ପ୍ରଥମ ସ୍କନ୍ଧ
ଦ୍ୱିତୀୟ ଅଧ୍ୟାୟ
ସୂତ ଉବାଚ
ମୁନିଙ୍କ ପ୍ରଶ୍ନ କର୍ଣ୍ଣେ ଶୁଣି । ହରଷମନେ ମନେ ଗୁଣି ॥ ୧
ଗୁରୁଙ୍କୁ ମନେ ମନେ ଧ୍ୟାୟି । ପରମ-ପ୍ରୀତି-ବାକ୍ୟେ ଗାଇ ॥ ୨
ଜୀବର ହିତେ କୃତକୃତ୍ୟ । ହସି କହନ୍ତି ମୁନି ସୂତ ॥ ୩
ଯେ ଶୁକ ଏକାନ୍ତ ଗମନ । କରିଣ ଦେହ କଲେ ଶୂନ୍ୟ ॥ ୪
ପୁତ୍ରର ସ୍ନେହ ମନେ ଧରି । ବ୍ୟାସ ଡାକନ୍ତି ଉଚ୍ଚକରି ॥ ୫
ପିତାର ସ୍ନେହ ରକ୍ଷା ଅର୍ଥେ । ଉତ୍ତର ଦେଲେ ବୃକ୍ଷ ପଥେ ॥ ୬
ତାହାଙ୍କୁ ମୋର ନମସ୍କାର । ଯେ ହୃଦ ସର୍ବ ପ୍ରାଣୀଙ୍କର ॥ ୭
ଜୀବର ପରିତ୍ରାଣ ଅର୍ଥେ । କରୁଣା ବହି ଯେହୁ ଚିତ୍ତେ ॥ ୮
ଅଖିଳ-ବେଦର ଯେ ସାର । ଯେ ଅନୁଭବ ଆପଣାର ॥ ୯
କହିଲେ ପୁରାଣର ସାର । ତାହାଙ୍କୁ ମୋର ନମସ୍କାର ॥ ୧୦
ବାଣୀ ନର ଯେ ନାରାୟଣ । ଯେ ଗ୍ରନ୍ଥ ସଂସାର-ତାରଣ ॥ ୧୧
ଉଦିତ କଲେ ଏ ସଂସାରେ । ନମଇଁ ତାହାଙ୍କ ପୟରେ ॥ ୧୨
ଏମନ୍ତେ ନମସ୍କାର କରି । କହନ୍ତି ମନେ ମୋଦ ଭରି ॥ ୧୩
ଶୁଣ ସକଳ ମୁନିଜନ । ସାଧୁ ଏ ତୁମ୍ଭର ବଚନ ॥ ୧୪
ପରମ-ମଙ୍ଗଳ ଏ ବାଣୀ । ଜୀବ ନିସ୍ତରେ ଯାହା ଶୁଣି ॥ ୧୫
ପରମଧର୍ମ ଏ ଜଗତେ । କୃଷ୍ଣ ଭକତି ଯେଉଁ ମତେ ॥ ୧୬
ଫଳର ଆଶା ଯହିଁ ନାହିଁ । ବିଘ୍ନ ପଶିବ ଅବା କାହିଁ ॥ ୧୭
ଯେ ଭକ୍ତିବଳେ ଏ ସଂସାର । ନୁହଇ ପୁଣ ଏ ଜୀବର ॥ ୧୮
ଭକତି କଲେ ଜ୍ଞାନ ହୋଏ । ଜୀବ ନ ପଡ଼େ ମାୟାମୋହେ ॥ ୧୯
କୃଷ୍ଣଚରିତ ଶୁଣି ଯେବେ । ଭକ୍ତି ନ ଜନ୍ମେ ମୂଢ଼ଭାବେ ॥ ୨୦
କେବଳ ଶ୍ରମ ତାହାଙ୍କର । କାହୁଁ ତରିବେ ତମଘୋର ॥ ୨୧
ଅର୍ଥସଞ୍ଚିତ ଯେତେ ନର । କେବଳ ଦୁଃଖ ତାହାଙ୍କର ॥ ୨୨
