ପ୍ରଥମ ସ୍କନ୍ଧ

ପଞ୍ଚମ ଅଧ୍ୟାୟ

ସୂତ ଉବାଚ

ସୁତ କହନ୍ତି ଅନୁରାଗେ । ହରଷେ ମୁନିଙ୍କର ଆଗେ ॥

ଶୁଣ ସକଳ ମୁନି ଜନେ । ହରିଚରିତ ସାବଧାନେ ॥

ବ୍ୟାସ ସମୀପେ ଦେବଋଷି । ସୁଖ-ଆସନେ ଦୃଢ଼େ ବସି ॥

ବ୍ୟାସ ପୁଚ୍ଛିଲେ ମନ ତୋଷେ । ଯେ ଜାତ ଗୋବିନ୍ଦର ଅଂଶେ ॥

ହରଷେ ବୀଣା ହସ୍ତୁ ଥୋଇ । କହନ୍ତି ବ୍ୟାସ ମୁଖ ଚାହିଁ ॥

ନାରଦ ଉବାଚ

ହେ ପରାଶର-ଋଷି-ସୁତ । ତୁମ୍ଭେ ସ୍ୱଭାବେ ଭାଗବତ ॥

ଚଞ୍ଚଳ ଦିଶୁଛି ବଦନ । ଦେଖି ଜାଣିଲି ତୁମ୍ଭ ମନ ॥

ସକଳ ବେଦ ଶିଷ୍ୟେ ଦେଇ । ପୁରାଣ ଭାରତ ଭିଆଇ ॥

ବେଦ ବିଚାରି ବ୍ରହ୍ମଚିନ୍ତି । ଚିତ୍ତ ନୋହିଲା ତୁମ୍ଭ ଶାନ୍ତି ॥

ଭଲେ ଜାଣିଲି ମୁହିଁ ଏହା । ତୁମ୍ଭେ ସ୍ୱଭାବେ ପୁଣ୍ୟଦେହା ॥ ୧୦

ନାରଦ ବାକ୍ୟ ଶୁଣି କର୍ଣ୍ଣେ । ବ୍ୟାସ କହନ୍ତି ସାବଧାନେ ॥ ୧୧

ବ୍ୟାସ ଉବାଚ

ତୁମ୍ଭେ କହିଲ ମୁନି ଯେତେ । ମୋର ଅଭ୍ୟାସ ବହୁମତେ ॥ ୧୨

ବେଦ ପୁରାଣ ଅର୍ଥ ଯେତେ । ମୁଁ ସର୍ବ ସମ୍ପାଦିଲି ଚିତ୍ତେ ॥ ୧୩

ତଥାପି ଆତ୍ମା ତୋଷ ନୋହେ । ସ୍ଥିର ନ ରହେ ମନ ଦେହେ ॥ ୧୪

ତୁମ୍ଭେ ଯେ ବ୍ରହ୍ମାଙ୍କ ନନ୍ଦନ । ଭଲେ ଜାଣିଲ ମୋର ମନ ॥ ୧୫

ଏ ମନ ସ୍ଥିର କରିବାରେ । ଗୋବିନ୍ଦ ବିନା କେବା ପାରେ ॥ ୧୬

ସକଳ-ଶାସ୍ତ୍ର ତହୁଁ ସାର । ତାର ମହିମା ଅଗୋଚର ॥ ୧୭

ତାର ଭକତି ଯେଣୁ ନାହିଁ । ଏଣୁ ମୋ ଚିତ୍ତ ସ୍ଥିର ନୋହି ॥ ୧୮

ତୁମ୍ଭେ ସକଳ ତତ୍ତ୍ଵ ଜାଣ । ଯେ କୃଷ୍ଣ-ମହିମା ପ୍ରମାଣ ॥ ୧୯

ସେ ସର୍ବଜୀବଙ୍କ ଈଶ୍ୱର । ଯାର ମାୟାରେ ଏ ସଂସାର ॥ ୨୦

