ପ୍ରଥମ ସ୍କନ୍ଧ
ତୃତୀୟ ଅଧ୍ୟାୟ
ସୂତ ଉବାଚ
ସୂତ କହନ୍ତି ଶୁଦ୍ଧ ଚିତ୍ତେ । ହରଷେ ମୁନିଙ୍କ ଅଗ୍ରତେ ॥ ୧
ଶୁଣ ସକଳ ମୁନିଜନେ । ହରିଚରିତ ସାବଧାନେ ॥ ୨
ସୃଷ୍ଟିର କାଳେ ସେ ମୁରାରି । ମହାପୁରୁଷ ରୂପ ଧରି ॥ ୩
ମହତ ଆଦି ଅଙ୍ଗେ ମିଶି । ବିରାଟ ରୂପେ ବ୍ରହ୍ମରାଶି ॥ ୪
କଳା ବହଇ ଷଡ଼ଦଶ । ଅନାଦି-ପରମ-ପୁରୁଷ ॥ ୫
ବୁଦ୍ଧି ଚେତନା ଅହଙ୍କାର । ମନ ଅନ୍ତରୀକ୍ଷ ସମୀର ॥ ୬
ଅନଳ ଜଳ ବସୁମତୀ । ବୁଦ୍ଧି ଇନ୍ଦ୍ରିୟ ଯାହା ଚିନ୍ତି ॥ ୭
ଜୀବ ପରମ ଏ ଷୋଡ଼ଶ । ଏ ଆଦି ସୃଷ୍ଟି ଉପଦେଶ ॥ ୮
ସେ ସୃଷ୍ଟିସର୍ଗ ଇଚ୍ଛା କରି । ଜଳେ ଯୋଗନିଦ୍ରା ବିସ୍ତାରି ॥ ୯
ତା ନାଭିକମଳୁ କମଳ । ପ୍ରକାଶି ଆଚ୍ଛାଦିଲା ଜଳ ॥ ୧୦
ବ୍ରହ୍ମା ହୋଇଲା ତହୁଁ ଜାତ । ଯେ ପ୍ରଜାପତିଙ୍କର ନାଥ ॥ ୧୧
ତାର ଶରୀରୁ ସୃଷ୍ଟ ଲୋକ । ବିସ୍ତାର ହୋଇଲା ଅନେକ ॥ ୧୨
ସେ ଶୁଦ୍ଧ ସତ୍ତ୍ଵ ବିଷ୍ଣୁ ରୂପ । ଯାହା ଭିଆଣ ମାୟାକଳ୍ପ ॥ ୧୩
ଜ୍ଞାନଚକ୍ଷୁର ଦ୍ୱାରେ ଭରି । ଯେ ରୂପ ଦେଖେ ବ୍ରହ୍ମଚାରୀ ॥ ୧୪
ସହସ୍ର ପାଦ ଉରୁ ଭୁଜ । ଶିର ବଦନ ନାସା ତେଜ ॥ ୧୫
ସହସ୍ର ଲୋଚନ ଶ୍ରବଣ । ବସନ କୁଳ ଭୂଷଣ ॥ ୧୬
ମଣି କଙ୍କଣ ଝଟକନ୍ତି । ଦିଶଇ ଅତି ରୂପ କାନ୍ତି ॥ ୧୭
ଏ ସୃଷ୍ଟି ମଧ୍ୟେ ମାୟାଧର । କରଇ ଯେତେ ଅବତାର ॥ ୧୮
ତାହାଙ୍କ ମୂଳବୀଜ ଏହି । ଜଗତେ ବ୍ରହ୍ମା ସେ ବୋଲାଇ ॥ ୧୯
ଯାହାର ଅଂଶାଅଂଶ ବଳେ । ଗଗନ ପୃଥିବୀ ପାତାଳେ ॥ ୨୦
ଦେବ ମନୁଷ୍ୟ ପଶୁ ଆଦି । ନିଗମ ଗୋଚରେ ସମ୍ପାଦି ॥ ୨୧
ପ୍ରଥମେ କୁମାର ରୂପେ ସେ । ସୃଷ୍ଟି ଉଦୟ ଉପଦେଶେ ॥ ୨୨
ଦୁସ୍ତର ବ୍ରହ୍ମଚର୍ଯ୍ୟବ୍ରତେ । ତପ ସାଧିଲା ଦୃଢ଼ଚିତ୍ତେ ॥ ୨୩
ଦ୍ୱିତୀୟେ ସୃଷ୍ଟିର ଆଗମେ । ସାଧିଲା ଯଜ୍ଞେଶ୍ୱର ନାମେ ॥ ୨୪
