍ତର ହୋଇଲେ ମୁରାରି ॥ ୩୨
ବାଳକ ଦେଖେ ତା ନୟନେ । ଗୋବିନ୍ଦ ଗଲେ ଅନ୍ତର୍ଦ୍ଧାନେ ॥ ୩୩
ତକ୍ଷଣେ ସର୍ବଶୁଭ ବେଳେ । ଗ୍ରହ ସକଳ ଅନୁକୂଳେ ॥ ୩୪
ବାଳକ ହୋଇଲା ବାହାର । ଗୁଣେ ପାଣ୍ତବ ବଂଶଧର ॥ ୩୫
ଅତି ସୁନ୍ଦର ବିରାଜିଲା । ପୁଣି କି ପାଣ୍ତୁ ପ୍ରକାଶିଲା ॥ ୩୬
ଦେଖି ସନ୍ତୋଷ ଧର୍ମସୁତ । ସଙ୍ଗତେ ଘେନି ପୁରୋହିତ ॥ ୩୭
ଆନନ୍ଦେ ମିଳି ମହାଜନେ । ସ୍ୱସ୍ତିକ ମଙ୍ଗଳ ବଚନେ ॥ ୩୮
ଶୁଭଇ ଶଙ୍ଖନାଦ ଭେରୀ । ଶୁଭେଣ ଜାତକର୍ମ କରି ॥ ୩୯
ସୁବର୍ଣ୍ଣ ମହୀ ଧେନୁ ତୁଲେ । ଅନେକ ଗ୍ରାମଦାନ ଦେଲେ ॥ ୪୦
ଅଶ୍ୱ କୁଞ୍ଜର ନିଜ ଅନ୍ନ । ସୁମୃତି ମତେ ଦେଲେ ଦାନ ॥ ୪୧
ସୂତ ମାଗଧ ଆଦି ଲୋକେ । ଯେ ଆସି ମିଳିଲେ ଯାଚକେ ॥ ୪୨
ଧର୍ମନନ୍ଦନ ସୁଖଚିତ୍ତେ । ଦକ୍ଷିଣା ଦେଲେ ପ୍ରଜାତୀର୍ଥେ ॥ ୪୩
ସନ୍ତୋଷେ ବସି ବିପ୍ରଗଣ । ବିଚାରି ଜାତକ ଲକ୍ଷଣ ॥ ୪୪
ଗ୍ରହ ନକ୍ଷତ୍ର ଚିନ୍ତି ଚିତ୍ତେ । କହନ୍ତି ରାଜାଙ୍କ ଅଗ୍ରତେ ॥ ୪୫
ଏ ଅଭିମନ୍ୟୁର କୁମର । ପାଣ୍ତବବଂଶେ କୀର୍ତ୍ତିକର ॥ ୪୬
ଗର୍ଭସଙ୍କଟୁ ଏ ତରିଲା । ଏହାକୁ ବିଷ୍ଣୁ ରକ୍ଷା କଲା ॥ ୪୭
ସର୍ବ ଲକ୍ଷଣେ ଏ ସମ୍ଭୂତ । ଏହାର ନାମ ବିଷ୍ଣୁରାତ ॥ ୪୮
କୁରୁ ପାଣ୍ତବ ବଂଶଧର । ଏ ଭାଗବତ ମଧ୍ୟେ ବର ॥ ୪୯
ଏମନ୍ତେ ବ୍ରାହ୍ମଣଙ୍କ ବାଣୀ । ଶ୍ରବଣେ ସୁଧାପ୍ରାୟ ମଣି ॥ ୫୦
ହେ ବିପ୍ରବରେ ତୁମ୍ଭ ବାଣୀ । ବୋଲନ୍ତି ଯୁଧିଷ୍ଠିର ଶୁଣି ॥ ୫୧
ଆଗମ ନିଗମେ ଯା ସାର । ତୁମ୍ଭଙ୍କୁ ନୋହେ ଅଗୋଚର ॥ ୫୨
ଗ୍ରହନକ୍ଷତ୍ର ଯୋଗମତେ । ଯାହା କହିଲ ଶାସ୍ତ୍ରତତ୍ତ୍ଵେ ॥ ୫୩
ଏ ବଂଶଧର ସାଧୁବାଦେ । ସତେ ପାଳିବ ରାଜପଦେ ॥ ୫୪
ରାଜାବଚନେ ବିପ୍ରଗଣ । କହନ୍ତି ଜାତକ ଲକ୍ଷଣ ॥ ୫୫