ସୃଜଇ ପାଳଇ ସଂହାରେ । ତ୍ରିଗୁଣ-ବ୍ୟାଜେ ସେ ବିହରେ ॥ ୨୧

ସେ ମାୟା ତାକୁ ନ ଲାଗଇ । ନିତ୍ୟେ ସେ ନିଜ ସୁଖେ ଥାଇ ॥ ୨୨

ଏ ତିନିଲୋକ ତୁମ୍ଭ ଦେହେ । ନିରତେ ଭ୍ରମେ ରବି ପ୍ରାୟେ ॥ ୨୩

ପ୍ରାଣୀଙ୍କ ବାହ୍ୟ ଅଭ୍ୟନ୍ତରେ । ଯେସନେ ସମୀର ସଞ୍ଚରେ ॥ ୨୪

ଆତ୍ମା ଯେସନେ ସାକ୍ଷୀ ରୂପେ । ନିତ୍ୟେ ବିହରେ ନିଜ ସୁଖେ ॥ ୨୫

ସେ ବିଷ୍ଣୁ-ପାଦପଦ୍ମ ଜଳେ । ତୁମ୍ଭର ସ୍ନାନ ସୁନିଶ୍ଚଳେ ॥ ୨୬

ସେ ଜଳ ଶୀତ ଉଷ୍ମ ଭାବ । ନିତ୍ୟେ ତୁମ୍ଭର ଅନୁଭବ ॥ ୨୭

ତାଙ୍କ ମହିମା ପରିମାଣି । ତୁମ୍ଭହୁଁ ଅନ୍ୟ କେବା ଜାଣି ॥ ୨୮

କହ ଆନନ୍ଦେ ମୁନିବର । ଯେମନ୍ତେ ମନ ହୋଏ ସ୍ଥିର ॥ ୨୯

ଏମନ୍ତ ବ୍ୟାସ ମୁଖୁ ଶୁଣି । ଭାବେ କହନ୍ତି ଦେବମୁନି ॥ ୩୦

ନାରଦ ଉବାଚ

ଭୋ ମୁନି ସତ୍ୟ ଏ ବଚନ । ଯେଣୁ ସନ୍ତୋଷ ନୋହେ ମନ ॥ ୩୧

କୃଷ୍ଣ ନିର୍ମଳ ଯଶଗୁଣ । ଯେଣୁ ନକଲ ଉଚ୍ଚାରଣ ॥ ୩୨

ଯେ ଧର୍ମେ କୃଷ୍ଣ ତୋଷ ନୋହି । ସେ ଧର୍ମ ନିଷ୍ଫଳ ଅଟଇ ॥ ୩୩

ଧର୍ମ ସମ୍ପଦ କାମ ଅର୍ଥେ । ଯେତେ କହିଲ ବେଦପଥେ ॥ ୩୪

ଯେବେ ଗୋବିନ୍ଦ ଗୁଣଗ୍ରାମ । ଅଭ୍ୟାସେ ଥାନ୍ତା କିଛି ଶ୍ରମ ॥ ୩୫

ତେବେ କି ମନ ଅସନ୍ତୋଷ । କହିବି ଶୁଣ ଉପଦେଶ ॥ ୩୬

ଯେବେ ଏ ଜିହ୍ୱା ବାକ୍ୟ-ଶ୍ରମେ । ନ କରେ କୃଷ୍ଣ-ଗୁଣ-ଗ୍ରାମେ ॥ ୩୭

ଯେ ବାଣୀ ଅଖିଳ-ତାରିଣୀ । ତା ଛାଡ଼ି ଅନ୍ୟ ଯେବେ ଭଣି ॥ ୩୮

ତାହାକୁ ବୋଲି କାକ ବାଣୀ । ଯହିଁ ଗୋବିନ୍ଦଙ୍କୁ ନ ଶୁଣି ॥ ୩୯

ନିଶ୍ଚୟ କାକତୀର୍ଥ ସେହି । ସେ ଜଳେ କେବା ଅବଗାହି ॥ ୪୦

