ପ୍ରଥମ ସ୍କନ୍ଧ
ନବମ ଅଧ୍ୟାୟ
ସୂତ ଉବାଚ
ଏମନ୍ତେ ପ୍ରାଣୀ ବଧେ ଭୟ । ନିବେଦି ଧର୍ମର ତନୟ ॥ ୧
ସକଳ ଧର୍ମ ଜ୍ଞାନ ଅର୍ଥେ । ବିଜୟ କଲେ ନିଜ ରଥେ ॥ ୨
ଯୁଦ୍ଧଭୂମିକୁ ହୋଇ ସଜ । ସଙ୍ଗତେ ଘେନି ଦେବରାଜ ॥ ୩
ମିଳିଲେ କୁରୁକ୍ଷେତ୍ରେ ଯାଇ । ଭୀଷ୍ମ ଅଛନ୍ତି ଯହିଁ ଶୋଇ ॥ ୪
ରାଜା ସଙ୍ଗତେ ଚାରିଭ୍ରାତେ । ସଜ ହୋଇଲେ ଯେଝା ରଥେ ॥ ୫
ଉତ୍ତମ ନାନା ଅଶ୍ୱଗଣ । ସ୍ୱଭାବେ ରତ୍ନ ବିଭୂଷଣ ॥ ୬
ତାହାଙ୍କ ସଙ୍ଗେ ବିପ୍ରଜନେ । ଗମନ କଲେ ତୋଷ ମନେ ॥ ୭
ଗୋବିନ୍ଦ ନନ୍ଦିଘୋଷ ରଥେ । ବସିଲେ ଅର୍ଜୁନ ସଙ୍ଗତେ ॥ ୮
ପାଣ୍ତବ ମଧ୍ୟେ ଚକ୍ରଧର । କି ଅବା ଦେବା ପଟାନ୍ତର ॥ ୯
ଗୁହ୍ୟକଗଣ ମଧ୍ୟଗତେ । କୁବେର ପ୍ରକାଶ ଯେମନ୍ତେ ॥ ୧୦
ଏମନ୍ତେ କୁରୁକ୍ଷେତ୍ର ଗଲେ । ପାଣ୍ତବେ ଗୋବିନ୍ଦଙ୍କ ତୁଲେ ॥ ୧୧
ଶର ଶୟନେ ଗଙ୍ଗାସୁତ । ଦେଖିବା ଅର୍ଥେ ଉପଗତ ॥ ୧୨
ଅବନୀ ପୃଷ୍ଠେ ମୋହଗତ । କି ବା ଅମର ଭୂମିଗତ ॥ ୧୩
ପାଣ୍ତବେ ଗୋବିନ୍ଦର ତୁଲେ । ଭୀଷ୍ମ ଚରଣେ ପ୍ରଣମିଲେ ॥ ୧୪
ବ୍ରାହ୍ମଣେ ମିଳିଲେ ତକ୍ଷଣେ । ବ୍ୟାସ ସହିତେ ମୁନିଗଣେ ॥ ୧୫
ଅପରେ ଯେତେ ରାଜଋଷି । ମିଳିଲେ କୁରୁକ୍ଷେତ୍ରେ ଆସି ॥ ୧୬
ପର୍ବତ ନାମେ ମହାଋଷି । ଧୈାମ୍ୟ ନାରଦ ତୁଲେ ମିଶି ॥ ୧୭
ବାଦରାୟଣ ବୃହଦଶ୍ୱ । ଭରଦ୍ୱାଜଙ୍କ ସଙ୍ଗେ ଶିଷ୍ୟ ॥ ୧୮
ପରମକ୍ଷତ୍ରୀ ପର୍ଶୁରାମ । ବଶିଷ୍ଠ ଇନ୍ଦ୍ରପ୍ରମଦନ ॥ ୧୯
ତ୍ରିତ ଅସିତ ଗୃତ୍ସମଦ । ଗୌତମ କକ୍ଷୀବାନ ସିଦ୍ଧ ॥ ୨୦
ଅତ୍ରି କୌଶିକ ସୁଦର୍ଶନ । କଶ୍ୟପ ଅଙ୍ଗୀରସ ନାମ ॥ ୨୧
ନିର୍ମଳଚେତା ବ୍ରହ୍ମଚାରୀ । ମିଳିଲେ ଶୁକ ମଧ୍ୟେ କରି ॥ ୨୨
