ପ୍ରଥମ ସ୍କନ୍ଧ

ଦ୍ୱିତୀୟ ଅଧ୍ୟାୟ

ସୂତ ଉବାଚ

ମୁନିଙ୍କ ପ୍ରଶ୍ନ କର୍ଣ୍ଣେ ଶୁଣି । ହରଷମନେ ମନେ ଗୁଣି ॥

ଗୁରୁଙ୍କୁ ମନେ ମନେ ଧ୍ୟାୟି । ପରମ-ପ୍ରୀତି-ବାକ୍ୟେ ଗାଇ ॥

ଜୀବର ହିତେ କୃତକୃତ୍ୟ । ହସି କହନ୍ତି ମୁନି ସୂତ ॥

ଯେ ଶୁକ ଏକାନ୍ତ ଗମନ । କରିଣ ଦେହ କଲେ ଶୂନ୍ୟ ॥

ପୁତ୍ରର ସ୍ନେହ ମନେ ଧରି । ବ୍ୟାସ ଡାକନ୍ତି ଉଚ୍ଚକରି ॥

ପିତାର ସ୍ନେହ ରକ୍ଷା ଅର୍ଥେ । ଉତ୍ତର ଦେଲେ ବୃକ୍ଷ ପଥେ ॥

ତାହାଙ୍କୁ ମୋର ନମସ୍କାର । ଯେ ହୃଦ ସର୍ବ ପ୍ରାଣୀଙ୍କର ॥

ଜୀବର ପରିତ୍ରାଣ ଅର୍ଥେ । କରୁଣା ବହି ଯେହୁ ଚିତ୍ତେ ॥

ଅଖିଳ-ବେଦର ଯେ ସାର । ଯେ ଅନୁଭବ ଆପଣାର ॥

କହିଲେ ପୁରାଣର ସାର । ତାହାଙ୍କୁ ମୋର ନମସ୍କାର ॥ ୧୦

ବାଣୀ ନର ଯେ ନାରାୟଣ । ଯେ ଗ୍ରନ୍ଥ ସଂସାର-ତାରଣ ॥ ୧୧

ଉଦିତ କଲେ ଏ ସଂସାରେ । ନମଇଁ ତାହାଙ୍କ ପୟରେ ॥ ୧୨

ଏମନ୍ତେ ନମସ୍କାର କରି । କହନ୍ତି ମନେ ମୋଦ ଭରି ॥ ୧୩

ଶୁଣ ସକଳ ମୁନିଜନ । ସାଧୁ ଏ ତୁମ୍ଭର ବଚନ ॥ ୧୪

ପରମ-ମଙ୍ଗଳ ଏ ବାଣୀ । ଜୀବ ନିସ୍ତରେ ଯାହା ଶୁଣି ॥ ୧୫

ପରମଧର୍ମ ଏ ଜଗତେ । କୃଷ୍ଣ ଭକତି ଯେଉଁ ମତେ ॥ ୧୬

ଫଳର ଆଶା ଯହିଁ ନାହିଁ । ବିଘ୍ନ ପଶିବ ଅବା କାହିଁ ॥ ୧୭

ଯେ ଭକ୍ତିବଳେ ଏ ସଂସାର । ନୁହଇ ପୁଣ ଏ ଜୀବର ॥ ୧୮

ଭକତି କଲେ ଜ୍ଞାନ ହୋଏ । ଜୀବ ନ ପଡ଼େ ମାୟାମୋହେ ॥ ୧୯

କୃଷ୍ଣଚରିତ ଶୁଣି ଯେବେ । ଭକ୍ତି ନ ଜନ୍ମେ ମୂଢ଼ଭାବେ ॥ ୨୦

କେବଳ ଶ୍ରମ ତାହାଙ୍କର । କାହୁଁ ତରିବେ ତମଘୋର ॥ ୨୧

ଅର୍ଥସଞ୍ଚିତ ଯେତେ ନର । କେବଳ ଦୁଃଖ ତାହାଙ୍କର ॥ ୨୨

ଅର୍ଥେ ନ ପାଇ ଧର୍ମ ମୋକ୍ଷ । ସେ କାମ ଲୋଭଟି ପ୍ରତ୍ୟକ୍ଷ ॥ ୨୩

