ପ୍ରଥମ ସ୍କନ୍ଧ

ନବମ ଅଧ୍ୟାୟ

ସୂତ ଉବାଚ

ଏମନ୍ତେ ପ୍ରାଣୀ ବଧେ ଭୟ । ନିବେଦି ଧର୍ମର ତନୟ ॥

ସକଳ ଧର୍ମ ଜ୍ଞାନ ଅର୍ଥେ । ବିଜୟ କଲେ ନିଜ ରଥେ ॥

ଯୁଦ୍ଧଭୂମିକୁ ହୋଇ ସଜ । ସଙ୍ଗତେ ଘେନି ଦେବରାଜ ॥

ମିଳିଲେ କୁରୁକ୍ଷେତ୍ରେ ଯାଇ । ଭୀଷ୍ମ ଅଛନ୍ତି ଯହିଁ ଶୋଇ ॥

ରାଜା ସଙ୍ଗତେ ଚାରିଭ୍ରାତେ । ସଜ ହୋଇଲେ ଯେଝା ରଥେ ॥

ଉତ୍ତମ ନାନା ଅଶ୍ୱଗଣ । ସ୍ୱଭାବେ ରତ୍ନ ବିଭୂଷଣ ॥

ତାହାଙ୍କ ସଙ୍ଗେ ବିପ୍ରଜନେ । ଗମନ କଲେ ତୋଷ ମନେ ॥

ଗୋବିନ୍ଦ ନନ୍ଦିଘୋଷ ରଥେ । ବସିଲେ ଅର୍ଜୁନ ସଙ୍ଗତେ ॥

ପାଣ୍ତବ ମଧ୍ୟେ ଚକ୍ରଧର । କି ଅବା ଦେବା ପଟାନ୍ତର ॥

ଗୁହ୍ୟକଗଣ ମଧ୍ୟଗତେ । କୁବେର ପ୍ରକାଶ ଯେମନ୍ତେ ॥ ୧୦

ଏମନ୍ତେ କୁରୁକ୍ଷେତ୍ର ଗଲେ । ପାଣ୍ତବେ ଗୋବିନ୍ଦଙ୍କ ତୁଲେ ॥ ୧୧

ଶର ଶୟନେ ଗଙ୍ଗାସୁତ । ଦେଖିବା ଅର୍ଥେ ଉପଗତ ॥ ୧୨

ଅବନୀ ପୃଷ୍ଠେ ମୋହଗତ । କି ବା ଅମର ଭୂମିଗତ ॥ ୧୩

ପାଣ୍ତବେ ଗୋବିନ୍ଦର ତୁଲେ । ଭୀଷ୍ମ ଚରଣେ ପ୍ରଣମିଲେ ॥ ୧୪

ବ୍ରାହ୍ମଣେ ମିଳିଲେ ତକ୍ଷଣେ । ବ୍ୟାସ ସହିତେ ମୁନିଗଣେ ॥ ୧୫

ଅପରେ ଯେତେ ରାଜଋଷି । ମିଳିଲେ କୁରୁକ୍ଷେତ୍ରେ ଆସି ॥ ୧୬

ପର୍ବତ ନାମେ ମହାଋଷି । ଧୈାମ୍ୟ ନାରଦ ତୁଲେ ମିଶି ॥ ୧୭

ବାଦରାୟଣ ବୃହଦଶ୍ୱ । ଭରଦ୍ୱାଜଙ୍କ ସଙ୍ଗେ ଶିଷ୍ୟ ॥ ୧୮

ପରମକ୍ଷତ୍ରୀ ପର୍ଶୁରାମ । ବଶିଷ୍ଠ ଇନ୍ଦ୍ରପ୍ରମଦନ ॥ ୧୯

ତ୍ରିତ ଅସିତ ଗୃତ୍ସମଦ । ଗୌତମ କକ୍ଷୀବାନ ସିଦ୍ଧ ॥ ୨୦

ଅତ୍ରି କୌଶିକ ସୁଦର୍ଶନ । କଶ୍ୟପ ଅଙ୍ଗୀରସ ନାମ ॥ ୨୧

ନିର୍ମଳଚେତା ବ୍ରହ୍ମଚାରୀ । ମିଳିଲେ ଶୁକ ମଧ୍ୟେ କରି ॥ ୨୨