ଏମନ୍ତେ ସର୍ବ ମୁନିଜନେ । ମିଳିଲେ ଭୀଷ୍ମ ସନ୍ନିଧାନେ ॥ ୨୩
ମୁନିଙ୍କି ଶାୟନ୍ତନୁସୁତ । ଶୟନେ କଲେ ପ୍ରଣିପାତ ॥ ୨୪
ଧର୍ମଜ୍ଞ ଗଙ୍ଗାର କୁମର । ଯେ ଦେଶାଚାର ସତକାର ॥ ୨୫
ତେଣୁ ପୂଜିଲେ ଏକେ ଏକେ । ମୁନିଙ୍କି ଦୃଢ଼ମାନସିକେ ॥ ୨୬
ଯେ ହରି ଜଗତ ଈଶ୍ୱର । ଅନାଦି ଧର୍ମ ନିରାକାର ॥ ୨୭
କୃଷ୍ଣଙ୍କୁ ହୃଦରେ ବସାଇ । ପୂଜିଲେ ଦୃଢ଼ ଚିତ୍ତ ହୋଇ ॥ ୨୮
ପ୍ରେମେ ବିନୟଭାବ ହୋଇ । ନିକଟେ ଥିବା ପଞ୍ଚଭାଇ ॥ ୨୯
ପାଣ୍ତୁପୁତ୍ରଙ୍କୁ ଦୟାଚିତ୍ତେ । ଭାବେ ବୋଲନ୍ତି ଅଶ୍ରୁନେତ୍ରେ ॥ ୩୦
ଭୀଷ୍ମ କହନ୍ତି ଦୟାମନେ । ସକଳ ମୁନି ଅବଧାନେ ॥ ୩୧
ଭୀଷ୍ମ ଉବାଚ
ଏ ବଡ଼କଷ୍ଟ ମୋର ଚିତ୍ତେ । ଏ ପାଞ୍ଚଭାଇ କୁନ୍ତୀ ସୁତେ ॥ ୩୨
ବନେ ବଞ୍ଚିଲେ କଷ୍ଟ କର୍ମେ । ଜୀବନ ପୋଷି ବିପ୍ରଧର୍ମେ ॥ ୩୩
ଯେଣୁ ଗୋବିନ୍ଦ ଆଶ୍ରେ ଥିଲେ । ଅନେକ ସଙ୍କଟୁ ତରିଲେ ॥ ୩୪
ସ୍ୱାମୀ ମରଣେ କୁନ୍ତୀ ସାଧୁ । ସ୍ୱଭାବେ ବାଳକୁଳବଧୂ ॥ ୩୫
ପୁତ୍ରଙ୍କ ତୁଲେ ବହୁକ୍ଳେଶେ । ଦୁଃଖେ ବଞ୍ଚିଲେ ବନବାସେ ॥ ୩୬
କାଳର ବଶ ଏ ଜଗତ । ପ୍ରାଣୀଏ କାଳର ଆୟତ୍ତ ॥ ୩୭
ସେ କାଳବଶେ ସର୍ବେ ଚଳି । ପବନେ ଯେହ୍ନେ ଘନାବଳୀ ॥ ୩୮
ଯେ କୁଳେ ରାଜା ଧର୍ମସୁତ । ରକ୍ଷକ ଭୀମ ଗଦାହସ୍ତ ॥ ୩୯
ଅର୍ଜୁନ ଯହିଁ ଧନୁ ଧରେ । ଯହିଁ ଗୋବିନ୍ଦ ରକ୍ଷାକରେ ॥ ୪୦
ସେ କୁଳେ ପଡ଼ଇ ବିପତ୍ତି । ଏମନ୍ତ ବିଧାତାର ଗତି ॥ ୪୧
କେ ଜାଣିପାରେ ଏହା ଚିନ୍ତି । ଯହିଁ ପଣ୍ତିତେ ଭ୍ରମି ଯାନ୍ତି ॥ ୪୨
ସଂସାର କର୍ମର ଆୟତ୍ତ । ଏହା ତୁ ଜାଣ କୁନ୍ତୀସୁତ ॥ ୪୩
