ପ୍ରଥମ ସ୍କନ୍ଧ
ଚତୁର୍ଥ ଅଧ୍ୟାୟ
ଏମନ୍ତେ ଭାଗବତବାଣୀ । ସୂତମୁନିଙ୍କ ମୁଖୁ ଶୁଣି ॥ ୧
ମୁନିଙ୍କ ମଧ୍ୟେ କର୍ମଶୁଦ୍ଧ । ଶୌନକ ନାମେ କୁଳବୃଦ୍ଧ ॥ ୨
ସର୍ବମୁନିଙ୍କ ଅବଧାନେ । ପୁଚ୍ଛନ୍ତି ମଧୁର-ବଚନେ ॥ ୩
ଶୌନକ ଉବାଚ
ହେ ସୂତ ତୁମ୍ଭେ ମହାଧୀର । ବକତାଜନ ମଧ୍ୟେ ବର ॥ ୪
ଗଙ୍ଗାର ତୀରେ ରାଜା ଆଗେ । ଶୁକ କହିଲେ ବ୍ରହ୍ମଭାଗେ ॥ ୫
ଏ ଭାଗବତଧର୍ମ କେବେ । ବ୍ୟାସ ରଚିଲେ କେଉଁ ଯୁଗେ ॥ ୬
ସେ କଥା କହ ଆମ୍ଭ ଆଗ । ତୁମ୍ଭେ ସେ ଅଟ ମହାଭାଗ ॥ ୭
କାହାର ବୋଲେ କାହିଁ ବସି । କି ଭାବେ କି ହେତୁ ଉେଦ୍ଦ୍ୟେଶି ॥ ୮
ଶୁକ ଯେ ତାହାଙ୍କ କୁମର । ସମଦରଶୀ ନିର୍ବିକାର ॥ ୯
ଏକାନ୍ତ-ମତି ରାତ୍ର ଦିନେ । କୃଷ୍ଣ-ମହିମା ଯାର ମନେ ॥ ୧୦
ନିର୍ମାୟା ମୂଢ଼ତା ପ୍ରତୀତି । ଲକ୍ଷି ନ ପାରେ କେହି ଗତି ॥ ୧୧
ଯାହାର ଆଗମନ କାଳେ । ଦେବକନ୍ୟାଏ ଥିଲେ ଜଳେ ॥ ୧୨
ସ୍ୱଭାବେ ନଗ୍ନ ତାଙ୍କୁ ଦେଖି । ଧାଇଁଲେ ଲଜ୍ଜାକୁ ଉପେକ୍ଷି ॥ ୧୩
ଦେଖିବା ଅର୍ଥେ ଜଳତଟେ । ମିଳିଲେ ମୁନିଙ୍କ ନିକଟେ ॥ ୧୪
ବ୍ୟାସଙ୍କୁ ତାଙ୍କ ପଛେ ଚାହିଁ । ଜଳେ ପଶିଲେ ବେଗେ ଯାଇ ॥ ୧୫
ସ୍ୱଭାବେ ସେ ସୁର-ଯୁବତୀ । ଜାଣନ୍ତି ସର୍ବପ୍ରାଣୀ ଗତି ॥ ୧୬
ଦେଖି କନ୍ୟାଙ୍କ ମୂଢ଼ଗତି । ଚଞ୍ଚଳ ବ୍ୟାସଙ୍କର ମତି ॥ ୧୭
ଏମନ୍ତେ କନ୍ୟାଗଣେ ଚାହିଁ । ବ୍ୟାସ କହନ୍ତି ଖେଦ ବହି ॥ ୧୮
ପୁଣି କ୍ଷଣକେ ପାଇ ଶାନ୍ତି । କନ୍ୟାଙ୍କୁ ଚାହିଁ ପଚାରନ୍ତି ॥ ୧୯
ଅଇଲ ମୋର ପୁତ୍ର ଚାହିଁ । କିମ୍ପା ପଶିଲ ଜଳେ ଯାଇ ॥ ୨୦
