ପ୍ରଥମ ସ୍କନ୍ଧ

ପ୍ରଥମ ଅଧ୍ୟାୟ

ଓଁ ନମୋ ଭଗବତେ ବାସୁଦେବାୟ ।

ବାଗୀଶା ଯସ୍ୟ ବଦନେ ଲକ୍ଷ୍ମୀର୍ଯସ୍ୟ ଚ ବକ୍ଷସି ।

ଯସ୍ୟାସ୍ତେ ହୃଦୟେ ସମ୍ବିତ୍ ତଂ ନୃସିଂହମହଂ ଭଜେ ।।

ବିଶ୍ୱସର୍ଗବିସର୍ଗାଦିନବଲକ୍ଷଣଲକ୍ଷିତମ୍

ଶ୍ରୀକୃଷ୍ଣାଖ୍ୟଂ ପରଂଧାମ ଜଗଦ୍ଧାମ ନମାମି ତ‌ତ୍ ।।

ମାଧବୋ ମାଧବାବୀଶୌ ସର୍ବସିଦ୍ଧିବିଧାୟିନୌ ।

ବନ୍ଦେ ପରସ୍ପରାତ୍ମାନୌ ପରସ୍ପରନତିପ୍ରିୟୌ ।।

ମୂକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘ‌ୟତେ ଗିରିମ୍ ।

ଯତ୍ କୃପା ତମ‌ହଂ ବନ୍ଦେ ପରମାନନ୍ଦମାଧବମ୍ ।।

ଯଂ ବ୍ରହ୍ମାବରୁଣେନ୍ଦ୍ରରୁଦ୍ରମରୁତଃ ସ୍ତୁନ୍ୱନ୍ତି ଦିବ୍ୟୈଃ ସ୍ତବୈ ।

ର୍ବେଦୈଃ ସାଙ୍ଗପଦକ୍ରମୋପନିଷଦୈ ର୍ଗାୟନ୍ତି ଯଂ ସାମଗାଃ ।

ଧ୍ୟାନାବସ୍ଥିତ‌ତଦ୍‌ଗତେନ ମନସା ପଶ୍ୟନ୍ତି ଯଂ ଯୋଗିନୋ

ଯସ୍ୟାନ୍ତଂ ନ ବିଦୁଃ ସୁରାସୁରଗଣା ଦେବାୟ ତସ୍ମୈ ନମଃ ।।

ନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମ‌ମ୍ ।

ଦେବୀଂ ସ‌ରସ୍ୱତୀଂ ବ୍ୟାସଂ ତ‌ତୋ ଜୟମୁଦୀରୟେତ୍ ।।

ଜନ୍ମାଦ୍ୟସ୍ୟ ଯତୋଽନ୍ୱୟାଦିତରତଶ୍ଚାର୍ଥେଷ୍ୱଭିଜ୍ଞଃ ସ୍ୱରାଟ୍

ତେନେ ବ୍ରହ୍ମହୃଦା ଯ ଆଦିକବୟୋ ମୁହ୍ୟନ୍ତି ଯତ୍ ସୁରୟଃ ।

ତେଜୋ ବାରିମୃଦାଂ ଯଥା ବିନିମୟୋ ଯତ୍ର ତ୍ରିସର୍ଗୋଽମୃଷା

ଧାମ୍ନା ସ୍ୱେନ ସଦା ନିରସ୍ତକୁ‌ହକଂ ସତ୍ୟଂ ପରଂ ଧୀମହି ।।

ଧର୍ମଃ ପ୍ରୋଜ୍‌ଝିତକୈତବୋଽତ୍ର ପରମୋ ନିର୍ମତ୍ସରାଣାଂ ସତାଂ

ବେଦ୍ୟଂ ବାସ୍ତବମତ୍ର ବସ୍ତୁ ଶିବଦଂ ତାପତ୍ରୟୋନ୍ମୂଳନ‌ମ୍ ।

ଶ୍ରୀମଦ୍‌ଭାଗବତେ ମହାମୁନିକୃତେ କିମ୍ୱା ପରୈରୀଶ୍ୱରଃ

