ପ୍ରଥମ ସ୍କନ୍ଧ

ଦ୍ୱାଦଶ ଅଧ୍ୟାୟ

ଶୌନକ ଉବାଚ

କୋପେ ଯେ ଦ୍ରୋଣଙ୍କ କୁମର । ମନ୍ତ୍ରି ପେଷିଲା ବ୍ରହ୍ମଶର ॥

ତାର ପ୍ରଚଣ୍ତ ତେଜଜାଳେ । ଭୟେ କମ୍ପିଲେ ଦିଗପାଳେ ॥

ଉତ୍ତରା ଗର୍ଭେ ସେ ପଡ଼ିଲା । ତକ୍ଷଣେ ଗୋବିନ୍ଦ ରଖିଲା ॥

ସେ ପୁଣି ଗର୍ଭୁ ଜନ୍ମ ହୋଇ । ପାଳିଲା ରାଜାପଣେ ମହୀ ॥

ଜଗତେ ଯେତେ କର୍ମ କଲା । ପ୍ରଜାଙ୍କୁ ଯେମନ୍ତେ ପାଳିଲା ॥

କେବଣ ହେତୁ ନୃପରାଣ । କାହିଁ ଛାଡ଼ିଲା ନିଜପ୍ରାଣ ॥

ଅଳପ ବୟସେ ନୃପତି । ଅନ୍ତେ ଲଭିଲା କେଉଁଗତି ॥

ଆନନ୍ଦେ ବ୍ୟାସଙ୍କର ସୁତ । ଯାହାଙ୍କୁ ଦେଲେ ଜ୍ଞାନତତ୍ତ୍ଵ ॥

ତାର ସକଳ କର୍ମଦୀକ୍ଷା । ଶ୍ରବଣେ କଲୁ ଆମ୍ଭେ ଇଚ୍ଛା ॥

ଆମ୍ଭଙ୍କୁ ଯେବେ ଦୟା ବହ । ସଂଶୟ ଯାଉ ମୁନି କହ ॥ ୧୦

ସୂତ ଉବାଚ

କୁରୁ ନଗରେ ଧର୍ମରାଜା । ପୁତ୍ରଙ୍କ ପ୍ରାୟେ ପାଳେ ପ୍ରଜା ॥ ୧୧

କୃଷ୍ଣହୁଁ ନ ଜାଣଇ ଆନ । ବିଷୟା ରସେ ନାହିଁ ମନ ॥ ୧୨

ଧନ ସମ୍ପଦର ରକ୍ଷଣେ । ଯେ ସ୍ନେହ ଭାର୍ଯ୍ୟା ଭ୍ରାତୃଗଣେ ॥ ୧୩

ରାଜ୍ୟ ପାଳନେ ଏହିମତେ । ଧର୍ମହୁଁ ଅନ୍ୟ ନାହିଁ ଚିତ୍ତେ ॥ ୧୪

ଏ ଜମ୍ବୁଦ୍ୱୀପେ ଯେତେ ରାଜା । ସର୍ବେ କରନ୍ତି ପାଦପୂଜା ॥ ୧୫

ଯାର ମହିମା ତିନିଲୋକେ । ଘୋଷନ୍ତି ଏକକୁ ଆରକେ ॥ ୧୬

ଗୋବିନ୍ଦ ଯାର ହୃଦେ ବସେ । ସେ କି ବିଷୟରସେ ରସେ ॥ ୧୭

କ୍ଷୁଧିତଜନ ମନ ଯେହ୍ନେ । ଅନ୍ନହୁଁ ନ ଲୋଡ଼ଇ ମନେ ॥ ୧୮

ଏବେ ହୋ ଶୁଣ ବିପ୍ରଜନ । କହିବା ପରୀକ୍ଷିତ ଜନ୍ମ ॥ ୧୯