ପୂର୍ବ ପ୍ରଳୟକାଳ ବେଳେ । ମହୀ ଯେ ଥିଲା ରସାତଳେ ॥ ୨୫
ତାର ଉଦ୍ଧାରେ ନରହରି । ତକ୍ଷଣେ କୋଳରୂପ ଧରି ॥ ୨୬
ଉଦ୍ଧରି ଜଳେ ବସାଇଲା । ବରାହକଳ୍ପ ବୋଲାଇଲା ॥ ୨୭
ତୃତୀୟେ ଋଷିସର୍ଗେ ହରି । ନାରଦ ମୁନି ରୂପ ଧରି ॥ ୨୮
କୃଷ୍ଣଭକତ ଜନହିତ । ନିଷ୍କାମ ଶାସ୍ତ୍ର କଲେ ଉକ୍ତ ॥ ୨୯
ଚତୁର୍ଥେ ଜନ୍ମ ଧର୍ମକଳା । ଦେବ ଉଦ୍ଦେଶ୍ୟେ କର୍ମ କଲା ॥ ୩୦
ସେ ରୂପ ନର ନାରାୟଣ । ସୃଜିଲେ ଧର୍ମ ଆଚରଣ ॥ ୩୧
ତପ ସାଧିଲେ ଦୃଢ଼ଚିତ୍ତେ । ସୃଷ୍ଟିକଳ୍ପନା ଅଭିମତେ ॥ ୩୨
ପଞ୍ଚମେ ସିଦ୍ଧ ଅବତାରେ । ଜନ୍ମିଲେ କର୍ଦ୍ଦମର ଘରେ ॥ ୩୩
ନାମେ ସେ କପିଳ ବୋଲାଇ । ପିତାମାତାଙ୍କୁ ଜ୍ଞାନ କହି ॥ ୩୪
ଷଷ୍ଠେ ସେ ଅତ୍ରିପୁତ୍ର ହୋଇ । ଅନସୂୟାଙ୍କ ମାତା ପାଇ ॥ ୩୫
ପ୍ରହ୍ଲାଦ ଆଦି ଦୈତ୍ୟଗଣେ । ଜ୍ଞାନ କହିଲେ ଜଣେ ଜଣେ ॥ ୩୬
ସପ୍ତମସର୍ଗେ ନରହରି । ଆକୂତି ଗର୍ଭେ ଅବତରି ॥ ୩୭
ଅନେକ ଜ୍ଞାନଶାସ୍ତ୍ର କଲେ । ସ୍ୱାୟମ୍ବୁ ମନ୍ୱନ୍ତ୍ର ପାଳିଲେ ॥ ୩୮
ଅଷ୍ଟମେ ନାଭିଗୃହେ ଜାତ । ଋଷଭ ମେରୁଦେବୀ ସୁତ ॥ ୩୯
ଅତି କଠୋର ତପ କଲେ । ଜ୍ଞାନୀଙ୍କି ପଥ ଦେଖାଇଲେ ॥ ୪୦
ନବମେ ପୃଥୁ ରୂପ ଧରି । ବଳେ ଦୁହିଁଲେ ବସୁନ୍ଧରୀ ॥ ୪୧
କ୍ଷୀରେ ଧରଣୀ କଲେ ସମ । ନାମ ବହିଲେ ଉଶମ ॥ ୪୨
ଦଶମେ ମତ୍ସ୍ୟରୂପ ହୋଇ । ନାବ ପ୍ରଳୟ ଜଳେ ବାହି ॥ ୪୩
ପ୍ରଳୟ ଜଳେ ବିହରିଲେ । ରବିର ବଂଶକୁ ରଖିଲେ ॥ ୪୪
ଏକାଦଶରେ ଚକ୍ରଧର । ଯେ ରୂପେ ଜନ ଉପକାର ॥ ୪୫
ଇନ୍ଦ୍ରର ଅର୍ଥେ ଦେବାସୁରେ । କ୍ଷୀରସମୁଦ୍ର ମନ୍ଥିବାରେ ॥ ୪୬
କପଟେ କୂର୍ମ ରୂପ ହୋଇ । ମନ୍ଦରଗିରି ପୃଷ୍ଠେ ବହି ॥ ୪୭
ଦ୍ୱାଦଶସର୍ଗେ ବିଶ୍ୱକଳ୍ପେ । ଜନ୍ମିଲେ ଧନ୍ୱନ୍ତରୀ ରୂପେ ॥ ୪୮