ସଦ୍ୟୋ ହୃଦ୍ୟବରୁଧ୍ୟତେଽତ୍ର କୃତିଭିଃ ଶୁଶ୍ରୂଷୁଭିସ୍ତ‌ତ୍‌କ୍ଷଣାତ୍ ।।

ନିଗମକଳ୍ପତରୋର୍ଗଳିତଂ ଫଳଂ ଶୁକମୁଖାଦମୃତଦ୍ରବସଂଯୁତମ୍ ।

ପିବତ ଭାଗବତଂ ରସମାଳୟଂ ମୁହୁରହୋ ରସିକା ଭୁବି ଭାବୁକାଃ ।।

**

ଶ୍ରୀ ଗଣେଶାୟ ନମଃ

ନମଇଁ ନୃସିଂହ ଚରଣ । ଅନାଦି ପରମକାରଣ ॥

ଯା ବିନୁ ଆଦି ମଧ୍ୟ ଅନ୍ତ । ବିଚାରେ ନ ଘଟେ ଜଗତ ॥

ଇନ୍ଦ୍ରିୟ ଅର୍ଥ ଯେ ଜାଣଇ । ସ୍ୱତେଜେ ନିତ୍ୟ ପ୍ରକାଶଇ ॥

ଆନନ୍ଦମନେ ବେଦସାର । ବ୍ରହ୍ମାଣ୍ଡେ ଯେ କଲା ବିସ୍ତାର ॥

ଯାର ସ୍ୱରୂପ ହୃଦେ ଚିନ୍ତି । ବେଦପୁରୁଷେ ନ ଜାଣନ୍ତି ॥

ମୃତ୍ତିକା ବିକାର ଯେମନ୍ତ । ଜଳରେ ହୁଅଇ କଳ୍ପିତ ॥

ଜଳେ ଉପଳ ବୁଦ୍ଧି କରି । ମୃଗତୃଷ୍ଣାରେ ଯେହ୍ନେ ବାରି ॥

ରୂପ ଅରୂପ ସ୍ଥିତି ତିନି । ଯାର ଗୋଚରେ ଅନୁମାନି ॥

ସ୍ୱଭାବେ ନୋହେ ସେ ଏମନ୍ତ । ଏ ସାଂଖ୍ୟଯୋଗୀଙ୍କର ମତ ॥

ଆତ୍ମ ପ୍ରକାଶେ ସଦା ଥାଇ । ନିରସ୍ତ କୁହକ ବୋଲାଇ ॥ ୧୦

ସତ୍ୟପରମାନନ୍ଦ ହରି । ଯାହାର ଭାବେ ଭବୁ ତରି ॥ ୧୧

ଏମନ୍ତେ ସତ୍ୟ ରୂପ ଯାର । ତା ପାଦେ ମୋର ନମସ୍କାର ॥ ୧୨

ତାର ଚରଣେ ନିତ୍ୟେ ଧ୍ୟାନ । କରି ତରନ୍ତି ସର୍ବଜନ ॥ ୧୩

ସେ କୃଷ୍ଣପାଦ ହୃଦେ ଧରି । ପ୍ରବନ୍ଧେ ଗୀତନାଦ କରି ॥ ୧୪

ଅଶେଷ ଜଗତର ହିତେ । ବର୍ଣ୍ଣଇ ଦାସ ଜଗନ୍ନାଥେ ॥ ୧୫

ନିର୍ମଳ ମୁନିଙ୍କର ମତେ । ହରି-ଚରିତ ଭାଗବତେ ॥ ୧୬

କହିବି ଅଛି ଯେତେ ଗୁଣ । ସୁଜନେ ସାବଧାନେ ଶୁଣ ॥ ୧୭

ନାହିଁ ତାହାଙ୍କ ଅହଙ୍କାର । ସହିଷ୍ଣୁ ଭୂତେ ଦୟାପର ॥ ୧୮

କପଟ ଧର୍ମ ଯାର ନାହିଁ । ସ୍ୱଭାବେ ସନ୍ଥ ସେ ବୋଲାଇ ॥ ୧୯