ମାତାର ଗର୍ଭେ ଯେବେ ଥିଲା । ନୟନେ କୃଷ୍ଣଙ୍କୁ ଦେଖିଲା ॥ ୨୦

ତେଜେ ଯେସନେ ଦିବାକର । ଗର୍ଭେ ପଡ଼ିଲା ବ୍ରହ୍ମଶର ॥ ୨୧

ଉତ୍ତରା ଡାକେ ତ୍ରାହି ତ୍ରାହି । ତକ୍ଷଣେ ପ୍ରଭୁ ଭାବଗ୍ରାହୀ ॥ ୨୨

ଅଙ୍ଗୁଷ୍ଠି ପ୍ରମାଣେ ଶରୀରେ । ସୁଦରଶନ ଧରି କରେ ॥ ୨୩

କିରୀଟ କୁଣ୍ତଳ ବିରାଜେ । ପ୍ରଭା ସବିତାତେଜ ଗଞ୍ଜେ ॥ ୨୪

ଅପୂର୍ବ ରୂପ ଘନଶ୍ୟାମ । ତଡ଼ିତବାସ କଟିଦାମ ॥ ୨୫

ଆଜାନୁଲମ୍ବେ ଭୁଜ ଚାରି । ଶଙ୍ଖ କମଳ ଗଦା ଧରି ॥ ୨୬

କୋପେ ଲୋହିତ ବେନି ଦୃଷ୍ଟି । ଗଦା ଭ୍ରମଣେ ଦୃଢ଼ମୁଷ୍ଟି ॥ ୨୭

ଗଦାର ତେଜ ରବିତ୍ରାସ । ମଣ୍ତଳେ ପୂରେ ଦଶଦିଶ ॥ ୨୮

ହରିଲେ ବ୍ରହ୍ମଶର ତେଜ । ନୀହାର ଯେହ୍ନେ ଗ୍ରହରାଜ ॥ ୨୯

ନିକଟେ ଦେଖି ବିତର୍କିତ । ଏ କେ ମୋ ପାଶେ ଉପଗତ ॥ ୩୦

ନିର୍ମଳଆତ୍ମା ଭଗବାନ । ଧର୍ମ ପାଳକ ଜନାର୍ଦ୍ଦନ ॥ ୩୧

ତକ୍ଷଣେ ଗର୍ଭ ରକ୍ଷା କରି । ଅନ୍ତର ହୋଇଲେ ମୁରାରି ॥ ୩୨

ବାଳକ ଦେଖେ ତା ନୟନେ । ଗୋବିନ୍ଦ ଗଲେ ଅନ୍ତର୍ଦ୍ଧାନେ ॥ ୩୩

ତକ୍ଷଣେ ସର୍ବଶୁଭ ବେଳେ । ଗ୍ରହ ସକଳ ଅନୁକୂଳେ ॥ ୩୪

ବାଳକ ହୋଇଲା ବାହାର । ଗୁଣେ ପାଣ୍ତବ ବଂଶଧର ॥ ୩୫

ଅତି ସୁନ୍ଦର ବିରାଜିଲା । ପୁଣି କି ପାଣ୍ତୁ ପ୍ରକାଶିଲା ॥ ୩୬

ଦେଖି ସନ୍ତୋଷ ଧର୍ମସୁତ । ସଙ୍ଗତେ ଘେନି ପୁରୋହିତ ॥ ୩୭

ଆନନ୍ଦେ ମିଳି ମହାଜନେ । ସ୍ୱସ୍ତିକ ମଙ୍ଗଳ ବଚନେ ॥ ୩୮

ଶୁଭଇ ଶଙ୍ଖନାଦ ଭେରୀ । ଶୁଭେଣ ଜାତକର୍ମ କରି ॥ ୩୯

ସୁବର୍ଣ୍ଣ ମହୀ ଧେନୁ ତୁଲେ । ଅନେକ ଗ୍ରାମଦାନ ଦେଲେ ॥ ୪୦

