ପ୍ରଥମ ସ୍କନ୍ଧ

ଅଷ୍ଟମ ଅଧ୍ୟାୟ

ସୂତ ଉବାଚ

ସକଳେ ମିଳି ଦୁଃଖ ଶୋକେ । ମିଳିଲେ ଗଙ୍ଗାର ଉଦକେ ॥

ମୃତ୍ୟୁ ଉଦକ ଦାନ ଅର୍ଥେ । ଦ୍ରୌପଦୀ କୁନ୍ତୀର ସହିତେ ॥

ଅପରେ ଯେତେ ନାରୀଗଣେ । ସକଳ ଶୋକ ନିବାରଣେ ॥

ଗଙ୍ଗାର ତୀରେ ଦୁଃଖମନେ । ମିଳିଲେ ସର୍ବ ବନ୍ଧୁଜନେ ॥

ଉଦକ ଦେଇ ଗଙ୍ଗାଜଳେ । ଦ୍ୱିତୀୟ ସ୍ନାନ କରି ଗଲେ ॥

ଧର୍ମନନ୍ଦନ ଭୀମସେନ । ଅମ୍ବିକାସୁତ ଯେ ଅର୍ଜୁନ ॥

ଗାନ୍ଧାରୀ ପୁତ୍ରଶୋକେ କାନ୍ଦି । ଧରଣୀ ଲୋଟଇ ଦ୍ରୌପଦୀ ॥

କୁନ୍ତୀ କାନ୍ଦଇ ଅଶ୍ରୁମୁଖେ । ଏମନ୍ତେ ସର୍ବେ ଦୁଃଖ ଶୋକେ ॥

ବିକଳେ କରନ୍ତେ ରୋଦନ । ତା ଦେଖି ଦେବକୀନନ୍ଦନ ॥

ବ୍ୟାସ ସହିତେ ସର୍ବମୁନି । କୃଷ୍ଣ ବସିଲେ ସେଙ୍ଗ ଘେନି ॥ ୧୦

ଧର୍ମପୁରାଣ ଇତିହାସ । ମୁନିଏ କରନ୍ତି ପ୍ରକାଶ ॥ ୧୧

ମୁନି ଉବାଚ

ମିଥ୍ୟା ସଂସାର ବିଷ୍ଣୁମାୟା । କେ ସତ୍ୟ କରିପାରେ ଏହା ॥ ୧୨

କାଳର କ୍ରୀଡ଼ା ଏ ଜଗତ । କାଳକୁ କେବା ସାମରଥ ॥ ୧୩

ସର୍ଜି ପାଳଇ ପୁଣ ହରେ । କାଳର କ୍ରୀଡ଼ା ଏ ସଂସାରେ ॥ ୧୪

ତାହାକୁ ପ୍ରତିକ୍ରିୟା ନାହିଁ । ଏମନ୍ତେ ବୋଧ ତାଙ୍କୁ ଦେଇ ॥ ୧୫

ଶୋକ ହରିଲେ ନାରାୟଣ । ଏବେ ହୋ ମନିଗଣେ ଶୁଣ ॥ ୧୬

ଦୁଷ୍ଟରାଜାଙ୍କ ସଙ୍ଗ ମେଳେ । କିତବେ ରାଜ୍ୟ ହରିଥିଲେ ॥ ୧୭

ଦ୍ରୌପଦୀ କେଶ ସ୍ପର୍ଶ ଦୋଷେ । ସ୍ୱଭାବେ ଅଳପ ଆୟୁଷେ ॥ ୧୮

ତାହାଙ୍କୁ ପ୍ରଭୁ ମାୟା କରି । ଅର୍ଜୁନ ଗାଣ୍ତୀବେ ସଂହାରି ॥ ୧୯

ଯୁଧିଷ୍ଠିରଙ୍କୁ ରାଜ୍ୟ ଦେଲେ । ଅବନୀଭାରା ନିବାରିଲେ ॥ ୨୦

ଉତ୍ତମ କଳ୍ପେ ସୁସମ୍ପାଦି । କରାଇ ତିନି ଅଶ୍ୱମେଧି ॥ ୨୧

ରାଜାର ଯଶ ମହୀତଳେ । ଇନ୍ଦ୍ରର ପ୍ରାୟେ ସମ୍ପାଦିଲେ ॥ ୨୨

ପାଣ୍ତୁପୁତ୍ରଙ୍କୁ କରି ଭାବ । ସଙ୍ଗତେ ସାତ୍ୟକି ଉଦ୍ଧବ ॥ ୨୩

ବ୍ୟାସ ସମେତେ ଯେତେ ମୁନି । କୃଷ୍ଣ ପୂଜିଲେ ଅର୍ଘ୍ୟ ଘେନି ॥ ୨୪

ସନ୍ତୋଷେ ସର୍ବ ମୁନିଗଣେ । କୃଷ୍ଣଙ୍କୁ ପୂଜିଲେ କଲ୍ୟାଣେ ॥ ୨୫

ତାହାଙ୍କୁ ମାଗି ଅନୁଯାନ । ରଥେ ବସିଲେ ଭଗବାନ ॥ ୨୬

