ପ୍ରଥମ ସ୍କନ୍ଧ

ଏକାଦଶ ଅଧ୍ୟାୟ

ସୂତ ଉବାଚ

ଏମନ୍ତେ ନିଜ ରାଜ୍ୟେ ହରି । ମିଳିଲେ ଶଙ୍ଖନାଦ କରି ॥

ସେ ପାଞ୍ଚଜନ୍ୟର ଶବଦ । ହରିଲା ପ୍ରଜାଙ୍କ ବିଷାଦ ॥

ସେ ଶଙ୍ଖଧବଳ ଉଦର । ବିରାଜେ ଶ୍ରୀକୃଷ୍ଣର କର ॥

ଅଧର ରଙ୍ଗେ ରଙ୍ଗ ଦିଶି । ଉଚ୍ଚ ଶବଦ ସେହୁ ଭାଷି ॥

ରକତ ପଦ୍ମ କୋଳେ ଯେହ୍ନେ । ଶୋଭିତ ରାଜହଂସ ସ୍ୱନେ ॥

ସେ ନାଦ ଯେତେଦୂର ସ୍ଫୁରେ । ଜନ୍ମ ମରଣ ଭୟ ହରେ ॥

ସେ ନାଦ ସ୍ଫୁରେ ଘନଘନ । ଶୁଣି ସକଳ ପ୍ରଜାଜନ ॥

ଧାମନ୍ତି ପରମ ହରଷେ । ଶ୍ରୀକୃଷ୍ଣ ଦର୍ଶନ ଲାଳସେ ॥

ବିବିଧ ଉପାୟନ ହସ୍ତେ । ମିଳିଲେ ଗୋବିନ୍ଦ ଅଗ୍ରତେ ॥

ରବି ସମୀପେ ଦୀପପନ୍ତି । ଦିବସେ ଯେସନେ ଦିଶନ୍ତି ॥ ୧୦

ଯେ ହରି ନିତ୍ୟ ପୂର୍ଣ୍ଣକାମ । ଆତ୍ମ ପ୍ରକାଶ ଆତ୍ମାରାମ ॥ ୧୧

ତାର ନିକଟେ ରୁଣ୍ତ ହୋଇ । ସକଳେ ଶିରେ କର ଦେଇ ॥ ୧୨

ବାଳକ ପିତା ସନ୍ନିଧାନେ । ଯେମନ୍ତେ ମାନ ଅପମାନେ ॥ ୧୩

ଆନନ୍ଦେ କୃଷ୍ଣ ମୁଖ ଚାହିଁ । ବୋଲନ୍ତି ଗଦଗଦ ହୋଇ ॥ ୧୪

ଭୋନାଥ ପରମ କାରଣ । ତୋହର ଅଭୟ ଚରଣ ॥ ୧୫

ଶିବ ବିରଞ୍ଚି ଆଦି ଦେବେ । ନିତ୍ୟେ ସେବନ୍ତି ଆତ୍ମଭାବେ ॥ ୧୬

ଯେ ଚିନ୍ତେ ଆତ୍ମାର କାରଣ । ତୋ ପାଦପଦ୍ମ ନାରାୟଣ ॥ ୧୭

ଯେ କାଳ ସକଳ ସଂହାରେ । ତୋର ସେବକେ ସେ ନପାରେ ॥ ୧୮

ତୁ ଆମ୍ଭ ପିତାମାତା ପତି । ସର୍ବ ସଙ୍କଳ୍ପ କ୍ଷେମଗତି ॥ ୧୯

ପରମଗୁରୁ ଦଇବତ । ସୁହୃଦ ବନ୍ଧୁ ପ୍ରିୟମିତ୍ର ॥ ୨୦

ତୋ ବିନୁ ଆମ୍ଭେ ନୋହୁ କିଛି । ତୁ ନାଥ ସର୍ବ-ଆତ୍ମା-ସାକ୍ଷୀ ॥ ୨୧

ଅନାଥ ନାଥ ତୁ ଆମ୍ଭର । ଦେବମାନବେ ଅଗୋଚର ॥ ୨୨

ତୋର ବଦନ ନାରାୟଣ । ପ୍ରେମ ହସିତ ନିରୀକ୍ଷଣ ॥ ୨୩

ସେ ମୁଖ ଦେଖୁ ତୋର ଦେହେ । ସର୍ବସୌନ୍ଦର୍ଯ୍ୟ ଯହିଁ ରହେ ॥ ୨୪