ଇନ୍ଦ୍ରିୟ ଅର୍ଥେ ପ୍ରିୟ ଯେତେ । ଲୋଭେ ଭ୍ରମର କାମ ଅର୍ଥେ ॥ ୨୪

ଯାବତ ଜୀବନ ଧରଇ । କାମ ଲୋଭରେ ସୁଖ କାହିଁ ॥ ୨୫

ଜୀବର ତତ୍ତ୍ଵ ଜାଣିବାରେ । କେ ଜ୍ଞାନୀ ଅଛି ଏ ସଂସାରେ ॥ ୨୬

ତତ୍ତ୍ଵ ବିଚାରି ଜ୍ଞାନୀ ଯେତେ । ଜ୍ଞାନ କହନ୍ତି ଏ ଜଗତେ ॥ ୨୭

କେହୁ କହନ୍ତି ବ୍ରହ୍ମତତ୍ତ୍ଵ । କେ ଅବା ବୋଲେ ପରମାର୍ଥ ॥ ୨୮

କେହୁ ବୋଲନ୍ତି ଭଗବାନ । ନିର୍ମଳରସ ଗୋପ୍ୟ-ଜ୍ଞାନ ॥ ୨୯

ସେବୋଲେ ଶ୍ରଦ୍ଧା ଯେ କରନ୍ତି । ଜ୍ଞାନବୈରାଗ୍ୟ ଆଚରନ୍ତି ॥ ୩୦

କରନ୍ତି ବିଷ୍ଣୁରେ ଭକତି । ଆତ୍ମାରେ ଆତ୍ମାକୁ ଦେଖନ୍ତି ॥ ୩୧

ହରି ଚରଣେ ଭକ୍ତିଜାତ । ଅଜ୍ଞାନେ ନ ଜାଣେ ଜଗତ ॥ ୩୨

ଏଣୁ ଏ ଅଖିଳ ଜଗତେ । ଅଛନ୍ତି ବର୍ଣ୍ଣାଶ୍ରମୀ ଯେତେ ॥ ୩୩

ସ୍ୱଭାବ ଧର୍ମ ଆଚରଣେ । ଭକ୍ତି ଉପୁଜେ ନାରାୟଣେ ॥ ୩୪

ତେଣୁ ସନ୍ତୋଷ କୃଷ୍ଣ ହୋଇ । ପ୍ରାଣୀଙ୍କି ଚଉବର୍ଗ ଦେଇ ॥ ୩୫

ଏ ଘେନି ହୋଇ ଏକମନ । ଭାବେ ତୋଷିବ ଭଗବାନ ॥ ୩୬

ଶ୍ରୀକୃଷ୍ଣ ଜନ୍ମ କର୍ମ ଯେତେ । ନିତ୍ୟେ ଶୁଣିବ କର୍ଣ୍ଣପଥେ ॥ ୩୭

ନିର୍ମଳ କରି ଦୃଢ଼ମନ । ନିରତେ କରିବ କୀର୍ତ୍ତନ ॥ ୩୮

ଧ୍ୟାନେ ଚିନ୍ତିବ କୃଷ୍ଣରୂପେ । ପୂଜା କରିବ ସୂକ୍ଷ୍ମକଳ୍ପେ ॥ ୩୯

ଏ ଭାବେ ଭକ୍ତିଯୋଗ ବଢ଼େ । କର୍ମ-ବନ୍ଧନ-ଗ୍ରନ୍ଥି ଛିଡ଼େ ॥ ୪୦

ଏଣୁ ଜଗତେ ଜ୍ଞାନୀ ଯେତେ । କୃଷ୍ଣ ନ ଭଜିବେ କେମନ୍ତେ ॥ ୪୧

କୃଷ୍ଣକଥାରେ ରତି ଯାର । ସେ ପ୍ରାଣୀ ଭବ ମଧ୍ୟେ ସାର ॥ ୪୨

ହରିଚରଣେ ଯାର ଶ୍ରଦ୍ଧା । ତାକୁ ନ ଲାଗେ ଭବବାଧା ॥ ୪୩

ସେପୁଣ୍ୟେ ସାଧୁସଙ୍ଗ ମିଳେ । ପୁଣ୍ୟତୀର୍ଥକୁ ଆଶ୍ରେ କଲେ ॥ ୪୪