ପରମହଂସ ମୁନିମେଳେ । ଯେ ଥାନ୍ତି ପୁଣ୍ୟ-ତୀର୍ଥ-କୂଳେ ॥ ୪୧

ଯେ ବାକ୍ୟେ କୃଷ୍ଣଗୁଣ ଗାଇ । ନିଶ୍ଚୟେ ପୁଣ୍ୟତୀର୍ଥ ସେହି ॥ ୪୨

ସେ ବାକ୍ୟ ଜନ ତାପ ନାଶେ । ତୀର୍ଥ ଯେସନେ ପାପ ଧ୍ୱଂସେ ॥ ୪୩

କୃଷ୍ଣର ଗୁଣଗାଥା ଯେବେ । ପ୍ରବନ୍ଧେ ଉଚ୍ଚାରଇ ଭାବେ ॥ ୪୪

ପଦ ଦୂଷିତ ଯେବେ ହୋଏ । ସେ ପ୍ରାଣୀ ସର୍ବପାପ ଦହେ ॥ ୪୫

ଅନନ୍ତ ନାମ-ଯଶ-ଗୁଣେ । ସାଧୁଙ୍କ ବାକ୍ୟ ନିତ୍ୟେ ଭଣେ ॥ ୪୬

ସେ ହରି-ଭାବ ଯେବେ ଛାଡ଼ି । ଯେ ଯାନ୍ତି କର୍ମ ପଥ ମାଡ଼ି ॥ ୪୭

ଯେ ପୁଣ୍ୟ ବେଦମାର୍ଗେ କରେ । ସକାମ ଚିତ୍ତେ ଫଳ ଧରେ ॥ ୪୮

ହରିଙ୍କି ନ କରେ ଅର୍ପଣ । ସେ ସର୍ବଫଳ ଅକାରଣ ॥ ୪୯

ନିଷ୍କାମମତେ ସର୍ବ ନ୍ୟାସି । ତପ ସାଧନ୍ତି ବନେ ପଶି ॥ ୫୦

ହରି ମହିମା ଛାଡ଼ି ଯେବେ । ଅତି ନିର୍ମଳ ଜ୍ଞାନ ଭାବେ ॥ ୫୧

ସେ କାହିଁ ଅଶୁଭ ନାଶିବ । ତପ ସାଧିଲା ଫଳ ଦେବ ॥ ୫୨

ତୁମ୍ଭେ ସ୍ୱଭାବେ ଭାଗବତ । ମହାନୁଭାବ ଶୁଚିମନ୍ତ ॥ ୫୩

ସତ୍ୟବଚନ ଧୃତିମନ୍ତ । ଏଣୁ ଅମୋଘ ତୁମ୍ଭ ଚିତ୍ତ ॥ ୫୪

ସମାଧି କରି କୃଷ୍ଣପାଦେ । ତାର ଚରିତ ଅନୁବାଦେ ॥ ୫୫

ପ୍ରବନ୍ଧ ଭାଗବତ କର । ଅଖିଳ ଜନଙ୍କୁ ଉଦ୍ଧର ॥ ୫୬

ଯେ ପ୍ରାଣୀ ଅନ୍ୟ ମାର୍ଗେ ଭଜେ । ହରି ଭକତି ଦୂରେ ତେଜେ ॥ ୫୭

କୃଷ୍ଣ ଭକତି ଲାଭ ଛାଡ଼ି । ତୃତୀୟବର୍ଗେ ଚିତ୍ତ ବଢ଼ି ॥ ୫୮

ତାହାର ସୁଖ ଲେଶ କାହିଁ । ସମୁଦ୍ରେ ଯେହ୍ନେ ନାବ ଥାଇ ॥ ୫୯

ଜଳ ପବନ ମେଘ ତେଜେ । କୂଳେ ନ ଲାଗି ଯେହ୍ନେ ଭାଜେ ॥ ୬୦

ତାହାଙ୍କ ଗତି ସେହି ମତ । ଶୁଣ ହେ ପରାଶର-ସୁତ ॥ ୬୧