ଏମନ୍ତେ ସର୍ବ ମୁନିଜନେ । ମିଳିଲେ ଭୀଷ୍ମ ସନ୍ନିଧାନେ ॥ ୨୩

ମୁନିଙ୍କି ଶାୟନ୍ତନୁସୁତ । ଶୟନେ କଲେ ପ୍ରଣିପାତ ॥ ୨୪

ଧର୍ମଜ୍ଞ ଗଙ୍ଗାର କୁମର । ଯେ ଦେଶାଚାର ସତକାର ॥ ୨୫

ତେଣୁ ପୂଜିଲେ ଏକେ ଏକେ । ମୁନିଙ୍କି ଦୃଢ଼ମାନସିକେ ॥ ୨୬

ଯେ ହରି ଜଗତ ଈଶ୍ୱର । ଅନାଦି ଧର୍ମ ନିରାକାର ॥ ୨୭

କୃଷ୍ଣଙ୍କୁ ହୃଦରେ ବସାଇ । ପୂଜିଲେ ଦୃଢ଼ ଚିତ୍ତ ହୋଇ ॥ ୨୮

ପ୍ରେମେ ବିନୟଭାବ ହୋଇ । ନିକଟେ ଥିବା ପଞ୍ଚଭାଇ ॥ ୨୯

ପାଣ୍ତୁପୁତ୍ରଙ୍କୁ ଦୟାଚିତ୍ତେ । ଭାବେ ବୋଲନ୍ତି ଅଶ୍ରୁନେତ୍ରେ ॥ ୩୦

ଭୀଷ୍ମ କହନ୍ତି ଦୟାମନେ । ସକଳ ମୁନି ଅବଧାନେ ॥ ୩୧

ଭୀଷ୍ମ ଉବାଚ

ଏ ବଡ଼କଷ୍ଟ ମୋର ଚିତ୍ତେ । ଏ ପାଞ୍ଚଭାଇ କୁନ୍ତୀ ସୁତେ ॥ ୩୨

ବନେ ବଞ୍ଚିଲେ କଷ୍ଟ କର୍ମେ । ଜୀବନ ପୋଷି ବିପ୍ରଧର୍ମେ ॥ ୩୩

ଯେଣୁ ଗୋବିନ୍ଦ ଆଶ୍ରେ ଥିଲେ । ଅନେକ ସଙ୍କଟୁ ତରିଲେ ॥ ୩୪

ସ୍ୱାମୀ ମରଣେ କୁନ୍ତୀ ସାଧୁ । ସ୍ୱଭାବେ ବାଳକୁଳବଧୂ ॥ ୩୫

ପୁତ୍ରଙ୍କ ତୁଲେ ବହୁକ୍ଳେଶେ । ଦୁଃଖେ ବଞ୍ଚିଲେ ବନବାସେ ॥ ୩୬

କାଳର ବଶ ଏ ଜଗତ । ପ୍ରାଣୀଏ କାଳର ଆୟତ୍ତ ॥ ୩୭

ସେ କାଳବଶେ ସର୍ବେ ଚଳି । ପବନେ ଯେହ୍ନେ ଘନାବଳୀ ॥ ୩୮

ଯେ କୁଳେ ରାଜା ଧର୍ମସୁତ । ରକ୍ଷକ ଭୀମ ଗଦାହସ୍ତ ॥ ୩୯

ଅର୍ଜୁନ ଯହିଁ ଧନୁ ଧରେ । ଯହିଁ ଗୋବିନ୍ଦ ରକ୍ଷାକରେ ॥ ୪୦

ସେ କୁଳେ ପଡ଼ଇ ବିପତ୍ତି । ଏମନ୍ତ ବିଧାତାର ଗତି ॥ ୪୧

କେ ଜାଣିପାରେ ଏହା ଚିନ୍ତି । ଯହିଁ ପଣ୍ତିତେ ଭ୍ରମି ଯାନ୍ତି ॥ ୪୨

ସଂସାର କର୍ମର ଆୟତ୍ତ । ଏହା ତୁ ଜାଣ କୁନ୍ତୀସୁତ ॥ ୪୩