ଭକତ ସେଙ୍ଗ ଯେବେ ମିଶେ । ତେବେ ସେ ହରିରସେ ରସେ ॥ ୪୫

କୃଷ୍ଣର କଥା ଯେ ଶୁଣନ୍ତି । ବଦନେ ମହିମା ଗୁଣନ୍ତି ॥ ୪୬

ତାହାଙ୍କ ହୃଦେ ହରି ବସେ । ସକଳ କଳ୍ମଷ ବିନାଶେ ॥ ୪୭

ସେ ପୁଣ୍ୟ-ଶ୍ରବଣ-କୀର୍ତ୍ତନ । ବେଦେ କହନ୍ତି ମୁନିଜନ ॥ ୪୮

ସାଧୁଜନଙ୍କ ମିତ୍ର ହରି । ଏଣୁ ଭକତକୁ ଆବୋରି ॥ ୪୯

ହେଳେ ତାରଇ ଭବସିନ୍ଧୁ । ଯେଣୁ ଭକତଜନବନ୍ଧୁ ॥ ୫୦

ଭକତଜନ ସେବା ଫଳେ । ଦହନ ହୋନ୍ତି ଅମଙ୍ଗଳେ ॥ ୫୧

ତେଣୁ ସେ ଗୋବିନ୍ଦ ବିଷୟେ । ଭକ୍ତି ଉପୁଜେ ନରଦେହେ ॥ ୫୨

ସ୍ୱଭାବେ ରଜ ତମ ଦୁଇ । କାମାଦି ଯେତେ ରିପୁ ଥାଇ ॥ ୫୩

ଚିତ୍ତୁ ବାହାର ହୋଇଯାନ୍ତି । ସାତ୍ତ୍ଵିକଗୁଣ ଆବୋରନ୍ତି ॥ ୫୪

ଏହି ପ୍ରକାରେ ଯେବେ ମନ । ହୋଇବ ନିର୍ମଳ ପ୍ରସନ୍ନ ॥ ୫୫

ତେବେ ସେ ଭକ୍ତିଯୋଗ ବଳେ । କୃଷ୍ଣଭକତ ସଙ୍ଗମେଳେ ॥ ୫୬

ନିର୍ମଳ ଜ୍ଞାନ ପ୍ରକାଶଇ । ଜନ୍ମ ମରଣ ଆଉ କାହିଁ ॥ ୫୭

ଅଶେଷ-କର୍ମ-ଗଣ୍ଠି-ଛନ୍ଦ । ଏଣେ ଛିଡ଼ଇ ସର୍ବଦ୍ୱନ୍ଦ୍ୱ ॥ ୫୮

ସର୍ବ ସଂଶୟ ତୁଲେ କର୍ମ । ତୁଟଇ ବିଶ୍ୱମାୟାଭ୍ରମ ॥ ୫୯

ଆତ୍ମାରେ ଆତ୍ମାକୁ ଦେଖନ୍ତି । ଜନ୍ମ ମରଣେ ନାହିଁ ଭ୍ରାନ୍ତି ॥ ୬୦

ଏଣୁ ପଣ୍ତିତଜନ ଯେତେ । ଆନନ୍ଦେ ଭକ୍ତିଯୋଗ ମତେ ॥ ୬୧

ହରି ବିଷୟ ଦୃଢ଼ଚିତ୍ତେ । ନିତ୍ୟେ ଭଜନ୍ତି ଆତ୍ମା ହିତେ ॥ ୬୨

ବିଷ୍ଣୁର ମାୟାରୁ ସମ୍ଭୂତ । ଆଦି ପ୍ରକୃତି ଜନମାତ ॥ ୬୩

ଯେ ସତ୍ତ୍ଵ-ରଜ-ତମ ଗୁଣ । ସୃଷ୍ଟି ପାଳନ ସଂହାରଣ ॥ ୬୪

ଅନାଦି-ପରମ-ପୁରୁଷ । ଏ ତିନିଗୁଣେ ସେ ପ୍ରକାଶ ॥ ୬୫

ସୃଷ୍ଟି ଉଦୟେ ବ୍ରହ୍ମା ହୋଇ । ପାଳନେ ବିଷ୍ଣୁ ସେ ବୋଲାଇ ॥ ୬୬

ସଂହାର କାଳେ ରୁଦ୍ର ରୂପେ । ସୁଖେ ବିହରେ ମୋହକଳ୍ପେ ॥ ୬୭