ଏ କିସ ତୁମ୍ଭର ବେଭାର । ସେ ଶୁକ ମୋହର କୁମର ॥ ୨୧
ତରୁଣ ବୟସ ତାହାର । ଏ ବୃଦ୍ଧ-ଶରୀର ମୋହର ॥ ୨୨
ବ୍ୟାସ-ବଚନେ ନାରୀଗଣେ । ତକ୍ଷଣେ ନମିଲେ ଚରଣେ ॥ ୨୩
ବୋଲନ୍ତି ବ୍ୟାସ ମୁଖ ଚାହିଁ । ସଂସାର ତାଙ୍କ ଦେହେ ନାହିଁ ॥ ୨୪
ତୁମ୍ଭେ ଯେ ବୋଲ ଆମ୍ଭେ ବୃଦ୍ଧ । ବିଷୟରସେ ଅଛି ସଧ ॥ ୨୫
ଏ ଘେନି ହୋଇଲୁ ଅନ୍ତର । ଆମ୍ଭର ଦୋଷ କ୍ଷମାକର ॥ ୨୬
ଏମନ୍ତେ ଗଲେ ନାରୀଗଣେ । ଶୁକ ରହିଲେ ସେହି ବନେ ॥ ୨୭
ସେ ଶୁକମୁନି କିସ କାର୍ଯ୍ୟେ । ପ୍ରବେଶ କଲେ କୁରୁରାଜ୍ୟେ ॥ ୨୮
ଉନ୍ମତ୍ତ ଜଡ଼ରୂପ ବହି । ତାହାଙ୍କୁ କେହି ନ ଜାଣଇ ॥ ୨୯
କେମନ୍ତେ ପରୀକ୍ଷିତ ମେଳେ । ମିଳିଲେ ଜାହ୍ନବୀର କୂଳେ ॥ ୩୦
ତହିଁ ଅନେକ ମୁନିମଧ୍ୟେ । ଏ ଭାଗବତର ସମ୍ବାଦେ ॥ ୩୧
ପ୍ରଜାଙ୍କ ଦ୍ୱାରେ ସାୟଂକାଳେ । ଯେ ନିତ୍ୟେ ଭିକ୍ଷାଅର୍ଥେ ମିଳେ ॥ ୩୨
ଗୋଦୋହ ମାତ୍ର ଦ୍ୱାରେ ରହି । ଗୃହୀଙ୍କି ତୀର୍ଥଫଳ ଦେଇ ॥ ୩୩
ସେ ମୁନି ପରୀକ୍ଷିତ ମେଳେ । ମିଳିଲେ ପୂର୍ବ-ପୁଣ୍ୟ-ଫଳେ ॥ ୩୪
ସେ ପୁଣି ଭାଗବତ-ଶାସ୍ତ୍ର । କହିଲେ ଏତ ଆଚମ୍ବିତ ॥ ୩୫
ସେ ଭାଗବତ ପରୀକ୍ଷିତ । ସ୍ୱଭାବେ ଅଭିମନ୍ୟୁ-ସୁତ ॥ ୩୬
ତାହାଙ୍କ ଜନ୍ମ-କର୍ମ ଯେତେ । କହିବା ଆମ୍ଭର ଅଗ୍ରତେ ॥ ୩୭
ଅଦ୍ଭୁତ ପ୍ରାୟ ତାହା ଶୁଣି । ତରିବୁ ଭବ-ତରଙ୍ଗିଣୀ ॥ ୩୮
ସେ ସର୍ବ-ରାଜାଙ୍କର ସାର । ପାଣ୍ତବବଂଶେ କୀର୍ତ୍ତିଧର ॥ ୩୯
ଏଡ଼େ ସମ୍ପଦ କରି ଦୂର । କିମ୍ପା ରହିଲେ ଗଙ୍ଗାତୀର ॥ ୪୦