ଶୁଣ ହେ ଧର୍ମର ନନ୍ଦନ । ଆମ୍ଭର ଆଶିଷ ବଚନ ॥ ୫୬
ପ୍ରଜାପାଳନେ ଏ ନିୟତ । ଯେହ୍ନେ ଇକ୍ଷ୍ୱାକୁ ମନୁସୁତ ॥ ୫୭
ବ୍ରାହ୍ମଣ ଜନହିତକର । ସତ୍ୟପ୍ରତିଜ୍ଞ ଗୁଣଧର ॥ ୫୮
ଏହାର ଯଶ ସର୍ବଦେଶେ । ଯେହ୍ନେ ଶ୍ରୀରାମ ରଘୁବଂଶେ ॥ ୫୯
ଶିବି ଯେସନେ ଦାତାବର । ଦୟାଳୁ ମଧ୍ୟେ ଏ କୁମର ॥ ୬୦
ଭରତ ପ୍ରାଏ ଯଜ୍ଞକାରୀ । ଅର୍ଜୁନ ସମ ଧନୁର୍ଦ୍ଧାରୀ ॥ ୬୧
ହୁତାଶ ପ୍ରାୟ ତେଜୋମୟ । ଦୁସ୍ତର ସମୁଦ୍ରର ପ୍ରାୟ ॥ ୬୨
ବିକ୍ରମେ ଯେସନେ କେଶରୀ । ଆଶ୍ରୟେ ଯେହ୍ନେ ହିମଗିରି ॥ ୬୩
ପୃଥିବୀ ସମ ଧୀରଚେତା । ସହିଷ୍ଣୁ ଯେହ୍ନେ ପିତାମାତା ॥ ୬୪
ସମ ପାଳନେ କି ବିଧାତା । ଈଶ୍ୱର ପ୍ରାୟ ବରଦାତା ॥ ୬୫
ଆଶ୍ରୟ ସର୍ବ ପ୍ରାଣୀଙ୍କର । ଯେହ୍ନେ ସଂସାରେ ରମାବର ॥ ୬୬
ସର୍ବଲକ୍ଷଣେ କୃଷ୍ଣସମ । ସୁଦୃଢ଼ବ୍ରତ ସତ୍ୟଧାମ ॥ ୬୭
ଉଦାର ପଣେ ରନ୍ତିଦେବ । ଯଯାତି ପ୍ରାୟେ ଧୀରଭାବ ॥ ୬୮
ବଳିର ପ୍ରାୟ ଧୀରପଦ । ବୈଷ୍ଣବ ଯେହ୍ନେ ପ୍ରହଲାଦ ॥ ୬୯
ସଂସ୍କାର ମନ୍ତ୍ର ହବିର୍ଭାଗେ । ଦେବଙ୍କୁ ଅଶ୍ୱମେଧ ଯଜ୍ଞେ ॥ ୭୦
ପୂଜାରେ କରାଇ ସନ୍ତୋଷ । ବୃଦ୍ଧ ସେବାରେ ସେ ବିଶ୍ୱାସ ॥ ୭୧
ରାଜଋଷିଙ୍କ ଜାତକାରୀ । ଦୁଷ୍ଟଜନଙ୍କ ଦର୍ପହାରୀ ॥ ୭୨
ଅବନୀ ଧର୍ମ ରକ୍ଷା ଅର୍ଥେ । କଳିକି ବାନ୍ଧିବି ଆୟତ୍ତେ ॥ ୭୩
ବ୍ରାହ୍ମଣ ଶାପ ମହାରୋଷେ । ଲଭିବ ଅଳପ ବୟସେ ॥ ୭୪
ବ୍ରହ୍ମବଚନ ତୀକ୍ଷ୍ଣବାଣ । ତକ୍ଷକ ହସ୍ତେ ଦେବ ପ୍ରାଣ ॥ ୭୫
ବ୍ରାହ୍ମଣ ଶାପେ ଭୟ ପାଇ । ତକ୍ଷଣେ ସାଧୁସଙ୍ଗୀ ହୋଇ ॥ ୭୬
ଜାହ୍ନବୀକୂଳେ ଅନ୍ତର୍ଜଳେ । ହରି-ଭକତି ସନ୍ଥମେଳେ ॥ ୭୭
କୃଷ୍ଣ-ମହିମା ଶୁକ ମୁଖେ । ଶୁଣି ଛାଡ଼ିବ ପ୍ରାଣ ସୁଖେ ॥ ୭୮