ଅଶ୍ୱ କୁଞ୍ଜର ନିଜ ଅନ୍ନ । ସୁମୃତି ମତେ ଦେଲେ ଦାନ ॥ ୪୧

ସୂତ ମାଗଧ ଆଦି ଲୋକେ । ଯେ ଆସି ମିଳିଲେ ଯାଚକେ ॥ ୪୨

ଧର୍ମନନ୍ଦନ ସୁଖଚିତ୍ତେ । ଦକ୍ଷିଣା ଦେଲେ ପ୍ରଜାତୀର୍ଥେ ॥ ୪୩

ସନ୍ତୋଷେ ବସି ବିପ୍ରଗଣ । ବିଚାରି ଜାତକ ଲକ୍ଷଣ ॥ ୪୪

ଗ୍ରହ ନକ୍ଷତ୍ର ଚିନ୍ତି ଚିତ୍ତେ । କହନ୍ତି ରାଜାଙ୍କ ଅଗ୍ରତେ ॥ ୪୫

ଏ ଅଭିମନ୍ୟୁର କୁମର । ପାଣ୍ତବବଂଶେ କୀର୍ତ୍ତିକର ॥ ୪୬

ଗର୍ଭସଙ୍କଟୁ ଏ ତରିଲା । ଏହାକୁ ବିଷ୍ଣୁ ରକ୍ଷା କଲା ॥ ୪୭

ସର୍ବ ଲକ୍ଷଣେ ଏ ସମ୍ଭୂତ । ଏହାର ନାମ ବିଷ୍ଣୁରାତ ॥ ୪୮

କୁରୁ ପାଣ୍ତବ ବଂଶଧର । ଏ ଭାଗବତ ମଧ୍ୟେ ବର ॥ ୪୯

ଏମନ୍ତେ ବ୍ରାହ୍ମଣଙ୍କ ବାଣୀ । ଶ୍ରବଣେ ସୁଧାପ୍ରାୟ ମଣି ॥ ୫୦

ହେ ବିପ୍ରବରେ ତୁମ୍ଭ ବାଣୀ । ବୋଲନ୍ତି ଯୁଧିଷ୍ଠିର ଶୁଣି ॥ ୫୧

ଆଗମ ନିଗମେ ଯା ସାର । ତୁମ୍ଭଙ୍କୁ ନୋହେ ଅଗୋଚର ॥ ୫୨

ଗ୍ରହନକ୍ଷତ୍ର ଯୋଗମତେ । ଯାହା କହିଲ ଶାସ୍ତ୍ରତତ୍ତ୍ଵେ ॥ ୫୩

ଏ ବଂଶଧର ସାଧୁବାଦେ । ସତେ ପାଳିବ ରାଜପଦେ ॥ ୫୪

ରାଜାବଚନେ ବିପ୍ରଗଣ । କହନ୍ତି ଜାତକ ଲକ୍ଷଣ ॥ ୫୫

ଶୁଣ ହେ ଧର୍ମର ନନ୍ଦନ । ଆମ୍ଭର ଆଶିଷ ବଚନ ॥ ୫୬

ପ୍ରଜାପାଳନେ ଏ ନିୟତ । ଯେହ୍ନେ ଇକ୍ଷ୍ୱାକୁ ମନୁସୁତ ॥ ୫୭

ବ୍ରାହ୍ମଣ ଜନହିତକର । ସତ୍ୟପ୍ରତିଜ୍ଞ ଗୁଣଧର ॥ ୫୮

ଏହାର ଯଶ ସର୍ବଦେଶେ । ଯେହ୍ନେ ଶ୍ରୀରାମ ରଘୁବଂଶେ ॥ ୫୯

ଶିବି ଯେସନେ ଦାତାବର । ଦୟାଳୁ ମଧ୍ୟେ ଏ କୁମର ॥ ୬୦

ଭରତ ପ୍ରାଏ ଯଜ୍ଞକାରୀ । ଅର୍ଜୁନ ସମ ଧନୁର୍ଦ୍ଧାରୀ ॥ ୬୧