ଅମୃତ କ୍ଷୀରାର୍ଣ୍ଣବୁ ଆଣି । ଦେବଙ୍କୁ ପିଆଇଲେ ପୁଣି ॥ ୪୯
ମୋହିନୀ ରୂପେ ତ୍ରୟୋଦଶେ । ଶଙ୍କର ମୋହେ କାମବଶେ ॥ ୫୦
ଚତୁରଦଶେ ସିଂହବପୁ । ବିଦାରେ ହିରଣ୍ୟକଶିପୁ ॥ ୫୧
ବାମନ ରୂପେ ଚତୁର୍ଦ୍ଦଶେ । ବଳିକି ଛଳିଲେ ବିଶ୍ୱାସେ ॥ ୫୨
ଷୋଡ଼ଶ ଅବତାରେ ହରି । ପରଶୁରାମ ରୂପ ଧରି ॥ ୫୩
ପିତାବଧରେ ଅହଙ୍କାରେ । ଧରଣୀ ଏକବିଂଶ ବାରେ ॥ ୫୪
ଭ୍ରମିଲେ ମହାକୋପାନଳେ । ରାଜାଙ୍କୁ ଧରି ବାହୁବଳେ ॥ ୫୫
ଦୁଷ୍ଟକ୍ଷତ୍ରିୟ କାଟି ମୁଣ୍ତ । ରୁଧିରେ ପୂର୍ଣ୍ଣକରି କୁଣ୍ତ ॥ ୫୬
ତର୍ପଣ କଲେ ପିତୃଗଣେ । ତପେ ରହିଲେ ଘୋରବନେ ॥ ୫୭
ସପତଦଶେ ଦେବ କାର୍ଯ୍ୟେ । ଜନ୍ମିଲେ ପରାଶର ବୀର୍ଯ୍ୟେ ॥ ୫୮
ନିଗମ ବୃକ୍ଷ ଥିଲା ଏକା । ବିଚାରି କଲେ ଶତେଶାଖା ॥ ୫୯
ପ୍ରାଣୀଙ୍କି ଦେଖି ଅଳ୍ପବୁଦ୍ଧି । ଯେ ଧର୍ମ ସଂସାରେ ପ୍ରସିଦ୍ଧି ॥ ୬୦
ସେ ପୁଣି ଦିବାକର-ବଂଶେ । ଶ୍ରୀରାମଚନ୍ଦ୍ର ଅଷ୍ଟାଦଶେ ॥ ୬୧
ଜଳଧି ବାନ୍ଧି ସୀତା ଛଳେ । ଲଙ୍କା ଧ୍ୱଂସିଲେ ଭୁଜବଳେ ॥ ୬୨
ରାବଣ ମାରି ଦେବରାଜ । ଭଲେ ସମ୍ପାଦି ଦେବ କାର୍ଯ୍ୟ ॥ ୬୩
ଊନବିଂଶତି ରୂପେ ହରି । ଯାଦବବଂଶେ ଅବତରି ॥ ୬୪
କୃଷ୍ଣ ସ୍ୱରୂପେ ରାମ ତୁଲେ । ଅବନୀ ଭାରା ଉଶ୍ୱାସିଲେ ॥ ୬୫
କଳି ଆଗମେ ଭାବଗ୍ରାହୀ । ପାଷା-ଜନ-ମନ ମୋହି ॥ ୬୬
ବୁଦ୍ଧ ସ୍ୱରୂପ ଅବତାରେ । ଜନ୍ମିବେ କୀକଟ ନଗରେ ॥ ୬୭
ଜ୍ଞାନ ଉଦ୍ଦେଶ୍ୟେ ଭଗବାନ । ମୋହିବେ ଅସୁରଙ୍କ ମନ ॥ ୬୮
ଏମନ୍ତେ ଜନ୍ମ ଏକବିଂଶ । ସୁଜନ ହିତେ ହୃଷୀକେଶ ॥ ୬୯
ସେ ପୁଣି କଳିଯୁଗ ଅନ୍ତେ । ରାଜାଙ୍କୁ ଦେଖିବେ ଜଗତେ ॥ ୭୦
ନିର୍ଦ୍ଦୟ-ହୃଦେ ପ୍ରଜାମାରି । ଧନ ଜୀବନ ନ୍ୟନ୍ତି ହରି ॥ ୭୧