ଗୋବିନ୍ଦ ଅଭୟ ଚରଣ । ନିଶ୍ଚିନ୍ତେ ପଶିବ ଶରଣ ॥ ୭୯
ସୂତ ଉବାଚ
ଏମନ୍ତେ ଜାତକର୍ମ କଲେ । ବନ୍ଧୁବାନ୍ଧବ ବିପ୍ରମେଳେ ॥ ୮୦
ରାଜାଙ୍କୁ ମାଗି ଅନୁଯାନ । ବିପ୍ରେ ଚଳିଲେ ନିଜ ସ୍ଥାନ ॥ ୮୧
ଗର୍ଭେ ଦେଖିଲା ଚକ୍ରପାଣି । ସଂସାରେ ଦେଖେ ଯେତେ ପ୍ରାଣୀ ॥ ୮୨
ଏ ଅବା ସେହି ଅବା ନୋହି । ଏମନ୍ତ ପରୀକ୍ଷା କରଇ ॥ ୮୩
ଏ ଘେନି ନାମ ପରୀକ୍ଷିତ । ଲୋକରେ ହୋଇଲା ବିଖ୍ୟାତ ॥ ୮୪
ଦିନକୁଦିନ ତେଜରାଶି । ଶୁକଳପକ୍ଷେ ଯେହ୍ନେ ଶଶୀ ॥ ୮୫
ଦିନକୁଦିନ ପିତୃଗଣେ । ସ୍ନେହେ ପାଳନ୍ତି ଅନୁକ୍ଷଣେ ॥ ୮୬
ବାଳକ ଦେହେ ପରୀକ୍ଷିତ । ସ୍ୱଭାବେ କୃଷ୍ଣ ଭକତ ॥ ୮୭
ସକଳ ଲୋକେ ପ୍ରୀତିଦାତା । ସାଧୁ-ସୁନ୍ଦର-ଶୁଦ୍ଧଚେତା ॥ ୮୮
ଏବେ ହୋ ଶୁଣ ବିପ୍ରଜନେ । ଧର୍ମନନ୍ଦନ ଚିନ୍ତେ ମନେ ॥ ୮୯
ଜ୍ଞାତି ମାରଣ ଦ୍ରୋହ ଚିତ୍ତେ । ସର୍ବକଳୁଷ ନାଶ ଅର୍ଥେ ॥ ୯୦
ପ୍ରଜାଙ୍କ ତହୁଁ ନିଜଧନ । ନକରି ଦଣ୍ତ କରଷଣ ॥ ୯୧
କୃଷ୍ଣ ଆଜ୍ଞାରେ ଭ୍ରାତୃଗଣେ । ଗଲେ ଯେ ରାଜାଙ୍କ ଚରଣେ ॥ ୯୨
ରାଜାଙ୍କ ତହୁଁ କେତେ ଆଣି । ସଙ୍ଗତେ ଘେନି ଚକ୍ରପାଣି ॥ ୯୩
ପଞ୍ଚଭ୍ରାତାଏ ତୋଷେ ମିଳି । ବିପ୍ରଙ୍କୁ ଘେନି ବନମାଳୀ ॥ ୯୪
ଆଗମ ନିଗମ ଯେ ବିଧି । କରାଇ ତିନି ଅଶ୍ୱମେଧି ॥ ୯୫
କେତେହେଁ ଦିନ କୃଷ୍ଣ ରହି । ଜ୍ଞାତି ସୁହୃଦ ଭାବ ବହି ॥ ୯୬
ଦ୍ରୌପଦୀ କୁନ୍ତୀ ଅନୁମତେ । ବିଚାର କରି ପଞ୍ଚଭ୍ରାତେ ॥ ୯୭
ରଥେ ଅର୍ଜୁନ ସଙ୍ଗେ କରି । ନିଜ ଭୁବନେ ଗଲେ ହରି ॥ ୯୮
ସେ ହରି-ଚରଣ-ପଙ୍କଜେ । ବ୍ରାହ୍ମଣ ଜଗନ୍ନାଥ ଭଜେ ॥ ୯୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ପରୀକ୍ଷିତ ଜନ୍ମାଦି ଉତ୍କର୍ଷୋ ନାମ ଦ୍ୱାଦଶୋଽଧ୍ୟାୟଃ ।।
* * *