ଶତ୍ରୁ ରାଜାଏ ଯାର ପାଦ । ନମନ୍ତି ଦେଇଣ ସମ୍ପଦ ॥ ୪୧
ଯୁବାବୟସେ ନରପତି । ତେଜିଣ ଅଚଳ ବିଭୂତି ॥ ୪୨
ଯେହୁ ଶରୀର ଏ ସଂସାରେ । ବହଇ ପର ଉପକାରେ ॥ ୪୩
ହରିଚରଣ ଚିନ୍ତି ଚିତ୍ତେ । ଯେ ରାଜା ବର୍ତ୍ତେ ଜନହିତେ ॥ ୪୪
ସେ କିମ୍ପା ଛାଡ଼ିଲେ ଜୀବନ । ଉପେକ୍ଷି ଗୃହ-ଦାରା-ଧନ ॥ ୪୫
କହ କାରଣ କିବା ଅର୍ଥେ । ସଂଶୟ ଛାଡ଼ିବ ଯେମନ୍ତେ ॥ ୪୬
ତୁମ୍ଭେ ସର୍ବଜ୍ଞ ନିର୍ବିକାର । କହ ସଂଶୟ ଯାଉ ଦୂର ॥ ୪୭
ଏମନ୍ତେ ଶୌନକ ବଚନେ । ସକଳ ପ୍ରଶ୍ନ ଅନୁମାନେ ॥ ୪୮
କହନ୍ତି ସୂତ ମହାଋଷି । ମୁନିଙ୍କ ପ୍ରଶ୍ନ ପରଶଂସି ॥ ୪୯
ସୂତ ଉବାଚ
ଶୁଣ ସକଳ ମୁନିଜନ । ଶ୍ରୀକୃଷ୍ଣ ଚରିତ ବିଧାନ ॥ ୫୦
ତ୍ରେତୟା ଯୁଗ ଭୋଗ ଅନ୍ତେ । ଦ୍ୱାପର ଯୁଗ ଉପଗତେ ॥ ୫୧
ବିଷ୍ଣୁର ଅଂଶେ ବ୍ୟାସମୁନି । ଜନ୍ମିଲେ ନରଦେହ ଘେନି ॥ ୫୨
ପରାଶରଙ୍କ ବୀର୍ଯ୍ୟେ ଜାତ । ଯୋଜନଗନ୍ଧା ଗର୍ଭଗତ ॥ ୫୩
ସେ ଏକଦିନେ ପ୍ରାତଃକାଳେ । ସ୍ନାହାନ ସାରି ଗଙ୍ଗାଜଳେ ॥ ୫୪
ଏକାନ୍ତେ ବଦରିକାଶ୍ରମେ । ବସିଣ ନିଶ୍ଚଳ ଆସନେ ॥ ୫୫
ପର ଅପର ଜ୍ଞାନ ଜାଣେ । ସକଳ-ଶାସ୍ତ୍ର ପରିମାଣେ ॥ ୫୬
ଯେ କାଳ ପୁରୁଷର ବଳେ । ଯୁଗେ ଉଡ଼ନ୍ତି ଅନ୍ତରାଳେ ॥ ୫୭
ତାହାକୁ ନ ଦେଖନ୍ତି କେହି । ବ୍ରହ୍ମା ମଧ୍ୟେ ଦେହ ବହି ॥ ୫୮
ପ୍ରାଣୀଙ୍କ ବଳ ନିତ୍ୟେ ହରେ । ଯୁଗ ସ୍ୱଭାବ ଅନୁସାରେ ॥ ୫୯
କଳି-ଆଗମେ ପ୍ରାଣିଙ୍କର । ଯେମନ୍ତ ହୋଇବ ବେଭାର ॥ ୬୦
ଶ୍ରଦ୍ଧା ଛାଡ଼ିବେ ଅତି ଦୂରେ । ଦୁର୍ବଳ ହୋଇବେ ଶରୀରେ ॥ ୬୧