ନିନ୍ଦିତ କର୍ମ ଚିତ୍ତେ ଚିନ୍ତି । ଯେ ଅନ୍ୟଜନେ ଶିକ୍ଷା ଦ୍ୟନ୍ତି ॥ ୬୨

ସ୍ୱଭାବେ ମୂଢ଼ ସେହୁ ଜନ । ବିଅର୍ଥ ତାହାର ଜୀବନ ॥ ୬୩

ତାର ବଚନେ ସେହୁ ଭ୍ରମେ । ଯେ ପ୍ରାଣୀ ଆଚରେ ଅଧର୍ମେ ॥ ୬୪

ସାଧୁ-ନିନ୍ଦନ ଯେ କରନ୍ତି । ଜଗତେ ନାହିଁ ତାଙ୍କ ସ୍ଥିତି ॥ ୬୫

ପାପ ଆଚରି ନରଲୋକେ । ଅନ୍ତେ ସେ ପଡ଼ନ୍ତି ନରକେ ॥ ୬୬

ତୁମ୍ଭେ ସ୍ୱଭାବେ ବିଚକ୍ଷଣ । ଭାବ ଅଭାବ ଭଲେ ଜାଣ ॥ ୬୭

ଅନନ୍ତ ପାର ବିଷ୍ଣୁକଥା । ତୁମ୍ଭେ ବର୍ଣ୍ଣନେ ସାମରଥା ॥ ୬୮

ନିବୃତ୍ତି ପ୍ରବୃତ୍ତି ଏ ଭାବେ । ଯେମନ୍ତେ ପ୍ରାଣୀ ନିସ୍ତରିବେ ॥ ୬୯

ହରି ଚରିତ ଦୀପ କର । ଜନଙ୍କୁ ଅନ୍ଧାରୁ ଉଦ୍ଧର ॥ ୭୦

ଯେ ପ୍ରାଣୀ ନିଜ ଧର୍ମ ତେଜି । ହରି-ଚରଣ ଦୃଢ଼େ ଭଜି ॥ ୭୧

ଭଜୁଁ ମରଇ ଯେବେ ଦୁଃଖେ । କେବେହେଁ ନ ପଡ଼େ ନରକେ ॥ ୭୨

ସ୍ୱଧର୍ମେ ଭଜନ୍ତି ଯେ ପ୍ରାଣୀ । ହରି ଭକତି ନ ପ୍ରମାଣି ॥ ୭୩

ଅନ୍ତେ ତାହାଙ୍କ ଗତି ଯେତେ । କେ ଅନୁମାନି ପାରେ ଚିତ୍ତେ ॥ ୭୪

ଏବେ ହୋ ଶୁଣ ମୁନିବର । ପଣ୍ତିତଜନଙ୍କ ବେଭାର ॥ ୭୫

ଯେ ଲାଭ କେହି ନ ଲଭନ୍ତି । ସେ ଲାଭେ ଯାର ଚିତ୍ତ ଚିନ୍ତି ॥ ୭୬

ସେ ଅର୍ଥେ ଯତ୍ନ ଯେ କରନ୍ତି । ସଂସାରେ ପଣ୍ତିତ ବୋଲାନ୍ତି ॥ ୭୭

କାଳର ବଳେ ପୁଣପୁଣ । ଏ ଭବ ମଧ୍ୟେ ତା ଭ୍ରମଣ ॥ ୭୮

ପୂର୍ବ ଅର୍ଜିତ କର୍ମବଶେ । ଦୁଃଖ ସଦୃଶ ସୁଖ ଆସେ ॥ ୭୯

ଏ ଅଧ ଉର୍ଦ୍ଧ୍ୱ ବେନି ପଥେ । ପ୍ରାଣୀଏ ଭ୍ରମନ୍ତି ନିରତେ ॥ ୮୦

ତାହାଙ୍କ ମଧ୍ୟେ ଜଣେ ଜଣେ । ଲୋଭିଲେ ସେ ଫଳ ଧାରଣେ ॥ ୮୧