ଏଣୁ ତୁ କିଛି ହିଁ ନ ଭାଳ । ଅନାଥ ପ୍ରଜା ଏବେ ପାଳ ॥ ୪୪
ଦେଖ ଏ ଆଦିନାରାୟଣ । ଜଗତ ପରମ କାରଣ ॥ ୪୫
ମାୟାରେ ଲୋକ ମନ ହରି । ଯାଦବ ବଂଶେ ଅବତରି ॥ ୪୬
ଏହାର ଅନୁଭାବ ଗତି । ଅଥବା ଜାଣେ ପଶୁପତି ॥ ୪୭
ନାରଦ ଜାଣେ ଭାବ ଘେନି । କିବା କପିଳ ମହାମୁନି ॥ ୪୮
ତୁ କୃଷ୍ଣ ମହିମା ନ ଜାଣି । ମାତୁଳସୁତ ପ୍ରାୟ ମଣି ॥ ୪୯
ପ୍ରିୟ ସୁହୃଦ ମିତ୍ର ପରି । ସଚିବ ବୁଦ୍ଧି କି ଆଚରି ॥ ୫୦
ଏହାଙ୍କୁ ଦୌତ୍ୟରେ ନିଯୋଗି । ପେଷିଲୁ ପଞ୍ଚଗ୍ରାମ ମାଗି ॥ ୫୧
ବାନ୍ଧବପ୍ରାୟେ ସ୍ନେହ କରି । ରଥେ ସାରଥି ପଣେ ବରି ॥ ୫୨
ଯହୁଁ ଏ ପ୍ରଭୁ ଭାବଗ୍ରାହୀ । ସ୍ୱଭାବେ ପରପର ନାହିଁ ॥ ୫୩
ଏଣୁ ତା ଉଚ୍ଚ ନୀଚ କର୍ମ । ଯୋଗ୍ୟ ଅଯୋଗ୍ୟ ସବୁ ସମ ॥ ୫୪
ଏ ଥାଇ ଭକତଙ୍କ ହିତେ । ଦେଖ ମୋ ଭାଗ୍ୟର ଆୟତ୍ତେ ॥ ୫୫
ଜୀବନ ଛାଡ଼ିବାର କାଳେ । ମିଳିଲା ଶରଶଯ୍ୟା ତଳେ ॥ ୫୬
ଯାର ଚରଣ ଭକ୍ତି ବଳେ । ନିଶ୍ଚଳମନେ ଅନ୍ତଃ କାଳେ ॥ ୫୭
ତୁଣ୍ତେ ଯେ ନାମ ଉଚ୍ଚାରନ୍ତି । ପରମପଦେ ସେ ମିଶନ୍ତି ॥ ୫୮
କର୍ମବାସନା ଯାଇ ଦୂର । ଏମନ୍ତ ମହିମା ଯାହାର ॥ ୫୯
ସେ ଦେବଦେବ ଭଗବାନ । ଭାବେ ଜାଣିଲେ ମୋର ମନ ॥ ୬୦
ଚିତ୍ତେ ପ୍ରସନ୍ନ ହେଉ ମୋର । ମୁହିଁ ଛାଡ଼ିବି କଳେବର ॥ ୬୧
ପ୍ରଫୁଲ୍ଲ କମଳ ଲୋଚନ । ସୁନ୍ଦର ହର୍ଷିତ ବଦନ ॥ ୬୨
ଚକ୍ର ସହିତେ ମହାବାହୁ । ସେ ମୋର ଧ୍ୟାନପଥେ ରହୁ ॥ ୬୩
ସୂତ ଉବାଚ
ଭୀଷ୍ମ ବଚନ କର୍ଣ୍ଣେ ଶୁଣି । ଧର୍ମନନ୍ଦନ ମନେ ଗୁଣି ॥ ୬୪
ଭୀଷ୍ମଙ୍କୁ ଶରତଳ୍ପେ ଚାହିଁ । କର ଯୁଗଳ ଶିରେ ଦେଇ ॥ ୬୫