ଅର୍ଥେ ନ ପାଇ ଧର୍ମ ମୋକ୍ଷ । ସେ କାମ ଲୋଭଟି ପ୍ରତ୍ୟକ୍ଷ ॥ ୨୩
ଇନ୍ଦ୍ରିୟ ଅର୍ଥେ ପ୍ରିୟ ଯେତେ । ଲୋଭେ ଭ୍ରମର କାମ ଅର୍ଥେ ॥ ୨୪
ଯାବତ ଜୀବନ ଧରଇ । କାମ ଲୋଭରେ ସୁଖ କାହିଁ ॥ ୨୫
ଜୀବର ତତ୍ତ୍ଵ ଜାଣିବାରେ । କେ ଜ୍ଞାନୀ ଅଛି ଏ ସଂସାରେ ॥ ୨୬
ତତ୍ତ୍ଵ ବିଚାରି ଜ୍ଞାନୀ ଯେତେ । ଜ୍ଞାନ କହନ୍ତି ଏ ଜଗତେ ॥ ୨୭
କେହୁ କହନ୍ତି ବ୍ରହ୍ମତତ୍ତ୍ଵ । କେ ଅବା ବୋଲେ ପରମାର୍ଥ ॥ ୨୮
କେହୁ ବୋଲନ୍ତି ଭଗବାନ । ନିର୍ମଳରସ ଗୋପ୍ୟ-ଜ୍ଞାନ ॥ ୨୯
ସେବୋଲେ ଶ୍ରଦ୍ଧା ଯେ କରନ୍ତି । ଜ୍ଞାନବୈରାଗ୍ୟ ଆଚରନ୍ତି ॥ ୩୦
କରନ୍ତି ବିଷ୍ଣୁରେ ଭକତି । ଆତ୍ମାରେ ଆତ୍ମାକୁ ଦେଖନ୍ତି ॥ ୩୧
ହରି ଚରଣେ ଭକ୍ତିଜାତ । ଅଜ୍ଞାନେ ନ ଜାଣେ ଜଗତ ॥ ୩୨
ଏଣୁ ଏ ଅଖିଳ ଜଗତେ । ଅଛନ୍ତି ବର୍ଣ୍ଣାଶ୍ରମୀ ଯେତେ ॥ ୩୩
ସ୍ୱଭାବ ଧର୍ମ ଆଚରଣେ । ଭକ୍ତି ଉପୁଜେ ନାରାୟଣେ ॥ ୩୪
ତେଣୁ ସନ୍ତୋଷ କୃଷ୍ଣ ହୋଇ । ପ୍ରାଣୀଙ୍କି ଚଉବର୍ଗ ଦେଇ ॥ ୩୫
ଏ ଘେନି ହୋଇ ଏକମନ । ଭାବେ ତୋଷିବ ଭଗବାନ ॥ ୩୬
ଶ୍ରୀକୃଷ୍ଣ ଜନ୍ମ କର୍ମ ଯେତେ । ନିତ୍ୟେ ଶୁଣିବ କର୍ଣ୍ଣପଥେ ॥ ୩୭
ନିର୍ମଳ କରି ଦୃଢ଼ମନ । ନିରତେ କରିବ କୀର୍ତ୍ତନ ॥ ୩୮
ଧ୍ୟାନେ ଚିନ୍ତିବ କୃଷ୍ଣରୂପେ । ପୂଜା କରିବ ସୂକ୍ଷ୍ମକଳ୍ପେ ॥ ୩୯
ଏ ଭାବେ ଭକ୍ତିଯୋଗ ବଢ଼େ । କର୍ମ-ବନ୍ଧନ-ଗ୍ରନ୍ଥି ଛିଡ଼େ ॥ ୪୦
ଏଣୁ ଜଗତେ ଜ୍ଞାନୀ ଯେତେ । କୃଷ୍ଣ ନ ଭଜିବେ କେମନ୍ତେ ॥ ୪୧
କୃଷ୍ଣକଥାରେ ରତି ଯାର । ସେ ପ୍ରାଣୀ ଭବ ମଧ୍ୟେ ସାର ॥ ୪୨
ହରିଚରଣେ ଯାର ଶ୍ରଦ୍ଧା । ତାକୁ ନ ଲାଗେ ଭବବାଧା ॥ ୪୩
ସେପୁଣ୍ୟେ ସାଧୁସଙ୍ଗ ମିଳେ । ପୁଣ୍ୟତୀର୍ଥକୁ ଆଶ୍ରେ କଲେ ॥ ୪୪