ସେ ଫଳ ପାଇ ସୁଖେ ଖାଇ । ଭ୍ରମଣେ ଶ୍ରମ ନ ଲାଗଇ ॥ ୮୨

ଭ୍ରମିଣ ପ୍ରାଣୀ ଯେବେ ପାଇ । ପୁଣି ଭ୍ରମନ୍ତି ତାହା ଖାଇ ॥ ୮୩

ଏଣୁ ମୁକୁନ୍ଦ-ପାଦଗତେ । ଯେ ପ୍ରାଣୀ ଭଜନ୍ତି ନିରତେ ॥ ୮୪

ମୁକୁନ୍ଦପାଦ ତାର ଗତି । ଅନ୍ୟର ପ୍ରାୟ ନ ଭ୍ରମନ୍ତି ॥ ୮୫

କୃଷ୍ଣର ପାଦପଦ୍ମ ରସ । ନିରତେ କରନ୍ତି ଯେ ଗ୍ରାସ ॥ ୮୬

ସେ ରସ ଛାଡ଼ିବ ସେ କେହ୍ନେ । ରସେ ରସିକଜନ ଯେହ୍ନେ ॥ ୮୭

ଈଶ୍ୱର ହେତୁ ଏସଂସାର । ସଂସାରୁ ଈଶ୍ୱର ବାହାର ॥ ୮୮

ଯେଣୁ ଉତ୍ପତ୍ତି ସ୍ଥିତି ନାଶ । ବିଶ୍ୱର ହୁଅଇ ପ୍ରକାଶ ॥ ୮୯

ଏଣୁ ଲୀଳାକୁ କରିଅଛି । ପ୍ରାଣୀଙ୍କି ନୋହିବ ପ୍ରତ୍ୟକ୍ଷି ॥ ୯୦

ଈଶ୍ୱର ଜୀବ ଏ ସଂସାର । ଏ ସର୍ବ ଏକଇ ପ୍ରକାର ॥ ୯୧

ଏ ସର୍ବ ବ୍ରହ୍ମଭାବେ ଜାଣି । ବେଦରେ ଅଛି ପରିମାଣି ॥ ୯୨

ତୁମ୍ଭେ ସର୍ବଜ୍ଞ ମୁନିବର । କହ କୃଷ୍ଣର ଅବତାର ॥ ୯୩

ତୁମ୍ଭେ ଯେ ଆତ୍ମରାମେ ରମି । ଅନ୍ତର ଦୃଷ୍ଟି ଅନ୍ତର୍ଯ୍ୟାମୀ ॥ ୯୪

ପରମ ପୁରୁଷଙ୍କ କଳା । ସୁମରି ଗୋବିନ୍ଦର ଲୀଳା ॥ ୯୫

ସଂସାର ନିସ୍ତାରଣ ଅର୍ଥେ । ଶ୍ରୀଭାଗବତ କର ଗ୍ରନ୍ଥେ ॥ ୯୬

ସ୍ୱଭାବେ ଜନ୍ମ ଯାର ନାହିଁ । ମାୟା ଶୟଳେ ରୂପ ବହି ॥ ୯୭

ତାର ଚରିତରୁ କିଞ୍ଚିତେ । ପ୍ରକାଶ କର ଜନହିତେ ॥ ୯୮

ଏହୁ ସେ ପୁରୁଷାର୍ଥ ସାର । ଯଜ୍ଞ ତପସ୍ୟା ବେଦସାର ॥ ୯୯

ଇଷ୍ଟ ପୂଜନ ଯଜ୍ଞ ଦାନ । ଯେବେ ଭାବଇ କୃଷ୍ଣନାମ ॥ ୧୦୦

ତାହାଙ୍କ ଫଳ ଏ ଅଟଇ । ତା ବିନୁ ନିଷ୍ଫଳ ହୁଅଇ ॥ ୧୦୧

ପୂର୍ବେ ନିର୍ମଳ ଋଷିଜନେ । ତପ ଆଚରି ଘୋରବନେ ॥ ୧୦୨