ଯେବେ ସୁହୃଦ ଦେଖିବାରେ । କୁରୁନଗର ମଧୁୁପୁରେ ॥ ୨୫

ଇଚ୍ଛାରେ କରୁ ତୁ ଗମନ । ତୋତେ ନ ଦେଖି ଆମ୍ଭମନ ॥ ୨୬

କ୍ଷଣକ କୋଟିଯୁଗ ମଣେ । ରଜନୀ ଦିବସ ନ ଜାଣେ ॥ ୨୭

କୋଟିନୟନ ପ୍ରାଣୀ ବହି । କି କରେ ରବି ଯେବେ ନାହିଁ ॥ ୨୮

ତୋହର ପ୍ରସନ୍ନ ବଦନ । ଅଖିଳ ତାପ ବିମୋଚନ ॥ ୨୯

ଚିର ପ୍ରବାସେ ତା ନ ଦେଖି । ଆମ୍ଭ ଜୀବନ ବଡ଼ ଦୁଃଖୀ ॥ ୩୦

ଏମନ୍ତ ଜନ ମୁଖୁ ଶୁଣି । ଆନନ୍ଦ ମନେ ଚକ୍ରପାଣି ॥ ୩୧

ଅମୃତ ଲୋଚନେ ଅନାଇ । ପୁରେ ପ୍ରବେଶ ଭାବଗ୍ରାହୀ ॥ ୩୨

ଯାଦବ ସାତବଂଶ ମିଳି । ଶବଦ ଶୁଭେ କୁଶସ୍ଥଳୀ ॥ ୩୩

ରକ୍ଷିତ ନିଜ ତୁଲ୍ୟ ବଳେ । ପାତାଳ ଯେହ୍ନେ ନାଗବଳେ ॥ ୩୪

ମତ୍ତ ମାତଙ୍ଗ ଅଶ୍ୱ ଖର । ରଥ ଶକଟ ବହୁତର ॥ ୩୫

ପଦାତିବଳ ଅପ୍ରମିତ । ଧାମନ୍ତି ବୀରେ ଯୂଥଯୂଥ ॥ ୩୬

ଚଳନ୍ତେ ମୁଖରାବ ଗୋଳ । ପାତାଳେ ଯେହ୍ନେ ନାଗବଳ ॥ ୩୭

ସକଳ ଋତୁ ପୁଷ୍ପଫଳେ । ଆଶ୍ରଇ ଲତା ଦ୍ରୁମ ମେଳେ ॥ ୩୮

ଆରାମ ଭବନେ ଶୋଭନ । ଜଳେ ଜଳଜ ହଂସ ମୀନ ॥ ୩୯

ତୋରଣ ପୁର ଦ୍ୱାର ମାର୍ଗେ । ଉଚ୍ଚେ ବନ୍ଧନ ନବରଙ୍ଗେ ॥ ୪୦

ଧ୍ୱଜ ପତାକା ଚିତ୍ର ଶୋହେ । ସୁନ୍ଦର ପଥ ମନ ମୋହେ ॥ ୪୧

ମାର୍ଜିତ ମାର୍ଗ ଦ୍ୱାରେ ଦ୍ୱାରେ । ସିଞ୍ଚା କୁସୁମ ଗନ୍ଧନୀରେ ॥ ୪୨

ଗୃହମାନଙ୍କ ପ୍ରତିଦ୍ୱାରେ । ଦଧି ଅକ୍ଷତ ଫଳଭରେ ॥ ୪୩

ପୂର୍ଣ୍ଣ କଳସ ଧୂପଦୀପେ । ଜୟଶବଦ ନାନାରୂପେ ॥ ୪୪

କୃଷ୍ଣର ଆଗମନ ଜାଣି । ସଙ୍ଗତେ ବସୁଦେବ ଘେନି ॥ ୪୫

ରାମ ଅକ୍ରୁର ଉଗ୍ରସେନ । କୃଷ୍ଣର ଯେତେକ ନନ୍ଦନ ॥ ୪୬

ହରଷେ ଉଛୁଳିଲା ମନ । ଉପେକ୍ଷି ଶୟନ ଭୋଜନ ॥ ୪୭

ଉତ୍ତମ ହସ୍ତୀ ସଜ କରି । ମାଗଧେ ମଙ୍ଗଳ ଉଚ୍ଚାରି ॥ ୪୮