ଏଣୁ ତୁ କିଛି ହିଁ ନ ଭାଳ । ଅନାଥ ପ୍ରଜା ଏବେ ପାଳ ॥ ୪୪

ଦେଖ ଏ ଆଦିନାରାୟଣ । ଜଗତ ପରମ କାରଣ ॥ ୪୫

ମାୟାରେ ଲୋକ ମନ ହରି । ଯାଦବ ବଂଶେ ଅବତରି ॥ ୪୬

ଏହାର ଅନୁଭାବ ଗତି । ଅଥବା ଜାଣେ ପଶୁପତି ॥ ୪୭

ନାରଦ ଜାଣେ ଭାବ ଘେନି । କିବା କପିଳ ମହାମୁନି ॥ ୪୮

ତୁ କୃଷ୍ଣ ମହିମା ନ ଜାଣି । ମାତୁଳସୁତ ପ୍ରାୟ ମଣି ॥ ୪୯

ପ୍ରିୟ ସୁହୃଦ ମିତ୍ର ପରି । ସଚିବ ବୁଦ୍ଧି କି ଆଚରି ॥ ୫୦

ଏହାଙ୍କୁ ଦୌତ୍ୟରେ ନିଯୋଗି । ପେଷିଲୁ ପଞ୍ଚଗ୍ରାମ ମାଗି ॥ ୫୧

ବାନ୍ଧବପ୍ରାୟେ ସ୍ନେହ କରି । ରଥେ ସାରଥି ପଣେ ବରି ॥ ୫୨

ଯହୁଁ ଏ ପ୍ରଭୁ ଭାବଗ୍ରାହୀ । ସ୍ୱଭାବେ ପରପର ନାହିଁ ॥ ୫୩

ଏଣୁ ତା ଉଚ୍ଚ ନୀଚ କର୍ମ । ଯୋଗ୍ୟ ଅଯୋଗ୍ୟ ସବୁ ସମ ॥ ୫୪

ଏ ଥାଇ ଭକତଙ୍କ ହିତେ । ଦେଖ ମୋ ଭାଗ୍ୟର ଆୟତ୍ତେ ॥ ୫୫

ଜୀବନ ଛାଡ଼ିବାର କାଳେ । ମିଳିଲା ଶରଶଯ୍ୟା ତଳେ ॥ ୫୬

ଯାର ଚରଣ ଭକ୍ତି ବଳେ । ନିଶ୍ଚଳମନେ ଅନ୍ତଃ କାଳେ ॥ ୫୭

ତୁଣ୍ତେ ଯେ ନାମ ଉଚ୍ଚାରନ୍ତି । ପରମପଦେ ସେ ମିଶନ୍ତି ॥ ୫୮

କର୍ମବାସନା ଯାଇ ଦୂର । ଏମନ୍ତ ମହିମା ଯାହାର ॥ ୫୯

ସେ ଦେବଦେବ ଭଗବାନ । ଭାବେ ଜାଣିଲେ ମୋର ମନ ॥ ୬୦

ଚିତ୍ତେ ପ୍ରସନ୍ନ ହେଉ ମୋର । ମୁହିଁ ଛାଡ଼ିବି କଳେବର ॥ ୬୧

ପ୍ରଫୁଲ୍ଲ କମଳ ଲୋଚନ । ସୁନ୍ଦର ହର୍ଷିତ ବଦନ ॥ ୬୨

ଚକ୍ର ସହିତେ ମହାବାହୁ । ସେ ମୋର ଧ୍ୟାନପଥେ ରହୁ ॥ ୬୩

ସୂତ ଉବାଚ

ଭୀଷ୍ମ ବଚନ କର୍ଣ୍ଣେ ଶୁଣି । ଧର୍ମନନ୍ଦନ ମନେ ଗୁଣି ॥ ୬୪

ଭୀଷ୍ମଙ୍କୁ ଶରତଳ୍ପେ ଚାହିଁ । କର ଯୁଗଳ ଶିରେ ଦେଇ ॥ ୬୫