ହୁତାଶ ପ୍ରାୟ ତେଜୋମୟ । ଦୁସ୍ତର ସମୁଦ୍ରର ପ୍ରାୟ ॥ ୬୨

ବିକ୍ରମେ ଯେସନେ କେଶରୀ । ଆଶ୍ରୟେ ଯେହ୍ନେ ହିମଗିରି ॥ ୬୩

ପୃଥିବୀ ସମ ଧୀରଚେତା । ସହିଷ୍ଣୁ ଯେହ୍ନେ ପିତାମାତା ॥ ୬୪

ସମ ପାଳନେ କି ବିଧାତା । ଈଶ୍ୱର ପ୍ରାୟ ବରଦାତା ॥ ୬୫

ଆଶ୍ରୟ ସର୍ବ ପ୍ରାଣୀଙ୍କର । ଯେହ୍ନେ ସଂସାରେ ରମାବର ॥ ୬୬

ସର୍ବଲକ୍ଷଣେ କୃଷ୍ଣସମ । ସୁଦୃଢ଼ବ୍ରତ ସତ୍ୟଧାମ ॥ ୬୭

ଉଦାର ପଣେ ରନ୍ତିଦେବ । ଯଯାତି ପ୍ରାୟେ ଧୀରଭାବ ॥ ୬୮

ବଳିର ପ୍ରାୟ ଧୀରପଦ । ବୈଷ୍ଣବ ଯେହ୍ନେ ପ୍ରହଲାଦ ॥ ୬୯

ସଂସ୍କାର ମନ୍ତ୍ର ହବିର୍ଭାଗେ । ଦେବଙ୍କୁ ଅଶ୍ୱମେଧ ଯଜ୍ଞେ ॥ ୭୦

ପୂଜାରେ କରାଇ ସନ୍ତୋଷ । ବୃଦ୍ଧ ସେବାରେ ସେ ବିଶ୍ୱାସ ॥ ୭୧

ରାଜଋଷିଙ୍କ ଜାତକାରୀ । ଦୁଷ୍ଟଜନଙ୍କ ଦର୍ପହାରୀ ॥ ୭୨

ଅବନୀ ଧର୍ମ ରକ୍ଷା ଅର୍ଥେ । କଳିକି ବାନ୍ଧିବି ଆୟତ୍ତେ ॥ ୭୩

ବ୍ରାହ୍ମଣ ଶାପ ମହାରୋଷେ । ଲଭିବ ଅଳପ ବୟସେ ॥ ୭୪

ବ୍ରହ୍ମବଚନ ତୀକ୍ଷ୍ଣବାଣ । ତକ୍ଷକ ହସ୍ତେ ଦେବ ପ୍ରାଣ ॥ ୭୫

ବ୍ରାହ୍ମଣ ଶାପେ ଭୟ ପାଇ । ତକ୍ଷଣେ ସାଧୁସଙ୍ଗୀ ହୋଇ ॥ ୭୬

ଜାହ୍ନବୀକୂଳେ ଅନ୍ତର୍ଜଳେ । ହରି-ଭକତି ସନ୍ଥମେଳେ ॥ ୭୭

କୃଷ୍ଣ-ମହିମା ଶୁକ ମୁଖେ । ଶୁଣି ଛାଡ଼ିବ ପ୍ରାଣ ସୁଖେ ॥ ୭୮

ଗୋବିନ୍ଦ ଅଭୟ ଚରଣ । ନିଶ୍ଚିନ୍ତେ ପଶିବ ଶରଣ ॥ ୭୯

ସୂତ ଉବାଚ

ଏମନ୍ତେ ଜାତକର୍ମ କଲେ । ବନ୍ଧୁବାନ୍ଧବ ବିପ୍ରମେଳେ ॥ ୮୦

ରାଜାଙ୍କୁ ମାଗି ଅନୁଯାନ । ବିପ୍ରେ ଚଳିଲେ ନିଜ ସ୍ଥାନ ॥ ୮୧