ସେ ସାଧୁଜନଙ୍କର ଧର୍ମ । ମାୟାବର୍ଜିତ ଶୁଦ୍ଧକର୍ମ ॥ ୨୦

ତାଙ୍କ ବିଚାରେ ଧର୍ମ ଯେତେ । ଶୁଣ କହିବା ଦୃଢ଼ଚିତ୍ତେ ॥ ୨୧

ଲକ୍ଷ୍ୟ ଅଲକ୍ଷ୍ୟ ଯେତେ ପ୍ରାଣୀ । ବୋଧ ବିଚାରେ ପରିମାଣି ॥ ୨୨

ସେ ଧର୍ମ ଯହିଁ ଅନୁମାନି । ଏଣେ ସଂସାରେ ଯେତେ ଜ୍ଞାନୀ ॥ ୨୩

ସେ ବସ୍ତୁ ଅଛି ଯହିଁ ପୂରି । ଯାହା ଚିନ୍ତନ୍ତି ବ୍ରହ୍ମଚାରୀ ॥ ୨୪

ଶ୍ରବଣ ମାତ୍ରେ ମୋକ୍ଷ ପାଇ । ତାପତ୍ରିତୟ କ୍ଷୟ ଯାଇ ॥ ୨୫

ହୃଦୟେ ବସଇ ତକ୍ଷଣ । ଅନାଦି ପ୍ରଭୁ ନାରାୟଣ ॥ ୨୬

ଏଣୁ ଅଧିକ ଅନ୍ୟ ଗ୍ରନ୍ଥେ । କି ପ୍ରୟୋଜନ ଏ ଜଗତେ ॥ ୨୭

ଏଣୁ ଏ ଭାଗବତ ଯେହି । ଶ୍ରବଣମାତ୍ରେ ଭକ୍ତି ହୋଇ ॥ ୨୮

ଏ ଭାଗବତର ମହିମା । କେ ଚିନ୍ତି ପାରେ ଗୁଣସୀମା ॥ ୨୯

ସକଳ ଶାସ୍ତ୍ରଫଳ ଏହି । ଶ୍ରୀଭାଗବତ ନାମ ଯେହି ॥ ୩୦

ସକଳ ବେଦ ହୋଇ ବୃକ୍ଷେ । ଫଳ ଫଳିଲେ ଅନ୍ତରୀକ୍ଷେ ॥ ୩୧

କେତେହେଁ ଦିନେ ପାଚି ତଳେ । ବୃକ୍ଷୁ ପଡ଼ିଲେ ବାୟୁବଳେ ॥ ୩୨

ଶୁକ ଧାଇଁଲେ ତାହା ଦେଖି । ପକ୍ଷୀଙ୍କ ସଙ୍ଗତ ଉପେକ୍ଷି ॥ ୩୩

ତୋଷେ ଅଧର କ୍ଷତ କଲା । ଭିତରେ ସୁରଙ୍ଗ ଦିଶିଲା ॥ ୩୪

ତହୁଁ ଗଳିଲା ରସସାର । କି ଅବା ଦେବା ପଟାନ୍ତର ॥ ୩୫

ଅମୃତ ନିନ୍ଦେ ସ୍ୱାଦୁ ପଣେ । ସୁଜନେ ପିବ ଅନୁକ୍ଷଣେ ॥ ୩୬

ଆନନ୍ଦେ କର ସୁଧାପାନ । ଯେଣେ ପାଇବ ଦିବ୍ୟଜ୍ଞାନ ॥ ୩୭

ଏ ଚାରିବେଦଙ୍କର ମୂଳ । ନିଗମବୃକ୍ଷର ଏ ଫଳ ॥ ୩୮

ପିବ ଜୀବନ ଅନ୍ତଯାଏ । ଯେବେ ବଞ୍ଚିବ ମାୟାମୋହେ ॥ ୩୯

ଏବେ ହୋ ଶୁଣ ସାଧୁଜନେ । ହରିଚରିତ ଶୁଦ୍ଧମନେ ॥ ୪୦

ସର୍ବଦେବଙ୍କ ରମ୍ୟସ୍ଥାନ । ନାମ ଯେ ନୈମିଷଅରଣ୍ୟ ॥ ୪୧

କଳିର ଆଗମନ ଦେଖି । ମୁନିଏ ସ୍ଥାନ ଉପଲକ୍ଷି ॥ ୪୨