ବିବିଧ ଧର୍ମ ପଚାରିଲେ । ଅଶେଷ ମୁନିଗଣ ତୁଲେ ॥ ୬୬

ସ୍ୱଭାବ ଧର୍ମ ଯେ ଜଗତେ । ଚତୁର ବର୍ଣ୍ଣାଶ୍ରମ ଯେତେ ॥ ୬୭

ରାଗ ବୈରାଗ୍ୟ ଆଦି କରି । ଯେ ମାର୍ଗେ ସଂସାରୁ ନିସ୍ତରି ॥ ୬୮

ଯେ ଦାନଧର୍ମ ରାଜଧର୍ମ । ମୋକ୍ଷ ସାଧନେ ଯେତେ କର୍ମ ॥ ୬୯

ଯଥା ବିଧାନେ ଯେତେ କରି । ଗୃହୀ ବନସ୍ଥ ବ୍ରହ୍ମଚାରୀ ॥ ୭୦

ସ୍ତିରୀ ଜନ୍ମର ଯେବା ଧର୍ମ । ଯେ ବିଷ୍ଣୁ ଭକତଙ୍କ କର୍ମ ॥ ୭୧

ଧର୍ମାର୍ଥ କାମ ମୋକ୍ଷ ଆଦି । ଯେତେ ପ୍ରକାରେ ଯାହା ସାଧି ॥ ୭୨

ସକଳ କହିଲେ ହରଷେ । ନାନା ଆଖ୍ୟାନ ଇତିହାସେ ॥ ୭୩

ଏମନ୍ତେ କହୁଁ କହୁଁ ଧର୍ମ । ଭୀଷ୍ମର ଚିତ୍ତେ କାଳଭ୍ରମ ॥ ୭୪

ସିଦ୍ଧ ପୁରୁଷ ଯୋଗବଳେ । ଯାହା ଚିନ୍ତନ୍ତି ଅନ୍ତଃକାଳେ ॥ ୭୫

ସେ କାଳ ଅତି ପୁଣ୍ୟ ଧର୍ମ । ଉତ୍ତରାୟଣ ଯାର ନାମ ॥ ୭୬

ସେ କାଳ ଆଗମନ ଦେଖି । ସେଙ୍କାଚ କଲେ ବେନି ଆଖି ॥ ୭୭

ସହସ୍ର ସହସ୍ର ବଚନ । ଶୁଣାଇ ହୋଇଲେ ମଉନ ॥ ୭୮

ତକ୍ଷଣେ ବିଷ୍ଣୁଭାବ ଘେନି । ଗଙ୍ଗାନନ୍ଦନ ହେଲେ ତୁନି ॥ ୭୯

ସର୍ବୁଁ ସଂହରି ଦୃଷ୍ଟି ମନ । କୃଷ୍ଣ ଚରଣେ ଅବଧାନ ॥ ୮୦

ଯେ ହରି ଅଛି ଅଗ୍ରେ ବସି । ଚତୁରଭୁଜ ପରକାଶି ॥ ୮୧

ପୀତବସନ କଟୀଭାଗେ । ବିଜୁଳି ଯେହ୍ନେ ନୀଳମେଘେ ॥ ୮୨

ଏମନ୍ତ କୃଷ୍ଣ ରୂପ ହେଜି । ବଚନ ଶ୍ରମେ ଚକ୍ଷୁ ବୁଜି ॥ ୮୩

ଧାରଣା ଯୋଗେ ଧ୍ୟାନ କରି । ସଂଶୟ ଦୂରେ ପରିହରି ॥ ୮୪

ଯୁଦ୍ଧର ଶ୍ରମ ଯେତେ ଥିଲା । ତକ୍ଷଣେ ଶରୀରୁ ଛାଡ଼ିଲା ॥ ୮୫

ଇନ୍ଦ୍ରିୟ ଅର୍ଥେ ଯେତେ କର୍ମ । ଚିତ୍ତୁ ଛାଡ଼ିଲା ମାୟାଭ୍ରମ ॥ ୮୬

ଅନ୍ତରେ ବେନିକର ଯୋଡ଼ି । ବୋଲେ ଗୋବିନ୍ଦ ପାଦେ ପଡ଼ି ॥ ୮୭