ଦ୍ୱାରକା ବିଜେ ନରହରି । ବାଜଇ ମଙ୍ଗଳ ମହୁରୀ ॥ ୨୭

ଏମନ୍ତେ ଶୁଣ ମୁନିଜନେ । ଉତ୍ତରା ରାଜାର ଭୁବନେ ॥ ୨୮

ଥିଲା ଯେ ଅଭିମନ୍ୟୁ ଅନ୍ତେ । ଅନଳେ ନ ଗଲା ସଙ୍ଗତେ ॥ ୨୯

ବିଧବା ରୂପେ ଗର୍ଭବାସେ । କୁନ୍ତୀ ଦ୍ରୌପଦୀଙ୍କ ଆଶ୍ୱାସେ ॥ ୩୦

ତାର ଗର୍ଭକୁ କୋପ କଲା । କାନନେ ଦ୍ରୋଣଗୁରୁବଳା ॥ ୩୧

ଅର୍ଜ୍ଜୁନ ହସ୍ତେ ଦଣ୍ତ ପାଇ । ଲୁଚିଲା ଘୋରବନେ ଯାଇ ॥ ୩୨

ସହି ନ ପାରି ଅପମାନ । କୋପ ବସିଲା ତାର ମନ ॥ ୩୩

ସଙ୍କଳ୍ପ କରି ଗଙ୍ଗାଜଳେ । ଧନୁ ଧଇଲା କୋପାନଳେ ॥ ୩୪

ମନ୍ତ୍ର ଉଚ୍ଚାରି ବ୍ରହ୍ମଶର । ବୋଲଇ ଦ୍ରୋଣଙ୍କ କୁମର ॥ ୩୫

ତୁ ଯେ କଠୋର ସାଧ୍ୟ ମୋର । ଅବନୀ-ଅପାଣ୍ତବ କର ॥ ୩୬

ଏମନ୍ତେ ବିନ୍ଧିଲା ନାରାଚ । ଗଗନେ ଯେହ୍ନେ ରବିତେଜ ॥ ୩୭

ଦିଶ ଆକାଶ ଆବୋରିଲା । ତା ତେଜେ ଭୁବନ କମ୍ପିଲା ॥ ୩୮

ଗଗନେ ଆସୁଅଛି କ୍ଷେପି । ଉତ୍ତରା ଭୟ କଲା ଦେଖି ॥ ୩୯

ଧାମଇ ଜୀବନ ବିକଳେ । କେଶ ବସନ ଅସମ୍ଭାଳେ ॥ ୪୦

ବିକଳେ ବେନିକର ତୋଳି । ଡାକଇ ରଖ ବନମାଳୀ ॥ ୪୧

ହେ ଦେବ ଦେବ ଜଗନ୍ନାଥ । ଭାରା ନିବାରେ ତୋ ସମ୍ଭୂତ ॥ ୪୨

ହେ ମହାଯୋଗୀ ଯୋଗେଶ୍ୱର । ଜଗତଈଶ୍ୱର ଈଶ୍ୱର ॥ ୪୩

ଅନାଥ ନାଥ ଭାବଗ୍ରାହୀ । ଘୋର ସଙ୍କଟୁ କର ତ୍ରାହି ॥ ୪୪

ତୋ ତହୁଁ ନ ଜାଣଇ ଆନ । ଅଭୟ ସଙ୍କଟ ଭଞ୍ଜନ ॥ ୪୫

ଏ ଯେ ଗଗନ ମାର୍ଗେ ଶର । ଆସଇ ଯେହ୍ନେ ଦିବାକର ॥ ୪୬

ପାଣ୍ତବକୁଳ ଏ ହରିବ । ଏହାକୁ କେବା ନିବାରିବ ॥ ୪୭

ତୋରେ ଶରଣ ଗଲି ମୁହିଁ । ମୋ ଗର୍ଭ ରଖ ଭାବଗ୍ରାହୀ ॥ ୪୮

ଏ ଗର୍ଭ ରବିତଳେ ଥାଉ । ମୋର ଜୀବନ ବାଣ ଦହୁ ॥ ୪୯

ସୂତ ଉବାଚ

ଉତ୍ତରା ବାକ୍ୟ କର୍ଣ୍ଣେ ଶୁଣି । ମନେ ଚିନ୍ତିଲେ ଚକ୍ରପାଣି ॥ ୫୦

ଦ୍ରୋଣ କୁମର ଅପମାନେ । ଲୁଚି ଯେ ଥିଲା ଘୋରବନେ ॥ ୫୧

ମନ୍ତ୍ରୀ ନାରାଚ ବ୍ରହ୍ମଶର । ପ୍ରହାର କଲା କୋପଭର ॥ ୫୨

ମେଦିନୀ-ଅପାଣ୍ତବ-ଶର । ମୁହିଁ କରିବି ପ୍ରତିକାର ॥ ୫୩