ସେ କାଳେ ବିଷ୍ଣୁଯଶା ଘରେ । ଜନ୍ମିବେ କଳ୍କି-ଅବତାରେ ॥ ୭୨
ମନହୁଁ ବେଗ ବଳବନ୍ତ । ଅଶ୍ୱ ଆରୋହି ଜଗନ୍ନାଥ ॥ ୭୩
ସୁନନ୍ଦ-ଖଡ୍ଗ କରେ ଧରି । ଦୁଷ୍ଟରାଜାଙ୍କୁ ବେଗେ ମାରି ॥ ୭୪
ଅଳପ ରାଜା-ଜନ-ଦେଶ । ଦୟାରେ କରିଣ ଆଶ୍ୱାସ ॥ ୭୫
ସେ ସତ୍ୟନିଧି ମାୟାଧର । ଅଶେଷ କରେ ଅବତାର ॥ ୭୬
ଯଥା ଜୀମୂତ ବୃଷ୍ଟି ଜଳେ । ସହସ୍ର ନଦୀ ମହୀତଳେ ॥ ୭୭
ଋଷି ଦେବତା ମନୁରାଜା । ଯେ ମନୁ ପୁତ୍ରେ ମହାତେଜା ॥ ୭୮
ଏ ଆଦି ଯେତେ ପ୍ରଜାପତି । କୃଷ୍ଣର ଅଂଶେ ଜାତ ହୋନ୍ତି ॥ ୭୯
କେ ଅଂଶ କେବା କଳା ହୋଇ । ବିଭୂତି ଗୁଣେ କେ ଜନ୍ମଇ ॥ ୮୦
ସକଳ ଅବତାର ସାର । କି ଅବା ଦେବା ପଟାନ୍ତର ॥ ୮୧
ନୀଳ ଜୀମୂତ ଚକ୍ରଧର । ସ୍ୱୟଂ ଶ୍ରୀକୃଷ୍ଣ ଅବତାର ॥ ୮୨
ଏମନ୍ତେ ନାନାରୂପ ଧରି । ସଂସାରେ ରମେ ନରହରି ॥ ୮୩
ଦୁଷ୍ଟର ତେଜ ତେଜେ ହରି । ସଂସାରେ ଖେଳଇ ମୁରାରି ॥ ୮୪
କୃଷ୍ଣର ଜନ୍ମ-କର୍ମ ବାଣୀ । ଯେ ଏହା କର୍ଣ୍ଣପଥେ ଶୁଣି ॥ ୮୫
ରାତ୍ର ଦିବସ ମଧ୍ୟେ ଯେବେ । କାଳ ବଞ୍ଚଇ କୃଷ୍ଣଭାବେ ॥ ୮୬
ସେ ଦୁଃଖ-ସଙ୍କଟୁ ତରନ୍ତି । ଜନ୍ମ ମରଣେ ନାହିଁ ଭ୍ରାନ୍ତି ॥ ୮୭
ଏମନ୍ତେ ନାନାରୂପ ଯେତେ । ବିଷ୍ଣୁ ଧରନ୍ତି ଏ ଜଗତେ ॥ ୮୮
ସ୍ୱଭାବେ ରୂପ ଯାର ନାହିଁ । ନିର୍ଲେପ ନିରଞ୍ଜନ ସେହି ॥ ୮୯
ମାୟାର ଗୁଣେ ବିରଚିତ । ମହତ ଆଦିରୁ ସମ୍ଭୂତ ॥ ୯୦
ଯେମନ୍ତେ ମେଘ ଶୂନ୍ୟେ ଥାନ୍ତି । ପବନ ବଳେ ସେ ଉଡ଼ନ୍ତି ॥ ୯୧
ପାର୍ଥିବ ରେଣୁଏ ଯେମନ୍ତେ । ଉଡ଼ନ୍ତି ପବନ ବିଘାତେ ॥ ୯୨
ଆକାଶ ଧୂସର ଦିଶଇ । ନାନା ବର୍ଣ୍ଣରେ ଆଭାସଇ ॥ ୯୩
ତାହାକୁ ଦୃଷ୍ଟିଭେଦେ ଦେଖି । ଯେ ସତ୍ୟ ପ୍ରାୟେ ଉପଲକ୍ଷି ॥ ୯୪
ସେ ରୂପେ ଆତ୍ମାରେ ଶରୀର । କଳ୍ପନା କରନ୍ତି ଯେ ନର ॥ ୯୫