ମଙ୍ଗଳ ବେଦନାଦ ସ୍ୱରେ । ଅଗ୍ରେ ଚଳିଲେ ବିପ୍ରବରେ ॥ ୪୯

ଶଙ୍ଖ ମହୁରୀ ଭେରୀ ତୂରୀ । ଯେ ବାଦ୍ୟେ ମଙ୍ଗଳ ଉଚ୍ଚାରି ॥ ୫୦

ଏମନ୍ତେ ପୁରଜନ ପଥେ । ଆନନ୍ଦେ ମିଳିଲେ ସମସ୍ତେ ॥ ୫୧

ଶତ ସହସ୍ର ବାରାଙ୍ଗନା । ଯେ ରୂପେ ଜଗତ ମୋହନା ॥ ୫୨

କୁଣ୍ତଳ ଲୋଳିତ ଶ୍ରବଣେ । ଲୋଚନ ପୂରିତ ଅଞ୍ଜନେ ॥ ୫୩

ଅଳକା ତିଳକ କୁସୁମ । ଦେବମାନବେ ମନୋରମ ॥ ୫୪

ନଟ ନର୍ତ୍ତକ ବନ୍ଦୀ ସୂତେ । ଅଗ୍ରେ ଚଳନ୍ତି ଯୂଥେଯୂଥେ ॥ ୫୫

କୃଷ୍ଣର ଅଦ୍ଭୁତ ଚରିତ । ଗାୟନ କରି ନୃତ୍ୟଗୀତ ॥ ୫୬

ମିଳିଲେ ଗୋବିନ୍ଦର ପାଶେ । ସକଳେ ପରମ ହରଷେ ॥ ୫୭

ଗୋବିନ୍ଦ ଦେଖି ପୁରଜନ । ତକ୍ଷଣେ ଉପେକ୍ଷି ଆସନ ॥ ୫୮

ଯେ ହରି ସର୍ବ ଗୁଣନିଧି । ବନ୍ଧୁ ପୂଜିଲେ ଯଥାବିଧି ॥ ୫୯

କାହାକୁ କରି ନମସ୍କାର । ଆନନ୍ଦେ ଧରି କରେ କର ॥ ୬୦

କାହାକୁ କରି ଆଲିଙ୍ଗନ । କା ଶିରେ ଆଘ୍ରାଣ ଚୁମ୍ବନ ॥ ୬୧

କାହାକୁ ମନ୍ଦହାସେ ଚାହିଁ । ଭାବେ ତୋଷିଲେ ଭାବଗ୍ରାହୀ ॥ ୬୨

ଆଶ୍ୱାସ କରି ପୁରଜନେ । ତୋଷିଲେ ସର୍ବ ବାକ୍ୟଧନେ ॥ ୬୩

ଚାଣ୍ତାଳୁ ବ୍ରହ୍ମଯାଏଁ ପୂଜା । କରି ତୋଷିଲେ ଦେବରାଜା ॥ ୬୪

କୁଳ ପୂଜିତ ଜ୍ଞାନବୃଦ୍ଧ । କୃଷ୍ଣଙ୍କୁ କଲେ ଆଶୀର୍ବାଦ ॥ ୬୫

ପୁରେ ପଶନ୍ତେ ଜନାର୍ଦ୍ଦନ । ଦ୍ୱାରକାପୁର ବଧୂଜନ ॥ ୬୬

ତକ୍ଷଣେ ଲାଜ ଦୂର କରି । ଆରୋହି ଅଟ୍ଟାଳୀ ପାଚେରୀ ॥ ୬୭

ଦେଖିଣ କୃଷ୍ଣର ଶରୀର । ମହାଉତ୍ସବେଣ ଅସ୍ଥିର ॥ ୬୮

ଯଦ୍ୟପି ନିତ୍ୟେ ନିତ୍ୟେ ପୁରେ । କୃଷ୍ଣ ବଦନ ନିରନ୍ତରେ ॥ ୬୯

ଦେଖି ସନ୍ତୋଷ ନୋହେ ମନ । ଯା ଅଙ୍ଗ ସର୍ବ ଶୋଭାବନ ॥ ୭୦

ଲକ୍ଷ୍ମୀ ବିଳାସ ଯାର ଅଙ୍ଗେ । ଅଦ୍ଭୁତ ବିବିଧ ବିଭଙ୍ଗେ ॥ ୭୧

ସୁଧା-ସମ୍ପୂର୍ଣ୍ଣ ଯାର ଗାତ୍ର । ପ୍ରାଣୀ ଲୋଚନ ପାନପାତ୍ର ॥ ୭୨