ଏକଥା କୃଷ୍ଣ ମୁଖୁ ଶୁଣି । ପାଣ୍ତବେ ନିଜ ଧନୁ ଆଣି ॥ ୫୪

ସୂର୍ଯ୍ୟର ପ୍ରାୟ ଏକେ ଏକେ । ପଞ୍ଚ-ନାରାଚ ଅଭିମୁଖେ ॥ ୫୫

ଯୋଚି ଚାହିଁଲେ କୃଷ୍ଣମୁଖ । ଅନ୍ତେ ବୋଲନ୍ତି ରଖ ରଖ ॥ ୫୬

ତାହା ଜାଣିଲେ ନରହରି । ତକ୍ଷଣେ ଚକ୍ରକୁ ସୁମରି ॥ ୫୭

ବୋଇଲେ ଶୁଣ ସୁଦର୍ଶନ । ରଖ ତୁ ପାଣ୍ତବ ଜୀବନ ॥ ୫୮

ତକ୍ଷଣେ କୃଷ୍ଣ ଆଜ୍ଞା ପାଇ । ଯହିଁ ପାଣ୍ତବ ପାଞ୍ଚଭାଇ ॥ ୫୯

ମେଘର ପ୍ରାୟେ ଆଚ୍ଛାଦିଲା । କୃଷ୍ଣର କରେ ବିଜେ କଲା ॥ ୬୦

ସେ ଚକ୍ର ଘେନି କୃଷ୍ଣ ବେଗେ । ପଶିଲେ ଉତ୍ତରାର ଗର୍ଭେ ॥ ୬୧

ସେ ମାୟାଧର ଚକ୍ରପାଣି । କେବା ପାରିବ ପରିମାଣି ॥ ୬୨

ସକଳ ଆତ୍ମା ଯୋଗେଶ୍ୱର । ଯାର ମହିମା ଅଗୋଚର ॥ ୬୩

ପାଣ୍ତବ ବଂଶ ରକ୍ଷା ଅର୍ଥେ । ଗର୍ଭ ଆବୋରି ଚକ୍ରହସ୍ତେ ॥ ୬୪

ସ୍ୱଭାବେ ଶସ୍ତ୍ର ବ୍ରହ୍ମଶର । ତାହାକୁ ନାହିଁ ପ୍ରତିକାର ॥ ୬୫

କୃଷ୍ଣର ତେଜ ତା ସଂହାରି । ଗର୍ଭକୁ ରଖିଲେ ମୁରାରି ॥ ୬୬

ଯାହାର ମାୟା ଏ ସଂସାରେ । ସଞ୍ଚଇ ପାଳଇ ସଂହାରେ ॥ ୬୭

ଏକି ଆଶ୍ଚର୍ଯ୍ୟ ଅଟେ ତାର । ସର୍ବ ଆଶ୍ଚର୍ଯ୍ୟ ଯେ ଈଶ୍ୱର ॥ ୬୮

ସେ ବ୍ରହ୍ମଶସ୍ତ୍ର ଯହୁଁ ଗଲା । ପାଣ୍ତବେ ଗୋବିନ୍ଦ ରଖିଲା ॥ ୬୯

ତକ୍ଷଣେ ପାଣ୍ତବ ଜନନୀ । କୃଷ୍ଣା ଉତ୍ତରା ସେଙ୍ଗ ଘେନି ॥ ୭୦

ପାଞ୍ଚପୁତ୍ରଙ୍କୁ ଘେନି ସେଙ୍ଗ । ନମିଲେ କୃଷ୍ଣ-ପାଦ-ଯୁଗେ ॥ ୭୧

କାତରେ ଯୋଡ଼ି ବେନି ପାଣି । କଣ୍ଠ କୁଣ୍ଠିତେ କହେ ବାଣୀ ॥ ୭୨

ବୋଲଇ କୃଷ୍ଣ ମୁଖ ଚାହିଁ । ଭୋ ନାଥ କର ମୋତେ ତ୍ରାହି ॥ ୭୩

କୁନ୍ତୀ ଉବାଚ

ଭୋ କୃଷ୍ଣ ମୁଁ ତୋର କିଙ୍କର । ଆଦି ପୁରୁଷ ତୁ ଈଶ୍ୱର ॥ ୭୪

ପ୍ରକୃତି ପରେ ତୋର ବାସ । ଏଣୁ ପ୍ରାଣିଙ୍କି ଅପ୍ରକାଶ ॥ ୭୫

ଜନ୍ତୁଙ୍କ ଅନ୍ତର ବାହାରେ । ତୋ ବିନୁ ଅନ୍ୟ ନାହିଁ ପରେ ॥ ୭୬

ଆଚ୍ଛାଦି ମାୟା ଯବନିକା । ନିର୍ଲେ ରୂପେ ଥାଉ ଏକା ॥ ୭୭

ଇନ୍ଦ୍ରିୟଗଣ ତୁଲେ ପୂରି । ଅବ୍ୟୟ ଆତ୍ମାରୂପ ଧରି ॥ ୭୮

ତୋହର ମାୟା ଯାର ଚିତ୍ତେ । ସେ ତୋତେ ଜାଣିବେ କେମନ୍ତେ ॥ ୭୯