ଭକତ ସେଙ୍ଗ ଯେବେ ମିଶେ । ତେବେ ସେ ହରିରସେ ରସେ ॥ ୪୫
କୃଷ୍ଣର କଥା ଯେ ଶୁଣନ୍ତି । ବଦନେ ମହିମା ଗୁଣନ୍ତି ॥ ୪୬
ତାହାଙ୍କ ହୃଦେ ହରି ବସେ । ସକଳ କଳ୍ମଷ ବିନାଶେ ॥ ୪୭
ସେ ପୁଣ୍ୟ-ଶ୍ରବଣ-କୀର୍ତ୍ତନ । ବେଦେ କହନ୍ତି ମୁନିଜନ ॥ ୪୮
ସାଧୁଜନଙ୍କ ମିତ୍ର ହରି । ଏଣୁ ଭକତକୁ ଆବୋରି ॥ ୪୯
ହେଳେ ତାରଇ ଭବସିନ୍ଧୁ । ଯେଣୁ ଭକତଜନବନ୍ଧୁ ॥ ୫୦
ଭକତଜନ ସେବା ଫଳେ । ଦହନ ହୋନ୍ତି ଅମଙ୍ଗଳେ ॥ ୫୧
ତେଣୁ ସେ ଗୋବିନ୍ଦ ବିଷୟେ । ଭକ୍ତି ଉପୁଜେ ନରଦେହେ ॥ ୫୨
ସ୍ୱଭାବେ ରଜ ତମ ଦୁଇ । କାମାଦି ଯେତେ ରିପୁ ଥାଇ ॥ ୫୩
ଚିତ୍ତୁ ବାହାର ହୋଇଯାନ୍ତି । ସାତ୍ତ୍ଵିକଗୁଣ ଆବୋରନ୍ତି ॥ ୫୪
ଏହି ପ୍ରକାରେ ଯେବେ ମନ । ହୋଇବ ନିର୍ମଳ ପ୍ରସନ୍ନ ॥ ୫୫
ତେବେ ସେ ଭକ୍ତିଯୋଗ ବଳେ । କୃଷ୍ଣଭକତ ସଙ୍ଗମେଳେ ॥ ୫୬
ନିର୍ମଳ ଜ୍ଞାନ ପ୍ରକାଶଇ । ଜନ୍ମ ମରଣ ଆଉ କାହିଁ ॥ ୫୭
ଅଶେଷ-କର୍ମ-ଗଣ୍ଠି-ଛନ୍ଦ । ଏଣେ ଛିଡ଼ଇ ସର୍ବଦ୍ୱନ୍ଦ୍ୱ ॥ ୫୮
ସର୍ବ ସଂଶୟ ତୁଲେ କର୍ମ । ତୁଟଇ ବିଶ୍ୱମାୟାଭ୍ରମ ॥ ୫୯
ଆତ୍ମାରେ ଆତ୍ମାକୁ ଦେଖନ୍ତି । ଜନ୍ମ ମରଣେ ନାହିଁ ଭ୍ରାନ୍ତି ॥ ୬୦
ଏଣୁ ପଣ୍ତିତଜନ ଯେତେ । ଆନନ୍ଦେ ଭକ୍ତିଯୋଗ ମତେ ॥ ୬୧
ହରି ବିଷୟ ଦୃଢ଼ଚିତ୍ତେ । ନିତ୍ୟେ ଭଜନ୍ତି ଆତ୍ମା ହିତେ ॥ ୬୨
ବିଷ୍ଣୁର ମାୟାରୁ ସମ୍ଭୂତ । ଆଦି ପ୍ରକୃତି ଜନମାତ ॥ ୬୩
ଯେ ସତ୍ତ୍ଵ-ରଜ-ତମ ଗୁଣ । ସୃଷ୍ଟି ପାଳନ ସଂହାରଣ ॥ ୬୪
ଅନାଦି-ପରମ-ପୁରୁଷ । ଏ ତିନିଗୁଣେ ସେ ପ୍ରକାଶ ॥ ୬୫
ସୃଷ୍ଟି ଉଦୟେ ବ୍ରହ୍ମା ହୋଇ । ପାଳନେ ବିଷ୍ଣୁ ସେ ବୋଲାଇ ॥ ୬୬
ସଂହାର କାଳେ ରୁଦ୍ର ରୂପେ । ସୁଖେ ବିହରେ ମୋହକଳ୍ପେ ॥ ୬୭