ସଂସାର ସାର କୃଷ୍ଣକଥା । ନିରତେ ଗାଇ ଗୁଣଗାଥା ॥ ୧୦୩

ଏ ଭାବେ ପାଇଲି ଯେମନ୍ତେ । କହିବି ତୁମ୍ଭର ଅଗ୍ରତେ ॥ ୧୦୪

ପୂର୍ବେ ମୁଁ ଦକ୍ଷ ଶାପ ପାଇ । ଜନ୍ମିଲି ଦାସୀପୁତ୍ର ହୋଇ ॥ ୧୦୫

ବ୍ରାହ୍ମଣ ଘରେ ଏକାଏକି । ମୋହର ଜନନୀ ସେବକୀ ॥ ୧୦୬

ବ୍ୟାପାର କରେ ରାତ୍ର ଦିନେ । ଏମନ୍ତେ ବିଧିର ବିଧାନେ ॥ ୧୦୭

ସେ ବିପ୍ରଗୃହେ ବର୍ଷା କାଳେ । ଅତିଥି ବ୍ରାହ୍ମଣେ ମିଳିଲେ ॥ ୧୦୮

ତାହାଙ୍କୁ ଅନ୍ନଜଳ ଦେଇ । ବ୍ରାହ୍ମଣ କହେ ଭାବ ବହି ॥ ୧୦୯

ହେ ବିପ୍ରେ ଶୁଣ ମୋ ବଚନ । ଆଜ ଜୀବନ ମୋର ଧନ୍ୟ ॥ ୧୧୦

ତୁମ୍ଭର ଦୟା ଯେବେ ମୋତେ । ମୋ ଘରେ ରୁହ ଦିନାକେତେ ॥ ୧୧୧

ଦୁର୍ଗମ ବର୍ଷାମାସ ଚାରି । ଏ ଋତୁ ମୋର ଘରେ ସାରି ॥ ୧୧୨

ହେଉ ବୋଇଲେ ବିପ୍ରଜନେ । ବ୍ରାହ୍ମଣ ଗୃହେ ଶୁଦ୍ଧମନେ ॥ ୧୧୩

ରହିଲେ ମନର ସନ୍ତୋଷେ । ମୁଁ ସେବା କଲି ତାଙ୍କ ପାଶେ ॥ ୧୧୪

ବାଳୁତ ଚପଳ ମୋ ଚିତ୍ତ । ସେବା କରଇ ଅବିରତ ॥ ୧୧୫

ସେ ବିପ୍ରଗଣେ ମୋତେ ଚାହିଁ । ଆଶ୍ୱାସ କଲେ ଦୟାବହି ॥ ୧୧୬

ତାହାଙ୍କ ଭୋଜନର ଅନ୍ତେ । ପତ୍ରେ ଉଚ୍ଛିଷ୍ଟ ଥାଇ ଯେତେ ॥ ୧୧୭

ତାହା ଭୁଞ୍ଜଇ ନିତ୍ୟେ ମୁହିଁ । ଅନ୍ୟ ଭୋଜନ ନ ଜାଣଇ ॥ ୧୧୮

ଉଚ୍ଛିଷ୍ଟ ଭୋଜନ ପ୍ରସାଦେ । ମୋହର ଚିତ୍ତୁ ଅପ୍ରମାଦେ ॥ ୧୧୯

ସର୍ବ କିଳ୍ବିଷ କେଣେ ଗଲା । ତାହାଙ୍କ ଧର୍ମ ଉଦେ ହେଲା ॥ ୧୨୦

ବିପ୍ରଙ୍କ ମୁଖୁ ହରିବାଣୀ । ଦିନ ବଞ୍ଚଇ ନିତ୍ୟେ ଶୁଣି ॥ ୧୨୧

ପଦକୁ ପଦ ଗୀତ ସ୍ମରେ । ସେ ବାଣୀ ମୋର ମନ ହରେ ॥ ୧୨୨