ଗର୍ଭେ ଦେଖିଲା ଚକ୍ରପାଣି । ସଂସାରେ ଦେଖେ ଯେତେ ପ୍ରାଣୀ ॥ ୮୨

ଏ ଅବା ସେହି ଅବା ନୋହି । ଏମନ୍ତ ପରୀକ୍ଷା କରଇ ॥ ୮୩

ଏ ଘେନି ନାମ ପରୀକ୍ଷିତ । ଲୋକରେ ହୋଇଲା ବିଖ୍ୟାତ ॥ ୮୪

ଦିନକୁଦିନ ତେଜରାଶି । ଶୁକଳପକ୍ଷେ ଯେହ୍ନେ ଶଶୀ ॥ ୮୫

ଦିନକୁଦିନ ପିତୃଗଣେ । ସ୍ନେହେ ପାଳନ୍ତି ଅନୁକ୍ଷଣେ ॥ ୮୬

ବାଳକ ଦେହେ ପରୀକ୍ଷିତ । ସ୍ୱଭାବେ କୃଷ୍ଣ ଭକତ ॥ ୮୭

ସକଳ ଲୋକେ ପ୍ରୀତିଦାତା । ସାଧୁ-ସୁନ୍ଦର-ଶୁଦ୍ଧଚେତା ॥ ୮୮

ଏବେ ହୋ ଶୁଣ ବିପ୍ରଜନେ । ଧର୍ମନନ୍ଦନ ଚିନ୍ତେ ମନେ ॥ ୮୯

ଜ୍ଞାତି ମାରଣ ଦ୍ରୋହ ଚିତ୍ତେ । ସର୍ବକଳୁଷ ନାଶ ଅର୍ଥେ ॥ ୯୦

ପ୍ରଜାଙ୍କ ତହୁଁ ନିଜଧନ । ନକରି ଦଣ୍ତ କରଷଣ ॥ ୯୧

କୃଷ୍ଣ ଆଜ୍ଞାରେ ଭ୍ରାତୃଗଣେ । ଗଲେ ଯେ ରାଜାଙ୍କ ଚରଣେ ॥ ୯୨

ରାଜାଙ୍କ ତହୁଁ କେତେ ଆଣି । ସଙ୍ଗତେ ଘେନି ଚକ୍ରପାଣି ॥ ୯୩

ପଞ୍ଚଭ୍ରାତାଏ ତୋଷେ ମିଳି । ବିପ୍ରଙ୍କୁ ଘେନି ବନମାଳୀ ॥ ୯୪

ଆଗମ ନିଗମ ଯେ ବିଧି । କରାଇ ତିନି ଅଶ୍ୱମେଧି ॥ ୯୫

କେତେହେଁ ଦିନ କୃଷ୍ଣ ରହି । ଜ୍ଞାତି ସୁହୃଦ ଭାବ ବହି ॥ ୯୬

ଦ୍ରୌପଦୀ କୁନ୍ତୀ ଅନୁମତେ । ବିଚାର କରି ପଞ୍ଚଭ୍ରାତେ ॥ ୯୭

ରଥେ ଅର୍ଜୁନ ସଙ୍ଗେ କରି । ନିଜ ଭୁବନେ ଗଲେ ହରି ॥ ୯୮

ସେ ହରି-ଚରଣ-ପଙ୍କଜେ । ବ୍ରାହ୍ମଣ ଜଗନ୍ନାଥ ଭଜେ ॥ ୯୯

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ପରୀକ୍ଷିତ ଜନ୍ମାଦି ଉତ୍‌କର୍ଷୋ ନାମ ଦ୍ୱାଦଶୋଽଧ୍ୟାୟଃ ।।

* * *