ଶୌନକ ଆଦି ମୁନିଗଣେ । ମିଳିଲେ ନୈମିଷଅରଣ୍ୟେ ॥ ୪୩

କଳି-କଳୁଷ ଭୟ କରି । ମୁନିଏ ଏକାନ୍ତେ ବିଚାରି ॥ ୪୪

ସଂକଳ୍ପ କରି ଏତ ତୁଲେ । ସହସ୍ର-ଯଜ୍ଞ ଆରମ୍ଭିଲେ ॥ ୪୫

ଜାଣନ୍ତି ଶୁଭପ୍ରଦ ବାଞ୍ଛା । ସ୍ୱର୍ଗାଦିଲୋକେ କଲେ ଇଚ୍ଛା ॥ ୪୬

ସକଳେ ମିଳି ପ୍ରାତଃକାଳେ । କର୍ମ ସମ୍ପାଦିଲେ ଅନଳେ ॥ ୪୭

ସୂତମୁନିଙ୍କି ପୂଜା କରି । ବସିଲେ ସକଳେ ଆବୋରି ॥ ୪୮

ସକଳମୁନି ଶୁଦ୍ଧମନେ । ପୁଚ୍ଛିଲେ ଅମୃତ-ବଚନେ ॥ ୪୯

ଋଷିଗଣ ଉବାଚ

ହେ ସୂତ ଶୁଣ ସାବଧାନେ । ତୁମ୍ଭ ମହିମା ଅନୁମାନେ ॥ ୫୦

ସର୍ବ-ପୁରାଣ ଇତିହାସ । ଶୁଣିଲୁ ତୁମ୍ଭର ସକାଶ ॥ ୫୧

ସଂସାରେ ଧର୍ମଶାସ୍ତ୍ର ଯେତେ । ସର୍ବ ଗୋଚର ତୁମ୍ଭମତେ ॥ ୫୨

ବେଦବିଦଙ୍କ ମଧ୍ୟେ ଶ୍ରେଷ୍ଠ । ଯେ ବ୍ୟାସମୁନି ତପୋନିଷ୍ଠ ॥ ୫୩

ତାହାଙ୍କ ଶିଷ୍ୟ ଅଟ ତୁମ୍ଭେ । ଏ କଥା ଭଲେ ଜାଣୁ ଆମ୍ଭେ ॥ ୫୪

ପୂର୍ବେ ଯେ ଥିଲେ ବ୍ରହ୍ମମୁନି । ତାଙ୍କ ବଚନ ତୁମ୍ଭେ ଶୁଣି ॥ ୫୫

ସକଳ ଶାସ୍ତ୍ର ତୁମ୍ଭ ତହିଁ । ବେଦପୁରାଣେ ଯେତେ କହି ॥ ୫୬

ବ୍ୟାସଙ୍କ ଅନୁଗ୍ରହ ଘେନି । ସକଳ ଶାସ୍ତ୍ରେ ତୁମ୍ଭେ ଜ୍ଞାନୀ ॥ ୫୭

ଦଇବେ ଅଛି ଏହି ମତ । ଯେ ଶିଷ୍ୟ ଗୁରୁରେ ଭକତ ॥ ୫୮

ଶିଷ୍ୟ ଭକ୍ତିରେ ଦୟା ବହେ । ସକଳ ଗୂଢ଼ତତ୍ତ୍ଵ କହେ ॥ ୫୯

ଏଣୁ ବ୍ୟାସଙ୍କ ଶିକ୍ଷା ଯେତେ । ପ୍ରକାଶ ଆମ୍ଭର ଅଗ୍ରତେ ॥ ୬୦

ନିଶ୍ଚେ ଏକାନ୍ତ ଶ୍ରେୟ ଯେତେ । ଏ ଜୀବ ତରିବ ଯେମନ୍ତେ ॥ ୬୧

ଯେଣେ ତୁଟଇ ବିଷ୍ଣୁ ମାୟା । କହ ଆମ୍ଭଙ୍କୁ ଯେବେ ଦୟା ॥ ୬୨

ଏ କଳିଯୁଗେ ଯେତେ ପ୍ରାଣୀ । ଅଳ୍ପ ଆୟୁଷ ପରିମାଣି ॥ ୬୩