ସେ ଶୁଦ୍ଧସତ୍ତ୍ଵ ବିଷ୍ଣୁଦେହେ । ଜନ୍ତୁଙ୍କ ଶ୍ରେୟ ଗୁଣ ବହେ ॥ ୬୮

କାଷ୍ଠ ସଂଯୋଗେ ଧୂମ ଜାତ । ଧୂମରୁ ଅନଳ ସମ୍ଭୂତ ॥ ୬୯

ତୃତୀୟ ଅଙ୍ଗାର ପ୍ରମାଣ । ତାମସ ରଜ ସତ୍ତ୍ଵ ଗୁଣ ॥ ୭୦

ଏ ଭାବେ ବ୍ରହ୍ମ ପରିମାଣି । ଭବସାଗର ତରେ ପ୍ରାଣୀ ॥ ୭୧

ନିର୍ମଳଚେତା ମୁନି ଯେତେ । ବିଚାର କରି ଆତ୍ମାହିତେ ॥ ୭୨

ବିଷ୍ଣୁଙ୍କୁ ସତ୍ତ୍ଵଗୁଣେ ଜାଣି । ଭଜିଲେ ମୋକ୍ଷ ପରିମାଣି ॥ ୭୩

ତାମସ ରଜଗୁଣେ ଯେତେ । ଯେ ଭୂତପତି ଏ ଜଗତେ ॥ ୭୪

ସ୍ୱଭାବେ ଘୋର ଭୟଙ୍କର । ଏଣୁ ନ ଭଜେ ସାଧୁନର ॥ ୭୫

ଅହିଂସା ଶାନ୍ତିଗୁଣେ ଥାନ୍ତି । ହରି ଚରିତ ଚିତ୍ତେ ଚିନ୍ତି ॥ ୭୬

ଧନ ସମ୍ପଦେ ଯାର ଇଚ୍ଛା । ସେ କରେ ଭୂତପ୍ରେତ ଦୀକ୍ଷା ॥ ୭୭

ସଂସାରେ ଦେବଯଜ୍ଞ ଯେତେ । ଯୋଗସାଧନ କ୍ରିୟାମତେ ॥ ୭୮

ପରମଜ୍ଞାନ ତପ ଆଦି । କଠୋର ଯେତେ ଧର୍ମ ସାଧି ॥ ୭୯

ଏ ସର୍ବଗତି ନାରାୟଣ । ଏବେ ହୋ ମୁନିଗଣେ ଶୁଣ ॥ ୮୦

ଏ ସର୍ବବିଧି ଧର୍ମ ଯେତେ । କରିବ ବିଷ୍ଣୁ ପ୍ରୀତି ଅର୍ଥେ ॥ ୮୧

ଏ ତିନିଗୁଣେ ନାରାୟଣ । ସୃଷ୍ଟି ପାଳନ ସଂହାରଣ ॥ ୮୨

ଏମନ୍ତେ ବିଶ୍ୱରୂପ ଧରେ । ମାୟାସଂସାରେ ସେ ବିହରେ ॥ ୮୩

ସ୍ୱଭାବେ ନିର୍ଗୁଣ ମୁରାରି । ଖେଳଇ ତ୍ରିଗୁଣ ଆବୋରି ॥ ୮୪

ସକଳ ଜୀବ ମଧ୍ୟେ ଥାଇ । ଅଜ୍ଞାନେ ଜୀବ ନ ଜାଣଇ ॥ ୮୫

ଅଶେଷ ମହିମା ଯେ ଧରେ । କିବା ଉପମା ଦେବା ତାରେ ॥ ୮୬

ସେ ହରି-ଚରଣ-ପଙ୍କଜ । ସୁଜନଜନ ନିତ୍ୟେ ଭଜ ॥ ୮୭

କହଇ ଦାସ ଜଗନ୍ନାଥ । ଗୀତ-ପ୍ରବନ୍ଧେ ଭାଗବତ ॥ ୮୮

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ଦ୍ୱିତୀୟୋଽଧ୍ୟାୟଃ ।।

* * *