ନଟଙ୍କ ମଧ୍ୟେ ଯେ ନାୟକ । ସେ ଯେହ୍ନେ ନାଟେ ମୋହେ ଲୋକ ॥ ୮୦

ନାନା କାଛେଣି ସେ ଭିଆଇ । ନୃତ୍ୟକାରକୁ ସେ ନଚାଇ ॥ ୮୧

ଦେଖନ୍ତା ପ୍ରାଣୀ ମନ ମୋହେ । ନିଶ୍ଚେ ବିଚାରେ ସତ୍ୟ ନୋହେ ॥ ୮୨

ପରମହଂସ ଦୀକ୍ଷା ପଣେ । ନିର୍ମଳଚେତା ମୁନିଗଣେ ॥ ୮୩

ଦୃଢ଼-ଭକତି-ଯୋଗ ମତେ । ତୋ ପାଦେ ଧ୍ୟାନ ଅବିରତେ ॥ ୮୪

ସେ ଭକ୍ତିଯୋଗର ବିଧାନ । କାହୁଁ ଦେଖିବେ ସ୍ତିରୀଜନ ॥ ୮୫

ତୁ ନାଥ କୃଷ୍ଣ ଅବତାରେ । ପ୍ରକାଶ ବସୁଦେବ ଘରେ ॥ ୮୬

ଦେବକୀ ଉଦରୁ ସମ୍ଭବ । ଏଣୁ ତୋ ନାମ ବାସୁଦେବ ॥ ୮୭

ସକଳ ଜନ୍ତୁ ହୃଦଗତେ । ତୋର ବିଜୟ ଆତ୍ମାମତେ ॥ ୮୮

କୁମାର ରୂପେ ନନ୍ଦ ଘରେ । ତୋର ବିହାର ଗୋପପୁରେ ॥ ୮୯

ଇନ୍ଦ୍ର ବିବାଦେ ବନମାଳୀ । ପର୍ବତ ବାମକରେ ତୋଳି ॥ ୯୦

ରଖିଲୁ ଗୋପର ସମ୍ପଦ । ଏମନ୍ତେ ନାମ ତୋ ଗୋବିନ୍ଦ ॥ ୯୧

ତୁମ୍ଭଙ୍କୁ ମୋର ନମସ୍କାର । ତୋ ବିନୁ ନ ଜାଣଇ ଆର ॥ ୯୨

ପ୍ରଳୟଜଳେ ତୋର ବାସ । ନାଭିରୁ ପଙ୍କଜ ପ୍ରକାଶ ॥ ୯୩

ପଙ୍କଜମାଳା ତୋର ଗଳେ । ବିହରୁ ଭୁବନ ମଣ୍ତଳେ ॥ ୯୪

ପଙ୍କଜ-ଲୋଚନ ସୁନ୍ଦର । ନମଇ ପଙ୍କଜ-ପୟର ॥ ୯୫

ଦେବକୀ ଦେବୀ କଂସ ଘରେ । ବନ୍ଦୀରେ ଥିଲା ଶୋକ ଭରେ ॥ ୯୬

ମୁଁ ପଞ୍ଚପୁତ୍ର ଘେନି ଏକେ । ବନେ ବଞ୍ଚଇ ଦୁଃଖଶୋକେ ॥ ୯୭

ଦେବକୀ ପ୍ରାୟେ ମୋତେ କରି । ଅଶେଷ ସଙ୍କଟୁ ଉଦ୍ଧରି ॥ ୯୮

ଭୀମକୁ ବିଷଲଡ଼ୁ ଦେଲେ । ତହୁଁ ରଖିଲୁ ତେତେବେଳେ ॥ ୯୯

ଜତୁର ଘର ଦହନରୁ । ତୁ ନାଥ ତହୁଁ ଉଦ୍ଧରିଲୁ ॥ ୧୦୦

ଜଳେ କୁମ୍ଭିରୀ ଆଦି ଯେତେ । ରାକ୍ଷସେ ମିଳିଲେ ବନସ୍ତେ ॥ ୧୦୧

ହିଡିମ୍ବକାଦି ଯେ ରାକ୍ଷସ । ତହୁଁ ରଖିଲୁ ପୀତବାସ ॥ ୧୦୨

ପଶା କପଟେ ରାଜ୍ୟ ହରି । ନେଲେ ଦ୍ରୌପଦୀ କେଶ ଧରି ॥ ୧୦୩

ବିବସ୍ତ୍ର କଲେ ସଭାତଳେ । ତହୁଁ ରଖିଲୁ ତେତେବେଳେ ॥ ୧୦୪

ପୁଣି ଅଜ୍ଞାତ ବନବାସେ । ଦିନ ବଞ୍ଚିଲୁ ନାନା ଦେଶେ ॥ ୧୦୫

ଯୁଦ୍ଧେ ଦୁର୍ଜୟ ରିପୁ ତ୍ରାସୁ । ତୁ ନାଥ ମୋ ପୁତ୍ରେ ଆଶ୍ୱାସୁ ॥ ୧୦୬