ସ୍ୱଭାବେ ମନ୍ଦମତି ହୋନ୍ତି । ପ୍ରାଣୀଙ୍କ ଉପଦ୍ରବ ଚିନ୍ତି ॥ ୬୪

ଯୁଗ ବେଭାରେ ପରିମାଣି । ସକଳ ଧର୍ମ ତୁମ୍ଭେ ଜାଣି ॥ ୬୫

ଏ ପ୍ରଶ୍ନ ଶୁଭ ଆମ୍ଭମତେ । ସାର ଉଦ୍ଧାରି ଦୃଢ଼ଚିତ୍ତେ ॥ ୬୬

କହ ସଂସାରେ ପ୍ରାଣୀଙ୍କର । ଯେମନ୍ତେ ମାୟାରୁ ନିସ୍ତାର ॥ ୬୭

ଯେଣେ ପ୍ରସନ୍ନ ହୋଇ ହରି । ଏ ଜୀବ ଆତ୍ମାକୁ ଉଦ୍ଧାରି ॥ ୬୮

କର ଏ ମାୟାରୁ ନିସ୍ତାର । ଏ ଜୀବମାନଙ୍କୁ ଉଦ୍ଧାର ॥ ୬୯

ତୁମ୍ଭ ପ୍ରସନ୍ନେ ଯୋଗବଳେ । ପ୍ରକାଶ କର ମହୀତଳେ ॥ ୭୦

କି ପ୍ରୟୋଜନ ଜଗନ୍ନାଥ । ଦେବକୀ ଉଦରେ ସମ୍ଭୂତ ॥ ୭୧

ସେ ହେତୁ କହ ଶୁଦ୍ଧଚିତ୍ତେ । ଆମ୍ଭେ ପଚାରୁ ଜନହିତେ ॥ ୭୨

ସଂସାରେ ଯାର ଅବତାର । ପ୍ରାଣୀ-ମଙ୍ଗଳ-ବୃଦ୍ଧିକର ॥ ୭୩

ଜଗତ ପାର ସେ ଚରିତ । ତୁମ୍ଭେ ତା ବର୍ଣ୍ଣନେ ସମର୍ଥ ॥ ୭୪

ଘୋର-ସଂସାରେ ପ୍ରାଣୀ ପଡ଼ି । ଆତ୍ମା-ନିସ୍ତାର-ପଥ ହୁଡ଼ି ॥ ୭୫

ଯାହାର ନାମ ଉଚ୍ଚାରିଲେ । ସଙ୍କଟୁ ତରିଯାନ୍ତି ଭଲେ ॥ ୭୬

ଯେ ଭୟ ଜୀବ ତେଜ ହରେ । ସେ ହରି ନାମ ଶୁଣି ଡରେ ॥ ୭୭

ଯାର ଚରଣେ ଆଶ୍ରେ କରି । ପବିତ୍ର ହୋନ୍ତି ବ୍ରହ୍ମଚାରୀ ॥ ୭୮

ଶୁଦ୍ଧ କରନ୍ତି ସର୍ବଜନେ । ଗଙ୍ଗା ଯେସନେ ସ୍ନାନପାନେ ॥ ୭୯

ଯାହାର ଯଶ ପୁଣ୍ୟଶ୍ଳୋକେ । ସୁଖେ ଗୁଣନ୍ତି ଜ୍ଞାନୀଲୋକେ ॥ ୮୦

କଳିକଳୁଷ ନ ଲାଗଇ । କେବା ନ ତରେ ଏହା ଗାଇ ॥ ୮୧

ଯା ଯଶ ଗାଇ ମୁନିଗଣେ । ସୁଖେ ତରନ୍ତି ଭବବଣେ ॥ ୮୨

ଯେ ହରି ବ୍ରହ୍ମା ଭିତରେ । ଲୀଳା ସରାଗେ ଅବତରେ ॥ ୮୩

ବିଶ୍ୱ-ଉତ୍ପତ୍ତି-ସ୍ଥିତି-ନାଶ । କି ରୂପେ କର ତା ପ୍ରକାଶ ॥ ୮୪

ମତ୍ସ୍ୟାଦି ଅବତାରମାନ । ଧରିଣ ପ୍ରଭୁ ଭଗବାନ ॥ ୮୫