ବୁଦ୍ଧି ହୋଇବ ଲୋଭେ ଗ୍ରାସ । ସ୍ୱଭାବେ ଅଳପ ଆୟୁଷ ॥ ୬୨
ଦୁର୍ଭଗା ହୋଇବେ ସକଳେ । ଏହା ଜାଣିଲେ ଯୋଗବଳେ ॥ ୬୩
ବ୍ରାହ୍ମଣ ଆଦି ଚାରିବର୍ଣ୍ଣେ । କଳି ବଞ୍ଚିବେ ଯେଉଁ ଧମେ ॥ ୬୪
ବେଦ ଉଚିତ ଶୁଦ୍ଧକର୍ମ । ଆଶ୍ରମେ ଭିନ୍ନ ଭିନ୍ନ ଧର୍ମ ॥ ୬୫
ଜୀବର ଶୁଦ୍ଧେ ଅର୍ଥ କରି । ଯେମନ୍ତେ ବିଷ୍ଣୁମାୟା ତରି ॥ ୬୬
ଧର୍ମ ସାଧିବେ ଯଜ୍ଞମତେ । ଏମନ୍ତ ଭାଳି ମୁନି ଚିତ୍ତେ ॥ ୬୭
ବେଦକୁ କଲେ ଚାରିଖଣ୍ତ । ମଧ୍ୟେ ଭିଆଇ କର୍ମକାଣ୍ତ ॥ ୬୮
ଋକ ଯଜୁ ସାମ ଅଥର୍ବ । ଏ ରୂପେ କରି ଭିନ୍ନଭାବ ॥ ୬୯
ପଞ୍ଚମ ବେଦ ଇତିହାସ । ବ୍ରହ୍ମ ପୁରାଣ ଅଷ୍ଟାଦଶ ॥ ୭୦
ପଇଲ ମୁନିଙ୍କି ଆଣିଲେ । ପ୍ରଥମବେଦ ପଢ଼ାଇଲେ ॥ ୭୧
ଜଇମିନିଙ୍କି ଦେଲେ ସାମ । ଯଜୁ ଯେ ବଇଶମ୍ପାୟନ ॥ ୭୨
ଅଙ୍ଗିରାମୁନି ଅଥର୍ବଣେ । ମୋ ପିତା ରୋମହରଷଣେ ॥ ୭୩
ପୁରାଣ ଅଷ୍ଟାଦଶ ଦେଲେ । ଏମନ୍ତେ କର୍ମ ସମ୍ପାଦିଲେ ॥ ୭୪
ସେ ଶିଷ୍ୟେ ବିଚାରି ନିଶ୍ଚଳେ । ବେଦ-ବୃକ୍ଷକୁ ଯୋଗବଳେ ॥ ୭୫
ଅନେକ ଶାଖା ଭିଆଇଲେ । ଶିଷ୍ୟେ ପ୍ରଶିଷ୍ୟେ ଶିଖାଇଲେ ॥ ୭୬
ଅଳପ ବୁଦ୍ଧି ନର ଯେତେ । ବେଦ ଧରିବେ ଦୃଢ଼ଚିତ୍ତେ ॥ ୭୭
ତେଣୁ ଏ ବେଦ ଭାଗ କଲେ । ଯେ ଯାହା ମତି ଅନୁସାରେ ॥ ୭୮
ସ୍ତ୍ରୀ-ଶୂଦ୍ରଜନ ଏ ଜଗତେ । ଯୋଗ୍ୟ ନୁହନ୍ତି ବେଦପଥେ ॥ ୭୯
ତାହାଙ୍କ ନିସ୍ତାରଣ ଅର୍ଥେ । ଉପାୟ ଚିନ୍ତି ଦୟାଚିତ୍ତେ ॥ ୮୦
ବୁଦ୍ଧି-ମନ୍ଥନେ ବେଦ ମନ୍ଥି । ଭାରତ ପଦବନ୍ଧେ ଗୁନ୍ଥି ॥ ୮୧
ବେଦୁ ଉଦ୍ଧାରି ସାରଅର୍ଥ । ସୃଜିଲେ ପୁରାଣ ଭାରତ ॥ ୮୨