ଭୀଷ୍ମ ଉବାଚ

ଏମନ୍ତ ଭାବେ ମନ ମୋର । ତୃଷ୍ଣା ବର୍ଜିତ ନିର୍ବିକାର ॥ ୮୮

କୃଷ୍ଣ ଶରୀରେ ହେଉ ଲୀନ । ଯେ ହରି ଭକତ ତାରଣ ॥ ୮୯

ଯାର ମହିମା ଯୋଗୀଜନେ । ଚିନ୍ତି ନ ପାନ୍ତି ଯୋଗଧ୍ୟାନେ ॥ ୯୦

ସ୍ୱସୁଖେ ଥାଇ ଅବିରତେ । ପ୍ରକୃତି ବଶେ ବିଶ୍ୱ ଅର୍ଥେ ॥ ୯୧

ପ୍ରକୃତି ତହୁଁ ଏ ଜଗତ । ପ୍ରବାହ ରୂପେ ଆତଯାତ ॥ ୯୨

ତମାଳପତ୍ର ପ୍ରାୟେ ବର୍ଣ୍ଣ । ଯେ ରୂପେ ମୋହେ ତ୍ରିଭୁବନ ॥ ୯୩

ପୀତବସନ କଟୀ ଶୋହେ । ପ୍ରକାଶେ ରବିରଶ୍ମି ପ୍ରାୟେ ॥ ୯୪

ଅଳକା ଆବୃତ କପୋଳ । ବିରାଜେ ବଦନ କମଳ ॥ ୯୫

ଅର୍ଜୁନ ସଖା ପାଦତଳେ । ମୋ ଚିତ୍ତ ରହୁ ସୁନିଶ୍ଚଳେ ॥ ୯୬

ସଂଗ୍ରାମେ ଅଶ୍ୱଧୂଳି କାୟେ । ଶିର ବଦନ ଧୂମ୍ର ପ୍ରାୟେ ॥ ୯୭

ବିରାଜେ ସ୍ୱେଦ କଣା ଅଙ୍ଗେ । ବିବିଧ ଅଳଙ୍କାର ରଙ୍ଗେ ॥ ୯୮

ମୋହର ତୀକ୍ଷ୍ଣ ବାଣପନ୍ତି । ଯାର କବଚେ ଝଲକନ୍ତି ॥ ୯୯

ସେ ରୂପେ ପଶୁ ମୋର ପ୍ରାଣ । ଏ ଭବଜଳୁ ପରିତ୍ରାଣ ॥ ୧୦୦

ଯେ ହରି ଅର୍ଜୁନ ବଚନେ । ରଥ ନିବେଶି ମଧ୍ୟ ସ୍ଥାନେ ॥ ୧୦୧

ଅନାଇଁ କଟାକ୍ଷ ଲୋଚନେ । ଆୟୁଷ ହରେ ପର ସୈନ୍ୟେ ॥ ୧୦୨

ତାର ଚରଣେ ମନ ଚିନ୍ତି । ନିରତେ ହେଉ ମୋର ପ୍ରୀତି ॥ ୧୦୩

ଯୁଦ୍ଧର ଅର୍ଥେ କୋପ ଭରି । ସକଳ ବୀରେ ଶସ୍ତ୍ର ଧରି ॥ ୧୦୪

ସମରେ ଦେଖି ବନ୍ଧୁଜନ । ଦୟାରେ ନ ଯୁଝେ ଅର୍ଜୁନ ॥ ୧୦୫

ମାୟାରେ ତାର ମନ ମୋହି । ଅନେକ ଆତ୍ମବିଦ୍ୟା କହି ॥ ୧୦୬

ତାହାର କୁମତି ହରିଲା । ଛଳେ ସମସ୍ତ ସଂହାରିଲା ॥ ୧୦୭

ତାର ଚରଣେ ମୋର ମତି । ନିଶ୍ଚଳେ ହେଉ ଆତ୍ମରତି ॥ ୧୦୮

ମୋହର ତୁଲେ ସତ୍ୟ କଲା । ଶସ୍ତ୍ର ନ ଧରିବି ବୋଇଲା ॥ ୧୦୯