ଦ୍ରୋଣକୁମର ବ୍ରହ୍ମଶର । ତହୁଁ ରଖିଲୁ ବଂଶ ମୋର ॥ ୧୦୭

ଏଣୁ ବିପଦେ ନ ଡରଇ । ଯେ ଦୁଃଖେ ତୋତେ ମୁଁ ଦେଖଇ ॥ ୧୦୮

ତୋହର ଦରଶନ ଫଳେ । ଏ ଜୀବ ରହଇ ନିଶ୍ଚଳେ ॥ ୧୦୯

ପରମଲୋକେ ଲଭେ ବାସ । ତୁ ନାଥ ଭକତ ବିଶ୍ୱାସ ॥ ୧୧୦

ଉତ୍ତମ କୁଳେ ଜନ୍ମ ହୋଇ । ବିଦ୍ୟା ସମ୍ପଦ ଯେବେ ଥାଇ ॥ ୧୧୧

ବୁଡ଼ଇ ମତ୍ତଗର୍ବ-ଚିତ୍ତେ । ସେ ତୋତେ ପାଇବ କେମନ୍ତେ ॥ ୧୧୨

ତୁ ନାଥ ଜଗତ ଜୀବନ । ତୁ ଅକିଞ୍ଚନ-ଜନ-ଧନ ॥ ୧୧୩

ଦରିଦ୍ର-ଜନ-ଧନ ତୁହି । ପ୍ରକୃତି ତୋତେ ନ ଜାଣଇ ॥ ୧୧୪

ତୁ ନାଥ ଆତ୍ମାରାମ ଶାନ୍ତ । ନମଇଁ କୈବଲ୍ୟର ନାଥ ॥ ୧୧୫

ତୁ ନାଥ କାଳରୂପ ହେଉ । ଅନାଦି-ନିଧନ ବୋଲାଉ ॥ ୧୧୬

ସମେ ତୁ ବସୁ ସର୍ବଦେହେ । ପ୍ରାଣୀ ତୋହର ମାୟାମୋହେ ॥ ୧୧୭

ଭଜନ୍ତି ଅନ୍ୟ ଅନ୍ୟ ଭାବେ । କଳି ଯେସନେ କଳିଯୁଗେ ॥ ୧୧୮

ତୋହର ଇଚ୍ଛା କେ ଜାଣିବ । ଶରୀର ବହି ବ୍ରହ୍ମା ଶିବ ॥ ୧୧୯

ତୋର ଚରିତ ଭଗବାନ । ଏ ନରଲୋକେ ବିଡ଼ମ୍ବନ ॥ ୧୨୦

ଏଣୁ ତୋ ରିପୁ ମିତ୍ର ନାହିଁ । ପ୍ରାଣୀ ଜାଣିବେ ତୋତେ କାହିଁ ॥ ୧୨୧

ତୋ ଠାରେ ଭେଦବୁଦ୍ଧି କରି । ବଇରି ମିତ୍ର ଅନୁସରି ॥ ୧୨୨

ତୁ ବିଶ୍ୱଆତ୍ମା ନରହରି । ଲୀଳାବିହାରେ ଦେହ ଧରି ॥ ୧୨୩

ପଶୁଙ୍କ ମଧ୍ୟେ ହେଉ ଜାତ । ଋଷିଙ୍କ ଘରେ ଋଷିସୁତ ॥ ୧୨୪

ଜଳଜନ୍ତୁଙ୍କ ମଧ୍ୟେ ତୁହି । ବିହରୁ ମୀନ କୂର୍ମ ହୋଇ ॥ ୧୨୫

ଏ କଥା ତୋତେ ବିଡ଼ମ୍ବନ । ଆଧ୍ୟାତ୍ମ ଆତ୍ମା ନିରଞ୍ଜନ ॥ ୧୨୬

ଦଧି ମନ୍ଥନ ବେଳେ ଧରି । ରୋଳେ ବାନ୍ଧିଲା ନନ୍ଦନାରୀ ॥ ୧୨୭

ପଛେ ଲୁଚାଇ ଛାଟ ଗୋଟି । ତା ଦେଖି ଭୂମିରେ ତୁ ଲୋଟି ॥ ୧୨୮

ଚକ୍ଷୁ ଅଞ୍ଜନ ଘଷି କରେ । କାନ୍ଦି ପଡ଼ିଲୁ ତା ପୟରେ ॥ ୧୨୯

ବଦନ ହସ୍ତରେ ଲୁଚାଇ । ଭୟେ କମ୍ପଇ ତୋର ଦେହୀ ॥ ୧୩୦

ଏ ତୋର ସର୍ବ ସମ୍ପାଦିଲା । ମୋତେ ତ ସନ୍ଦେହ ଲାଗିଲା ॥ ୧୩୧

ଭୟ ଯାହାର ନାମେ ଡରେ । ସେ କିମ୍ପା ଯଶୋଦାକୁ ଡରେ ॥ ୧୩୨