ତାହାଙ୍କୁ ବୋଲି ଜ୍ଞାନହୀନ । ଏବେ ହୋ ମୁନିଗଣେ ଶୁଣ ॥ ୯୬
ସ୍ୱଭାବେ ଦୃଶ୍ୟବସ୍ତୁ ନୋହେ । ଗୁଣ ଆବୋରି ଦେହ ବହେ ॥ ୯୭
ଏଣୁ ସେ ଜୀବ ରୂପ ବହି । ଜନ୍ମ-ମରଣ ପଥେ ଥାଇ ॥ ୯୮
ସମ ଅସମ ରୂପ ଯେତେ । ସମ୍ଭବେ ବିଷ୍ଣୁ-ମାୟା-ଗ୍ରସ୍ତେ ॥ ୯୯
ଆତ୍ମାରେ କଳ୍ପିତ ଈଶ୍ୱର । ଏ ତତ୍ତ୍ଵେ ବ୍ରହ୍ମର ବିଚାର ॥ ୧୦୦
ମାୟା ମିଶ୍ରିତ ମତି ଯେବେ । ନିରସ୍ତ ହୋଇ ଜ୍ଞାନ ଭାବେ ॥ ୧୦୧
ତେବେ ଆତ୍ମାରେ ଆତ୍ମା ଦେଖି । ନିର୍ମଳ ମହିମା ନିରେଖି ॥ ୧୦୨
ଏ ମାୟା ଈଶ୍ୱରୁ ପ୍ରକାଶ । ଯେବେ ସେ ହୁଅଇ ବିନାଶ ॥ ୧୦୩
ପରମାନନ୍ଦ ରୂପେ ଚିତ୍ତ । ତେବେ ସେ ହୁଅଇ ଭାବିତ ॥ ୧୦୪
ତହୁଁ ସମ୍ପନ୍ନ ବ୍ରହ୍ମଜ୍ଞାନ । ଜାଣଇ ତତ୍ତ୍ଵ ଜ୍ଞାନୀଜନ ॥ ୧୦୫
ଏମନ୍ତେ ଜନ୍ମକର୍ମ ଯେତେ । ବିଚାର କରି ବେଦପଥେ ॥ ୧୦୬
ବୋଲନ୍ତି ଯେତେ ମୁନିଜନେ । ଏ ତ ନ ଘଟେ ଅନୁମାନେ ॥ ୧୦୭
ସ୍ୱଭାବେ ଯାର ଜନ୍ମ ନାହିଁ । ବିଚାର କରିବ ତା କେହି ॥ ୧୦୮
ଅମୋଘ-ଲୀଳା ନରହରି । ଆତ୍ମାରେ ବିଶ୍ୱମାୟା କରି ॥ ୧୦୯
ବ୍ରହ୍ମା ସୃଜଇ ପାଳଇ । ଅନ୍ତେ ଆପଣେ ସଂହାରଇ ॥ ୧୧୦
ପ୍ରାଣୀଙ୍କ ମଧ୍ୟେ ଆତ୍ମତନ୍ତ୍ରେ । ଷଡ଼୍ ବର୍ଗେ ଭୋଗ କରେ ନିତ୍ୟେ ॥ ୧୧୧
ଏଣୁ ଈଶ୍ୱର ସେ ବୋଲାଇ । କିବା ଉପମା ଦେବି ମୁହିଁ ॥ ୧୧୨
ଈଶ୍ୱର-ଲୀଳା-କର୍ମ ଯେତେ । କେ ଜାଣି ପାରେ ତର୍କମତେ ॥ ୧୧୩
ଏହାର ଅଛି ଯେତେ ନାମ । ସ୍ୱଭାବେ ଯେତେ ଗୁଣଗ୍ରାମ ॥ ୧୧୪
ଅଜ୍ଞାନେ କେ ଜାଣିବ ତାହା । ଦୁରଧିଗମ୍ୟ ବିଷ୍ଣୁ ମାୟା ॥ ୧୧୫
ନଟ ଯେସନେ ମାୟା କରି । ମୋହଇ କୁହୁକ ବିସ୍ତାରି ॥ ୧୧୬
ସେ ଚକ୍ର ପାଣିର ଚରିତ । କେ ଜାଣି ପାରେ ତ୍ରିଜଗତ ॥ ୧୧୭
ଏ କାଳଚକ୍ର ଯାର ହସ୍ତେ । କେ ଯାଇ ପାରେ ତାର ପଥେ ॥ ୧୧୮