ନିରତେ ଶୁଣି ପଦେ ପଦେ । ମନ ବୁଡ଼ିଲା କୃଷ୍ଣପାଦେ ॥ ୧୨୩

କୃଷ୍ଣ ହୁଁ ଆନ ନ ଜାଣଇ । ବିଷୟ-ରସ ଆର କାହିଁ ॥ ୧୨୪

ଯେଣୁ ଏ ସଦସତ ରୂପ । ପ୍ରାଣୀ ଦେଖନ୍ତି ମୋହକଳ୍ପ ॥ ୧୨୫

ଆପଣା ଅଜ୍ଞାନ ସେ ଅଟେ । କେବେହେଁ ସତ୍ୟ ସେ ନଘଟେ ॥ ୧୨୬

ମୁହିଁ ଦେଖଇ ବହୁମତେ । ହରିହୁଁ ଆନ କେ ଜଗତେ ॥ ୧୨୭

ଏମନ୍ତେ ବରଷା ସରିଲା । ଶରଦ ଋତୁ ପ୍ରସରିଲା ॥ ୧୨୮

ନିରତେ ଶବ୍ଦେ ହରିବାଣୀ । ବିପ୍ରଜନଙ୍କ ମୁଖୁ ଶୁଣି ॥ ୧୨୯

ସାତ୍ତ୍ଵିକ ଭକ୍ତି ମୋର ମନେ । ପ୍ରକାଶ ହେଲା ଅନୁକ୍ଷଣେ ॥ ୧୩୦

ମୋହର ସେବା ଦିନୁ ଦିନେ । ଦେଖି ସନ୍ତୋଷ ବିପ୍ରଜନେ ॥ ୧୩୧

ଜାଣିଲେ ଶୁଦ୍ଧସତ୍ତ୍ଵ ରୂପେ । ଭକତି ଜାତ ମୋର ଚିତ୍ତ ॥ ୧୩୨

ଯିବାର ବେଳେ ମୋତେ ରାଇ । କୃଷ୍ଣମହିମା ଶିକ୍ଷା ଦେଇ ॥ ୧୩୩

ଯେ ଗୁହ୍ୟ ଗୁହ୍ୟତମ ଜ୍ଞାନ । ଯେଣେ ଉଦିତ ଭଗବାନ ॥ ୧୩୪

ସର୍ବ କହିଲେ ମୋର କର୍ଣ୍ଣେ । ଦୀନବତ୍ସଳ ମୁନିଜନେ ॥ ୧୩୫

ବିଷ୍ଣୁର ମାୟା ଅନୁଭବ । ତେଣୁ ଜାଣିଲି ମୁହିଁ ସର୍ବ ॥ ୧୩୬

ଯେଭାବେ ଭାବି ଅପ୍ରମାଦେ । ପ୍ରାଣୀ ପଶନ୍ତି କୃଷ୍ଣପାଦେ ॥ ୧୩୭

ଏଣୁ ଏ କୃଷ୍ଣାର୍ପିତ କର୍ମ । କଲେ ତୁଟଇ ଭବଭ୍ରମ ॥ ୧୩୮

ଆତ୍ମାରେ ଜ୍ଞାନ ପ୍ରକାଶଇ । ତ୍ରିତାପମାନ କ୍ଷୟ ଯାଇ ॥ ୧୩୯

ବ୍ୟାଧି ଉପୁଜେ ଯାର ଭୋଗେ । ସେ ଦ୍ରବ୍ୟେ ଚିକିତ୍ସା ନ ଲଭେ ॥ ୧୪୦

ଏଣୁ ଗୋବିନ୍ଦ-ରସ ତେଜି । ଯେବେ ବିଷୟ-ରସେ ମଜ୍ଜ ॥ ୧୪୧

ସେ କାହିଁ ତରିବ ସଂସାରେ । ପଡ଼ଇ ଘୋର ଅନ୍ଧକାରେ ॥ ୧୪୨