ତୁ ନାଥ ଯୋଗମାୟା ଅଂଶେ । ଜନ୍ମିଲୁ ଯଦୁରାଜ ବଂଶେ ॥ ୧୩୩

ସ୍ୱଭାବେ ଜନ୍ମ ନାହିଁ ତୋର । ଯୁଧିଷ୍ଠି କାର୍ଯ୍ୟେ ଅବତାର ॥ ୧୩୪

ଏଣୁ କଳ୍ପନ୍ତି ସାଧୁଜନ । ମଳୟେ ଯେସନେ ଚନ୍ଦନ ॥ ୧୩୫

ଅପରେ ଯେତେ ସାଧୁଜନ । ତୋ ଜନ୍ମ କରି ଅନୁମାନ ॥ ୧୩୬

ବୋଲନ୍ତି ବାସୁଦେବ ଘରେ । ଜନ୍ମିଲୁ ଭୂମିଭାରା ହରେ ॥ ୧୩୭

ପୂର୍ବେ କଠୋର ତପ କରି । ବର ମାଗିଲା ପୁତ୍ର କରି ॥ ୧୩୮

ତେଣୁ ଦେବକୀ ଗର୍ଭେ ଜାତ । ତୁ ଯେଣୁ ଅନାଥର ନାଥ ॥ ୧୩୯

ଅସୁରଙ୍କର ଭାରେ ମହୀ । ବ୍ରହ୍ମା ସମୀପେ ଦୁଃଖ କହି ॥ ୧୪୦

ତାହାର ଅର୍ଥେ ଭଗବାନ । ଜଳେ ଯେ ତୋହର ଶୟନ ॥ ୧୪୧

ସର୍ବଦେବଙ୍କୁ ଘେନିଗଲା । ତୋର ଚରଣେ ସ୍ତୁତି କଲା ॥ ୧୪୨

କହିଲା ତୋ ଚରଣ ତଳେ । ନାବ ବୁଡ଼ଇ ଯେହ୍ନେ ଜଳେ ॥ ୧୪୩

ତେମନ୍ତ ବୁଡ଼ଇ ଧରଣୀ । ଏହାକୁ ରଖ ଚକ୍ରପାଣି ॥ ୧୪୪

ତେଣୁ ତୁ ନର ରୂପ ଧରି । ଭୂମିମଣ୍ତଳେ ଅବତରି ॥ ୧୪୫

ଅବିଦ୍ୟା କାମ୍ୟକର୍ମ ବଳେ । ଜନ୍ତୁଏ ଦୁଃଖେ ଭବଜଳେ ॥ ୧୪୬

ଅତି କ୍ଳେଶିତ ତାଙ୍କ ଦେହୀ । ତାହାଙ୍କୁ ଉଦ୍ଧରିବା ପାଇଁ ॥ ୧୪୭

ଧ୍ୟାନ ଶ୍ରବଣ ମନ୍ତ୍ରଗୁରୁ । ତେଣୁ ମହିମା କଳ୍ପତରୁ ॥ ୧୪୮

ତୋର ଚରିତ କର୍ଣ୍ଣେ ଶୁଣି । ତୋହର ନାମ ମୁଖେ ଭଣି ॥ ୧୪୯

ମନ ତୋହର ଦେହେ ଦ୍ୟନ୍ତି । ଆନନ୍ଦେ ଦେହ ସମର୍ପନ୍ତି ॥ ୧୫୦

ଏଣୁ ପଶନ୍ତି ତୋ ଚରଣେ । ନିଶ୍ଚିନ୍ତେ ଧ୍ୟାନେ ସୁମରଣେ ॥ ୧୫୧

ତୋର ଚରଣ ତାଙ୍କୁ ରଖେ । ଭବ-ପ୍ରବାହୁ ତରେ ସୁଖେ ॥ ୧୫୨

ସେ ପାଦେ ପଶିଲି ଶରଣ । ମୋତେ ନ ତେଜ ନାରାୟଣ ॥ ୧୫୩

ତୁ ଯେ ମୋହର ସୁତ ହିତେ । ଜନ୍ମିଲୁ ଏ ଘୋର ଜଗତେ ॥ ୧୫୪

ତୋର ସୁହୃଦ ପଣେ ହରି । ତୋର ଚରଣେ ଆଶ୍ରା କରି ॥ ୧୫୫

ନିତ୍ୟେ କରନ୍ତି ତୋତେ ଧ୍ୟାନ । ତୋ ତହୁଁ ନ ଜାଣନ୍ତି ଆନ ॥ ୧୫୬

ଅପ୍ରାଧ କରି ରାଜକୁଳେ । ନମନ୍ତି ତୋର ବାହୁ ବଳେ ॥ ୧୫୭

କେବଳ ନାମ ରୂପ ତୋର । ମୋର ପୁତ୍ରଙ୍କ ସୁଖଘର ॥ ୧୫୮

ଯଦୁଙ୍କ ତୁଲେ ତାହା ଚିନ୍ତି । ଏ ଭବଭୟ ନ ଡରନ୍ତି ॥ ୧୫୯