ମୋହର ତୀକ୍ଷ୍ଣବାଣେ କୋପି । ମୋହ ବଚନେ ସତ୍ୟ ସ୍ଥାପି ॥ ୧୧୦

ତକ୍ଷଣେ ଚକ୍ର ଘେନି ହସ୍ତେ । ରଥୁ ଧାଇଁଲା ଭୂମିଗତେ ॥ ୧୧୧

ସ୍ୱଧର୍ମ ସମର ଉପେକ୍ଷି । ସିଂହ ଯେସନେ ଗଜ ଦେଖି ॥ ୧୧୨

ଧାମନ୍ତେ ଅବନୀ କମ୍ପିଲା । ଉତ୍ତରୀ କନ୍ଧୁ ଉଡ଼ିଗଲା ॥ ୧୧୩

ଚକ୍ର ଉଞ୍ଚାଇ ମହାକୋପେ । ମିଳିଲା ମୋହର ସମୀପେ ॥ ୧୧୪

ମୁଁ ଆତତାୟୀ ପଣେ । ଅନେକ ବାଣ ରୋଷେ ବିନ୍ଧି ॥ ୧୧୫

ବିଶୀର୍ଣ୍ଣ କଲି ସେହ୍ନୀ ଅଙ୍ଗେ । ଦେଖି ଧାଇଁଲା ଅତି ବେଗେ ॥ ୧୧୬

ରୁଧିର ଭୂଷଣ ଶରୀରେ । ଭୂମି କମ୍ପଇ ପାଦଭରେ ॥ ୧୧୭

ହରିବା ପାଇଁ ମୋର ପ୍ରାଣ । ମୁଁ ଏବେ ପଶିଲି ଶରଣ ॥ ୧୧୮

ବିଜୟ ରଥେ ଯେ ସାରଥି । ରଥ ଆରୋହି ଶୁଭ ଚିନ୍ତି ॥ ୧୧୯

ହୟଙ୍କ ରଶ୍ମି ଯେହୁ ଧରେ । ସେ ରୂପେ ମନ ରହୁ ସ୍ଥିରେ ॥ ୧୨୦

ସଂଗ୍ରାମ କରି ଯେତେ ମଲେ । ତା ମୁଖ ଦେଖି ତରିଗଲେ ॥ ୧୨୧

ଏବେ ମୋହର ଅନ୍ତଃକାଳେ । ମୋ ଚିତ୍ତ ରମୁ ତା ପୟରେ ॥ ୧୨୨

ଗୋପନଗରେ ବୃନ୍ଦାବନେ । ରାସଉତ୍ସବେ ଗୋପୀଜନେ ॥ ୧୨୩

ଲଳିତ ଗତି ସୁବିଳାସ । ମନୋଜ୍ଞ ଦୃଷ୍ଟି ମନ୍ଦହାସ ॥ ୧୨୪

ଯାହାର ସଙ୍ଗେ ଭାବ କରି । ଗୋପୀଏ ଭବୁ ଗଲେ ତରି ॥ ୧୨୫

ଧର୍ମନନ୍ଦନ ଯଜ୍ଞକାଳେ । ଋଷି ବ୍ରାହ୍ମଣ ରାଜା ମେଳେ ॥ ୧୨୬

ଯାହାର ପାଦେ ଅର୍ଘ୍ୟ ଦେଇ । ସୁଖେ ସୁନ୍ଦର ମୁଖ ଚାହିଁ ॥ ୧୨୭

ସକଳେ ଗଲେ ମୋକ୍ଷମାର୍ଗେ । ସେ ଏବେ ଦିଶେ ମୋର ଆଗେ ॥ ୧୨୮

ନିର୍ମଳ ଆତ୍ମାରୂପ ହୋଇ । ପ୍ରାଣୀଙ୍କ ହୃଦେ ଯେ ବସଇ ॥ ୧୨୯

ଯେ ରୂପେ ଦୃଷ୍ଟିଭେଦେ ରବି । ଅନେକ ବୋଲି ଅନୁଭବି ॥ ୧୩୦