ଆତ୍ମାର ଯୋଗମାୟା ବଳେ । ବିହରେ ଅବନୀ-ମଣ୍ତଳେ ॥ ୮୬

ସେ ହରି ସ୍ୱଚ୍ଛ ଶୁଭ କଥା । କହ ହେ ସୂତ ଧର୍ମଜ୍ଞାତା ॥ ୮୭

ତାର ମହିମା ଶୁଣି ନିତ୍ୟେ । ତୋଷ ନଲଭୁ ଆମ୍ଭଚିତ୍ତେ ॥ ୮୮

ଜିହ୍ୱା ଯେସନ ସୁଧାରସ । ପିବନ୍ତେ ନୁହଇ ସନ୍ତୋଷ ॥ ୮୯

ଅନନ୍ତ ସଙ୍ଗେ ଥାଇ ହରି । ଜଗତେ ଯେତେ କର୍ମ କରି ॥ ୯୦

କପଟେ ନରରୂପ ଧରି । ଅତିମାନୁଷ କର୍ମ କରି ॥ ୯୧

କଳି ଆଗମ ଆମ୍ଭେ ଦେଖି । ସକଳ ସମ୍ପଦ ଉପେକ୍ଷି ॥ ୯୨

ଏ ପୁଣ୍ୟକ୍ଷେତ୍ରେ ଶୁଭକ୍ଷଣେ । କୃଷ୍ଣର କଥା ଅନୁକ୍ଷଣେ ॥ ୯୩

କରି ତରିବୁ ବିଷ୍ଣୁ ମାୟା । ଭୋ ମୁନି ତୁମ୍ଭେ କର ଦୟା ॥ ୯୪

ଆମ୍ଭର ପୂର୍ବ ପୁଣ୍ୟଫଳେ । ସଙ୍ଗ ହୋଇଲୁ ତୁମ୍ଭ ମେଳେ ॥ ୯୫

ଏ ଭୟଙ୍କର କଳିକାଳେ । ଆମ୍ଭେ ଯେ ଅଛୁ ଭବଜଳେ ॥ ୯୬

ଏ ଜଳୁ ତୁମ୍ଭେ କର ପାର । ବୋଇତେ ଯେହ୍ନେ କର୍ଣ୍ଣଧାର ॥ ୯୭

ଯେ ହରି ବ୍ରହ୍ମା-ବଳ । ସର୍ବଦେବଙ୍କ ଆଦିମୂଳ ॥ ୯୮

ଧର୍ମ-କବଚ ଯାର ଅଙ୍ଗେ । ସୁଖେ ବିହରେ ନାନାରଙ୍ଗେ ॥ ୯୯

କଳି ଆଗମେ ଭଗବାନ । ଗମିଲେ ଆପଣା ଭୁବନ ॥ ୧୦୦

ଯେ ଧର୍ମ ସଂସାର ରଖିବ । ସେ କାହିଁ ଶରଣ ପଶିବ ॥ ୧୦୧

ଏ କଥା କହ ମୁନିବର । ଆମ୍ଭ ସଂଶୟ ଯାଉ ଦୂର ॥ ୧୦୨

ଏମନ୍ତେ ନଇମିଷ ବନେ । ସର୍ବମୁନିଙ୍କ ସନ୍ନିଧାନେ ॥ ୧୦୩

ଶୌନକ ଆଦି ମୁନିଗଣେ । ଯେ ପ୍ରଶ୍ନ କଲେ ଜଣେ ଜଣେ ॥ ୧୦୪

ନିର୍ମଳ ବିଷ୍ଣୁର ଚରିତ । କୃଷ୍ଣ-ବିଷୟ ଭାଗବତ ॥ ୧୦୫

ସୁଜନଜନଙ୍କର ହିତେ । କହଇ ଦାସ ଜଗନ୍ନାଥେ ॥ ୧୦୬

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ପ୍ରଥମୋଽଧ୍ୟାୟଃ ।।

* * *