ତୋ ରୂପ ନ ଦେଖି ନୟନେ । ଇନ୍ଦ୍ରିୟ ଯେହ୍ନେ ଆତ୍ମା ବିନେ ॥ ୧୬୦

ଏ ମହୀ ତୋର ପାଦ ଲାଗି । ଯେମନ୍ତ ଦିଶଇ ସୌଭାଗୀ ॥ ୧୬୧

ତୋ ଅବତାର ଯେବେ ଯିବ । ବିଧବା ପ୍ରାୟେକ ଦିଶିବ ॥ ୧୬୨

ଏହା ଉପରେ ଯେତେ ଜନ । ଗ୍ରାମ ଔଷଧି ଗିରିବନ ॥ ୧୬୩

ସମୁଦ୍ର ଆଦି ଜଳସ୍ଥାନେ । ବଞ୍ଚନ୍ତି ତୋ ଚରଣ ଧ୍ୟାନେ ॥ ୧୬୪

ହେ ବିଶ୍ୱ ଆତ୍ମା ବିଶ୍ୱେଶ୍ୱର । ମୁଁ ତୋର ଚରଣେ କିଙ୍କର ॥ ୧୬୫

ପାଣ୍ତବ କୁଳେ ବୃଷ୍ଣିବଂଶେ । ମୁଁ ଯେ ବନ୍ଧନ ସ୍ନେହ ପାଶେ ॥ ୧୬୬

ତୁ ଯେବେ ଶରଣ ସୋଦର । ଏ ସ୍ନେହ ପାଶ ଦୂର କର ॥ ୧୬୭

ଭୋ ନାଥ ଶ୍ରୀମଧୁସୂଦନ । ତୋର ଚରଣେ ମୋର ମନ ॥ ୧୬୮

ସର୍ବ ବ୍ୟସନ ଦୂରେ ଚିନ୍ତି । ତୋର ଚରଣେ ହେଉ ମତି ॥ ୧୬୯

ଗଙ୍ଗାର ସ୍ରୋତ ଯେହ୍ନେ ବହେ । ସେ ପୁଣି ସିନ୍ଧୁଜଳେ ରହେ ॥ ୧୭୦

ହେ କୃଷ୍ଣ କୃଷ୍ଣସଖା ତୁହି । ହେ ବୃଷ୍ଣିଶ୍ରେଷ୍ଠ ଭାବଗ୍ରାହୀ ॥ ୧୭୧

ଅଖିଳଗୁରୁ ଯୋଗେଶ୍ୱର । ଦୁଷ୍ଟ କ୍ଷତ୍ରିୟ କୁଳାନଳ ॥ ୧୭୨

ତୋହର ହେତୁ ଏ ତରନ୍ତି । ନିଶ୍ଚିନ୍ତେ ତୋ ଦେହେ ପଶନ୍ତି ॥ ୧୭୩

ଗୋବିନ୍ଦ ଶରଣ ସୋଦର । ହେ ଦେବ-ବିପ୍ର-ଦୁଃଖ-ହର ॥ ୧୭୪

ତୋ ଅବତାର ଏ ଜଗତେ । ଗୋରୁ-ବ୍ରାହ୍ମଣ-ଦେବହିତେ ॥ ୧୭୫

ଅଖିଳ ଗୁରୁ ଯୋଗେଶ୍ୱର । ତୋ ପାଦେ ମୋର ନମସ୍କାର ॥ ୧୭୬

ସୂତ ଉବାଚ

ସୂତ କହନ୍ତି ମଞ୍ଜୁବାଣୀ । କୁନ୍ତୀ ବଚନ କୃଷ୍ଣ ଶୁଣି ॥ ୧୭୭

ଅଳପ ହସି ଦାମୋଦର । କୋମଳ ବଚନ ଗମ୍ଭୀର ॥ ୧୭୮

କରିବି ସତ୍ୟ ତୋ ବଚନ । କହି ଉଠିଲେ ଭଗବାନ ॥ ୧୭୯

ହସ୍ତିନାପୁରେ ଯାଇ ପଶି । ଅନ୍ଧ ଗାନ୍ଧାରୀଙ୍କି ଆଶ୍ୱାସି ॥ ୧୮୦

ବ୍ୟାସ ସହିତେ ମୁନିଗଣ । ସଙ୍ଗତେ ଘେନି ନାରାୟଣ ॥ ୧୮୧

ନିକଟେ ବସି ଏକେ ଏକେ । ବୋଧିଲେ ଇତିହାସ ବାକ୍ୟେ ॥ ୧୮୨

କୃଷ୍ଣମାୟାରେ ମନଚ୍ଛନ୍ନ । ନ ବୁଝେ କୃଷ୍ଣର ବଚନ ॥ ୧୮୩

ପୁଣି ମାୟାରେ ଚ୍ଛନ୍ନ ହୋଇ । ସୁହୃଦ ବଧ ଚିତ୍ତେ ଧ୍ୟାୟି ॥ ୧୮୪