ଏ ଭବ ମଧ୍ୟେ ଦେହ ଧରି । ବିଷ୍ଣୁ ତୋଷଣେ କର୍ମ କରି ॥ ୧୪୩

ଭକତିଯୋଗ ଜାତ ହୋଇ । ଜ୍ଞାନ ଅଧୀନ ଯା ଅଟଇ ॥ ୧୪୪

ଯେବେ ସକଳକର୍ମ କରି । କୃଷ୍ଣ ଅର୍ପଣ ମନେ ଧରି ॥ ୧୪୫

ବିଷ୍ଣୁର ଯେତେ ଗୁଣଗ୍ରାମ । ଜଗତେ ଅଛି ଯେତେ ନାମ ॥ ୧୪୬

ମୁଖେ ଉଚ୍ଚାରି ମନେ ସ୍ମରି । ସେ ଭକ୍ତିଯୋଗେ ଅଧିକାରୀ ॥ ୧୪୭

ଅରୂପବ୍ରହ୍ମ ମନେ ସ୍ମରି । ଯେ ଚିନ୍ତେ ତାଙ୍କ ନାମ ଧରି ॥ ୧୪୮

ଶ୍ରୀବାସୁଦେବ ଯେ ପ୍ରଦ୍ୟୁମ୍ନ । ଯେ ଅନିରୁଦ୍ଧ ସଙ୍କର୍ଷଣ ॥ ୧୪୯

ମନ୍ତ୍ର ଉଚ୍ଚାରି ମୂର୍ତ୍ତି କରି । ପୂଜା କରନ୍ତି ଭକ୍ତି ଭରି ॥ ୧୫୦

ସେହୁ ନପଡ଼େ ମାୟା ମୋହେ । ଅନ୍ତେ ପଶଇ କୃଷ୍ଣଦେହେ ॥ ୧୫୧

ଏମନ୍ତେ ସାଧୁସଙ୍ଗ ଫଳେ । କୃଷ୍ଣଭକତି ଯୋଗବଳେ ॥ ୧୫୨

ଅଶେଷ ଦୁଃଖ ଦୂର ଗଲା । ସେ ହରି ମୋତେ ଜ୍ଞାନଦେଲା ॥ ୧୫୩

ଏବେ ହୋ ଶୁଣ ମୁନିବର । ହରିଚରଣେ ମନ ଧର ॥ ୧୫୪

କୃଷ୍ଣର ନାମଗୁଣ ଯେତେ । ପ୍ରାଣୀଙ୍କି କହ ଭାଗବତେ ॥ ୧୫୫

ଯେଣେ ପଣ୍ତିତଜନଙ୍କର । ଅବୋଧ-କର୍ମ ଯିବ ଦୂର ॥ ୧୫୬

ବିଷୟ-ବିଷେ ପ୍ରାଣୀ ମରେ । ଆତ୍ମାର ଗତି ନ ବିଚାରେ ॥ ୧୫୭

ସେ ଏବେ ଭାଗବତ ଶୁଣି । ତରିବେ ଭବ-ତରଙ୍ଗିଣୀ ॥ ୧୫୮

ଏମନ୍ତ ବ୍ୟାସ ଆଗେ କହି । ବୀଣାଶବଦେ କୃଷ୍ଣ ଗାଇ ॥ ୧୫୯

ସେ ମୁନିବର ପାଦଯୁଗେ । ସୁଜନେ ନମ ଅନୁରାଗେ ॥ ୧୬୦

ହୋଇବ ଭବବନ୍ଧ ନାଶ । କହଇ ଜଗନ୍ନାଥ ଦାସ ॥ ୧୬୧

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ପ୍ରଥମସ୍କନ୍ଧେ ବ୍ୟାସ-ନାରଦ ସମ୍ୱାଦେ ପଞ୍ଚମୋଽଧ୍ୟାୟଃ ।।

* * *