ସେ ହରି ପାଦଯୁଗେ ଭଜି । ପଶିଲି ଭବମୋହ ତେଜି ॥ ୧୩୧

ସୂତ ଉବାଚ

ଏମନ୍ତେ ଗୋବିନ୍ଦ ବିଷୟେ । ମନ ବଚନ ଦୃଷ୍ଟି ଦେହେ ॥ ୧୩୨

ଆତ୍ମାରେ ଆତ୍ମା ସ୍ଥିର କରି । ପବନେ ପବନ ସଂହରି ॥ ୧୩୩

ଦେଖନ୍ତି ସୁର ନର ମୁନି । ଗଙ୍ଗାନନ୍ଦନ ହେଲେ ତୁନି ॥ ୧୩୪

ଶରୀର ତେଜି ଭାବ ମୋହେ । ପଶିଲେ ଗୋବିନ୍ଦର ଦେହେ ॥ ୧୩୫

ଭୀଷ୍ମ ମରଣ ଦେଖି ଭଲେ । ଯେ ଅବା ଥିଲେ କୃଷ୍ଣ ତୁଲେ ॥ ୧୩୬

ମଉନେ ବସିଲେ ସମସ୍ତେ । ପକ୍ଷୀଏ ଯେହ୍ନେ ଦିନ ଅନ୍ତେ ॥ ୧୩୭

ତକ୍ଷଣେ ଦୁନ୍ଦୁଭି ଶବଦ । ଦେବମାନବେ କଲେ ବାଦ୍ୟ ॥ ୧୩୮

ସାଧୁ ଶବଦ ଶୂନ୍ୟେ ସ୍ଫୁରେ । ପୁଷ୍ପ ବରଷେ ନିରନ୍ତରେ ॥ ୧୩୯

ତକ୍ଷଣେ ଯୁଧିଷ୍ଠିର ଯାଇ । ଅନଳେ ଭୀଷ୍ମ ଦେହ ଦହି ॥ ୧୪୦

ମୁହୂର୍ତ୍ତେ ବସି ଦୁଃଖ ମନେ । ଉଠି ସକଳ ମହାଜନେ ॥ ୧୪୧

ଯେ ଯାହା ମତେ ସ୍ତୁତି କଲେ । ନମିଲେ କୃଷ୍ଣ ପାଦତଳେ ॥ ୧୪୨

ଉଠି ସକଳେ ଦୁଃଖ ଚିତ୍ତେ । ଗୃହେ ଚଳିଲେ ଯେଝାମତେ ॥ ୧୪୩

ପାଣ୍ତବେ କୃଷ୍ଣ ସଙ୍ଗତେ । ହସ୍ତିନା ମିଳିଲେ ତୁରିତେ ॥ ୧୪୪

ତକ୍ଷଣେ ଅନ୍ତଃପୁରେ ଯାଇ । ଅନ୍ଧଗାନ୍ଧାରୀଙ୍କି ଦୁଝାଇ ॥ ୧୪୫

ଗୋବିନ୍ଦ ଧୃତରାଷ୍ଟ୍ର ବୋଲେ । ଯୁଧିଷ୍ଠିରଙ୍କୁ ରାଜା କଲେ ॥ ୧୪୬

ସେ ରାଜା ଧର୍ମେ ରାଜ୍ୟ କଲା । ଯା ପିତୃ ପିତାମହେ ଥିଲା ॥ ୧୪୭

ଏମନ୍ତେ କରି ରାଜପଣ । ସଙ୍ଗତେ ଘେନି ନାରାୟଣ ॥ ୧୪୮

ସେ ନାରାୟଣ ପାଦଗତ । ଶରଣ ଦାସ ଜଗନ୍ନାଥ ॥ ୧୪୯

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ପ୍ରଥମସ୍କନ୍ଧେ ଯୁଧିଷ୍ଠିର ରାଜ୍ୟପ୍ରଲମ୍ଭୋ ନାମ ନବମୋଽଧ୍ୟାୟଃ ।।

* * *