ସେ ଶୁଦ୍ଧସତ୍ତ୍ଵ ବିଷ୍ଣୁଦେହେ । ଜନ୍ତୁଙ୍କ ଶ୍ରେୟ ଗୁଣ ବହେ ॥ ୬୮
କାଷ୍ଠ ସଂଯୋଗେ ଧୂମ ଜାତ । ଧୂମରୁ ଅନଳ ସମ୍ଭୂତ ॥ ୬୯
ତୃତୀୟ ଅଙ୍ଗାର ପ୍ରମାଣ । ତାମସ ରଜ ସତ୍ତ୍ଵ ଗୁଣ ॥ ୭୦
ଏ ଭାବେ ବ୍ରହ୍ମ ପରିମାଣି । ଭବସାଗର ତରେ ପ୍ରାଣୀ ॥ ୭୧
ନିର୍ମଳଚେତା ମୁନି ଯେତେ । ବିଚାର କରି ଆତ୍ମାହିତେ ॥ ୭୨
ବିଷ୍ଣୁଙ୍କୁ ସତ୍ତ୍ଵଗୁଣେ ଜାଣି । ଭଜିଲେ ମୋକ୍ଷ ପରିମାଣି ॥ ୭୩
ତାମସ ରଜଗୁଣେ ଯେତେ । ଯେ ଭୂତପତି ଏ ଜଗତେ ॥ ୭୪
ସ୍ୱଭାବେ ଘୋର ଭୟଙ୍କର । ଏଣୁ ନ ଭଜେ ସାଧୁନର ॥ ୭୫
ଅହିଂସା ଶାନ୍ତିଗୁଣେ ଥାନ୍ତି । ହରି ଚରିତ ଚିତ୍ତେ ଚିନ୍ତି ॥ ୭୬
ଧନ ସମ୍ପଦେ ଯାର ଇଚ୍ଛା । ସେ କରେ ଭୂତପ୍ରେତ ଦୀକ୍ଷା ॥ ୭୭
ସଂସାରେ ଦେବଯଜ୍ଞ ଯେତେ । ଯୋଗସାଧନ କ୍ରିୟାମତେ ॥ ୭୮
ପରମଜ୍ଞାନ ତପ ଆଦି । କଠୋର ଯେତେ ଧର୍ମ ସାଧି ॥ ୭୯
ଏ ସର୍ବଗତି ନାରାୟଣ । ଏବେ ହୋ ମୁନିଗଣେ ଶୁଣ ॥ ୮୦
ଏ ସର୍ବବିଧି ଧର୍ମ ଯେତେ । କରିବ ବିଷ୍ଣୁ ପ୍ରୀତି ଅର୍ଥେ ॥ ୮୧
ଏ ତିନିଗୁଣେ ନାରାୟଣ । ସୃଷ୍ଟି ପାଳନ ସଂହାରଣ ॥ ୮୨
ଏମନ୍ତେ ବିଶ୍ୱରୂପ ଧରେ । ମାୟାସଂସାରେ ସେ ବିହରେ ॥ ୮୩
ସ୍ୱଭାବେ ନିର୍ଗୁଣ ମୁରାରି । ଖେଳଇ ତ୍ରିଗୁଣ ଆବୋରି ॥ ୮୪
ସକଳ ଜୀବ ମଧ୍ୟେ ଥାଇ । ଅଜ୍ଞାନେ ଜୀବ ନ ଜାଣଇ ॥ ୮୫
ଅଶେଷ ମହିମା ଯେ ଧରେ । କିବା ଉପମା ଦେବା ତାରେ ॥ ୮୬
ସେ ହରି-ଚରଣ-ପଙ୍କଜ । ସୁଜନଜନ ନିତ୍ୟେ ଭଜ ॥ ୮୭
କହଇ ଦାସ ଜଗନ୍ନାଥ । ଗୀତ-ପ୍ରବନ୍ଧେ ଭାଗବତ ॥ ୮୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ଦ୍ୱିତୀୟୋଽଧ୍ୟାୟଃ ।।
* * *