ବିବିଧ ଧର୍ମ ପଚାରିଲେ । ଅଶେଷ ମୁନିଗଣ ତୁଲେ ॥ ୬୬
ସ୍ୱଭାବ ଧର୍ମ ଯେ ଜଗତେ । ଚତୁର ବର୍ଣ୍ଣାଶ୍ରମ ଯେତେ ॥ ୬୭
ରାଗ ବୈରାଗ୍ୟ ଆଦି କରି । ଯେ ମାର୍ଗେ ସଂସାରୁ ନିସ୍ତରି ॥ ୬୮
ଯେ ଦାନଧର୍ମ ରାଜଧର୍ମ । ମୋକ୍ଷ ସାଧନେ ଯେତେ କର୍ମ ॥ ୬୯
ଯଥା ବିଧାନେ ଯେତେ କରି । ଗୃହୀ ବନସ୍ଥ ବ୍ରହ୍ମଚାରୀ ॥ ୭୦
ସ୍ତିରୀ ଜନ୍ମର ଯେବା ଧର୍ମ । ଯେ ବିଷ୍ଣୁ ଭକତଙ୍କ କର୍ମ ॥ ୭୧
ଧର୍ମାର୍ଥ କାମ ମୋକ୍ଷ ଆଦି । ଯେତେ ପ୍ରକାରେ ଯାହା ସାଧି ॥ ୭୨
ସକଳ କହିଲେ ହରଷେ । ନାନା ଆଖ୍ୟାନ ଇତିହାସେ ॥ ୭୩
ଏମନ୍ତେ କହୁଁ କହୁଁ ଧର୍ମ । ଭୀଷ୍ମର ଚିତ୍ତେ କାଳଭ୍ରମ ॥ ୭୪
ସିଦ୍ଧ ପୁରୁଷ ଯୋଗବଳେ । ଯାହା ଚିନ୍ତନ୍ତି ଅନ୍ତଃକାଳେ ॥ ୭୫
ସେ କାଳ ଅତି ପୁଣ୍ୟ ଧର୍ମ । ଉତ୍ତରାୟଣ ଯାର ନାମ ॥ ୭୬
ସେ କାଳ ଆଗମନ ଦେଖି । ସେଙ୍କାଚ କଲେ ବେନି ଆଖି ॥ ୭୭
ସହସ୍ର ସହସ୍ର ବଚନ । ଶୁଣାଇ ହୋଇଲେ ମଉନ ॥ ୭୮
ତକ୍ଷଣେ ବିଷ୍ଣୁଭାବ ଘେନି । ଗଙ୍ଗାନନ୍ଦନ ହେଲେ ତୁନି ॥ ୭୯
ସର୍ବୁଁ ସଂହରି ଦୃଷ୍ଟି ମନ । କୃଷ୍ଣ ଚରଣେ ଅବଧାନ ॥ ୮୦
ଯେ ହରି ଅଛି ଅଗ୍ରେ ବସି । ଚତୁରଭୁଜ ପରକାଶି ॥ ୮୧
ପୀତବସନ କଟୀଭାଗେ । ବିଜୁଳି ଯେହ୍ନେ ନୀଳମେଘେ ॥ ୮୨
ଏମନ୍ତ କୃଷ୍ଣ ରୂପ ହେଜି । ବଚନ ଶ୍ରମେ ଚକ୍ଷୁ ବୁଜି ॥ ୮୩
ଧାରଣା ଯୋଗେ ଧ୍ୟାନ କରି । ସଂଶୟ ଦୂରେ ପରିହରି ॥ ୮୪
ଯୁଦ୍ଧର ଶ୍ରମ ଯେତେ ଥିଲା । ତକ୍ଷଣେ ଶରୀରୁ ଛାଡ଼ିଲା ॥ ୮୫
ଇନ୍ଦ୍ରିୟ ଅର୍ଥେ ଯେତେ କର୍ମ । ଚିତ୍ତୁ ଛାଡ଼ିଲା ମାୟାଭ୍ରମ ॥ ୮୬
ଅନ୍ତରେ ବେନିକର ଯୋଡ଼ି । ବୋଲେ ଗୋବିନ୍ଦ ପାଦେ ପଡ଼ି ॥ ୮୭