ସେ ହରି ପାଦପଦ୍ମଗନ୍ଧ । ଯେ ନିତ୍ୟେ ପିବେ ମକରନ୍ଦ ॥ ୧୧୯
ଧନ୍ୟ ଜୀବନ ତାହାଙ୍କର । ଯେ ହରିଚରଣେ କିଙ୍କର ॥ ୧୨୦
ସର୍ବ ଆତ୍ମାକୁ ଆତ୍ମଭାବେ । ଭଜନ୍ତି ନିତ୍ୟେ ବାସୁଦେବେ ॥ ୧୨୧
ଏମନ୍ତ ଭାବେ ଯେ ଭଜଇ । ଏ ମାୟା ତାକୁ ନ ଲାଗଇ ॥ ୧୨୨
ଏ ଯେ ପୁରାଣ ଭାଗବତ । ନିର୍ମଳପଦ ବ୍ରହ୍ମତତ୍ତ୍ଵ ॥ ୧୨୩
କୃଷ୍ଣଚରିତ ପରଶଂସି । ପ୍ରକାଶ କଲେ ବ୍ରହ୍ମଋଷି ॥ ୧୨୪
ଜୀବର ମୋକ୍ଷଫଳ ଅର୍ଥେ । ଧନ୍ୟ ମଙ୍ଗଳ ଏ ଜଗତେ ॥ ୧୨୫
ସର୍ବ-ନିଗମ ଇତିହାସେ । ସାର ଉଦ୍ଧାରି ମନତୋଷେ ॥ ୧୨୬
ଆତ୍ମଜ୍ଞାନୀଙ୍କ ମଧ୍ୟେ ବର । ଯେ ଶୁକରୂପେ ଅବତାର ॥ ୧୨୭
ତାହାଙ୍କୁ ଭାଗବତ ଦୀକ୍ଷା । ଦେଇ କହିଲେ ଆତ୍ମଶିକ୍ଷା ॥ ୧୨୮
ସେ ପୁଣି ପରୀକ୍ଷିତ ଆଗେ । କହିଲେ ଆତ୍ମ-ଅନୁରାଗେ ॥ ୧୨୯
ବ୍ରାହ୍ମଣ ଶାପେ ସେ ବିକଳେ । ନିବାସ କରି ଗଙ୍ଗାକୂଳେ ॥ ୧୩୦
ପରମ-ଋଷି ମେଳେ ଥାଇ । କୃଷ୍ଣଚରଣେ ମନ ଦେଇ ॥ ୧୩୧
ଏ ଭାଗବତ-ରସ ଶୁଣି । ତରିଲା ଭବ-ତରଙ୍ଗିଣୀ ॥ ୧୩୨
ଶ୍ରୀକୃଷ୍ଣ ଗଲେ ନିଜଧାମ । ସଙ୍ଗତେ ଘେନି ଜ୍ଞାନ ଧର୍ମ ॥ ୧୩୩
ଏ କଳିଯୁଗେ ଯେତେ ନରେ । ପଡ଼ିବେ ମାୟା ଅନ୍ଧକାରେ ॥ ୧୩୪
ତାହାଙ୍କୁ ତପନ ଉଦିତ । ହୋଇବ ଭାବେ ଭାଗବତ ॥ ୧୩୫
ରାଜା ସଙ୍ଗତେ ଗଙ୍ଗାତଟେ । ଅନେକ ଋଷିଙ୍କ ନିକଟେ ॥ ୧୩୬
ଏ ଭାଗବତ ତତ୍ତ୍ଵବାଣୀ । ଶୁକମୁନିଙ୍କ ମୁଖୁ ଶୁଣି ॥ ୧୩୭
ଜାଣିଲି ଶୁକ ଅନୁରାଗେ । ଏବେ କହିବା ତୁମ୍ଭ ଆଗେ ॥ ୧୩୮
ଏ ଭାବେ ଚିନ୍ତି ନରହରି । ଘୋର ସଂସାରୁ ଯିବା ତରି ॥ ୧୩୯
ବୋଲଇ ଦାସ ଜଗନ୍ନାଥ । ସୁଜନ-ହିତେ ଭାଗବତ ॥ ୧୪୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ତୃତୀୟୋଽଧ୍ୟାୟଃ ।।
* * *