ଯାହାର ଚାରିଭୁଜତଳେ । ବାସବ ଆଦି ଦିଗପାଳେ ॥ ୭୩

ଯାହାର ଅଭୟ ଚରଣ । ଭକତଜନଙ୍କ ଶରଣ ॥ ୭୪

ଧବଳଛତ୍ର କେବା ଧରେ । କେବା ଚାମର ବିଞ୍ଚେ ଧୀରେ ॥ ୭୫

ଜୟଶବଦ କେ କରନ୍ତି । କେ ବା କୁସୁମ ବରଷନ୍ତି ॥ ୭୬

ପଥେ ଗୋବିନ୍ଦ ତନୁ ଶୋଭା । କିବା ଉପମା ତାରେ ଦେବା ॥ ୭୭

ପୀତବସନ ବନମାଳ । ଶ୍ରବଣେ ମକର କୁଣ୍ତଳ ॥ ୭୮

ପିଶଙ୍ଗ ବସ୍ତ୍ର ମଧ୍ୟଭାଗେ । ଯେହ୍ନେ ବିଜୁଳି ନୀଳମେଘେ ॥ ୭୯

ରବି ଶଶାଙ୍କ ଶକ୍ରଚାପ । ସ୍ୱଭାବେ ଘନନୀଳ ରୂପ ॥ ୮୦

ପୁରେ ପଶନ୍ତେ ବ୍ରହ୍ମରାଶି । ତକ୍ଷଣେ ମାତୃଗଣେ ଆସି ॥ ୮୧

ଆନନ୍ଦେ କରି ଆଲିଙ୍ଗନ । କୃଷ୍ଣଙ୍କୁ କରନ୍ତି କଲ୍ୟାଣ ॥ ୮୨

ଦେବକୀ ଆଦି ସପ୍ତନାରୀ । ଚରଣେ ନମିଲେ ମୁରାରି ॥ ୮୩

ସକଳ ମାତୃଗଣେ ମିଳି । କୋଳେ ବସାଇ ବନମାଳୀ ॥ ୮୪

ଅତ୍ୟନ୍ତ ପୁତ୍ର ସ୍ନେହଭରେ । କ୍ଷୀର ସ୍ରବଇ ପୟୋଧରେ ॥ ୮୫

ଅତି ଆନନ୍ଦେ ଅଶ୍ରୁଜଳେ । ସିଞ୍ଚନ୍ତି କୃଷ୍ଣଙ୍କ ଉପରେ ॥ ୮୬

ମାତୃଗଣଙ୍କ ସଙ୍ଗୁ ହରି । ନିଜ ଭୁବନେ ବିଜେ କରି ॥ ୮୭

ଷୋଳସହସ୍ର ପତ୍ନୀଙ୍କର । ବିରାଜେ ରତ୍ନମୟ ପୁର ॥ ୮୮

ସକଳ କାମ ଅର୍ଥ ଧର୍ମ । ଯହିଁ ବିଜୟେ ପୂର୍ଣ୍ଣବ୍ରହ୍ମ ॥ ୮୯

ମାୟାର ବଳେ ବନମାଳୀ । ପତ୍ନୀ ଭୁବନେ ବେଗେ ମିଳି ॥ ୯୦

ଅଷ୍ଟ ଅଧିକ ଶତନାରୀ । ଷୋଳସହସ୍ର ମନୋହାରୀ ॥ ୯୧

ପଶିଲେ ଏତେ ରୂପ ହୋଇ । ହାସ୍ୟ କଟାକ୍ଷେ ମନ ମୋହି ॥ ୯୨

ଭୁବନେ ଦେଖି ନିଜ ପତି । ସମ୍ଭ୍ରମେ ସକଳ ଯୁବତୀ ॥ ୯୩

ଦୂରୁ ଗୋବିନ୍ଦ ମୁଖ ଦେଖି । ଉଠିଲେ ଆସନ ଉପେକ୍ଷି ॥ ୯୪

କି ଅବା ଦେବା ପଟାନ୍ତର । ଚକୋରେ ଯେହ୍ନେ ନିଶାକର ॥ ୯୫

ତକ୍ଷଣେ ହରିରୂପ ଦେଖି । ନିର୍ମଳ କରି ବେନିଆଖି ॥ ୯୬