ଭୀଷ୍ମ ଉବାଚ
ଏମନ୍ତ ଭାବେ ମନ ମୋର । ତୃଷ୍ଣା ବର୍ଜିତ ନିର୍ବିକାର ॥ ୮୮
କୃଷ୍ଣ ଶରୀରେ ହେଉ ଲୀନ । ଯେ ହରି ଭକତ ତାରଣ ॥ ୮୯
ଯାର ମହିମା ଯୋଗୀଜନେ । ଚିନ୍ତି ନ ପାନ୍ତି ଯୋଗଧ୍ୟାନେ ॥ ୯୦
ସ୍ୱସୁଖେ ଥାଇ ଅବିରତେ । ପ୍ରକୃତି ବଶେ ବିଶ୍ୱ ଅର୍ଥେ ॥ ୯୧
ପ୍ରକୃତି ତହୁଁ ଏ ଜଗତ । ପ୍ରବାହ ରୂପେ ଆତଯାତ ॥ ୯୨
ତମାଳପତ୍ର ପ୍ରାୟେ ବର୍ଣ୍ଣ । ଯେ ରୂପେ ମୋହେ ତ୍ରିଭୁବନ ॥ ୯୩
ପୀତବସନ କଟୀ ଶୋହେ । ପ୍ରକାଶେ ରବିରଶ୍ମି ପ୍ରାୟେ ॥ ୯୪
ଅଳକା ଆବୃତ କପୋଳ । ବିରାଜେ ବଦନ କମଳ ॥ ୯୫
ଅର୍ଜୁନ ସଖା ପାଦତଳେ । ମୋ ଚିତ୍ତ ରହୁ ସୁନିଶ୍ଚଳେ ॥ ୯୬
ସଂଗ୍ରାମେ ଅଶ୍ୱଧୂଳି କାୟେ । ଶିର ବଦନ ଧୂମ୍ର ପ୍ରାୟେ ॥ ୯୭
ବିରାଜେ ସ୍ୱେଦ କଣା ଅଙ୍ଗେ । ବିବିଧ ଅଳଙ୍କାର ରଙ୍ଗେ ॥ ୯୮
ମୋହର ତୀକ୍ଷ୍ଣ ବାଣପନ୍ତି । ଯାର କବଚେ ଝଲକନ୍ତି ॥ ୯୯
ସେ ରୂପେ ପଶୁ ମୋର ପ୍ରାଣ । ଏ ଭବଜଳୁ ପରିତ୍ରାଣ ॥ ୧୦୦
ଯେ ହରି ଅର୍ଜୁନ ବଚନେ । ରଥ ନିବେଶି ମଧ୍ୟ ସ୍ଥାନେ ॥ ୧୦୧
ଅନାଇଁ କଟାକ୍ଷ ଲୋଚନେ । ଆୟୁଷ ହରେ ପର ସୈନ୍ୟେ ॥ ୧୦୨
ତାର ଚରଣେ ମନ ଚିନ୍ତି । ନିରତେ ହେଉ ମୋର ପ୍ରୀତି ॥ ୧୦୩
ଯୁଦ୍ଧର ଅର୍ଥେ କୋପ ଭରି । ସକଳ ବୀରେ ଶସ୍ତ୍ର ଧରି ॥ ୧୦୪
ସମରେ ଦେଖି ବନ୍ଧୁଜନ । ଦୟାରେ ନ ଯୁଝେ ଅର୍ଜୁନ ॥ ୧୦୫
ମାୟାରେ ତାର ମନ ମୋହି । ଅନେକ ଆତ୍ମବିଦ୍ୟା କହି ॥ ୧୦୬
ତାହାର କୁମତି ହରିଲା । ଛଳେ ସମସ୍ତ ସଂହାରିଲା ॥ ୧୦୭
ତାର ଚରଣେ ମୋର ମତି । ନିଶ୍ଚଳେ ହେଉ ଆତ୍ମରତି ॥ ୧୦୮
ମୋହର ତୁଲେ ସତ୍ୟ କଲା । ଶସ୍ତ୍ର ନ ଧରିବି ବୋଇଲା ॥ ୧୦୯