ସ୍ନେହ ମୋହରେ ବଶ ହୋଇ । ଶ୍ରୀକୃଷ୍ଣ ମୁଖକୁ ଅନାଇଁ ॥ ୧୮୫

କପୋଳେ ଦେଇ ବେନିକର । ବୋଲଇ ରାଜା ଯୁଧିଷ୍ଠିର ॥ ୧୮୬

ଯୁଧିଷ୍ଠିର ଉବାଚ

ଶୁଣ ହେ ପ୍ରଭୁ ଦାମୋଦର । ମୁଁ ରାଜା ଧର୍ମର କୁମର ॥ ୧୮୭

ମୋହର ପୂର୍ବ କର୍ମ ଦୋଷେ । ପଡ଼ିଲି ସ୍ନେହ ମୋହପାଶେ ॥ ୧୮୮

ଦେଖ ଅଜ୍ଞାନ ବୁଦ୍ଧି ମୋର । ମୁଁ ମୂଢ଼ ଦୁଷ୍ଟ ଦୁରାଚାର ॥ ୧୮୯

ଏ ମାୟାଦେହେ ସ୍ନେହ କରି । ଅନେକ ଅକ୍ଷୌହିଣୀ ମାରି ॥ ୧୯୦

ବାଳକ ଦ୍ୱିଜ ବନ୍ଧୁ ମିତ । ପିତୃ ଭ୍ରାତର ମୋର ହିତ ॥ ୧୯୧

ଦ୍ରୋହ ମୁଁ କଲି ଅବିବେକେ । ନିଶ୍ଚୟେ ପଡ଼ିବି ନରକେ ॥ ୧୯୨

ବରଷ ଅୟୁତୁଁ ଅୟୁତେ । କେବେହେଁ ମୋକ୍ଷ ନାହିଁ ମୋତେ ॥ ୧୯୩

ଏମନ୍ତ ଶାସ୍ତ୍ରର ବଚନ । ଯେ ଧର୍ମ କହେ ମୁନିଜନ ॥ ୧୯୪

ପ୍ରଜାପାଳନେ ଧର୍ମଯୁଦ୍ଧେ । ଦୋଷ ନ ଲାଗେ ଶତ୍ରୁ ବଧେ ॥ ୧୯୫

ଏ କଥା ମୋତେ ବୋଧ ନୋହେ ।ସକଳ ଘଟେ ହରି ରହେ ॥ ୧୯୬

ପ୍ରାଣୀର ବଧେ କାହିଁ ଧର୍ମ । ଏ ଟି ଅବିଦ୍ୟା ମୋହଭ୍ରମ ॥ ୧୯୭

ବାନ୍ଧୁବାନ୍ଧବ ନ ପ୍ରମାଣି । ସଂଗ୍ରାମେ ମଲେ ଯେତେ ପ୍ରାଣୀ ॥ ୧୯୮

ତାଙ୍କ ରମଣୀଜନେ ଗୃହେ । ଦିନ ବଞ୍ଚନ୍ତି ଶୋକ ମୋହେ ॥ ୧୯୯

ତହୁଁ ଯେ ତାପ ଉପୁଜିବ । କି କର୍ମେ ସେ ତାପ ଖଣ୍ତିବ ॥ ୨୦୦

ଦେହେ ଲାଗିଲା ପଙ୍କ ଯେହ୍ନେ । ନ ଯାଇ ପଙ୍କ ପ୍ରକ୍ଷାଳନେ ॥ ୨୦୧

ମଦ୍ୟକୁ ଆଣି ଦେହେ ବୋଳି । ମଦ୍ୟେ ଯେସନେ ତା ପଖାଳି ॥ ୨୦୨

ପ୍ରାଣୀର ବଧ ପ୍ରାଣୀ ହିତେ । କାହୁଁ ତାରିବ ଯଜ୍ଞମତେ ॥ ୨୦୩

ସୂତ ଉବାଚ

ଏମନ୍ତେ କୃଷ୍ଣର ଅଗ୍ରତେ । ରାଜା କହିଲେ ଦୁଃଖଚିତ୍ତେ ॥ ୨୦୪

ତକ୍ଷଣେ ପ୍ରଭୁ ନରହରି । ମାୟାରେ ତାଙ୍କ ମନ ହରି ॥ ୨୦୫

ପଞ୍ଚପାଣ୍ତବ ସଙ୍ଗେ ଘେନି । କିଛି ନ କହି ହେଲେ ତୁନି ॥ ୨୦୬

ସେ ମାୟାଧର ପାଦଗତ । ନମଇ ଦାସ ଜଗନ୍ନାଥ ॥ ୨୦୭

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ପ୍ରଥମସ୍କନ୍ଧେ କୁନ୍ତୀସ୍ତୁତି ଯୁଧିଷ୍ଠିରାନୁତାପୋ ନାମାଷ୍ଟମୋଽଧ୍ୟାୟଃ ।।

* * *