ଅନ୍ତରେ ସ୍ୱାମୀରୂପ ଧରି । ନିବିଡ଼େ ଆଲିଙ୍ଗନ କରି ॥ ୯୭

ପୁଣି କୃଷ୍ଣର ପାଶେ ମିଳି । ପୁତ୍ରାଦି ଦ୍ୱାରା କୋଳ କରି ॥ ୯୮

ସ୍ୱଭାବେ ସଲଜ୍ଜ ବଦନ । ଲୋତକେ ପୂରିତ ନୟନ ॥ ୯୯

ଯଦ୍ୟପି ପାଇଲେ ଏକାନ୍ତେ । ତଥାପି କୃଷ୍ଣ ପାଦଗତେ ॥ ୧୦୦

ଅତି ପୀରତି ନବନବ । ସ୍ୱାମୀ ଚରଣେ କଲେ ଭାବ ॥ ୧୦୧

ପାଦପଦ୍ମରେ ସେବା କଲେ । କେ ତାହା ଛାଡ଼ି ପାରେ ଭଲେ ॥ ୧୦୨

ଲକ୍ଷ୍ମୀ ଯେ ସ୍ୱଭାବେ ଚଞ୍ଚଳା । ସେ ନ ଛାଡ଼ଇ ଅତିଭୋଳା ॥ ୧୦୩

ଏହି ପ୍ରକାରେ ନରହରି । ଛଳେ ଧରଣୀ ଭାରା ହରି ॥ ୧୦୪

ଦଶ ଅୟୁତ ରାଜାଗଣେ । ଉଭାରି ସଂହାରିଲେ ରଣେ ॥ ୧୦୫

କଳି ଭିଆଇ ନାରାୟଣ । ଅନଳେ ଯେହ୍ନେ ସମୀରଣ ॥ ୧୦୬

ନାଶିଲେ ଅହଙ୍କାର ବାଦେ । ବିମାନେ ବସି ନିରାୟୁଧେ ॥ ୧୦୭

ସ୍ୱମାୟାବଳେ ନରହରି । ମନୁଷ୍ୟ ଦେହେ ଅବତରି ॥ ୧୦୮

ଅଜ୍ଞାନୀ ଯେହ୍ନେ ଗୃହେ ରହି । ବଞ୍ଚଇ ପତ୍ନୀବଶ ହୋଇ ॥ ୧୦୯

ପତ୍ନୀର ଭାବ ପ୍ରେମରଙ୍ଗେ । ଯନ୍ତ୍ରିତ ମୋହନ ଅନଙ୍ଗେ ॥ ୧୧୦

କୃଷ୍ଣର ଯେତେ ନାରୀଗଣ । ସୁନ୍ଦରେ ମୋହନ୍ତି ମଦନ ॥ ୧୧୧

ସ୍ୱଭାବେ ପ୍ରେମଛନ୍ଦେ ରସେ । ନିତ୍ୟେ ସେବନ୍ତି କୃଷ୍ଣପାଶେ ॥ ୧୧୨

ବିବିଧ ଆଲିଙ୍ଗନ ଦେଇ । ତା ମନ ନ ପାରିଲେ ମୋହି ॥ ୧୧୩

ଏ ଜୀବଲୋକ କାହୁଁ ଜାଣେ । ଆପଣା ତୁଲ୍ୟ ପ୍ରାୟ ମଣେ ॥ ୧୧୪

କାହୁଁ ପାରିବେ ବଶ କରି । ନିର୍ଲେପ ପ୍ରଭୁ ନରହରି ॥ ୧୧୫

ସେ ହରି ଚରଣ କମଳେ । ସୁଜନେ ଚିନ୍ତ ଧ୍ୟାନବଳେ ॥ ୧୧୬

କହଇ ଦାସ ଜଗନ୍ନାଥ । ପ୍ରଥମ ସ୍କନ୍ଧେ ଭାଗବତ ॥ ୧୧୭

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ଶ୍ରୀକୃଷ୍ଣ ଦ୍ୱାରକାପ୍ରବେଶୋ ନାମ ଏକାଦଶୋଽଧ୍ୟାୟଃ ।।

* * *