ମୋହର ତୀକ୍ଷ୍ଣବାଣେ କୋପି । ମୋହ ବଚନେ ସତ୍ୟ ସ୍ଥାପି ॥ ୧୧୦
ତକ୍ଷଣେ ଚକ୍ର ଘେନି ହସ୍ତେ । ରଥୁ ଧାଇଁଲା ଭୂମିଗତେ ॥ ୧୧୧
ସ୍ୱଧର୍ମ ସମର ଉପେକ୍ଷି । ସିଂହ ଯେସନେ ଗଜ ଦେଖି ॥ ୧୧୨
ଧାମନ୍ତେ ଅବନୀ କମ୍ପିଲା । ଉତ୍ତରୀ କନ୍ଧୁ ଉଡ଼ିଗଲା ॥ ୧୧୩
ଚକ୍ର ଉଞ୍ଚାଇ ମହାକୋପେ । ମିଳିଲା ମୋହର ସମୀପେ ॥ ୧୧୪
ମୁଁ ଆତତାୟୀ ପଣେ । ଅନେକ ବାଣ ରୋଷେ ବିନ୍ଧି ॥ ୧୧୫
ବିଶୀର୍ଣ୍ଣ କଲି ସେହ୍ନୀ ଅଙ୍ଗେ । ଦେଖି ଧାଇଁଲା ଅତି ବେଗେ ॥ ୧୧୬
ରୁଧିର ଭୂଷଣ ଶରୀରେ । ଭୂମି କମ୍ପଇ ପାଦଭରେ ॥ ୧୧୭
ହରିବା ପାଇଁ ମୋର ପ୍ରାଣ । ମୁଁ ଏବେ ପଶିଲି ଶରଣ ॥ ୧୧୮
ବିଜୟ ରଥେ ଯେ ସାରଥି । ରଥ ଆରୋହି ଶୁଭ ଚିନ୍ତି ॥ ୧୧୯
ହୟଙ୍କ ରଶ୍ମି ଯେହୁ ଧରେ । ସେ ରୂପେ ମନ ରହୁ ସ୍ଥିରେ ॥ ୧୨୦
ସଂଗ୍ରାମ କରି ଯେତେ ମଲେ । ତା ମୁଖ ଦେଖି ତରିଗଲେ ॥ ୧୨୧
ଏବେ ମୋହର ଅନ୍ତଃକାଳେ । ମୋ ଚିତ୍ତ ରମୁ ତା ପୟରେ ॥ ୧୨୨
ଗୋପନଗରେ ବୃନ୍ଦାବନେ । ରାସଉତ୍ସବେ ଗୋପୀଜନେ ॥ ୧୨୩
ଲଳିତ ଗତି ସୁବିଳାସ । ମନୋଜ୍ଞ ଦୃଷ୍ଟି ମନ୍ଦହାସ ॥ ୧୨୪
ଯାହାର ସଙ୍ଗେ ଭାବ କରି । ଗୋପୀଏ ଭବୁ ଗଲେ ତରି ॥ ୧୨୫
ଧର୍ମନନ୍ଦନ ଯଜ୍ଞକାଳେ । ଋଷି ବ୍ରାହ୍ମଣ ରାଜା ମେଳେ ॥ ୧୨୬
ଯାହାର ପାଦେ ଅର୍ଘ୍ୟ ଦେଇ । ସୁଖେ ସୁନ୍ଦର ମୁଖ ଚାହିଁ ॥ ୧୨୭
ସକଳେ ଗଲେ ମୋକ୍ଷମାର୍ଗେ । ସେ ଏବେ ଦିଶେ ମୋର ଆଗେ ॥ ୧୨୮
ନିର୍ମଳ ଆତ୍ମାରୂପ ହୋଇ । ପ୍ରାଣୀଙ୍କ ହୃଦେ ଯେ ବସଇ ॥ ୧୨୯
ଯେ ରୂପେ ଦୃଷ୍ଟିଭେଦେ ରବି । ଅନେକ ବୋଲି ଅନୁଭବି ॥ ୧୩୦