ପ୍ରାଣୀଙ୍କୁ ନିସ୍ତାରିବା ଅର୍ଥେ । କାନନେ ମିଳିଲେ ନିଶ୍ଚିନ୍ତେ ॥ ୮୩
କଲେ ହେଁ ସର୍ବଧର୍ମ ଯେତେ । ତୋଷ ନୋହିଲେ ହୃଦ ଗତେ ॥ ୮୪
ଆଶ୍ରିତ ସରସ୍ୱତୀ କୂଳେ । ମନ ନ ରହଇ ନିଶ୍ଚଳେ ॥ ୮୫
ଯୋଗେ ନ ପାରି ଚିତ୍ତ ଧରି । ଚଞ୍ଚଳେ ଏମନ୍ତ ବିଚାରି ॥ ୮୬
ଅତି କଠୋରେ ବେଦ ଘେନି । ଗୁରୁ ଅନଳେ ଚିତ୍ତ ମାନି ॥ ୮୭
ଯେବା ଭାରତ କଲି ସାର । ସ୍ତ୍ରୀ-ଶୂଦ୍ରଜନଙ୍କ ନିସ୍ତାର ॥ ୮୮
ତେବେ ନିର୍ମଳ ନୋହେ ମନ । ଚିନ୍ତା ଅନଳେ ଛନ ଛନ ॥ ୮୯
ଏ ମନ ଧରିବି କେମନ୍ତେ । ନିଶ୍ଚଳ କରି ଜ୍ଞାନ ପଥେ ॥ ୯୦
ଯେତେ ଚିନ୍ତିଲି ବେଦଧର୍ମ । ବିଚାରେ ଏ ସେ ମାୟାଭ୍ରମ ॥ ୯୧
ଏ ମାୟା ତୁଟଇ ଯେମନ୍ତେ । ଶ୍ରୀକୃଷ୍ଣ-ଭକ୍ତି-ଯୋଗ ପଥେ ॥ ୯୨
କହିବି ଭାଗବତ ଧର୍ମ । ଯେଣେ ନ ଲାଗେ ମାୟାଭ୍ରମ ॥ ୯୩
ଏମନ୍ତ ହୃଦୟେ ବିଚାରି । ମନକୁ ନ ପାରନ୍ତି ଧରି ॥ ୯୪
ଏମନ୍ତ ସମୟେ ନାରଦ । ଆସନ୍ତେ ଶୁଭେ ବୀଣାନାଦ ॥ ୯୫
ତକ୍ଷଣେ ସରସ୍ୱତୀ ତଟେ । ମିଳିଲେ ବ୍ୟାସଙ୍କ ନିକଟେ ॥ ୯୬
ନାରଦ ଆଗମନ ଦେଖି । ତକ୍ଷଣେ ଆସନ ଉପେକ୍ଷି ॥ ୯୭
କେତେ ହେଁ ଦୂର ଆଗସରି । ନାରଦ କରେ କର ଧରି ॥ ୯୮
ବସାଇ ଉତ୍ତମ ଆସନେ । ପୂଜିଲେ ଅତିଥି ବିଧାନେ ॥ ୯୯
ସେ ବ୍ୟାସ-ନାରଦଙ୍କ ପାଦେ । ସୁଜନେ ପ୍ରଣମ ଆନନ୍ଦେ ॥ ୧୦୦
ଯାର ଚିନ୍ତନେ ପାପନାଶ । ନମଇଁ ଜଗନ୍ନାଥ ଦାସ ॥ ୧୦୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ଚତୁର୍ଥୋଽଧ୍ୟାୟଃ ।।
* * *