ସେ ହରି ପାଦଯୁଗେ ଭଜି । ପଶିଲି ଭବମୋହ ତେଜି ॥ ୧୩୧
ସୂତ ଉବାଚ
ଏମନ୍ତେ ଗୋବିନ୍ଦ ବିଷୟେ । ମନ ବଚନ ଦୃଷ୍ଟି ଦେହେ ॥ ୧୩୨
ଆତ୍ମାରେ ଆତ୍ମା ସ୍ଥିର କରି । ପବନେ ପବନ ସଂହରି ॥ ୧୩୩
ଦେଖନ୍ତି ସୁର ନର ମୁନି । ଗଙ୍ଗାନନ୍ଦନ ହେଲେ ତୁନି ॥ ୧୩୪
ଶରୀର ତେଜି ଭାବ ମୋହେ । ପଶିଲେ ଗୋବିନ୍ଦର ଦେହେ ॥ ୧୩୫
ଭୀଷ୍ମ ମରଣ ଦେଖି ଭଲେ । ଯେ ଅବା ଥିଲେ କୃଷ୍ଣ ତୁଲେ ॥ ୧୩୬
ମଉନେ ବସିଲେ ସମସ୍ତେ । ପକ୍ଷୀଏ ଯେହ୍ନେ ଦିନ ଅନ୍ତେ ॥ ୧୩୭
ତକ୍ଷଣେ ଦୁନ୍ଦୁଭି ଶବଦ । ଦେବମାନବେ କଲେ ବାଦ୍ୟ ॥ ୧୩୮
ସାଧୁ ଶବଦ ଶୂନ୍ୟେ ସ୍ଫୁରେ । ପୁଷ୍ପ ବରଷେ ନିରନ୍ତରେ ॥ ୧୩୯
ତକ୍ଷଣେ ଯୁଧିଷ୍ଠିର ଯାଇ । ଅନଳେ ଭୀଷ୍ମ ଦେହ ଦହି ॥ ୧୪୦
ମୁହୂର୍ତ୍ତେ ବସି ଦୁଃଖ ମନେ । ଉଠି ସକଳ ମହାଜନେ ॥ ୧୪୧
ଯେ ଯାହା ମତେ ସ୍ତୁତି କଲେ । ନମିଲେ କୃଷ୍ଣ ପାଦତଳେ ॥ ୧୪୨
ଉଠି ସକଳେ ଦୁଃଖ ଚିତ୍ତେ । ଗୃହେ ଚଳିଲେ ଯେଝାମତେ ॥ ୧୪୩
ପାଣ୍ତବେ କୃଷ୍ଣ ସଙ୍ଗତେ । ହସ୍ତିନା ମିଳିଲେ ତୁରିତେ ॥ ୧୪୪
ତକ୍ଷଣେ ଅନ୍ତଃପୁରେ ଯାଇ । ଅନ୍ଧଗାନ୍ଧାରୀଙ୍କି ଦୁଝାଇ ॥ ୧୪୫
ଗୋବିନ୍ଦ ଧୃତରାଷ୍ଟ୍ର ବୋଲେ । ଯୁଧିଷ୍ଠିରଙ୍କୁ ରାଜା କଲେ ॥ ୧୪୬
ସେ ରାଜା ଧର୍ମେ ରାଜ୍ୟ କଲା । ଯା ପିତୃ ପିତାମହେ ଥିଲା ॥ ୧୪୭
ଏମନ୍ତେ କରି ରାଜପଣ । ସଙ୍ଗତେ ଘେନି ନାରାୟଣ ॥ ୧୪୮
ସେ ନାରାୟଣ ପାଦଗତ । ଶରଣ ଦାସ ଜଗନ୍ନାଥ ॥ ୧୪୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପ୍ରଥମସ୍କନ୍ଧେ ଯୁଧିଷ୍ଠିର ରାଜ୍ୟପ୍ରଲମ୍ଭୋ ନାମ ନବମୋଽଧ୍ୟାୟଃ ।।
* * *